Unknown

 

 

 

 

 

 

 

 

 

 

 

ଅନ୍ୟ ଏକ ସକାଳ

ଶ୍ରୀ ଚନ୍ଦ୍ରଶେଖର ରଥ

 

ସୂଚୀପତ୍ର

 

୧.

ସେ ଆଉ ଜଣେ

୨.

ସବା ସାନଝିଅ

୩.

ବିଧାତାକୁ ଅନୁରୋଧ

୪.

ଅନ୍ୟ ଏକ ସକାଳ

୫.

ପାତାଳ ଗଙ୍ଗା

୬.

ଯୋଗୀ ନୋହିଲୁ କିପାଇଁ

୭.

ଯୋଦ୍ଧା

୮.

ଯାତ୍ରୀ

୯.

ଜାଈ କୁମ୍ଭାରୁଣୀ

୧୦.

ତ୍ରିବାର ମିଥ୍ୟା

୧୧.

ଆଉ କ’ଣ ଅଛି ଡରିବାକୁ ?

୧୨.

ଯଯାତି

Image

 

ସେ ଆଉ ଜଣେ

 

ଖାଲି ଆତ୍ମବିଶ୍ୱାସ ଉପରେ ସେଭଳି ଦାୟିତ୍ୱ କେହି ନିଏନାହିଁ । ନିଜ ଗୋଡ଼ରେ ଏମିତି କେତେ ବଳ ଅଛି ଯେ ଆଉ ଦଶଜଣଙ୍କୁ ଗୋଟେଇ ଆଣି ବୁକୁ ଉପରକୁ ଆଉଜାଇ ନେବ ? ସେ ଏମିତି କିଏ କି ?

 

ଫାଦର୍‌ ସାମୁଏଲ୍‌ ସେଦିନ ସକାଳେ ପୂର୍ବମୁହାଁ ଫେରୁଥିଲାବେଳେ, ଆକାଶମଲ୍ଲୀଗଛ ମୂଳରୁ ଶୀତରେ ସୁକ୍‌ ସୁକ୍‌ ହେଉଥିବା ସଦ୍ୟୋଜାତ ମଣିଷ ଛୁଆଟିକୁ ବୁକୁ ପାଖରେ ଧରି ଆଗକୁ ଚାହିଁଲାବେଳକୁ ସୂର୍ଯ୍ୟ ଉଇଁ ଆସୁଥିଲା । ସାରା ପୃଥିବୀକୁ ଅଜସ୍ର ଆଲୋକର ପ୍ରତିଶ୍ରୁତି ମିଳୁଥିଲା ସେତେବେଳେ । ଫାଦର ସାମୁଏଲ୍‌ କଳା ମଣିଷଟିଏ । ବୁଢ଼ା ମଣିଷଟିଏ । ଦୁର୍ବଳ ମଣିଷଟିଏ । ଧପ୍‌ ଧପ୍ ଧଳା ପୋଷାକରେ ସେ ନିର୍ମଳ ପକ୍ଷୀଟିଏ ପରି ଦେଖାଯାନ୍ତି ।

 

ସେ ତାଙ୍କ ପାଦ ଯୋଡ଼ିକୁ ଭୂଇଁରେ ଥାପି ଶୂନ୍ୟକୁ ଚାହିଁଲେ । ଆଖିବୁଜି କୁଁ କୁଁ ହେଉଥିବା ପକ୍ଷୀ ଶାବକ ଭଳି ସେ ଶିଶୁଟିକୁ ଚାହିଁଲେ କିଛିକାଳ । ତାଙ୍କ ବୁକୁରେ ଗଛମାନଙ୍କର ଆଶ୍ୱାସ ଭରିଗଲା । ଆଖିରେ ଆକାଶର ଆଲୋକ ଝଟକିଲା । ସେ ସେଇ ରାସ୍ତାଟାରେ ଥମ୍‌ ହୋଇ ଠିଆହୋଇଥାନ୍ତି । ମନକୁ ମନ ସୁମରୁଥାନ୍ତି–ସେ ସେମିତି କିଏ କି ? ତାଙ୍କ ଗୋଡ଼ରେ ବଳ କାହିଁ ସେ ଭାରା ସମ୍ଭାଳିବାକୁ ?

 

କ’ଣ ହେଲା କେଜାଣି ତାଙ୍କର ପାଦଟିଏ ବଳେ ଘୁଞ୍ଚିଗଲା ଆଗକୁ । କିଛି ନ ବୁଝିଲାପରି ସେ ନିଜେ ଘୁଞ୍ଚିଗଲେ ଆଗକୁ । ଗଛମାନଙ୍କରେ ନାନା ଜାତିର ସକାଳ ଚଢ଼େଇ ରାବିଉଠିଲେ । ପବନ ବୋହିଲା ଆଗମୁହାଁ, ଫାଦର୍‌ ସାମୁଏଲ୍‌ ସେ ମଣିଷ ଛୁଆଟିକୁ କୋଳରୁ ଟେକି ନ ନେଇ ଆଉ କ’ଣ କରିପାରିଥାନ୍ତେ ? ତାକୁ କ’ଣ ଦେଖି ନ ଦେଖିଲା ପରି, ବୁଝି ନ ବୁଝିଲା ପରି ଆଡ଼ହୋଇ ଚାଲି ଯାଇଥାନ୍ତେ ? ତାକୁ ସେ ଗଛମୂଳେ ଛାଡ଼ି ଚାଲିଯାଇଥାନ୍ତେ ? ଏତେ ଅବଜ୍ଞା ପାଇଁ ତାଙ୍କର ସେ ଦୁର୍ବଳ ବୁକୁରେ ଦମ୍ଭ କାହିଁ ? ତାକୁ ସମ୍ଭାଳିବାକୁ ସେ ଗୋଡ଼ ଯୋଡ଼ିକରେ ବଳ କାହିଁ ? ତା’ହେଲେ କାହାକୁ ସମର୍ପିତ ସେ ତାକୁ ଭୂଇଁରୁ ଗୋଟେଇ ସେମିତି ତୋଳି ଧରିଥାନ୍ତି-ସୂର୍ଯ୍ୟକୁ ନାଁ ଆକାଶକୁ ?

 

ସେ କିନ୍ତୁ ଖୁବ୍‌ ସନ୍ତର୍ପଣରେ ତାଙ୍କର ନିଛାଟିଆ ଏକବଖୁରି ଘର ଭିତରେ ପଶିଲେ । କାନେଇଲେ । କେହି କୁଆଡ଼େ ନାହାନ୍ତି ତ ! ସେ ବାରମ୍ବାର ତାଙ୍କ ଛୋଟ ଦଉଡ଼ିଆ ଖଟ ପାଖକୁ ଯାଇ ଫେରିଆସୁଥିଲେ । ବାରମ୍ବାର ଝରକା ପାଖକୁ ଯଶି ବୁଲି ଆସୁଥିଲେ । ଟିକିଏ ନଇଁଲା ଭଳି ସେ ତାଙ୍କ ଶାଲ୍‌ଟିକୁ ପିଣ୍ଡୁଳାକରି ବୁକୁ ପାଖରେ ଜାକିଧରିଥାନ୍ତି । .....ଡିସେମ୍ବର ମାସରେ ବଡ଼ିସକାଳୁ ଖୁବ୍‌ ଶୀତ ହୁଏ ତ....ସେ ବେଳେବେଳେ ଶୀତେଇ ଯାଉଥାନ୍ତି; କିନ୍ତୁ ବାଉଳା ହେଲା ପରି କ’ଣ କରିବେ ବା ନ କରିବେ ଜାଣି ପାରୁ ନ ଥାନ୍ତି । ଶେଷରେ କୌଣସିମତେ ଶାଲ୍‌ ପିଣ୍ଡୁଳାଟିକୁ ଖଟିଆ ଉପରେ ଶୁଆଇ ଦେଇ ସେ ହାତ ମନ୍ଥି ଠିଆହେଲେ । ତାଙ୍କ ବୁକୁ ଭିତରୁ ବହୁକାଳୁ ଗୁରାଣ୍ଡି ହେଉଥିବା ଦୀର୍ଘଶ୍ୱାସଟିଏ ବାହାରିଗଲା ।

 

ଫାଦର୍‌ ସାମୁଏଲ୍‌ କେବେ ବାପ ହୋଇ ନ ଥିଲେ-ମା’ ହେବାର ଗୁରୁ ଦାୟିତ୍ୱ କ’ଣ ବୁଝି ନ ଥିଲେ; କିନ୍ତୁ କିଛି ଦିନ ପରେ ଦେଖାଗଲା ଯେ ଅଣ୍ଡା ଉପରେ ବସିଥିବା ମାଈ କୁକୁଡ଼ାଟିଏ ପରି ସେ ଘର ଜଗି ବସି ରହିଥାନ୍ତି । ଉଦ୍‌ବିଗ୍ନ ଆଖିରେ ଚାହିଁ ରହିଥାନ୍ତି ଭିତରକୁ ଏବଂ ବାହାରକୁ-। ପିଲାଟିକୁ ପାଳିବା ନିଶ୍ଚୟ ଭାରି କଷ୍ଟକର ବ୍ୟାପାର; କିନ୍ତୁ ସେ କ’ଣ ସତରେ ତାକୁ ପାଳୁଥାନ୍ତି ? ବରଂ ତାର ଦାୟିତ୍ୱ ଆଉ ଜଣେ କେହି ନେଇସାରିଥିବା ଭଳି ସେ ଦିନୁଦିନ ଅନୁଭବ କରୁଥାନ୍ତି ।

 

‘‘ଫାଦର୍‌, ମୋ ଘରେ ଛେଳି କ୍ଷୀର ହୁଏ । ମୁଁ ରୋଜ୍‌ ଦୁଇକପ୍‌ କ୍ଷୀର ଦେଇ ପାରିବି-।’’-–କହିଲା ମେରୀ କିସ୍କୋ ।

 

ପ୍ରିସ୍କିଲା ସିଂ ଆସି ପରିଷ୍କାର କନାଗୁଡ଼ିଏ ଥାକ ମାରି ରଖିଗଲା । ପିଲାକୁ ଗେଲ କରି କହିଲା, ‘‘ଫାଦର୍‌, ଏ ତ ମୋ ପୁଅ ପାଉଲ୍‌ ଭଳି ଦିଶୁଚି । ମୁଁ ଆସି ତାକୁ ସବୁଦିନ ଗାଧୋଇଦେବି-। ....ୟା ନାଁ କ’ଣ ଦେଉଚ ଫାଦର୍‌ ? .....ୟାକୁ ‘ପାଉଲ୍‌’ ଡାକିଲେ କ’ଣ ଅସୁବିଧା ହେବ କି ?’’

 

‘‘ଫାଦର୍‌, ଏ ଜାମାଟାକୁ ପାଉଲ୍‌ ଦେହରେ ପିନ୍ଧାଇ ଦେବାକୁ ମୋତେ ଅନୁମତି ଦିଅନ୍ତୁ-। ଏଇଟା ପୁରୁଣା ହେଲେ ବି ଭାରି ଭଲ । ଆଗ କାଳର ଉଲ୍‌ରେ ତିଆରି । ଖୁବ୍‌ ଉଷୁମ ଲାଗିବ ।’’

 

ଫାଦର୍‌ ସାମୁଏଲ୍‌ କାହାକୁ ମନା କରି ନ ଥିଲେ । ବରଂ ଆଚମ୍ବିତ ହୋଇ ଭାବୁଥିଲେ ଯେ ସେମାନେ କେମିତି କାହାଦ୍ୱାରା ନିଯୁକ୍ତ ହେଲାଭଳି ଚାଲି ଆସୁଛନ୍ତି, ଦାୟିତ୍ୱ ବାଣ୍ଟି ନେଉଛନ୍ତି । ସେ ନିଜେ ବି ସେଥିଭିତରୁ ଜଣେ । ପାଉଲ୍‌ର ଆଗପଛ, ଭିତର ବାହାର, ସବୁ କେମିତି ଗୋଟାଏ ମନକୁମନ ସଜାଡ଼ି ହୋଇଗଲା ପରି ତାଙ୍କୁ ଦିଶିଲା । ସେ ଅତି ଆନନ୍ଦରେ ଚାହିଁ ରହୁଥିଲେ ଅନେକ ସମୟ ସେଇ ଝର୍କାବାଟେ ବାହାରକୁ । ଖଟ ଉପରେ ପାଉଲ୍‌ ହାତଗୋଡ଼ ପିଟି କୁହାଟୁଥିଲା ।

 

.....କଥା ରାଷ୍ଟ୍ର ହୋଇଗଲା । ପାଉଲ୍‌ ବଞ୍ଚିଯିବା ଉପରେ କେତେଗୁଡ଼ିଏ ମୌଳିକ ଆସ୍ଥା ବଞ୍ଚିଗଲା । ଅନେକ ଅନୁଭବ କଲେ ଯେ ଫାଦର୍‌ ସାମୁଏଲ୍‌ ତାଙ୍କ ଜୀବନସାରା ଯାହା ବିଷୟରେ କହିଆସିଛନ୍ତି, ତା ହୁଏତ ସତ । ଲୋକେ ଆସି ମନକୁମନ ଭଲ ମନ୍ଦ ବୁଝିନେଇଗଲେ-। ସାହାଯ୍ୟ ଯାଚି ଦେଇଗଲେ । ଗଛରେ ଫୁଲ ଫୁଟିଲାପରି, ଖୋଲା ପବନ ଅଯାଚିତ ଆସି ବିଞ୍ଚିଦେଲାପରି ସେମାନଙ୍କର ଆଚରଣ ଦେଖି ସେ କୃତକୃତ୍ୟ ବୋଧ କରୁଥାନ୍ତି । ମଣିଷକୁ ଏଭଳି ରୂପରେ ଦେଖିବାକୁ ସେ ଜୀବନରେ ସ୍ୱପ୍ନ ବୋଲି ମଣିଥିଲେ । ସତେ ବା ବହୁଦିନ ଧରି ଗଛଟିକୁ ପାଳିଲା ପରେ ଫୁଲ କଢ଼ କାଖେଇ ସେ ତାଙ୍କୁ ଅଭିନନ୍ଦନ ଜଣାଇଲା ।

 

ଦିନେ ଗୋଟିଏ ଗାଡ଼ିରୁ ମାନ୍ୟଗଣ୍ୟ ଲୋକ ଗୁଡ଼ିଏ ଓହ୍ଲେଇ ଆସିଲେ । ଦୁଇଶ ମାଇଲ୍‌ ଦୂରରେ ଥିବା ବଡ଼ ଗିର୍ଜାର ପାଦ୍ରି ମଧ୍ୟ ଥିଲେ ତାଙ୍କ ଭିତରେ । ସେମାନେ ଆସି ପାଉଲ୍‌କୁ ଦେଖିଲେ । ଫାଦର୍‌ ସାମୁଏଲ୍‌ଙ୍କ ଚାରିଆଡ଼େ କିଛି ସମୟ ଧରି କ’ଣ ଗୁଡ଼ିଏ ମଧୁର ଗୁଞ୍ଜରଣ ଶୁଭିଲା । ତା’ପରେ ଜଣେ କହିଲେ–

 

‘‘ଫାଦର୍‌, ଆପଣଙ୍କର ଏ ସାଧୁକାର୍ଯ୍ୟପାଇଁ ଆମେ ସମସ୍ତେ ଗର୍ବିତ । ଆପଣଙ୍କୁ ଗୋଟିଏ ଅନୁରୋଧ କରିବାକୁ ଆମେ ଆସିଛୁ.....ଏଇଠି ଗୋଟିଏ ଅନୁଷ୍ଠାନ ଗଢ଼ିବାକୁ ଆମର ଇଛା । ଏ ବଡ଼ ପଡ଼ିଆ ଉପରେ ଗୋଟିଏ ଅନାଥାଶ୍ରମ ହୁଅନ୍ତା । ଘର, ବଗିଚା, ଆସବାବ୍‌, କର୍ମଚାରୀ ଇତ୍ୟାଦି ପାଇଁ ଗୋଟିଏ ବଦାନ୍ୟ ସଂସ୍ଥା ସମସ୍ତ ଖର୍ଚ୍ଚ ବହନ କରନ୍ତେ । ଦୈନନ୍ଦିନ ଚଳିବାକୁ ମଧ୍ୟ ବ୍ୟବସ୍ଥା ହୁଅନ୍ତା । କେବଳ ଆପଣ ତା’ର ତତ୍ତ୍ୱାବଧାନରେ ରହିବାକୁ ରାଜି ହୋଇଗଲେ ହେଲା ।

 

ଫାଦର୍‌ ସାମୁଏଲ୍‌ ବିହ୍ୱଳ ହେଲାପରି ଚାହିଁରହିଥାନ୍ତି ।

 

‘‘ଆମର ସେଇଠି ପାଉଲ୍‌ ଭଳି ତିରିଶଟି ଶିଶୁଙ୍କୁ ନେଇ ଆଶ୍ରମ କରାଯାଇଛି । ସେ ସମସ୍ତେ ଏଠିକି ଚାଲି ଆସନ୍ତେ, ଆପଣଙ୍କ ସ୍ନେହ ପାଇଲେ ସେମାନେ ବଞ୍ଚି ଯାଆନ୍ତେ ।’’ –କହିଲେ ଆଉଜଣେ ।

 

‘‘ଏହା ଈଶ୍ୱରଙ୍କ କାର୍ଯ୍ୟ । ଆପଣ ନିଯୁକ୍ତ ହେବାକୁ ରାଜିହୋଇଗଲେ ସେ ନିଜେ ସମସ୍ତେ ଦାୟିତ୍ୱ ବହପ କରିବେ । ସେ ସମସ୍ତଙ୍କ ପିତା ।’’

 

ଯେ ଯାହା କଥା କହିଦେଇ ସମସ୍ତେ ଅପେକ୍ଷା କଲେ । ଫାଦର୍‌ ସାମୁଏଲ୍‌ କିଛି ନକହି ଅପେକ୍ଷା କଲେ । କେଉଁ ବିଶ୍ୱାସରେ ସେ ଏଡ଼େ ବଡ଼ ଦାୟିତ୍ୱକୁ ମୁଣ୍ଡ ପତେଇଦେବେ ? କେଉଁ ଦମ୍ଭରେ ଅବା ଏଭଳି ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଦେବେ ? ସେ ମୁହୂର୍ତ୍ତେ ଉପରକୁ ଚାହିଁଦେଇ ମୁଣ୍ଡ ପୋତିଦେଲେ । ଧଳା ପୋଷାକରେ ସେ ଦେଖାଯାଉଥିଲେ ନିର୍ମଳ ପକ୍ଷୀଟିଏ ପରି ।

 

ବଡ଼ ଗିର୍ଜାର ପାଦ୍ରି ସାମ୍‌ନାରେ ହାତ ଛନ୍ଦି ତଳକୁ ମୁଣ୍ଡ ପୋତି କହିଲେ, ‘‘ଈଶ୍ୱରଙ୍କ ଇଛା ପୂର୍ଣ୍ଣହେଉ ।’’ ଆଉ ତିନିଜଣ ସେଇଭଳି ଭଙ୍ଗୀରେ କହିଲେ, ‘‘ଆମେନ୍‌ !!’’

 

ସେମାନେ ଗାଡ଼ିପାଖକୁ ଧାଡ଼ିବାନ୍ଧି ଚାଲିଗଲାବେଳେ ଫାଦର୍‌ ସାମୁଏଲ୍‌ ସେଇଠି ମୁଣ୍ଡପୋତି ଠିଆହୋଇ ରହିଗଲେ । ଗାଡ଼ି ମୁହଁ ବୁଲାଇ ଚାଲିଗଲା । ଭୂଇଁରେ ତାଙ୍କର ଦୁଇଟି ଦୁର୍ବଳ ପାଦ ଥାପି ଫାଦର୍‌ ସାମୁଏଲ୍‌ ପଡ଼ିଆକୁ ଚାହିଁ ରହିଲେ ଅନେକ ସମୟ ପର୍ଯ୍ୟନ୍ତ ।

 

.....ତେଣିକି ପ୍ରତିଦିନ ବହୁ ପ୍ରକାର ଗାଡ଼ି ଆସିଲା । ବହୁ ପ୍ରକାର ଶବ୍ଦ ହେଲା । ଫାଦର୍‌ ସାମୁଏଲ୍‌ କେବେହେଲେ ଇଛା କଲେନାହିଁ ଜାଣିବାକୁ, କିଏ ସେହି ବଦାନ୍ୟ ସଂସ୍ଥା, ଯାହା ପାଇଁ ଏତେ ଲୋକ ଦିନରାତି ଲାଗି ଏତେ ଶ୍ରମ କରୁଥିଲେ । କେବେହେଲେ ସେ ତାଙ୍କର ସରଳ ନିର୍ଦ୍ଧନ ପଡ଼ୋଶୀମାନଙ୍କର କୌତୂହଳର ଉତ୍ତର ଦେଇ ନ ଥିଲେ । ସେମାନେ କୋଠା ଗଢ଼ିବାରେ, ବଗିଚା ଖୋଳିବାରେ ଶ୍ରମ କଲେ । ପୁରୁଣାଗଛ ନୂଆ ପାଣି ପାଇ ପଲ୍ଲବିତ ହେଲା ପରି ପ୍ରତ୍ୟେକ ପରିବାର ଉଜ୍ଜ୍ୱଳ ଦେଖାଗଲେ । ପିଲାମାନେ ନୂଆ ଜାମା ପିନ୍ଧି ଫାଦର୍‌ ସାମୁଏଲ୍‌ଙ୍କୁ ସାକ୍ଷାତ୍‌ କରିବାକୁ ଆସିଲେ । ତାଙ୍କ ହାତ ଧରି ଭିଡ଼ିନେଲେ ନୂଆ କୋଠାଆଡ଼କୁ ।

 

‘‘ଫାଦର୍‌, ଏଇ ହେଲା ଖାଇବାଘର । ଏଡ଼େ ବଡ଼ ଘରେ କ’ଣ ଖାଇବାକୁ ହୁଏ ? ....ଏଇଟା ପ୍ରାର୍ଥନା ଘର । ଏସବୁ ଶୋଇବା ଘର....ସେଇଟା ରନ୍ଧା ଘର । ଏତେ ଶୋଇବା ଘର କ’ଣ ହେବ ଫାଦର୍‌ ?’’

 

‘‘ଆଉ ଏଇଟା’’-ସେମାନେ କହୁଥିଲେ, ‘‘ଫାଦରଙ୍କ ରହିବା ଘର । ଏଠି ଦୁଇଟା ଖଟ ପଡ଼ିବ । ଗୋଟାକରେ ଫାଦର୍‌, ଆଉ ଗୋଟାକରେ ‘ପାଉଲ୍‌’ ! ବାଃ, କେଡ଼େ ବଢ଼ିଆ ହେଇଚି !’’

 

ଫାଦର୍‌ ସାମୁଏଲ୍‌ ପିଲାଙ୍କ ସାଙ୍ଗରେ ଘେରାଏ ବୁଲିଆସି ସେମାନଙ୍କୁ ଚାହିଁ ହସିଲେ କେବଳ, କିଛି କହିଲେ ନାହିଁ । ପିଲାଏ ତାଙ୍କ ଚାରିପାଖେ କଲର୍‌ କଲର୍‌ ହେଉଥାନ୍ତି; ଖୁସିରେ ଡେଉଁଥାନ୍ତି ।

 

ମେରୀ କିସ୍କୋର ପୁଅ ସାମ୍ନାକୁ ଆସି କହିଲା, ‘‘ଫାଦର୍‌, ଏଇଠି ଆମରି ଭଳି ପିଲାମାନେ ରହିବେ ନାଁ ? –ଏଇଠି କୋଠାଘରେ ରହିବେ ? ଚୌକି ଟେବୁଲରେ ଖାଇବେ ? –ମା’ କହୁଥିଲା, ଆମେ ଏଇଠି ରହିପାରିବୁ ନାହିଁ । କାହିଁକି ରହିପାରିବୁ ନାହିଁ, ଫାଦର୍‌ ? ଆମେ କ’ଣ ପିଲା ନୋହୁଁ ?’’

 

ଫାଦର୍‌ କିସ୍କୋର ପୁଅ ମୁହଁକୁ ଚାହିଁରହିଥାନ୍ତି । ତାଙ୍କ ମୁହଁରୁ ହସ ଲିଭି ଯାଇଥାଏ । ସେ ହଠାତ୍‌ ଖୁବ୍‌ ବୁଢ଼ା ଦେଖାଯାଉଥାନ୍ତି, ଦୁର୍ବଳ ଦେଖାଯାଉଥାନ୍ତି ।

 

ପ୍ରିସ୍କିଲାର ଝିଅ ଅନେକ କଥା ବୁଝିଗଲାଣି । ସେ କିସ୍କୋର ପୁଅକୁ ଚାହିଁ କହିଲା, ‘‘ଆମର ପରା ବାପା ମା’ ଅଛନ୍ତି ! ଏଠି ଯେଉଁମାନେ ରହିବେ ସେମାନଙ୍କର ବାପ ମା’ ନାହାନ୍ତି ।’’

 

ଶିଶୁ କିସ୍କୋର ମୁହଁ ସାଙ୍କୁଡ଼ିଗଲା, ଆଖି ଡବଡ଼ବ ହୋଇଗଲା ପାଣିରେ । ସେ କିଛି ବୁଝିପାରିଲା ନାହିଁ । ପଚାରିଲା, ‘‘ସେମାନଙ୍କର କାହିଁକି କେହି ବାପ ମା’ ନାହାନ୍ତି, ଫାଦର୍‌ ?’’

 

ଫାଦର୍‌ ସାମୁଏଲ୍‌ ତା ମୁଣ୍ଡ ସାଉଁଳିଦେଲେ । ପାଖକୁ ଟାଣିନେଇ କହିଲେ, ‘‘ଅଛନ୍ତି ବାପା, ସମସ୍ତଙ୍କର ବାପା ମା’ ଅଛନ୍ତି । ଏଠି କେହି ହେଲେ ଛେଉଣ୍ତ ନୁହେଁ । ଏଇ ଦେଖୁନୁ, ପାଉଲ୍‌ର କ’ଣ କେହି ନାହିଁ ?’’

 

‘‘ଅଛି, ଫାଦର୍‌ ! ମା’ କହୁଥିଲା ପାଉଲ୍‌ର ବାପା ପରା ନିଜେ ଈଶ୍ୱର ।’’

 

ଫାଦର୍‌ ସାମୁଏଲ୍‌ ସମ୍ଭାଳି ନ ପାରି ସେଇ ପଡ଼ିଆ ଉପରେ ଆଣ୍ଠେଇ ପଡ଼ିଲେ । ପାଞ୍ଚଟିଯାକ ପିଲାଙ୍କୁ ବାହୁ ଭିତରେ ଜାକିଧରି ଶିଶୁ କିସ୍କୋ ମୁଣ୍ଡ ଉପରେ ଗାଲ ରଖି ଆଖି ବୁଜି ରହିଲେ କିଛି ସମୟ ! ଆଖିରୁ ଲୁହ ଝରି ତା’ ମୁଣ୍ତ ଓଦା ହୋଇଗଲା । ଫାଦର୍‌ ସାମୁଏଲ୍‌ ଆସ୍ତେ କହୁଥାନ୍ତି, ‘‘ତୁମ ସମସ୍ତଙ୍କର ବାପା ସେଇ ଜଣେ, ସେଇ ଜଣେ ! ଆମେନ୍‌ ! ଆମେନ୍‌ !!’’

 

‘‘ଛ’ମାସ ଭିତରେ କାମ ସରିଗଲା । କାନ୍ଥ କବାଟ ରଙ୍ଗ ଲାଗିଗଲା । ପାଚେରି ଫାଟକ ପ୍ରସ୍ତୁତ ହୋଇଗଲା । ସକାଳ ଖରା ରଙ୍ଗର, ନୂଆପତ୍ର ରଙ୍ଗର, ଫୁଟିଲା ଗୋଲାପ ରଙ୍ଗର ପରଦା, ଚାଦର, ତକିଆ ସଜା ହୋଇଗଲା । ଟେବୁଲ୍‌ ଚୌକି ସବୁ ଚକ୍‌ଚକ୍‌ । କେହି ଜଣେ ସମ୍ରାଟ ତା’ର ମାଲିକ ନିଶ୍ଚୟ । ସେ ହିଁ ପ୍ରଥମେ ଆସି ତାକୁ ଅଧିକାର କରିବେ । ତା’ପରେ ବାଣ୍ଟିଦେବେ ତାଙ୍କ ମନ ଖୁସି । କାହାରି ସାହସ ହେଉନଥାଏ ଟିପ ମାରି ଛୁଇଁଦେବାକୁ । ସେମାନେ ବାରମ୍ବାର ଆସି ଫାଦର୍‌ ସାମୁଏଲ୍‌ଙ୍କୁ ସାକ୍ଷାତ୍‌ କରି ଯାଉଥାନ୍ତି; କୃତକୃତ୍ୟ ହେଉଥାନ୍ତି । ତାଙ୍କର ପାଇଁ ସେ ସମସ୍ତ କୋଠାବାଡ଼ି ହୋଇପାରିଲା ବୋଲି କହୁଥାନ୍ତି । କହୁଥାନ୍ତି ଯେ ତାଙ୍କ ଉପସ୍ଥିତିରେ ନ ହେବା କଥା ହୋଇଯାଉଛି । ସହରଠାରୁ ବହୁ ଦୂରରେ ବଣ-ଜଙ୍ଗଲଘେରା ଏ ଆଶ୍ରମରେ ମଣିଷଛୁଆଗୁଡ଼ିଏ ଈଶ୍ୱରଙ୍କ ସନ୍ତାନର ମର୍ଯ୍ୟାଦା ପାଇ ବଢ଼ିଉଠିବେ । ଫାଦର ସାମୁଏଲ ତାଙ୍କୁ ସେ ମର୍ଯ୍ୟାଦା ଦେବେ-। ସେମାନେ କହିଲେ ଯେ ତାଙ୍କ ଇଛାରେ ଏଠାର ପାଞ୍ଚଜଣ ଶିଶୁ ମଧ୍ୟ ଏଇ ଭିତରେ ପାଳିତ ହେବେ । ଫାଦରଙ୍କ ଇଛା ହିଁ ଈଶ୍ୱରଙ୍କ ଇଛା । ସେ ଏଣିକି ଯାହା ଯେଉଁଠି ଚାହିଁବେ, ତାହା ସେଇଭଳି ହେବ-

 

ଡିସେମ୍ବର ମାସ ଆସିଗଲା । ଚବିଶ ତାରିଖ ସନ୍ଧ୍ୟାରେ ପିଲାମାନେ ଆସିଯିବେ । ସେଇ ରାତିରେ ପିଲାଙ୍କର ଭୋଜି ହେବ । ସେମାନେ ଏଇଠି ନୂଆଜନ୍ମ ଲାଭକରିବେ । ଏଇ ପାଚେରି ଭିତରେ ଫାଦର ସାମୁଏଲ ତାଙ୍କୁ ଗ୍ରହଣ କରିବେ ।

 

ସେ ସବୁ ଶୁଣିସାରିଲା ପରେ ସେମାନଙ୍କୁ ଶେଷରେ ଗୋଟିଏ କଥା କହିଲେ-‘‘ମୋତେ ଏଇ କୁଡ଼ିଆରେ ରହିବାକୁ ଅନୁମତି ଦିଅନ୍ତୁ । ଏ ଛୋଟ ମୁଣ୍ଡିଆ ଉପରେ କୁଡ଼ିଆଟି ଖୁବ୍‌ ପ୍ରାଚୀନ, ମୋ’ଠୁ ମଧ୍ୟ ପୁରୁଣା । ମୁଁ ଏଇଠି ରହିଲେ ଆପଣଙ୍କର କୌଣସି ଅସୁବିଧା ହେବନାହିଁ ।’’

 

ସେମାନଙ୍କ ଭିତରେ ଅନେକ ପରାମର୍ଶ ହେଲା । ଶେଷକୁ ଜଣେ ଆସି ବିନୟରେ ଜଣାଇଲେ, ‘‘ଫାଦର, ଆପଣଙ୍କ ପ୍ରତି ଆମର ଗଭୀର ସମ୍ମାନ ହେତୁରୁ ଆମେ ପ୍ରତିବାଦ କରିପାରୁନାହୁଁ । ଆମେ କେବଳ ଭାବୁଛୁ ଯେ ଆପଣଙ୍କ ରହିବା ପାଇଁ ଯେଉଁ ଘର ତିଆରି କରିଥିଲୁ, ସେଇଟା ଖାଲିପଡ଼ିରହିବ; କାରଣ ପାଉଲ ପାଇଁ ଆମେ ଆଉ ଗୋଟିଏ ସ୍ୱତନ୍ତ୍ର ବ୍ୟବସ୍ଥା କରିଦେଇଛୁ ।’’

 

ଫାଦର୍‌ ସାମୁଏଲ୍‌ ତାଙ୍କ ସରଳ ଢଙ୍ଗରେ ଅଳ୍ପ ହସି କହିଲେ, ‘‘ସେଇଟା ଖାଲି ରହିବ ବୋଲି ଆପଣ କାହିଁକି ଭାବୁଛନ୍ତି ? ...କିଛି କ’ଣ ଏ ଯାଏ ଖାଲି ରହିଲାଣି ?’’

 

ସେମାନେ ମୁଣ୍ଡ ନୁଆଇଁନେଲେ ।

 

ଫାଦର୍‌ କହିଲେ, ‘‘ସେଇଠି ଯେ ରହିବେ ତାଙ୍କ ନିର୍ଦ୍ଦେଶରେ ଏ ଅନୁଷ୍ଠାନ ଚାଲିବା କଥା-ବେଶ୍‌ ତ ! ସେ ହିଁ ସେଇଠି ରହିବେ ।’’

 

ଆଲୁଅ ଆସିଲା । ଗାଡ଼ି ଆସିଲା । ସେମାନେ ସମସ୍ତେ ଆସିଲେ । ଗୋଟିଏ ବସ୍‌ ଭିତରୁ ଏକାଭଳି ନୂଆ ଜାମା ଯୋତା ପିନ୍ଧିଥିବା ତିରିଶ୍‌ଟି ପିଲା ଓହ୍ଲେଇଲେ । ଗାଁର ପାଞ୍ଚଟିଯାକ ପିଲା ସେଇଭଳି ନୂଆ ଜାମା ପିନ୍ଧି ଅପେକ୍ଷା କରିଥାନ୍ତି । ସେମାନଙ୍କୁ ଏକାଠି ଆଣି କୋଠା ସାମନାରେ ଠିଆକରାଗଲା । ବଡ଼ ଗିର୍ଜାର ପାଦ୍ରି ପ୍ରାର୍ଥନା କଲେ, ‘‘ହେ ପରମପିତା ! ଆମେ ସମସ୍ତେ ତୁମର ସନ୍ତାନ । ତୁମେ ହିଁ ଆମର ଆଶ୍ରୟ, ତୁମେ ଆମର ରକ୍ଷକ !’’

 

ସମସ୍ତେ ଭାରି ଗମ୍ଭୀର ଦେଖାଗଲେ । ପିଲାଗୁଡ଼ିକ ଉଦାସ ଦେଖାଗଲେ । ସେମାନଙ୍କ ଆଖିରେ ଡରିଲା ଡରିଲା ଚାହାଣି । କ’ଣଟାଏ ଭୁଲ୍‌ କରି ପକେଇଛନ୍ତି । ଏବଂ ଧରାପଡ଼ିଯାଇଛନ୍ତି, ଏଇଭଳି ସନ୍ତ୍ରସ୍ତ ଭାବ । କିସ୍କୋର ପୁଅ ଫିକ୍‌କିନା ହସିଦେଲା । ଦୌଡ଼ିଆସିଲା ସାମୁଏଲ୍‌ଙ୍କ ପାଖକୁ । ଗୋଟିଏ ପିଲାକୁ ଆଙ୍ଗୁଠି ଦେଖେଇ କହିଲା, ‘‘ଫାଦର୍‌, ତା’ ପେଣ୍ଟରେ ବୋତାମ୍‌ ଫିଟିଯାଇଛି ।’’ ....ସେ ପିଲା କନକନ ହେଲା । ଫାଦର୍‌ ସାମୁଏଲ୍‌ ତା’ ପାଖରେ ଆଣ୍ଠେଇପଡ଼ି ତାକୁ କୋଳେଇନେଲେ । ବୋତାମଟିକୁ ଲଗାଇଲାବେଳେ ତାଙ୍କ କାନ୍ଧ ପଛଆଡ଼ୁ କିସ୍କୋ କହିଲା, ‘‘ୟା’ର ମା’ ନାହିଁ ନା ଫାଦର୍ ! ମା’ ଥିଲେ ନିଶ୍ଚେ ବୋତାମ ଲଗେଇ ଦେଇଥାନ୍ତା ।’’

 

କିସ୍କୋ ହଠାତ୍‌ ଏକୁଟିଆ ବୋଧକଲା । ସମସ୍ତେ ତାକୁ ଚାହିଁରହିଥିବାର ସେ ଅନୁଭବ କଲା । ତାକୁ ଡରମାଡ଼ିବାରୁ ସେ କାନ୍ଦ କାନ୍ଦ ହୋଇଗଲା । ଫାଦର୍‌ ତାକୁ ଆର ବାହୁରେ ବେଢ଼େଇନେଲେ । ଉଭୟଙ୍କ ମୁଣ୍ଡ ଆଉଁସି ଦେଇ ଠିଆହେଲେ । ସବୁ ପିଲାଙ୍କ ମୁଣ୍ଡ ସଲସଲ କରିଦେଲେ । ସମସ୍ତେ ତାଙ୍କୁ ଘେରିଗଲେ ।

 

ପିଲାଏ ଚାହିଁଦେଲେ ବୁଝିଯାନ୍ତି, ଛୁଇଁଦେଲେ ବୁଝିଯାନ୍ତି । ଦେହଟିକୁ ଦେହରେ ଜଡ଼ାଇଦେଲେ ଗୁଡ଼ିଏ ଅବୋଧ ଶବ୍ଦରେ ଖୁସି ପ୍ରକାଶ କରନ୍ତି । ଫାଦର୍‌ ସାମୁଏଲ ତାଙ୍କୁ କିଛି କହିବାର ପ୍ରୟୋଜନ ହେଲାନାହିଁ । ତାଙ୍କ ଥନଥନ ଆଖି, ଲତପତ ମୁହଁ, ସେ ହସ, ସେ ଚାହାଣି, କୋଳେଇ ନେବାର ସେ ଭଙ୍ଗୀ, ତାଙ୍କ ଉଷୁମ ପାପୁଲିର ସ୍ପର୍ଶରେ ଅକୁହା କଥା କୁହା ହୋଇଗଲା । ସମସ୍ତେ ଚାହିଁରହିଥାନ୍ତି । ପୁଷିଟିଏ ତା’ କଅଁଳିଆ ଛୁଆଙ୍କୁ ନେଇଗଲା ଭଳି ପିଲାଗୁଡ଼ିକୁ ସାଙ୍ଗରେ ନେଇ ସେ ସେଇ ଘରେ ପଶିଗଲେ । ପିଲାଙ୍କୁ ସେ ନିର୍ଭୀକ କରିଦେଲେ, ସ୍ୱାଭାବିକ କରିଦେଲେ । ପିଲାଏ ଡେଇଁଲେ, ଧାଇଁଲେ, ପାଟିକଲେ । ଫାଦର୍‌ ସାମୁଏଲ୍‌ କେବଳ ମୁଗ୍‌ଧ ହେଲାଭଳି ହାତ ଛନ୍ଦି ସେମାନଙ୍କୁ ଚାହିଁ ରହିଲେ । ଅନ୍ୟମାନେ ଚାହିଁ ରହିଲେ ତାଙ୍କୁ । ସେ ଦିଶୁଥିଲେ ଲହୁଣିରେ ତିଆରି ବିରଳ ନିର୍ମଳ ପକ୍ଷୀଟିଏ ପରି । ପାଉଲକୁ ବର୍ଷେ ପୂରିଯାଇଥାଏ । ସେ ଠୁକ୍‌ ଠୁକ୍‌ ଚାଲୁଥାଏ । ତାକୁ କିଏ ନରମ୍‌ ରୁମ୍‌ରୁମିଆ ଉଲ୍‌ରେ ତିଆରି କଣ୍ଢେଇଟିଏ ଧରେଇ ଦେଇଥାଏ । ସେ ଆସି ଫାଦର୍‌ ସାମୁଏଲ୍‌ଙ୍କୁ ଆଣ୍ଠୁ ପାଖରେ ସେଇଥିରେ ବାଡ଼େଇଦେଇ କିର୍‌ କିର୍‌ ହେଇ ହସୁଥାଏ ।

 

ଫାଦର୍‌ ସାମୁଏଲ୍‌ ସେତେବେଳେ ବୋଧହୁଏ ବିହ୍ୱଳ ହୋଇ ଠିଆହୋଇଥାନ୍ତି । କେଉଁ ବିଶ୍ୱାସରେ ସେ ଏଡ଼େବଡ଼ ଦାୟିତ୍ୱ ମୁଣ୍ଡେଇନେଲେ ? ସେ ଗୋଡ଼ରେ ଏତେ ବଳ କାହିଁ ଏ ସମସ୍ତଙ୍କୁ ତୋଳିନେଇ ସମ୍ଭାଳିବାକୁ ? ସେ ଏମିତି କିଏ କି ?

 

ସମସ୍ତେ ଅତି ନିଶ୍ଚିନ୍ତ ମନରେ ଫେରିଗଲେ । ଲୋକ ରଖିଗଲେ ସବୁ କଥାକୁ । ବଗିଚାରେ ମାଳୀ, ରୋଷଘରେ ରାନ୍ଧୁଣିଆ, ଲୁଗା ସଫା କରିବାକୁ, ଘର ଝାଡ଼ୁ କରିବାକୁ, ବିଛଣା ପକେଇବାକୁ, ଜାମା ପିନ୍ଧେଇବାକୁ ଲୋକ ରହିଲେ । ହିସାବପତ୍ର ପାଇଁ ଲୋକ ରହିଲେ । ସମସ୍ତେ କେବଳ ଚାହିଁରହିଲେ ସେଇ ଜଣକର ଇଙ୍ଗିତକୁ । ଫାଦର୍‌ ସାମୁଏଲ୍‌ ଯେତେବେଳେ ଯାହା ଇଛାକଲେ ତା କରିବା ସେମାନଙ୍କର ଏକମାତ୍ର କର୍ତ୍ତବ୍ୟ ହୋଇଗଲା ।

 

ଗୋଟିଏ ଗୋଟିଏ ବଖରାରେ ପାଞ୍ଚଟି ଲେଖା ବିଛଣା । ସବା ଶେଷ ବଡ଼ ବଖରାଟିରେ ଛ’ଟି । ଢେର୍‌ ଖୋଲା ଜାଗା; ଖେଳଣା ଆଉ ଫୁଲତୋଡ଼ ସଜାଡ଼ି ରଖିବାକୁ । ସାତଟି ସିଷ୍ଟର୍‌ ସାତଟି ବଖରାର ଦାୟିତ୍ୱ ନେଇଥାନ୍ତି ପିଲାଙ୍କୁ କମ୍ବଳ ଘୋଡ଼େଇଦେଇ ଆସ୍ତେ ଗୀତ ଗାଇ, କାହାଣୀ କହି ଶୁଆଇବା ସେମାନଙ୍କ କାମ । ଫାଦର୍‌ ସାମୁଏଲ ନିଃଶବ୍ଦରେ ଘେରାଏ ନିଶ୍ଚୟ ବୁଲିଆସି ପରେ ଲାଇଟ୍‌ ଲିଭାଇ ନିଆଯାଏ । ସିଷ୍ଟର୍‌ମାନେ ସେମାନଙ୍କ ବଖରାଟିକୁ ଚାଲିଯାନ୍ତି । ଚୁପ୍‌ଚାପ୍‌ ହୋଇଯାଏ ଚାରିଆଡ଼ । ଖୁବ୍‌ ଧୀରେ ତଳକୁ ମୁଣ୍ଡ ପୋତି ଫାଦର୍‌ ସାମୁଏଲ୍‌ ଫାଟକ ପର୍ଯ୍ୟନ୍ତ ଆସନ୍ତି । ଦରବାନ୍‌ ହାତରୁ ଲଣ୍ଠନଟିଏ ଧରି ତାକୁ ଚାହିଁ ହସିଦିଅନ୍ତି । ବିଦାୟ ମାଗି ଏକୁଟିଆ ଯାନ୍ତି ସେ ଅନ୍ଧାର ଭିତରେ ଲୁଚିରହିଥିବା ମୁଣ୍ଡିଆ ଚୂଳର କୁଡ଼ିଆଟିକୁ । ତଳେ ଆଣ୍ଠୁ ମାଡ଼ି ବସି ପ୍ରାର୍ଥନା କରନ୍ତି ନୀରବରେ, ଲୁହରେ । ଲଣ୍ଠନଟିକୁ ଦବେଇ ଦିଅନ୍ତି । କବାଟ ଆଉଜାଇ ଦିଅନ୍ତି । ସେଇ ଦଉଡ଼ିଆ ଖଟଟିରେ ଶୋଇଯାନ୍ତି କ୍ଳାନ୍ତ ପକ୍ଷୀଟିଏ ପରି ।

 

ଫାଦର୍‌ ସାମୁଏଲ୍‌ଙ୍କ ଆଶ୍ରମ । ଫୁଲ ଫୁଟିଲା ପରି, ଫୁଟି ମହକିଲା ପରି ଚାରିଆଡ଼େ ପ୍ରସରିଗଲା ତା’ର ଖ୍ୟାତି । ଅନେକେ ଦେଖିବାକୁ ଆସିଲେ । ଅସଂଖ୍ୟ ଫଟୋ ଉଠିଲା । ଦିନେ ଦଳେ ଲୋକ ଆସି ଜିପ୍‌ ଗାଡ଼ିରେ ପହଞ୍ଚିଲେ । ସେମାନେ କାହା କଥା ନ ଶୁଣି ଏଣେତେଣେ ବୁଲିଲେ । ଜାଣିଶୁଣି ସମସ୍ତଙ୍କୁ ଅବଜ୍ଞା କଲେ, ପାଟିତୁଣ୍ଡ କଲେ । ପିଲାଏ ସେମାନଙ୍କୁ ଦେଖି ଆଉଜିଗଲେ । ତାଙ୍କୁ ଚାହିଁରହିଲେ ଆତଙ୍କରେ ।

 

ଫାଦର୍‌ ସାମୁଏଲ୍‌ ଆସି ସେମାନଙ୍କ ଆଗରେ ଠିଆହୋଇ ବିନୟରେ କହିଲେ–‘‘ଏଇଠି ଛୋଟ ଶିଶୁମାନଙ୍କୁ ପାଳନ କରାଯାଏ । ଆପଣ ଦୟା କରି କହିବେ କି, ଆମେ ଆପଣଙ୍କ କେଉଁ ସେବାରେ ଲାଗିପାରୁ !’’

 

ଜଣେ ସାମ୍‌ନାକୁ ଚାଲିଆସି ତାଙ୍କୁ କଟମଟ କରି ଚାହିଁଲା । କହିଲା, ‘‘ଆପଣ ସେଇ ଫାଦର୍‌ ସାମୁଏଲ୍‌ ? ଆପଣ ତ ଢେର୍‌ ସେବା କରିସାରିଲେଣି-ଆଉ କ’ଣ କରିବେ ? ଗୁଡ଼ାଏ ଜାରଜଙ୍କୁ ନେଇ ଏଠି ଗୋଟେ ନବରଙ୍ଗ ଲାଗୁଛି । କୋଉ ସମ୍ରାଟଙ୍କ ପିଲାଏ ଏମାନେ ଯେ ୟାଙ୍କ ପାଇଁ ଏମିତି ବିଳାସ ଖଞ୍ଜା ହୋଇଚି ଏଠି ! ଅଥଚ ଦରିଦ୍ର ବାପ ମା’ଙ୍କ ପାଖରେ ଥାଇ ହଜାର ହଜାର ଶିଶୁ ଖାଇବାକୁ ନ ପାଇ ମରୁଛନ୍ତି । ସେମାନଙ୍କର ଦୋଷ କ’ଣ ? ସେମାନେ ଅଣବାବୁଆ ହୋଇପାରିଲେ ନାହିଁ-ଏଇଆ ନା ?’’

 

ସେ ନିଆଁଧାସକୁ ଚାହିଁ ପାରୁନଥାନ୍ତି । ଝାଞ୍ଜି ପବନରେ ତାଙ୍କୁ ଆଫା ଆଫା ଲାଗୁଥାଏ-। ତଥାପି ସେ କହିଲେ, ‘‘ଆପଣ ଦୟାକରି ମୋ ସାଥିରେ ଆସିବେ କି ? ଆପଣମାନେ ଆମର ଅତିଥି । ଆପଣଙ୍କ ସେବା ଆମର କର୍ତ୍ତବ୍ୟ ।’’

 

ଆଉ ଜଣେ ସେ ଭିତରୁ ଉହୁଙ୍କି ଆସି କହିଲା, ‘‘ଆରେ ରଖିଥାଅ ତମର ଚାଟୁକାର କଥା, ଆଉ ତମର ସେବା । ସମାଜର ସବୁ ଧନୀ ମିଶି ବ୍ୟଭିଚାର କରିବେ । ତାକୁ ଘୋଡ଼େଇବାକୁ ସେଥିରୁ ଜନ୍ମ ହେଉଥିବା ପିଲାଗୁଡ଼ିଙ୍କୁ ଏଇଠି ଈଶ୍ୱରଙ୍କ ନାଁରେ ପାଳନ କରାଯିବ । ଏଥିରୁ ଗୋଟାଏ ହାତୀପିଲା ପୋଷିବାକୁ ଯେତେ ଖର୍ଚ୍ଚ ହେଉଛି, ଶହେ ଲଙ୍ଗଳା ଭୋକିଲା ପିଲାଙ୍କୁ ବଞ୍ଚେଇହେବ । ସେମାନେ କ’ଣ ତମ ଈଶ୍ୱରଙ୍କ ସନ୍ତାନ ନୁହନ୍ତି ? ତା’ କେମିତି ହେବେ ? ଈଶ୍ୱର ପରା ଲୁଚିବୁଲୁଥିବା ଧନୀ, ବ୍ୟଭିଚାରୀ, ବଦାନ୍ୟ ବଡ଼ଲୋକ ! ବନ୍ଦକର ଏ ଭାଣ୍ଡ କାରଖାନା । ନହେଲେ ଆମେ ଏଇଠି ନିଆଁ ଲଗେଇ ଏ ଚର୍ବିଲଗା ଘୁଷୁରି ପିଲାଙ୍କ ସମେତ ସମସ୍ତଙ୍କୁ ପୋଡ଼ିଦେବୁ ।’’

 

ଫାଦର୍‌ ସାମୁଏଲ୍‌ ମୁହଁ ଘୋଡ଼େଇ କିଛି ସମୟ ଟଳିଲେ ଏବଂ ଗଛ କାଟିଲାପରି ପଡ଼ିଗଲେ । ସେମାନେ ଚାରିଆଡ଼କୁ ଚାହିଁ ନିଆଁ ବର୍ଷିଲାପରି କ’ଣ ଗୁଡ଼ାଏ ବକି ବକି ତାଙ୍କର ଧୂଳି ଆଉ ଧୂଆଁର ଜିପ୍‌ ଗାଡ଼ିଟାକୁ ଘଡ଼୍‌ ଘଡ଼୍‌ ଶବ୍ଦରେ ତଡ଼ିନେଲେ ଜଙ୍ଗଲ ବାଟଦେଇ ।

 

ସମସ୍ତେ ଝପ୍‌ଟି ଆସିଲେ ଫାଦର୍‌ଙ୍କ ପାଖକୁ । ତାଙ୍କୁ ଟେକିନେଲେ ସେଇ ଖାଲିଘର ଭିତରକୁ । ସେଇଠି ଛୋଟ ପିଲାମାନେ କାନ୍ଦିଉଠିଲେ । ସିଷ୍ଟର୍‌ମାନେ ସକ୍‌ସକ୍‌ ହେଲେ । ଆଉ ସବୁ କର୍ମଚାରୀ ଛିଞ୍ଚାବିଞ୍ଚା କଲେ । ଡାକ୍ତରବାବୁ ଦୌଡ଼ି ଆସିଲେ ଖବର ପାଇ ।

 

କିଛି ସମୟ ପରେ ତାଙ୍କର ଚେତା ଫେରିଲା । ସେ ଗୁଳିଚୋଟ ଖାଇଲା ପରି ଥରୁଥାନ୍ତି-। ସିଷ୍ଟରମାନଙ୍କୁ ଠାରିଦେବାରୁ ସେମାନେ ପିଲାଙ୍କୁ ନେଇ ବାହାରିଗଲେ । ସମସ୍ତଙ୍କୁ ଯେ ଯାହାର କାମକୁ ଯିବାକୁ ସେ ଆଖିର ଚାହାଣିରେ ଜଣାଇଦେଲେ । କେବଳ ବାକି ରହିଲେ ଡାକ୍ତରବାବୁ ଆଉ ହିସାବପତ୍ର କରୁଥିବା ସେ ବାବୁ ଜଣକ ।

 

ସେ ଦୁହେଁ ଏକାସ୍ୱରରେ ଫାଦର୍‌ଙ୍କୁ ପଚାରିଲେ, ‘‘ସେମାନେ କିଏ ଆସିଥିଲେ ଫାଦର୍‌-? କାହିଁକି ଆସିଥିଲେ ?’’

 

ଫାଦର୍‌ ସେମାନଙ୍କୁ ଚାହିଁ ଶୁଖିଲା ମୁହଁରେ ଅଳ୍ପ ଟିକିଏ ହସିଦେଲେ-‘‘ମୁଁ କି ଜାଣେ ସେମାନେ କିଏ ? ମୁଁ କି ତାଙ୍କୁ ମୁକାବିଲା କରିବାକୁ ସମର୍ଥ ?’’

 

‘‘ସେମାନେ କ’ଣ ସେମିତି କହୁଥିଲେ ଫାଦର ?’’

 

‘‘ସେମାନେ ଯାହା କହୁଥିଲେ ତାହା ହୁଏତ ଯଥାର୍ଥ; କିନ୍ତୁ ତାଙ୍କର ଅନୁଭବ ଯଥାର୍ଥ ନୁହେଁ । ସେମାନଙ୍କ ଶ୍ରଦ୍ଧା ନାହିଁ, କଥାରେ ନିଷ୍ଠା ନାହିଁ, ସେମାନେ କ’ଣ କହୁଥିଲେ ନିଜେ ବୁଝିପାରୁନଥିଲେ ।’’

 

‘‘ଆମେ କ’ଣ କରିବା ଫାଦର୍‌ ?’’

 

‘‘କିଛି ନାହିଁ–ସେମାନଙ୍କ ପାଇଁ କେବଳ ପ୍ରାର୍ଥନା କରିବା ।’’

 

‘‘ଏଭଳି ଦୁଷ୍ଟଲୋକଙ୍କୁ କ’ଣ କ୍ଷମା ମିଳେ, ଫାଦର୍‌ ? ପ୍ରାର୍ଥନା କଲେ କ’ଣ ସେମାନଙ୍କର କିଛି ଉପକାର ହୁଏ ?’’

 

ଫାଦର୍‌ ସାମୁଏଲ୍‌ ଅଳ୍ପ ନୀରବ ରହି କହିଲା, ‘‘ସେଇଠୁ କ୍ଷମା ନ ପାଇଲା ଭଳି ଅପରାଧ ମଣିଷ କରିପାରେନା । ମଣିଷ ଦୁର୍ବଳ । ମଣିଷ କେବଳ ଅପରାଧ କରିପାରେ । କ୍ଷମାପାଇଁ କେବଳ ପ୍ରାର୍ଥନା କରିପାରେ । ଯାହା ହୁଏ ସେଇ ପ୍ରାର୍ଥନାରେ ହିଁ ହୁଏ ।’’

 

ସେଦିନ ମଧ୍ୟାହ୍ନ-ଭୋଜନ ପୂର୍ବରୁ ସମସ୍ତେ ଅନେକ ସମୟ ନୀରବ ପ୍ରାର୍ଥନା କଲେ । ଫାଦର୍ ସାମୁଏଲ୍‌ ସେ ଖାଲିଘରଟିରେ ଚଟେଇ ଉପରେ ଦିନସାରା ବସି ରହିଥିଲେ ।

 

କିଛିଦିନ ପରେ ହିସାବପତ୍ର କରୁଥିବା ବାବୁ ସଜ ଉଣ୍ଡି ଫାଦର ସାମୁଏଲ୍‌ଙ୍କୁ କହିଲେ, ‘‘ଫାଦର୍‌, ଏବେ ଦୁଇମାସ ହେଲା ପଇସା ଆସୁନାହିଁ । ଯାହା ଥିଲା ସେଥିରେ ଚଳୁଛି । କ’ଣ କରିବା ? ମୁଁ ଚିଠି ଲେଖି ଲେଖି ଉତ୍ତର ପାଉନାହିଁ ।’’

 

ଫାଦର୍‌ କିଛି ସମୟ ତାକୁ ବଲବଲ ଚାହିଁ ଅଳ୍ପ ହସିଦେଲେ । ତାଙ୍କ ଭିତରେ ସେଇ ପଦେ କଥା ଗୁଞ୍ଜରୁଥିଲା, ‘‘ଆମେ ଏମିତି କିଏ କି-ଏ ଦାୟିତ୍ୱ ସମ୍ଭାଳିନେବା ?’’ ସେଇ ବାବୁ ପୁଣି ଦିନେ ଖୁବ୍‌ ଖୁସି ହୋଇ ଫାଦରଙ୍କୁ ଆସି କହିଲେ, ‘‘ଫାଦର, ଉତ୍ତର ଆସିଗଲା । ସାହାଯ୍ୟ ଆସି ପହଞ୍ଚିବ । ଆମେ ନଭେମ୍ବର ଶେଷଯାଏଁ ଚଳିଯିବା । ତେଣିକି କ’ଣ ହେବ ?’’ ଫାଦର ପୁଣି ତାକୁ ଚାହିଁ ସେମିତି ହସିଦେଲେ ।

 

ଏମିତି ଏମିତି ଚାଲିଥାଏ । ପିଲାଏ କ୍ଷୀର ଖାଆନ୍ତି, ଫଳ ଖାଆନ୍ତି । ଦିନ ଗୋଟାଏ ବେଳେ, ରାତି ଆଠଟା ବେଳେ ଏକାଠି ବସି ଭାତ ଖାଆନ୍ତି । ତାଙ୍କର ପିନ୍ଧିବା ଊଣା ହୁଏନାହିଁ । ଘୋଡ଼େଇ ହେବା ଊଣା ହୁଏନାହିଁ । ସେମାନଙ୍କର ଯତ୍ନ ନିଆହେଉଥାଏ ଦିନରାତି । ତଥାପି ଫାଦର୍‌ ସାମୁଏଲ୍‌ କହନ୍ତି ଯେ ସେମାନେ ଯେଉଁଥିରୁ ବଞ୍ଚିତ ହୋଇଛନ୍ତି ତାଙ୍କୁ ତାହା କେହି ଦେଇପାରିବେ ନାହିଁ । ସେଥିପାଇଁ ଗାଁର ପାଞ୍ଚଟି ପିଲାଙ୍କୁ ସେ ରାତିରେ ତାଙ୍କ ମା’ମାନଙ୍କ ପାଖରେ ଶୋଇବାକୁ ଛାଡ଼ିଦିଅନ୍ତି । ସେ ମା’ମାନଙ୍କୁ ଆଶ୍ରମ ତରଫରୁ ଅନେକ ସୁବିଧା କରିଦେଇଛନ୍ତି । ସେମାନେ ଆସି ଅନ୍ୟ ପିଲାଙ୍କୁ ମଧ୍ୟ ସ୍ନେହକରି କୋଳେଇ ନିଅନ୍ତି ।

 

ବଡ଼ଦିନ ପାଖେଇ ଆସିଲା । ଡିସେମ୍ବର ମାସର ଦିନ ପରେ ଦିନ ବିତି ଚାଲିଲା । ପିଲାଙ୍କ ପାଇଁ ନୂଆ ଜାମା ହୋଇପାରୁନଥାଏ । ତେଣେ ପ୍ରତିଦିନ ଚଳିବା ଆଉ ସମ୍ଭବ ହେଉନଥାଏ । ଆଗରୁ ପିଲାଙ୍କ ଅନୁଭବକୁ ନଆସିଲା ଭଳି ସାମାନ୍ୟ କାଟିରଖି ଯାହା ବଳକା ବାହାର କରିଥିଲେ, ସେଥିରେ ପନ୍ଦର ଦିନ ଯାଏ କୌଣସି ମତେ ହୁଏତ ଚଳିଯାଇପାରେ ।

 

ୟା’ ଭିତରେ ଦିନେ ପିଲାଙ୍କପାଇଁ ନୂଆ ଜାମା ଥାକେ ଧରି ଫାଦର୍‌-ସାମୁଏଲ୍‌ ଆସି ପହଞ୍ଚିଲେ । ତାକୁ ବଡ଼ଦିନ ଯାଏଁ ଲୁଚେଇ ରଖିବା କଥା । ସମସ୍ତେ ବିସ୍ମିତ ହେଲେ-କେମିତି ଆସିଲା ? ଫାଦର୍‌ କେଉଁଠୁ ଆଣିଲେ ? ଟିକିଏ ବୁଝିବାରୁ ଜଣାଗଲା ଯେ ଫାଦର୍‌ ପୋଷ୍ଟଅଫିସ ଜମା ଖାତାରୁ ତାଙ୍କର ସବୁ ପଇସା ଉଠେଇଆଣିଛନ୍ତି ।

 

ତିନି ଚାରି ଦିନ ଧରି ସବୁ କର୍ମଚାରୀ ଓଳିଏ ଖାଇବା କାଟିଦେଇଛନ୍ତି–ପିଲାଙ୍କର ନଅଣ୍ଟ ନ ହେଉ । ଫାଦର୍‌ ସାମୁଏଲ୍‌ ଦିନଭିତରେ ଅନେକଥର ଟଳିଲା ପରି ସେଇ ଖାଲି ଘରଟିକୁ ପଶିଯାଉଥାନ୍ତି । ପକ୍ଷୀପରି ନିର୍ମଳ ଦୁର୍ବଳ ମଣିଷଟିଏ । ଅନ୍ୟମାନଙ୍କ ଆଖି ଜକେଇଯାଇଛି । ପଡ଼ିଆରେ ଖେଳୁଥିବା ପିଲାଙ୍କୁ କେହି ଚାହିଁପାରୁ ନାହାନ୍ତି । ସେ ନିରାଡ଼ମ୍ବର ଅଗାଧ ବିଶ୍ୱାସକୁ ଚାହିଁପାରୁନାହାନ୍ତି ।

 

ବାଇଶ ତାରିଖଦିନ ସକାଳୁ ଫାଦର୍‌ ସାମୁଏଲ୍‌ ପିଲାଙ୍କ କଥା ବୁଝିଦେଇ ବାହାରିଗଲେ ପାଖ ସହରକୁ । ଫେରିଲାବେଳକୁ ପିଲାଏ ଖାଇପିଇ ବିଶ୍ରାମ ନେଇଥାନ୍ତି । ଫାଦର୍‌ଙ୍କୁ ଦେଖି ଅନ୍ୟମାନେ ସମସ୍ତେ ପାଖେଇଆସିଲେ । ତଳକୁ ମୁଣ୍ଡ ପୋତି ସେ ବାବୁ ଜଣକ କହିଲେ, ‘‘ଫାଦର୍‌, ଏ ଓଳି ସବୁ ଝାଡ଼ିଝୁଡ଼ି ରନ୍ଧା ହୋଇଗଲା । ଉପର ଓଳିକୁ କିଛି ନାହିଁ । ପଇସାଟିଏ ନାହିଁ ବଜାର ସଉଦା ଆଣିବାକୁ ।’’

 

ଫାଦର୍‌ କିଛି ନକହି ତାଙ୍କ ହାତକୁ ଥାକେ ନୋଟ ବଢ଼େଇଦେଲେ । ଟିକିଏ ହସିଦେଇ ପଛକୁ ନ ଚାହିଁ ସେଇ ଘରଟିରେ ପଶିଗଲେ । ବାବୁ ହିସାବ କରି କହିଲେ ଯେ ଦୁଇଦିନ କୌଣସି ମତେ ଚଳିଯିବ-ବଡ଼ଦିନ ରାତିକୁ କିନ୍ତୁ କିଛି ରହିବନାହିଁ ।

 

ତଥାପି ଏତେଗୁଡ଼ାଏ ପଇସା ଫାଦର୍‌ ପାଇଲେ କେଉଁଠୁ ? ....ଡ୍ରାଇଭର ଆସି ଚୁପ୍‌ଚୁପ୍‌ କହିଲା ଯେ, ତାଙ୍କର ମାଟିଘର ଏବଂ ବାଡ଼ି ସେ ଜଣେ ଧନୀଲୋକଙ୍କୁ ବିକ୍ରି କରିଦେଲେ ।

କାଗଜର ନୋଟଗୁଡ଼ିକ ସେ ବାବୁଙ୍କ ହାତରେ ମହଣ ଭାରି ହେଲା । ହାତ ନଇଁଗଲା । ମୁଣ୍ଡ ନଇଁଗଲା । କେହି ମୁହଁ ଟେକି ଚାହିଁପାରୁନଥିଲେ ।

କଥାବାର୍ତ୍ତାରେ ଫାଦର୍‌ ସାମୁଏଲ୍‌ ସାମାନ୍ୟ ଅନ୍ୟମନସ୍କ ରହୁଥିବାର ସମସ୍ତେ ଲକ୍ଷ୍ୟକଲେ । ପିଲାଙ୍କ ସାଙ୍ଗରେ କିନ୍ତୁ ସେଇ ଆଗଭଳି ନରମ ହସ, କଥା, ସ୍ନେହ ଏବଂ କୋଳାକୋଳି ।

ସେଦିନ ସକାଳୁ ପିଲାଏ ଖରାରେ ଖେଳୁଥାନ୍ତି । ଫାଦର ତାଙ୍କ ମଝିରେ ଠିଆହୋଇ ରହିଥାନ୍ତି । ପିଲାଟିଏ ଆସି ତାଙ୍କ ଦେହରେ ଲଟେଇ ହେଉଥାଏ । ପୋଷ୍ଟମାନ୍‌ ବାହାରୁ ପଶିଆସିଲା । ନମସ୍କାର ଜଣାଇ ଖଣ୍ଡିଏ ଚିଠି ବଢ଼େଇଦେଲା-ସହରରେ ସେଦିନ ରାତିରେ ଭୋଜି ନିମନ୍ତ୍ରଣ । କେହି ଜଣେ ଭାରି ବିଶିଷ୍ଟ ଲୋକ ଆସୁଥିବାରୁ ଆୟୋଜନ ହୋଇଛି । ବଛା ବଛା ଲୋକଙ୍କୁ ନିମନ୍ତ୍ରଣ ହୋଇଛି ।

ପିଲାମାନେ ତାଙ୍କ ହାତରୁ ନେଇ ନିମନ୍ତ୍ରଣ ପତ୍ରଟିକୁ ଦେଖିଲେ । ପଢ଼ୁଆ ପିଲାଏ ଅକ୍ଷର ଚିହ୍ନିଲେ । ପାଉଲ୍‌ ଆସି ଫାଦର୍‌ଙ୍କ ପାଖରେ ବସିଥିଲାବେଳେ ତାଙ୍କ ବେକକୁ କୁଣ୍ଢେଇ ଗାଲ ଆଉଁସିଦେଲା ।

ପିଲାଟିଏ କହିଲା, ‘‘ଫାଦର୍‌, ତୁମେ ଚାଲିଗଲେ ଆମ ଭୋଜିରେ କିଏ ବସିବ ? –ଆମେ ତମ ସାଙ୍ଗେ ଭୋଜିଖାଇଯିବୁ ।’’

ଆଜି ରାତି ଫାଦର୍‌ ସାମୁଏଲ୍‌ଙ୍କ ଶେଷରାତି । ଆଜି ଆଶ୍ରମରେ ପ୍ରଥମ ଉପବାସର ରାତି । ପିଲାଟିର ଗାଲ ଟିପିଦେଇ ଫାଦର୍‌ ତା’ ଆଖିକୁ ଅଦ୍ଭୁତ ଢଙ୍ଗରେ ଚାହିଁଲେ ।

ସବୁ ବଡ଼ମଣିଷମାନଙ୍କୁ ସେ ଦିନସାରା ଖୁସିହେବାକୁ କହୁଥାନ୍ତି । ସମସ୍ତଙ୍କ ମୁହଁକୁ ଚାହିଁ ଦେଇ ହସିବାକୁ କହୁଥାନ୍ତି । ସମସ୍ତେ କିନ୍ତୁ ସାଙ୍କୁଡ଼ି ଯାଉଥାନ୍ତି । ସେଦିନ ଶୀତ-ନାହିଁ ନଥିବା ଶୀତ-!

ସନ୍ଧ୍ୟା ହୋଇଗଲା । ପିଲାଏ ବଡ଼ପାଟିରେ ପ୍ରାର୍ଥନା ବୋଲିଲେ-‘‘ହେ ପରମପିତା ! ତୁମେ ଆମର ଏକମାତ୍ର ଆଶ୍ରୟ । ତୁମେ ଆମର ରକ୍ଷକ ।’’ ପିଲାଙ୍କ ତୁଣ୍ଡରେ ଅତି ଅଦ୍ଭୁତ ଶୁଭିଲା ସେ ଦିନର ସେ ପ୍ରାର୍ଥନା ।

ସାତଟା ତିରିଶ୍‌ । ସିଷ୍ଟର୍‌ମାନେ ଇତସ୍ତତଃ ହେଲେ । ପିଲାଙ୍କୁ ଖାଇବା ଘରକୁ ନେବାକୁ ସଫାସୁତୁରା କରାଇବା କଥା । କ’ଣ କରିବେ ? ଆଜି ତ ଗୋଟିଏ ଦାନା ବି ଖାଇବାକୁ ନାହିଁ । ସେମାନଙ୍କ ଆଖିରେ ଲୁହ । ଫାଦର୍‌ ସାମୁଏଲ୍‌ ସବୁଦିନ ପରି ପିଣ୍ଡାରେ ଚୌକି ପକେଇ ବସିଥାନ୍ତି-। ସେମାନେ ଫାଦର୍‌ଙ୍କୁ ଚାହିଁଦେଇ ନିଜ କାମରେ ବାହାରିଗଲେ । ରୋଷେଇଆ ତା’ ପୋଷାକ ପିନ୍ଧି ଟେବୁଲ ସଜେଇଦେଲା । ଧାଡ଼ି ଧାଡ଼ି ପ୍ଳେଟ ଥୋଇଦେଲା । ତା ଆଖିରେ ଲୁହ । ପିଲାଙ୍କୁ ଦେବାକୁ ତା ପାଖରେ ଚାମୁଚେ ବି ଖାଦ୍ୟ ନଥିଲା ।

ଫାଦର୍‌ଙ୍କ ଆଗରେ ଆସି ସେ ବାବୁ ଜଣକ ଠିଆହେଲେ । ଡାକ୍ତରବାବୁ ଟୋକାଲୋକ-। ସେ ଆସି ଠିଆହେଲେ । ଆଗରେ ଅବୋଧ ଶିଶୁଗୁଡ଼ିକ ଟେବୁଲ୍‌ ଚାରିଆଡ଼େ ଘେରି ବସିଯିବେ ଅଗାଧ ବିଶ୍ୱାସରେ.....ତା’ପରେ କ’ଣ ହେବ ? ଏଭଳି ନିଷ୍ଠୁର ପରିହାସ ପାଇଁ କ’ଣ ସେମାନେ ଯୋଗ୍ୟ ?

ସେମାନଙ୍କ ମୁହଁରୁ ରକ୍ତ ଓହ୍ଲେଇ ଯାଇଥାଏ । ଓଠ ଶୁଖିଯାଇଥାଏ । ସେମାନେ ଘଣ୍ଟା ଦେଖି ଲାଗିଥାନ୍ତି । ଆଠଟାକୁ ପାଞ୍ଚ ମିନିଟ୍‌ । ସମ୍ଭାଳି ନପାରି ଜଣେ ପଚାରିଲା-ଫାଦର୍‌, କ’ଣ କରିବା ?

ଫାଦର୍‌ ସାମୁଏଲ୍‌ଙ୍କ ସ୍ୱରରେ କୌଣସି କମ୍ପନ ନଥିଲା । ‘‘ଯାହା କରି ଆସିଚେ ତା’ କରିବା !’’ ତାଙ୍କ ମୁହଁରେ ଅଦ୍ଭୁତ ରେଖାଏ ହସ । ଗତ ଦୁଇ ଦିନର ମେଘ ସଂପୂର୍ଣ୍ଣ ଓହ୍ଲେଇଯାଇଥାଏ । ତାଙ୍କ ମୁହଁ ଦିଶୁଥାଏ ଛୋଟ ପିଲା ମୁହଁଟିଏ ପରି ।

ଫାଦର୍‌ ଉଠିଲେ ଖାଇବାଘର ଆଡ଼େ ଯିବାପାଇଁ । ଅନ୍ୟମାନେ ବିସ୍ମିତ ଯନ୍ତ୍ରଗୁଡ଼ିଏ, ତାଙ୍କ ପଛେ ପଛେ ଚାଲିଲେ । ପିଲାଏ ଭିତରେ ବସିସାରିଥିଲେ । କଲ୍‌ର କଲର୍‌ ହେଉଥିଲେ । ଜଣେ ପାଟିକରି ପଚାରୁଥିଲା, ‘‘ସିଷ୍ଟର, ଆଜି ଆମର ଭୋଜି ହେବନା–ଫାଦର୍‌ କହୁଥିଲେ !!’’

ସମସ୍ତଙ୍କ ଦେହ ଶୀତେଇଗଲା । ଗୋଡ଼ ଝିମିଖାଇଗଲା । ଗେଟ୍‌ ପାଖରେ ଗୋଟାଏ ବଡ଼ ଗାଡ଼ିର ଆଲୁଅ ପଡ଼ିଲା । ଗାଡ଼ି ପଶିଆସିଲା ଭିତରକୁ । ଜଣେ ଭଦ୍ରଲୋକ ଓହ୍ଲେଇପଡ଼ି ସିଧା ଫାଦର୍‌ ସାମୁଏଲ୍‌ଙ୍କ ପାଖରେ ନଇଁପଡ଼ି ସମ୍ମାନ ଜଣାଇଲେ ।

‘‘ଫାଦର୍‌, ଆମକୁ କ୍ଷମାକରନ୍ତୁ ! ଆମର ଯେଉଁ ଭୋଜିପାଇଁ ଆପଣଙ୍କୁ ନିମନ୍ତ୍ରଣ ହୋଇଥିଲା ତା’ ହୋଇପାରିଲା ନାହିଁ । ଆମର ଅତିଥି ଆସିଲେ ନାହିଁ । ପଚାଶଜଣଙ୍କ ପାଇଁ ପ୍ରସ୍ତୁତ ସମଗ୍ର ଭୋଜିଟିକୁ ସେମାନେ ମୋ ହାତରେ ଏଠିକି ପଠାଇଦେଇଛନ୍ତି । ଆପଣ ଗ୍ରହଣ କରି ପାରିଲେ ଆମେ ନିଜକୁ କୃତାର୍ଥ ମଣିବୁ ।’’

ଫାଦର୍‌ ସେହିଭଳି ଠିଆହୋଇ ରହିଥାନ୍ତି । ସମସ୍ତେ ସ୍ତବ୍‌ଧ । ତା’ପରେ ଠିକ୍‌ ଆଠଟାରେ ଭୋଜି ଟେବୁଲ ଉପରକୁ ଚାଲିଆସିଲା । ଖାଇବା ପୂର୍ବରୁ ଫାଦର୍‌ ସାମୁଏଲ୍‌ ପ୍ରାର୍ଥନାକଲେ, ‘‘ହେ ପରମପିତା ! ତୁମେ ହିଁ ଆମର ଏକମାତ୍ର ଆଶ୍ରୟ ! ତୁମେ ହିଁ ଆମର ଏକମାତ୍ର ରକ୍ଷକ !’’

ପିଲାଏ ସକାଳର ପକ୍ଷୀପରି କଳରବ କରିଉଠିଲେ । ଭୋଜିର ତୁଳନା ନାହିଁ । ବଡ଼ମଣିଷଙ୍କ କାହାରି ଆଖିରେ ଲୁହ ବାଧା ମାନୁ ନଥାଏ । ଏତିକିବେଳେ ପୋଷ୍ଟମ୍ୟାନ୍‌ ଟେଲିଗ୍ରାମ୍‌ଟିଏ ଆଣି ଫାଦର୍‌ଙ୍କ ହାତକୁ ବଢ଼ାଇଦେଲା । ସେ ଆସ୍ତେ ଉଠି ସେଇଟିକୁ ବାବୁଙ୍କୁ ଧରାଇଦେଇ ବାହାରକୁ ଚାଲିଗଲେ ।

ବଡ଼ମଣିଷମାନେ ଏକାଠି ରୁଣ୍ଡହୋଇ ସେ ଟେଲିଗ୍ରାମ୍‌ଟିକୁ ପଢ଼ିଲେ । ସେଥିରେ ଲେଖାଥିଲା, ‘‘ତାର ଯୋଗେ ଆପଣଙ୍କ ସଂସ୍ଥା ହିସାବକୁ ଲକ୍ଷେ ଟଙ୍କା ଜମା ଦିଆଗଲା । –ସେଇ ପୁରୁଣା ବନ୍ଧୁ-’’

....ଏ ଦାୟିତ୍ୱ ମୁଣ୍ଡେଇବାକୁ ଏ ଦୁର୍ବଳ ଗୋଡ଼ରେ କ’ଣ ବଳ ଅଛି ? ଆମେ ଏମିତି କିଏ କି ?

Image

 

ସବା ସାନଝିଅ

 

ଧୁତ୍‌ ! ମୁଁ ଏବେ ଏଇଠି ବସି ଗୁଡ଼େ କାନ୍ଦନ୍ତି ନା’ କ’ଣ ? ଏ ଘରଟା ତ ସବୁଦିନେ ଏମିତି ନିଛାଟିଆ ଥିଲା । ଏମିତି ଦିନ ଦି’ଟା ପର୍ଯ୍ୟନ୍ତ ସକାଳର ଅଇଁଠା ପ୍ଳେଟ ଟେବୁଲ ଉପରେ ପଡ଼ିରହୁଥିଲା । ଏମିତି ଶୋଇବାଘର ପରଦାର ବାଁକାନିଟାକୁ ସବୁଦିନ ହାତ ପୋଛି ପୋଛି ମୁଁ ମଇଳା କରିଥିଲି । ଏମିତି ଶେଯ ଉପରେ ଗୋଟାଏ ପଟେ ପେଣ୍ଟ ସାର୍ଟ, ଅନ୍ୟ ପଟେ ଟାଓ୍ୱେଲ ଫିଙ୍ଗା ହୋଇ ପଡ଼ୁଥିଲା ।

 

-ହଁ, ମାନୁଚି ଯେ ଆର ବଖରାରେ ଯାହା ଥିଲା ତା’ ଆଜି ନାହିଁ । ନ ରହିବା କଥା । ....ଏଇ ଚାରିପାଞ୍ଚ ମାସ ଧରି ସେ ବଖରା ସାରା ଓଦା ଓଦା ଲାଗୁଥିଲା । ଡେଟଲ ଫିନାଇଲ ଗନ୍ଧ ଭରିରହିଥିଲା । ସେଇଟା ଆଜି ଆଉ ନାହିଁ । ସେ ବେଲୁରି ଖଟ, ସେ ପାତଳ ବିଛଣା, ସେ ଛୋଟ ଟେବୁଲ, କମୋଡ଼ ସବୁ କ’ଣ ହବ ଆଉ !

 

ଆଚ୍ଛା, ଏ ସିଗାର ଖଣ୍ଡକ ବି ଓଦା ହୋଇଯାଇଚି । କେମିତି ଓଦା ହେଲା ? –ହାଁ....ହାଁ, ସେ ମଝିରେ ଟିକିଏ ଝିପ୍‌ଝିପ୍‌ ବର୍ଷା ହେଇଗଲା । ତ ! ସେଇଠି ଖଣ୍ଡେ ଟାଣିବାକୁ ଖୁବ୍‌ ମନ ହଉଥିଲା । ସେ ମଢ଼ିଆ ବ୍ରାହ୍ମଣ ଜମା ରାଜି ହେଲା ନାହିଁ–କହିଲା କ’ଣ ନା, ମଶାଣିରେ ସିଗ୍ରେଟ ପିଆଯାଏ ନାହିଁ । ରାସ୍କେଲଟା କ’ଣ ଜାଣେ ? ତୁଚ୍ଛାଟାରେ ଅଗଡ଼ମ ବଗଡ଼ମ ବକୁଥାଏ-ଏଇଟା ସିଧା ହେଇଗଲା–ସେଇଟା ବଙ୍କା ହେଇଗଲା-କାଠଗଡ଼ି ସବୁ ଉତ୍ତର ଦକ୍ଷିଣ କରି ସଜାଅ-ଘିଅଘଡ଼ି ଏଇଠି ରଖ-କନା ଡାଙ୍ଗ ସଜିଲ କରି ରଖ । ଇଡ଼ିଅଟ୍‌ ! ସେ ଦେହଟିକୁ କେମିତି ଥୋଇଲେ ସୁବିଧା ହେବ, କେମିତି ଟିକିଏ ବଙ୍କା କରି ଘୁଞ୍ଚେଇଲେ କାଠଗୋବ ପେଟପାଖରେ ରହିବ ନାହିଁ, ଏଇଟା କ’ଣ ସେ ମୋ’ଠୁ ବେଶି ବୁଝେ ? ସେ କ’ଣ ତା’ ସାଥିରେ ତେପନ ବର୍ଷ ବଞ୍ଚିଛି !

 

ବାହାରଘର ବେତ ଚୌକିରେ ବସି ହାତରେ ଖଣ୍ଡେ ବହି ଧରି ଏଭଳି ସିଗାର୍‌ ଟାଣିବା ଛଡ଼ା ବର୍ତ୍ତମାନ ଆଉ କ’ଣ କରାଯାଇପାରେ ? ତା’ ସମୟରେ ସେ ଚାକରାଣୀ ଆସି ବାସନ ଦି’ଖଣ୍ଡ ମାଜିଦେଇଯିବ । ଆଜି ଅବଶ୍ୟ ଟିକିଏ ଅଲଗା । ସେ ପାଖ ବଖରାକୁ ପଶି ଝାଡ଼ୁ କରିପାରେ । ଆଜି କିଛି ମନେ ନାହିଁ ମୁଁ ତାକୁ ମନା କରିଥିଲି ତ; କାରଣ ମୋତେ ସେ କାମ କରିବାକୁ ହୋଇଥିଲା । ଆଉ କିଏ ଥିଲା ଏ ସଂସାରରେ ଯେ ସେଥିପାଇଁ ଅଧିକାର ପାଇଥିଲା ! ଛ’ମାସ ତାକୁ ହଗେଇବା, ମୂତେଇବା, ଛଞ୍ଚେଇବା, ଲୁଗା ବଦଳେଇବା କାମ ନିଜ ହାତରେ କରି କରି ମୋର କିଛି ସ୍ୱାସ୍ଥ୍ୟହାନି ବୋଧହୁଏ ହୋଇଗଲା । ସେଇଟାର ଅବଶ୍ୟ କିଛି ମାନେ ନାହିଁ । ଖାଇବା ତ ସେଇ ପୁରୁଣା ଅଭ୍ୟାସରେ ଚାଲିଥାଏ । ମୁଁ ତାକୁ ଷ୍ଟୋଭ୍‌ରେ ଉପମା ଟିକିଏ କରି ପ୍ରଥମ ଦିନ ଦେଲାବେଳେ ସେ ଏମିତି କାନ୍ଦୁଥିଲା କାହିଁକି ? ମାଇକିନିଆଗୁଡାକ ବୋଧହୁଏ ସମସ୍ତେ ଏମିତି ! ନାଇଁ, ବୋଧହୁଏ ମା’ଗୁଡାକ ହିଁ ସେମିତି । ମୁଁ ତାକୁ କେତେ ବୁଝେଇଲି । ମୁଣ୍ଡବାଳ ସାଉଁଳିଦେଲି । ସେ ହାଡ଼ ଗୁଜୁଗୁଜୁ ବୁକୁ ଆଉଁସିଦେଲି । ସେ ତ କଥା କହିପାରୁ ନ ଥାଏ-। ଡାଙ୍ଗ ପରି ତା ବାଁ ହାତରେ ମୋତେ ସାଉଁଳି ଦେଇ କାନ୍ଦୁଥାଏ ଅଜସ୍ର । ସତରେ ହିନକପାଳୀଟା-! ମୋ’ଭଳି ଗୋଟାଏ ପୁଅ ଜନ୍ମ କରି ତା’ର କ’ଣ ଆଉ ଭାଗ୍ୟ ବଦଳିଥାନ୍ତା ! ସେମିତି କାନ୍ଦିଲେ ଭଲା କିଛି ଆଉ ଶୁଧୁରିବାର ଥିଲା ? କିନ୍ତୁ ସେ କାନ୍ଦିବ । ସେ ଜୀବନସାରା ସେମିତି କାନ୍ଦିଆସିଛି । ନିହାତି ବୋକୀଟାଏ ।

 

ସଞ୍ଜବେଳେ ଟିକିଏ ନ ପିଇଲେ ତ ମୁଁ ଚଳିପାରିବି ନାହିଁ, ବିନାକାରଣରେ ଚିଡ଼୍‌ ଚିଡ଼୍‌ ହେବି, ମିଜାଜ୍‌ ବିଗିଡ଼ିଯିବ । ବେଳେବେଳେ ମୁଁ ଗୁଡ଼ାଏ ରୁକ୍ଷ ମଧ୍ୟ ହେଇଯିବାର ମନେଅଛି । ମା’କୁ ପ୍ରଥମେ ଲୁଚେଇ ଲୁଚେଇ ପିଉଥିଲି । ସେ କିନ୍ତୁ ଉଡ଼ିଗଲା ଚଢ଼େଇର ପର ଗଣିଦେବା ଲୋକ । ସେ ଢେର୍‌ ଦିନ ଆଗରୁ ଜାଣିସାରିଥିଲା । ବାପା ମରିବାର କିଛି ଦିନ ପରେ ମୋତେ ତାଙ୍କ ବଡ଼ଥାଳିରେ ଭାତ ବାଢ଼ିଦେଇ ପାଖରେ ପଙ୍ଖା ନେଇ ବସିଲା । ଧଳାଶାଢ଼ି କ’ଣ ତା’ଆଗରୁ ସେ ପିନ୍ଧୁ ନ ଥିଲା କି ? ପିନ୍ଧୁଥିଲା । କୁମ୍ଭପକା ସେ କ୍ଷୀରୋଦ୍ରପାଟ ଖଣ୍ଡ ତାକୁ ବଢ଼ିଆ ମାନୁଥିଲା । କିନ୍ତୁ ଧଡ଼ି ନ ଥିବା ଧଳାକସ୍ତାରେ ସେ ଭାରି ହୀନମାନ ଦେଖାଯାଉଥିଲା । ....ବାପାଙ୍କ ବଡ଼ ଗିନାରେ ଡାଲି ବଢ଼ା ହୋଇଥାଏ । ମୁଁ ଖାଇଲାବେଳେ, ମନେଅଛି, କେମିତି କେମିତି ଲାଗୁଥାଏ । ଘରେ ଯେ ବଡ଼ମୁଣ୍ଡି । ସେ ହିଁ ସେ ପିଢ଼ାରେ ବସି ସେ ଥାଳିରୁ ଖାଇପାରେ । ମାନୁଛି, ମୋତେ ଖୁବ୍‌ ମାଡ଼ିପଡ଼ିଲାପରି ଲାଗିଲା । କିନ୍ତୁ ଅଦ୍ଭୁଦ ଭାବରେ ଖୁସି ବି ଲାଗିଲା । ମୁଁ କ’ଣ ସତକୁ ସତ ମୋ ଅବଚେତନାରେ ମୋ ବାପାଙ୍କ ମୃତ୍ୟୁ କାମନା କରୁଥିଲି ? ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ହୋଇ ତାଙ୍କର ପରାଜୟ କାମନା କରୁଥିଲି ? .....ବୋଉ ନୀରବରେ ପଙ୍ଖା କରୁଥିଲା ଏବଂ ସେଇଭଳି ନୀରବରେ କାନ୍ଦୁଥିଲା ।

 

ବାପାଙ୍କୁ ମୁଁ ଅନେକ କଥାରେ ଅମାନ୍ୟ କରିଥିଲି । ସେ କାହିଁକି ନିହାତି ଛୋଟ ଛୋଟ କଥାରେ ବଢ଼ନ୍ତା ପୁଅର ବିରୋଧ କରୁଥିଲେ, ସେଥିପାଇଁ ମୁଁ ଦୁଃଖିତ ହେଉଥିଲି । ବାପା ସେତେବେଳେ ନିହାତି ପିଲାଳିଆ ଜଣାଯାଉଥିଲେ । ମୁଁ ତାଙ୍କୁ ଭଲପାଉଥିଲି; କିନ୍ତୁ ଟିକିଏ ଦୟା ବି କରୁଥିଲି । ଆହା ବିଚାରା, ସେ ଜମା ଜାଣିପାରୁ ନ ଥିଲେ ଯେ ଅନ୍ୟ ବାପ ଭଳି ସେ ମଧ୍ୟ ମୋତେ ସଦାବେଳେ ତାଙ୍କର ବଚସ୍କର ହେବାକୁ ଚାହୁଁଥିଲେ । ମୁଁ ଏମ୍‌. ଏ. ପାଶ୍‌ କରିବା ଆଗରୁ ମୋତେ ଆଣି ଗୁଡ଼ିଏ ଝିଅଙ୍କ ଫଟୋ ଦେଖେଇଲେ । ମୁଁ ଖେଁ ଖେଁ ମାରି ହସିଥିଲି । ସିଧା ଜବାବ ଦେଇଥିଲି ଯେ ମୁଁ ବିଭା ହେବିନାହିଁ । ସେ ଘାବରେଇ ଗଲେ; ଖୁବ୍‌ ଦବିଗଲେ...ଅନେକ ଆହତ ହେଲେ ।

 

ଉଲ୍ଲୁ ! ମୁଁ ଭଲା କାହିଁକି ବିଭା ହେଇଥାନ୍ତି ? ମୋର ସେସବୁ ସମ୍ଭାଳିବାକୁ ବେଳ ହିଁ ନ ଥିଲା–ଏବେ ବି ନାହିଁ । ମୁଁ ଟିକିଏ ନିଶାପ୍ରିୟ । ବାପା ବି ପିଉଥିଲେ, ମୁଁ ଜାଣେ । ମୋର କିନ୍ତୁ ଦୁଇଟି ନିଶା । ସେଥିରେ ମୋର ସବୁ ଉପାର୍ଜନ ସରିଯାଏ ତ ! ମୁଁ ଆଉ ଜଣକୁ ନେଇ କେମିତି ସମ୍ଭାଳିଥାନ୍ତି ? ହେଇ, ଏ ମାସ ବହି ବାବଦକୁ ନଅଶହ ଟଙ୍କା ପଡ଼ିଗଲା । ଏ ଦରିଦ୍ର ଦେଶରେ ବିଅର ବୋତଲଟା ବେଳେବେଳେ କୋଡ଼ିଏ ଟଙ୍କା ହୋଇଯାଏ । ତଥାପି ନ ପିଇଲେ କ’ଣ ମୁଁ ବଞ୍ଚିପାରିବି, ନା ନପଢ଼ିଲେ ବଞ୍ଚିପାରିବି ? ....ଆଉ ବାକୀ ସେ ଯେଉଁ କଥା-ସେଇଟା ଏବକୁ ଭାରି ପିଲାଳିଆ ବୋଧହେଲାଣି । ମିସେସ୍‌ ଦାସ୍‌, ମିସେସ୍‌ ମାଲହୋତ୍ରା ଏବେ ବି ନିମନ୍ତ୍ରଣ କରନ୍ତି । ବେଳେବଳେ ଯାଏ । ସବୁ ଆଗଭଳି ହୁଏ; କିନ୍ତୁ ଅଭ୍ୟାସ ମେଣ୍ଟେଇଲା ପରି ଲାଗେ । ଶେଷରେ ଖୁବ୍‌ ସତ ପରି ଲାଗେ ସଫେନହଅର୍‌ ।

 

ଶେଷକୁ ମୁଁ ବିଭାହେଲିନାହିଁ, ମାନେ ହୋଇପାରିଲି ନାହିଁ-ହେବାର ପ୍ରୟୋଜନ ନ ଥିଲା-। ବାପା ମୋର ଅନୁପସ୍ଥିତିରେ ହିଁ ମରିଗଲେ । ମୁଁ ଖବର ପାଇ ଆସିଲି । ବାର ତେରଦିନ ଯାଏଁ ବହୁତଗୁଡ଼ାଏ ଲୋକ ମିଶି ଭୋଜିଭାତ କଲେ । ମଝିରେ ମଝିରେ ବିଧିରକ୍ଷା କଲାପରି ଜଣେ ଜଣେ କିମ୍ବା କେଇଜଣ ଏକାଠି ମିଶି କିଛି କାନ୍ଦିଲେ । ମା’କୁ ବେଢ଼ି ବାରଆଡ଼ କଥା ଗପିଲେ । ମା’ ବି ଆସ୍ତେ ଆସ୍ତେ କାଠେଇଗଲା । ସେଦିନ ମୋ ପାଇଁ ବଡ଼ଥାଳିରେ ଭାତ ବାଢ଼ି ଦେଇ ସେ ନୀରବରେ କାନ୍ଦୁଥିଲା । କାନ୍ଦିବା ଉଚିତ । କାନ୍ଦିବା ସ୍ୱାଭାବିକ । ମୁଁ ତଳକୁ ମୁହଁ ପୋତି ଖାଇଲାଗିଥାଏ । ମୋତେ ହଠାତ୍‌ ଶୁଭିଲା-‘‘ଆରେ, ‘ରାଜୁ’କୁ ଆଉ ଖଣ୍ଡ ମାଛ ଦଉ ନ !’’ ମୋ ହାତ ସ୍ଥିର ହୋଇଗଲା । ମୁଁ ଆଖିମିଟକା ନ ମାରି ଚାହିଁରହିଲି । ବହୁଦିନ ତଳକୁ ମୋ ଅଜାଣତରେ ଖସିଗଲି । .....ସେଇଠି ମା’ ସେଇ କ୍ଷୀରୋଦ୍ରପାଟ ପିନ୍ଧିଛି । ବାପାଙ୍କର ବିରାଟ ବପୁ । ବିରାଟ ଡେଣା । ଗହଳ ନିଶ । ମୁଁ ହାଫ୍‌ ପେଣ୍ଟ ପିନ୍ଧି ଛୋଟ ପିଢ଼ାରେ ଛୋଟଥାଳି ନେଇ ବସିଛି । ମା’ ମଝିରେ ପଙ୍ଖା ଧରି ନୀରବରେ ବିଞ୍ଚୁଛି । .....ବାପା ସତକୁ ସତ ଚାହୁଁଥିଲେ ମୋତେ ଆଉ ଚେକାଏ ମାଛ ଦିଆଯାଉ । ମୋର ମାଛର ପ୍ରୟୋଜନ-ମୋ ଅପେକ୍ଷା ସେ ଅଧିକ ବୁଝିଛନ୍ତି । ବାପା, ବାସ୍ତବିକ ଭାରି ଭଲ ମଣିଷ ।

 

ମୁଁ ଆଖିମିଟକା ମାରି ଚାହିଁଲି । ଧଳାକସ୍ତାରେ ହୀନମାନିଆ ଦିଶୁଥିବା, ସେଇଭଳି ପଙ୍ଖାଟିଏ ଧରି ମା’ ବସିଥାଏ । ତା’ ହାତ ବି ଅଟକିଯାଇଥାଏ । ସେ ବି ସେମିତି ଶୂନ୍ୟକୁ ଚାହିଁଥାଏ-। ତାକୁ କ’ଣ ସେଇ ଦୃଶ୍ୟ ଦିଶୁଥାଏ ? ସେ କ’ଣ ସେଇ କଥା ଶୁଣିପାରୁଥାଏ ଏବଂ ସେଇଠୁ ଉଠିଯାଇ ସେ ମୋ ପାଇଁ କ’ଣ ଆଉ ମାଛ ଚେକାଏ ଆଣିଦେଇଥାନ୍ତା ? ....ସେଇଠି କ’ଣ ଆଉ କେହି ଅଦୃଶ୍ୟ ରହି ପହଁରି ବୁଲୁଥିଲା ?

 

ମୁଁ ଘରେ ତାଲା ପକେଇଦେଇ, ମା’କୁ ନେଇ ଏଠିକି ଚାଲିଆସିଲି । ବାପାଙ୍କର ଲୁଗାପଟା, ଆସନ, ବାସନ ସବୁ ମା’ ଆଣିଥିଲା । ମୁଁ ଅଧେ ସେଥିରୁ ଭୟରେ, ଆଉ ଅଧେ ଲାଜରେ ପିନ୍ଧିଲିନାହିଁ, ବ୍ୟବହାର କଲିନାହିଁ । ଥରେ ଶୀତଦିନେ ତାଙ୍କ ଗଳାବନ୍ଧା କୋଟ୍‌ ପିନ୍ଧି ମୁଁ ଚାଲିଗଲାବେଳେ ପଛକୁ ଫେରି ଚାହିଁ ଦେଇଥିଲି । ପରଦା ଆଢ଼ୁଆଳରୁ ମୁହଁ କାଢ଼ି ମା’ ଠିଆହୋଇଥାଏ । ମୁଁ ଦେଖି ଡରିଗଲି । ବାଟରେ ମୋର ଝାଳ ଫିଟିଗଲା । ତାକୁ ଚୌକି ଉପରେ କାଢ଼ି ଥୋଇଦେଇ ମୁଁ କ୍ଳାସକୁ ଚାଲିଯାଇଥିଲି । ଦିନସାରା ଭଲ ପଢ଼େଇ ପାରିଲିନାହିଁ । ଡରିଲା ଡରିଲା ପରି ଲାଗୁଥାଏ । ସେଦିନ ସଞ୍ଜରେ ‘ପାଢ଼ୀ’ ପାଖରେ ବସି ଖୁବ୍‌ ପିଇଲି । ଅନେକ ରାତିରେ ଫେରିଲି । କୋଟ୍‌ଟାକୁ ମା’ ଉପରକୁ ଫିଙ୍ଗିଦେଇ ନ ଖାଇ ଶୋଇଗଲି । ସେ ରାତିସାରା ମା’ ବୋଧହୁଏ କାନ୍ଦିଥିଲା । ତା’ ଆରଦିନ ତା’ ମୁହଁ ଦେଖି ମୁଁ ଜାଣିଗଲି । ସେ ସବୁବେଳେ ସେମିତି ଗୁଡ଼ାଏ କାନ୍ଦୁଥିଲା କାହିଁକି ? ଏଡ଼ିକି ବୋକୀ ଆଉ କେହି ନ ଥିବେ !

 

ବାପାଙ୍କର ଗୁଡ଼ାଏ ପୋଷାକ ମୁଁ ବନ୍ୟା ପାଇଁ ଦାନ କରିଦେଲି । ଗୁଡ଼ାଏ ମୂଷା ଖାଇଗଲେ । କଂସାଥାଳି ହାତରୁ ଖସି ଚୂନା ହୋଇଗଲା । ସବୁବେଳେ ମା’ ଅସରାଏ ଲେଖା କାନ୍ଦିଥିଲା । ଏବେ ଏ ଘରେ ବାପାଙ୍କର ହୋଇ ଆଉ କିଛି ନାହିଁ...ହେି କେବଳ କିଛି ସ୍ମୃତି । ପାଣିରେ ବିମ୍ବ ଦୋହଲିଲା ପରି ମୋ ମୁହଁରେ ତାଙ୍କ ଚେହେରାର ଝାପ୍‌ସା କିଛି ଛାଇ-ସବୁ ମଳିନ, ସବୁ ଦରଲିଭା ।

 

ମୁଁ ପ୍ରାୟ ସବୁଦିନ ସଞ୍ଜବେଳେ ତାସ୍‌ ଖେଳିଲି । ଅଳ୍ପ ଅଳ୍ପ ପଇସା ଥୋଇ ଖେଳିଲେ ଆଉ ପ୍ରକାରେ ରୋମାଞ୍ଚ ହୁଏ । ସେମିତି ବି ଖେଳିଲି । ବ୍ରିଜ୍‌ ଖେଳର ସବୁ ତଥ୍ୟ ମୋତେ ଜଣା ସବୁ ବିଖ୍ୟାତ ବହି ମୁଁ ପଢ଼ିଛି । କିନ୍ତୁ ଠିକ୍‌ ଖେଳବେଳେ ଭୁଲ କରିଦିଏ, ହାରିଯାଏ । –ଘୋଡ଼ଦୌଡ଼ରେ ବି ସେଇଆ । ମୋର ପରାମର୍ଶ ନେଇ ଅନ୍ୟମାନେ ଜିଣିଛନ୍ତି–ମୁଁ କେବେ ନିଜେ ଥରଟେ ସୁଦ୍ଧା ଜିଣିନାହିଁ ।

 

ମୁଁ ପ୍ରଚୁର ବକ୍ତୃତା ଦେଇଜାଣେ । ମା’ ମୋତେ ବାରମ୍ବାର ଏଇ ଭାତଥାଳି ପାଖରେ ବସିଥିଲାବେଳେ ମନେ କରେ ସେମିତି ଗପିବାକୁ । କହେ ତୁନି ପଡ଼ିବାକୁ, ବୁଡ଼ାମାରିବାକୁ, ବିଭାହେବାକୁ, ଘରସଂସାର କରିବାକୁ । ଝିଅମାନଙ୍କୁ ଆଣି ଦେଖାଏ । ମୁଁ ହସି ଉଡ଼େଇଦିଏ । ସେମାନେ ଚାଲିଯାନ୍ତି । ତାଙ୍କ ମା’ମାନେ ମୋ ମା’ ସହିତ ମୁହଁ ଶୁଖେଇ କଥା କହନ୍ତି–ତା’ପରେ ଚାଲିଯାନ୍ତି ।

 

ଧେତ୍‌ ଏ ମାଇକିନାଗୁଡାକ ସବୁବେଳଳେ ସେଇଆ । ....ମୁଁ ବହୁ ନାରୀଙ୍କୁ ସମ୍ଭୋଗ କରିଛି । ସେମାନେ ଭୁଲିଯାଇଛନ୍ତି । ମୁଁ ଭୁଲିଯାଇଛି । କେବେହେଲେ କାହାକୁ ଆଣି ମୋ ପାଖରେ ସବୁଦିନକୁ ଭାରିଯା କରି ରଖିବାକୁ ଚାହିଁନାହିଁ । ମୁଁ କ’ଣ ସେମାନଙ୍କୁ ଭଲପାଇନାହିଁ ? ଓ, ସେ କଥା ଜମା ନୁହେଁ । ମୁଁ ତାଙ୍କୁ ଖୁବ୍‌ ଭଲପାଇଛି । ତାଙ୍କୁ ଭଲ ନ ପାଇ କ’ଣ ବଞ୍ଚି ହୁଏ ! କିନ୍ତୁ ମୁଁ ଯେତିକି ସମୟ ତାଙ୍କୁ ଦେଇଛି ତା’ଠୁ ଅଧିକ ମୋ ପାଖରେ ନାହିଁ ।

 

ମୁଁ ଘରକୁ ପ୍ରାୟ ହାଲିଆହୋଇ ଫେରୁଥିଲି । ମା’ ପ୍ରଥମେ କିଛି ଖୁଆଇ ଦେଉଥିଲା । ତା’ପରେ ମୁଁ ଇଛାସୁଖେ ସିଗାର୍‌ ଟାଣୁଥିଲି । ଟେବୁଲ ଉପରେ ସେ ସବୁଦିନ ସଜାଡ଼ି ରଖୁଥିବା ବହିଥାକକୁ ସବୁଦିନ ଉଲାରି ଦେଉଥିଲି । ମନକୁ ମନ ଗୁଣୁଗୁଣୁ ହେଉଥିଲି । ମା’ କ’ଣ ସବୁ ମୋ ପଛେ ପଛେ ଗୋଡ଼େଇ ଗୋଡ଼େଇ କହୁଥିଲା-ମୁଁ ଶୁଣୁ ନ ଥିଲି । ଶୁଣିଲେ ବି ବୁଝୁ ନ ଥିଲି । ଟଙ୍କା ମାଗିଲେ ମୁଣା ଝାଡ଼ି ଯାହା ଥାଏ ଦେଇଦେଉଥିଲି । ସେ ମୋ ପାଇଁ ବଜାର ଆଣୁଥିଲା । ରାନ୍ଧି ବାଢ଼ି ଘୋଡ଼େଇ ରଖୁଥିଲା । ମୁଁ ନଖାଇଲେ ଖାଉ ନ ଥିଲା, ମୁଁ ନଶୋଇବାଯାଏଁ ବୋଧହୁଏ ଚାହିଁ ରହୁଥିଲା । ଭାରି ଦୁଃଖିନୀ ମା’ଟିଏ ମୋର । ଟିକିଏ ଆଡ଼ପାଗଳୀ, ବୋକୀ, କାଳୀ, ପାଚିଲାମୁଣ୍ଡୀ ଗେଡ଼ୀ ମା’ଟିଏ ।

 

‘‘ଆଲୋ ମା’ ! ତୁ କାଇଁ ତୋ ପାଟଗୁଡାକ କାଢ଼ି ପିନ୍ଧି ନେଉ ନାହୁଁ ? ତାକୁ ଆଉ କିଏ ପିନ୍ଧିବ ବୋଲି ସାଇତିଛୁ ?’’

 

ଗାଲରେ ହାତଦେଇ ମୋ ଆଡ଼କୁ ବାଲୁବାଲୁ ଚାହିଁ ସେ ହସିପକାଇଲା । ତା’ପରେ ଦେଖୁ ଦେଖୁ କାନ୍ଦିପକାଇଲା ।

 

‘‘ଶୁଣ, ମୋ ଜ୍ଞାନୀ ପୁଅର ଅଭିଲା କଥା ! ବୋହୂ ଟିଏ ଆଣିବୁ ବୋଲି ତ ଚାହିଁ ଚାହିଁ ଆଖିରୁ ପାଣି ମଲାଣି । ସେଗୁଡାକୁ ଆଉ କିଏ ପିନ୍ଧିବ ? ଶୁଭ ସାଇତା ପାଟ ।’’ –କହୁ କହୁ କଥାଗୁଡାକ ନାକବାଟେ ତରଳି ଥୋପି ପଡ଼ିଲା । ଆଖିରୁ ରବ ରବ ପାଣି ନିଗିଡ଼ିଗଲା । ଭୟଂକର ନାକକାନ୍ଦୁରୀ !

 

ଏଇ ପାଞ୍ଚମାସ ତଳେ ଏମିତି ହଠାତ୍‌ ଠିଆରେ ପଡ଼ିଗଲା । ତାକୁ ଟେକି ଆଣିଲି । ତା’ ଦେହ ଫଡ଼ଫଡ଼ ହେଲା । ତାତିଟାଏ ଛେଚି ଦେଲା । ତା’ପରେ ପାଟି ପଡ଼ିଗଲା । ଅଙ୍ଗ ପଡ଼ିଗଲା । ପଡ଼ିଶା, ଅଡ଼ିଶା, ଡାକ୍ତର ଆସିଲେ । ଛାତ୍ର, ଅଧ୍ୟାପକ, ବନ୍ଧୁ, ଅଫିସର ସବୁ ଗୋଛା ଗୋଛା ଆସିଲେ ।

 

‘‘ଏଣିକି କେବଳ ସେବା କରିବାକୁ ହେବ ସାର୍‌-ଆଉ କିଛି ଉପାୟ ନାହିଁ । ସତୁରୀ ବର୍ଷର ବୁଢ଼ୀ । ସେ ଆଉ ଏଥିରୁ ଭଲ ହେଇପାରିବେ ନାହିଁ ।’’

 

ସେ କ’ଣ ଆଉ ଭଲ ହେଇଥାନ୍ତା କି ! ସେ ଛୋଟ ବେଲୁରି ଖଟଟି ଉପରୁ ବାଲୁବାଲୁ ଚାହିଁଥାଏ ମୋ ମୁହଁକୁ । ସବୁ ଶୁଣୁଥାଏ । ସବୁ ବୁଝୁଥାଏ । ଖାଲି କାନ୍ଦୁଥାଏ । ଓଦା କନାଟିଏ ପରି ମୁହଁଟି କୁଞ୍ଚ କୁଞ୍ଚ ଚିପୁଡ଼ି ହେଇଯାଉଥାଏ ।

 

ଭାରି ଅଡ଼ୁଆ ଲାଗିଲା । ସେ ରାତିସାରା ସ୍ତ୍ରୀଲୋକମାନେ ରହିଲେ ପାଳିକରି । ଡବାରେ ପରିସ୍ରା କରେଇଲେ । ଔଷଧ ଖୁଆଇଲେ । ପାଣି ପିଆଇଲେ । ତା’ପରେ କିଏ କେଉଁ ଆଳାରେ ସବୁ ଖସିଗଲେ । ମେହେନ୍ତର ସିବା ଛଡ଼ା ସେ କାର୍ଯ୍ୟ କରିବାକୁ କେହି ରାଜି ହେଲେ ନାହିଁ । ଆଉ ଗୋଟାଏ ସେ ଜନ୍ମ ଦେଇ ତା’ ମୁଣ୍ଡ କିଣିଚି-ସେଇ ତ ଶେଷକୁ କରିବ-କଲା ମଧ୍ୟ ।

 

ପରିସ୍ରାଟା ରହିଗଲେ ଏପରି ଉତ୍କଟ ଗନ୍ଧାଏ ବୋଲି ମୋର ଧାରଣା ନ ଥିଲା ପ୍ରତିଦିନ ସକାଳୁ ସେ ମୂତଡ଼ବାଟା ସଫା କରିବା ହେଲା ପହିଲା କାମ । ତା’ପରେ ବୁଢ଼ୀକୁ ଟେକିନେଇ କାନ୍ଥ ଆଉଜାରେ କମୋଡ଼ରେ ହଗେଇବା । ଏଥିରେ ଦିନର କାର୍ଯ୍ୟସୂଚୀ ଆରମ୍ଭ । ଏ ଚୁରୁଟ୍‌ ଗୁଡ଼ିକ ଭାରି କଡ଼ା; କିନ୍ତୁ ଯେତେ ଯାହା ଚେଷ୍ଟାକଲି ପ୍ରଥମଦିନ ରୋକିହେଲା ନାହିଁ । ଗୁଡ଼ାଏ ବାନ୍ତି କରିପକେଇଲି । ରାତିରେ ସେଇ ଖଟପାଖେ ଶୋଇ ନ ରହିଲେ କେମିତି ଆଉ ସେବା କରିହେବ-? ଶୋଇରହିଲି ତିନି ଚାରି ଦିନ । ରାତିରେ ନିଦ ହେଲାନାହିଁ । ଦିନସାରା ଖିଜ ଖିଜ ଲାଗିଲା । ହଟ୍‌ ବେ ! ସେବା ନା’ ଖମ୍ବଆଳୁ । ହଜାରେ ଯୁକ୍ତିରେ ଚେଷ୍ଟାକଲି–ରାଜି ହେଲାନାହିଁ । ଦାନ୍ତକୁ ଦାନ୍ତ ରେକେଟି ବୁଢ଼ୀକୁ ଆଣି ଖଟିଆ ଉପରେ ଛେଚିଦେବାପାଇଁ ମନ ହେଇଗଲା ।

 

କ’ଣ କଲି କେଜାଣି–ସେ ଖାଲି ଡରିଲା ପରି ମୋ ମୁହଁକୁ ଚାହିଁରହିଲା । ମୁଁ ରାତିରେ ଶୋଇ ନ ପାରି ଦେହ-ମନର ବିନ୍ଧା ଉତାରିବାକୁ ସକାଳୁ ମୁନ୍ଦାଏ ପିଇଦେଇଥାଏ । ମୋ ଓଠ ଶେତା, ମୋ ଥୋଡ଼ ରୁଢ଼ିଆ, ମୋ ଆଖି ଚାରିପଟେ କଳା ଦାଗ, ମୁଣ୍ଡବାଳ ଅଲରା ହୋଇଥାଇପାରେ । ଆଖିଡ଼ୋଳା ରଙ୍ଗ ଚହଚହ ହୋଇ ତରାଟି ତରାଟି ହେଲା ପରି ଚାହିଁଥାଇପାରନ୍ତି । ସେଥିରେ ସେ ତା କୁନିପୁଅକୁ ଖୋଜି ପାଇ ନ ଥାଇପାରେ ।

 

ଆବେ ଯାଉନୁ-ମୁଁ କି ତୋ’ ଭିତରେ ମୋ ମା’କୁ ଖୋଜିପାଉଚି ? ମା’ ଯେ ମୋ ଦେହରୁ ଧୂଳି ଝାଡ଼ିଦେଇ କୋଳ କରୁଥିଲା, କ୍ଷୀର ଖୁଆଉଥିଲା, ଯେ କ୍ଷୀରୋଦ୍ରପାଟ ପିନ୍ଧୁଥିଲା–ଏଇ ବୁଢ଼ୀଟା ସେଇ ? ମୋତେ ଯାହା ସେ କରିଥିଲା ମୁଁ ସେଇଆ ୟା’କୁ ଶୁଝିବାକୁ ହେବ ? ଏଇଟା କ’ଣ ମହାଜନୀ କାରବାର ହେଇଛି, ମୂଳ କଳନ୍ତର ହିସାବ ହେବ ? ସେ ମଣିଷଛୁଆଟାକୁ ଟେକପାଳ କରୁଥିଲା ସେ ବଞ୍ଚିବ ବୋଲି । ଏଇଟାକୁ କ’ଣ ଯେତେ ଯତ୍ନକଲେ ଆଉ ବଞ୍ଚିବ ? ନିଜେ ଗୁହମୂତରେ ଘାଣ୍ଟି ହେବ-ଆଉ ଗୋଟାଏ ତା’ ଅନ୍ତ ଭିତରୁ ଆସିଛି ବୋଲି ତାକୁ ସେଥିରେ ଘୋଷାରିବ ! ଆବେ ଯାଉନୁ, ଏଇଟା ଯେତେ ଚଞ୍ଚଳ ମରିବ, ସେତିକି ନିସ୍ତାର !

 

ଅଗଣାରେ ଏପାଖ ସେପାଖ ହୋଇ ସେଦିନ ଝାଳ ଫିଟିଯାଇଥିଲା । ମା’ ମୁହଁକୁ ନ ଚାହିଁ ସେମିତି ଅଖିଆ ଅପିଆ ମୁଁ ବାହାରିଯାଇଥିଲି । ମୋ ହାତ ଦେହମୁଣ୍ଡ ସବୁବେଳେ ମୂତଗନ୍ଧ ଦେଲା । ସବୁବେଳେ ଅଇ ଟେକିଲା । –ଇସ୍‌, କି ସାଂଘାତିକ ଅବସ୍ଥା ! ମୁଁ ଅହରହ ଚୁରୁଟ ଟାଣିଲାଗିଥାଏ । ଘରେ ନ ଥାଏ; କିନ୍ତୁ ସେଇ ପାଖେ ପାଖେ ଚକ୍‌କର କାଟୁଥାଏ ।

 

ପାଣ୍ଡେ ହଲଓ୍ୱାଇ ଦୋକାନ ପାଖରେ ମୁଣ୍ଡ ବୁଲେଇଦେଲା । ଇଛାହେଲା କିଛି ଖାଇବାକୁ । ଭଲ ମିଠା ମିଳେ ସେଇଠି । ପଙ୍ଖା ଖଣଖଣ ଶବ୍ଦ କରୁଥାଏ । କିଛି ଧୂଆଁ ସେ ବଖରାସାରା ମନ୍ଥି ହେଉଥାଏ । ମୁହଁକୁ ଦୁଇହାତରେ ଘୋଡ଼େଇ କିଛି ସମୟ ଛାଇରେ ବସିଯିବାରେ ଭଲଲାଗିଲା । ପାଦ ଖସ୍‌ ଖସ୍‌ ଶୁଭିଲା । ଟେବୁଲରେ ପାଣି ଗିଲାସ ଥୁଆହେଲା ।

 

‘‘କ’ଣ ଦେବି ?’’

 

‘‘ମିଠା କ’ଣ ଅଛି ତୁମର ?’’

 

‘‘ସବୁ ଅଛି.... ରସଗୋଲା, ଚମ୍‌ମଚ୍‌, ଗୋଲାପଜାମୁନ୍‌, ସନ୍ଦେଶ, ଛେନାଗଜା, ରସମଲାଇ, କମଳାଭୋଗ.... ଦୁଧପେଡ଼ା....’’

 

ମୁଁ କ’ଣ କହିଲି କି ନାହିଁ କେଜାଣି ସେ ଚାଲିଗଲା । ଆଣି ଥୋଇଦେଲା ଗୋଟିଏ ପ୍ଳେଟରେ ଦୁଇଟି ମଝିଆରି ଆକାରର ପେଡ଼ା ।

 

ପେଡ଼ା ଉପରେ ଟିପମାରିବାରୁ ହସମାଡ଼ିଲା । ସେଇ ଟିପକୁ ନେଇ ଚାଟିଦେବି କି ?

 

ଆରେ ଏମିତି କାଇଁକି ରଙ୍କୁଣା ପରି ହଉଚୁ ? ପେଡ଼ା ପରି ପଦାର୍ଥ–ଚୋବେଇ ଖାଉନୁ-। ପାଟିଯାକ ଗୁଆଘିଅପରି ବାସିବ । ଚୋବେଇଲେ ପାଟିଯାକ ଭର୍ତ୍ତି ହୋଇଯିବ କ୍ଷୀର ଆଉ ରାବିଡ଼ି । ....ଦେଖି, ଦେଖି, ମତେ ଗୋଟେ ଦେଲୁ ! –ନାଇଁ, ବାପାଙ୍କୁ ଏ ଗୁଡାକ ସୁଖ ଲାଗେନାହିଁ-। ତୁ ତ ମୋ ଓଳି ! ଆସିଲୁ ମୋ ଗୋଡ଼କୁ, ସାଙ୍ଗହେଇ ଖାଇବା !

 

‘‘କ’ଣ ହେଲା ସାର୍‌ ? ଖାଉନାହାନ୍ତି !’’

 

ପେଡ଼ା ଉପରୁ ଟିପଟା ଠକ୍‌ କିନା ଛାଡ଼ିଗଲା । ଖାଲି ପାଣି ଗିଲାସେ ପିଇଦେଇ ଉଠିପଡ଼ିଲି ।

 

‘‘ଏଥିରୁ କୋଡ଼ିଏଟା ଦୁଧପେଡ଼ା ବାନ୍ଧିଦେଲ !’

 

...ଦାନ୍ତ ନ ଥିବା ମାଢ଼ିରେ ଚାପିହୋଇ ପାଟିସାରା ଦୁଧ ରାବିଡ଼ିରେ ସତକୁ ସତ ଭର୍ତ୍ତି ହୋଇଯାଉଥାଏ । ପୁସିଟିଏ ପରି ମା’ ମଝିରେ ମଝିରେ ଘୁଡ଼ୁ ଘୁଡ଼ୁ ହେଉଥାଏ । ଖୁସି ହୋଇଯାଇଥାଏ । ତା’ ଆଖିରୁ ତୁହାକୁ ତୁହା ପାଣି ନିଗିଡ଼ି ଯାଉଥାଏ ।

 

ତା’ ମୁହଁଟାକୁ ସାଉଁଳିବାକୁ ମନହେଲା । ସେ ଭାରି ବଢ଼ିଆ ଦେଖାଗଲା । ଦୁଇହାତରେ ସେ ମୁହଁଟିକୁ ଧରି ଅନେକ ବେଳ ଚାହିଁରହିଲି । ପୋଥିପରି ହଜାରେ ପୃଷ୍ଠା ଫିଟିଗଲା ଫର୍‌ ଫର୍‌ ହୋଇ । ପଚାଶ ବର୍ଷର ଦିନରାତି, ସକାଳ ସଞ୍ଜ, ସୁଖ ଦୁଃଖ, କଥାବାର୍ତ୍ତ, ଭାବଭଙ୍ଗୀ-ସବୁ ପୃଷ୍ଠାରେ ଚଳନ୍ତି ଚିତ୍ର-ଅଳ୍ପ ଅଳ୍ପ ମଧୁର କଥା । ପାକୁଆ ପାଟିରୁ ସେଇ ଦୁଧପେଡ଼ାର କ୍ଷୀରସମୁଦ୍ରରୁ ଉଠିଆସୁଥାନ୍ତି ସେ କଥାଗୁଡ଼ିକ ଅସୁମାରି, ଚିତ୍ରଗୁଡ଼ିକ ।

 

ମୁଁ ମା’କୁ ଉଷୁମ ପାଣିରେ ଲାଭେଣ୍ଡର ପକେଇ ଗାଧୋଇଦେଲି । କ୍ଷୀରୋଦ୍ରପାଟଟାକୁ ପିନ୍ଧାଇ ନ ଜାଣି ଗୁଡ଼େଇଦେଲି । ଲୁଗାପଟା ପରିଷ୍କାର କରିଦେଲି । ଘରସାରା ଫିନାଇଲରେ ପୋଛି ଲାଭେଣ୍ଡର ଛିଞ୍ଚିଦେଲି । ଧୂପକାଠି ଜାଳିଦେଲି ଖଟ ପାଖରେ । ନିଜେ କ୍ଷୌର ହୋଇ ଗାଧୋଇଲି । ଅନେକ ମଳି-ଧୂଳି ଉତ୍ତାପ ଧୋଇ ହୋଇଗଲା । ଲାଭେଣ୍ଡର ଧୂପ ଧୂଆଁ ମୋ ଫୁସ୍‌ଫୁସ୍‌ ଭିତରେ ଭରିଗଲା । ମନେହେଲା ମୋ କଲିଜା, ମୋ ମୁଣ୍ଡ ଭିତର ଦହି, ମୋ ଅନ୍ତ, ନାଡ଼ି ସବୁ ସେ ବାସ୍ନାରେ ମହକିଗଲା ।

 

ତେଣିକି ସବୁ ଗୋଟାଏ ଛନ୍ଦରେ ପଡ଼ିଗଲା । ଲୋକେ ଆସିଲେ । ଔଷଧ ଆସିଲା । ରାନ୍ଧୁଣିଆ ଆସିଲା । ଧୋବଣୀ, ମେହେନ୍ତ୍ରାଣୀ ସମସ୍ତେ ଯେ ଯାହା ଅଞ୍ଚଳ ଆବୋରିଗଲେ । ଛୋଟିଆ ମାଟିପଞ୍ଜୁରୀ ଭିତରୁ ମୁହଁ ଗଳେଇ ଚାହିଁଥିବା ଶୁକପକ୍ଷୀଟିଏ ପରି ମା’ ଅନେଇଥାଏ । ତା’ ଆଖିରେ ତୃପ୍ତି ।

 

ଧରାବନ୍ଧା ସମୟରେ ଧରାବନ୍ଧା ଅଭ୍ୟାସ ପଡ଼ିଆସିଲା । ମୁଁ ମନଖୁସି ସଞ୍ଜବେଳେ ଟିକିଏ ପିଇଲି, ଟିକିଏ ସଙ୍ଗୀତ ଶୁଣିଲି । ଦି’ ଚାରିଘଣ୍ଟା ପଢ଼ିଲି । ସାଙ୍ଗସୁଖ ବି ଆସିଲେ । ମା’ ପାଖକୁ ନେଇ ସେମାନଙ୍କୁ ବୁଲେଇ ଆଣିଲି । ....ବରାହ ଶାସ୍ତ୍ରୀ ଆସି ମୋତେ ଉସ୍‌କେଇଦେଲେ । ସଂସ୍କୃତ ପଢ଼ିବାକୁ ମୋର ଝୁଙ୍କ ଉଠିଲା । ସେ ମୋତେ ମେଘଦୂତ ପଢ଼ି ବୁଝେଇଦେଲେ । ଓଃ, ମୁଁ ତାକୁ ବାରମ୍ବାର ପଢ଼ିବାକୁ ଚାହିଁଲି । ମୋତେ ସବୁବେଳେ ମନ୍ଦାକ୍ରାନ୍ତାର ବିଳମ୍ବିତ ଛନ୍ଦ ଶୁଭିଲା । ମୋ ଭିତରେ କାହୁଁ ଆସି ନୂଆ ମେଘ ଗୁମୁରିଲା । ପଥର ଦାଢ଼ରେ କୁଟଜ କୁସୁମ ଫୁଟିଗଲା । ଉଡ଼ି ଚାଲିଗଲା ମେଘ ଅସୀମ ଉତ୍ତରକୁ ବନ୍ଧୁପରି ମୋ ଆତ୍ମାର ସନ୍ଦେଶ ନେଇ । ମୋ ଭିତରେ ବାହାର ମେଘର ନିଃଶ୍ୱାସରେ ଓଦା ଓଦା । ମୁଁ ପ୍ରଥମ ଥର ପାଇଁ ଗୋଟାଏ କିମ୍ଭୁତ ଗୁଞ୍ଜରଣ ଶୁଣିଲି । ଖଜ୍‌ବଜ୍‌ ଲାଗିଲା । ପ୍ରଣୟୀଟିଏ ହେବା କେଡ଼େ ଅଦ୍ଭୁତ ଅନୁଭବ ସତେ ! ମୁଁ ଗୋଟାଏ ଉତଲା ଆବେଗରେ ଭାବିଗଲି...ଅଳକାପୁରୀ ଦିଶିଲା । .....ଲୁହରେ ଓଦା ହୋଇଥିବା ବୀଣା ତାରଗୁଡ଼ିକ ଦିଶିଲା; କିନ୍ତୁ ଝରକାବାଟେ ଘୁମୁ ଘୁମୁ ଡାକୁଥିବା ମେଘକୁ ଅନେଇ ବସିଥିବା, ସେ ମଳିନ ବସନା ବିରହଣୀ ବଧୂଟି କିଏ ? ତାର କୌଣସି ସ୍ଥିର ରୂପ ଦିଶିଲାନାହିଁ । ମେଘ ଘୋଡ଼େଇ ହୋଇଗଲା । ଚିତ୍ର ଉପରେ ପାଣିମଡ଼େଇ ହୋଇଗଲା । ରାତି ବାରଟାରେ ମୁଁ ଚୌକିରେ ବସି ବହିକୁ ଚାହିଁଲାବେଳକୁ ମୋ ଆଖିରେ ଲୁହ ଟଳମଳ । ....ବେକୁବ୍‌ କାହାଁକା !

 

ତା’ପରେ ଶାସ୍ତ୍ରୀ ପଢ଼େଇଲେ ଶକୁନ୍ତଳା । ମୋର ସବୁ ବିଦ୍ୟା ବୁଦ୍ଧି ଉପରେ ଗୋଟିଏ ପାତଳ ରେଶମୀ-ଚାଦର ଘୋଡ଼େଇ ହୋଇଗଲା । ମୁଁ ସେଥିରୁ ନିଜକୁ ମିଶେଇ ମୋ ଅଜାଣତରେ ଅନେକ କଥା ଭାବିଗଲି । ନିରୋଳା ସମୟରେ ଘନିଷ୍ଠ ନାରୀଟିଏ ମୋ ଭିତରେ ବାହାରେ ଦେଖାଦେଲା । ମନେହେଲା ସେ ମୋତେ ଏବଂ ମୋର ସେ ନିର୍ଜନ ଘରଟିକୁ ଆଚ୍ଛନ୍ନ କରିଗଲା, ଅଧିକାର କରିଗଲା । ମୁଁ ତାକୁ ସବୁବେଳେ ସବୁଠି ଅନୁଭବ ଆଚ୍ଛନ୍ନ କରିଗଲା, ଅଧିକାର କରିଗଲା । ମୁଁ ତାକୁ ସବୁବେଳେ ସବୁଠି ଅନୁଭବ କଲି । ସକାଳୁ ଚା’ କଲାବେଳେ ଦୁଇଟି ସୁନାକଙ୍କଣ ପିନ୍ଧିଥିବା ସୁନ୍ଦର ହାତ ଦିଶିଗଲା । ମା’ର ଲୁଗା ବଦଳ ବେଳେ ପାଲଟା ଓଦାଟାକୁ ପଦ୍ମପାଖୁଡ଼ା ପରି ପାପୁଲିରେ କେହି ତୋଳି ନେଇଯିବାପରି ଲାଗିଲା । ଖୁଆଇଦେଲାବେଳେ ତା’ ମୁଣ୍ଡ ପାଖକୁ ଝଲମଲ ରାଜରାଣୀର ଆବକ୍ଷ ପ୍ରତିମା ନିମେଷେ ଦିଶି ଲିଭିଗଲା ।

 

ମା’ କୁଁ କୁଁ ହେଲା ।

 

ଦେଖିଲା ବେଳକୁ ତା’ ପାଟିରେ ଖାଇବାକୁ ଦେବା ପରିବର୍ତ୍ତେ ମୁଁ ତା’ ଗାଲ ଉପରେ ଇଡ଼ିଦେଇଛି । ମୁଁ ଭୁଲ୍‌ ପାଇଁ ଲାଜେଇଗଲି । ମା’ର ଆଖି କେମିତି ଗୋଟାଏ ସର୍ବଜାଣ ଦୃଷ୍ଟିରେ ସେ ଗହୀର ଭିତରୁ ମିଚ୍‌ ମିଚ୍‌ ଚାହିଁଲା । ....ସେ ତା’ ପୁଅର ସବୁ କିଛି ଦେଖିପାରିଥିଲା, ଚିହ୍ନି ପାରିଥିଲା । ସେ ତା’ମନ ଭିତରର ସ୍ୱପ୍ନ ସୁଦ୍ଧା ବାରିଦେଇଥିଲା । ମା’ ଅଦ୍ଭୁତ ଢଙ୍ଗରେ ହସୁଥିଲା-କାନ୍ଦୁରା କାନ୍ଦୁରା ହସ ! .....ଆଶ୍ଚର୍ଯ୍ୟ ! ସାମାନ୍ୟ ଚେହେରାରୁ, ଚାହାଣିରୁ, ଦେହର ଅଥବା ନିଃଶ୍ୱାସର ବାସ୍ନାରୁ ଏମିତି କ’ଣ ପୁରୁଷଟିକୁ ସେମାନେ ଜାଣିଯାଆନ୍ତି ! ନାଇଁ ବୋଧହୁଏ...ମା’ ନ ହେବାଯାଏଁ ଏତେ ବୁଝାମଣା ଆସୁନଥିବ ପରା !

 

ଶକୁନ୍ତଳା ପଢ଼ା ଚାଲିଥାଏ । ରାଗୀ ଋଷିଗୁଡାକୁ ସାମୂହିକ ଭାବରେ ମୁଁ ଭାରତଭୂମିରୁ ବହିଷ୍କାର କରୁଥାଏ । ମୂର୍ଖ ରାଜାଗୁଡ଼ାଙ୍କର ଅବୁଝାମଣା ବିଚାର ପାଇଁ ତାଙ୍କୁ ଫାଶୀ ହୁକୁମ ଦେଉଥାଏ...ଏବଂ ଏ ସମସ୍ତ ଭିତରେ ସେ ଅପୂର୍ବ ନାରୀରୂପଟି ମୋତେ ଆହୁରି ନିବିଡ଼ଭାବରେ ଆଚ୍ଛନ୍ନ କରିଚାଲିଥାଏ । .... ବେଳେବେଳେ ସେ ମିସେସ୍‌ ଦାସ, ଆଉ ବେଳେ ମିସେସ୍‌ ମାଲହୋତ୍ରା, ଆହୁରି ଆହୁରି କେତେ ସବୁ ସୁନ୍ଦର ମୁହଁପରି ଦିଶିଯାଉଥାଏ ।

 

ମୋର ଅନ୍ୟମନସ୍କତା ବୋଧହୁଏ ସେ ସମୟରେ ଅନେକ ବଢ଼ି ଯାଇଥିଲା । କ୍ଳାସରେ ଅଭ୍ୟାସବଶତଃ କ’ଣ ଗୁଡ଼ାଏ ବକିଯାଉଥିଲି; କିନ୍ତୁ ଏଠି ସେଠି ବସି ଗପିବା ବନ୍ଦ ହୋଇଯାଇଥିଲା-। ମୁଁ ମୋର ବିଚିତ୍ର ସ୍ୱପ୍ନରାଜ୍ୟକୁ ଯଥାଶୀଘ୍ର ଫେରିଆସୁଥିଲି । କିଏ କହୁଥିଲା, ‘‘ସାର୍‌ଙ୍କ ମା’ ରୋଗରେ ପଡ଼ିଛନ୍ତି ।’’ ଆଉ କିଏ କହୁଥିଲା, ‘‘ବୁଢ଼ାର ଓ ବୟସରେ ସଂସ୍କୃତ ଶିଖିବାକୁ ଝୁଙ୍କ ଉଠୁଛି-!-–ସେଥିପାଇଁ.....’’

 

ନା, ମୋର ପୁଅ ଲୋଡ଼ାନାହିଁ.....ସେଗୁଡାକ ମୋରି ଭଳି ନିହାତି ଅଶ୍ଳୀଳ, ଅରଣା, ବାଳୁଙ୍ଗା ହେବେ । ବରଂ ଝିଅଗୁଡ଼ିକ ଭାରି ଭଲ । ...ମାଲହୋତ୍ରାଙ୍କ ଝିଅ ପରି.....ହସିଲେ ତା ମୁହଁଟି କେଡ଼େ ସୁନ୍ଦର ଦିଶେ । ତା’ ଦାନ୍ତ ଆଖି, ତା’ ଗାଲରେ ସେ ଟୋଲା ଭଉଁରି ଭାରି ଭାରି ସୁନ୍ଦର । ଆରେ, ତୁମେ ଜମା ଚିନ୍ତା କରନାହିଁ, ମୋ ଝିଅ ଅବିକଳ ସେଇଭଳି । ...ସେଇ ତ’ ମୋ ଝିଅ । ସେ ତା ମା’ ଭଳି ଦିଶୁଥାଇପାରେ । ସେ କିନ୍ତୁ ମୋ ଝିଅ । ସେ ବଡ଼ ହେଲେ ଅବିକଳ ତୁମ ଭଳି ହେବ–ମୋ’ ମଝିଆଁ ଝିଅ ଭଳି ହେବ–ତା’ ବଡ଼ଭଉଣୀ ଭଳି ହେବ । ....ବଗିଚାରେ ଫୁଲ ଫୁଟିଲା ପରି ମୋର ଅସଂଖ୍ୟ ଝିଅ କେମିତି ଝଲମଲ ହେଉଛନ୍ତି । ତୁମରି ହସ ତ ବୁଣି ହୋଇଯାଇଛି ସମସ୍ତଙ୍କ ମୁହଁରେ ।

 

.....ମୁଁ ଆଖିମିଟିକା ମାରି ଚାହିଁଦେଲି । ସ୍ୱର୍ଣ୍ଣାଭ ପକ୍ଷୀଗୁଡ଼ିକ ହୁସ୍‌କିନା ଉଭେଇଗଲେ । ରାତି ସେତେବେଳକୁ ସେଇ ବାରଟା । ଘର ଶୂନଶାନ; କିନ୍ତୁ ମୋ ଭିତରେ ବାହାରେ ମୋର ଅସୁମାରୀ ସୁକୁମାରୀ କନ୍ୟାଙ୍କର କଅଁଳିଆ ସ୍ପର୍ଶ ।

 

ସେତେବେଳକୁ ମା’ର ପରିସ୍ରା ଯିବାବେଳ ହୋଇଯାଇଥାଏ । ମୁଁ ଫିକ୍‌କିନା ହସିଦେଲି-। ମୋତେ ସେ ଭିତରୁ ଶୁଭିଲା–ଝିଅଗୁଡାକ ସମସ୍ତେ ଖଟରେ ମୂତନ୍ତି । ଆର ବଖରାରେ ମୋ ଝିଅ ଶୋଇଛି ଆରାମରେ । ଶେଯ ଓଦା ହେଇଗଲେ ଏଇନା ଚିହିଁକି ଉଠିବ ।

 

......ମୂଲଚାନ୍ଦ ଦୋକାନରୁ ମୁଁ ଏ ମାସ ପହିଲାକୁ ଗୋଟାଏ ଫ୍ରକ୍‌ କିଣିବା କଥା କେମିତି ରାଷ୍ଟ୍ର ହୋଇଗଲା ? ସମସ୍ତଙ୍କୁ କଉତୁକ ଲାଗିଥିବ....ପାଗଳା ବୁଢ଼ା ଅବିବାହିତ ପ୍ରଫେସର କାହିଁକି ଫ୍ରକ୍‌ଟାଏ ସତେ କିଣିବ ? କାହାକୁ ଉପହାର ଦେବାକୁ ନେଉଥିବ ! ମିସେସ୍‌ ମାଲହୋତ୍ରାଙ୍କ ସାନଝିଅପାଇଁ ନେଉଥିବ ! ମିସେସ ମାଲହୋତ୍ରାଙ୍କ ସହିତ ତ....ମୁଚୁକି ମାରୁଥିବା ବାକୀ କଥାଗୁଡାକ ରାସ୍ତାରେ ବାଣ୍ଟି ହୋଇଗଲେ ଏ ମୁହଁରୁ ସେ ମୁହଁକୁ ।

 

.......‘‘ଦେଖିଲୁ, ତୋ ପାଇଁ ମୁଁ କ’ଣ ଆଣିଚି । ସବୁବେଳେ ଧୋବ କସ୍ତାଟାଏ ଗୁଡ଼େଇହେଲେ କ’ଣ ଭଲ ଲାଗୁଛି ?’’

 

ପାକୁଆପାଟି ମେଲାକରି, ସେ ସର୍ବଜାଣ ଦୃଷ୍ଟିରେ ଆଖି କୋରଡ଼ରୁ ଝିଲ-ଝିଲ ଅନେଇଲା ! ....‘‘ଅଭିଲା ପୁଅଟାକୁ କେମିତି ଆଉ ବୁଝେଇବି ? ଫ୍ରକଟାଏ ପୁଣି ମତେ ପିନ୍ଧେଇବ-। .....ତୋ’ ଝିଅ ହେବାକୁ କଣ ମୁଁ ନାହିଁ କରୁଚି ? ତୋରି ଘରେ ତ ମୁଁ ଜନ୍ମହେବି । ତୁ ବସା ବାନ୍ଧିଲେ ସିନା !’’ ....ଏମିତି ସେ କେତେ ଥର ନ କହିଛି ଭଲା !

 

ମୁଁ ତା’ କସ୍ତା ଶାଢ଼ି କାଢ଼ିଦେଲି । ପର କଅଁଳି ନ ଥିବା ଲୁଡ଼ୁଥୁଡ଼ୁ ପକ୍ଷୀ ଶାବକଟିଏ ଶେଯ ଉପରେ ପଡ଼ି ମୋତେ ଚାହିଁଥାଏ । ତା’ ଆଖିରୁ ସେମିତି ଧାର ଧାର ଲୁହ । ମୁହଁସାରା ଓଦାକନା ଚିପୁଡ଼ିଲାପରି କୁଞ୍ଚ କୁଞ୍ଚ । ତୁଚ୍ଛା କାନ୍ଦୁରୀଟାଏ ଦେଖି....ଏ ଫ୍ରକ୍‌ଟା କେମିତି ହେବ....ହଁ.....ଆର ହାତ ଗଳେଇ ଦେଲୁ....ମୋ ସୁନା ଝିଅଟା ପରା ! ବାଃ...ପୃଥିବୀର ସବୁ ଝିଅ ସେଇ ଫ୍ରକ୍‌ ପିନ୍ଧି ସୁନ୍ଦର ଦିଶିଗଲେ । ସମସ୍ତେ ମୋ ଝିଅ ! ମିସେସ୍‌ ମାଲହୋତ୍ରା...ମିସେସ ଦାସ, ମିସେସ ମାଲହୋତ୍ରାଙ୍କ ସାନଝିଅ ମୋର ସାନଝିଅ । ...ମୋର ସବା ସାନଝିଅ ପରା ତୁ !

 

....ଆଜି ସକାଳେ, ସର୍ବପ୍ରଥମେ ସେଇ ଫ୍ରକ୍‌ଟା ହୁତ୍‌ହୁତ୍‌ ହୋଇ ଜଳିଗଲା । ଚଡ଼ଚଡ଼ ହୋଇ ଚିତା ଜଳିଉଠିଲା । ଶୁଖିଲା ବାଲି ଉପରେ ପାଦ ପକେଇ ଚାଲିବା ଭାରି କଷ୍ଟ । ଖସ୍‌ ଖସ୍‌ ପାଦଶବ୍ଦ ଶୁଭୁଚି....ଇସ୍‌, ଶ୍ମଶାନରେ ଏତେ ବାଲି କାହୁଁ ଆସେ ?

 

X X X କିଏ….ଆରେ ଅମର, ଦେବବ୍ରତ, ବିଭୁ....ଆରେ ମିଷ୍ଟର ମାଲହୋତ୍ରା....ଆପଣମାନେ ଅପେକ୍ଷା କରି ରହିଥିଲେ ମୁଁ କେତେବେଳେ ଆଖି ଖୋଲିବି ବୋଲି ? ଆଇ ସି ! ଠିକ୍‌ ଅଛି, ସବୁ ଠିକ୍‌ ଅଛି । କାହା ପାଖରେ ଦିଆସିଲି ଅଛି ଦେଲ ଟିକିଏ-ମୁଁ ଏ ଚୁରୁଟ୍‌ଟା ଲଗାଏ । ମୋ ଦିଆସିଲି ସଂପୂର୍ଣ୍ଣ ଓଦା ।

Image

 

ବିଧାତାକୁ ଅନୁରୋଧ

 

‘‘ଆପଣଙ୍କର ମଙ୍ଗଳ ହେଉ ! ଏ ପାଣି ମୁନ୍ଦାକ ମୋର ଏ ଯାତ୍ରା ପାଇଁ ଢେର୍‌ ! ଆପଣ ଭାରି ଭଲଲୋକ ! .....ପନାଇଁ ନାଇଁ, ମୁଁ ସେମିତି ମୁଲାଇଜା ରଖି କହୁନାହିଁ । ଆପଣ ସତରେ ଭଲଲୋକ; ଆଗକାଳିଆ ଲୋକଙ୍କ ଭଳି ! ଏବେ ତ କେହି କାହା କଥା ପଚାରିବାକୁ ତର ନାହିଁ । ସମସ୍ତେ ନିଜନିଜ ପାଇଁ ଧାଇଁଛନ୍ତି । ସେମାନଙ୍କୁ ସେମିତି ଧାଇଁବାର ଦେଖିଲେ ମୋତେ ଭାରି ଦୁଃଖ ଲାଗେ । ମୁଁ ବୁଝିପାରେନାହିଁ, କାହିଁକି ସେମାନେ ସେମିତି ଧାଆଁନ୍ତି !

 

‘‘ମୋ ଗାଡ଼ି ତ ସହଜେ ବିଳମ୍ବ ! ଏ ଦକ୍ଷିଣ ଗାଡ଼ିଗୁଡାକ ସବୁବେଳେ ସେମିତି । ଆପଣଙ୍କ ଗାଡ଼ି ତ ମୋ ଗାଡ଼ି ପରେ ଆସି ଲାଗିବ । ଆପଣ ଏମିତି ଅଥୟ ନ ହୋଇ ଆସନ୍ତୁ । ଏଇ ୟାରି ଉପରେ ବସନ୍ତୁ । ପାନ ଖାଇବେ ? –ଆଚ୍ଛା ! ଆପଣଙ୍କ ନନା ଏମିତି ବଟୁଆ ଧରୁଥିଲେ ? ତେବେ ତ ଆପଣ ଖାନ୍‌ଦାନ୍‌ ଘର ପିଲା ! ନିଅନ୍ତୁ ଏଇ ପତରଟା । ନୂଆ ଚୂନ, ଦେଖି ଲଗେଇବେ; ନହେଲେ କଳ ଖାଇଯିବ !

 

‘‘......ଏବେ କଣ କି-ମଣିଷ ସବୁ ଛାଡ଼ ଛାଡ଼ ହେଇଗଲେଣି; କାଠେଇ ଗଲେଣି । ନଈରେ ନଈ ମିଶିଲା ଭଳି ଆଉ ମିଶିପାରୁନାହାନ୍ତି । ଲୋକଙ୍କୁ ଏଣିକି ବେଶି ବେଶି ଅଭାବ ଗ୍ରାସିଗଲା । ଦି’ଓଳି ଦି’ ମୁଠା ଖାଇ ବଞ୍ଚିବା ଦୁଷ୍କର ହେଇଗଲା । ସେଥିପାଇଁ ସବୁ ଗଣ୍ଠିକଟା ଚୋର ଭଳି ଅନାଚାରୀ ହେଇଗଲେ । ଆମବେଳେ ସେମିତି ଗୁଡ଼ାଏ ପଇସାବନ୍ତ ଲୋକ ନ ଥିଲେ, ହେଲେ ଭଲ ଜିନିଷ ଉପଜାତ ହେଉଥିଲା । ବେଳ ଜାଣି ଇନ୍ଦ୍ର ପାଳକ କରୁଥିଲା । ଗାଁରେ ସମସ୍ତେ ଗୋଟେ ମନ ହେଇ ଚଳୁଥିଲେ । ଜାନିଯାତ ହଉଥିଲା । ମୁଁ ଜାଣିବାରେ ସେକାଳ ଏକାଳ ଭିତରେ କେତେ ଛାଡ଼ ଛାଡ଼ ହେଇଗଲାଣି ! ସେଥିପାଇଁ କହିଲି ପରା ଆପଣ ଭାରି ଭଲ ଲୋକ । ମୁଁ ଏବେ ସେମିତି ଅପାରଗ ହେଇନାହିଁ । ନିଜେ ଯାଇ କଳରୁ ପାଣିଆଣି ପାରିଥାନ୍ତି । ତଥାପି ଆପଣ ଏ ବୁଢ଼ାଟାକୁ ଦେଖି ପାରି ପାଣି ମୁନ୍ଦେ ଆଣିଦେଲେ । ମୁଁ ଦେଖୁଛି ଏ ମୁସାଫିର୍‌ଖାନାରେ ସମସ୍ତେ ଟିକିଏ ବେଶି ଆପଣାର ଜଣାପଡ଼ନ୍ତି ! ଏ ଜାଗା ଛାଡ଼ିଯିବାକୁ ସମସ୍ତେ ନିଜନିଜ ଗାଡ଼ିପାଇଁ ଜଗି ବସିଥାନ୍ତି । ୟା’ଆଗରୁ କାହାକୁ ଜାଣିନଥାନ୍ତି । ୟା’ପରେ ପାରିହୋଇ ଯାଆନ୍ତି କାହିଁ କୁଆଡ଼େ । ସେଥିପାଇଁ ଏଇଠି ପରପିଲାଟିକୁ ଦେଖିଲେ କୋଳେଇବାକୁ ମନ ଡାକେ । ପରକୁ ଆପଣା କରିବାପାଇଁ ସମସ୍ତେ ନିଜନିଜ ଟେକପଣରୁ ନଇଁଆସନ୍ତି । ଭାରି ଭଲ ଜାଗା ଖଣ୍ଡେ ଏ ମୁସାଫିର୍‌ଖାନା ।

 

‘‘କେଇଟା ବାଜିଲା ? ....ବାରଟା ? .....ସେଥିପାଇଁ ସବୁ ନିରୋଳା ହେଇଗଲାଣି ! ....ନାଇଁ, ମୋତେ ନିଦ ନାହିଁ । ମୋ ନିଦବେଳା ଗଡ଼ିଗଲେ ରାତିସାରା ଆଉ ନିଦ ହୁଏନାହିଁ । ....ବାହାରେ ଜହ୍ନ ଆଲୁଅକୁ ଯିବା ? ଚାଲୁନାହାନ୍ତି-ମୋର କିଛି ଅସୁବିଧା ନାହିଁ । ଏ ଜିନିଷପାଇଁ କିଛି ଚିନ୍ତାନାହିଁ । ଏଠି ସମସ୍ତେ ମୋର ଚିହ୍ନା । ମୁଁ ସମସ୍ତଙ୍କୁ ତାଙ୍କ ପିଲାଦିନୁ ଜାଣେ । ....ମୁଁ ସେ ଟୋକା କୁଲି କହ୍ନେଇଆକୁ କହିଦଉଚି । ....ଚାଲନ୍ତୁ....ମୋ’ ବାଡ଼ିଖଣ୍ଡ ଧରେ.....ହାଁ ଓଃ....ହରି ହରି....

 

‘‘ବାଃ, ସତେ ତ ! ରଣିଫୁଲ ପରି ଜହ୍ନଆଲୁଅ ପଡ଼ିଛି । ....ଏଇ ଯେଉଁ ଆରପଟକୁ ଯିବାପାଇଁ ଡିଆଁ ବାଟ ହେଇଛି, ସେଇଟା ଏଇ ନୂଆ ଷ୍ଟେସନ ସାଙ୍ଗେ ଗଢ଼ାହେଲା । ହେଇ ବର୍ଷ କୋଡ଼ିଏ କି ପଚିଶ ହେଲେ ହେବ । ....ଆଉ କ’ଣ ! –ଏବକା କଥା ପରା-ପୁରୁଣା ଷ୍ଟେସନ ହେଉଛି ଆର ପଟେ । ସେଇଟା ମୋ ନନାଙ୍କ ଅମଳ କଥା । ଏ ରେଳପଇ ଯେତିକି ପୁରୁଣା, ସେ ଦି’ବଖରା ଘର ସେତିକି ପୁରୁଣା-କାହିଁ କୋଉ ଯୁଗର !

 

‘‘ଏଇଠି ବସିବାକୁ କହୁଛନ୍ତି ? ହଉ, ମୋର ଆପତ୍ତି ନାହିଁ ! .....ବାଆସ୍‌ ବସନ୍ତୁ ଆପଣ-! କ’ଣ କହିଲେ....ମୋର ଅନୁଭବ ! ....ହେଁ ହେଁ.......ମୁଁ ଗୋଟାଏ କି ଛାର ଲୋକ ! ଏ ଷ୍ଟେସନକୁ ପ୍ରତିଦିନ ହଜାର ଲୋକ ଆସନ୍ତି, ହଜାର ଲୋକ ଯାଆନ୍ତି । ଏମିତି କେତେ ହଜାର ଷ୍ଟେସନ ରହିଛି ଏଇ ଆକାଶରେ ତାରା ଭଳି । ସବୁ କେମିତି ଗୁନ୍ଥି ହୋଇ ରହିଛନ୍ତି । ଏଇ କିଛିଦିନ ତଳେ କ’ଣ ମନ ହେଲା, ମୁଁ ଏ ପଇ ହଳକୁ କୁଣ୍ଢେଇଧରି ବୁହେ କାନ୍ଦିଲି । ଏଇ ହଳକ ଏମିତି ଲମ୍ବି ଯାଇଛି ନା ଏଇଆଡ଼େ ହିମାଳୟ ଯାଏଁ ! ସେଇଆଡ଼େ ଶେଷ ସମୁଦ୍ର ଦାଢ଼ ପର୍ଯ୍ୟନ୍ତ ! ସବୁ ଷ୍ଟେସନକୁ ଏଇ ଯୋଡ଼ିଚି ନା ! ମୋତେ ଗୋଟାଏ ତତ୍ତ୍ୱ କ’ଣ ଦିଶିଗଲା–ମୁଁ ତାକୁ କୁଣ୍ଢେଇଲି । ଧାଇଁଆସିଲେ ସବୁ-! ମୋତେ ସେଇଠୁ ଭିଡ଼ିଆଣିଲେ । ଗୋଟାଏ ପୁଲିସ ବାବୁ କହିଲେ, କ’ଣ ହେଲା ମଉସା, ରେଳ ତଳେ କାହିଁକି ମରିବାକୁ ଯାଉଥିଲ ? ମୁଁ ସେଇଠୁ ଭାବିଲି-ସତେ ତ ! ସେଇଭଳି ପଇକୁ କୁଣ୍ଢେଇ ଧରି ତ ସେମାନେ ସବୁ ମରିଛନ୍ତି । ମୋ ଦିହକରେ ସେମିତି ପାଞ୍ଚ ଛ’ଟା ଦେଖିଛି । –ଛାଡ଼ । ମୁଁ କ’ଣ କହୁଚିକି, ଏ ଷ୍ଟେସନରେ ମୋର ସାରା ଜୀବନ ଏପାଖ ସେପାଖ ହେଇ ବିତିଗଲା । କହିଲେ ତୁମକୁ ମୋ’ରି କଥା ସିନା କହିବି–କିନ୍ତୁ ୟା’ କଥା କ’ଣ କହିବି ? ମୁଁ କ’ଣ ୟାକୁ ଏଯାଏଁ ବୁଝିଲିଣି-?

 

‘‘ହଉ ଶୁଣନ୍ତୁ...ଆଗେ ସେ ଆଡ଼ିକି ଅନାନ୍ତୁ । ସେ ଦୁଇ ବଖରା ହେଲା ରେଳଷ୍ଟେସନ.....ତାକୁ ଲାଗି ଡାହାଣ ଆଡ଼ିକି ଯେଉଁ ଦୁଇ ବଖରା ଦିଶୁଚି, ସେଇଟା ସାଇବମାନଙ୍କ ମୁସାଫିର୍‌ଖାନା । ସେଇଠି ଆଗ ପଟିପଙ୍ଖା ଭିଡ଼ା ହେଉଥିଲା । ତିନିହାଣ୍ଡିଆ ଜଳଯନ୍ତ୍ରରୁ ପାଣି ସେମାନେ ପିଉଥିଲେ । ତା’ପଛକୁ ଷ୍ଟେସନ ବାହାରେ ସେ ବଟଗଛଟା ମୋଠଉଁ ଆହୁରି ପୁରୁଣା । ସେଇଠି ଗୋଟାଏ କରଞ୍ଜଗଛ ଥିଲା–ମରିଗଲାଣି । ତା’ରି ଡାଳରେ ଦି’ପହର ସାରା ବସି ଜଳାକବାଟି ବାଟେ ସେ ଘର ଭିତରେ ସାଇବମାନଙ୍କୁ ଆମେ ଦେଖୁଥିଲୁ । ସେମାନେ ଅକାଳେ ସକାଳେ ଥରେ ଆସୁଥିଲେ । ସେମାନଙ୍କୁ ଦେଖିବାକୁ ଭିଡ଼ ହେଉଥିଲା । ଭୀମା ବୋଲି ଗୋଟେ ଟୋକା ଥିଲା, ସେ ଥରେ ଗୋଟେ ସାଇବାଣୀ ଦେହରେ ଘଷି ହେଇଗଲା । ସେ ନଇଁପଡ଼ି ତାକୁ ଟିକିଏ ଗେଲକଲା । ତା’ର ଚିଲା ଚିଲା ଆଖି, ହଳଦିଆ ଦାନ୍ତ, ରୁମୁରୁମିଆ ମୁହଁ ଦେଖିସାରି ଭୀମା ଯୋଡ଼ୀ ଛାଡ଼ି ପଳେଇ ଆସିଲା–ତାକୁ ଅଇ ଟେକୁଥାଏ–ସେ ଓଟାରୁଥାଏ, ବାନ୍ତିକରି ପକେଇଥାନ୍ତା-। ତା ପିଠି ଆଉଁସିବାରୁ ସେ କହିଲା–ଓଃ, ସେଗୁଡାକ ଦେଖିବାକୁ ସଫା ସିନା; କିନ୍ତୁ କି ମଇଁଷିଆ, ଆଇଁଷିଆ, ଅସନା ଗନ୍ଧ ସେଗୁଡ଼ାଙ୍କର ! କଥା ରାଷ୍ଟ୍ର ହେଇଗଲା । କେହି ଆଉ ସେମାନଙ୍କୁ ସେତେ ଶ୍ରଦ୍ଧା କଲେନାହିଁ.....ଭୀମା ଗାଁରେ ଚାଷବାସ ଦେଖୁଥିଲା । ବୁଢ଼ା ହେଇଯାଇଥିଲା, ମରିଯିବଣି-

 

‘‘.....ମୁଁ ସର୍ବପ୍ରଥମେ କେବେ ଆସିଲି ? ....ସେଇଟା ଗୋଟାଏ ନିରୋଳା ଘଟଣା । ତା’ ଏପାଖେ ସେପାଖେ ଆଉ କିଛି ମନେନାହିଁ । ରେଳ ଭିତରେ ମିଟି ମିଟି ଆଲୁଅ, ବାହାରେ ହୁ-ହୁ କାକର ପବନ । ଅଂଧାର ଅଂଧାର । କ’ଣ ସବୁ ଠିକ୍‌ ମନେପଡ଼ୁ ନାହିଁ, ଗୋଟେ ରଡ଼ି ଛାଡ଼ି ବୋଉ ମୋତେ ପଛରୁ କୁଣ୍ଢେଇ ଭିଡ଼ିନେଲା । ପାଟିତୁଣ୍ଡ ହେଲା । ବୋଉ ମୋତେ ଆଉଁସି କାନ୍ଦିବାକୁ ଲାଗିଲା । ସେତେବେଳେ ମୁଁ କିଛି ଜାଣିପାରି ନଥିଲି । ପରେ ବୁଝିଲି ଯେ, ବୋଉ କୋଳରୁ ଉଠି ମୁଁ ଦୁଆରମୁହଁ ଆଡ଼େ ଚାଲିଯାଇଥିଲି । ଚଳନ୍ତା ଟ୍ରେନ୍‌ର କବାଟ ମେଲା ଥିଲା । ରାତି ଶେଷଆଡ଼କୁ ସମସ୍ତେ ତୁଳାଉଥିଲେ । ଆଉ ଦି’ପାଉଣ୍ଡ ଆଗେଇ ଯାଇଥିଲେ କଥା ସେଇଠି ସରିଯାଇଥାନ୍ତା । କ’ଣ ମନ୍ଦ ହେଇଥାନ୍ତା ? ଅଳ୍ପ ଅଳ୍ପ ପାହାନ୍ତିଆ ଅଂଧାରରେ ଗାଡ଼ି ରହିଲା । ଆମେ ତରବରରେ ଓହ୍ଳାଉଥାଉ । ରେଳ କାହାରିପାଇଁ ରହିବନାହିଁ । ମୋ ପଛରେ ବୋଉ, ମୋ ଆଗରେ ଗୋଟାଏ ବଡ଼ ବୁଜୁଳା । ତା’ଆରପାଖେ ନନା । ଏମିତି ତଳମୁହାଁ ଓହ୍ଳେଇଲୁ । ଷ୍ଟେସନ ପିଣ୍ଡା ତେଣିକି । ରେଳ ତଳେ ଚକ । ଚକ ତଳେ ପଇ । ପଇ ତଳେ ଗେଟିପଥର । ତା’ ତଳ ଭୂଇଁରେ ଆମେ ଠିଆ ହେଲୁ । ସେ ଅଂଧାରରେ ରେଳ ଦିଶୁଥାଏ ଆକାଶକୁ ଛୁଇଁଲାପରି । ଷ୍ଟେସନ୍‌ ପିଣ୍ଡା ଦିଶୁଥାଏ ନନାଙ୍କଠଉଁ ଆହୁରି ଉଚ୍ଚ । ରେଳ ଧାକୁ ଧାକୁ ହେଇ ଚାଲିଗଲା । ମୋତେ କାଖ କରି ପ୍ରଥମେ ସେପାଖ ଷ୍ଟେସନ ପିଣ୍ଡାଯାଏଁ ନେଇ ଠିଆ କରେଇଦେଲେ ନନା । ବୋଉ କହୁଥାଏ ମୋତେ ସେତେବେଳକୁ ତିନିବର୍ଷ । –ବାହାରେ କାକର, ଅଳ୍ପ ଉଜ୍ଜ୍ୱଳ ଅଳ୍ପ ଅଂଧାର । ପାଖରେ ବୋଉ, ନନା, ଆଉ ଦୁଇ ତିନିଟି ବୁଜୁଳା । ....ସେଇ ହେଲା ଆରମ୍ଭ ।

 

‘‘ତା’ପରେ ମୋ ବୟସ ବଢ଼ୁଥାଏ । କରଞ୍ଜଗଛର ଡାଳ ବି ବଢ଼ୁଥାଏ । ଏଇଠୁ ତିନିକୋଶ ଦୂରରେ ଆମେ ରହୁଥାଉ । ଏଠି ଏମିତି ଗାଁଗଣ୍ଡା ଷ୍ଟେସନକୁ ଲାଗି କିଛି ନ ଥାଏ । ଆସ୍ତେ ଆସ୍ତେ ବଜାର ଦୋକାନ ହଉ ହଉ ଲୋକେ ଉଠିଆସନ୍ତି । ଗୋଛା ଗୋଛା ହୋଇ ଆମେ ସବୁ ପିଲାବେଳେ ଏ ରେଳ ପଇ ପାର ହୋଇ ଏପାଖ ଅପନ୍ତରା ବଣରେ ପଶିଛୁ । ଏଠି ଏଡ଼େ ବଡ଼ ସହର ଯାହା ଦେଖୁଛ ତାକୁ ଉଖାରିଦେଲେ ତୁଚ୍ଛା ବଣ-କଣ୍ଟେଇକୋଳି, ଗୁଞ୍ଜ ଲଇ ମଝିରେ ମଝିରେ ଚାକୁଣ୍ଡା ଗଛ ଭର୍ତ୍ତି । ଷ୍ଟେସନ ପାଖେ ସଞ୍ଜ ହେଲେ ଡକାଇତ ବୁଲୁଥିଲେ । ପୁରୁଣା ମନ୍ଦିର ରାସ୍ତାକୁ ବାହାରିଗଲେ ସମସ୍ତଙ୍କୁ ଲଙ୍ଗଳା କରି ଲୁଟି ନେଉଥିଲେ । ଆମ ଗାଁର ଗେଣ୍ଡୁଆ ହାତୀ ଭଳି ଏଡ଼େ ମଣିଷ । ସେ ପ୍ରକୃତରେ ଏଇଠି କୁଲିକାମ କରୁଥିଲା । ହାଲିଆ ହେଇଗଲେ ମଦ ଖାଇ ରାତିରେ ସେଇ ଷ୍ଟେସନରେ ଶୋଇଯାଉଥିଲା । ତା କଟାସ ନିଶ, ରଙ୍ଗ ଟହଟହ ଆଖି ଦେଖି ତାକୁ ଡକାଇତ ବୋଲି ଲୋକେ ତୁଚ୍ଛାରେ ଖଚ କହୁଥିଲେ । ଗେଣ୍ଡୁଆକୁ ମୁଁ ଭାଇନା ମାନ୍ୟ କରୁଥିଲି । ଷ୍ଟେସନକୁ ଆସିଲେ ଗେଣ୍ଡୁଆ ଭାଇନା ପାଇଁ ନିଧଡ଼କ ଲାଗୁଥିଲା । ମୋ ପିଠିରେ ଗେଲରେ ଗୋଟାଏ ପୋଲା ଚାପୁଡ଼ା ବସେଇଦେଲେ ମୋ ପଞ୍ଜରା ଦୁଲୁକି ଯାଉଥିଲା । ଗେଣ୍ଡୁଆ ଭାଇନା ଅକାଳରେ ଚାଲିଗଲା । କିଏ କହିଲା ତାକୁ ମାରିଦେଲେ । କିଏ କହିଲା ନିଶା ଖାଇ ତା କଲିଜା ପାଣି ହେଇଗଲା-ଗୋଟାଏ ଦିନ ଦଶଜଣ ମଣିଷ ତା’ କୋକେଇ କାନ୍ଧେଇ ଏଇଠୁ ନେଇଗଲେ । ତା’ଆର ଦିନଠୁ ଷ୍ଟେସନରେ ଠିଆହେଲେ ଛନଛନ ଲାଗିଲା ।

 

‘‘....ମୋ ଘରକଥା ପଚାରୁଛନ୍ତି ? –ମୋର ପିଠିରେ ଗୋଟାଏ ଭଉଣୀ । ଆହା ବିଚାରୀ ଭାରି ଦୁଃଖ ପାଇ ମରିଗଲା । ସେ ମୋଠୁ ଚାରିବର୍ଷ ସାନ । ‘ସୁଲ’ କୁ ଯୋଉ ଦିନ-ସୁଲ ପରା ମୋ ଭଉଣୀ-ତା ନାଁ ସୁଲକ୍ଷଣା-ଆମେ ଡାକୁଥିଲୁ ସୁଲ-ଯୋଉ ଦିନ ଶାଶୁଘରକୁ ଛାଡ଼ିଲୁ, ଏଇ ଷ୍ଟେସନରେ ଆମ ଗାଁ ତା’ ଶାଶୁଘର ଗାଁ ଲୋକ ସବୁ ଭର୍ତ୍ତିହେଇ ରହିଛନ୍ତି । ଷ୍ଟେସନମାଷ୍ଟ୍ରଟା ତେଲେଙ୍ଗା ସିନା ଭାରି ଭଲ ମଣିଷ । ଆମ ସମସ୍ତିଙ୍କୁ ନିଜର ବୋଲି ଜ୍ଞାନ କରୁଥିଲା । ସେ ସୁଲକୁ ସେ ଦିନ ଖଣ୍ଡେ ମାଣିଆବନ୍ଧି ଘୋଡ଼େଇ ଦେଇଥିଲା । ସେଇଠି ସମସ୍ତଙ୍କ ଆଗରେ ଆଖି ମନ୍ଥି କାନ୍ଦୁଥାଏ । ରେଳୁଆ ଟିକଟବାବୁମାନଙ୍କୁ ତା’ ବୋଲିରେ କ’ଣ ସବୁ ବୁଝେଇଲା । ସେମାନେ ଖୁବ୍‌ ଭରସା ଦେଇ ନିଜେ ସବୁ ଜିନିଷର ତଦାରଖ କରି ଡବାରେ ଚଢ଼େଇଲେ । ଗୋଟିଏ ଛୋଟିଆ ଡବା ଖାଲି କରିଦେଲେ । ସମସ୍ତେ ଷ୍ଟେସନମାଷ୍ଟ୍ରଙ୍କୁ ଧନ୍ୟ ଧନ୍ୟ କରୁଥାନ୍ତି । କିଏ ଜଣେ ଗୁମର ବୁଝି ପ୍ରଘଟ କଲା ଯେ, ତା’ ଗାଁରେ ତା’ର ବଢ଼ିଲାଝିଅ କ’ଣ ବାଧିକା ପଡ଼ି ମରିଯାଇଥିଲା । ତା’ ପାଇଁ ବରଘର ଖୋଜା ସରିଥିଲା–ହେଲାନାହିଁ । ବିଧାତା ଆନ କରିଦେଲା । ....ଛାଡ଼ନ୍ତୁ-ହଁ, ସୁଲ ଗଲା ଶାଶୁଘର–ଜମିବାଡ଼ି, ଘର ବର ସବୁ ଭଲ । କଇଛି ଖୁଣିଦେବାକୁ ନାହିଁ । ଦି’ ବର୍ଷ ଭିତରେ ଯୋଡ଼ାଏ ପିଲା ହୋଇଗଲେ । ସେଇ ହେଲା ତା’ର କାଳ । ଦେହ ଶେତା ପଡ଼ିଗଲା, ହାତଗୋଡ଼ ଫୁଲିଗଲା । କେତେ କ’ଣ ଓଷୁଅ ବିଷ ହେଲା । ତା’ ଶାଶୁଘର ତା’ପାଇଁ ବହୁତ ଖର୍ଚ୍ଚ କଲା । ତା’ ସ୍ୱାମୀ ତାକୁ ଟେକପାଳ କଲା ଦୁଇବର୍ଷକାଳ । ତା’ରି ଭିତରେ ତା’ର ସାନ ପିଲାଟା ମରିଗଲା ଅଣହେପାଜତରେ । ତାରି ଭିତରେ ସୁଲ ଅଡ଼ିବସିଲା ମୋ ବିଭାଘର ଦେଖିବାକୁ । ତାଙ୍କରି ଘରେ ପାଲଟ କନ୍ୟା କରି ତା’ନଣନ୍ଦକୁ ମୋ ପାଇଁ ଖଞ୍ଜିଲା । ସୁଲର ସେତେବେଳେ ଯାହା ଅବସ୍ଥା ! କତରାଲାଗି ହେଇ ପଡ଼ିଥାଏ । ସୋହସି ହେଲେ କଥା ବାହାରୁଥାଏ ! କେହି ତା ମନ ଭାଙ୍ଗି ପାରିଲେ ନାହିଁ । ବିଭାଘର ହେଲା । ନନା ଆମ ଦୁହିଁଙ୍କୁ ନେଇ ସୁଲ ଖଟପାଖେ ଠିଆ କଲେ । ସୁଲ ହାତ ଧରି ପିଲାଙ୍କ ପରି କାନ୍ଦି ପକେଇଲା । ସେ ଆମକୁ ଦେଖି ଧକେଇଲା । ଏକା ଲୟରେ ଆମକୁ ଚାହିଁ ରହିଥାଏ । ତା’ ଓଠ ଥରୁଥାଏ । ଆଖିରୁ ଡବଡ଼ବ ପାଣି ନିଗିଡ଼ି ଯାଉଥାଏ । ତା’ ଭିତର ହାନ୍ଦୋଳି ହଉଥାଏ ଖୁସିରେ; ହେଲେ କଥା ପଦେ କହିବାକୁ ସକ୍ଷମ ନ ଥାଏ । ଓଃ.....ହରି, ସେପରି ଦୁଃଖ ଶତ୍ରୁକୁ ସୁଦ୍ଧା ନ ହେଉ....

 

.....ଆମେ ଏଇ ଷ୍ଟେସନରେ ଆସି ଓହ୍ଳେଇଲୁ । ଆଉ ଗୋଟାଏ ଷ୍ଟେସନମାଷ୍ଟର ସେତେବେଳକୁ ଆସିଗଲାଣି । ସେଇଟା ହିଡ଼ିମ୍ୱାଟାଏ । ଜମା କିଛି ବୁଝିବନାହିଁ । ଘୋ’ କିନା ପାଟିଟାଏ କରିବ-ସେ ଆମକୁ ଭାରି ହିନସ୍ତା କଲା । କହିଲା, ଖାଲି ଟିକସ ପକେଇବ । –ତାକୁ କୁହାବୋଲା କରି କୌଣସିମତେ ଗଲୁ ବାହାରି ଯେ, ଆଉ ମୁଁ ଏଣେ ଆସିଲି ନାହିଁ !

 

....ଆଉ ପଚାରନ୍ତୁ ନାହିଁ । ଏଣିକି ଏଣିକି ଖାଲି କଷ୍ଟର ଦିନ । ବୋଉ ଚାଲିଗଲା । ନନା ବାୟାପରି ବୁଲିଲେ । ସେଇ ଷ୍ଟେସନ ପିଣ୍ଡାରେ କରଞ୍ଜ ଗଛ ମୂଳେ ବସି ଏକୁଟିଆ କାନ୍ଦିଲେ-! ....ସେଇଠୁ ବାଧିକା ପଡ଼ିଲେ ଯେ, ଉଠିଗଲେ ଏକାଥରକେ । ୟାରି ଭିତରେ ତାଙ୍କ ଭଉଣୀ-ମୋ ପିଉସୀ-ଆସି ପହଞ୍ଚିଥିଲା । ନନା ସେତେବେଳକୁ ଥାଆନ୍ତି-ତା’ ଦେହ ମଧ୍ୟ ସୁଖ ନଥାଏ । ସେ ଯେଉଁଦିନ ଜିଦ୍‌ କରି ଯିବ ବୋଲି ବସିଲା, ଜରରେ ଖାଲି ଫାଇଁଫାଇଁ ହଉଥାଏ । ତାକୁ ଶଗଡ଼ରେ ଷ୍ଟେସନକୁ ଆଣିଲୁ । ଗୋଟାଏ ଖାଲି ଡବାରେ ସେ ଗୋଡ଼ ଲମ୍ୱେଇ ବାଡ଼କୁ ଆଉଜି ବସିଲା । ମୁଁ ବାହାରେ ଠିଆହୋଇଥାଏ । ମୋତେ ପାଣି ମାଗିଲା । ଗୋଟେ ଗିନାରେ ପାଣି ଦେଲାବେଳକୁ ମୋ ହାତ ଯୋଡାକ ଧରି ପାଣିଯାକ ଏକା ନିଃଶ୍ୱାସରେ ପିଇଦେଲା । ଦୁଇଧାର ଲୁହ ଗଡ଼ିଗଲା । ମୋ ମୁହଁକୁ ଚାହିଁ ରହିଥାଏ । କହିଲା, ‘‘ତୋ ହାତରୁ ଏଇ ପାଣି ମୁନ୍ଦାକ ପିଇପାଉଚିରେ ଧନ, ଆଉ ପାଇବି ନାହିଁ । ଘରଦ୍ୱାର କରି ଶହେ ବର୍ଷ ଭୋଗ କର । ଯାଉଚି ମୁଁ !’’ ରେଳ ଛାଡ଼ିଦେଲା । ଆଉ ପିଉସୀକୁ ମୁଁ ଦେଖି ନାହିଁ ।

 

.....ତା’ ଉତ୍ତାରୁ ନନା ଚାଲିଗଲେ । ଘର ଉଜୁଡ଼ିଗଲା । ଭାଇ ଭଗାରି ହୋଇଗଲେ । ଯୋଡ଼ିଏ ପିଲାଙ୍କୁ ନେଇ ମୁଁ ଏଇ ରେଳପଥ ଡେଇଁ ଅପନ୍ତରାରେ ପଡ଼ିଲି । ଏଇଠି ପଲ୍ଲୀଟିଏ ହଉଥାଏ । ସମସ୍ତେ କଥା ହଉଥାନ୍ତି ଯେ, ଏଠି ସହର ହବ ! ନିଆଶ୍ରୀ ହୋଇ ବାହାରି ଆସିଲି । ପାନ ଦୋକାନଟିଏ ଦେବାପାଇଁ ଯେଉଁ କଷ୍ଟ, ଆଉ କହି ନୁହେଁ । ...କିଛି କୋଉଠି ନ ଥାଏ । ସେଇ ଠାକୁରେ ବଡ଼ଲୋକ ! ନିର୍ମୂଳି ଲଇର ଚେର ମଡ଼େଇଦେଲେ ! ....ଏଇ ଅଞ୍ଚଳରେ ଆସି ତିରିଶି ବର୍ଷ ହୋଇଗଲା ! ପିଲାଏ ପାଠ ପଢ଼ିଲେ । ଗୋଟାଏ ଏଇ ରେଳବାଇରେ କାମ କଲା । ଆରଟା ହାତରେ କିଛି ହେଲାନାଇଁ, ସେ ଦୋକାନରେ ବସିଲା । ଘରେ ଗୋଛାଏ ନାତିନାତୁଣୀ-ଖାଇବା ଚଳିଯାଉଚି, ହେଲେ ଆଉ କିଛି ସୁଖ ଲାଗୁନାହିଁ । ଅଧର୍ମ ବଢ଼ିବାରେ ଲାଗିଛି । ଦିନୁଦିନ ଖଚମିଛ, ବାଡ଼ିଆପିଟା, ହଣାହଣି ଦେଖି ମୁଁ ଶଙ୍କି ଗଲିଣି । ଆଗଭଳି ଆଉ ଜଗାଜଗି ନାହିଁ-ରେଳର ଇଜ୍ଜତ ଗଲାଣି । ଯେ ମନ ସିଏ ବଳାତ୍କାର ଚଢ଼ିଯାଉଛନ୍ତି । ଶିକୁଳି ଭିଡ଼ି ଓହ୍ଳେଇ ଯାଉଛନ୍ତି..... ।

 

ଛାଡ଼ନ୍ତୁ କି ଛାର ଲୋକଠଉଁ ଆପଣ ଏତେ କଥା ଏତେ ସମୟଧରି ଶୁଣିଲେ । ଆପଣ ଅଫିସର ବାବୁପରି ଜଣା ପଡ଼ୁଛନ୍ତି । କ’ଣ କହିଲେ ? ....ଆପଣ ଗଳ୍ପ ଲେଖନ୍ତି ? ସତେ ? ....କେଡ଼େ ପଣ୍ଡିତ ଲୋକ ଆପଣ ! ...ମୋରି କଥା ଗଳ୍ପକରି ଲେଖିବେ ? କେଡ଼େ ଭାଗ୍ୟ ମୋର-! ହେଲେ ମହାଶୟ, ଏସବୁ କ’ଣ ଏମିତି କଞ୍ଚା, ଅଚଞ୍ଚା, ଅକଟା ଗଳ୍ପ ହବ ! ତାକୁ ଆପଣ ଟିକିଏ ମାଠିବେ ନା’ ! କେତେ ମୋଡ଼ିବେ, ଯୋଡ଼ିବେ, ବାଗେଇବେ ! ଆପଣ ଜାଣି ଆଉଥରେ ମୋତେ ଜନ୍ମଦେବେ ! ତେବେ....ତେବେ....ମୋର ଅନୁରୋଧ ରଖିପାରିବେ ? .....ମୋ ନାଁ ତ ମୁଁ କହିନାହିଁ-। ମୋ ବୋଉ ମୋତେ ଅପ୍ରତିଆଣି ନାଁଟାଏ ଦେଇଥିଲା । ସେ ନାଁଟା ମୋର ଭାରି ପ୍ରିୟ–‘ପଠାଣି’ ବୋଲି ଆଜିକାଲି ଆଉ ନାଁ ନାହିଁ ! –ମୋ ବୋଉ ଡାକିଲାପରି ବି ଆଉ କେହି ଡାକୁ ନାହାନ୍ତି ! ....ଆପଣ ତାକୁ ବଦଳେଇ ଦେବେ ! ଈଶ୍ୱରଙ୍କ ନାଁଟିଏ ଦେବେ ! ....ଆଉ ପାରିବେ ଯଦି, ମୋତେ ଏଇ ରେଳବାଇରେ ଚାକିରି ଖଣ୍ଡିଏ କରେଇଦେବେ । ମୁଁ ଯେମିତି ସବୁବେଳେ ରେଳରେ ବୁଲୁଥିବି, ଦେଶ ଦେଶ । ମୋ ପିଲାଏ ଏଠି ରହନ୍ତୁ । କିଛି ଯାଏ । ଆସେ ନାହିଁ । ମୁଁ ବୁଢ଼ାବେଳକୁ ମୋ ସ୍ତ୍ରୀକୁ ନେଇ ସରକାରୀ ପାସ୍‌ ଧରି ତୀର୍ଥ କରି ଯିବି । ସେ ମରିଗଲା-। ମରୁ । ମାତ୍ର ତା ପୂର୍ବରୁ ତାକୁ ଥରେ ଚାରିଧାମ ବୁଲେଇ ଆଣିବାର ବ୍ୟବସ୍ଥା କରିଦେବେ ! ...ଆଉ, ଆଉ କତାଏ କହିବି । ‘ସୁଲ’ଟିକୁ ଏମିତି ଅଳ୍ପବୟସରେ ମାରିବେ ନାଇଁ ! ସେ କ’ଣ ଆପଣଙ୍କ ସୃଷ୍ଟିରେ ବଞ୍ଚିରହିଲେ ସେମିତି ଗୁଡ଼ାଏ ଅସୁବିଧା କରିବ ? ତାର ସେ କୋଡ଼ପିଲା ଯୋଡ଼ିକୁ ସେମିତି ମାରିବେନାହିଁ ! ତା ପିଲା ଯୋଡ଼ିକର ବଢ଼ତି ଦେଖିଲେ ଆପଣଙ୍କର ଜୟ ହେବ-! ଗୋଟାଏ ସେଥିରୁ ପାଠ ପଢ଼ି କଲେକ୍ଟର ହଉ ! କାହିଁରେ କ’ଣ ଧନୀ ହେଇ କୋଠା କରୁ ! ଗାଡ଼ି ମଟରରେ ଚଢ଼ୁ ! ଏଇ ଷ୍ଟେସନରେ ତାକୁ ଛାଡ଼ିବାକୁ ଶହେଲୋକ ଫୁଲମାଳ ଧରି ଠିଆ ହୁଅନ୍ତୁ । ମୁଁ ସେମିତି ରେଳବାଇରେ କାମ କରୁଥାଏ । ସେ ମୋତେ ଦେଖି ମାମୁ ବୋଲି ଡାକୁ ! ଥରେ ପାଦ ଛୁଇଁ ନମସ୍କାର ହେଉ ! ସେଥିରେ ତାକୁ ସମସ୍ତେ ଧନ୍ୟ ଧନ୍ୟ କହନ୍ତୁ ! ....ଆର ପିଲାଟାକୁ ମଧ୍ୟ ସେମିତି କ’ଣ ବଡ଼ ଲୋକଟାଏ କରିଦିଅନ୍ତୁ ! ସୁଲକୁ ମାରନ୍ତୁ ନାଇଁ । ....ଆଉ ପଦେ, ....ଏଇ ଯେଉଁଆଜି ମୋତେ ଦେଖିଲେ ରେଳରେ ଯିବାକୁ ବସିଛି....ଦକ୍ଷିଣ ରେଳ ବିଳମ୍ୱ ହେଉଚି....ଏଥିରେ ମୋତେ ଏକାଥରେ ହଜେଇ ଦିଅନ୍ତୁ । ଯିବି ତ...ଯିବି...., ଆଉ ଫେରିବିନାହିଁ-!-–ଦକ୍ଷିଣରୁ କୋଉଠୁ ଆସିଥିଲି ମନେନାହିଁ । ସେଇ ଦକ୍ଷିଣକୁ ଚାଲିଯିବି । ଆପଣଙ୍କ ଭଳି ସେ ଏଇ ମୂଳ ଗଳ୍ପଟିକୁ ଲେଖିଦେଲା । ସେଇଟା କିଛି ବାଗ ହେଲାନାହିଁ । ଲିଭି ଆସିଲାଣି ! ତାକୁ ଆପଣ ସୁଧାରି ଆଉଥରେ ଲେଖି ପାରିବେନାହିଁ ? ନିଶ୍ଚୟ ପାରିବେ । ଆପଣ ଭାରି ଭଲ ଲୋକ, ମୁଁ ଜାଣେ ! ଆପଣଙ୍କ ପାଣି ମୁନ୍ଦାକରେ ମୋର ଏ ଯାତ୍ରା ସରିଯିବ ।

Image

 

ଅନ୍ୟ ଏକ ସକାଳ

 

ସେ ଅଞ୍ଚଳଟା ଯେତେବେଳେ ଦେଖ ଅନ୍ଧାର ! ନିହାତି ଅପନ୍ତରା ବୋମି ଖାଲୁଆ ଅଞ୍ଚଳ । ସେଥିରେ ପୁଣି ବାଁ ପଟେ ଏମିତି ପଥୁରିଆ ଗହୀର ଖଣା ଯେ, ଗଳି ପଡ଼ିଲେ ଛତୁ ହୋଇଯିବ ମଣିଷ । ଯେ କେହି ହେଲେ ଚିଡ଼ିଯିବା କଥା । ସେ ତ ସହଜେ ରାଓ୍ୱଲ ସାହେବ, ଏକ୍‌ଜିକ୍ୟୁଟିଭ ଇଞ୍ଜିନିଅର ।

 

ରବିବାର ବଣଭୋଜିରୁ ସେ ଫେରିଥାନ୍ତି ମୁହଁ ସଞ୍ଜବେଳେ । ଦେଖିଲେ ଦୁଆରେ ତାଲା ପଡ଼ିଛି । ପିଣ୍ଡାରେ ପହିଜ କାଟୁଛି ଘର ମାଲିକ ।

 

‘‘କିଓ ମହାଜନେ, ଅବେଳରେ କୁଆଡ଼େ ?’’

 

‘‘ନାଇଁ ସାରେ, ଆପଣ ତ ନିଶ୍ଚେ ଏମିତିନି ଡକେଇ ଥାଆନ୍ତେ । ଆପଣଙ୍କୁ ମନ ଲାଖି କ’ଣ ଏ ଘର ? ମୁଁ ପରା ମୂଳରୁ ଜାଣେ, ଆପଣ ଏଠି ମାସେ ବି ରହିପାରିବେ ନାହିଁ !’’

 

ତାଲା ଫିଟୋଉ ପିଟୋଉ ଧନେଶ୍ୱର ରାଉଳ ଓରେଫ୍‌ ରାଓ୍ୱଲ ସାହେବ ପଛକୁ ବୁଲିପଡ଼ି ପଚାରିଲେ, ‘‘ମାନେ ?’’ –ଗାଡ଼ିରୁ କଳରବ କରି ଓହ୍ଳେଇ ଆସୁଥିବା ନିଜର ପରିବାରକୁ ଶୁଣାଇଲାପରି କହିଲେ ‘‘ତମେ କ’ଣ ଆମକୁ ଏ ଘରୁ ତଡ଼ିଦେବ ନା’ କ’ଣ ?’’

 

ମାଲିକ ସଚ୍ଚି ସାହୁ, ମୁହଁ ସଞ୍ଜବେଳେ ଅନ୍ଧାରୁଆ ପିଣ୍ଡାରେ କେମିତି ଖୋସାମତି କଲାପରି ହସିଲା, ‘‘ହି ହି, ହି’’–

 

କବାଟ ଧଡ଼୍‌ ଧାଡ଼୍‌ ଫିଟିଗଲା । ରାଓ୍ୱଲ ସାହେବ ଲାଗିଇ ଘରକୁ ଚିହ୍ନିପାରିଲେ ନାହିଁ । ଥ’ ହେଇ ଠିଆ ହୋଇଗଲେ ।

 

ସବି ସାହୁ ସେମିତି ହାତ ମନ୍ଥିଲା ଭଳି ଚିକ୍‌କଣ ନରମ ସ୍ୱରରେ କହିଲା, ‘‘ଭାରି ଭଲ ନୋକଗୁଡ଼ିଏ ସାରେ । ଆପଣଙ୍କ ନୋକ ଯେତେହେଲେ ! ସବୁ ଘର ଓଳେଇ ପାଣି ପକେଇ ଧୁଆଧୋଇ କରି ଦେଇଚିନି । ...ଭାରି ହିପାଜତ୍‌ରେ ଜିନିଷ ଟ୍ରକରେ ରଖିଚିନି ସାରେ । କାନ୍ଥରୁ କାଲେଣ୍ଡର ନଗାତ୍‌ ନେଇ ଯାଇଚିନି ! ଆପଣଙ୍କୁ ଆଉ କିଛି ଖୋଜିବାକୁ ହବନାହିଁ ସାରେ ।’’

 

ରାଓ୍ୱଲ ସାହେବ ଶୂନ୍‌ମାରି ଦେଲାପରି ବିହ୍ୱଳହୋଇ ଚାହିଁଥାନ୍ତି । ତାଙ୍କ ପିଲାଏ ଏଘରୁ ସେ ଘର ବୁଲି ଆସି ସେଇଠି ଆସି ଠିଆହେଲେ । ସେମାନେ କେହି ଏ ଘରର ନୁହଁନ୍ତି; ଏ ଖାଲି କାନ୍ଥ, ଧୂଆ ଧୋଇ ଚଟାଣ, ତାଙ୍କର ନୁହେଁ-ଏଇ ଗାଡ଼ିରେ ବସି ତାଙ୍କ ଘରକୁ ସେମାନେ ଏଇଲାଗେ ଚାଲିଯିବେ-ଏହିପରି ଢଙ୍ଗ ସେମାନଙ୍କର ।

 

ଝିଅ ବାଲୁ ବାଲୁ ଚାହିଁ କହିଲା, ‘‘ଡାଡ଼ି, ଆମ ଜିନିଷ ସବୁ କାହିଁ ? ତମ ଆଲମାରି, ଆମ ଆଲମାରି, ମମ୍ମିର ଗଡ଼ରେଜ୍‌ ଡାଇନିଂ ଟେବୁଲ....ସୋଫା, କାର୍ପେଟ ରେଡ଼ିଓଗ୍ରାମ ? ?’’

 

ସଚ୍ଚି ସାହୁ ପିଣ୍ଡାରୁ ସାକୁଲେଇ କହିଲା, ସାରେ, ପିଲାଙ୍କୁ ସୁଧା କହି ନାହାନ୍ତି ପରା ! ଦି’ପହରେ ତମ ନୋକ ସବୁ ଆସି ଟ୍ରକରେ ଜିନିଷ ନଦି ନେଇଗଲେ ନୂଆ ଘରକୁ ! ସାରେ ପରା କଞ୍ଚି ଫେରେଇବାକୁ ଆସିଛନ୍ତି ! ସେମାନେ କହିଲେ, ‘‘ସଞ୍ଜବେଳକୁ ତମେ ଆସିଥିବ, ସାହେବ ନିଜେ ଆସି କଞ୍ଚି ଫେରେଇବେ ! ଭାରି ପକ୍‌କା ନୋକ, ଆଉ କାହା ହାତରେ ଦେବେନାହିଁ । ହେ ହେ ହେ । ହେ ହେ ହେ ।’’

 

ରାଓ୍ୱଲ ସାହେବ ଆଖିବୁଜି କାନ୍ଥଟାକୁ ଦରାଣ୍ଡି ଧରି ନେଲେ । ସେଇଠି ଲୋଚା କୋଚା ହୋଇ ବସିପଡ଼ିଲେ । ପିଲାଏ ଚିହଁକିଲେ । ତାଙ୍କ ମମ୍ମି ରଡ଼ି ଛାଡ଼ିଲେ । ମୁହଁରେ ମୁନ୍ଦେ ପାଣି ଛିଞ୍ଚିବାକୁ ଘରେ କିଛି ନାହିଁ । ସାଇ ପଡ଼ିଶା ରୁଣ୍ଡ ହୋଇଗଲେ । ପୋଲିସ ଆସିଲେ । କାଳିଆ କସରା କୁକୁର ଆସିଲେ । ଡାକ୍ତର ଆସିଲେ । ସାମ୍ୱାଦିକ ଆସିଲେ । ଦିନ ଦି’ପହରେ ଅଦ୍ଭୁତ ଚୋରି । ଇଞ୍ଜିନିୟର ସର୍ବସ୍ୱାନ୍ତ ! ଘମାଘୋଟ ତଦନ୍ତ ଚାଲିଛି ।

 

ଏହିପରି ଏହିପରି ସେ ଖଣ୍ଡମଣ୍ଡଳ ଦୁଲୁକିଲା କିଛିଦିନ । ତା’ ଉତ୍ତାରୁ ଥୟ ପଡ଼ିଗଲା ସବୁ । ରାଓ୍ୱଲ ସାହେବ ଝିଞ୍ଜିରି ଗଲେ । ଫେରି ଆସିଲେ ଟୋକା ଓଭରସିଅର ସମୟର ଶସ୍ତା ବେତ ଚୌକି, ପଟା ଖଟ ଅମଳକୁ !

 

X X X

 

ସଚ୍ଚି ସାହୁକୁ ଏବେ ‘ସାହୁ ବାବୁ’ ବୋଲି ସେ ଡାକୁଛନ୍ତି । ପ୍ରତିଦିନ ସଞ୍ଜବେଳେ ସେ ଆସି ପିଣ୍ଡାରେ ଘଡ଼ିଏ ବସି ଭଲ ମନ୍ଦ ବୁଝି ଦେଇଯାଉଛି ।

 

ଘରେ, ବାହାରେ, ଅଫିସରେ, କାତି ଛାଡ଼ିଥିବା ନହକା ଗୋଖରପରି ରାଓ୍ୱଲ ସାହେବ କଥାକଥାକେ ଫାଉଁକିନା ଚିଡ଼ିଯାଉଛନ୍ତି । ଶୋଧିଦେଇ ଯାଉଛନ୍ତି ଏକପଟିଆ ଯାହାକୁ ମନ ତା’କୁ । ସେଦିନ ଗୋଡ଼େଇଗଲେ ତାକୁ ରାସ୍ତା ଯାଏଁ । ‘‘ନିକଲ ଯା ବେ, ଶାଲା, ସୁଅର କା ବଚ୍ଚା ! ଭାଗବତ ନାଁ ଘୋଡ଼ାଡ଼ିମ୍ୱ ! କିଏ ପଢ଼ିବ ବୋଲି ମୁଁ କାହିଁକି ଚାନ୍ଦାଦେବି ! କୋଉ ଦେବତା ମୋତେ ରଖିନାହିଁ । ମୋ ଦୁଆରେ ଦିଅଁ ନା ନେଇଚ ଶଳେ, ଜୋତା କାଢ଼ି ବାଡ଼େଇବି, ଯାହା ହବାର ହବ-।’’

 

ଅଗଣାରୁ କଳା ମଚମଚ ତୁଳସୀ ଗଛଟାକୁ ଉପାଡ଼ି ଫୋପାଡ଼ି ଦେଲେ । ଦିଅଁ ଘରୁ ବସବୁ ଫଟୋ କାଗଜ ଚିରି ଦିଆସିଲି ଲଗେଇଦେଲେ । ଯା’ଭିତରେ ଚିଡ଼ି ଯାଇ ସ୍ତ୍ରୀଙ୍କୁ ବାଡ଼େଇଲେ ଦିନେ ଗୋଟାଏ କାଠ ଫାଳିଆରେ । ପିଲାଏ ଭୟରେ ତାଙ୍କ ପାଖ ପଶୁ ନାହାନ୍ତି । ସମସ୍ତେ ଚାଲି ଚାଲି ଯୁଆଡ଼େ ଯିବାର ଯାଉଛନ୍ତି–ରିକ୍‌ସା ଖର୍ଚ୍ଚ ମାଗିବାକୁ କାହାରି ସାହସ ନାହିଁ । ସେ ନିଜେ ଚାଲି ଚାଲି ଅଫିସ ଯାଉଛନ୍ତି । ଦୁଇ ଦିନରେ ଥରେ ଦାଢ଼ି କାଟୁଛନ୍ତି ! ମହୁ ଘରେ ନିଆଁ ହୁଳା ଲଗେଇଦେଲା ପରେ ବାଘୁଆ ମହୁମାଛି ଯେମିତି ପ୍‌ପାଇଁ ପ୍‌ପାଇଁ ଲାହୁଡ଼ ଲାଛିଦିଏ ସେଇଭଳି ତାଙ୍କ କଥା ।

 

ରାଓ୍ୱଲ ସାହେବ ଅଧେ ଝଡ଼ିଗଲେଣି । ଦିନକୁ ଦିନ ବେଶି ଶୁଖିଲା ଦେଖାଯାଉଛନ୍ତି । ଏଣିକି ରାତିରେ କୋଉଠି ବୁଲି ବୁଲି ଫେରୁଛନ୍ତି । ଗତ ଶୁତ୍ରବାର ଦିନ ରାତିରେ ଜମା ଆସିଲେ ନାହିଁ । ଶନିବାର ଛୁଟି । ଆସି ଦିନ ଦଶଟାରେ ପହଞ୍ଚିଲେ । ଆଖି ଚାରିଆଡ଼େ କଳା ଦାଗ । ମୁହଁରେ ଦୁଇ ଦିନର ରୁଢ଼ । ଓଠ ଶୁଣିଲା । ସ୍ତ୍ରୀ ଆଖି ଥନ ଥନ କରି ଆସି ଆଗରେ ଠିଆ ହେଲେ-। ନିଆଁ ରଡ଼ ପରି ଆଖିରେ ଗାରଡେଇଁ ଚାହିଁ ଦାନ୍ତ ଚୋବେଇବାରୁ ଘୁଞ୍ଚିଗଲେ । ଲୁଗାକାନିରେ ଲୁହ ପୋଛି ପୋଛି ଶୋଇବା ଘରକୁ ଯାଇ ପଲଙ୍କ ଉପରେ କାନ୍ଥକୁ ଆଉଜି ବସିଥାନ୍ତି । ଆଖିରୁ ଲୁହ ବୋହି ଯାଉଥାଏ । ଝିଅ ପୁଅ, ଦାଣ୍ଡ ପିଣ୍ଡାକୁ ଟିପେଇ ଟିପେଇ ଯାଇ ବାପାଙ୍କୁ ଦେଖି ଜିଭ କାମୁଡ଼ି ଫେରିଆସିଲେ । ଝିଅଟାକୁ ବୟସ ହେଲାଣି । ସେ ବୁଝିଲାଣି ସବୁ । ତା’ମୁହଁଟି ଶୁଖି ଆଖି ଥନ ଥନ ହୋଇଗଲା । ସେ ମନ ବାଆଁରେଇବାକୁ ଭାଇର ଫିଟିଯାଉଥିବା ବୁକୁପାଖ ବୋତାମଟାକୁ ଲଗେଇ ଦଉଥାଏ.....

 

କିଏ ବୋଧେ ଆସିଲା । ସେମାନେ ଭୁସ୍‌କିନା ଉଠି ଝରକା ପାଖକୁ ଅନେଇଲେ । ଚାରିଜଣ ଲମ୍ୱା ଲମ୍ୱା ଟୋକା । କଲେଜ ପିଲା ହେଇପାରନ୍ତି । ଦେଖୁ ଦେଖୁ ସେମାନେ ଜାଣିଦେଲେ ଯେ, ଚାନ୍ଦା ମାଗି ଆସିଛନ୍ତି । ଜଣକ ହାତରେ ରସିଦ ବହି । ପରଦା ଆଢ଼ୁଆଳରେ ଧୁନି ଆଉ ବିଭୁ ଜିଭ କାମୁଡ଼ି ଏଡ଼େ ଏଡ଼େ ଆଖିରେ ପରସ୍ପର ଚାହୁଁଥାନ୍ତି । ଏଇଲାଗେ ବୋଧହୁଏ ପ୍ରଳୟ ହୋଇଯିବ ।

 

‘‘ନମସ୍କାର ସାର୍‌ !’’

 

ନିଃଶ୍ୱାସ ବନ୍ଦ କରିଦେଲେ । ୟା’ପରେ ବାଘ ଗର୍ଜିବ ! ଏକ୍‌, ଦୁଇ, ତିନି.....କିନ୍ତୁ କିଛି ନାହିଁ ତ !

 

‘‘ଆମ ସାଇରେ ବିଶ୍ୱକର୍ମା ପୂଜାପାଇଁ ଚାନ୍ଦା ମାଗିବାକୁ ଆସିଛୁ !’’

 

‘ଢୋ’ କିନା ତୋପ ଫୁଟିଗଲା । ଡେଇଁ ପଡ଼ିଲେ ଚକେ ଲେଖାଁ ଧୁନି ଆଉ ବିଭୁ ‘‘ନିକଲ୍‌ ଯା ମୋ ଦୁଆରୁ । ଲଫଙ୍ଗାଙ୍କର ଧନ୍ଦା ଚାଲିଛି ! ମୁଁ ଚାନ୍ଦା ଫାନ୍ଦା କିଛି ଦେବିନାହିଁ ।’’

 

‘‘ଆ, ସେଇ କଥା ତ କହିବେ । ଏମିତି ତାପିନି ଦେଖଉଛନ୍ତି କାହାକୁ ?’’

 

‘‘ଗେଟ୍‌ ଆଉଟ୍‌ !! ....ମୋ ସାମ୍ନାରୁ ଯାଉଚ, ନା ଦେଖିବ ଏଇନେ ! ଇଡ଼ିଅଟ୍‌ସ !’’

 

ସେମାନେ ଗେଟ୍‌ ପାଖରୁ ବୁଲି ପଡ଼ିଲେ । ସବୁଠୁ ଡେଙ୍ଗାଟୋକା ଖିଙ୍କାରି ଉଠିଲା, ‘‘ସଟ୍‌ ଅପ୍‌ ! କାହାକୁ ଇଡ଼ିଏଟସ୍‌ କହୁଚୁ ବେ !’’

 

ତା’ ହାତକୁ ପଛକୁ ଟାଣି ଧରି ଜଣେ କହିଲା, ‘‘ଛାଡ଼ ବେ ! ଏଇଟା ଚୋରଟେ ! ଯାହା ସବୁ ଲାଞ୍ଚ ଖାଇ ଖାଇ ଜମେଇଥିଲା ସବୁ ଏକାଦିନକେ ସଫା ହୋଇଗଲା । ଶଳା ବୁଢ଼ା ଚୋର !’’

 

ଏଇଟା ବୋଧେ ବାପା କଦାପି ସହିବେ ନାହିଁ । କିଛି ଅନର୍ଥ ମଧ୍ୟ ଘଟିଯିବ । କିନ୍ତୁ ଚୁଁ ଶବ୍ଦ ବି ଶୁଭିଲା ନାହିଁ । ବିଭୁ ବାହାରିପଡ଼ି ହୁଏତ ସେ ଟୋକାଙ୍କ ମୁକାବିଲା କରି ପକେଇଥାନ୍ତା-ଠିକଣା ଜବାବ୍‌ ଦେଇଥାନ୍ତା ।

 

ସେମାନେ କୌଣସି ପ୍ରତିବାଦ ନ ଶୁଣି ଗେଟ୍‌ ଫିଟେଇ ବାହାରକୁ ଚାଲିଗଲେ । ଗେଟ୍‌ ବନ୍ଦ କଲାବେଳେ ତାଙ୍କ ନେତା କହିଲା, ‘‘ବୁଝିଲେ ଇଞ୍ଜିନିୟର ସାହେବ ! ଏଇଟା ମଫସଲ ନୁହେଁ ଯେ ଏମିତି ଧମକେଇ ଦେଇ ପାରି ହୋଇଯିବେ । ଏଠିକି ଆସିଛନ୍ତି ଯଦି ଟିକିଏ ବ୍ୟବହାର ଶିଖି ନିଅନ୍ତୁ !’’

 

‘‘କି ସାହସ ! ....ଲଫଙ୍ଗା, ବଜାରୀ, ବାରବୁଲା ଟୋକାଙ୍କର !’’ ଗରଗର ହେଇ ବୋଉ ବୁଲି ପଡ଼ିବାର ଦେଖି ବିଭୁ ତାଙ୍କ ପଛେ ପଛେ ଶୋଇବା ଘରୁ ପିଣ୍ଡା ପର୍ଯ୍ୟନ୍ତ ଚାଲିଆସିଲା । ଧୁନି ବୈଠକଘର ଯାଏଁ ଆସି ଅପେକ୍ଷା କଲା ।

 

ବାପାଙ୍କ ପାଖରୁ ରାସ୍ତାକୁ ଚାହିଁ ବୋଉ କହିଲେ, ‘‘ଚୋରଙ୍କ ମୁହଁ ଟାଣ କେତେ ! ନିହାତି ଅଭଦ୍ର ବଜାରୀ ଘରର ପିଲା ! ଭିକ ମାଗି ଆସିଛନ୍ତି; ବ୍ୟବହାର ଶିଖଉଚନ୍ତି କେତେ !’’

 

ବିଭୁ ଡବଡ଼ବ ଆଖିରେ ଦୂରେଇ ଯାଉଥିବା ଟୋକାଙ୍କୁ ଆଶଙ୍କାରେ ଅନେଇଥାଏ । ଶୁଣି ଦେଲେ କି ? ଲେଉଟି ପଡ଼ିବେ କି ? ଦେଖାଯିବ ସେ ଲଢ଼ିବାକୁ ତିଆର ହୋଇଗଲା । ସେମାନେ କିନ୍ତୁ ଅନେକ ଦୂର ଆଗେଇ ଗଲେ ।

 

ବାପା ସେମିତି ଗୁମ୍‌ ଖାଇ ତଳକୁ ଚାହିଁ ବସିଥାନ୍ତି । ତାଙ୍କ ମୁହଁ ବିଭୁକୁ କାନ୍ଦ କାନ୍ଦ ଦିଶୁଥାଏ ।

 

ଏତିକିବେଳେ ସାଇକଲ ପଛରେ ଡାଲା ବାନ୍ଧି ମାଛବାଲା ଡାକି ଡାକି ବାଁପଟୁ ବୁଲି ଆସିଲା । ‘‘ଆରେ, କି ମାଛ ଆଣିଛୁ ?’’ ବୋଉ ପଚାରିଲେ ।

 

‘‘ରୋହି, ଭାକୁର, ମିରିକାଳି ।’’

 

‘‘କେତେ ଦର ?’’

 

‘‘କିଲୋ ଚଉଦ ଟଙ୍କା ।’’

 

‘‘ଚଉଦ ଟଙ୍କା ନା’ ଆଉ କ’ଣ ବା !’’

 

‘‘ଆଉ କେତେ ?’’

 

‘‘ଦଶ ଟଙ୍କାରେ ଦେବୁ ?’’

 

ଫଡ଼୍‌ କିନା ସେ ବୁଲିପଡ଼ିଲା । ପେଡ଼ାଲରେ ଗୋଡ଼ ରଖି ଖତେଇ ହେଲାପରି କହିଲା, ‘‘ଦଶଟଙ୍କା ? –କେବେ ମାଛ ଖାଇଥିଲ ନା, ଆଜି ଖାଇବାକୁ ମନ କରୁଚ ବା ।’’

 

ଫାଉଁ କିନା ରାଗିଗଲେ ବୋଉ । ରାଗିଗଲା ବିଭୁ । ସେମାନେ ରାଗ ସମ୍ଭାଳି କଥା କହିଲାବେଳକୁ ସାଇକଲା ସେଇ ଟୋକାଙ୍କ ଆଡ଼କୁ ଦୂରେଇ ଯାଇଥିଲା ।

 

‘‘ଆରେ, ଆମେ ଖାଇନାହୁଁ ମାଛ ? –ଆରେ...ପରା କୋଡ଼ିଏ କିଲୋରୁ ଊଣା ଆମ ଘରକୁ ଆସେନାଇଁ, ଜାଣିଚୁ ?’’ ପାଟି କଲେ ବୋଉ ।

 

‘‘ଚୋପ୍‌ ବେ, ମାଛ ବିକୁଚି । ଛୋଟ ଲୋକ...ବଦମାସ୍‌ ।’’ ପାଟିକଲା ବିଭୁ । ଏତିକିବେଳେ ଛୋଟ ହସଟିଏ କେଉଁଠୁ ଶୁଭିଲା ।

 

ପଡ଼ିଶା ଘର ଛତରଖାଇ ଘର...ତା’ ପୁଅଗୁଡାକ ବାଳୁଙ୍ଗା, ଝିଅ ଅସୁନ୍ଦରୀ...ସେଇ ହସିଲା କି ? ହଠାତ୍‌ ସେ ଆଶ୍ଚର୍ଯ୍ୟ ହୋଇଗଲେ । ବିଭୁ ଆଶ୍ଚର୍ଯ୍ୟ ହୋଇଗଲା । ବାପା ସେମିତି ହସିଲେ । ସେ ପୁଣି ହସିଲେ ଖିଲ୍‌ ଖିଲ୍‌ । ସେ ଯେମିତି ଦାବିଲା ପରି ହସନ୍ତି–‘‘ହୋ–ହୋ’ ହସିବା ଅଭଦ୍ରତା । ତା’ପରେ ସେ ମୁହଁ ଘୋଡ଼େଇ ପକେଇଲେ । ତାଙ୍କ ପେଟ ବୁକୁ ହୁଡ଼ା ହୁଡ଼ା ହେଉଥାଏ-। ସେ ଚୌକି ଉପରେ ଲଇଁଲାପରି ବସିଥାନ୍ତି । ତାଙ୍କ ଚାରିପାଖେ ତାଙ୍କ ପରିବାର । ସମସ୍ତେ କାବା ହେଇ ଚାହିଁଥାନ୍ତି ବାପାଙ୍କୁ....ଏମିତି କାହିଁକି ପାଗଳ ପରି ବାପା ହସୁଛନ୍ତି ।

 

ହଠାତ୍‌ ସେମାନେ ବାରିଦେଲେ ଯେ ସେ କାନ୍ଦୁଛନ୍ତି । କୋହ ଉଠିଲା ପରି କଇଁ କଇଁ ହୋଇ କାନ୍ଦୁଛନ୍ତି । ସେମାନେ ଆହୁରି କାତର ହୋଇଗଲେ । କ’ଣ କରିବେ ! ବୋଉ ସମ୍ଭାଳି ପାରିଲେନାହିଁ । ଆସ୍ତେ ତାଙ୍କ ପିଠିରେ ହାତ ରଖିଲେ । ତା’ପରେ ଧୁନି, ବିଭୁ ସାହସ କରି ପାଖେଇଲେ । ବାପାଙ୍କ ଦେହ ସାଉଁଳି ଦେଲେ, ଅନେକ ବେଳ ଅପେକ୍ଷାକଲେ । କାହାରି ତୁଣ୍ଡରେ କଥା ନାହିଁ । ସମସ୍ତେ ବାପାଙ୍କୁ ଚାହିଁ ରହିଥାନ୍ତି ।

 

ଦାଣ୍ଡ ପିଣ୍ଡାଟା । ରାସ୍ତାର ଚାଲିଗଲା ଲୋକ ହୁଏତ ଚାହିଁବେ । କ’ଣ ଭାବିବେ ! ବିଭୁ ବୋଧହୁଏ କହିପକେଇଲା ‘ବାପା, ଚାଲ ଘରକୁ ଯିବା !’

 

ସେ ମୁହଁକୁ ଦୁଇଥର ପୋଛି ଆଣି ଉଠିଲେ । କାହାକୁ ନ ଚାହିଁ ଘରକୁ ପଶିଗଲେ । ଖଟ ଉପରେ ଚୁପ୍‌ ହେଇ ବସିଲେ ଅନେକ ବେଳ । ତାଙ୍କୁ ବୋଧେଇଲା ପରି ଏମାନେ କ’ଣ ସବୁ ନିଜ ନିଜ ଭିତରେ କହୁଥିଲେ । ସେଇଟା ସେ ଶୁଣି ନାହାନ୍ତି । ହୁଏତ ।

 

‘ଧୁନି, ମୋ ଖିଅର ସଜଟା ଦେଲୁ ମା !’

 

ଇସ୍‌, ବାପା ଆଗଭଳି ହେଇଗଲେ ! ସମସ୍ତେ ଖୁସି ହୋଇଗଲେ କାହିଁରେ କ’ଣ । ସେଦିନ ଖିଆ ପିଆ ଭାରି ସ୍ୱାଭାବିକ ଢଙ୍ଗରେ ହେଲା । ତିଅଣ ଭିତରେ ଶାଗ ଆଉ ସନ୍ତୁଳା....ଭାରି ସୁଆଦ ଲାଗିଲା କିନ୍ତୁ !

 

ସେଦିନ ସନ୍ଧ୍ୟାରେ ସଚି ଆସି ସାହୁ ପିଣ୍ଡାରେ ବସିଥାଏ କାନ୍ଥକୁ ଆଉଜି । ରାଓ୍ୱଲ ସାହେବ ପଟି ପକେଇ ବସିଥାନ୍ତି ।

 

‘ଆରେ ବିଭୁ ଦି’ କପ୍‌ ଚା’ ଆଣିବୁ !’

 

‘ନାଇଁ ସାରେ, ଆପଣ ପିଅନ୍ତୁ ମୋର ଆଜି ଓପାସ ।’

 

‘କି ଓପାସ କି...ଆରେ କପେ ଆଣ; ସାହୁ ବାବୁ ଖାଇବେନାହିଁ !’

 

‘ଆଉ ସାରେ, କ’ଣ କିଛି ଖବର ମିଳିଲା ?’

 

‘ନାଃ ମିଳିନାହିଁ କି ମିଳିବ ନାହିଁ ।’

 

‘ଇସ୍‌, କେଡ଼େ ହୁବ ଚୋରଙ୍କର ହୋଇଗଲା ଦେଖିଲେ ! ଗାଡ଼ି ନଗେଇ ଜିନିଷ ପାରିକରିଦେଲେ । ଲକ୍ଷେ ଟଙ୍କାର ସମ୍ପତ୍ତି ବୋଲି ନୋକ ସବୁ କହୁଚନି ।’

 

‘ହଁ ଛାଡ଼ ! ଯାହାକୁ ଭୋଗ ହେବାକୁ ଥିଲା ହୋଇଗଲା–ଆମର ତ ଏଠି କେହି ନାହାନ୍ତି, କାହାକୁ କହିବା ? ଏଠି ଯେ ମନ ଚକଟି ଚାଲିଗଲେ ମଧ୍ୟ ସହିବାକୁ ହେବ ।’

 

‘‘ଇଏ କି କଥା ସାରେ–ଆପଣଙ୍କ ତୁଣ୍ଡରେ ଏଗୁରାକ ଜମା ଶୋଭା ପାଉନାଇଁ ।’’

 

‘‘କିନ୍ତୁ କଥା ସତ ! ତା’ବାହାରେ ମୁଁ ଭାବୁଛି ଗୋଟାଏ ପ୍ରକାର ଭଲ ହେଇ ଯାଇଚି । ମୁଁ ପୁଣି ଭାବୁଚି ଯେ, ଗରାକ ଜୁଟିଲେ ମୋ ଗାଡ଼ିଖଣ୍ଡ ବକ୍ରିକରି ଦେବି । ଆମର ସେଇଟା ପ୍ରୟୋଜନ ନାହିଁ ।’’

 

‘‘କାହିଁକି ସାରେ ? ଆପଣ ଆଜି ଏଇଠି ଅଛନ୍ତି, କାଲିକି ପୁଣି ଗସ୍ତରେ ବାହାରିବେ । ଏଡ଼େ ବଡ଼ ଇଞ୍ଜିନିଅର; ଗାଡ଼ି ନହେଲେ ଚଳିବେ କେମିତି ?’’

 

‘‘ହଅଅ–କିଛି ଅସୁବିଧା ହବ ନାଇଁ । ହଉ ଛାଡ଼, ପାରିବ ତ ଜଣେ ଗରାକ ଯୋଗାଡ଼ କଲ ଦେଖି !’’

 

ସଚି ସାହୁ କିଛି ସମୟ ପରେ ଥଙ୍ଗେଇଲା ପରି କହିଲା, ‘‘ଆପଣଙ୍କ ସରକାରୀ ବଡ଼ଘର କଥା କ’ଣ ହେଲା ସାରେ ! ଏମାସ ଶେଷକୁ ହେଇଯିବ ତ ? ସେମାନେ ଏତେ ବଡ଼ ଅଫିସରକୁ ନଦେଇ ଯିବେ କୁଆଡ଼େ ।’’

 

‘‘ଏଠି ସେକଥା କିଛି ନାହିଁ । ଦେଲେ ଦେବେ ନଦେଲେ ନାହିଁ । ଏ ଘରେ ଆମର କ’ଣ ଅସୁବିଧା ଅଛି ?’’

 

ଆଙ୍ଗୁଠି ଛନ୍ଦି ବାହାରଆଡ଼େ ଚାହିଁ ସଚି ସାହୁ କହିଲା, ‘‘କିଛି ନାଇଁ ଯେ, ସାରେ, ଆଉ ଜଣକୁ ଦେବି ବୋଲି ତା’ଠୁ ଟଙ୍କା କିଛି ନେଇଯାଇଚି । ସେ ଗୋଟାଏ ବଡ଼ ଠିକାଦାର୍‌ । ଏଇ ଆସୁଚି ପହିଲାଠୁ ରହିବ ବୋଲି ଖବର ଦେଇଚି ।’’

 

ଚା’ରେ ମୁହଁ ଦେଇ ରାଓ୍ୱଲ ସାହେବ ତଳକୁ ଚାହିଁଥାନ୍ତି-‘‘ଓ, ତା’ ହେଲେ ଏଠି ରହିବା ମଧ୍ୟ ସମ୍ଭବ ନୁହେଁ । ବାଃ ମନ୍ଦ କ’ଣ ! କେତେ ଟଙ୍କା ନେଇଛ ତାଙ୍କଠୁ ?’’

 

‘‘ଆଜ୍ଞା ତିନି ହଜାର ଟଙ୍କା । ହେଇ ଚାରିମାସର ଭଡ଼ା ଆଗତୁରା ମାଗିଲାରୁ ଦେଇଦେଲା ।’’

 

‘‘ମାନେ ? ଏ ଘର ମାସକୁ ଏଣିକି ସାତଶ ପଚାଶ ଟଙ୍କା ଭଡ଼ା !’’

 

ଅଳ୍ପ ଲାଜେଇଲା ପରି ହସିଲା ସଚି ସାହୁ । ‘‘ଗରିବ କୁଡ଼ିଆ ଖଣ୍ଡେ ସାରେ ! ଦି’ପଇସା ମିଳିଲେ ଚଳିଯିବା କଥା !’’

 

‘‘ହଉ ଦେଖିବା । ତୁମେ ଆଠ ଦଶ ଦିନ ଆମକୁ ସମୟ ଦିଅ–ଯାହାହେଲେ କରିବା ।’’ ସଚି ସାହୁ କୃତକୃତ୍ୟ ହୋଇ ବେକରେ ଗାମୁଛା ଦେଇ ନଇଁ ନଇଁ ପାରି ହୋଇଗଲା ରାସ୍ତାକୁ ।

 

ଅଧା ଚା’ ହାତରେ ଧରି ରାଓ୍ୱଲ ସାହେବ ପରିହାସ ଭଙ୍ଗୀରେ ହସି ହସି ଯାଇ ପିଲାଙ୍କୁ କହିଲେ, ‘‘ଦୁର୍ଯ୍ୟୋଗ ଆଉରି ସରିନାହିଁ–ବୁଝିଲ ? ସଚି ସାହୁ ଆସି ନୋଟିସ୍‌ ଦେଇ ଚାଲିଗଲା । ରହିବାକୁ ମନଥିଲେ ଆସନ୍ତା ମାସରୁ ଘରଭଡ଼ା ଚାରିଶ ପଚାଶରୁ ସାତଶ ପଚାଶ । ତା ପୁଣି ଚାରିମାସର ଆଗତୁରା ତିନିହଜାର ଟଙ୍କା ଦେଲେ ଯାଇ ରହିବ !’’

 

‘‘କ’ଣ କହୁଚ ମ ? ମୋ ପିଲେ ଆଉ ଖାଇବେ କ’ଣ ?’’ ଛାନିଆ ହେଲାପରି କାନ୍ଦକାନ୍ଦ ସ୍ୱରରେ ମିସେସ୍‌ ରାଓ୍ୱଲ କହିଲେ ।

 

‘‘କିଛି ଅସୁବିଧା ନାହିଁ । ଆଉଖଣ୍ଡେ ଶସ୍ତା ଘର ଖୋଜିବା । ଲୋକେ କ’ଣ ସମସ୍ତେ ସାତଶ ପଚାଶ ଦେଇ ରହୁଛନ୍ତି ? ଯେତିକି ପାରିବା ସେତିକିରେ ଚଳିବା ।’’

 

ତାଙ୍କ ପତ୍ନୀ ଧନେଶ୍ୱର ରାଓ୍ୱଲଙ୍କ କଥା ଶୁଣି ଅବାକ୍‌ । ଏଇ ଲୋକ ସୁକିନ୍ଦା ଚିତ୍ରକୋଣ୍ଡାରେ ଚାଲିଗଲେ ଲୋକେ ଆଡ଼େଇ ହେଇ ଯାଉଥିଲେ । ସବୁଠୁ ଦାମୀ, ସବୁଠୁ ବଡ଼ ଜିନିଷ ଆସିଲେ ଦୋକାନୀ ୟା’ଙ୍କ ପାଇଁ ସାଇତି ରଖି ଖବର ଦେଉଥିଲେ । ତାଙ୍କ ଆଖିରେ ଦିଶିଗଲା ଯେତେ ସବୁ କାଞ୍ଜିଭରମ୍‌, ବନାରସି, କାଶ୍ମୀରୀ, ନାଇଲନ୍‌ର ଥାକଥାକ ମୋଲାଏମ୍‌ ଶାଢ଼ି । ଦିଶିଗଲା ଗଜବନ୍ଧ, ବାଜୁବନ୍ଧ, ହୀରାବସା ଚୁଡ଼ି, ମୁଦିମାଳି ବାକ୍‌ସ ! ଦିଶିଗଲା ମହାର୍ଘ ଆଉ ଅନେକ ଜିନିଷ । –ବୋନ୍‌ ଚାଇନାର କପ୍‌ ପିଆଲା ସେଟ୍‌କୁ ପାଞ୍ଚଶ ଟଙ୍କାରେ କିଣା ହେଇଥିଲା । ୟା’ଙ୍କର ମରକ୍‌କୋ ଜୋତା ପାଞ୍ଚ ସାର । ଯେ ଦେଖୁଥିଲା ସେ ପଚାରୁଥିଲା । ଏକାଥରକେ ସବୁ ପୋଛି ହୋଇଗଲା ।

 

ଏମିତି ଥୁଣ୍ଟା ବେତନର ଧ୍ରୁବ ଉପରେ ଏକଗୋଡ଼ିକିଆ ବକପରି ନିରାମିଷ ବଞ୍ଚିବା ସେ ଜାଣିନଥିଲେ । ତାଙ୍କ ନିଜ ବାପ ଚିଫ୍‌ ଇଞ୍ଜିନିୟର । ଏ ଗୁଣବନ୍ତ ମୂଳରୁ ଏମିତି ଖପରାଡ଼ିଆଁ ହେଲେ ଯେ, କାହାପାଖରୁ ପାନଖଣ୍ଡେ ସୁଦ୍ଧା ଖାଇଲେ ନାହିଁ । ଭାରି କଡାକଡ଼ି ନିୟମ ଦେଖି ସମସ୍ତେ ନାକରେ ହାତଦେଇ ହସିଲେ । ବାପା ନିଜେ ପାଖରେ ବସି ଆସ୍ତେ ଆସ୍ତେ ଏ ବଇରାଗୀ ଯୋଇଁଙ୍କ ରୋକ ଛଡ଼େଇଲେ । ତାଙ୍କ ମନ ସଂସାରରେ ଲାଗିଗଲା ।

 

ଆଜି ହଠାତ୍‌ ସେଇ ପୁରୁଣା ଢଙ୍ଗ ତାଙ୍କ ହାବଭାବ ଆଉ କଥାରେ ଦେଖି ସେ ଶଙ୍କି ଗଲେ । ଏମିତି ହାରିଗଲେ ମରଦପଣରେ ସିନା ଦୁଇଗୁଣ ଜିଦ୍‌ରେ ଲାଗିଯାନ୍ତି ! ଚୋରିହେବା ପରେ ତାଙ୍କ ରାଗିବା, ଦାନ୍ତ ଚୋବେଇବା, ଏମତିକି ତାଙ୍କୁ ସେ ଦିନ ବାଡ଼େଇବାକୁ ସେ ଅତି ଆତୁର ହୋଇ ମନେପକେଇଲେ । ସେପରି ହେଲେ ହିଁ ପୁଣି ହରେଇଥିବା ଧନର ଦୁଇଗୁଣ ଅର୍ଜନ କରିପାରିବେ । ନହେଲେ ଏମିତି ଲେସେଡ଼ି ଗଲେ ତ ସରିଗଲା !

 

ସେ ଅବାକ୍‌ ହୋଇ ଚାହିଁଲେ । ଧନେଶ୍ୱର ବାବୁ ତଳେ ବସି ଚା’ ପିଉଛନ୍ତି ଶସ୍ତା କପ୍‌ଟିରେ ଏବଂ ମୃଦୁ ମୃଦୁ ହସୁଛନ୍ତି ।

 

‘‘ତମେ ଏଇଠୁ ବଦଳି ମାଗିଲ । ଏ ଅଲକ୍ଷଣିଆ ମାଙ୍କଡ଼ାପଥର ଜାଗାରେ ଯେ ରହିବ ରହୁଥାଉ ! ଚାଲ ଆମେ ପୁଣି ଆମର ମଫସଲ ଅଞ୍ଚଳକୁ ଚାଲିଯିବା....ଆମର ଏବେ ସହରରେ ରହିବା ନୋହିଲା !’’

 

‘‘କିଓ ଏମିତି କାହିଁକି ଏ ମୁଲକଟାକୁ ନାଲାଏକକରି ଥୋଇଦଉଚ ? ଆମକୁ ଅଣ୍ଟିଲା ନାହିଁ ବୋଲି କ’ଣ ଜାଗାଟା ଖରାପ ? ଶୁଣ, ମୁଁ ଭାବୁଛି ସେ ତଳ ଆଡ଼ିକି ଗୋଟେ ଘର ଅଛି । ପଲସ୍ତରା ହେଇନାହିଁ, ହେଲେ ଘରଭିତର ଭାରି ପରିଷ୍କାର । ଟିକିଏ ନିଛାଟିଆ ହବ-ହଉ, ଆମ ପାଇଁ ବଢ଼ିଆ । ଆମର ତ ଆଉ ଡରିବାକୁ କିଛି ନାହିଁ । ଆମ ଘରକୁ ଚୋର ଆଉ ଆସିବେ ନାହିଁ । ମୁଁ ବି ଭାବୁଛି ଗାଡ଼ିଟାକୁ ବିକିଦେବି ।’’

 

‘‘ତୁନିପଡ଼ ! ଆଉ ସେମିତି ଅଲକ୍ଷଣ କଥା କହିବି ତ ମୁଁ ବିଷ ଖାଇଦେବି । ମୋ ପିଲେ କ’ଣ ଏମିତି ବାରବୁଲାଙ୍କପରି ସବୁବେଳେ ଚଳିବେ ? ଏଇଆ ମନରେ ଯଦି ଥିଲା, ତେବେ କାହିଁକି ଆଗରୁ ତାଙ୍କୁ ତଳେ ଚଲେଇ ଦେଇ ନଥିଲ ?’’ –ସେ ସକ୍‌ ସକ୍‌ କାନ୍ଦିଲେ ।

 

ବିଭୁ ଖେଳିସାରି ଆସିଥାଏ । ତା’ର ସେଇ ଖଣ୍ଡେ ଜାମା ପିନ୍ଧି ସେ ପିକ୍‌ନିକ୍‌ ଯାଇଥିଲା, ଆଉ କିଣା ହେଇନାହିଁ–ଦୁଇ ତିନିମାସ ହୋଇଗଲାଣି । –ତାକୁ ଦେଖି ମିସେସ୍‌ ରାଓ୍ୱଲ ଆହୁରି କାନ୍ଦିଲେ ।

 

ଧନେଶ୍ୱର ରାଓ୍ୱଲ ସାମାନ୍ୟ ଗମ୍ଭୀର ହୋଇ ସେଇଠୁ ଉଠି ଚାଲିଗଲେ ।

 

ରାତିରେ ଶୋଇବା ପର୍ଯ୍ୟନ୍ତ ସ୍ତ୍ରୀଙ୍କର ହାଣ୍ଡିପରି ମୁହଁ । ପିଲାଏ କେମିତି ଟିକିଏ ଆଡ଼େଇ ହେଲାପରି ଏବଂ ଧନେଶ୍ୱର ରାଓ୍ୱଲ ନିଜେ ଖୁବ୍‌ ଅନ୍ୟମନସ୍କ ।

 

ରାତିସାରା ତାଙ୍କୁ ନିଦ ନାହିଁ । ତାଙ୍କୁ କେହି ଜଣେ ଗାମୁଛାଟିଏ ଘୋଡ଼େଇ ହୋଇ ବାଟ କଢ଼େଇ ନେଲାପରି ଲାଗୁଛି । ସେ ଜଳାର୍ଣ୍ଣବ ଭିତରେ ମଣିଷଗୁଡ଼ିଏ ଉବେଇ ଟୁବେଇ ହୋଇ ମରିଯାଉଛନ୍ତି । କଲବଲ ହେଉଛନ୍ତି ପିଲାଗୁଡ଼ିଏ ଭାସିଯାଉଥିବା ଡାଳଟାକୁ ଧରି । ତିନିବର୍ଷ ତଳେ ଘାଇ ବନ୍ଧା ଚାଲିଥିବାବେଳେ ଏଇ ମଣିଷମାନଙ୍କ ଗାଁରେ ସେ କେତେଥର ଜିପ୍‌ ରଖି ଚା’ ଖାଇଛନ୍ତି-। ତାଙ୍କ ଉପରେ ସେମାନେ ବିଶ୍ୱାସ କରିଥିଲେ । ସେ ବିଶ୍ୱାସ କରିଥିଲେ ଚନ୍ଦ୍ରଭାନୁ ରଠୋର୍‌ ଉପରେ, ଦିବ୍ୟସିଂହ ଚୌଧୁରୀ ଉପରେ । ସେମାନେ ତାଙ୍କୁ ଟୁକୁଣା ଟୁକୁଣା ଫଳ, ଗୋଟାଗୋଟା ଦଶକେଜିଆ ରୋହି, ହୀରାବସା ମୁଦି ଦେଇଛନ୍ତି । ଗୋଟାଏ ବର୍ଷାରେ ଘାଇ ଭାସିଗଲା । କୋଡ଼ିଏ ଖଣ୍ଡ ଗାଁ ଭାସିଗଲା । କାହା ଦସ୍ତଖତରେ ଘାଇ ବିଲ୍‌ ପାସ୍‌ ହୋଇଥିଲା ? ଗୋଟିଏ ହୀରାବସା ମୁଦିପିନ୍ଧା ହାତ । ସଂଧ୍ୟାରେ ସେ ଦେଖୁଥାନ୍ତି ଏଇ ପାଣିରେ ଭାସିଯାଉଥିବା କାତର ମଣିଷଗୁଡ଼ିକୁ ! .....ଭାରି ଅସୁସ୍ଥ ଲାଗୁଥାଏ । ନିଦରେ ସେ ଖୁସ୍‌ ମୁସ୍‌ ହୋଇ କଡ଼ ଲେଉଟାଉଥାନ୍ତି ।

 

....ସେ ରାସ୍ତା ଉପରୁ ଯୋଡ଼ାଏ ଗାଡ଼ି ଚାରିଗଡ଼ାଣି ଖାଇ ତିରିଶଫୁଟ ତଳକୁ ଗଡ଼ିଯାଇଛନ୍ତି । କଞ୍ଚାମାଟି କାମରେ ରାସ୍ତା ଧସିଯାଇଛି । ସେ ଯୋଡ଼ିଏ ଗଡ଼ରେଜ୍‌ ଆଲମାରି ପଛପଟୁ ସେ ଗାଡ଼ିତଳେ ଲେସିହୋଇ ମରିଯାଇଥିବା ମଣିଷଙ୍କର ଖଣ୍ଡ ଖଣ୍ଡ ଦେହ ଦେଖୁଛନ୍ତି । ହାତରେ ଧରିଛନ୍ତି ମଖମଲ ଅଳଙ୍କାର ବାକ୍‌ସଟିଏ । ଛଅଟ୍ରକ୍‌ ପଥରକୁ ନେଇ ଷାଠିଏ ଟ୍ରକ୍‌ର ବିଲ୍‌ କଲାବେଳେ ସେ ଆଲମାରିର ଦର୍ପଣରେ ଆଖି ମାରିଦେଇ ଦସ୍ତଖତ କରି ଦେଇଛନ୍ତି....ସେ ଡାଇନିଂ ସେଟ୍‌....ସେ ସୋଫା ପଲଙ୍କ, ଫ୍ରିଜ....ସେ କାର....ସବୁ, ସବୁ କିଛି ସେମିତି ।

 

ସେ ଆଉଥରେ ସେସବୁ ତାଙ୍କ ପାଖକୁ ଫେରିଆସିବାର ଅନୁଭବ କଲେ । ତାଙ୍କୁ ଅନୁଭବ ହେଲା ଯେ, ପାହାଡ଼ଟାଏ ତାଙ୍କ ଉପରେ ମଡ଼େଇ ହୋଇ ପଡ଼ୁଛି । ସେ ଚେଷ୍ଟା କରୁଛନ୍ତି ଖସି ପଳେଇବାକୁ-ହଉନାହିଁ । ସେ ଗାମୁଛା ଘୋଡ଼େଇ ହୋଇଥିବା ମଣିଷଟି ତାଙ୍କ ସାମ୍ନାରେ ଠିଆହୋଇ ଚାହିଁରହିଛି । ରୁଢ଼ିଆ ଶୀର୍ଣ୍ଣ ଉଦାସ ମୁହଁଟିଏ । ତାଙ୍କ ବାପାଙ୍କପରି ଦିଶୁଚି ! ସେମିତି ଠିଆ ନାକଳ କହରା ଆଖି । ଚାହିଁ ରହିଛନ୍ତି ନୀରବରେ । ଅନେକ ଦୂରରୁ ଶୁଭୁଛି–‘‘ତୁ ପାଠ ପଢ଼ିବୁ, ବଡ଼ ଲୋକହେବୁ । ସାତପୁରୁଷ ଉଦ୍ଧାର ହେବେ । କୁଳ ଉଜ୍ଜ୍ୱଳ ହେବ !’’

 

ସେ ଛାଟ ମାରିଲା ପରି ଉଠିପଡ଼ିଲେ । ସେତେବେଳକୁ ସକାଳ ପାହି ଆସିଲାଣି । ମୁଣ୍ଡ ଟିକ୍‌ ଟିକ୍‌ ବଥଉଥାଉ । କେମିତି ଦୁର୍ବଳ ହାଲିଆ ଲାଗୁଥାଏ । ସେ ଚାରିଆଡ଼େ ଆଖି ପକେଇ ଗଲେ । ଖାଲି ଖାଲି ଘରଟାକୁ ଦେଖି ତାଙ୍କୁ ଖୁବ୍‌ ଆଶ୍ୱସ୍ତ ଲାଗିଲା । ସ୍ୱପ୍ନଟା ସତ୍ୟପରି ମନେପଡ଼ୁଥାଏ । ଦୁଇମାସ ତଳର ଚୋରିଟା ସ୍ୱପ୍ନ ପରି ମନେପଡ଼ୁଥାଏ । ସେ କେମିତି ଗୋଟାଏ ଅଦୃଶ୍ୟ ଅଠାଳିଆ ଜାବରୁ ମୁକୁଳିଗଲାପରି ହାଲୁକା ବୋଧକରୁଥାନ୍ତି ।

 

ସେ ଗାଧୁଆପାଧୁଆସାରି ପୁରୁଣା ଆଲବମ୍‌ଟିରୁ ତାଙ୍କ ବାପାଙ୍କ ଫଟଟିକୁ ଧରି ଦାଣ୍ଡଘର ଦେଖୁଥାନ୍ତି । ସ୍ତ୍ରୀ ଟାକିରହିଥାନ୍ତି କେତେବେଳେ ସୁଯୋଗପାଇ ସ୍ୱାମୀଙ୍କୁ ତାଙ୍କ ଦାୟିତ୍ୱ ବିଷୟରେ ସୂଚେଇ ଦେବେ । ଧୁନି ବିଭୁ ପାଠପଢ଼ି ବସିଥାନ୍ତି ।

 

ରାସ୍ତାରେ ଗୋଟାଏ ଧଳା ଗାଡ଼ି ଆସି ରହିଲା । ଧଳା ଫର୍‌ଫର୍‌ ଟୋୟାଟା ଜାପାନୀଗାଡ଼ି । ତାଙ୍କ ଆମ୍ୱାସେଡୋରଠାରୁ ଢେର୍‌ ଭଲ । ପିଲାଏ ଚାହିଁରହିଥାନ୍ତି ଝରକାବାଟେ । ମିସେସ୍‌ ରାଓ୍ୱଲ ଦେଖିଲେ ଯେ, ଦିବ୍ୟସିଂହ ଚୌଧୁରୀ ଓହ୍ଳେଇ ଆସୁଛନ୍ତି । ସେ ଡବଡ଼ବ ହୋଇ ବୈଠକ ଘରୁ ଚାହିଁରହିଲେ । ସେମାନଙ୍କ ସହିତ ମିସେସ୍‌ଙ୍କର ଭାରି ଖୋଲା ବ୍ୟବହାର । ନହେଲେ ଏ ଯେମିତି ଲାଜକୁରା ଯେ, ଭଲ ମନ୍ଦଟିଏ ଧରି କେହି ଯଦି ଆସୁଥିବ, ୟା’ଙ୍କୁ ଦେଖି ହୁରୁଡ଼ି ଚାଲିଯିବ ।

 

‘‘ରାଓ୍ୱଲ ସାହେବ ! ମାଇ ବାପ୍‌ ! ଆପଣ ଏଠି ଆସି ଏମିତି ହଇରାଣ ହେଇଗଲେ ! ଆମକୁ ଖବର ଟିକିଏ ଦେଲେନାହିଁ । ଆମେ କ’ଣ ମରିଗଲୁଣି ? ଏ ଚୌକି, ଏ ଟେବୁଲ, ମା’ଙ୍କର ଏ ଶାଢ଼ି କ’ଣ ମୋତେ ଦେଖିବାକୁ ଯୋଗ ଥିଲା !’’ ସେ ଗୋଟାଏ ଭାବାବେଗରେ ଆଖିରୁ ଲୁହ ପୋଛିଦେଲେ ।

 

ଧନେଶ୍ୱର ରାଓ୍ୱଲ କିଛି କହୁନଥାନ୍ତି । ମିସେସ୍‌ ରାଓ୍ୱଲ ସତକୁ ସତ କାନ୍ଦି ପକେଇଲେ । ‘‘ଆରେ ଦିବ୍ୟସିଂହ ବାବୁ, ଆପଣ କେମିତି ଆମକୁ ମନେ ପକେଇଲେ ? ଆମର ତ ସବୁ ଏକାଥରକେ ସରିଗଲା । ....ଛାଡ଼ନ୍ତୁ ମୁଁ ଆପଣଙ୍କ ପାଇଁ କଫି ଟିକିଏ ଆଣିଦିଏ ।’’

 

‘‘ନା ନା, ଆଦୌ କଷ୍ଟ କରନ୍ତୁ ନାହିଁ । ମୁଁ ଏ ଘରେ କ’ଣ ନ ଖାଇଚି ! ଏବେ ଶୁଣନ୍ତୁ । ମୁଁ ମୋର ଗୋଟାଏ ଆସିଷ୍ଟେଣ୍ଟ ମେନେଜର ପାଇଁ ଏ ଘରକୁ ଭଡ଼ା ନେଇଥିଲି । ଆସନ୍ତା ମାସକୁ ଏମିତି ଛ’ଜଣ ଛ’ଟା ଅଫିସ୍‌ କରି ରହିବେ । ଏଠି ଦେଢ଼କୋଟି ଟଙ୍କାର କାମ ଲାଗିଯିବ । କାଲି ଶୁଣିଲି ରାଓ୍ୱଲ ସାହେବ ସେ ସବୁ ତଦାରଖ୍‌ରେ ରହିବେ । ମୁଁ ଠାକୁରଙ୍କୁ କୃତଜ୍ଞତା ଜଣାଇଲି । ଓଃ, ନହେଲେ ଆଉ ଯେଉଁ ଲୁଙ୍ଗୁରା ଅଫିସର ସବୁ ଅଛନ୍ତି-ମାଛ ବେପାରୀ ପରି ଲାଞ୍ଚ ମିଛପାଇଁ ଦର କରୁଥିବେ । ହଉ, ଯାହାହେବାର ଦେଖାଯିବ । ଆଗେ ଆପଣ ଟିକେ ସୁସ୍ଥ ହୋଇଯାଆନ୍ତୁ । ଏ ଘରେ ଆପଣ ରହିଲାଭଳି ଆଗ ବନ୍ଦୋବସ୍ତ କରିଦିଏ । ଆପଣ ବିନା କାର୍ପେଟରେ, ବିନା ଫ୍ରିଜ୍‌ରେ କେମିତି ଚଳିବେ ! ସୋଫା ନାହିଁ, ପଳଙ୍କ ନାହିଁ !! କିଛି ଚିନ୍ତା କରିବେନାହିଁ । ଆଜି ସନ୍ଧ୍ୟା ସୁଦ୍ଧା ସବୁ ଆସିଯିବ । ଆଉ ଏ ଘର ଆପଣଙ୍କର ବୋଲି ଧରି ନିଅନ୍ତୁ ! ଦରକାର ହେଲେ ଏ ଘରଟାକୁ କିଣି ନିଆଯିବ.... ।’’

 

ଧନେଶ୍ୱର ରାଓ୍ୱଲ ଗଳା ସଫା କରିବାରୁ ସେ ତୁନି ପଡ଼ିଗଲେ । ଖୁସିରେ କୁରୁଳି ଉଠୁଥିବା ଅଫିସର ପତ୍ନୀ ଏବଂ ପିଲାଙ୍କୁ ଦେଖି ସେ କହିଲେ, ‘‘ପାଣିଗ୍ଳାସେ ଦେଲେ ଦେଖି, ମୁଁ ପିଏ ! ହେଃ, ରାଓ୍ୱଲ ସାହେବ ପୁଣି ଏମିତି ରହିବେ ।’’

 

ସେ ତାଙ୍କ ବାପାଙ୍କ ଫଟୋଟିକୁ ଦେଖୁଥାନ୍ତି । ବିଭୁ ପଛରୁ ଆସି ଓହଟି ଚାହିଁଲା, କହିଲା ‘‘ହେଇ ଜେଜେଙ୍କ ଫଟ ।’’ –ସେ ଜେଜେଙ୍କ ଫଟୋକୁ ଅସମ୍ଭବ ଭଲପାଏ । ସେ ଭାବେ ଯେ, ଜେଜେ କୁଆଡ଼େ ଯାଇଛନ୍ତି- ନିଶ୍ଚେ ଦିନେ ଆସିବେ ।

 

ଧନେଶ୍ୱର ରାଓ୍ୱଲ ଅପେକ୍ଷା କଲେ ଦିବ୍ୟସିଂହ ଚୌଧୁରୀ ପାଣି ପିଇବା ପର୍ଯ୍ୟନ୍ତ । କହିଲେ, ‘‘ଚୌଧୁରୀବାବୁ ! ଆପଣ ମୋ ପାଇଁ ବ୍ୟସ୍ତ ହେବା କୌଣସି ପ୍ରୟୋଜନ ନାହିଁ । ମୁଁ ବର୍ତ୍ତମାନ ଖୁବ୍‍ ଆନନ୍ଦରେ ଅଛି !’’

ଚୌଧୁରୀ ଗୋଟାଏ ନିଷ୍ପତ୍ତି କଲା ଢଙ୍ଗାରେ ଉଠିପଡ଼ି କହିଲେ, ‘‘ବ୍ୟସ୍ତ ହେବା ନହେବା ମୋର ବ୍ୟକ୍ତିଗତ କଥା । ଏ ପରିବାରର ଟେକ, ଆଭିଜାତ୍ୟ କ’ଣ ମୋର ଦାୟିତ୍ୱ ନୁହେଁ ? ଆପଣ ଏମିତି ଗୋଟିଏ କାମ-ସରକାର୍‌ ଭଳି ଚଳିବେ; ଅଥଚ ମୁଁ ଆପଣଙ୍କ ପାଖରୁ ଦେଢ଼କୋଟି ଟଙ୍କାର ବିଲ୍‌ ଦସ୍ତଖତ କରିବାପାଇଁ ଆଣି ଥୋଇବି । ଅସମ୍ଭବ ? ନମସ୍କାର ଆଜ୍ଞା, ମୁଁ ଆସୁଛି !’’

‘‘ଶୁଣନ୍ତୁ ଚୌଧୁରୀ ବାବୁ ! ଚୌଧୁରୀ ବାବୁ !’’

ତାଙ୍କ ସ୍ତ୍ରୀ ଆଗକୁ ଚାଲିଆସି ଅତ୍ୟନ୍ତ ଆପ୍ୟାୟିତ ଢଙ୍ଗରେ କହିଲେ, ‘‘ତୁମେ କାହିଁକି ଏମିତି ହଉଚ ! ତୁମେ ତୁନିପଡ଼ୁନ କାହିଁକି ! ସେ ତ ତା’ର କ’ଣ କରିବ କହୁଛି-ପୁଣି ଏମିତି କାହିଁକି ହଉଚ ?’’

‘‘ମାଛ କିଣିବ, ମାଛ ।’’

ଚୌଧୁରୀ ଗେଟ୍‌ ପାଖରେ ତାକୁ ଅଟକାଇଦେଲେ । ସେ ସାଇକଲ୍‌ରୁ ଓହ୍ଳେଇ ମୁଣ୍ଡ ନୁଆଁଇ ଓଳଗି ହେଲା । ‘‘କିରେ ପଞ୍ଚୁଆ, କି ମାଛ ରଖିଛୁ ।’’

‘‘ଆଃ ମାଛ ନା, ଏ ଖଣ୍ଡ ରଜା ମୋ ସାଆନ୍ତେ । ଚାରିକେଜିଆ ଖଣ୍ଡେ ରୋହି । ଏଇ ଛାଣି ଆଣିଚି ତମଲାଗି !’’

‘‘କେତେ କହୁଚୁ ?’’

‘‘ତମକୁ ଆଉ କ’ଣ ଦର କରିବି ? ଷାଠିଏଟା ଟଙ୍କା ଦେଇପକାଅ !’’

‘‘ନେ ଧ । ମାଛ ନେଇ ସେ ମା’ଙ୍କୁ ଦେଇଦେ !’’

ଟଙ୍କା ଧରେଇଦେଇ ଗାଡ଼ି ଛାଡ଼ି ଚାଲିଗଲେ ଚୌଧୁରୀ । ମାଛ ନେଇ ପଞ୍ଚୁଆ କାବା ହେଇ ଅନେଇଁଲା । ପିଣ୍ଡାରେ ମାଛଟିକୁ ଶୁଆଇଦେଲା । ମାଛ ଲାଞ୍ଜ ଟେକୁଥାଏ । ତଳକୁ ମୁଣ୍ଡ ପୋତି କହିଲା, ‘‘ଚୌଧୁରୀ ସାଆନ୍ତେ ଷାଠିଏ ଟଙ୍କା ଦେଇସାରିଲେଣି ।’’

‘‘କିରେ, ଆମେ ତ ମାଛ ଖାଇ ଶିଖି ନାହୁଁ, ଆମକୁ ମାଛ କେମିତି ଦେଲୁ ?’’ ନକହି ଛାଡ଼ିଲେ ନାହିଁ ମିସେସ୍ ରାଓ୍ୱଲ । ସେ ମୁଣ୍ଡ ପୋତି ଚାଲିଗଲା ଭିତରକୁ । ମା’, ପୁଅ, ଝିଅ ମାଛଟିକୁ ନେଇ ଚାଲିଗଲେ ଭିତରକୁ । ଧନେଶ୍ୱର ରାଓ୍ୱଲ ସତେ ବା ଆଲବମ୍‌ର ଚିତ୍ରଟିଏ । ତାଙ୍କୁ ଦେଖିବାକୁ ଭଲଲାଗେ । ତଥାପି ତାଙ୍କୁ ଗୁଡ଼ାଏ ଖାତିର୍‌ କଲେ ଚଳିବନାହିଁ ।

ଦିବ୍ୟସିଂହ ତାଙ୍କୁ ମାଛଟାଏ ଦେବା ଆଦୌ କୌଣସି ଉଲ୍ଲେଖନୀୟ ଘଟଣା ନୁହେଁ । ସେ କ’ଣ ନଦେଇଚି ! କିନ୍ତୁ.....’’

ଧନେଶ୍ୱର ଥରେ ବାପାଙ୍କ ଫଟୋକୁ ଚାହିଁ ଆଲବମ୍‌ଟିକୁ ବନ୍ଦ କରିଦେଲେ । ଦାଣ୍ଡ ପିଣ୍ଡାକୁ ଯାଇ ପଛରେ ହାତ ଛନ୍ଦିରଖି ଆଗକୁ ପଛକୁ ଅନେକ ଥର ବୁଲୁଥାନ୍ତି । ତାଙ୍କୁ ଦିଶୁଥାଏ ସନ୍ଧ୍ୟା ସୁଦ୍ଧା ସେ ଘରେ ମୋଟା କାର୍ପେଟ ପଡ଼ିଯିବ । ଗଡ଼ରେଜ ସୋଫାସେଟ୍‌ ଥୁଆହେଇଯିବ । ଆଲମାରି ଫ୍ରିଜ୍‌ ଆଦି ଆସି ଭରି ହେଇଯିବ । ଆହୁରି ଆହୁରି ଅନେକ କିଛି....

ସେ ଥପ୍‌କିନା ଠିଆ ହେଇଗଲେ । ତାଙ୍କୁ ଦିଶିଲା ଗୁଡ଼ିଏ କୋଠାଘର ଭୁସୁଡ଼ି ପଡ଼ୁଛି । ତା’ ତଳେ ଚିତ୍‌କାର କରୁଛନ୍ତି ଛୋଟ ଛୋଟ ପିଲା । କେହି ଜଣେ ଇଟାଟାଏ ଟେକି ଧରି କହୁଛି-ଦେଖୁନ୍ତୁ, ଏଇଟା କଞ୍ଚା ଇଟା–ଦେଖନ୍ତୁ, ଏ ଯୋଡ଼େଇରେ ତୁଚ୍ଛା ବାଲି–ଦେଖନ୍ତୁ, ଏ ଲୁହା ଛଡ଼ ଜାଗାରେ କଣି ବାଉଁଶ । ଦାୟୀ କିଏ ? କିଏ ? –ଉପରକୁ ଉପରକୁ ଆଖି ପାଇଲାଯାଏଁ ସମସ୍ତେ ଏମିତି ରୋହିଖିଆ ଚିକ୍‌କଣ ମୁହଁ ଦେଖେଇ ଚାହିଁରହିଛନ୍ତି । ତଳକୁ ତଳକୁ ସମସ୍ତେ ଆଖି ମିଟିକା ମାରି ଚାହିଁଛନ୍ତି । ରେଜା ମୁଣ୍ଡକୁ କୁଲି ମସଲା ଟେକିଲାବେଳେ କହୁଛି-ଏ ଘର ନିଶ୍ଚେ ଭୁସୁଡ଼ି ପଡ଼ିବ ! ଏ କାମ ସବୁ ଠକେଇ । ଆମ ମୂଲ ଏଠୁ ନେଲେ ଆମକୁ ଧର୍ମ ସହିବନାହିଁ । କାଲି ଏଠୁ ପଳେଇବା । ଜଙ୍ଗଲରୁ କାଠ ଦି’ଗୋଛା ଆଣି ବିକିଲେ ପେଟ ପୋଷିହେଇଯିବ ।

ଗାମୁଛା ଘୋଡ଼େଇ ହୋଇଥିବା ସେ ମଣିଷଟି ସ୍ୱପ୍ନରୁ ଲିଭିନାହିଁ । ସେ ସେମିତି ତାଙ୍କୁ ଚାହିଁ ରହିଛି । ସେମିତି ଉଦାସ ମୁହଁ, ତାଙ୍କ ବାପାଙ୍କ ମୁହଁ ପରି । ତାଙ୍କୁ ସେ ସିଧାସଳଖ ଚାହିଁ ପଚାରିଲେ, ‘‘ମୁଁ ତ ପୁଣି ପିଲାପିଲି ନେଇ ଚଳିବି–କେମିତି ଚଳିବି ? କେବଳ ଦରମାରେ ? ଦରମାରେ କ’ଣ ଚଳିହୁଏ ?’’

ସେ ତାଙ୍କୁ ଉତ୍ତର ନଦେଇ ସେମିତି ଚାହିଁରହିଲା । କେବଳ ବହୁ ଦୂରରୁ ଶୁଭିଲା ‘ତୁ ପାଠ ପଢ଼ିବୁ, ବଡ଼ଲୋକ ହେବୁ । ସାତ ପୁରୁଷ ଉଦ୍ଧାର ହେବେ -କୁଳ ଉଜ୍ଜ୍ୱଳ ହେବ । ....ସାତ ପୁରୁଷ ଉଦ୍ଧାର ହେବେ–କୁଳ ଉଜ୍ଜ୍ୱଳ ହେବ । କୁଳ ଉଜ୍ଜ୍ୱଳ ହେବ !’

ଇସ୍ ! ତାଙ୍କ ଦେହ ବାରମ୍ୱାର ଶୀତେଇଗଲା । ସ୍ୱପ୍ନରେ ପାହାଡ଼ ମଡ଼େଇ ହେଲା ପରି ପୁଣି ସେ ବୋଧକଲେ । ହାତ ମୁଠା ମୁଠା କରି ସେ କଟମଟ କରି ଚାହିଁଲେ ଏବଂ ବୁକୁ ଭିତରୁ ଗୋଟାଏ ମସ୍ତ ଭାରି ପବନ ଓହ୍ଳେଇଗଲା । ....ସେ ଅନେକ ଉଶ୍ୱାସ ବୋଧକଲେ ।

ଟେବୁଲ୍‍ ଉପରକୁ ଫେରିଯାଇ ସେ ଖଣ୍ଡି ଏ ଚିଠି ଲେଖିଲେ ।

ଚୌଧୁରୀ ସାହେବ–

 

ଆପଣଙ୍କ ସ୍ନେହ ପାଇଁ ଧନ୍ୟବାଦ । ମାଛ ବାବଦକୁ ଷାଠିଏ ଟଙ୍କାର ଚେକ୍‌ ଏଥିରେ ଦେଲି । କିଛି ମନେ କରିବେ ନାହିଁ । ଆପଣ ଶୁଣି ଖୁସି ହେବେ ଯେ ମୁଁ ଅସୁସ୍ଥ ବୋଧକରୁଥିବାରୁ ସେନାପତି ବାବୁଙ୍କ ଏ କାମ ସବୁ ଦେଇଦେବାପାଇଁ ସ୍ଥିରକରିଛି । ଆପଣ ଏଣିକି ସେନାପତି ବାବୁଙ୍କୁ ଦେଖାକରିବେ । ଆହୁରି ଶୁଣି ଖୁସିହେବେ ଯେ, ମୁଁ ଏ ମାସ ଭିତରେ ଅନ୍ୟ ଘରକୁ ଚାଲିଯାଉଛି । ଆପଣଙ୍କର ଆସିଷ୍ଟେଣ୍ଟ ମେନେଜରଙ୍କୁ କୌଣସି ଅସୁବିଧା ହେବନାହିଁ । ଆପଣ ଦୟାକରି ମୋ ପାଖକୁ ଆସିବା କଷ୍ଟ କରିବେନାହିଁ । ପ୍ରୟୋଜନ ହେଲେ ମୁଁ ଆପଣଙ୍କୁ ଦେଖା କରିବି ।

 

ଇତି

ଆପଣଙ୍କର ସ୍ନେହାନୁଗତ

ଧନେଶ୍ୱର

 

ଚେକ୍‌ଟି ତା’ ସହିତ ଖଣ୍ଡିଏ ଲଫାପାରେ ରଖି ଠିକଣା ଲେଖିଲେ । ଖୁବ୍‌ ହାଲୁକା ଅକ୍ଷର । ତାକୁ ଥୋଇଦେଇ ସେ ଆଗଣାଆଡ଼େ ଗଲେ । ଖୁବ୍‌ ହାଲୁକା ହାଲୁକା ହସ ଏବଂ ଚାଲି । ମାଛକଟା ପାଖରୁ ପତ୍ନୀ ତାଙ୍କୁ ଦେଖି ଖୁବ୍‌ ଆଶ୍ୱସ୍ତ ଜଣାଗଲେ । ଓଃ, ତା’ହେଲେ ମେଘ ଘୁଞ୍ଚିଗଲା-!

 

ଧନେଶ୍ୱର ବାବୁଙ୍କ ମୁହଁରେ ଏତେ ପରିଷ୍କାର ହସ ସେ ଅନେକ ଦିନରୁ ଦେଖିନଥିଲେ ।

Image

 

ପାତାଳ ଗଙ୍ଗା

 

ସେଠିକା ଖରା ବିଷୟରେ କଥାରେ କହି କିଛି ଲାଭନାହିଁ ! କମାରଶାଳର ଧାସ ଭଳି ସେ ଝାଞ୍ଜି ଖରାରେ ଥରେ ଭାଜି ନହେଲେ କେହି ବିଶ୍ୱାସ କରିବେନାହିଁ । କେମିତି ଏକାବେଳେ ଆକାଶ ପବନ ପୃଥ୍ୱୀରେ ନିଆଁ ଲାଗିଯାଏ । ଚାଷ ଜମିଉପରୁ ଧୂଳି ଉଠିଯାଏ । ପୋଖରୀ ଫାଟି ଫଡ଼ା ଫଡ଼ା ହୋଇଯାଏ । ପତ୍ର ଝାଡ଼ି ଦେଇ ଗଛସବୁ ଠିଆରେ ଜଳିଯାନ୍ତି ! ଶହ ଶହ ଶୋଷିଲା ପକ୍ଷୀ ଖସିପଡ଼ନ୍ତି । ଗାଈ ଗୋରୁ ଧକୋଉଥା’ନ୍ତି ସକାଳୁ ସଞ୍ଜଯାଏ । ମୁନ୍ଦାଏ ପାଣିପାଇଁ ମଣିଷ ପାଟି ପାକୁ ପାକୁ କରି ପଡ଼ିଥାଏ । ବେଳେବେଳେ ସେମିତି ମରି ବି ଯାଏ ।

 

ସେ ଅଞ୍ଚଳରେ ସେଥିପାଇଁ ଯେତେ ସବୁ ଥିଲା ବାଲା ଖର୍ଚ୍ଚ କରି ଜଳକୀର୍ତ୍ତି ରଖିଯାଇଛନ୍ତି । ଏବେ ଠାଏ ଠାଏ ନୂଆ ମାଟି-ଘୁମମାନଙ୍କରେ ନାଲି କନା ଘୋଡ଼େଇ, ମଲ୍ଲୀକଢ଼ ବେଢ଼େଇ ପାଣିଛତ୍ର ଦିଆହୁଏ । ଗୋରୁଙ୍କପାଇଁ ପାଣି କୁଣ୍ଡ ଭର୍ତ୍ତି କରି ରଖନ୍ତି ଦାତାମାନେ ! ପାଣି ମୁନ୍ଦାକରେ ଉଡ଼ିଯାଉଥିବା ହଂସା ଲେଉଟି ଆସେ । ପ୍ରାଣ ଝୁଲି ରହିଥାଏ ଢୋକେ ପାଣି ଉପରେ !

 

ସେ ନୂଆ ସାହିଟା ଆସି ଦୁଇ ପୁରୁଷ ହେବ, ସହର ଲାଞ୍ଜରେ ବସିଗଲାଣି । ଟୋକା ବୟସରେ ଯେଉଁମାନେ ଆସିଥିଲେ ସେଇଠି ଚାଳିଘର ତୋଳି ରହିବା ପାଇଁ, ସେମାନେ ଏବେ ବୁଢ଼ା ହେଇଗଲେଣି ! ସେମାନଙ୍କ ପିଲାମାନେ ଅଧାଡ଼ିଆ ଖସିଲା ବୟସର ବାପ ମା’ ହେଇଗଲେଣି ! ସେମାନଙ୍କ ପିଲାମାନେ ଅଧାଡ଼ିଆ ଖସିଲା ବୟସର ବାପ ମା’ ହେଇଗଲେଣି । ନାତି ନାତୁଣୀ ବଢ଼ି ଆସିଲେଣି ଭେଣ୍ଡିଆ ଗଜା ଟୋକାଟୋକୀ ହେଇ । ସେଇମାନେ ଏଣିକି ଆବୋରିଯିବେ ସେ ସାହିଟାକୁ । ସମସ୍ତେ କିନ୍ତୁ ଗୋଟାଏ ଖରା ଋତୁ ପାରିହେଲେ ନୂଆ ଜନ୍ମଟାଏ ପାଇଲାପରି ମଣନ୍ତି । ଖରାଟା ସତେବା ଜଳନ୍ତା ଅଗ୍ନି-କୁଣ୍ଡଟାଏ !

 

ଦୋଳପୂର୍ଣ୍ଣମୀ ବେଳକୁ ଖରାତେଜ ସେଇଠି ଅସହ୍ୟ ହୋଇଯାଏ । ଫଗୁ ଖେଳରୁ ସକାଳ ଓଳି ଫେରିଲାବେଳକୁ ଓଠ ଶୁଖିଯାଏ । ତାଳୁ ଫଟା ଖରାରେ ମୁଣ୍ଡ ଝାଇଁ ଝାଇଁ ହେଇଯାଏ-। ଜିଭ ଭିଡ଼ିନିଏ । ସେତିକିବେଳୁ ପାଣି ନିଅଣ୍ଟ ହୋଇଆସେ । କେତେ ମାତବ୍‌ବର ଲୋକେ ପାଣିକୁଣ୍ଡରେ ରଙ୍ଗ ଗୋଳି ପିଚକାରି ଖେଳନ୍ତି । ନୋହିଲେ, ସାଧାରଣ ଲୋକଙ୍କର ସେଇ ଢାଳେ ଦୁଇଢାଳ ପାଣିର ଖେଳ । ସେତକ ସାରିଦେଇ ସେମାନେ ଅନ୍ୟମାନଙ୍କ ରଙ୍ଗରେ ତିନ୍ତିବାକୁ ଠେଲାପେଲା ହେଉଥାନ୍ତି ।

 

ସେଦିନ ରଙ୍ଗ ଖେଳ ପରେ ନିଧି ସ୍ୱାଇଁ, ମାଧବ ବେହେରା, ଗଜି ରଥ ଘରୁ ଭେଣ୍ଡିଆ ପୁଅମାନେ ଆସି ସାହିର କୂଅ ମୂଳେ ରଙ୍ଗ ଛଡ଼େଇ ହେଲେ । ପାଣି ବୋହିଯାଇ ନୂଆସାହି ଆରପାଖ କ୍ଷେତରେ ମାଡ଼ିଗଲା । ଖଣ୍ଡେ ବାସ୍ନା ସାବୁନକୁ ଦେହସାରା ଫେଣ ଗଜଗଜ କରି ତିନିହେଁ ଅତି ଉତ୍‌ପାତ ହୋଇ ଗାଧୋଉଥାନ୍ତି । ହସି ହସି ଗଡ଼ିଯାଉଥାନ୍ତି । ଚାରି ଉହୁଙ୍କାରେ କୂଅରୁ ପାଣି ଝିଙ୍କି ଆଣୁଥାନ୍ତି ଅନାୟାସ ! ଭୁସ୍‌ ଇଡ଼ି ହେଉଥାନ୍ତି ବାଲ୍‌ଟି ବାଲ୍‌ଟି ପାଣି ! ତିନିଜଣଯାକ ବଳୁଆ, ଷଣ୍ଢାମାର୍କା ଟୋକା; ଯାହାଙ୍କ ଡରରେ ସେ ସାହିଆଡ଼େ କେହି ମୁହଁ ଟେକି ଚାହିଁପାରେ ନାହିଁ । ରାତିରେ ଚୋରି ସାହସ କରେନାହିଁ ସେ ପାଖ ପଶିବାକୁ । କୋଡ଼ିଏ ଘର ସାହିଭିତରୁ ସେଭଳି ଚାରିପୁଞ୍ଜା ଟୋକା ବଢ଼ି ଆସିଲେଣି । ହେଲେ ଏ ତିନିଜଣଙ୍କୁ ଏକାଠି ମୁକାବିଲା କରିବାପାଇଁ କାହାରି ସାହସ ନାହିଁ ।

 

ସେ କୂଅଟି ନୂଆ ସାହିର ଜୀବନନଳୀ । ସେଥିରୁ ପାଣି ନେଇ ସାରା କାମ ଚଳେ । କୁଆ ଆଖିପରି ନିର୍ମଳପାଣି ଯେମିତି କାକର ସେମିତି ସୁଆଦ । ବେଶି ସେମିତି ଗହୀର ନୁହେଁ; କାରଣ ବାର ହାତ ତଳକୁ ଅକର୍ମାଶିଳାଟାଏ ହାବୁଡ଼ିଗଲା । ଆଉ ତଳକୁ କାଙ୍କ ଗଳିଲା ନାହିଁ; କିନ୍ତୁ କେମିତି କେଜାଣି ଗୋଟାଏ ଝର ମଧ୍ୟ ପଶ୍ଚିମପଟରୁ ଫିଟିଗଲା ସେଇଠି । ହେଇପାରେ ଉପରମୁଣ୍ଡା ପୋଖରୀରୁ ମାଇଲିଏ ଦୂରରେ ପୂର୍ବପାଖ ପୋଖରୀକୁ ମାଟିତଳେ ସୁଅ ପଡ଼ିଛି । କୂଅଟା ସେଇ ଶିର ଉପରେ ଆସିଗଲା । ହୋଇପାରେ । ସେଇଟା ସେ ନୂଆ ସାହିବାଲାଙ୍କ ଭାଗ୍ୟ-। ସେ ସୁଅ ବର୍ଷସାରା ଝରୁଥାଏ । ଖାଲି ଖରା ତିନିମାସ ପାଣି ନିଅଣ୍ଟିଆ ହୋଇଯାଏ । ପିତ୍ତଳ ଗରା ବୁଡ଼େନାହିଁ । ଦେଖୁ ଦେଖୁ ଢାଳ ମଧ୍ୟ ବୁଡ଼େନାହିଁ । ଗୋଟିଏ ଛୋଟିଆ ଖୋପରେ ଝିର୍‌ ଝିର୍‌ ଯେଉଁ ମୁନ୍ଦାକ ପାଣି ରାତିଯାକ ଭିତରେ ଜମିଥାଏ, ତାକୁ ପିଇବାପାଇଁ ନେବାକୁ କୂଅମୂଳେ ବାଦ ହୁଏ । କଳିଗୋଳ ମଧ୍ୟ ହୁଏ । ବୁଢ଼ାମାନେ ତ ଦେଖି ଆସିଛନ୍ତି ଦିହକଯାକ । ସବୁ ଖରାରେ ସେମିତି । ସେମାନେ ଯାଇ ସମାଧାନ କରନ୍ତି ।

 

ଦୋଳପୂର୍ଣ୍ଣମୀରେ ସେ ତିନିଟା ଟୋକା କୂଅ ପାଣିକୁ ସେମିତି ଫିଙ୍ଗା ଫୋପଡ଼ା କରି ଢାଳିବା ଦେଖି କାହା ଦେହ ସହିଲାନାହିଁ । ମାଇକିନିଆମାନେ ଟୁପ୍‌ ଟାପ୍‌ ହେଲେ । ରବେଇ ଖବେଇ ହେଲେ । ୟାଙ୍କୁ କିଏ ରୋଧିବ ? ପାଣି ହେଲା ପ୍ରାଣ । ୟାଙ୍କ ଅଗୁଆଁର ପଣ ପାଇଁ ସାହିଯାକ ଚୁଡ଼ୁବୁଡ଼ୁ ହୋଇ ମରିଯିବେ !

 

ମନ୍ଦିରରୁ ଫେରୁଥିଲେ ଦିନା କକେଇ । ସେ ସେଇଠି ଠିଆହୋଇ ସେମାନଙ୍କୁ ଚାହିଁଲେ, କହିଲେ-‘‘କିରେ ଇଏ କ’ଣ କରୁଛ ? –ଗାଧୋଇବାକୁ ନଈକୁ ଗଲନାହିଁ ? ତିନିକୋଶ ବାଟ କ’ଣ ତମକୁ ବଳେଇଗଲା ଯେ, ଏଇ ପାଣି ମୁନ୍ଦାକ ଏମିତି ସାରିଦଉଛ ? କେମିତି ନିଅଣ୍ଟିଆ ଦିନ ଆସିଲାଣି ତୁମକୁ ଦିଶୁନାହିଁ ?’’

 

ସେମାନେ ଥମିଗଲେ, ଜଣେ କହିଲା-‘‘ଆମେ ଯିବାକୁ ବସିଥିଲୁ ଯେ କକେଇ ଆଜି ସବୁ, ଶୁଣିଲୁ ନଈରେ ତ ଧାର ନଥିଲା ! ଯେଉଁ ଚବକାଏ ପାଣି ଅତଡ଼ାଖିଆ ଆଡ଼କୁ ଥିଲା, ସେଇଟା କୁଆଡ଼େ ଗୋରୁଗୋଠ ପଡ଼ି ପିଇଗଲେଣି ।’’

 

‘‘କିରେ, କିରେ ତେବେ ଏ ପାଣିମୁନ୍ଦାକୁ ଏମିତି ଫିଙ୍ଗିନାଇଁ, ଏତକ ଆମ ପ୍ରାଣ !’’

 

ଦିନା କକେଇ କଥାରେ ଅଜ୍ଞାତ ଭୟଟାଏ ଚାଇଁ ଚାଇଁ ଭେଦିଗଲା-ଖରା ତେଜ ଆଉ ସହିହେଲା ନାହିଁ । ସେମାନେ ତଳକୁ ମୁହଁ ପୋତି ଗାମୁଛା ଚିପୁଡ଼ିଲେ–

 

ଦେଖୁ ଦେଖୁ ଚୈତ୍ର ମାସ ମାଡ଼ି ଆସିଲା । ତା’ ସାଙ୍ଗେ ମାଡ଼ିଆସିଲା ରକ୍ତମୁଖା ବାଘ ପରି ଖରା ! ସାନ ବାରହାତିଆ କୂଅଟି ଦେଖାଗଲା, ମେଲା ହେଇ ଧକଉଥିବା ପାକୁଆ ପାଟିପରି-। କୂଅ ତଳେ ଆଉ ପାଣି ନାହିଁ । ଶୁଖିଲା, ଅକର୍ମଶିଳା କଇଁଚ ପିଠିପରି ନିଶ୍ଚଳ ଆବୋରି ରହିଛି । ପଶ୍ଚିମପଟୁ ସେ ସୋରାକପାଣି ଦ୍ୱିତୀୟା ଜହ୍ନଟିଏ !

 

କିଛିଦିନ ହେଲା ମାଇକିନିଆମାନେ ଖୁମ୍ପୁରା ଖୁମ୍ପୁରି ହେଲେଣି । ପାହାନ୍ତିଆ ପହରକୁ କୂଅ ଏକାଥରେ ଚଟାଚଟି ହୋଇଯାଉଛି । ସମସ୍ତଙ୍କ ମନରେ ସନ୍ଦେହ । ଜଣେ ଭାବୁଛି ଯେ, ଆଉ ଜଣେ ରାତି ଅଧରୁ ପାଣିରେ ଡଙ୍କି ପକେଇ ରାମ୍ପି ନେଉଛି । ବୋହୂ ଭୁଆସୁଣୀ ଖାଲି ଗରା କାଖେଇ ଫେରିଆସୁଛନ୍ତି । ଟୁପି ଦେଉଛନ୍ତି ଶାଶୁମାନଙ୍କୁ । ସେଇ ଖଣ୍ଡାଖାଈ ଶାଶୁମାନେ ଲାଗିଯାଉଛନ୍ତି ଚଟିଆ ଯୁଦ୍ଧ । ସାନ ପିଲାମାନେ ସେ କଳିରେ ରମ୍ପାଝମ୍ପା ହେଇଯାଉଛନ୍ତି । ସମସ୍ତେ ଚାହିଁ ଦେଉଛନ୍ତି କୂଅ ଭିତରକୁ । ସେଇଠି ସମସ୍ତଙ୍କର ଭାଗ୍ୟ ସତେ ବା ଲୁଚିରହି ଚିକ୍‌ ଚିକ୍‌ କରୁଛି ।

 

ସେଦିନ ପ୍ରଚଣ୍ଡ ଖରା । ସଞ୍ଜବେଳକୁ ପାଖ ପାହାଡ଼ରୁ ନିଆଁ ଧାସ ସାଙ୍ଗକୁ ଗୋଟାଏ ତାତିଲା ଧୂଳିଝଡ଼ ମାଡ଼ିଆସିଲା । ସେତିକିବେଳେ କିଏ ଆସି କହିଦେଲା ଯେ, କୂଅ ସଂପୂର୍ଣ୍ଣ ଶୁଖିଗଲା । ଆଉ ଜମା ପାଣି ନାହିଁ । ସମସ୍ତେ ଚମକିପଡ଼ିଲେ । ଖେଦିଗଲେ ଚାରିଆଡ଼ୁ କୂଅମୂଳକୁ-। ଟିଣ ଡବାଟାକୁ କୂଅ ଗର୍ଭର ଶୁଖିଲା ପଥର ଉପରେ ସମସ୍ତେ ଥରେ ଲେଖା ଗଡ଼େଇଲେ । ପାଣିର କଳକଳ ଶୀତଳ ଓଦା ଶବ୍ଦ କାହାକୁ ଶୁଭିଲା ନାହିଁ । ଶୁଖିଲା ଟିଣା, ଶୁଖିଲା ପଥର ଉପରେ ଘୋଷାରିବାର ନିର୍ମମ ଟଣର ଟଣର ଶବ୍ଦ ଶୁଣି ସମସ୍ତଙ୍କର ଦୀର୍ଘଶ୍ୱାସ ବାହାରିଆସିଲା । ସମସ୍ତେ ଜାଣିଗଲେ ଯେ, କୂଅ ସତକୁ ସତ ଶୁଖିଗଲା । ତିନି ପୁରୁଷ ହେଲା ଅନବରତ ବୋହୁଥିବା ଝରଟି ଶୁଖିଗଲା ।

 

ତେବେ କ’ଣ କରିବା ? ଭେଣ୍ଡିଆ ପିଲାଙ୍କ ପାଟି ବେଶି ଶୁଭିଲା-‘‘ଆମେ ସେ ପଥର ଫଟେଇ କୂଅକୁ ଆଉ ଦଶହାତ ଗହୀର କରିଦେଲେ ହୁଅନ୍ତାନାହିଁ ?’’ ପୁରୁଖା ଲୋକେ କହିଲେ, ସେ ପଥର ଅକର୍ମଶିଳା । ସେ ଜମା କାନେଇବ ନାହିଁ ତୁମ ନିହାଣ ମୁଗୁରକୁ ! ପୁଣି କହିଲେ, ‘‘ପଥର ଫଟାଳିଙ୍କ ମୂଲ ଅସମ୍ଭବ ବଢ଼ିଗଲାଣି । ସେମାନେ ହାତେ କାଟିବାକୁ ଶହେ ଟଙ୍କା ମାଗିବେ-। କୋଉଠୁ ଦବ ଏତେ ପଇସା ?’’

 

‘‘ପଥର ଫଟେଇଲେ ପାଣି ପଡ଼ିବ ବୋଲି କ’ଣ ଭରସା ? ଏଇଟା ଯଦି ଭୂଗର୍ଭର ପାହାଡ଼ଶିଖ ହୋଇଥାଏ, କେତେ କାଟିବ ପଥର ? କୋଉଯାଏ କାଟିବ ?’’

 

ସଞ୍ଜ ଅନ୍ଧାର ଭିତରୁ ଅନ୍ୟାନ୍ୟ ସ୍ୱର ଶୁଭିଲା, ‘‘ଆରେ ଅନ୍ୟାୟ ଅନାଚାର ବଢ଼ିଗଲା ! ଗଙ୍ଗା ରୁଷ୍ଟ ହୋଇଯାଇଛନ୍ତି । କାଲି ତାଙ୍କୁ ସନ୍ତୁଷ୍ଟ କରିବାକୁ ପୂଜାଟାଏ କରିଦିଅ । ସେ ପୁଣି ଝରିଆସିବେ ।’’

 

ପିତେଇ ନାନୀ ସ୍ୱର ପରି ଚିହିଁକା ସ୍ୱରଟାଏ ଶୁଭିଲା, ‘‘ସେଇ ଅଲକ୍ଷଣୀ ପିଶାଚୁଣୀ କାଲି ସବୁ ଶୋଷିଦେଲା ! ସେଇ ଥିବାଯାକେ ଏ ସାହିର ମଙ୍ଗଳ ନାହିଁ ! ସେଇ ତଣ୍ଢେଇ ବୁଢ଼ୀ, ପୁତଖାଈ ସମସ୍ତଙ୍କ ରକ୍ତ ଶୋଷୁଛି ।’’

 

ଆଉ ଜଣେ ସେମିତି କଥା ଛିଣ୍ଡେଇଲେ, ‘‘ହଇ, ହଇ, ସେଇ ବୁଢ଼ୀ ରାତିସାରା ହଗୁରିପଦାରେ ଚରି ଚରି ପଟେ ପୂରଉଚି । ଅଣ୍ଟୁନାହିଁ ବୋଲି ଆମରି ରକ୍ତ ମାଉଁସ ଖାଇଗଲାଣି ।’’

 

ଦେଖୁ ଦେଖୁ ଅଣ୍ଡିରା କିଏ ଜଣେ ପାଳି ଧରିଲା ‘‘ସେ ମିସ୍ତ୍ରାଣିବୁଢ଼ୀ ନିଶ୍ଚେ ଏ କୂଅ ଭିତରେ ମୁହଁ ବୁଡ଼େଇ ଶୋଷି ନେଇଛି । ତଣ୍ଢେଇ ପାଇଁ କିଛି ବିଚିତ୍ର ନୁହେଁ ।’’

 

...‘‘କାଲି ସେ କୂଅମୂଳେ ବସି ମନକୁମନ ଗାରେଡ଼ି ଜପୁଥିଲା, ମନକୁମନ ହସୁଥିଲା, ଆଖି ତରାଟି ହାତକୁ ତନ୍ତୀ କଣ୍ଡାପରି ଛାଟୁଥିଲା ।’’

 

...‘‘ମୁଁ ଦେଖିଛି, ସେ ଶୋଷରେ ଓଠ ଚାଟି ବୁଲୁଥିଲା । ଆଜି ଦି’ପହରେ ସେ କୂଅମୂଳେ ଘେର କାଟୁଥିଲା–’’

 

...‘‘ଆରେ, କଥା ଏଇଠି । କ’ଣନା ବାରଆଡ଼େ ଆମେ ତୁଚ୍ଛାରେ ଦରାଣ୍ଡି ହେଉଚେ । ସେଇ ତଣ୍ଢେଇ ବୁଢ଼ୀ ତ’ ଚାହିଁଦେଲେ ପାଣି ଶୋଷି ନେବ । ମୁହଁ ମାରିବା ଦରକାର କ’ଣ ?’’

 

ମିସ୍ତ୍ରାଣିବୁଢ଼ୀ, ତଣ୍ଢେଇ ! ମିସ୍ତ୍ରାଣୀ ପୁତଖାଈ ! ମିସ୍ତ୍ରାଣୀ ସାଇର ଅରିଷ୍ଟ । ସେଇ ଶୋଷି ନେଇଛି ଜୀବନନଳୀ ପରି କୂଅର ପାଣି ଧାରକୁ ।

 

ସାଇଁ ସାଇଁ ଧୂଳିଝଡ଼ ପିଟିଯାଉଥାଏ । ଛୁଞ୍ଚିପରି ଫୋଡ଼ି ହୋଇଯାଉଥାଏ ବାଲି । ସଞ୍ଜ ଅନ୍ଧାର ପାରି ହୋଇଯାଉଥାଏ ।

 

ସାଇଯାକ ମାଇକିନିଆ ମନ୍ଦା ମନ୍ଦା, ଅଣ୍ଡିରା ଗୋଛା ଗୋଛା, ପିଲାଏ ଭେଳା ଭେଳା । ସମସ୍ତେ ଶୋଷିଲା । ସବୁଠି ଟୁପୁର ଟାପର ଚାଲିଛି । ଗୋଟିଏ କଥା ସମସ୍ତେ ଫୁସ୍‌ଫାସ୍‌ ହଉଛନ୍ତି-। ସାରା ସାଇ ପାଖେ । କଥାଟା ଆରପାଖେ । ସେଇ ସମସ୍ତଙ୍କୁ ଖାଉଛି । ତାକୁ ସମସ୍ତେ ନମିଶିଲେ ପାରିବେ ନାହିଁ ।

 

ଦଶମୀ ଜହ୍ନ ନିର୍ମେଘ ଆକାଶରୁ ରାଉରାଉ ଉଜକି ଉଠିଲା । ରାତି ଦୁଇଘଡ଼ିଯାଏ ମନ୍ତ୍ରଣା ଚାଲିଥାଏ । ପବନ ଟିକିଏ କାକର ପଡ଼ି ଆସିଥାଏ । ସ୍ଥିର ହେଲା ଯେ ତଣ୍ଢେଇର ମୁକାବିଲା କରାଯିବ ।

 

ରାତି ହେଇଗଲେ ତାର ବଳ ଚଢ଼ିଯାଏ ଦଶଗୁଣ । ତଣ୍ଢେଇ ତା’ର ଅଢ଼େଇ ପଦକୁ ଲେଉଟିଆ ବୋଲିଦେଲେ ତା’ ଦାନ୍ତର ଦାଢ଼ ତେଜିଯାଏ । ସେ ସେତେବେଳେ ଗୋରୁଟାଏ ପାଇଲେ ରେକେଟି ଦେଇପାରେ । ପୁଞ୍ଜାଏ ଭେଣ୍ଡାଙ୍କୁ ଚୁଟିଧରି ଶୂନ୍ୟରେ ଟେକି ନେଇପାରେ ।

 

ସମସ୍ତେ ପାଖେଇ ଆସିଲେ । ମନ୍ଦାଗୁଡ଼ିକ ନିବିଡ଼ ହୋଇଗଲା । ସମସ୍ତେ ଆହୁରି ଆସ୍ତେ ଫିସ୍‌ଫିସ୍‌ କଥା କହିଲେ । ଖଡ୍‌କରି କ’ଣଟାଏ ହୋଇଗଲେ ହାତେ ଲେଖା ଡେଇଁ ପଡ଼ୁଥାନ୍ତି । ଚମକିଲେ ବୁକୁରେ ଛେପ ପକଉଥାନ୍ତି ।

 

ଏଡ଼ିକି ଟିକିଏ ବୁଢ଼ୀ । ପାତଳ ହାଡ଼ର ପକ୍ଷୀପରି ହାଲୁକା ଡେଣା । ମୁଣ୍ଡରେ ଫୁରୁଫୁରୁ ଧଳାବାଳ । ଆଲୁରୁ ବାଲୁରୁ ପିନ୍ଧା । ବାୟାଣୀ ପରି ହାତରେ ବେକରେ ଗୋଡ଼ରେ ବରଗଡ଼, ବବୁଲ ଫଳ ସୋରା ସୋରା ପିନ୍ଧିଥାଏ । ମନକୁ ମନ ବିଡ଼ି ବିଡ଼ି ହେଉଥାଏ । ସେ ପୁଣି ଏମିତି ? ଏଡ଼ିକି ପୁଣି ଶକ୍ତି ତା’ର ଯେ ପୁଞ୍ଜାଏ ଭେଣ୍ଡିଆଙ୍କୁ ଶୂନ୍ୟରେ ଟେକି ନେଇଯିବ ?

 

ଦିନା କକେଇ କହିଲେ, ‘‘ଆରେ, ମୁଁ ପିଲାବେଳୁ ତାକୁ ସେମିତି ଦେଖି ଆସିଛି ପରା । ତାକୁ ଆଜି ପାନେ ଦବାକୁ ହବ । ମୁଁ ଗାୟତ୍ରୀ ଜପିଦେଲେ ସେ ମୋତେ ଛୁଇଁ ପାରିବ ନାଇଁ । ତାକୁ ଆଗ ଧରି ତା’ ବିଦ୍ୟା ମାରା କରିଦେବାକୁ ହବ । ତାକୁ ଦୁଇଜଣ ଧରି ତା’ ପାଟି ମେଲା କରିଦେଲେ, ମୁଁ ତା’ ବ୍ୟବସ୍ଥା କରିଦେବି । ଏବଠୁ ଘଣ୍ଟାଏ ଯାଏ ମୁଁ କଡ଼ା ପାନ ପାଟିରେ ଜାକିଧରି ମନ୍ତ୍ର ଜପିବି । ସେଇ ମନ୍ତୁରା ପିକ ପାଟି ଭର୍ତ୍ତି ହୋଇଗଲେ ତାକୁ ତା’ ପାଟିରେ ପୁଚୁକି ଦେବି । ସେଥିରେ ତ ବ୍ରହ୍ମ ରାକ୍ଷସ ଛାଡ଼ିଯିବ । ଏଇଟା ତ କଞ୍ଚାଖାଈ ତଣ୍ଢେଇଟାଏ ।’’

 

ହରିଆ ମଲ୍ଲ କହିଲା, ‘‘ଖାଲି କ’ଣ ସେତିକି କକେଇ । କାଉଁରୀ କାମଚଣ୍ଡୀ ଦେଶରେ ଗୁଣିଆଙ୍କୁ ମୁଁ ଦେଖିଛି । ଗୋଟାଏ ତେନ୍ତୁଳି କାଠର ପୋଡ଼ଖୁଣ୍ଟା ଆଉ ଢାଳେ ଅଣ୍ଡିରା ମୂତ । ତାକୁ ସେଇ ପାଟି ମେଲାକରି ମୂତଯାକ ପିଆଇଦେବ ଜଣେ । ଆଉ ଜଣେ ପୋଡ଼ ଖୁଣ୍ଟାରେ ଲାଛି ନେଇଯିବ ଦେହସାରା- । ଠକ୍‌କିନା ତଣ୍ଢେଇ ଓହ୍ଳେଇଯିବ । ସବୁଦିନକୁ ତା’ ବିଷଦାନ୍ତ ଝଡ଼ିଯିବ ।’’

 

ଭେଣ୍ଡିଆମାନେ ଉନ୍ମତ୍ତ ପ୍ରାୟ । ମାଇକିନିଏ ଛାନିଆଁ ଛାନିଆଁ ଡରିଲା ଡରିଲା ପରି ଆଉଜି ଯାଉଥାନ୍ତି ଏପାଖ ସେପାଖ । ଆୟୋଜନ ଚାଲିଲା । ଦିନା କକେଇ ଏ କଳରେ ଖଣ୍ଡେ ସେ କଳରେ ଖଣ୍ଡେ ଅସଲ କଡ଼ା ପାନ ଜାକି ବସିଗଲେ । ହରିଆ ମଲ୍ଲ ତିନ୍ତୁଳି କାଠ ଖଣ୍ଡେ ଚୁଲିରେ ମାଡ଼ିଦେଇ ବାହାରି ଆସିଲା ।

 

କାହାକୁ ନିଦ ନାହିଁ, କାହାକୁ ଭୋକ ନାହିଁ । ସାରା ସାହି ଛନ୍‌ଛନ୍‌ । ଠୋକରା ଶୁଖିଲା କୂଅମୂଳ ନିଛାଟିଆ, ଅଲକ୍ଷଣିଆ ! ପାଣି ଶୁଖିଯାଇଛି ସାହିଟାରୁ ।

 

ଦିନା କକେଇ ଗୁଁ ଗୁଁ ହୋଇ ହାତରେ ଠାରିଲେ । ଅନ୍ୟମାନେ ବୁଝିଗଲେ ଯେ, ପାନ ପିକ ମନ୍ତୁରା ହେଇଗଲା । ହରି ମଲ୍ଲ ଜଳନ୍ତା ପୋଡ଼ ଖୁଣ୍ଟାଟାଏ ହାତରେ ଧରି ଆସି ଠିଆ ହେଲା । ସମସ୍ତେ ଆଡ଼େଇ ହୋଇଗଲେ । ବାଁ ହାତରେ ରସ ଢାଳଟାଏ ଧରିଥାଏ ସେ । ଭେଣ୍ଡିଆ ଟୋକାମାନେ ମାଲକଛା ମାରି ଅଣ୍ଟାରେ ଗାମୁଛା ଭିଡ଼ିନେଲେ । ମାଇକିନିଆମାନେ ଛେପ ଢୋକି ଦୁଆରବନ୍ଧକୁ ଧରି ଚାହିଁ ରହିଲେ । କାହାରି ତୁଣ୍ଡରୁ କଥା ବାହାରୁନଥାଏ । ତଣ୍ଢେଇ ମାରଣ ହେବ-। କଣ ହବ କିଏ କହିବ ? ନିଜ ନିଜ ପୁଅ ଘଇତାଙ୍କୁ ଓହରେଇ ନେବାକୁ ସେମାନଙ୍କର ମନ ଖଲଖଲ ହଉଥାଏ । କିନ୍ତୁ ସାଇ କଥା, କେମିତି ଅଲଗା ହେଇଯିବେ ?

 

ଚାରିଆଡ଼କୁ ଚାହିଁ, ଅଳ୍ପ ଡକାହକା ହେଇ ସମସ୍ତେ ଆଗେଇଲେ ପୂର୍ବମୁହାଁ । ସେଇଆଡ଼େ ସାଇଠାରୁ ଅଲଗା, ଖଣ୍ଡେ ଖପରଲି ଝାଟି ଘରେ ମିସ୍ତ୍ରାଣୀ ରହେ । ତା’ ଘରେ ଏବେ ତା’ ନାତୁଣୀ ନାତୁଣୀଜୋଇଁ ରହୁଛନ୍ତି । ବୁଢ଼ୀ ପିଣ୍ଡାରେ ଖଟିଆ ପକେଇ ଶୋଇଥାଏ ଦିନସାରା । ରାତିରେ ସେଇଠୁ ଉଠି ଚରି ବୁଲିଯିବାକୁ ସଜହୁଏ । ବାଘ ଖେଦାକୁ ଗଲାଭଳି, ନିଃଶବ୍ଦ ପାଦ ଟିପି ଟିପି ସମସ୍ତେ ଚାଲିଥାନ୍ତି । ଚାଳକୁ ଚାଳ ଲାଗିରହିଥିବା ସାଇର ଘର ଗୋଟିକ ପରେ ଗୋଟିଏ ପାରିହୋଇ ଯାଉଥାଏ । ସବୁ ଘର ଆଗରେ ସାଇ ଦାଣ୍ଡରେ ପଡ଼ିଥିବା ଦଉଡ଼ିଆ ଖଟିଆ ପାରି ହେଇ ଯାଉଥାଏ । ଆକାଶରେ ଦଶମୀ ଜହ୍ନ ଖସି ଆସିଥାଏ ଅଧେ ବାଟ ।

 

ବାଁରେ କୂଅ ! ଡାହାଣେ ଦିନା କକେଇ ଘର !

 

ସେଇ ନିଃଶବ୍ଦ ପଟୁଆର ଆଡ଼େଇ ହେଇ ଚାଲିଗଲାବେଳକୁ ଉଶ୍ୱାସ ଖାସଟିଏ ଶୁଭିଲା ଖୁଁ ଖୁଁ ! ଦିନା କକେଇଙ୍କ ନନାଙ୍କୁ ଅଶୀ ବର୍ଷ । ସେ ସାଇ ଭିତରେ ବୟସରେ ସବୁଠୁ ବଡ଼ । ସେ ହିଁ ସାଇ ବସେଇଛନ୍ତି, କୂଅ ଖୋଳେଇଛନ୍ତି ! ଏ ସମସ୍ତଙ୍କୁ ଉପଜାତ ହେବାର ଦେଖିଛନ୍ତି...

 

ସଦାନନ୍ଦ ରାୟଗୁରୁ ଡାକିଲେ, ‘‘କିରେ ଦିନୁ !’’

 

ସାରା ସାଇର କାନ ଡେରି ହେଇଗଲା । ରାୟଗୁରୁ ଉଠି ବସିଲେ ଖଟିଆରେ । ପଟୁଆର ଥମିଗଲା ।

 

‘‘କିରେ ଦିନୁ, କୁଆଡ଼େ ସବୁ ଯାଉଚ ?’’

 

ଦିନା କକେଇଙ୍କ ଆଖି କରଣ୍ଡା କୋଳି ପରି ଥୋପିପଡ଼ିଲା । ତାଙ୍କ ପାଟିରେ ମନ୍ତୁରା ପାନପିକ ଭର୍ତ୍ତି ହୋଇ ରହିଥାଏ । କଥା କହିବା ସମ୍ଭବ ନୁହଁ । ସେ ଗୋରୁଟିଏ ପରି ଇଆଡ଼କୁ ସିଆଡ଼ ଚାହୁଁ ଥାନ୍ତି ।

 

ଗଜି ରଥଙ୍କ ପୁଅ ବଳିଆ, ସମସ୍ତଙ୍କ ଆଗକୁ କହୁଣେଇ ପଶିଆସିଲା । ‘‘ଶୁଣ ଗୋସେଇଁବାପା, ଆମେ ଗୋଟେ ଅନୁକୂଳରେ ବାହାରିଛୁ । ତମେ କାହିଁକି ପଛରେ ଡାକୁଛ ? ଆଜି ସବୁ ଦିନକୁ ଗୋଟାଏ ଦଫା ରଫା ହେଇଯିବ । ସେ ତଣ୍ଢେଇ ବୁଢ଼ୀ ମିସ୍ତ୍ରାଣୀ; ତାକୁ ଆଜି ଚେଙ୍କେ ଦେଇ ତା ତଣ୍ଢେଇପଣିଆ ଭଣ୍ଡୁର କରିବାକୁ ହେବ । ନ ହେଲେ ଏ ସାଇରେ ବଞ୍ଚିବା କଷ୍ଟ-।’’

 

ବୁଢ଼ା ରାୟଗୁରୁ ପୁଣି ଥରଟେ ଖାସି ବଙ୍କାବାଡ଼ି ଉପରେ ଭରା ଦେଇ ଲଡ଼ ଥଡ଼ ହୋଇ ଠିଆହେଲେ । ବଳିଆ ମୁହଁକୁ ଚାହିଁ ପଚାରିଲେ, ‘‘କିରେ ସେ କ’ଣ କଲା ତମର ?’’

 

ଚାରି ପାଞ୍ଚଜଣ ଏକାଠି କହିଲେ, ‘‘ଆଉ କ’ଣ କରିଥାନ୍ତା ? ଜିଭ ଲଗେଇ ତୁମ କୂଅଟାର ଚକି ଚାଟି ଦେଇଛି । ଚିତା ଘେନିବାକୁ ଟୋପେ ପାଣି ନାହିଁ ।’’

 

‘‘ଏ କୂଅ ଦିନେ ଏମିତି ଶୁଖିଯିବ ବୋଲି ମୁଁ ଜାଣିଚି ରେ । ଏଥିରେ ସେ ବୁଢ଼ୀଟାର କ’ଣ ଦୋଷ ?’’

 

‘‘ଦୋଷ ନାଇଁ ? –ତମରି ବଅସିଆ ହେବ ବୋଲି ତା’ ପାଇଁ ତୁମ ହୃଦ ତରଳିଯାଉଚି-? ତମେ ଥିର ହେଇ ଶୋଇଲ ! ଆମେ ତା’ କଥା ନିପଟେଇ ଦେଇ ଆସୁଛୁ ।

 

‘‘ଆରେ ସେ ନିଆଶ୍ରୀ ବୁଢ଼ୀଟା ପଛରେ ତମେ ଗାଁସାରା ଲାଗିଛ କେତେ ବର୍ଷ ହେଲା ! ସେ ତ ସବୁ ହାରି ସାରିଚି । ତାକୁ କ’ଣ ପ୍ରାଣରେ ମାରିଦେଲେ ଯାଇ ତମ ପେଟ ପୂରିବ ?’’

 

‘‘ୟାଙ୍କରି ଯୋଗୁ ସେ ତଣ୍ଢେଇ ମୁହଁ ପାଇ ଯାଇଚି । ସାଇରେ କଅଁଳା ପିଲାଙ୍କ ତଣ୍ଟି ଚିପି ଖାଇଗଲେ ସୁଦ୍ଧା ବୁଢ଼ାଙ୍କର ବିଶ୍ୱାସ ହଉନାହିଁ ।’’

 

‘‘ସେ ବୁଢ଼ୀ ପିଲା-ରଙ୍କୁଣୀ । ତା’ର ଗୋଟିଏ ବୋଲି ପୁଅ, ମରିଗଲାଣି ଆଜକୁ ସାତବର୍ଷ ତଳେ । ତା’ ଝିଅ ବୁଢ଼ୀ ହେଇ ଆର ପୁରକୁ ଗଲାଣି । ସେ ତୁମ ସାଇ ସାଙ୍ଗରେ ଗୁନ୍ଥି ହେଇ ରହିଛି ସେଇ କାଳରୁ । କ’ଣ ନା ଏବେ ବୁଢ଼ୀ ହେଇ ଆଡ଼ବାୟାଣୀ ହେଇଗଲା; କଷ୍ଟ ସହି ସହି ବୋଲି ତଣ୍ଢେଇ ହୋଇଗଲା ? ସେ ପରା ଏଇ ଦିନାକୁ ଏନ୍ତୁଡ଼ିଶାଳରୁ ତେଲ ଲଗେଇ ବଡ଼ କରିଛି ।’’

 

ଭୁସ୍‌କିନା ଦିନା କକେଇ ବେଲାଏ ହେବ ମନ୍ତୁରା ପାନପିକ ପୁଚୁକି ଦେଲେ ।

 

‘‘ଯାଃ, ଗଲା ଏଡ଼େ ବଡ଼ ଉପଚାରଟା ଭ୍ରଷ୍ଟ ହୋଇଗଲା ।’’ କହିଲା କେହି ଜଣେ । ସେଇଟା ବୋଧହୁଏ ତେନ୍ତୁଳି ପୋଡ଼ଖୁଣ୍ଟା ଥରିଥିବା ହରିଆ ମଲ୍ଲ ।

 

ରାୟଗୁରୁ ବୁଢ଼ା କହିଲେ, ‘‘ସେ ବୁଢ଼ୀର ମୁଣ୍ଡ ଥୟ ନାହିଁ । ହେଲେ, ସେ ଏ ସାଇ ଛାଡ଼ି ଯାଇ ପାରିବ ନାହିଁ । ଏ କୂଅଟାକୁ ଛାଡ଼ି ଯାଇ ପାରିବ ନାହିଁ ।’’

 

‘‘କେମିତି କେମିତି ? –ଗୁମର ତା’ ହେଲେ ଏଇଠି ।’’

 

‘‘ଏଇ କୂଅରେ ତା’ ପ୍ରାଣପେଡ଼ିକୁ ସମ୍ପାଦି ରଖିଛି କେଉଁଠି । ତା’ହେଲେ ତ ସେଇ ପାଣିତକ ପିଇଦେଇଛି । ପେଡ଼ି କାଢ଼ି ନେଇଯାଇଛି !’’

 

ଜହ୍ନ-ଆଲୁଅରେ ବୁଢ଼ାଙ୍କୁ ବେଢ଼ି କଲର କଲର ହେଲେ, ବାତୁଳ ସାଇବାଲା ।

 

ରାୟଗୁରୁ କହିଲେ, ‘‘ଆରେ ଏମିତି କ’ଣ ଅଜ୍ଞାନ କଥାଗୁଡ଼ାଏ କହୁଛ ? ଏ ବଳିଆ ହେରିକା ପରା କ’ଣ ପାଠଶାଠ ପଢ଼ିଲେଣି । କି ପାଠ ସବୁ ପଢ଼ୁଛନ୍ତି ? ଦୀନୁଟା ବସି ଏତେ ଶାସ୍ତ୍ର ସାଧିଲା । କର୍ମକାଣ୍ଡି ଯାକ ମୁଖସ୍ଥ କଲା; ମାତ୍ର ଯୋଉ ମୂର୍ଖକୁ ସେଇ ମୂର୍ଖ ହେଇ ରହିଗଲା !’’

 

ଶୋଧା ଖାଇ ସମସ୍ତେ ତଳକୁ ମୁହଁ ପୋତିଲେ । ହରିଆ ମଲ୍ଲ ତେନ୍ତୁଳି କାଠର ପୋଡ଼ ଖୁଣ୍ଟାଟାକୁ ଫୋପାଡି ଦେଇ ପାଖେଇ ଆସିଲା । ବୁଢ଼ା ବିଭାବେଦି ଉପରେ ସଂସ୍କୃତ ଶ୍ଳୋକ ବୁଝେଇଲା ପରି କହୁଥାନ୍ତି ।

 

-‘‘ତଣ୍ଢେଇ ଡାକିନୀ, ପିଶାଚୁଣୀ, ମୁଁ ଦେଖିନାହିଁ; କ’ଣ ତମେ ଦେଖିଚ ? ସେମାନେ ସବୁ ତାଙ୍କ ରାଜ୍ୟରେ ଭ୍ରମୁଛନ୍ତି । ସେ କ’ଣ ଆସି ତମ ସାଙ୍ଗେ ଷାଠିଏ ଷାଠିଏ ବର୍ଷକାଳ ସାଇପଡ଼ିଶା ହେଇ ରହିବେ ? ଯେଉଁ ଜଳ ଆଶ୍ରୟରେ ଏ ସାଇ ଏଯାଏଁ ବଞ୍ଚିଚି, ସେ କୂଅକୁ କିଏ ଗଢ଼ିଛି ଜାଣିଚ ? ନିଜେ ଗୋଟି ଗୋଟି କରି ଇଟା ଖଞ୍ଜିଛି, ଜଣେ ମାତ୍ର ମିସ୍ତ୍ରି । ତା ନାଁ ଭଗୀରଥ ମିସ୍ତ୍ରି ! ଏଇ ବୁଢ଼ୀ ମିସ୍ତ୍ରାଣୀର ଗେରସ୍ତ । ଲୁହା ଛେଟେଣାରେ ମସଲା ଯୋଗେଇଛି ଏଇ ବୁଢ଼ୀ । ସେମାନଙ୍କ ପୁଅ ଝିଅ ଯୋଡିକ ଆମରି ଏଇ ପିଣ୍ଡାରେ ମୁଢି ଭୋଗେଇ ଧରି ଖାଉଥାନ୍ତି, କୂଅଗଢ଼ା କାମ ଚାଲିଥାଏ । ନନ୍ଦ କାମରୁ ଉଠି ଆସି ମୋତେ କହିଥିଲା ‘‘ତମ ସାଇକୁ ଗଙ୍ଗା ଆସିଲେ ସାଆନ୍ତେ ! ଏ କୂଅ କେବେ ଶୁଖିବନାଇଁ । ମୋ କାମ ସରିଗଲା, ମୁଁ ଯାଉଛି ।’’ ଚଣ୍ଡାଳ ଯାହା କହିଲା ତା’ ହେଇଗଲା । ପ୍ରତିଷ୍ଠା ଦିନ ସେ ଶୁଖିଲାଟାରେ ମରିଗଲା । ମାସେ ଯାଇନାହିଁ । ପୁଅଟା ମରିଗଲା । –ଏଇ ମାଇକିନାଟା ଧଇର୍ଯ୍ୟ ଧରି ଏଇଠି ରହିଲା । ପ୍ରତିଦିନ ସେଇ କୂଅକୁ ଚାହିଁଦେଲେ, ତାକୁ ବଳ ପାଇଲାପରି ଲାଗିଲା । ମୁଁ ଦେଖିଛି ମାସ ମାସ ଧରି ରାତିରେ ଏଇ କୂଅ ମୂଳେ ସେ ତା’ ଗିରସ୍ତକୁ ବାହୁନି ବାହୁନି କାନ୍ଦିଛି ! ...

 

...ଏ କୂଅରେ ତା’ ଆତ୍ମା ବନ୍ଧାପଡ଼ିଛି । ତା’ ପଛରେ ତମେ ଲାଗିଛ ! ଏ କୂଅ ଶୁଖିଯିବ ନାହିଁ ତ କ’ଣ ଆଉ ରହିବ ! –ଆଉ ଅନାଚାର କରନାହିଁ-ସେ ବୁଢ଼ୀଟା ଏ ସାଇର ମା’ପରି । ତା’ କ୍ଷୀର ଖାଇ ତାକୁ ମାରିବାକୁ ହାତ ଉଠାଅ ନାହିଁ । ବିପତ୍ତି ପଡ଼ିଯିବ !’’

 

ବୁଢ଼ା ଏକାବେଳକେ ଏତେ କଥା କହିଦେଇ ଧକେଇଲା ପରି ବସିପଡ଼ିଲେ –ସମସ୍ତେ ଛାଟଖାଇ ସକଉଥିବା ପିଲାଗୁଡ଼ିଏ । ‘‘କେଡ଼େ କଥା ସତେ କେହି ଜାଣିପାରୁ ନଥିଲେ । ବାୟାଣୀ ବୁଢ଼ୀ ବେଳେବେଳେ, କୂଅଟାକୁ ସାଉଁଳି ଦେଇ ଚାଲିଗଲେ ବାରକଥା ଭାବି ଯାଉଥିଲେ । ‘ମୋ କୂଅ’ ବୋଲି ସେ କଥା-କଥାକେ କହିଦେଲେ କେହି ବୁଝିପାରୁ ନଥିଲେ । ରାୟଗୁରୁ ବୁଢ଼ା ମଧ୍ୟ ଏଯାଏଁ କଥାଟା ପ୍ରଘଟ କରିନଥିଲେ । –ଅସୁମାରି କାଳ ହେଲା କିନ୍ତୁ ମିସ୍ତ୍ରାଣୀ ବୁଢ଼ୀ ତାଙ୍କ ଘରେ କାମ କରି ପେଟ ପୋଷିଛି । –ତାଙ୍କ ପଛେ ଆସିଥିବା ପୁରୁଣା ପୁରୁଣା ବୁଢ଼ା ବୁଢ଼ୀମାନେ ବେଳେବେଳେ ବଙ୍କାରେ କଥା ଠାରିଦିଅନ୍ତି । ରାୟଗୁରୁଙ୍କ ନାଁରେ ତେଡ଼େ ବଡ଼ କଥା କହିଦେବାକୁ କାହାରି ଜିଭ ଲେଉଟେ ନାହିଁ । ମିସ୍ତ୍ରାଣୀ କିନ୍ତୁ ତାଙ୍କ ଆଶ୍ରୟରେ ରହିଆସିଛି ସେଇ କାଳରୁ । ସେଥିପାଇଁ ତାଙ୍କ ଘରେ କେବେ କେମିତି କଳି ଲାଗିଛି । ଦୀନା କକେଇଙ୍କ ବୋଉ ଚାଲିଗଲା ଦିନୁ, ସେକଥା ଲିଭି ଆସିଲାଣି; କିନ୍ତୁ ଦୀନା କକେଇଙ୍କ ମନ ଭିତରେ ରାଗ କୁହୁଳୁଥିଲା ସବୁବେଳେ ।

 

ବଳିଆ ଆଦି ଟୋକାମାନେ କୋହ ଟେକିଲାପରି ହେଲେ । କ୍ଷୀର ଦେଉଥିବା ମା’ କଥାଟା ତାଙ୍କୁ ଭାରି ବାଧିଗଲା । ସେମାନେ ଦୌଡ଼ିଯାଇ ଫେରିଆସିଲେ । ବଳିଆ କହିଲା, ‘‘ଆମେ ତା’ ଖଟିଆ ତଳେ ମୁଣ୍ଡିଆ ମାରି ଫେରିଲୁ । ସମସ୍ତେ ମୁଣ୍ଡିଆ ମାରିବେ । ଆମର ଅପ୍ରାଧ ହେଇଚି ।’’ –ସମସ୍ତେ ସେଇ କଥାରେ ଭୋଳ ହେଇଗଲେ । ଉଠିଲେ ହୋ-କିନା ।

 

ରାୟଗୁରୁ ପୁଣି ତାଙ୍କୁ ବାରଣ କଲେ : ‘‘ଆରେ ତା’ ଦୁଃଖରେ ସେ ଶୋଇଚି । ରାତିଅଧରେ ତାକୁ କାହିଁକି ଏମିତି ହଇରାଣ କରିବ । ପାହାନ୍ତିଆ ହେଉ ।’’

 

ବଳିଆ କହିଲା, ‘‘ପାହାନ୍ତିଆ ହେଲେ ମୁଁ ଭାବିଛି କୂଅ ଭିତରେ ପଶି ସେ ପଥରକୁ ଫଟେଇବି ।’’

 

ତା’ସାଙ୍ଗ ଦି’ଜଣ କହିଲେ, ‘‘ଦଉଡ଼ି ଆଉ ଝୋଲା ସଜିଲ୍‌ କର, ଆମେ ଉପରକୁ ମାଟି କାଢ଼ିବୁ । –କୂଅକୁ ଗହୀର କରିବା । ମା’କୁ ସନ୍ତୁଷ୍ଟ କରିବା । ଗଙ୍ଗା ପୁଣି ଝରିବେ । ମା’ କ୍ଷୀର ଝରିବ ।’’

 

ରାୟଗୁରୁ ହାତ ପିଠିରେ ଲୁହ ପୋଛିଲାପରି ଜଣାଗଲା । ସେ ବଙ୍କା ବାଡ଼ି ଉପରେ ଭରାଦେଇ ବସିଥାନ୍ତି ।

 

ଦୀନା କକେଇ କହିଲେ, ‘‘ତୁମେ ଶୋଇପଡ଼ ନନା, ରାତି ଅନେକ ହେଲାଣି ।’’

 

‘‘ମୁଁ କ’ଣ ଶୋଇବିକିରେ ଦୀନୁ ! ମୁଁ ଶୋଇଲେ ତ ଏକାଥରେ ଶୋଇଯିବି । ମୋତେ କେତେଦିନୁ ନିଦ ନାହିଁ । ମୁଁ ଖାଲି ସେମିତି ଚାହିଁ ପଡ଼ିଥାଏ ।’’

 

...ପାହାନ୍ତିଆ ପହରକୁ କୂଅ ଭିତରୁ ପଥର ଚଟାଣ ଦୁଲୁକିଲା । ନିଆଁଝୁଲ ଛିଟିକିଲା । ଛେଲା ଛେଲା ପାଣିଖିଆ ପଥର ଉଠିଆସିଲା ଉପରକୁ । ମହାଉତ୍ସାହରେ ଭେଣ୍ଡିଆମାନେ ଗହୀରରୁ ଗହୀରକୁ ପାଣିଧାର ଖୋଜିଗଲେ ।

 

ମିସ୍ତ୍ରାଣୀ ବୁଢ଼ୀକୁ ସକାଳ ପହରୁ ଜର । ସେ ବାଉଳୁ-ଚାଉଳୁ ହେଇ ଉଠିଲା । ସାଇବାଲା ତାକୁ ଟେକପାଳ କଲେ । ସେବାକଲେ । ପଥିପାଚନ ଦେଲେ ।

 

ବୁଢ଼ୀ ଜରରେ ଫାଇଁ ଫାଇଁ ହେଇ କାହା କଥା ନମାନି ଚାଲି ଆସିଲା କୂଅ ମୂଳକୁ । ସେତେବେଳକୁ ଖରା ଚଢ଼ିଆସିଲାଣି ମୁଣ୍ଡ ଉପରକୁ । ଓଦା ଗାମୁଛା ପକେଇ, ଠେକା ଭିଡ଼ି, ବୁଢ଼ାମାନେ ଛତା ଧରି କୂଅମୂଳେ ଠିଆ ହେଇଥାନ୍ତି । କାଳିଆ ଅକର୍ମଶିଳା ପରି ଦିଶୁଥିବା ପଥର ଛେଲା ଛେଲା ହୋଇ ଛାଡ଼ି ଯାଉଥାଏ । ଉପରେ କୁଢ଼ କୁଢ଼ ହେଇ ଗଦା ହେଉଥାଏ ।

 

ମିସ୍ତ୍ରାଣୀ ଟଳିଟଳି ଆସି କୂଅ ନନ୍ଦ ଉପରେ ହାତ ସାଉଁଳି ଦେଲା । ଚାହିଁଲା ଭୂରୁ କୁଞ୍ଚେଇ ରାୟଗୁରୁଙ୍କ ମୁହଁକୁ । ବାୟାଣୀଟିଏ । ହାଡ଼ଚମସାର ଅଶୀବର୍ଷର ବୁଢ଼ୀଟିଏ । ତା’ର ଫୁରୁଫୁରୁ ବାଳ । ବିଦମାଳପରି ଗଣି ହେଉଥିବା ପଞ୍ଜରା । କୋରଡ଼ କୋରଡ଼ ଆଖି ।

 

ସେ ଚାହିଁଲା ରାୟଗୁରୁଙ୍କୁ । ଚାହିଁଲା କୂଅକୁ । ତା’ ମୁହଁ କୁଞ୍ଚେଇଗଲା । ସେ ଦରଦର କାନ୍ଦି ପକେଇଲା ।

 

‘‘ଝର ଫିଟିଗଲାରେ ଭାଇ ! ଝର ଫିଟିଗଲା...’’ କୂଅ ଭିତରୁ ବଳିଆ ପାଟିକଲା ।

 

ସମସ୍ତେ ଓହଟି ଚାହିଁଲେ । ପଶ୍ଚିମ ପଟ ପଥର ଫାଟି ଭିତରୁ ଗବଗବ ହେଇ କୁଢ଼େଇ ହେଇ ପଡ଼ୁଛନ୍ତି ଗଙ୍ଗା ।

Image

 

Unknown

ଯୋଗୀ ନୋହିଲୁ କିପାଇଁ

 

ସେତେବେଳେ ମୁଁ ତାଙ୍କୁ ଚିହ୍ନି ନ ଥିଲି ତ ! ସେଥିପାଇଁ ଭାବୁଥିଲି କିଏ ସେମିତି ବର୍ଷା-ଅନ୍ଧାର ରାତିରେ ଏକୁଟିଆ ଘଣ୍ଟି ବଜେଇ ସାଇକେଲ୍‌ରେ ଯାଉଥିଲା ? ତା’ ଦୁର୍ବଳ ଘଣ୍ଟି ଶବ୍ଦରେ ପଥର ପରି ନିଘଞ୍ଚ ଅନ୍ଧାର ତ ଜମ୍ମା ଘୁଞ୍ଚୁ ନ ଥିଲା । ପେଟୁଆ ନୁଆଣିଆଁ ମେଘରୁ ଟିପ୍‌ଟିପ୍‌ ବର୍ଷାର ଛନ୍ଦ ମଧ୍ୟ ଆଦୌ ଭାଙ୍ଗୁ ନ ଥିଲା । କାହାକୁ ତା’ହେଲେ ସେ ବାଟ ମାଗୁଥିଲା ସେମିତି ? –କାହାକୁ ଆଡ଼ ହୋଇଯିବାକୁ କହୁଥିଲା ? ଦୁଇପାଖରୁ କେବଳ ଘୁଞ୍ଚିଯାଉଥିଲେ ଓଦା ସରସର ଗଛମାନେ । ନିଃଶବ୍ଦରେ ହୁଏତ ଅପସରି ଯାଉଥିଲେ କଳା ଭଅଁର ସାପମାନେ ରାସ୍ତା ଉପରୁ ।

 

ଡାଳରୁ ପକ୍ଷୀଟିଏ ଓହ୍ଳେଇଲା ପରି, ପତ୍ରଟିଏ ଖସିଲା ପରି ଠୁକ୍‌କିନା ଆମ ପଡ଼ିଶା ଘର ଆଗରେ ସାଇକେଲ୍‌ରୁ ସେ ଜଣକ ଓହ୍ଲେଇଗଲେ ।

 

‘‘ଆରେ, ବ୍ରଜବାବୁ ! ଆପଣ ଏପରି ପାଗରେ ?’’ ନେହୁରା ହେଲାପରି, ଦ୍ରୋହ କରି ଦୋଷ ମାଗିଲାପରି ଆମ ପଡ଼ୋଶୀ କିଛି ସମୟ ପାହାଚ ଉପରେ ଠିଆ ରହି ରାସ୍ତାଯାଏଁ ତରଳିଗଲେ ମୋଲାଏମ୍‌ ବିନୟରେ ।

 

ଚନ୍ଦାମୁଣ୍ଡିଆ ଫତେଇପିନ୍ଧା ବୁଢ଼ାଟି ନଇଁଲାପରି ନମସ୍କାର କରି କରି ବର୍ଷାରୁ ଉଠିଗଲେ ପିଣ୍ଡାଯାଏଁ । ‘‘ଟୁନା ଜର ଏଇନା କେତେ ?’’

 

‘‘ଆରେ, ମୁଁ ସିନା ଏମିତି ତା’ ଜର ବିଷୟରେ ଆପଣଙ୍କୁ ଖବର ଦେଇଥିଲି; କିନ୍ତୁ ଆପଣ ନିଜେ କାହିଁକି ଚାଲିଆସିଲେ ଏ ବର୍ଷା-ଅନ୍ଧାର ଭିତରେ ?’’

 

ସେମିତି ହସିଲା ହସିଲା ମୁହଁରେ ସେ ପଚାରିଲେ, ‘‘ଟୁନାର ଜର ଏଇନେ କେତେ ?’’

 

ପଡ଼ୋଶୀ ବାଧ୍ୟ ହେଲାପରି କହିଲେ, ‘‘ସେ ଶୋଇଚି । ଦେହରେ ଜର ନ ଥିଲା ପରି ଲାଗୁଛି ତ ! –ଉପରକୁ ଆସନ୍ତୁ ।’’

 

ଆମ ପିଣ୍ଡାରୁ ଏ ସବୁ ପରିଷ୍କାର ଦିଶୁଥାଏ ଏବଂ ଶୁଭୁଥାଏ ।

 

ଏ କ’ଣ ତା’ହେଲେ ସେଇ ବ୍ରଜବାବୁ ? –ସେମିତି କାଠ କଣ୍ଢେଇ ଭଳି ସିଧା ହୋଇ ଚାଲୁଛନ୍ତି; ସିଧା ହୋଇ ବସୁଛନ୍ତି ! –ଚୌକିରେ ବସୁ ବସୁ ସେ କହିଲେ, ‘‘ଆପଣଙ୍କ ପାଖରେ ମୋର ଗୋଟିଏ ଅନୁଗ୍ରହ ପ୍ରାର୍ଥନା ଥିଲା ।’’

 

ଶ୍ରୀକାନ୍ତ ସାମନ୍ତ ତାଙ୍କଠାରୁ ବୟସରେ ଅନେକ ସାନ । ସେ ଏଭଳି କଥା ଶୁଣି କନକନ ହେଲେ । ବ୍ରଜବାବୁ ତାଙ୍କ ଚିକ୍‌କଣ ଚନ୍ଦାମୁଣ୍ଡରୁ ହାତ ମାରି ଟୋପା ଟୋପା ବର୍ଷାପାଣି ପୋଛି ପକାଉଥାନ୍ତି । କହିଲେ, ‘‘ସୁବ୍‌ବାୟା ବୋଲି ଖାନ୍‌ସାମାଟିଏ ଥିଲା ଆମ ସମୟରେ । ମୁଁ ତାକୁ ଜାଣେ । ସେ ଏବେ ବୁଢ଼ା ହୋଇଗଲାଣି । ତା’ ସାନପୁଅକୁ କୋଉଠି ଟିକିଏ ଳଗେଇଦେଲେ ସେ କୁଟୁମ୍ବଟା ଚଳିଯାନ୍ତେ । ତା’ ବାପ ଭଳି ସେ ଭଲ ରାନ୍ଧିଜାଣେ ।’’

 

ଶ୍ରୀକାନ୍ତ ସାମନ୍ତ କିଛି ନ କହି ଅଳ୍ପ ହସି ବସିରହିଲେ ।

 

ମୋର ଅଳ୍ପକାଳ ରହଣି ଭିତରେ ଅନେକ କଥା ମୋ କାନରେ ପଡ଼ିଛି । ଏଇ ବଜ୍ରବାବୁ କୁଆଡ଼େ ତାଙ୍କବେଳେ ଖୁବ୍‌ ବଡ଼ ଅଫିସର ଥିଲେ । ଭାରି ପ୍ରତାପୀ ଥିଲେ କୁଆଡ଼େ । ଲୋକେ ଜାଣିଥିଲେ ଯେ ସେ ଖୁବ୍‌ ଅଭିଜାତ ଘର ପିଲା । ସେଇ ବିଶ୍ୱାସରେ ତାଙ୍କୁ ଏକପ୍ରକାର ଖାତିର୍‌ ମଧ୍ୟ କରିଆସିଛନ୍ତି । ଏବେ ତାଙ୍କ ଚେହେରା ଦେଖିଲେ କେହି କହିବେ ନାହିଁ ଯେ ସେ ଦିନେ ଘୋଡ଼ା ଚଢ଼ି ଗସ୍ତ କରୁଥିଲେ । କଚେରି ଘର ଉପରମହଲାରେ ଦପ୍ତର କରୁଥିଲେ । ସରକାରୀ ଉଆସମାନଙ୍କରେ ରହୁଥିଲେ । ଟୋପି ଅଚ୍‌କନ୍‌ ପିନ୍ଧା ଖାନ୍‌ସାମା ତାଙ୍କ ସେବାରେ ଖଟୁଥିଲେ । ସାହେବମାନଙ୍କ ସାଙ୍ଗେ ଟକ୍‌କର ଦେବାଭଳି, ସେମାନଙ୍କଠାରୁ ଇଜ୍ଜତ୍‌ ପାଇଲାଭଳି ଏଠିକା ସାହେବ ଥିଲେ ବ୍ରିଜ୍‌ଗୋପାଲ୍‌ ଦାସ । ଏଇ ତା’ ହେଲେ ସେଇ ବ୍ରଜବାବୁ ? –ସେ କାହିଁକି ଚାକିରି ଛାଡ଼ିଦେଲେ ?

 

ତାଙ୍କର ସମ୍ପତ୍ତିବାଡ଼ି କିଛି ନାହିଁ । ଛୋଟିଆ ଦୁଇବଖୁରୀ ଘରଟିଏ । ବାରିରେ ବେଲ, ପଣସ, ଆମ୍ବଗଛ ପୁଞ୍ଜାଏ । ଯିବାଆସିବାକୁ ଖଣ୍ଡେ ସାଇକଲ, ଖଦଡ଼ ଧୋତି, ଫତେଇ ପିନ୍ଧି ଖାଲି ପାଦରେ ସେ ପ୍ରାୟ ଚାଲିଯାଆନ୍ତି ପାଖଆଖ ଅଞ୍ଚଳକୁ । ସେ କିନ୍ତୁ କେମିତି ଚଳନ୍ତି, ତାଙ୍କ ଘରେ ଖିଆପିଆ କେମିତି ହୁଏ, ତାଙ୍କର ବନ୍ଧୁ କୁଟୁମ୍ବୀ କେବେ ଆସନ୍ତି, କେବେ ଯାଆନ୍ତି, କାହାରିକୁ ହୁଏତ ଜଣାନାହିଁ ।

 

ଥୋକାଏ କହନ୍ତି, ବ୍ରଜବାବୁ ବଡ଼ ଅଫିସର ଥିଲେ । ତାଙ୍କର ଜମିଦାରୀ ଥିଲା । ତାଙ୍କର ଅଜସ୍ର ସମ୍ପତ୍ତି । ତାଙ୍କର କିଛି ଅଭାବ ନାହିଁ । ସେ ଅଏସ୍‌ରେ ଚଳୁଥିବେ । ତାଙ୍କ ଘରେ ସବୁଦିନ ଖିରି, ପୁରି ହେଉଥିବ । ସେ ଅଭିଜାତ ଥିଲେ ଓ ଅଛନ୍ତି । ବ୍ରଜବାବୁ ବଡ଼ଲୋକ । ତାଙ୍କୁ ଯାହା ମାଗିଲେ ମିଳେ ।

 

ଆଉ ଥୋକେ କହନ୍ତି–ବୁଢ଼ାର ଏବେ କିଛି ନାହିଁ । ଜୋତା ହଳକୁ ସୁଦ୍ଧା ପଇସା ନାହିଁ । ନିଜ ଲୋକ କେହି ନଥିବାରୁ ସମସ୍ତଙ୍କ ସାଙ୍ଗେ ଭାବଦୋସ୍ତି କରି ବୁଢ଼ା ବୟସର କୋହଲା କାଟୁଛି । ସେ ଦରିଦ୍ର ।

ଯେଉଁ କେତେଜଣ ତାଙ୍କୁ ଆଉ ଟିକିଏ ପାଖରୁ ଜାଣିଛନ୍ତି ବୋଲି କହନ୍ତି, ସେମାନଙ୍କ ମତ ଆଉ ପ୍ରକାର । –ବୁଢ଼ା ଏବେ ଗୋଟିଏ ମଠରୁ ଓଳିଏ ଭାତ ଡାଲ୍‌ମା ଆଣି ଖାଆନ୍ତି । ଘରେ ଚୁଲି ଲାଗେ ନାହିଁ । ତାଙ୍କ ସ୍ତ୍ରୀକୁ କ’ଣ ହେଇଚି କେଜାଣି ? ସେ ଜମା ଖଟରୁ ଓହ୍ଲାନ୍ତି ନାହିଁ । ତାଙ୍କୁ କେହି ଦେଖିନାହାନ୍ତି । ବୁଢ଼ୀ ସାଙ୍ଗରେ ୟାଙ୍କର ମୂଳରୁ ଅପଡ଼ । କିଏ କହୁଛି, ତାଙ୍କୁ ତାଙ୍କ ଶଶୁରଘର ଠକିଦେଲେ । ଜଣକୁ ଦେଖେଇ ଆଉ ଜଣକୁ ଛନ୍ଦିଦେଲେ । ଆଉ କିଏ କହୁଛି, ସେ ମାଇକିନାଟା ମୂଳରୁ ବାଞ୍ଝୁଣୀ । ତାର ଜମା ଫଳିବାର ନଥିଲା । ସେ ଫଳିଲା ନାହିଁ । ପୁଣି ଶୁଣିବାକୁ ମିଳୁଛି ଯେ ବୁଢ଼ା ମୂଳରୁ ଟିକିଏ ରସିକ ଲୋକ । ବାହାରେ ଅନେକ ଭୋଗିଛନ୍ତି, ଏଣୁ ଘରେ ମନ ଦେଇନାହାନ୍ତି । ଏମିତି ଏମିତି କେତେ କଥା ।

ଆମ ପଡ଼ୋଶୀ ଶ୍ରୀକାନ୍ତ ସାମନ୍ତ ବରାବର ତାଙ୍କ ପାଖରୁ ହୋମିଓପାଥି ଔଷଧ ଆଣନ୍ତି-। କୌଣସି କାରଣରୁ ତାଙ୍କୁ ଗୁରୁ ପ୍ରାୟ ଭକ୍ତି କରନ୍ତି । ମୋର ଇଚ୍ଛା ହେଲା ଥରେ ସେ ବୁଢ଼ାଟି ସାଙ୍ଗରେ ପରିଚିତ ହେବାପାଇଁ ।

ମୁଁ ଟୁପୁଟୁପୁ ବର୍ଷାରେ ସାମନ୍ତ ବାବୁଙ୍କ ପିଣ୍ଡା ଉପରକୁ ଉଠିଗଲି ।

‘‘ଆଜ୍ଞା, ନମସ୍କାର ! ମୋ ନାଁ ଦିଗମ୍ବର ପ୍ରଧାନ । ମୁଁ ଏଇ ସାମ୍‌ନା ଘରଟାରେ ଥାଏ । ମୁଁ ଆପଣଙ୍କ କଥା ବହୁ ଲୋକଙ୍କଠାରୁ ଶୁଣିଛି । ଆପଣଙ୍କୁ ସମ୍ମାନ ଜଣାଇବାକୁ ଆସିଛି ।’’

ବ୍ରଜବାବୁ କଣ୍ଢେଇ ପରି ଠୁକ୍‌ କିନା ହୋଇ ନମସ୍କାର ଜଣେଇଲେ । ମୋତେ ଚାହିଁ କେବଳ ହସିଲେ । ତାଙ୍କର ଅଧିକାଂଶ ଦାନ୍ତ ପଡ଼ିଗଲାଣି ସେତେବେଳକୁ । ନାକ ଆଖି ମୁହଁରେ ତଥାପି ଖୁବ୍‌ ଟାଣପଣ ଜଣାପଡ଼ୁଥାଏ । ସନ୍ତୁଷ୍ଟ ସ୍ଥିର ଚାହାଣିରେ ସେ ଯେପରି କହୁଥିଲେ ‘କି ବର ମାଗୁଛୁ ମାଗ୍‌’ ! –ମୋ ମନକୁ ପାଇଗଲା ।

ମୁଁ ଗହଗହ ହେଲାପ୍ରାୟ କହିଲି, ‘‘ଆପଣଙ୍କ ଦର୍ଶନ ପାଇବା ମୋର ଭାଗ୍ୟ ! ଯଦି ଆପଣଙ୍କ କୌଣସି ସେବାରେ ଆସିପାରେ ତେବେ କହନ୍ତୁ !’’

ତଥାପି ସେ କିଛି ନ କହି ମୋତେ ଚାହିଁ ହସୁଥାନ୍ତି ।

ସାମନ୍ତ ବାବୁ କହିଲେ, ‘‘ଆମ ଦିଗମ୍ବରବାବୁ ଏଇ ଅଳ୍ପଦିନ ହେଲା ଆସିଛନ୍ତି । ସପ୍ଳାଇ ବିଭାଗର ଲୋକ । ଚିନି, ଗହମ, କିରୋସିନିର ମାଲିକ । ଭାରି ବଢ଼ିଆ ଲୋକ ।’’

‘‘ତା’ହେଲେ ତ’ ଦିଗମ୍ବରବାବୁ ମୋତେ ସାହାଯ୍ୟ କରିପାରିବେ ।’’ –ସାଙ୍ଗେ ସାଙ୍ଗେ ନିଃସଙ୍କୋଚରେ କହିଲେ ବ୍ରଜବାବୁ ! –‘‘ଦଶ ପନ୍ଦର କିଲୋ ଚିନି ଦେଇପାରିବେ ?’’

ମୁଁ ହଠାତ୍‌ ଅପ୍ରସ୍ତୁତ ବୋଧକଲି । ମୋ ମୁହଁ ତାତିଗଲା । –ଇସ୍‌ ନଅଙ୍କିଆ ବୁଢ଼ାଟା, ପାଉ ପାଉ କେମିତି ଟାକୁ କିନା ଗିଳିଦେଲା । ଧେତ୍‌, ଏଇଟାର ଚରିତ୍ର ନାହିଁ ! –କହିଲି, ‘‘ହଉ ଦେଖିବା ।’’

‘‘ଦେଖିବେ ଆଉ କଣ ? ଦେବେ ଯଦି କହନ୍ତୁ, ମୁଁ କାଲି ଆପଣଙ୍କୁ ଦେଖା କରିବି । ମୋର ପନ୍ଦର କିଲୋ ଚିନି ପ୍ରୟୋଜନ ।’’ –ପକ୍‌କା ଲୋଭୀ ବୁଢ଼ାଟିଏ ଦେଖୁଛି । ସମସ୍ତେ ପାଞ୍ଚ କିଲୋରେ ମାସେ ଚଳି ଯାଉଛନ୍ତି । ୟା’ର ପନ୍ଦର କିଲୋ ନ ହେଲେ ନ ଚଳେ । ସୁବିଧା ପାଇଗଲା ତ’ !

 

ମୁଁ କିଛି କହିଲିନାହିଁ ।

 

ମଝିରେ ସାମନ୍ତବାବୁ ହାତ ମନ୍ଥି ପରମ ଭକ୍ତିରେ ପଚାରିଲେ, ‘‘ଆପଣଙ୍କର ଏତେ ଚିନି କ’ଣ ହେବ ?’’

 

ସେ ଠୁକ୍‌ କିନା ଉଠି ଠିଆ ହେଲେ । ବିନା ଆଡମ୍ବରରେ ଦୁଆରକୁ ଯିବା ବାଟରେ କହିଲେ ‘‘ସେ ଯେଉଁ କମଳା ବେହେରାଣୀ ନୁହେଁ ? –ସେ ଯେ ବେଲ ଗଛ ମୂଳେ କୁଡିଆ କରିଥାଏ; ଲୋକଙ୍କ ଘରେ ବାସନ ମାଜେ ! –ସେ ତା’ ଝିଅକୁ ବିଭାଦଉଚି-ଭାରି ହଇରାଣ ହଉଚି-।’’

 

ସାମନ୍ତବାବୁ କୁରୁଳିଲା ପରି କହିଲେ, ‘‘ସେଇଆ ! ମୁଁ ଭାବିଲି ଆପଣ ତ ସାକାରିନରେ ଚଳିବା ଲୋକ । ଏତେ ଚିନି କ’ଣ କରିବେ ।’’

 

ବଜ୍ରବାବୁ ଚୁପ୍‌ କିନା ସାଇକେଲ ଚଢ଼ି ସେଇ ଟୋପି ଟୋପି ବର୍ଷା ଭିତରକୁ ଚାଲିଗଲେ-। ମୁଁ ଭିତରେ ଭିତରେ ଲୋଚା ହୋଇଗଲି । କିଭଳି ଲୋକଟାକୁ ମୁଁ କଣ ଭାବୁଥିଲି--–ମୁହଁ ଫିଟେଇ କହିଲି, ‘‘ଆଚ୍ଛା, ବୁଢ଼ାଙ୍କୁ କୋଡ଼ିଏ କିଲୋ ଚିନି କରେଇଦେଲେ କେମିତି ହୁଅନ୍ତା ? ମୁଁ ବରଂ ନିଜେ ପାଞ୍ଚକିଲୋ ଚିନିର ପଇସା ଦେଇ ଦିଅନ୍ତି । କଣ କହୁଛନ୍ତି ?’’

 

ସାମନ୍ତବାବୁ କିଛି ନ କହି ଚୌକିରେ ବସିଲେ । ‘‘ବସନ୍ତୁ, ବସନ୍ତୁ ଦିଗମ୍ବରବାବୁ ! ଏମିତି ହଠାତ୍‌ ଆପଣ ଭାବପ୍ରବଣ ହୁଅନ୍ତୁନାହିଁ ।’’

 

‘‘ନା’, ନା’, ଆପଣ ମନା କରନ୍ତୁନାହିଁ । କି ଅଦ୍ଭୁତ ଲୋକ ସତେ !’’

 

‘‘ହେଲେ, କ’ଣ ହବ ! ଲୋକେ ତ ନାନା ପ୍ରକାର କଥା କହୁଛନ୍ତି । ହେଇ ଧରନ୍ତୁ, ଏଇ ବିଭାଘର କଥା । କମଳା ବେହେରାଣୀକୁ ସେ ଘର ଦେଇଛନ୍ତି । ତାକୁ ସେ ଲୁଗା କିଣିଦିଅନ୍ତି । ସେ ତାଙ୍କ ଘରେ ବାସନ ମାଜେ, ପାଇଟି କରେ । ଲୋକଙ୍କ ତୁଣ୍ଡରେ କ’ଣ ବାଡ଼ ବତା ଅଛି ।’’

 

ମୋ ଭିତରେ ଭୁସ୍‌ ଭୁସ୍‌ ହୋଇ କ’ଣ ଗୁଡ଼ାଏ କୁଢ଼େଇ ହୋଇପଡ଼ିଲା । ମୁଁ ଅସୁସ୍ଥ ବୋଧ କଲି । ମୋ ଆଖିକୁ ପୁଣି ଗୋଟାଏ ଲେସେଡ଼ା, ଲମ୍ପଟିଆ ମୋହଗ୍ରସ୍ତ ବୁଢ଼ା ଦେଖାଗଲା । ମୁଁ ଗୋଡ଼ ଲମ୍ବେଇ ଚୌକିରେ ବିଛେଇ ହୋଇପଡ଼ିଲି । ମୋ ତୁଣ୍ଡରୁ ବାହାରିଗଲା, ‘‘ଓ...ସେ କଥା କହୁ ନାହାନ୍ତି !’’

 

ଶ୍ରୀକାନ୍ତବାବୁ ସାମାନ୍ୟ ଆହତ ସ୍ୱରରେ ମୋତେ ଚାହିଁ କହିଲେ, ‘‘କୋଉ କଥା ?’’

 

‘‘ସେଇ କଥା ! –ରସିକ ବୁଢ଼ାର କାହିଁକି ଏମିତି ଦୟା ଉଛୁଳୁଛି ବୋଲି ମୁଁ କାବା ହୋଇଯାଇଥିଲି । ...କଣ ନା’...କଥା ଯାଇ କୋଉଠି ! ହେଃ, ହେଃ,...ବୁଢ଼ା ତା’ ନିଜ ଝିଅ ବିଭାଘର ପାଇଁ ଚିନି ମାଗୁଚି କହନ୍ତୁ ।’’

 

ଶ୍ରୀକାନ୍ତବାବୁଙ୍କ ମୁହଁ ତଳକୁ । ସେ ତା’ପରେ ମୋତେ ଚାହିଁ ସାମାନ୍ୟ ହସିଲେ । କିଛି କହିଲେନାହିଁ । ମୋତେ ପୁଣି ଅସୁସ୍ଥ ଲାଗିଲା । ମୁଁ ଗୋଡ ଲୋଚେଇ ସଳଖି ବସିଲି । –‘‘କ’ଣ କଥା, ଆପଣ ହଠାତ୍‌ ଗମ୍ଭୀର ହୋଇଗଲେ ଯେ ? –ବିଷୟ ତା’ ହେଲେ କ’ଣ ଅନ୍ୟ ପ୍ରକାର ?’’

 

ତଥାପି ସେ କିଛି କହିଲେନାହିଁ । ମୋତେ ସେମିତି ଚାହିଁ ରହିଲେ । ମୋତେ ଅପରାଧ କଲାପରି ଲାଗିଲା । ‘‘ଆପଣଙ୍କ ମନରେ କଷ୍ଟଦେଲି । ବ୍ରଜବାବୁ କଦାପି ସେଭଳି ନୀଚ ନୁହନ୍ତି । ତାଙ୍କ ନାଁରେ ଗୁଡ଼ାଏ ଖଚୁଆ ଲୋକ ଅନେକ କଥା କହୁଥିବାରୁ ଆମେ ନ ଜାଣିବା ଲୋକେ, ସେଥିରେ ପହଁରି ଯାଉଚୁ ! ସେ କାହିଁକି ସେମିତି ହୁଅନ୍ତେ ? ସେ ଋଷିପ୍ରତିମଲୋକ । –ଛାଡ଼ନ୍ତୁ, ମୁଁ ବାସ୍ତବିକ୍‌ ଦୁଃଖିତ !’’

 

ମୁଁ ତାଙ୍କ ହାତ ଧରିପକେଇଲି । ସେ ଛଡ଼େଇ ନେଲେନାହିଁ । ସେମିତି ଗମ୍ଭୀର ରହି କହିଲେ, ‘‘ଆପଣ ଜାଣନ୍ତି, ପଚିଶ ବର୍ଷ ତଳେ ବ୍ରଜବାବୁ ଏମିତି ଅଡ଼ୁଆରେ ପଡ଼ି ଗୋଟାଏ ବେଶ୍ୟାକୁ ନିଜର ସ୍ତ୍ରୀ ବୋଲି ମାନିନେଲେ ।’’

 

ମୁଁ ଧଡ଼ାସ୍‌କିନା ଚୌକିରେ ଚାରିକାତ ମେଲେଇ ପଡ଼ିଗଲି । ମୁହୂର୍ତ୍ତକରେ ଚମକିଲା ପରି ଉଠିବସିଲି । ମୋର ଆଚରଣରେ ସେ ଜମ୍ମା ବିଚଳିତ ହେଲେନାହିଁ; କାରଣ ଆଉ ଯେ କେହି ମଧ୍ୟ ସେଇଭଳି ଚମକିଥା’ନ୍ତା-ମୁହୂର୍ତ୍ତ ମୁହୂର୍ତ୍ତକର ଅନ୍ଧାର ଆଲୁଅରେ ଚକିତ ହୋଇ ଯାଇଥା’ନ୍ତା ।

 

ମୋର ଉତ୍କଣ୍ଠା ଲକ୍ଷ୍ୟ କରି ଶ୍ରୀକାନ୍ତବାବୁ ଅତି ସହଜ ଢଙ୍ଗରେ କହିଲେ ‘‘ମିରାଣ୍ଡା ମଣ୍ଡଳ ଆପଣଙ୍କର କ’ଣ ହୁଅନ୍ତି ବୋଲି ପଚରାଯିବାରୁ ବ୍ରଜବାବୁ ସାଙ୍ଗେ ସାଙ୍ଗେ କହିଥିଲେ,’ସେ ମୋ ସ୍ତ୍ରୀ’ ।’’

 

‘‘କ’ଣ କହୁଛନ୍ତି ମ’ ! –ସମସ୍ତଙ୍କ ଆଗରେ ଏ ନିର୍ଲଜ ବୁଢ଼ା ଏମିତି କହିଦେଲା ?’’

 

‘‘ସମସ୍ତଙ୍କ ଆଗରେ, ମାନେ, ସେଇଠି ଯିଏ ସବୁଥିଲେ-ମ୍ୟୁନିସିପାଲିଟିର ଠେଲାଗାଡି ଗଡେଇ ନେଇଥିବା ମେହେନ୍ତର ବୁଢ଼ାଟିଏ; ଗୋରାକବର ଜଗୁଆଳି; ଆଉ ଦୁଇଟି ମୂଲିଆ । ଶସ୍ତା ପଟାର କଫିନ୍‌ ଭିତରେ ମିରାଣ୍ଡା ମଣ୍ଡଳକୁ ତା’ ସାହିଘରୁ ସେ ବୁହାଇ ନେଇଥିଲେ କବର ଦେବାପାଇଁ । ଖାତାରେ ତା’ର ନାଁ’ ପରିଚୟ ନ ରହିଲେ କବର ଦେବାକୁ ଜଗୁଆଳି ମନା କରିଦିଏ ତ’ ! –ଜଗୁଆଳିର କ’ଣ ଥାଏ ? –ଇଏ କହିଲେ ମିରାଣ୍ଡା ମଣ୍ଡଳ ତାଙ୍କ ସ୍ତ୍ରୀ । ସେ ସେଇଭଳି ବୁଝିଗଲା ଏବଂ ଲେଖିଦେଲା । କବର ପାଖରେ ମିଛ କ’ଣ, ସତ କ’ଣ ।’’

 

ମୁଁ ଦ୍ରୋହ କଲାପରି ପୁଣି ସାଙ୍କୁଡ଼ିଗଲି । ଶ୍ରୀକାନ୍ତବାବୁ ଲକ୍ଷ୍ୟ କରି ଟିକିଏ ରହିଗଲେ ।

 

‘‘ଅନେକ ଲୋକ କହନ୍ତି ଯେ ବ୍ରଜବାବୁ ତାଙ୍କଦିନେ ସେ ସାଇକୁ ପ୍ରାୟ ଯାଉଥିଲେ । ହୁଏତ ଯାଉଥିଲେ ! ଏ ଘଟଣାଟା କିନ୍ତୁ ଅନ୍ୟ ପ୍ରକାର । ଆପଣ ବୋଧହୁଏ ଜାଣନ୍ତି ନାହିଁ ଯେ ବ୍ରଜବାବୁଙ୍କୁ ଏଇନା ଅଶୀ ବର୍ଷ । ସେ ଊଣେଇଶ ସତଚାଳିଶ ମସିହାରୁ ଚାକିରି ଛାଡ଼ିଦେଲେ । କହିଲେ, ‘‘ମୁଣ୍ଡ ଥରଟେ ବିକିବା ଦୁର୍ଭାଗ୍ୟ । ଦୁଇଥର ବିକିବା ଅପରାଧ ।’’ ତାଙ୍କୁ ସେତେବେଳେ ସତଚାଳିଶ ବର୍ଷ । ସେବଠୁଁ ସେ ଏମିତି ଚାରିଆଡ଼େ ବୁଲିବାର, ନାନା ପ୍ରକାର ଲୋକଙ୍କ ସାଙ୍ଗେ ସଂପର୍କ ରଖିବାର କଥା ସମସ୍ତେ ଜାଣନ୍ତି । କେବେ କିନ୍ତୁ ସେ ଏ ସହର ଛାଡ଼ି କୁଆଡ଼େ ଯାଇନାହାନ୍ତି । ସଞ୍ଜବେଳୁ ରାତି ଦଶଟା ଯାଏଁ ଅନେକ ଜଞ୍ଜାଳ କରନ୍ତି, ଏଇ ଆଜି ଯେମିତି ଏଠିକି ଆସିଲେ । ନ ହେଲେ ଦାଣ୍ଡଘରେ ବସି ଔଷଧ ଦିଅନ୍ତି । ରାତି ଦଶଟାରେ କିନ୍ତୁ ଅନେକ ଦିନ ବାହାରି ଯାଆନ୍ତି ଯେ ଫେରନ୍ତି ତା’ ଆରଦିନ ଘଡ଼ିଏ ବେଳକୁ । କେହି କେହି କହନ୍ତି ଯେ ସେତେବେଳେ ତାଙ୍କର ଅସାଷ୍ଟମ ଅବସ୍ଥା । ରିକ୍‌ସାବାଲାମାନେ ତାଙ୍କୁ ଦାଣ୍ଡଘରେ ଶୁଆଇ ଚାଲିଯାନ୍ତି । ତା’ପରେ କେତେବେଳେ କ’ଣ କେମିତି ହୁଏ କେହି ଜାଣନ୍ତି ନାହିଁ । ଉପର ଓଳିକୁ ସେ ଯୋଉ ଚେଙ୍ଗାକୁ ସେଇ ଚେଙ୍ଗା ।

 

...ଏମିତି ରାତିରେ ଥରେ ସେ ବାହାରିଥାନ୍ତି ସେଇ ସାଇବାଟେ । ମିଜାଜ୍‌ ଭଲ ଥାଏ । ସାତଘଡ଼ି ଅନ୍ଧାର ପରେ ଜହ୍ନ ଉଇଁ ଆସୁଥାଏ । ବ୍ରଜବାବୁଙ୍କ ହାତରେ ଦୁଇ ସୋରା, ବେକରେ ଦୁଇ ସୋରା ଯୂଇ ଫୁଲ । ଆଖିରେ ମଧୁର ମଧୁର ନିଶା । ଦିନେ ସେ ନିଜେ ଯାହା କହୁଥିଲେ ମୁଁ ମନେରଖି ଆପଣଙ୍କୁ କହୁଛି । ଉଲ୍ଲାସରେ ସେ ଗୁଣୁଗୁଣଉଥାନ୍ତି-‘ପାହି ଆସୁଥିଲା ଚନ୍ଦ୍ର ନିଶାରେ, ମଦାଳସା ।’ ଏତିକିବେଳେ ତାଙ୍କୁ ଶୁଭିଲା କେହି ଜଣେ ସ୍ତ୍ରୀ ଲୋକ ଅତି କାତର ଚିତ୍କାର କରୁଛି । ସେ ଡାହାଣ ପାଖ ଦୋତାଲାକୁ ଯିବା ପାଇଁ ବାଟ ଖୋଜିହେଲେ । ଜଣେ କେହି ତଳ ପିଣ୍ଡାରୁ ତାଙ୍କୁ ଶୁଣେଇଲା ପରି କହିଲା, ‘‘ଉପରକୁ ଯାଅନାହିଁ । ସେଠି କାରବାର ବନ୍ଦ ହୋଇଗଲାଣି । ସେ ସେମିତି ଏବେ ଦୁଇଦିନ ହେବ ମରୁଚି । ତାକୁ ଛାଡ଼ ।’’ –ତାଙ୍କ ନିଶା ଫାକାସିଗଲା । ସେ ପାହାଚ ଚଢ଼ି ଯାଇ କବାଟ ବାଡ଼େଇଲେ । ଭିତରୁ କେବଳ ଆହୁରି ଚିତ୍କାର ଶୁଭିଲା । ସେ ଉପାୟ ନ ପାଇ ବାଲ୍‌କୋନି କାନ୍ଥବାଟେ ସ୍କାଇଲାଇଟ୍‌ କାଚ ଟେକିଲେ । ହାତ ଗଳେଇ ଭିତର କିଳଣିଟା ହୁଗୁଳେଇ ଦେବାରୁ କବାଟ ଫିଟିଗଲା । ...ସେ ଘର ଭିତରେ ପଶୁ ପଶୁ ଅନୁଭବ କଲେ ଯେ ସେଇଠି ଆଲୁଅ ଲିଭିଯାଇଛି । ପବନ ରୁନ୍ଧି ହୋଇ ରହିଚି କେଉଁ କାଳରୁ । ସେ ପ୍ରଥମେ ଆଲୁଅ ଜାଳିଦେଲେ । ଝରକା ଫିଟେଇଦେଲେ । ରାତିର ପବନ ପଶି ଆସିଲା । ଜହ୍ନ ଦିଶିଲା । ଗୋଟେଇ ପୋଟେଇ ହେଇ ପଡ଼ିଥିବା ଲୁଗା ଭିତରେ ମୁହୂର୍ତ୍ତକ ପାଇଁ ଥମିଗଲା ଆର୍ତ୍ତନାଦ ।

 

ସେ ତା’ ପାଖେ ଠିଆହୋଇ ପଚାରିଲେ, ‘‘ଶୋଷ କରୁଚି ?’’ ବିଜୁଳି ପରି ସେ ମୁହଁ ଉପରୁ ଚାଦର କାଢ଼ି ଚିତ୍କାର କଲା, ‘‘ନିକଲ୍‌ଯା ! –କୁକୁର କାହାଁକା ! କୁଆଡ଼େ ଆସିଚୁ ତୁ ? –ମୋ ପୋଚା ମାଉଁସ ଖାଇବୁ ? –ପୂଯ ପଚ ପଚ ଏ ଘା’ ଚାଟିବାକୁ ଆସିଚୁ ? –ଭାଗ୍‌ ମୋ ସାମନାରୁ-!!’’

 

ବ୍ରଜବାବୁ ସେମିତି ସ୍ଥିର ହୋଇ ତାକୁ ଚାହିଁ ରହିଥାନ୍ତି । ତା’ର ମୁହଁ ଦେହ ଚାରିଆଡ଼େ ଟଳମଳ ବସନ୍ତ ପାଣିଭର ହୋଇ ରହିଥାଏ । ପୂଯ ଆଇଁଷିଆ ଗନ୍ଧରେ ନାକ ଫାଟିଯାଉଥାଏ । ମରଣାନ୍ତକ ଯନ୍ତ୍ରଣାରେ ସେ ଛଟପଟ ହେଉଥାଏ । ଫାଇଁ ଫାଇଁ ହେଉଥାଏ । ପ୍ରଳାପ କରୁଥାଏ । ସେ ସେମିତି ସ୍ଥିର ହୋଇ ତାକୁ ପୁଣି ପଚାରିଲେ, ‘‘ପାଣି ପିଇବୁ ? ଶୋଷ କରୁଛି ?’’

 

କେତେ ଦିନର ପାଣି ସେ ସୁରେଇରେ ଥିଲା କେଜାଣି, ସେଥିରୁ ମୁନ୍ଦେ ଗ୍ଳାସରେ ସେ ଟେକି ଧରିଲେ । କନା ସହିତେ ମୁଣ୍ଡକୁ ଅଳ୍ପ ଉଠେଇ ଧରିଲେ । ସେ ସେତକ ପିଇଦେଇ ନଥ୍‌କିନା ପଡ଼ିଗଲା । ଘୋଡ଼େଇ ହେଲା ଚାନ୍ଦର ତା’ ଦେହରେ ଲାଖିଯାଇଥାଏ । ଗଦି କୋଚଟିଆ ପୁରୁଣା । ଖଟରେ ଦର୍ପଣ । କାନ୍ଥରେ ଚିତ୍ର । ଅନେକ ଦିନରୁ ତା’ର ବ୍ୟବସାୟ ମଉଳିଯାଇ ସାରିଥିଲା । ବ୍ରଜବାବୁ କେବଳ ଅପେକ୍ଷା କଲାପରି ଠିଆ ରହିଥାନ୍ତି ।

 

ସେ ଆଖି ଫିଟାଇ ତାଙ୍କୁ ଚାହିଁଲା ଏବଂ ସକ୍‌ ସକ୍‌ ହେଇ କାନ୍ଦିଲା । ବ୍ରଜବାବୁ ତା’ ଦେହରେ ପୁରୁଣା ପାଉଡ଼ର ଡବାଏ ଝାଡ଼ିଦେଲେ । ଆଉଁସି ଦେଲେ ଲସାରେ ଲାଗିରହିଥିବା ଲୁଗା ଉପରେ । କ’ଣ ମନ ହେଲା କେଜାଣି ତାଙ୍କ ହାତରୁ ବେକରୁ ଯୂଇମାଳ କାଢ଼ି ତା’ ବୁକୁ ଉପରେ ଥୋଇଦେଲେ । ସେ ତାଙ୍କ ହାତକୁ ସେଇ ଫୁଲ ଉପରେ ଚାପି ରଖି ଆହୁରି କାନ୍ଦିଲା । କହିଲା, ‘‘ମୁଁ ତୁମକୁ ଚିହ୍ନେ । ତୁମକୁ ଜୀବନସାରା ଅପେକ୍ଷା କରିଥିଲି । ପ୍ରତ୍ୟେକ ଗରାକକୁ ତୁମେ ଭାବି ମୁଁ ଦେହ ଦାନକରିଛି । ସେ ଚାଲିଯାଇଛି । ସମସ୍ତେ ଚାଲି ଯାଇଛନ୍ତି । ମୁଁ ରକ୍ତ ଝରଉଛି ତୁମରି ଭଳି । ...ଆଃ...ତୁମକୁ ବି ସେମାନେ କଣ୍ଟା ମାରିଦେଇଥିଲେ ନା ! –ଉଃ...କି ଯନ୍ତ୍ରଣା...ମୋରି ଭଳି ତୁମର କି ଯନ୍ତ୍ରଣା !! ...ମୁଁ ତୁମକୁ ହିଁ ଭଲ ପାଏ ! –କେତେ ଯେ ଭଲ ପାଏ !! ମୋତେ କେହି ବୁଝିଲେନାହିଁ । ମୋତେ କେହି ଭଲ ପାଇଲେନାହିଁ । –ମୁଁ ଏକଦା ସୁନ୍ଦର ଥିଲି...ଭାରି ସୁନ୍ଦର, ବିଶ୍ୱାସ କର ! –ମୋର ଫ୍ରକ୍‌ପିନ୍ଧା ଫଟୋ ଦେଖିଲେ ତୁମେ ଚାହିଁ ରହିଥିବ ।

 

ତା’ ପରେ ସେ ଗୁଡ଼ାଏ କ’ଣ ସବୁ ପ୍ରଳାପ କଲା । ବ୍ରଜବାବୁ ସେଇଠି ପୁରୁଣା ଧୂପକାଠି ବିଡ଼ାଏ ଜାଳିଦେଲେ । ଅପରିଷ୍କାର ତଉଲିଆଟିଏ ଧରି ତାକୁ ବିଞ୍ଚିଦେଲେ । ସେ ହୁଏତ କିଛି ସମୟ ଶୋଇଗଲା । ସେ ବାହାର ବାଲ୍‌କୋନିରେ ଚୌକି ପକାଇ ଢୋଳାଉଥାନ୍ତି । ହଠାତ୍‌ ଚିତ୍କାର ଶୁଭିଲା । ସେ ଯାଇ ଦେଖନ୍ତି ଯେ ମିରାଣ୍ଡା ଛଟପଟ ହେଉଛି । ଦରାଣ୍ଡି ହେଉଛି । ୟାଙ୍କ ହାତକୁ ପାଇ ପୁଣି ବୁକୁ ଉପରେ ଚାପିଧରିଲା । ଅସ୍ପଷ୍ଟ ସ୍ୱରରେ କହିଲା, ‘‘ମୋତେ ଆଉ ଛାଡ଼ିଯାଅନାହିଁ, ମୋତେ ଛାଡ଼ିଯାଅନାହିଁ ।’’ –ତା’ପରେ ସେ ମରିଗଲା । କାନ୍ଥରୁ କାଠ କ୍ରୁଶ୍‌ଟିକୁ ବ୍ରଜବାବୁ ତା’ ବୁକୁ ଉପରେ ଥୋଇଦେଲେ । ଚାଦରରେ ଘୋଡ଼େଇ ଦେଲେ ସେ ସଢ଼ି ଯାଇଥିବା ମୁହଁଟିକୁ । ...ତା ଉତ୍ତାରୁ ଖୁବ୍‌ ଧାଁ ଦଉଡ଼ କରି ସେଦିନ ସନ୍ଧ୍ୟାବେଳକୁ ଯାଇ କବରଖାନା ପାଖରେ ସେ ତାକୁ ସେଭଳି ସ୍ୱୀକାର କଲେ । କହିଲେ, ‘ମିରାଣ୍ଡା ମଣ୍ଡଳ ମୋ ସ୍ତ୍ରୀ ।’

 

ମୁଁ ଥମ୍‌ ହୋଇ ବସି ରହିଲି । ଚୌକି ଦଣ୍ଡାକୁ ଖୁବ୍‌ ଜୋର୍‌ରେ ଚିପି ଧରିଥାଏ । ଦାନ୍ତକୁ ଜାବି ରଖିଥାଏ । ମୁହଁ ଟେକି ମୁଁ ଆଉ ସେଦିନ ଶ୍ରୀକାନ୍ତ ସାମନ୍ତଙ୍କୁ ଚାହିଁ ପାରିଲିନାହିଁ । ନୀରବରେ ଉଠି ଚାଲିଆସିଲି ଆମ ଘରକୁ । ବାହାରେ ସେମିତି ଅନ୍ଧାର । ସେମିତି ଟୋପି ଟୋପି ବର୍ଷା !

 

ତା’ ପରେ ମୁଁ ସେ ଅଦ୍ଭୁତ ମଣିଷଟିର ପିଛା ଲାଗିଗଲି । ତାଙ୍କର ସେ ପାନଖିଆ ପାକୁଆ ପାଟିର ସ୍ଥିର ହସଟି ଭେଦି ତାଙ୍କୁ ଚିହ୍ନିବା ସହଜ ନ ଥିଲା । ପ୍ରତିଦିନ ସେବକ ଢଙ୍ଗରେ ସାଇକଲଟିଏ ନେଇ ମୁଁ ତାଙ୍କ ଘରେ ପହଞ୍ଚିଲି । ...ଆସ୍ତେ ଜାଣିଲି ଯେ ତାଙ୍କ ସ୍ତ୍ରୀ ପକ୍ଷାଘାତ ରୋଗରେ ପଡ଼ିଛନ୍ତି ଅସୁମାରି କାଳରୁ । ତାଙ୍କୁ ଟେକପାଳ କରିବା ବୁଢ଼ାଙ୍କ କାମ । ସେ କେବେ କାହାକୁ ତୁଣ୍ଡେଇ ଦେଇନାହାନ୍ତି ଆସି ଟିକିଏ ସାହାଯ୍ୟ କରିବାକୁ । ତାଙ୍କ ଗାଁ ସମ୍ପତ୍ତି ଅନ୍ୟମାନେ ଖାଇଯାଉଥାନ୍ତି; ସେ ପଦେ କହି ନାହାନ୍ତି କାହାକୁ । ତାଙ୍କ ନିଜର ମଳକଣ୍ଟକ ରୋଗ ଅଛି, ବହୁମୂତ୍ର ରୋଗ ଅଛି । ସେ ଔଷଧ ଖାଆନ୍ତିନାହିଁ । କଷ୍ଟହେଲେ କାହାକୁ କହନ୍ତିନାହିଁ । ତାଙ୍କର ପଇସାର ଅଭାବ ହେଇଚି । ନର୍ବିଚାର ଖର୍ଚ୍ଚ କରିଦେଇଛନ୍ତି । ସେ କ’ଣ ସେଥିପାଇଁ କାହାକୁ ହାତ ପତେଇଥାନ୍ତେ ? ସେମିତି ସହିଯାଇଚନ୍ତି । ପ୍ଲେଟରୁ କାଟି ଦେଇଛନ୍ତି । ପିଠିରୁ କାଟି ଦେଇଛନ୍ତି ।

 

ମୁଁ ସେ ବେକୁବ୍‌ ମଣିଷଟା ଉପରେ ଦିନେ ହଠାତ୍‌ ଚିଡ଼ିଗଲି । ସେ ଏମିତି କେତେକାଳ କେବଳ ଦେଉଥିବ ଏ ସଂସାରକୁ ? –ସେ କ’ଣ କିଛି ନେବନାହିଁ ? –ତା’ର କ’ଣ କିଛି ପ୍ରାପ୍ୟ ନାହିଁ ? –ମୋତେ ଲାଗୁଥାଏ ଯେ ମୋ ନିଜ ଦେହରୁ କେହି ଲୁଗା କାଢ଼ି ନେଉଛନ୍ତି । ମୁଁ ଦେଉଛି ବୋଲି ଜାଣିଦେଲା ପରେ ମୋ ମାଂସ ଛେଲି ନେଇଯାଉଛନ୍ତି । ହସି ହସି ବେପରୁଆ ମୋତେ ଲୁଟି ଲାଗିଛନ୍ତି । –ଅଥଚ ଲଙ୍ଗଳା ଗଛଟିଏ ପରି ମୁଁ ତାଙ୍କୁ ସହି ଯାଉଛି !! –ମୁଁ ରାଗି ମାଗି ପହଞ୍ଚିଲି ବ୍ରଜବାବୁଙ୍କ ପାଖରେ । ସେ ମୋତେ ଦେଖୁ ଦେଖୁ କହିଲେ, ‘‘ମୁଁ ଆପଣଙ୍କ ପାଖକୁ ତ ବାହାରିଥିଲି । ଆପଣଙ୍କ ପୁଅପାଇଁ ସିଟ୍‌ ମିଳିଯିବ । ମୁଁ ପ୍ରିନ୍‌ସିପାଲଙ୍କୁ କହି ଆସିଛି । ପାଠ ନ ପଢ଼ିଲେ ପିଲାଟା କ’ଣ କରିବ ?’’-ତା’ପରେ ଅଳ୍ପ ହସି କହିଲେ, ‘‘ଯିବାର ଆଉ ଗୋଟିଏ କାରଣ ଥିଲା । ଆସିବା ବାଟରେ ଏ ମକା ପୋଡ଼ା ଦେଖି ମନ ହେଲା, ମାନୁ, ନିଲୁ, ଟୁକୁ ପାଇଁ ନେଇ ଯିବାକୁ । ଏଥିରେ ବଡ଼ପୁଅ ବୁଢ଼ା ପାଇଁ ଆଉ ଆପଣ ଦୁଇଜଣଙ୍କ ପାଇଁ ମଧ୍ୟ ଅଛି ।’’

 

ଧେତ୍‌ ତେରି, ଏ ବୁଢ଼ାଟାକୁ ପାରିହେଲା ନାହିଁ । ମୁଁ କାନ୍ଦ କାନ୍ଦ ହେଇଗଲି । ମୁଁ ଏଥିପାଇଁ ଅଲବତ୍‌ ପଇସା ଦେଇଦେବି; କିନ୍ତୁ ତାଙ୍କ ମୁହଁକୁ ଚାହିଁଦେଇ ନିରସ୍ତ ହୋଇଗଲି । ମୋ ପିଲାମାନେ ତାଙ୍କ ନାତି ନାତୁଣୀ । ସେ ତାଙ୍କ ପାଇଁ ମକା ପୋଡ଼ା କିଣିଛନ୍ତି । –ମୁଁ କିଏ ସେଥିରେ ବାଧାଦେବାକୁ । ଆମ ସାହିର ପିଲାଟିଏ ହାତରେ ତାକୁ ପଠେଇଦେଇ ମୁଁ ରହିଲି ।

 

ସେ ମଝିରେ ମଝିରେ ଘରକୁ ପଶିଯାଇ ବାହାରି । ଆସୁଥିାନ୍ତି । ଶେଷରେ ମୋତେ ଡାକିନେଲେ ଭିତରକୁ । କତରା-ଲାଗି ପଡ଼ିଥିବା ସେ ମଳୁଟିକୁ ଦେଖେଇ କହିଲେ, ‘‘ଆଜି ଏ ଉଠିଯିବାକୁ ବସିଛି । କହି ହେଉନାହିଁ କେତେ ରାତି ହବ ! ଆପଣ କାହିଁକି ଧନ୍ଦି ହେବେ ? –ଘରକୁ ଯାଆନ୍ତୁ ।’’

 

ମୁଁ କ୍ରୋଧରେ କାନ୍ଦି ପକେଇଲି । –ଏ ଗୋଟାଏ ରାତିପାଇଁ ନିଆଁ ଲାଗି ଯାଉ କିନା ମୋ ଘରେ- । ଏକାଅଶୀ ବର୍ଷରେ ତୁମର ସ୍ତ୍ରୀ ମରୁଚି । ତୁମ ନିଜର କେହି ନାହିଁ । ତୁମେ ମଳକଣ୍ଟକ, ବହୁମୂତ୍ର ରୋଗୀ । ତୁମେ, ମୋତେ ମୋ ପିଲାଙ୍କୁ ଅଜସ୍ର ଔଷଧ ଦେଇ ଭଲକରିଚ । ମୁଁ ତୁମକୁ ଛାଡ଼ି ଚାଲିଯିବି ? ମୁଁ କ’ଣ ଏଡ଼ିକି ନିମକହାରାମ, ନୀଚ, ହୀନ, ଅକୃତଜ୍ଞ ହେଇଚି ।

 

ମୁଁ କଥାରେ କେତେ ଜୋର୍‌ ଦେଲି ମନେନାହିଁ । ଖାଲି କହିଲି, ‘‘ନା, ମୁଁ ଯିବିନାହିଁ ।’’ ସେ କିଛି କହିଲେନାହିଁ । ପୁଣି ଦାଣ୍ଡଘରକୁ ଚାଲି ଆସିଲେ ।

 

ଅଳ୍ପ ସମୟ ପରେ ଶ୍ରୀକାନ୍ତ ସାମନ୍ତ ଆସି ପହଞ୍ଚିଲେ । ଝୋଲାଟିରେ ଗହମ ଗୁଣ୍ଡକରି ଆଣିଥାନ୍ତି । କାଗଜ ପୁଡ଼ାଟିରେ ଯୋଡ଼ିଏ ସେଓ ଆଣିଥାନ୍ତି ।

 

ଓ, ତା’ହେଲେ ଶ୍ରୀକାନ୍ତବାବୁ ଏମିତି ଭିତରେ ଭିତରେ ସେବାରେ ଲାଗିଛନ୍ତି । –‘ବାଃ’, ମୋ ଆଖି ଜକେଇଗଲା । ବ୍ରଜବାବୁ ଉଁ ଚୁଁ କିଛି କଲେନାହିଁ । ଜିନିଷ ଥୋଇଦେଇ ସେ ଆସିବା ପରେ ତାଙ୍କୁ କୌତୁକ କଲାପରି ପଚାରିଲେ, ‘‘ଲିଲି ମୁଣ୍ଡରୁ ଉକୁଣି ଛାଡ଼ିଲେଣି ନା ନାହିଁ ?’’ ଲିଲି, ଶ୍ରୀକାନ୍ତବାବୁଙ୍କ ବଡ଼ ଝିଅ । ସେ କିଛି କହିଲେନାହିଁ । ସାମାନ୍ୟ ହସିଲେ । ଆସି ମୋ ପାଖେ ବସିଲେ । ଆମେ ଠରାଠରି ହୋଇ ବୁଝିଗଲୁ !

 

ସେଦିନ ରାତିରେ ବୁଢ଼ୀ ଚାଲିଗଲେ । ଖୁବ୍‌ ପାଖରେ ମଶାଣି । ପାହାନ୍ତିଆ ବେଳକୁ ଚିତା ଲିଭିଆସୁଥାଏ । ସକାଳୁ ଦୁଇଟି ଲୋକଙ୍କୁ ଶ୍ରୀକାନ୍ତବାବୁ ଯୋଗାଡ଼ କରି ନେଇଆସିଲେ । ଘର ସାରା ଧୁଆ ଧୋଇ ହେଲା । ବୁଢ଼ା ଦୁଇ ଚାରିଘଣ୍ଟା ପାଇଁ କୁଆଡ଼େ ବାହାରି ଯାଇଥିଲେ ।

 

X X X

 

ବୁଢ଼ୀ ମରିବାର ଦୁଇମାସ ହୋଇଗଲାଣି । ବ୍ରଜବାବୁ ଆଉ ଔଷଧ ଦେଉନାହାନ୍ତି । ସିମୁଳି ପଦରର ସ୍କୁଲମାଷ୍ଟ୍ର ତୁଟୁକା ହୋମିଓପାଥି କରନ୍ତି । ତାଙ୍କୁ ଡାକି ସବୁ ଔଷଧବାକ୍‌ସ, ବହିପତ୍ର ଦେଇଦେଲେ ।

 

କମଳାର ଜ୍ୱାଇଁକୁ ତାଙ୍କର ପୁରୁଣା ଗରମକୋଟ୍‌ଯାକ ଦେଇଦେଲେ । ଲୁଗାପଟା ବାଣ୍ଟିଦେଲେ ଯେ ମାଗିଲା ତାଙ୍କୁ ।

 

ଶ୍ରୀକାନ୍ତବାବୁ କହୁଥିଲେ ଯେ ତାଙ୍କର ସବୁ ସମ୍ପତ୍ତି ଗାଁ ଠାକୁରଙ୍କ ନାଁରେ ଲେଖିଦେଲେଣି । ଏ ଘରଟାକୁ ଉଇଲ୍‌ନାମା କରିଦେବାକୁ ବସିଛନ୍ତି । ଶୁଣାଯାଏ କମଳା ବେହେରାଣୀକୁ ଦେଇଦେବେ ।

 

ହଉ, ଛାଡ଼ ! ବୁଢ଼ା ଏମିତି ନିଜକୁ ଖଣ୍ଡ ଖଣ୍ଡ କରି ମାଉଁସ ବାଣ୍ଟିଲାପରି ବାଣ୍ଟି ଦେବ । କିଏ ତାକୁ ଭଲା ରୋକି ପାରିବ ? –ଏବେ ଦିନେ ଧଡ଼ି ଆଚାର୍ଯ୍ୟଙ୍କୁ ଡାକି ସବୁ ଦିଅଁଙ୍କ ଫଟୋ, ଖଟୁଲିରେ ଶାଳଗ୍ରାମ, ପୂଜା ସରଞ୍ଜାମ, ଘଣ୍ଟି, ରେକାବି, ପଞ୍ଚୁପାତ୍ରୀ ସବୁ ଦେଇଦେଲେ । କହିଲେ, ‘‘ମୁଁ ୟାଙ୍କୁ ଆଉ ସମ୍ଭାଳି ପାରିବିନାହିଁ । ଆପଣ ୟାଙ୍କୁ ନେଇଯାନ୍ତୁ । ଏ ସାମାନ୍ୟ ଦକ୍ଷିଣା ମିଳିଲା । ଜାତିଆ ତିନିମୂର୍ତ୍ତି ଗଣ୍ଡୁକି ଶାଳଗ୍ରାମ ମିଳିଲେ । ଭଲ ପିତ୍ତଳ, ତମ୍ବାର ପୂଜା ସାମଗ୍ରୀ କିଛି ମିଳିଲା ।

 

ତାଙ୍କର ସାଇକଲ୍‌ ଖଣ୍ଡ ଆଉ ନାହିଁ । କାହାକୁ ଦେଇଦେଲେ ଜଣାପଡ଼ୁ ନାହିଁ । କିଏ କହୁଛି ଚୋରି ହୋଇଗଲା ବୋଲି । ବାକ୍‌ସପତ୍ର ମଧ୍ୟ ଚୋରି ହୋଇଗଲା । କ’ଣ ଯାଏ ଆସେ କାହାର ? ବୁଢ଼ା କଣ କାହାକୁ କହୁଛି, ନା କାହାକୁ ଖାତିର୍‌ କରିଚି ! –ହୁଁ, ଉଣା ଗଉଁ ସେ ଏକାଅଶୀ ବର୍ଷ ବୁଢ଼ାଟାର !

 

କାଲି ବସ୍ତାନିଟିଏ ଧରି ମୋ ଘରେ ଆସି ପହଞ୍ଚିଲେ । ପିଲାଙ୍କ ସଙ୍ଗେ ଟାପରା ହେଲେ-। ମୁଁ କରଛଡ଼ା ଦେଲାପରି ଥାଏ । –ଏମିତି ମୋତେ କାହିଁକି ଛୋଟ କରି ଦେଉଛ, ମହାପୁରୁଷ ! –ତମେ ଏ ସଂସାରକୁ ଏମିତି ନେଇପାରେ, ପୁଣି ଏମିତି ଛାଡ଼ି ଦେଇପାର ବୋଲି ମୋତେ ଟାହୁଲି କଲାପରି କାହିଁକି ସୂଚେଇ ଦେଉଛ ବାରମ୍ବାର ? –କାହିଁକି ଜଣେଇ ଦେବାକୁ ଚାହୁଁଚ ଯେ ମୁଁଟା ଗୋଟାଏ ମୁଢ଼ ସଂସାରୀ । ମୋତେ ଲୁହା ଜଞ୍ଜିର ଚାରିଆଡ଼ୁ ବାନ୍ଧି ରଖିଛି ! –ଆଉ ତୁମେ ଫୁର୍‌ ଫୁର୍‌ ଚଢ଼େଇ ପରି ଉଡ଼ିଯାଇ ପାରୁଛ !!

 

ସେ ମୋ ପାଖରେ ଆସି ବସିଲେ । ପୁଣି ସେଇ ପାକୁଆ ପାଟିରେ ହସ । ‘‘ଆପଣଙ୍କଠାରେ ମୋର ଗୋଟିଏ ଅନୁଗ୍ରହ ପ୍ରାର୍ଥନା ଥିଲା ।’’ –ମୋ ନାକପୁଡ଼ା ଜଳିଉଠିଲା । ସେଇବାଟେ ଲୁଣିଆ ଲୁହ ନିଗିଡ଼ି ଆସିଲା ପରି ଲାଗିଲା । ....ତୁମକୁ ମୁଁ ଅନୁଗ୍ରହ କରିବି ? ନାଇଁ-?? –କ’ଣ ଆଉ ବିଦ୍ରୁପ କରିବାର ବାକି ଅଛି ?

 

କିଛି ନ କହି ଅପେକ୍ଷାକଲି ।

 

‘‘ମୁଁ ଯେତେବେଳେ ଏଗାର ବର୍ଷରେ ବ୍ରତ ହେଲି, ଏଭଗବତ୍‌ଗୀତା ଖଣ୍ଡ ମୋ ନନା ମୋତେ ଦେଇଥିଲେ । ମୁଁ ତାକୁ ଏମିତି ସତୁରୀ ବର୍ଷ ପାଳିଲି । ସେ ମୋତେ ପାଳିଲା । ଆଉ ପାରିବିନାହିଁ । ପ୍ରୟୋଜନ ମଧ୍ୟ ନାହିଁ । ଏ ଡୋରଟିକୁ କାଟିବାକୁ ଆସିଛି ! ଆପଣ ଯୋଗ୍ୟଲୋକ-। ଶାସ୍ତ୍ର ଅନୁରାଗ ରଖିଛନ୍ତି । ଏ ଗ୍ରନ୍ଥଟିକୁ ନେଇ ମୋତେ ମୁକ୍ତ କରନ୍ତୁ ।’’

 

ଛିଟ ବସ୍ତାନିରେ ଗୁଡ଼ିଆ ହୋଇଥିବା ସତୁରୀ ବର୍ଷର ସମ୍ପଦ ଏବଂ ସାଥୀଟିକୁ ସେ ଦୁଇ ହାତରେ ଟେକି ଧରିଲେ । ମୋ ଦେହ ଶୀତେଇଗଲା । ମୋର ସାହସ ହେଲାନାହିଁ ସେ ଦାନ ଗ୍ରହଣ କରିବାକୁ । ସେ ମୋ କୋଳ ଉପରେ ରଖି ଦେଉ ଦେଉ ମୁଁ ତାକୁ ତୋଳି ନେଇ ମଥା ଉପରେ ଥୋଇଲି । ମୋ ଆଖି ବୁଜି ହୋଇଗଲା । ଲୁହ ନିଗିଡ଼ିଗଲା ।

 

ବ୍ରଜବାବୁ ମୁହୂର୍ତ୍ତେ ତଳକୁ ଚାହିଁରହିଲେ । ତା’ ଉତ୍ତାରୁ ସେମିତି ହସ ! ସେମିତି ସ୍ଥିର ଚାହାଣି । –କଣ୍ଢେଇଟିଏ ପରି ଠୁକ୍‌ କିନା ଠିଆହୋଇ ପଡ଼ିଲେ । ମୋ ସାନ ଝିଅର ଗାଲ ଟିପି ଦେଇ ଥଟ୍ଟା କଲେ । ପଛକୁ ନ ଚାହିଁ ଠୁକ୍‌ ଠୁକ୍‌ ଚାଲିଗଲେ ରାସ୍ତା ଉପରକୁ ।

 

ଶ୍ରୀକାନ୍ତ ସାମନ୍ତ କେତେବେଳେ ଆସି ମୋ ପାଖରେ ଠିଆ ହୋଇଯାଇଥିଲେ । ଆମେ ଚାହିଁରହିଲୁ କିଛି ସମୟ । ସନ୍ଧ୍ୟାବେଳେ ପାଚିଲା ଖରା ପଡ଼ୁଥାଏ ଅପସରି ଯାଉଥିବା ସେ ଛୋଟ ମଣିଷଟି ଉପରେ । ଚନ୍ଦାମୁଣ୍ଡ ଚିକ୍‌ ଚିକ୍‌ କରୁଥାଏ ସୁନା ପରି ।

 

ଶ୍ରୀକାନ୍ତବାବୁ ଆସ୍ତେ କହିଲେ, ‘‘ଆଜି ବୁଢ଼ା କେଡ଼େ ନିର୍ମଳ ଦେଖା ଯାଉଛନ୍ତି, ନୁହେଁ ? ହଅଅ ! –ମୋ ଭିତରେ କାନ୍ଦ କାନ୍ଦ ସ୍ୱରଟିଏ ଶୁଭିଲା, ଆଉ କାହାକୁ ଭଲା ସେ ଦିଶୁଛନ୍ତି ? .....ଏ ପରା ରସିକ ବୁଢ଼ା । ଅସୁମାରି ଭୋଗିଚି ! –କୁଆଡ଼େ ଖାଲି ନିଶା ଆଉ ମାଇକିନା ନେଇ ଜୀବନ ବିତେଇଚି ।

 

ହାୟରେ, ହତଭାଗା ସଂସାର !!

Image

 

ଯୋଦ୍ଧା

 

ମୁଁ ଭାନୁ ସିଂ । ସେମିତି କିଛି ଡରକୁଳା ନୁହେଁ । ଡହରା ବି ନୁହେଁ । କଥାରେ ଗୁଡ଼ାଏ ଢମ କହି, ଫୁଟାଣି କାଢ଼ି, ଭିତରେ ଲାଙ୍ଗୁଡ଼ ଲୁଚେଇ ବୁଲୁଥିବା କୁହାକପିଳା ନୁହେଁ । ମୁଁ ଢେର ମୁକାବିଲା କରିଛି । ଏବେ ବି କରିବି, ବେଳ ପଡ଼ିଲେ । ମୁଁ କିନ୍ତୁ ମାନୁଛି ଯେ, ତାକୁ ସେଦିନ ସନ୍ଧ୍ୟାରେ ପ୍ରଥମ ଥର ଦେଖିଲାବେଳୁ, କାହିଁକି କେଜାଣି, ମୋତେ ଭାରି ଅସୁସ୍ଥ ଲାଗୁଛି । ଛନ ଛନ ଲାଗୁଛି । ଏକୁଟିଆ ଚାଲିଲାବେଳେ ବାରମ୍ବାର ପଛକୁ ଲେଉଟି ଚାହିଁଦେବାକୁ ମନ ହେଉଛି ! ମୁଁ କାହାକୁ ଏଯାଏଁ ତିଳାର୍ଦ୍ଧେ ଖାତିର କରିନାହିଁ ବୋଲି ମୋର ପ୍ରଚଣ୍ଡ ଗଉଁ । ମନ କଲେ ୟା’କୁ ବାଏଁ ବାଏଁ ହସି ଉଡ଼େଇ ଦିଅନ୍ତି । ସେଇଟା କିନ୍ତୁ ମିଥ୍ୟା ହବ । ଭାନୁ ସିଂ ଏଭଳି କଥାରେ ମିଛ କେହେନାହିଁ । ସେ କ’ଣ ଆଉ କାହାଭଳି ନୁଙ୍ଗରା ମାଇଚିଆ ହେଇଚି କି !

 

ସେଦିନ ସନ୍ଧ୍ୟାରେ ମୋ ସାମ୍ନାରେ ଗଦାଏ ଫୁଲମାଳ । ମଣ୍ଡପ ଚାରିଆଡ଼େ ପ୍ରସ୍ତ ପ୍ରସ୍ତ ଅସ୍ପଷ୍ଟ ଭାଟ ବନ୍ଦନା । ଏଠି ସେଠି ଆଠ ଦଶଟା ଗ୍ୟାସ୍‌ ଲାଇଟ୍‌ର ଚେକା ଚେକା ଆଲୁଅ ! ଟିକିଏ ଦୂରକୁ ଗଛପରି ଠିଆ ହୋଇଥାଏ ଅନ୍ଧାର । ସଭା ସରିଥାଏ । ଲୋକ ଏମିତି ଶହେ ଦୁଇଶ’ ଟହଲୁଥା’ନ୍ତି । ଖାଇପିଇ ପୁଣି ଘଣ୍ଟେ, ଦୁଇଘଣ୍ଟା ପରେ ଫେରିବେ, ଦାସକାଠିଆ ଶୁଣିବାକୁ ! ଦାଉ ଦାଉ ରୁପା ପାନଡବାରୁ ଖଣ୍ଡିଏ କାଢ଼ିଲାବେଳକୁ ମହକି ଯାଉଥାଏ । ଭଗୁ ପାନବାଲାର ଟଙ୍କିକିଆ ସ୍ପେଶାଲ ! ନିଜ ଉପରେ ନିଜେ ମୁଗ୍‌ଧ ହୋଇ ଦିବାନିଖାସର ସନ୍ତୁଷ୍ଟ ବାଦଶାହ ଭଙ୍ଗୀରେ ଚୌକି ଉପରକୁ ଆଉଜିପଡ଼ିଲାବେଳେ ହଠାତ୍‌ ସେ ଚେହେରା ଉପରେ ଆଖିପଡ଼ି ଛିଟିକି ଆସିଲା । ଗୋଟାଏ ଖୁଣ୍ଟକୁ ଆଉଜି ପଛକୁ ହାତକରି ସେ ଠିଆହୋଇଥିଲା । ତା’ ହାତଯୋଡାକ ସିଲ୍‌କ ରୁମାଲଟାରେ ବନ୍ଧା ହୋଇଥିଲା ! ହାତବାଲା ଗେଞ୍ଜି ତଳକୁ ବାତିକ୍‌ ଲୁଙ୍ଗି ! ହଳେ ନରମା ଓହଳ ନିଶ । ନୁଆଣିଆଁ ଆଖି, ଲମ୍ବା ମୁହଁ, କ’ଣ ସେ ନାଲି ଛକି-କଟା ହୋଇଥିବା ପଶାପାଲିଆ ଗାମୁଛାର ଓଢ଼ଣା ଆଢ଼ୁଳରେ ସ୍ପଷ୍ଟ ଦିଶି ପାରୁନଥିଲା ? ଦୁଃଖିଶ୍ୟାମ ସେଠିକି କେମିତି ଆସିଥା’ନ୍ତା-? –କାହିଁକି ବା ଆସନ୍ତା ? .....ଆଉ ଥରେ ଚାହିଁଦେବାକୁ ମୋର ହିମ୍‌ମତ୍‌ ହେଲାନାହିଁ-। କଡ଼ା ପାନଟା ହଠାତ୍‌ ମୁଣ୍ଡକୁ ଧରିଦେଲା । କପାଳ ଉପରେ ନିଶ ମୂଳେ, ବେକ ବୁକୁରେ ଝିର୍‌ଝିର୍‌ ଝାଳ ଜକେଇଗଲା । ଅସୁସ୍ଥ ଲାଗୁଛି କହି ଫିସ୍‌ଫିସ୍‌ କରୁଥିବା ସମ୍ଭ୍ରମର ଶିଉଳ ଆଡ଼େଇ ଗହୀର ପାଣିକୁ ଓହ୍ଲେଇ ଗଲାପରି ଗାଡ଼ପର୍ଯ୍ୟନ୍ତ କୌଣସିମତେ ଚାଲିଗଲି । ମୋର ସ୍ପଷ୍ଟ ମନେଅଛି, ମୁଁ ଜମ୍ମା ସେ ଐଶାନ୍ୟ କୋଣଟାକୁ ଚାହିଁପାରୁ ନ ଥିଲି ।

 

ସେଦିନ ଶୁକ୍ରବାର ଥିଲା । ମଙ୍ଗଳବାର ଯାଏ ସବୁ ଗସ୍ତ କାର୍ଯ୍ୟକ୍ରମ ବାତିଲ୍‌ କରି ସେଇ ରାତିରେ ହିଁ ମୁଁ ଫେରିଆସିଲି । ବାଟରେ କୋଉଠି କେଜାଣି ଗାଡ଼ି ରଖି ଡ୍ରାଇଭର ଓହ୍ଲେଇଗଲା ଚା’ ପିଇ ଚେଙ୍ଗା ହେବାକୁ । ଢୋଳ ମୋତେ ବି ମାଡ଼ୁଥିଲା । ମୋର କିନ୍ତୁ ଇଚ୍ଛା ହେଉନଥିଲା ଗାଡ଼ି ଭିତରର ନିରାପତ୍ତା ଛାଡ଼ି ସେତେବେଳେ ଓହ୍ଲେଇ ଆସିବାକୁ । ଗୋଟାଏ ବତିଖୁଣ୍ଟ ପାଖରେ ଗାଡ଼ି ଠିଆହୋଇଥାଏ । ପଛଆଡ଼ୁ କିଏ ଜଣେ ଆସି ଡ୍ରାଇଭର ସିଟ୍‌ ପାଖରେ ଭିତରକୁ ଓହଳି ଅନେଇଲା । ତା’ ମୁଣ୍ଡରେ ଗୋଟାଏ ଚାଦର । ବୁକୁ ଦାଉଁ ଦାଉଁ ଶୁଣି ମୋ ଆଖି ଉପରୁ ନିଦର ଚୁଇଁ ଚଢ଼େଇଟି ଉଡ଼ିଗଲା । ମୁଁ ଡବ ଡବ ଆଖିରେ ସେ ଚାଦର ଓଢ଼ଣାଟାକୁ ଚାହିଁଲି । ସେଥିରେ ପଶାପାଲି ଭଳି ନାଲି କୋଠି ଦିଶି ନିଭିଗଲା ଗୋଟାଏ ମୁହୂର୍ତ୍ତରେ । ସମଗ୍ର ଓଢ଼ଣାଟା ନାଲି । ସେଇଟା ନାଲି ଟାଓ୍ୱେଲଟାଏ । ମୁହଁଟା ଗୋଟିଏ ରୁଢ଼ ସାଲୁବାଲୁ ପାଞ୍ଜାବୀ ସର୍ଦ୍ଦାରର । ସେ କ’ଣ ପଚାରିଲା, ଅଥବା ମୁଁ କ’ଣ କହିଲି ମୋର ମନେନାହିଁ । ଡ୍ରାଇଭର ଆସିଲାବେଳକୁ ମୋର ନିଃଶ୍ୱାସ ଘର ଧରୁଥାଏ । ସର୍ଦ୍ଦାରଟା ଟହଟହ ହସି ଆଡ଼ ହୋଇଗଲା । ମୋର ପ୍ରାଇଭେଟ୍‌ ସେକ୍ରେଟାରୀ ତାକୁ କ’ଣ ଶୋଧାଶୋଧି କଲା ହୁଏତ । ସର୍ଦ୍ଦାର ଟିକିଏ ପିଇଦେଇଥିଲା ବେଶି । ସର୍ଦ୍ଦାରର ଚଡ଼ନିଆଁ ପରି ଆଖି, ଫେଣ ବଜବଜିଆ ପାଟି । କଥାରେ ମହୁଲୀ ଗନ୍ଧ, ମୋତେ ଆଉ ବେଳେ ହୁଏତ ଭଲ ଲାଗିଥାଆନ୍ତା । ସେ ରଙ୍ଗ ଟାଓ୍ୱେଲଟା ସେମିତି ମୁଣ୍ଡରେ ଓଢ଼ଣା କରି ସେ କାହିଁକି ପକାଇଥିଲା ? –ସେମାନେ ସେଭଳି ପକାନ୍ତି । ସେଇଟା କିଛି ନୂଆକଥା ହୁଏତ ନ ଥିଲା । ମୋତେ କିନ୍ତୁ ଖୁବ୍‌ ଅସୁସ୍ଥ ଲାଗିଲା । ବାଟସାରା ମୋତେ ଆଉ ନିଦ ହେଲାନାହିଁ । ମୁଁ ମଟମଟ ଚାହିଁ ରହିଥାଏ ସାମ୍ନାକୁ । ରୋଡ଼ ଉପରେ ଗଛେ ଉଚ୍ଚର ସରୁ ମୁହଁଟାଏ ନୁଆଣିଆ ଆଖିରେ ତଳକୁ ଚାହିଁ ରହିଥାଏ । ତା’ ମୁଣ୍ଡ ଉପରେ ସେ ଚାଦରଟା ଝୁଲି ରହିଥାଏ ରୋଡ଼ ତଳର ଗଛଚେର ପର୍ଯ୍ୟନ୍ତ । ତା’ ଓହଳ ନିଶ ତଳେ ଗାଡ଼ିଟା ଗଡ଼ି ଚାଲିଥାଏ ଉତ୍ତରରୁ ଅନିର୍ଦ୍ଦିଷ୍ଟ ଦକ୍ଷିଣକୁ ।

 

ସକାଳ ହେଲେ ବାସ୍ତବିକ ଭଲଲାଗେ । ଅନ୍ଧାର, କୁହୁଡ଼ି ସ୍ୱପ୍ନ ସବୁ ଉଭେଇଯାଏ । ଜଗତଯାକ ସ୍ପଷ୍ଟ ହୋଇଯାଏ । କେହି ଆଉ କାହାଭଳି ଦିଶିବାର ଅବକାଶ ନ ଥାଏ । ମୁଁ ଖୁବ୍‌ ଆଶ୍ୱସ୍ତ ଏବଂ ନିଶ୍ଚିନ୍ତ ବୋଧକଲି । ଗାଧୁଆ ପାଧୁଆ ସାରି ଜଳଖିଆ ଖାଇଦେଲା ପରେ ମୋର ମହାମହିମ ମିଜାଜ୍‌ ପୁନଶ୍ଚ ଫେରିଆସିଲା । ଆବ୍‌ବେ ମାର୍‌ ଗୁଲି । କ’ଣଟାଏ କୋଉଠି, ଚେଇଁଥିଲି କି ଶୋଇଥିଲି, ଦିଶିଗଲା ବୋଲି ସୃଷ୍ଟି ଆନ ଆନ ହେଇଗଲା । ଆବ୍‌ବେ ଯାଃ, ମୁଁ ଚାହିଁଲେ ଇନ୍ଦ୍ର ଚନ୍ଦ୍ର, ମୁଁ ଚାହିଁଲେ ଆକାଶ ! କୋଉ ଦୁଃଖିଶ୍ୟାମ କୋଉଠି ବସିଚି । ପନ୍ଦରବର୍ଷ ହେଲା ସେ କ’ଣ ବିଲୁଆଖାଇ ନଈ ଭିତରେ ପାଣି ପିଉଥିଲା ? କାଲି ଉଠି ଆସିଲା ମୋତେ ପ୍ରେମ କରିବାକୁ ? ମୁଁ ମୋ ନିଶ ଉପରେ ହାତ ମାରିଲି । ମୋ କୋଠା ରଙ୍ଗକୁ ଚାହିଁଲି । ପାଦତଳ ମୋଟା ଗାଲିଚାକୁ କୁଦିଲି । ବାହାରେ ପ୍ରାର୍ଥୀମାନଙ୍କ ଭିଡ଼ ହୋଇସାରିଥାଏ । କିଛି ଟଙ୍କା ବାଣ୍ଟି ଦେଲେ ଏ ଭୋକିଲା ଖଚକୁହା ଲୋକଗୁଡ଼ାଙ୍କୁ କିଣିଦେଇ ହେବ । ମୁଁ ବାରମ୍ବାର ସେପରି କିଣିଛି !

 

ସେଦିନ ସକାଳୁ ବେପରୁଆ କିଣିଗଲି । ଲୋକଙ୍କ ଯାତାୟାତ ଭିଡ଼ ବଡ଼ରାସ୍ତାଯାଏଁ ଲାଗିଥାଏ । ଖରା ପଡ଼ିଥାଏ ସମସ୍ତଙ୍କ ଉପରେ । ସମସ୍ତେ ମୋର ଦୟାର ପ୍ରାର୍ଥୀ । ସମସ୍ତେ ମୋର ବଚସ୍କର । ମୁଁ ପୁଣି ନିଜ ଉପରେ ନିଜେ ମୁଗ୍‌ଧ ହୋଇ ସେ ଦୋ’ମୁହାଣି ଲୋକ ଭିଡ଼କୁ ଚାହିଁଥାଏ-। ଆସୁଥିବା ଲୋକଙ୍କ କେତେ ପ୍ରକାର ମୁହଁ । ଫେରୁଥିବା ଲୋକଙ୍କ ପିଠିରେ କେତେ ପ୍ରକାର ଜାମା ! କାହାକୁ ଜଣକୁ ଦେଇସାରି ମୁହଁ ଟେକିଲାବେଳକୁ ଗେଟ୍‌ ପାଖାପାଖି ଫେରୁଥିବା ଜନସ୍ରୋତରେ ସେଇ ନାଲି ଛକିଥିବା ଚାଦର ଓଢ଼ଣା ଅପସରି ଯାଉଥିଲା । ପରିଷ୍କାର ସକାଳ ଖରାରେ କୋଠିଗୁଡାକ ରାଉରାଉ ହୋଇ ବାରି ହେଉଥିଲା । ସେ କ’ଣ ଏଇଠୁ ମୋ ସାମ୍ନାରେ ହାତ ପତେଇ ଅନୁଗ୍ରହ ଗୋଟେଇବାକୁ ଠିଆହୋଇଥିଲା ! ମୋ ଭିତର ପୁଣି ଗୁରାଣ୍ଡି ହେଇଗଲା । ମୁଁ ଚିତ୍କାର କରି ପକେଇଥାନ୍ତି । ସମ୍ଭାଳି ଗଲି । ଖୁବ୍‌ ଜରୁରି ସ୍ୱରରେ ଠିଆହେଇ ଆଙ୍ଗୁଠି ଦେଖେଇ କହିଲି–‘‘ଦେଖିଲ, ଦେଖିଲ, ସେ ନାଲି କୋଠିକଟା ଚାଦର ଘୋଡ଼େଇ ହେଇ କିଏ ସେ ଯାଉଛି ?’’ ଗୋଟାଏ ହାଲହୁଳି ପଡ଼ିଗଲା । ଏ ତାକୁ ସେ ତାକୁ, କହୁ କହୁ ତୁମୂଳ ଶବ୍ଦ ଉଠିଲା, ‘‘ନାଲି କୋଠିକଟା ଚାଦରଟା ହେଇ, ହେଇ ଯେ ଅପସରି ଯାଉଛି....ଧର, ତାକୁ......’’ କିଛି ସମୟ ପରେ ମୋ ସାମ୍ନାରେ ଅନେକ ଠେଲାପେଲା ପାଟିତୁଣ୍ଡ ଭିତରେ ଯେ ଆସି ଠିଆହେଲା, ସେ ଥଇଲା ନିରୀହ କଂସେଇଟିଏ । ନେଳି ଲୁଙ୍ଗି, ପୁରାହାତ ଜାମାପିନ୍ଧା ଦାଢ଼ିଆ ହମିଦ୍‌ ମିଆଁ । ରୋଷଘରେ ଲାଗୁଆଣି ମାଂସ ଦେଇ ସେ ଫେରୁଥିଲା ।

 

ମୁଁ ହଠାତ୍‌ ରାଗିଗଲି । ବିନା କାରଣରେ ସମସ୍ତଙ୍କୁ ଗାଳିଗୁଲଜ କରି ଖାସ୍‌ କମରାକୁ ଯାଇ ଗୋଟାଏ ଗଦିଦାର ସୋଫା ଉପରେ ଭୁସ୍‌କିନା କୁଢ଼େଇ ହେଇ ପଡ଼ିଲି.... । .....ବେ, ଶାଲା କ’ଣ ଏମିତି ତାମ୍‌ସା ଲାଗିଚି ! ମୋ ଭିତର କାହିଁକି ଏମିତି ଦୁଲୁକୁଚି ? ଦୁଃଖୀଶ୍ୟାମ ମୋତେ ପଇଁତ୍ରିଶ ବର୍ଷ କାଳ ଗୋଡ଼ାଣିଆ କରି ଘୋଷାରିଚି । ମୁଁ ତାକୁ କେବେ ଟପିପାରିନାହିଁ । ପ୍ରାଣମୂର୍ଚ୍ଛା ଗୋଡ଼େଇଚି ଜୀବନସାରା । ଯେତେବେଳେ ଦେଖିଲେ ଦ୍ୱିତୀୟ ସ୍ଥାନରେ ରହିବାକୁ ବାଧ୍ୟ କରିଥିବା ସେ ଅପରାଜେୟ ସଇତାନକୁ ମୁଁ ସହସ୍ର ଥର ସଂହାର କରିଛି; କିନ୍ତୁ ସେ ହିଁ ମୋ ଉଦଗ୍ର ଶକ୍ତିର ଏକମାତ୍ର ଉତ୍ତେଜକ । ସେ ମୋତେ ତହଁକେଇ ଆସିଚି । ମୋ ହାବେଳିରେ ସେ ହିଁ ନିଆଁ ଲାଛିଆସିଛି । ନହେଲେ ଆଉ ସାମାନ୍ୟ ଶହେ ଖେଳୁ ଖେଳୁଆଡ଼ଙ୍କୁ ମୁଁ ପାଞ୍ଚକୋଶ ଦୂରରେ ପରାସ୍ତକରି ଆସିପାରି ନଥାନ୍ତି । ଦୁଃଖିଆ ମୋ ଚିରଶତ୍ରୁ । ମୋ ଚିର ସାଥୀ । ଦୁଃଖିଆ ମୋର ସମ୍ମୋହନ । ସେ ମୋତେ ତତେଇଛି, ମୋତେ ଚିପୁଡ଼ି ମୋ ମଞ୍ଜରୁ ଦୋରୁଅ ନିଗାଡ଼ି ଦେଇଚି । ତାକୁ ବି ମୁଁ ଖୁବ୍‌ ତଡ଼ିଛି । ସେ ଛନକା ହେଲାପରି ବାରମ୍ବାର ପଛକୁ ଚାହିଁ ଦେଖିଛି ଯେ, ମୁଁ କ୍ଷେପି ଆସୁଚି । ତାକୁ ପାରିହେଇ ଯାଇପାରେ । ସେ ଆଉ ମୁଁ ଏମିତି ଯୋଡ଼ାଏ ବୃହଦାକାର କଳାଘୋଡ଼ାପରି ଏ ସମଗ୍ର ମାଳଭୂମିକୁ ମିନ୍ଥିଛୁ । ଆଉ ବାକି ସମସ୍ତେ ତାଳି ମାରୁଥିବା ତାଜୁବ ଦେଖଣାହାରୀ ! ସେମାନେ ଆମ ଦ୍ୱନ୍ଦ୍ୱ ବୁଝିନାହାନ୍ତି, ଆମ ସଂଗ୍ରାମ ବୁଝିନାହାନ୍ତି, ସନ୍ଧି ବୁଝିନାହାନ୍ତି-

 

ଦୁଃଖିଆ ମୋତେ ଭୟ କରୁଥିଲା । ମୁଁ ତାକୁ ଘୃଣା କରୁଥିଲି । ଅଥଚ ଆମେ ଗୋଟାଏ ସ୍କୁଲରେ ପଢ଼ିଛୁ । ଗୋଟାଏ ପଡ଼ିଆରେ ଲଢ଼ିଛୁ । ସେ ମୋତେ ଜମ୍ମା ବାଟ ଛାଡ଼ିନାହିଁ । ମୁଁ ବି ତାକୁ ସହଜରେ ଛାଡ଼ିନାହିଁ । ମୁଁ ଗୋଟାଏ ପରୀକ୍ଷାରେ ଥରେ ତାକୁ ଜିଣି ଯାଇଥିଲେ ଲଢ଼ିବା ଛାଡ଼ି ଦେଇଥାନ୍ତି । ସେ ବି ବୋଧହୁଏ ଛାଡ଼ି ଦେଇଥାନ୍ତା । ଆମେ ପ୍ରତିଦ୍ୱନ୍ଦ୍ୱୀ ହୋଇ ଜନ୍ମିଥିଲୁ । ଆମର ସାଲିସ ହେବା ସମ୍ଭବ ନଥିଲା । ଆମେ ସବୁବେଳେ ପରସ୍ପର ବିପକ୍ଷ ଯୋଦ୍ଧା ! ମୁଁ ଆସିଥିଲି ମଫସଲରୁ । ମୋ ପଛରେ ମୋର ଶହ ଶହ ସମର୍ଥକ ! ସେମାନେ ମୋତେ କଳିପାରନ୍ତି ନାହିଁ । ଭାବନ୍ତି ମୁଁ ହିଁ ସର୍ବଶ୍ରେଷ୍ଠ । ସେ ଥିଲା ସହରରେ-ତା’ର ମଧ୍ୟ ଶହ ଶହ ସମର୍ଥକ । ସେ ସେମାନଙ୍କ ମଉଡ଼ମଣି । ଆମେ ଦୁହେଁ ଘୋଡ଼ା ଚଢ଼ିଛୁ । ଗଛ ଚଢ଼ିଛୁ । ନଈ ପହଁରିଛୁ । ପ୍ରବନ୍ଧ ଲେଖିଛୁ । ଅଭିନୟ କରିଛୁ । ଅଙ୍କ କରିଛୁ । ମଟରସାଇକଲ ଚଳେଇଛୁ । ସବୁଠି ଲଢ଼େଇ । ଆଗରୁ ଜଣାପଡ଼େନାହିଁ କିଏ ଜିଣିବ ! ଆରପକ୍ଷ ତାଜୁବ୍‌ ହୋଇ ଚାହିଁଥାନ୍ତି, କେମିତି ମୁଁ ତାଙ୍କ ବିଦ୍ୟା ସାଧି ସମସ୍ତଙ୍କୁ ଟପିଗଲି । ମୁଁ ହତବାକ୍‍ ହୋଇଯାଏ, କେମିତି, ଦୁଃଖିଆ ମୋତେ ନଈ-ପହଁରାରେ ଗୋଟାଏ ହାବୁକାରେ ଜିଣିଯାଏ । ମୁଁ ସିଂହପରି ଲଢ଼ିଯାଏ; କିନ୍ତୁ ଜାଣିଥାଏ ଯେ ଦୁଃଖିଆ ମୋତେ ଜିଣିଯିବ । ସେ ତା’ର ସବୁ ଶକ୍ତି ଖଟେଇ ଝୁଣିହୋଇ ଡହ ଡହ ତାତିଯାଏ । ବୋଧହୁଏ ଜାଣିଥାଏ ଯେ ତାକୁ କେହି ଟପିଯାଇ ପାରିବନାହିଁ ! ଓଃ, ଦୁଃଖିଆ ମୋର ପ୍ରାଣାନ୍ତ ଜ୍ୱାଳା, ମୋର ଦୁର୍ଦ୍ଦାନ୍ତ ସହୋଦରେ । ମୁଁ ତା’ ରକ୍ତ ପିଇବାକୁ ପଣକରି ତୃଷାର୍ତ୍ତ ରହିଆସିଛି ।

 

ଥରେ ମୋ ପକ୍ଷର କେମ୍ପା ଭଗିଆ ଆସି ଫିସ୍‌ଫିସ୍‌ କରି ମୋ କାନରେ କହିଲା ଯେ, ସେ ଦୁଃଖିଆକୁ ତା’ ଯିବା ବାଟରେ ଲୁହାତାର ଖଞ୍ଜି ଜଖମ କରିଦେବ ! ତେଣିକି ସବୁ ପ୍ରଥମ ପୁରସ୍କାରଯାକ ଏ ପାଖକୁ ବଳେ ଗଡ଼ିଆସିବ । ସେ କହିଦେଇ ମୋ ମୁହଁକୁ ଚାହିଁ ମୁଚୁକି ମାରିଲାବେଳକୁ ମୋ ଦେହରେ ନିଆଁ ଲାଗିଗଲା । ମୁଁ ଭୟଙ୍କର କ୍ରୋଧର ତାକୁ ଲହୁ ଲୁହାଣ କରି ପିଟିଦେଇଗଲି । ପାଟି ଶୁଣି ଅନ୍ୟମାନେ ଧାଇଁଆସି ମୋ କବଳରୁ ତାକୁ ଛଡ଼େଇନେଲେ, ନହେଲେ ମୁଁ ବୋଧେ ତାକୁ ପ୍ରାଣରେ ମାରିଦେଇଥାନ୍ତି । ମୁଁ କ’ଣ ଚାହୁଁନଥିଲି ଦୁଃଖିଆ ଜଖମ୍‌ ହେଇଯାଉ ? ମୁଁ ତ ବରଂ ଚାହୁଁଥିଲି ସେ ମରୁ ! କିନ୍ତୁ ସେ ଜଖମ ହେଲେ କ’ଣ ମୁଁ ସେ ଶିଆଳମୁହାଁ କେମ୍ପା ଭଗିଆ ସାଙ୍ଗେ ଲଢ଼ିବି । ମୁଁ ତେଣିକି ହରେଇବି କାହାକୁ ? –ଦୁଃଖିଆକୁ କେହି ଟିପ ଦିଅନା ବେ’ କୁଜିଆ, ଲୁଙ୍ଗୁରା ଡରୁଆ ଶଳେ, ଦୁଃଖିଆ ମୋ ପ୍ରାଣ । ଗୋଟାଏ ସୂତାରେ ମୁଁ ଓହଳିଛି । ଦୁଃଖିଆକୁ ଜିଣିବି; ସେଇଥିପାଇଁ ମୁଁ ବଞ୍ଚିଚି । ତାକୁ କାଇଁ ମାରିବ ? –ମୋତେ ମାରିଦଉନା ! ମୁଁ ଦୁଃଖିଆକୁ ରଟମଟ ଚୋବେଇଦେବାକୁ ଚାହୁଁଥିଲି; କିନ୍ତୁ ମୋ ସମର୍ଥକଙ୍କ ଆଗରେ ଏକଥା ବି କହିଥିଲି ଏବଂ ସତ କହିଥିଲି ।

 

ଦିନେ ମୋତେ ଜର ହୋଇଥାଏ । ମୁଁ ଫାଇଁ ଫାଇଁ ହଉଥାଏ । ଦେହରେ ତାତି ଖଇ ଫୁଟୁଥାଏ । ହଷ୍ଟେଲରେ କିଏ କାହାକୁ ପଚାରେ ? ଚିହ୍ନା ସ୍ୱର ଶୁଣି ଚମକିଲା ପରି କମ୍ବଳ କାଢ଼ି ଚାହିଁଲି । ଖଟ ବାହୁଙ୍ଗାରେ ଦୁଃଖିଶ୍ୟାମ ବସିଥାଏ । ତା’ର ସେ ନୁଆଣିଆଁ ଆଖି, ସେ ଲମ୍ବା ମୁହଁ ଦେଖି ମୋ ନାକପୁଡ଼ା ଫୁଲିଗଲା ! ବୁକୁ ଆଉରି ଜୋର୍‌ରେ ଦାଉଁ ଦାଉଁ ହେଲା । ସେ ମୋ ହାତକୁ ଧରି ଆସ୍ତେ ସାଉଁଳି ଦେଲା । ତା’ କୋଡ଼ ଉପରେ ଥୋଇ ଥାପୁଡ଼େଇଲା ! ମୁଁ ହାତ ଛିଞ୍ଚାଡ଼ି ଆଣିବାକୁ ମନକଲି; କିନ୍ତୁ ଆଣିଲିନାହିଁ । ମୋ ନାକବାଟେ ଡବ ଡବ ତାତିଲା ପାଣି ନିଗିଡ଼ିଗଲା–

 

ସେ ଅନେକ ବେଳ ସେମିତି ବସିରହିଲା । ବୋଧହୁଏ ପାଣିପଟି ଥରେ ଦୁଇଥର ବଦଳ କଲା । ମୋ ଭିତରେ ଧୂଆଁଯାକ ପାଣି ହୋଇଗଲା । ପାଣିଯାକ ନିଗିଡ଼ିଗଲା । ସେଇ ବୋଧହୁଏ ଅନେକ ବେଳୁ ମୋର ଶୁଶ୍ରୁଷା କରୁଥିଲା । କାହିଁକି କରୁଥିଲା ? ମୋତେ ଔଷଧର କ’ଣ ଟିକିଏ ମିଶେଇ ପିଆଇଦେଲା ନାହିଁ କାହିଁକି ? କେମିତି ସେ ତା’ ବୈରୀପଣକୁ ଜିଣିଗଲା ? ସେଥିରେ ବି ମୋତେ ସେ ଜିଣିଗଲା । ଶଳା, ମୋର ପରମ ଶତ୍ରୁ; ମୋତେ ଶତ୍ରୁତାରେ ବି ମାତ୍‌ କରିଦେଲା !

 

‘‘ଭାନୁ, ତୁ ଚାହିଁଲେ ଆଜି ରାତିରେ ଜର ଓହ୍ଲେଇଯିବ । ତୋତେ କ’ଣ ଜରଟାଏ ଆସି କାବୁ କରିଦେବ ନା କ’ଣ ? ମୋତେ ଜର ଛୁଉଁ ଛୁଉଁ ଚାଲିଯାଏ ।’’ ମୁଁ ହଠାତ୍‌ ଗରମ ହୋଇଗଲି । ହାଁ, ମୋତେ ବୁଝେଇବାକୁ ଆସିଚି ଯେ ଜର ସାଙ୍ଗେ ଯୁଝିବାରେ ବି ସେ ମୋତେ ଟପିଯାଇଛି ! ମୁଁ ଧଡ଼୍‌ ଧାଡ଼ ଉଠି ବସିଲି । ସେ ଚାହିଁଲା ମୋତେ ପୁଣି ଶୁଆଇ ରଖିବାକୁ ! ଜୋର୍‌ ଦେଲା ନାହିଁ, କାନ୍ଥକୁ ଆଉଜି ମୁଁ ତାକୁ କଟମଟ ଚାହିଁଲି ।

 

ତା’ ଆଖି ସବୁବେଳେ ନୁଆଣିଆଁ ! ସେ ସେହିଭଳି କହିଲା, ‘‘ଭାନୁ ! ମୁଁ ଆସିଛି ତୋତେ ଗୋଟାଏ କଥା କହିବାକୁ ! ବିଶ୍ୱାସ କଲେ କହିବି !’’ ତା’ ସ୍ୱର ଭାରି ମିଠା ! ମୋର ଲୋଭ ହୋଇଗଲା ଭାବିବାକୁ ଯେ ଯଦି ସେ ମୋର ଭାଇଟାଏ ହେଇଥାନ୍ତା ! ତା’ପରେ କିନ୍ତୁ ନାକପୁଡ଼ା ଫୁଲିଗଲା । ମୁଁ ଦୁଇଥର ଗୋଡ଼ ଛାଟିଦେଇ ତାକୁ ଚାହିଁଲି ! ସେ ବୁଝିଗଲା ।

 

‘‘ଭାନୁ, ତୁ ବିଶ୍ୱାସ କର ଅବା ନ କର, ମୁଁ ଚାହେଁ ତୋ ପାଖରେ ଥରେ ହାରିବାକୁ ! ମୁଁ ଚମକିପଡ଼ିଲି । ଚକା ପକେଇ ପଦ୍ମତୋଳା ନାଗପରି ଝୁଲିଲି ।’’

 

ସେ କହିଲା, ‘‘ତୋତେ ଜିଣେଇବାକୁ ହାରିବା ମୋ ପକ୍ଷରେ ଅସମ୍ଭବ ! ମୁଁ ପାରୁ ପର୍ଯ୍ୟନ୍ତ ଲଢ଼ିବି ଏବଂ ତା’ ନିଜ ପରାକ୍ରମରେ କେହି ଜଣେ ମୋତେ ପରାସ୍ତ କରିଦେବ ! ମୁଁ ଆଗକୁ ଏବଂ ଉପରକୁ ଚାହିଁଦେଲେ ଏମିତି ଶୂନ୍ୟକୁ ନ ଦେଖି ଆଉ ଜଣେ ବିଜେତାକୁ ଦେଖି ପାରିବି । ମୁଁ ସତ କହୁଛି ଭାନୁ, ତୁ ହିଁ ପାରିବୁ ! ମୁଁ ଚାହେଁ, ଥରେ ହେଲେ ପରାଜୟର ସ୍ୱାଦ ଚାଖିବାକୁ ! ହାରିଗଲେ ଆଉ ଥରେ ଉହୁଙ୍କି ଉଠିବାର ଅନୁଭବ ମୁଁ ପାଇନାହିଁ । ହାରିଗଲେ ସତେ କେମିତି ଲାଗେ ?’’

 

ମୋ ଆଖି ଜଳିଲା । ନାକପୁଡ଼ା ଜଳିଲା । ହାତ ମୁଠା ମୁଠା ହେଇଗଲା । ଯାହାପାଇଁ ଜୀବନସାରା ସହସ୍ରେ ଲୋକଙ୍କୁ ଜିଣି ମଧ୍ୟ ଜିଣିବା କ’ଣ ଜାଣି ପାରିଲି ନାହିଁ, ଯେ ମୋତେ ସବୁଦିନ ପରାସ୍ତ କରି ଆସିଚି, ସେଇ ମୋତେ ପଚାରୁଛି ହାରିଲେ କେମିତି ଲାଗେ ! ମୁଁ ବୋଧେ ସେଇ ମୁହୂର୍ତ୍ତରେ ତାକୁ ହତ୍ୟା କରିଦେବା ଉଚିତ୍‌ ଥିଲା-ସେତିକିବେଳେ ମୋ ଭିତରେ ଉପାଦାନ ଥିଲା ତାକୁ ପୋଡ଼ି ପାଉଁଶ କରିଦେବାକୁ !

 

ଆମେ ସ୍କୁଲ ଛାଡ଼ିଲୁ । ଦୈବାତ୍‌ ପୁଣି ଦୁହେଁଯାକ ଗୋଟାଏ କଲେଜରେ ପଢ଼ିଲୁ । ସହସ୍ରେ ଥର ଆମର ମୁକାବିଲା ହେଲା । ସବୁବେଳେ ଦୁଃଖିଆ ମୋ ଆଗରେ ରହିଗଲା । ବାକି ସମସ୍ତେ ଆମର ମାଇଲ୍‌ ମାଇଲ୍‌ ପଛରେ ପଡ଼ିଥାନ୍ତି । ଛୋଟ ଛୋଟ ଇଞ୍ଚେ ଭୂମିପାଇଁ ଭିଡ଼ା ଓଟରା ହେଉଥାନ୍ତି । ବହୁ ଉପରେ ଦୁଇଟା ହାବେଳି ପରି ଆମେ ସେ ଖଣ୍ଡମଣ୍ଡଳକୁ ଅଧିକାର କରିବାକୁ ସମ୍ରାଟ ଭଙ୍ଗୀରେ ଲଢ଼ୁଥାଉ ! ହାରିବା ମୋର ଅଭ୍ୟାସରେ ପଡ଼ିଗଲା ! ଦୁଃଖିଆ ପାଇଁ ସର୍ବଶ୍ରେଷ୍ଠ ହେବା ଏବଂ ସର୍ବଶ୍ରେଷ୍ଠ ହୋଇ ରହିବା, ଅତି ସ୍ୱାଭାବିକ ଜଣାଗଲା । ତଥାପି ଟାଣିହୋଇ ରହିଥିବା ଦୁଇଟା ପ୍ରବଳ ଧନୁପରି ଆମେ ପରସ୍ପରକୁ ପ୍ରତି-ସ୍ପର୍ଦ୍ଧାରେ ଆକ୍ରୋଶି ରହିଥାଉ ।

 

ପାଠ ସରିଲା । ଆମେ ଚାକରି କଲୁନାହିଁ । ତା’ର ପ୍ରୟୋଜନ ନ ଥିଲା ! ଦଶଲକ୍ଷ ଟଙ୍କାରେ ମୁଁ ଗୋଟାଏ ଶିଳ୍ପାନୁଷ୍ଠାନ ଆରମ୍ଭ କରିଦେଲି । ପାଞ୍ଚ ବର୍ଷରେ ବ୍ୟବସାୟ ଚାଲିଲା କୋଟିଏ ଟଙ୍କାରେ । ଅଜସ୍ର ଟଙ୍କା ଆୟ ହେଲା । ପାଞ୍ଚ ବର୍ଷରେ ମୋ ସାମ୍ରାଜ୍ୟରେ ଆଉ କାହା ସାଙ୍ଗରେ ଟକ୍‌କର ହେବାର ନଥିଲା ! ନିଭୃତରେ କିନ୍ତୁ ଛାତି ଭିତରେ ଦପ୍‌କରି ଦେଖାଦେଉଥିଲା, ଦୁଃଖିଆ । ସେ ଏଥିରେ ପଶିଥିଲେ ନିଶ୍ଚୟ ପାଞ୍ଚବର୍ଷରେ ଦୁଇକୋଟି କରିଥାନ୍ତା । ମୋର ଚରମ ବିଜୟରେ ମୁଁ ମୋର ଚିର-ବିଜେତାକୁ ବିରହୀ ଭଳି ମନେ ପକେଇଲି । କେମିତି ଟିକିଏ ତାକୁ ଦେଖିଦିଅନ୍ତି ! ସେ ମୋଠୁ’ ଦେଢ଼ବର୍ଷ ବଡ଼ । ମୁଁ ଏ ପୃଥିବୀକୁ ଆସିବା ଆଗରୁ ସେ ତିନିଫୁଟ ଉଚ୍ଚତାରୁ ଏ ସମସ୍ତ ଦେଖିସାରି ଅଧିକାର କରିସାରିଥିଲା । ନ ହେଲେ ଉଭୟେ ଏକା ଧାତୁରେ ତିଆରି । ମୁଁ ଆସିଲାବେଳକୁ ସେ ଆଗରେ ଥିଲା ଏବଂ ତେଣିକି ଆଗରେ ହିଁ ରହିଗଲା ।

 

ମୁଁ ତାକୁ ଦେଖିବାକୁ ଚାହିଁଥିଲି ଏବଂ ଦେଖିଲି ମଧ୍ୟ ଅଦ୍ଭୁତ ଭାବରେ । ମୋର ବିଭାଘର ପ୍ରସଙ୍ଗ ଚାଲିଥାଏ । ମୁଁ ଯାଇଥାଏ କନ୍ୟା ଦେଖିବାକୁ କଲିକତା । ଝିଅଟି ଅସାମାନ୍ୟା ସୁନ୍ଦରୀ । ଦେଖିବାମାତ୍ରେ ମୁଁ ଉଲ୍ଲସିତ ହୋଇ ଉଠିଥିଲି । କହିଥିଲି ଯେ, ସେଇଠି ବିବାହ ନ ହେଲେ ମୁଁ ଆଉ ବିବାହ କରିବି ନାହିଁ । କେହି ଜଣେ ପୌଢ଼ ଆସି ଛଳ ଛଳ ଆଖିରେ ମୋ ହାତ ଧରି କହି ପକାଇଲେ ଯେ, ସେ ଯାହା ଶୁଣିଥିଲେ ମୁଁ କୁଆଡ଼େ ତାହା ଅପେକ୍ଷା ଦଶଗୁଣ ସୁନ୍ଦର । ଦଶଗୁଣ ଯୋଗ୍ୟ । ଏଣୁ ବିବାହ ସ୍ଥିର ହୋଇଗଲା । ସେ ପରିବାର ସହିତ ମୋର ପରିଚୟକ୍ରମରେ ପ୍ରାୟ ମୋର ସମବୟସ୍କ ଶଳା ସହିତ ଭେଟ ହେଲା । ଅତି ଚମତ୍କାର ବେଶପୋଷାକରେ ଭାରି ଚିକ୍‌କଣ ଚେହେରା ତା’ର; କିନ୍ତୁ ତା’ ସାଙ୍ଗରେ ଯେ ଠିଆ ହୋଇ ମୋ ଆଡ଼କୁ ଅଭିନନ୍ଦନ ଜଣାଇ ହାତ ବଢ଼ାଇଲା, ସେ ଥିଲା ଦୁଃଖିଶ୍ୟାମ । ମୁଁ କିଛି କାଳ ତାକୁ କୁଣ୍ଢେଇ ଧରିଥିଲି । ମୁଁ ମନକୁ ମନ କହୁଥିଲି ଢେର୍‌ କଥା । ଆବ୍‌ବେ, ତୁ କୁଆଡ଼େ ଏମିତି ଉଭେଇ ଗଲୁ ! ମୁଁ ଜାଣେ, ଶଳା ଏଠି ତୁ ଜମେଇ ନେଇଛୁ । ତୁ ବି ୟା’ ଭିତରେ କ’ଣ ଦୁଇ ତିନି କୋଟି କରି ନ ଥିବୁ କି ? ୟା’ଙ୍କ ସାଙ୍ଗେ ତୋ’ର କ’ଣ ମାୟା ଲାଗିଛି କିବେ । ଆଚ୍ଛା, ତୁ ସେ ଝିଅଟିକୁ ଜାଲ ପାତି ବସିଚୁ କି ? ଯଦି ପକେଇ ଥାଉ, ଏଇ ଦେଖ, ତୋତେ ଟପି ତୋ’ ହାତରୁ ତାକୁ ମୁଁ ନେଇଗଲି ! ଦୁଇ ଜଣଙ୍କ ମଝିରେ ଏତେ କଥା ପଶି କୁଣ୍ଢ ହୁଗୁଳେଇ ଦେଲା । ମୁଁ ତା’ ଆଖି ଭିତରକୁ ଚାହିଁଲି । ବୁଝିଲି ଯେ କଥା ସତ । ଦୁଃଖିଆ ହାରିଲା । ପ୍ରଥମ ଥର ହାରିଲା । ମୋରି ପାଖରେ ହାରିଲା । ତଥାପି ଜଣାଗଲା ଯେ, ସେ ସେଥିପାଇଁ ଦୁଃଖିତ ନୁହେଁ । ସେ ତା’ ଲମ୍ବା ମୁହଁ, ନୁଆଣିଆଁ ଆଖି, ଓହଳ ନିଶ ପାଇଁ ହାରିଗଲା; କିନ୍ତୁ ମୋ ପାଖରେ ତ ହାରିଲା !

 

ମୁଁ ଜାଣିଚି ସେ କାହିଁକି ବିଭା ହେଲାନାହିଁ । ସେ ମୋ ସ୍ତ୍ରୀର ଚିର-ପ୍ରେମିକ । ତାକୁ ମୋ ସ୍ତ୍ରୀ କେବଳ ଦୟାକରି ଆସିଚି । ମୁଁ ଦୟାକରି ଆସିଚି । ସେ ଅସଂଖ୍ୟ ଥର ମୋ ଘରକୁ ଆସିଲା । ଥରେ କିନ୍ତୁ କଳା ଛାଇ ଭଳି କ’ଣଟାଏ ମୋ ଆଖିରେ ଦିଶି ପୁଣି ଅପସରିଗଲା । ମୁଁ ଦୁଃଖିଆ ଆଖିକୁ ଥରେ ଚାହିଁ ଦେଖିଲି ଯେ, ସେ ଲଢ଼େଇ ଜାରି ରଖିଚି-ଏବେ ବି ଜିଣିବାର ଆଶା ଛାଡ଼ିନାହିଁ-। ତା’ପରେ ହଠାତ୍‌ ଦିନେ ଅନୁଭବ ହେଲା ଯେ, ଦୁଃଖିଆ ହୁଏତ ମୋ ଅଜାଣତରେ ମୋତେ ଟପି ଚାଲିଗଲାଣି । ମୋ ସ୍ତ୍ରୀ ମାସକେ ସାତଦିନ କାହିଁକି ବାପଘର ଯାଉଚି ? ମୁଁ ଜାଣିବାକୁ କଲିକତା ଉଡ଼ିଯାଉଥିଲି । ପ୍ରାୟ ସବୁବେଳେ ଦୁଃଖିଆକୁ ଦେଖୁଥିଲି ସେଇଠି ।

 

ମୁଁ ତାକୁ ଦିନେ ଡାକିନେଲି ଏକାନ୍ତକୁ ! କହିଲି, ‘‘ଦେଖ ଦୁଃଖିଆ, ତୋର ମୋର ଆଉ ଗୋଟାଏ ଚୂଡ଼ାନ୍ତ ମୁକାବିଲା ବାକି ରହିଛି । ଦୁହିଁଙ୍କ ଇଚ୍ଛା ହେଉଛି ଲଢ଼ିବାକୁ । ଛୁରି ପିସ୍ତଲଗୁଡ଼ା ପିଲାଖେଳ । ଚାଲ, ରାଜନୀତିରେ ଲଢ଼ିବା । ତୁ ଓଡ଼ିଶାରୁ ମୋ ସଙ୍ଗେ ନିର୍ବାଚନରେ ଲଢ଼ିବୁ ।’’ ସେ ମୋ ଆଖିକୁ ଚାହିଁଲା-ଠିକ୍‌ ଅଛି । ସେ ମୋ’ଠୁ ହାରିବାକୁ ଚାହିଁଥିଲା; କିନ୍ତୁ ହାରି ରହିବାକୁ ସହିପାରି ନଥିଲା । ଏଣୁ ମୁକାବିଲା ନକରି ସେ ରହନ୍ତା କେମିତି ? ମୋ ସ୍ତ୍ରୀ ତାକୁ ଉତ୍ତ୍ୟକ୍ତ କରୁଥିଲା । ମୋର ଚିର ବିଜେତା ଚାହିଁଥିଲା ଆଉଥରେ ମୋତେ ପରାସ୍ତ କରିବାକୁ ।

 

ନାହିଁ ନଥିବା ଲଢ଼େଇ ହେଲା । ମୁଁ ସେ ଅଞ୍ଚଳରେ ରୋଡ଼୍‌ କରିଦେଲି । ସେ କେନାଲ ଖୋଳେଇ ଦେଲା । ମୁଁ ପୋଲ ବାନ୍ଧିଦେଲି । ସେ ଘର ତୋଳିଦେଲା । ମୁଁ ସ୍କୁଲଘର ତୋଳିଦେଲି । ସେ କଲେକ କରିଦେଲା । ନିର୍ବାଚନର ବହୁ ପୂର୍ବରୁ ଏ ଲଢ଼େଇ ଚାଲିଥାଏ । ତା’ପରେ ହେଲା ବାକ୍‌ଯୁଦ୍ଧ ! ମୁଁ ଗୋଟାଏ ଗସ୍ତ କରି ପନ୍ଦରଟା ସଭା କଲାପରେ ସେ ତା’ ଦଳକୁ ନେଇ ଅନ୍ତତଃ ଷୋଳଟା କରି ଚାଲିଆସିଲା । ସେ ରୀତିମତ ତମ୍ବୁ ପକେଇ ସେଇଠି ରହିଲା । ତା’ର କର୍ମୀମାନେ ଖାତା ଧରି ଗାଁ ଗାଁ, ଘର ଘର ବୁଲି ଅସୁବିଧା ବୁଝି ଟଙ୍କା ବାଣ୍ଟି ତାଲିକା କରିଗଲେ । ମୋର ସେଇ ସମୟରେ ମନେହେଲା ଯେ, ଦୁଃଖିଆ ଜିଣିବା ଉଚିତ୍‌ । ସେ ମୋ ଅପେକ୍ଷା ଢେର ଚାଲାକ । ଢେର୍‌ ସମର୍ଥ । ସେ ଆସିଲେ ଦେଖେଇଦେଇ ପାରିବ ଶାସନର ନମୁନା....ସଙ୍ଗଠନର ନମୁନା । ସେ ଯାହା ଚାହିଁବ ତାହା କରିପାରିବ । –ଓଃ, ଦୁଃଖିଆ କି ଅଦ୍ଭୁତ କାମ କରିପାରେ ? –ତା’ ପାଖରେ ହାରିଗଲେ ସେଇଟା ପରାଜୟ ନୁହେଁ । ତା’ ପାଖରେ ଯେ କେହି ହାରିବା ଉଚିତ୍‌ । ଯେ କେହି ହାରିବାକୁ ଇଚ୍ଛାକରିବା ଉଚିତ୍‌ ।

 

ମୋ ପାଇଁ କାମ କରିବାକୁ ମୁଁ ଯେଉଁମାନଙ୍କୁ ବୁଦ୍ଧିଆ ବୋଲି ନେଇଥିଲି ସେ ସବୁଗୁଡ଼ିକ ମଦୁଆ ବାହାରିଲେ । ତାଙ୍କୁ ଟଙ୍କା ଦେବାରେ ମୁଁ ହେଳାକରି-ନାହିଁ; କିନ୍ତୁ କାମ କରିବାରେ ସେମାନେ ହେଳା କରିଛନ୍ତି । ତାଙ୍କୁ ଡାକି ମୁଁ ଏଇକଥା କହିଦେଲି ଗୋଟିଏ କର୍ମୀସଭା ଭିତରେ । ଖୁବ୍‌ ଆବେଗରେ ତାଙ୍କ ସହଯୋଗ ପାଇଁ ବକ୍ତୃତା ଦେଲାବାଲା ନାହିଁ ଯେ, ମୋତେ ଏଇ ଦୁଃଖିଆଟା କବଳରୁ ରକ୍ଷା କରିଦେଇ ପାରିବ !

 

କହିଦେଇ ମୁଁ ସଞ୍ଜବେଳେ କ’ଣ ମନହେଲା ଦୁଃଖିଆ ତମ୍ବୁ ଭିତରେ ପଶିଗଲା । ସେ ତା’ର ହିସାବ ଚଳେଇଥାଏ । ପିନ୍ଧିଥାଏ ଖଣ୍ଡେ ବାତିକ୍‌ ଲୁଙ୍ଗି, ଦେହରେ ହାତବାଲା ଗେଞ୍ଜି ଏବଂ ମୁଣ୍ଡରେ ନାଲିରଙ୍ଗର ପଶାପାଲି କୋଠି ଚିତ୍ରଥିବା ଗୋଟାଏ ଚାଦର । ଏମିତି ଆଳୁମାଳୁ କରି ଗୁଡ଼େଇ ଦେଇଥାଏ ।

 

‘‘ଦେଖ୍‌ ଦୁଃଖିଆ, ତୁ ଅଲବତ୍‌ ଜିଣିବୁ । ତୋତେ ଦେଖିଲେ ମୋର ସବୁବେଳେ ଇର୍ଷା ହେଉଥିଲା । ଏବେ ବି ହେଉଚି । ତୁ କାହାପାଖରେ ହାରିବାକୁ ଜନ୍ମ ହେଇନାହୁଁ ।’’ ସେ ବୋଧହୁଏ କିଛି କହିଲାନାହିଁ । ମୋର ଠିକ୍‌ ମନେପଡ଼ୁ ନାହିଁ; କିନ୍ତୁ ଚାଦର ଓଢ଼ଣା ପକେଇ ସେ ମୋତେ ଯେଉଁ ଢଙ୍ଗରେ ଚାହିଁଦେଇ ଆଖି ନୁଆଁଇ ଦେଲା ମୁଁ ଭୁଲି ପାରିବିନାହିଁ । ତା’ର ସେ ସମଗ୍ର ଚେହେରା ଭୁଲିପାରିବିନାହିଁ । ଅନେକ ଦିନ ତଳେ ସ୍କୁଲରେ ମାଇଲିଏ ଧାଇଁବା ସବୁଠାରୁ କଷ୍ଟକର ଥିଲା । ଦୁଃଖିଆ ମଢ଼ିଆ ଦିଶୁଥାଏ, ଖୁବ୍‌ କ୍ଳାନ୍ତ ହେଇଯାଇଥାଏ । ଆମେ ଧାଡ଼ିବାନ୍ଧି ଠିଆ ହେଲାବେଳେ, ସେ ମୋତେ ସେମିତି ଚାହିଁଥିଲା । ବୋଧହୁଏ ମନକୁ ମନ କହୁଥିଲା, ‘‘ମରିବି ପଛେ ଛାଡ଼ିବି ନାହିଁ !’’ ମୁଁ ତା’ ତମ୍ବୁ ଛାଡ଼ି ଆସିଲାବେଳେ ଭାବୁଥିଲି ଯେ, ଦୁଃଖିଆକୁ ଧପେଇ ଦେବା, ଖଚମିଛ ପ୍ରଚାରକରି ବଦନାମ କରିଦେବା, ତା’ ବିଷୟରେ କହି ଡରେଇବା କୌଣସି କଥା ସମ୍ଭବ ନୁହେଁ । ମୋଟଉପରେ ତାକୁ ଜିଣିବା ସମ୍ଭବ ନୁହେଁ । ଯଦି ମୋ ପାଇଁ ସମ୍ଭବ ନୁହେଁ ତେବେ ଆଉ କିଏ ଅଛି ଯେ ତାକୁ ଜିଣିଯିବ ?

 

ସେଇ ରାତିରେ ଘଟଣା ଘଟିଗଲା । ସାତଦିନଯାଏ କ’ଣ ହେଲା ଠିକ୍‌ ମନେ ପଡ଼ୁନାହିଁ-। ମୋ ଭିତରେ, ବାହାରେ, ତୁମୁଳ କୋଳହଳ, ଚାରିଆଡ଼େ ହାଉ ହାଉ । ଦୁଖିଆ କୁଆଡ଼େ ସଂପୂର୍ଣ୍ଣ ଉଭେଇଗଲା.....କୁଆଡ଼େ ଗଲା ମୋ ସୋଦର, ମୋ ପ୍ରତିଦ୍ୱନ୍ଦୀ–ମୁଁ ନିଜେ ହାଉଳି ଖାଇଲାପରି ଦରାଣ୍ଡି ହେଲି । କିନ୍ତୁ କୌଣସି ପତ୍ତା ମିଳିଲାନାହିଁ ! ହଜାରେ ଗୁଜବ ହେଲା–ତାକୁ ଶୁଣେ କିଏ ?

 

ଦିନସାରା ମୋ ଘରଛାଡ଼ି ପାଦେ କୁଆଡ଼େ ଘୁଞ୍ଚିପାରିନାହିଁ । ମୋତେ ଯେ ଟାଣି ରଖିଥିଲା ତା’ର ଶକ୍ତି କେତେ ମୁଁ ଅନୁଭବ କରୁଥିଲି । ମୋ ପାଇଁ ଠିଆ ହେବା ସମ୍ଭବ ହେଉ ନଥିଲା –ମୁଁ ଜିଣିଲି । ଜିଣିଲି କ’ଣ ? –ଦୁଃଖିଆ ନ ଥିବାରୁ ମୋ ନାଁ ବଳେ ଉପରକୁ ଆସିଗଲା । ମୁଁ ଯେତେବେଳେ ଶୁଣିଲି ଯେ, ଦୁଃଖିଆକୁ ବିଷ ଦେଇ ମାରିଦେଲେ, ତା’ ହାତକୁ ପଛରେ ଛନ୍ଦିଦେଇ ଗୋଡ଼ରେ ପଥର ବାନ୍ଧି ବଢ଼ନ୍ତା ବିଲୁଆଖାଇ ନଈରେ ପକେଇଦେଲେ, ମୁଁ ହତଜ୍ଞାନ ହୋଇଯାଇଥିଲି । କେମ୍ପା ଭଗିଆ ସହ ତିନିଜଣ ସେ କାର୍ଯ୍ୟ କରିଥିଲେ ମୋଠୁଁ ପୁରସ୍କାର ଆଶାକରି । ମୁଁ ସେମାନଙ୍କୁ ଗୁଳି ମରେଇ ଦେଇଥିଲି ।

 

ଏ ପନ୍ଦର ବର୍ଷ ଭିତରେ ମୋତେ ସମୁଦ୍ର ବାଟ ଛାଡ଼ି ଠିଆହେଇଚି । ମୋର ପ୍ରବଳ ଥାଟ ନେଇ ମୁଁ ଯାହାଇଚ୍ଛା ତା’ କରିଛି । ମୋତେ ରୋଧିବାକୁ ଏ ସଂସାରରେ ଶକ୍ତି କାହିଁ ? ସେଇ ଜଣେ କେବଳ ସମର୍ଥ ହୋଇଥାନ୍ତା ! ସତେ କ’ଣ ଦୁଃଖିଆ ସେ ନଈଭିତରୁ, ସେ ଟକମକ ବିଷ ଭିତରୁ ମୁକୁଳି ଆସିଥିଲା ? ମୋ ପାଇଁ ସବୁ ଛାଡ଼ିଦେଇ ଲୁଚିଗଲା–କେଉଁ ଅଗ୍ନାଅଗ୍ନି ବଣ ଭିତରେ-? ସେ କ’ଣ ମୋ ପାଇଁ କେଉଁଠି ବସି ତପସ୍ୟା କରୁଥିଲା ଏ ପନ୍ଦର ବର୍ଷ ! –କିମ୍ବା ସେ ମୋତେ ପରାସ୍ତ କରିବାକୁ ମୋର ସର୍ବନାଶ ମନାସି ତନ୍ତ୍ର-ସାଧନା କରୁଥିଲା ? ମୁଁ ତାକୁ ମାରିଛି । ନହେଲେ ସେ ମୋତେ ଦିନେ ଏମିତି ମାରିଥାନ୍ତା ! ଏ ସଂସାର କ’ଣ ଗୋଟାଏ ଖାପ-ଯା’ ଭିତରେ ଆମେ ଯୋଡ଼ାଏ ଖରଶାଣ ଖଣ୍ଡା ରହିପାରି ନଥାନ୍ତୁ ? ଭୁଲ୍‌ କଥା ! ଦୁଃଖିଆ ମୋ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ଦୁଃଖିଆ ମୋ ପ୍ରାଣ ! ମୋ ପ୍ରଭୁ ! ମୋ ଗୁରୁ ! –ମୁଁ ତାକୁ ମୋଠୁ ଜିଣିନେଲା ବୋଲି ମୁଁ ସ୍ୱୀକାର କରିନେଇପାରେ, ମୋର ଧନ ସମ୍ପତ୍ତି ସବୁ କେତେ ମାତ୍ର । ମୋର ମାନ ଇଜ୍ଜତ ପ୍ରତିପତ୍ତି ସବୁ ମୋ ବିଜେତାକୁ ମଣ୍ଡିଦେଇ ପାରେ-

 

କିନ୍ତୁ ସେ ଏମିତି ନୀରବରେ ଏଠି ସେଠି ସେଇ ଚାଦରଟି ଘୋଡ଼େଇ ହେଇ କାହିଁକି ପହଁରି ଯାଉଛି ? –ସେ ଲୁଙ୍ଗିଟିଏ, ଗେଞ୍ଜିଟିଏ ‘‘ପିନ୍ଧି କ’ଣ ଅପେକ୍ଷା କରୁଛି ଘାତକ ପରି, ମୋ ମୁହଁ ଉପରେ କଳାକନା ବନ୍ଧାହେବା ଯାଏଁ ? ସେ ଏମିତି କାହିଁକି ଛାଇଭଳି ମୋ ପିଛା କରିବ ? ମୋତେ ମୋ ଚୂଡ଼ାନ୍ତ ବିଜୟବେଳେ ଭୂମିସାତ୍‌ କରିବାକୁ କ’ଣ ସେ ଚାହୁଁଛି ? ମୋ ଆଗରେ ଆଉ କେହି ନାହିଁ, କେବଳ ଉତ୍ତାନ ବସୁନ୍ଧରା । ମୋ ଉପରେ କେହିନାହିଁ, କେବଳ ଶୂନ୍ୟ ଆକାଶ ! ଏତିକିବେଳେ ଆହତ ଗିରିଶୃଙ୍ଗ ପରି ମୋର ସାର୍ବଭୌମ ସିଂହାସନରୁ ମୁଁ ଟଳି ପଡ଼ିବାକୁ ସେ ଚାହେଁ ? ଯୁଦ୍ଧ ନକରି ମୁଁ ହାରିଯିବାକୁ ସେ ଇଚ୍ଛା କରେ ? ଆରେ ସେଥିପାଇଁ ଏତେ ଗୋପନୀୟତା; ଏତେ ଚମକ୍‌ ଏବଂ ଏମିତି ଭୀତି ସଞ୍ଚାର କରିବାର ପ୍ରୟୋଜନ କ’ଣ ? ସେ ତ କହିଦେଲେ ମୁଁ ନିଜ ବେକରେ ଦଉଡ଼ି ଲଗେଇ ଝୁଲିପଡ଼ିବି । ମୁଁ କି ଖାତିର କରିଛି ଏ ସାମ୍ରାଜ୍ୟକୁ-? ତା’ ବିହୁନେ ମୁଁ ଯୁଦ୍ଧକୁ-ଯୁଦ୍ଧ ମଣିନାହିଁ । ଜିଣିବାକୁ-ଜିଣିବା ମଣିନାହିଁ । ମୋ ଜୀବନରୁ ଶାଣ ଲିଭିଯାଇଛି ରେ ! ଦୁଃଖିଆ ନ ଥାଇ ଏ ଜୀବନର ସ୍ୱାଦ କେଡ଼େ ଅଲଣା !

 

ଦୁଃଖିଆ ପନ୍ଦରବର୍ଷ ଆଗରେ ଅଛି ସତ, ମୁଁ ଏକାଦମ୍‌ରେ ତା’ ପଛକୁ ଭିଡ଼ିଯାଇ ପାରେ-। ମୋତେ ସେଇ କେମ୍ପା ଭଗିଆମାନେ ଛକିଛନ୍ତି ବିଷ ଦେଇ, ଗୋଡ଼ରେ ପଥରେ ବାନ୍ଧି ନଈକୁ ପକେଇଦେବେ ! ମୋର ଆପତ୍ତି ନାହିଁ; କାରଣ ମୋ ଦୁଃଖୀଧନକୁ ସେମାନେ ସେଇଭଳି ମାରିଦେଲେ । ସମ୍ରାଟଟାକୁ ଖଣ୍ଡିଏ ଗେଞ୍ଜି ପିନ୍ଧାଇ ବୁଡ଼େଇଦେଲେ । ତୁମେ କି ତା’ର ମୁକାବିଲା କରିବାକୁ ଯୋଗ୍ୟ ? ସେ ତୁମକୁ ଖାତିର କଲାନାହିଁ । ମୁଁ ଭାନୁ ସିଂ ବି ଖାତିର କରିନାହିଁ । ତମ ସାଙ୍ଗେ ମୋର ବି ମୁକାବିଲା ନାହିଁ । ତୁମେ ବିଶ୍ୱାସରେ ବିଷ ଦେଲେ ମୁଁ କେତେବେଳେ ହେଲେ ପିଇଦେବି । ତୁମେ ତ ମୋ ସାମ୍ନାକୁ ଆସିପାରିବନାହିଁ, କି ଲଢ଼ି ପାରିବନାହିଁ !!

Image

 

ଯାତ୍ରୀ

 

ବୟସ ହୋଇଗଲେ ବୋଧହୁଏ ସବୁ ବୁଢ଼ାବୁଢ଼ୀ ଆଉ ପ୍ରକାରେ କଥା କହନ୍ତି । ଆଉ ଗୋଟିଏ ରାଜ୍ୟର ଅପରିଚିତ ଗହୀର ଭାଷା, କେମିତି ଗୋଟାଏ ଛାଡ଼ଛାଡ଼ ଭାବ ତାଙ୍କ କଥାରେ କାହୁଁ ଆସି ସଞ୍ଚରିଯାଏ । ଦେହ ଘୋଡ଼ାଇବାକୁ ଆଉ ଯେମିତି ଆଗ୍ରହ ନଥାଏ; କଥା ଘୋଡ଼େଇବାକୁ ସେମିତି ପ୍ରୟାସ ନଥାଏ ସେମାନଙ୍କର । ସବୁ ଖୋଲାଖୋଲି, ନିଃସଙ୍କୋଚ, ନିଷ୍କପଟ, ସରଳ ହୋଇଯାଏ । ସୂର୍ଯ୍ୟ ବୁଡ଼ିଗଲାବେଳେ ପାଚିଲା ବଟପତ୍ର ଉପରେ ନିଶ୍ଚଳ ଖରା ପଡ଼ୁଥାଏ । ପତ୍ରଟି କମ୍‌ ହଲେ, କମ୍‍ କହେ; କିନ୍ତୁ କେଡ଼େ ପ୍ରାଞ୍ଜଳ ଭାବରେ କହିଦିଏ ସବୁ କଥା ।

 

ମୁଁ ସେଥିପାଇଁ ବେକୁବ୍‌ ଭଳି ଦାଣ୍ଡପିଣ୍ଡାରେ ଠିଆହୋଇଥାଏ । ବାହାରେ ଅନ୍ଧାର । ଝିପିଝିପି ବର୍ଷା । ରାତି ବାରଟା ଗାଡ଼ିରେ ଅପିନାନୀ ଫେରିଯିବାକୁ ଅଡ଼ିବସିଛି । ଆମେ ସମସ୍ତେ ଜାଣିଛୁ ଯେ ସେ ଆଉ ବଞ୍ଚିବ ନାହିଁ; କିନ୍ତୁ ମରିବା କଥାଟାକୁ ଆମେ ଜମ୍ମା ବୁଝିପାରୁନାହୁଁ; ବିଶ୍ୱାସ କରିପାରୁନାହୁଁ । ଅନ୍ଧାରରେ ପହଁରି ପହଁରି ବୁଲୁଥିବା ଦୋ’-ଦୋ’-ଚିହ୍ନା ଜନ୍ତୁଟାଏ ଭଳି ତାକୁ କେବଳ ଆମେ ଭୟ କରୁଛୁ; ପାରୁପର୍ଯ୍ୟନ୍ତ ଅସ୍ୱୀକାର କରୁଛୁ !

 

ଦାଣ୍ଡଘରେ ନନା କଥା ହେଉଥାନ୍ତି ଅପିନାନୀ ସାଙ୍ଗରେ । ବୋଉ ମଧ୍ୟ ବସିଥାଏ ସେଇଠି । ପଦେ ପଦେ କଥା ଶୁଣି ମୋତେ ଆଫା ଆଫା ଲାଗୁଥାଏ । ମୁଁ ଶୀତେଇ ଯାଉଥାଏ । ବିଶ୍ୱାସ କରିପାରୁ ନଥାଏ ମୋ ଘରର ସବୁଠାରୁ ପୁରାତନ ଗୁରୁଜନଙ୍କ କଥା । ବୁଝିପାରୁ ନଥାଏ । ସେମିତି ବେକୁବ୍‌ ଭଳି ଠିଆରହିଥାଏ ଅନ୍ଧାରରେ । ଠିକ୍‌ କରିପାରୁନଥାଏ-ବର୍ଷାରେ ଯାଇ ବାଟ ପାଇଁ ଔଷଧ କିଣିଆଣିବି ନା ନାହିଁ !

 

ମୁଁ କ’ଣ କେବେହେଲେ ସେମାନଙ୍କ କଥା ବୁଝିଛି ? ଯେତେବେଳେ ଦେଖିଲେ ନନା ଦିଶନ୍ତି ଦିଗନ୍ତରେ ପହଁରୁଥିବା ମେଘଖଣ୍ଡ ପରି । ଖୁବ୍‌ ଦୀର୍ଘ । ଆକାଶଠଉଁ ବି ବଡ଼ । ତାଙ୍କ ପାଖକୁ ଅପିନାନୀ ଆଉ ବୋଉ । ବର୍ଷେ ବର୍ଷେ ସାନ ବଡ଼; କିନ୍ତୁ ନାନାଙ୍କଠୁ ସାତ ଆଠ ମାସ ଲେଖାଁ ସାନ, ବାଙ୍ଗୁରି ବାଙ୍ଗୁରି ପୁରୁଣା ମେଘଟିମାନ ! ସମସ୍ତେ ଦିଗନ୍ତରେ ଚିତ୍ରପଟ ପରି ଠିଆହୋଇଛନ୍ତି । ତାଙ୍କବେଳେ ସେମାନେ ମୋ ଆକାଶ ସାରା ଆବୋରି ରଖିଥିଲେ । ସବୁ ରସ ନିଗାଡ଼ି ଦେଇ ବର୍ଷିଥିଲେ । କେତେ ଲାଳନ କରିଥିଲେ । ଏବେ ତାଙ୍କୁ ଦେଖିଲେ କିଏ କହିବ ଭଲା ସେମାନେ ଏକଦା ବର୍ଷିଥିଲେ ବୋଲି ? –ଧଳା ଧଳା ନିର୍ଜଳ ପୁରାତନ ମେଘଗୁଡ଼ିଏ । ଖୁବ୍‌ ନୀରବ, ନିଶ୍ଚଳ, ପଶ୍ଚିମ ଦିଗନ୍ତର ପାକଳ ହଳଦିଆ ଧଳା ମେଘପଟଳ !! ତାଙ୍କ କଥା ବୁଝିବାକୁ ହେଲେ ମୋତେ ତାଙ୍କରି ପରି ହେବାଯାଏଁ ଅପେକ୍ଷା କରିବାକୁ ହେବ । ଆଜିଠୁ ଚାଳିଶ ବର୍ଷ ପରେ ତାଙ୍କୁ ବୁଝିଲେ କ’ଣ ଅବା ହେବ ? –ସେ ତ’ ଆଉ ଏ ଆକାଶ କଥା ନୁହେଁ !

 

ନନା କହୁଥାନ୍ତି–‘‘ଆଲୋ, ତୁ କ’ଣ ଏଇନେ ଯାଉ ଯାଉ ମରିବୁ ?’’ ସତେ ବା’ ସେ ପଚାରୁଥିଲେ, ‘ତୁ’ କ’ଣ ଏଇନେ ଲୁଗା ବଦଳ କରିବୁ ? କଡ଼ ଲେଉଟେଇବୁ ? ବାଁ ଗୋଡ଼କୁ ଡାହାଣ ଗୋଡ଼ ଉପରେ ଥୋଇବୁ ?’’

 

ସରଳ, ଦ୍ୱିଧାହୀନ, ନିର୍ମମ ପ୍ରଶ୍ନଟିଏ । ମୋତେ ଶୁଭୁଥାଏ ଭୟଙ୍କର ।

 

‘ଆଲୋ, ତୁ’ କ’ଣ ଏଇନେ ଯାଉ ଯାଉ ମରିବୁ ?’

 

ଅପିନାନୀ ବୋଧହୁଏ ହସିଲା । ସେ ସେମିତି ସାଉଁ ସାଉଁ ହସେ । ତାକୁ ଗଲା କାର୍ତ୍ତିକକୁ ସତୁରି ପୂରିଗଲା । ଛ’ମାସ ହେବ ବାଧିକା ପଡ଼ି ପଡ଼ି ସ୍ୱର ନିସ୍ତେଜ ହୋଇଆସିଥିଲା । ତଥାପି ବାରିହେଉଥିଲା ତା’ ହସ । ଆଶ୍ଚର୍ଯ୍ୟ ! କ’ଣ ଥିଲା ସେଭଳି ପ୍ରଶ୍ନରେ ଆମୋଦିତ ହେବାପାଇଁ ?

 

‘‘ମରିବି ବୋଲି କହିଲି ପରା । ତତେ କ’ଣ ପ୍ରତେ ହେଉନାହିଁ ? –ଦିନ ସାତଟା ସମ୍ଭାଳି ଯା’ ଭାଇନା, ଦେଖିବୁ ସତ ନା’ ମିଛ ।’’

 

‘‘ହଅଅ ! କୋଉ ମରୁ ନଥିଲୁ ? ଏ ଚତୁର୍ମାସ୍ୟାରେ ମୋତେ ଯାହା ଦହଗଞ୍ଜ କରି ମାରିବାକୁ ତୋ ମନ । ତୁ ତ ପଚାଶ ବର୍ଷକାଳ ମରିବୁ ମରିବୁ କହୁଚୁ । କେତେଥର ମଲୁଣି ଭଲା କହିଲୁ ! ଏଠି ପୁଅ ପାଖରେ ଥିଲେ ଟେକପାଳ ହୋଇଥାନ୍ତୁ । ସନମାନରେ ସତ୍‌କାର ହେଇଥାନ୍ତୁ । ସେଇଠି କୋକେଇ ବାନ୍ଧିବାକୁ ଦି’ଖଣ୍ଡ ବାଉଁଶ ମିଳିବା କଷ୍ଟ । ସାଇପଡ଼ିଶା ଯୋଉ ଶଳେ ଅଛନ୍ତ, ମୁଁ କ’ଣ ତାଙ୍କୁ ଚିହ୍ନିନାହିଁ ? ବିପତ୍ତିବେଳେ ସବୁ ଆଡ଼େଇ ହେଇଯିବେ । ସୁକୁଟ ଦେଖିବେ । ମୁଁ ଜମ୍ମା ସେ ଜଞ୍ଜାଳକୁ ପାରିବି ନାହିଁ କହୁଚି । ଶେଷକୁ ବାସିମଡ଼ା ହେଇ ପଡ଼ିଥିବୁ । ହାଡ଼ି ଘୋଷାରିବେ ।’’

 

ପୁଣି ସେଇ ସାଉଁ ସାଉଁ ହସ । –‘‘ତୋ ଅତଚ୍ଛ ପଣ କ’ଣ ମୁଁ ଜାଣି ନାହିଁ ? ସେଥିପାଇଁ ପରା ମୁଁ ସବୁ ଯୋଗାଡ଼ କରିଆସିଛି । ଢେଙ୍କିଶାଳେ ବାଉଁଶ, ଦଉଡ଼ି ସବୁ ସଜିଲ୍‌ କରି ରଖିଦେଇଚି-। ଚାରିଖଣ୍ଡ ଗଡ଼ି ବାଉଁଶରେ ଖାପ ମରାହେଇଚି । ଅନ୍ଧାରରେ ଅଣ୍ଡାଳି ବାନ୍ଧିଦେଲେ ମଧ୍ୟ କୋକେଇ ହେଇଯିବ । ଶଗଡ଼େ ଶୁଖିଲା ଶାଳଗଣ୍ଡି ବାଡ଼ିଆଡ଼ କୁଣକୁ ଗଦେଇଦେଇଚି–ରଇ କାଠ ହବ ! –ଟିମା ପୁଅ ମକରା ଇଟା ଶଗଡ଼ ବୁହାଉଚି-ତାକୁ କହିଚି, ଯେତେବେଳେ ଡାକିଦେଲେ ସେ କାଠତକ ମଶାଣିକୁ ନେଇଯିବ । ସେଠିକି ସେ ନଈବାଲି ବୋହିବାକୁ ସବୁଦିନ ଯାଏ । ....ଆଉ ଶୁଣ୍‌ ! ସାଇରେ ତ ବୁଢ଼ା ହେଇ ସେଇ ଜଣେ-କେଦାର ତିଆଡ଼ି ! –ଆଉ ସବୁ ପିଲା-ଅନନ୍ତା, ଯୋଗିଆ, ଶିବୁ, ବିଶିଆ ଆଉ ସେ ଶଙ୍କର ଭାଇନା ପୁଅ–କ’ଣ ତା’ ନାଁଟି-କୁନା ! ଏ ସମସ୍ତଙ୍କୁ ଆସିଲାବେଳେ କହିଚି, ଜାଇଁଲ ପୁଅ, ମରି ପଡ଼ି ଯାଉଚି ଖାଲି ବାଇଧରକୁ ଥରଟେ ଦେଖି ପଳେଇଆସିବି । କ’ଣ ଅଫିସର ହେଇଚି ! ଭାରି ବଡ଼ କାମ କରୁଚି । ସେ ଜମ୍ମା ଘୁଞ୍ଚି ଆସିପାରୁନାହିଁ ସେଇଠୁ । କେଡ଼େ ଦୁଃଖର ପୁଅ । କେଡ଼େ ଗେଲବସରରେ ବଢ଼େଇଚି । ଥରେ ଦେଖିଦେଇ ପଳେଇଆସିବି । ଅରମାନ ମେଣ୍ଟିଯିବ । ତେଣିକି ଏଇ ମାଟି ତ ମୁଁ କିଣିଚି । ଆଉ କୋଉଠି ମୋ ମରଣ ହବନାଇଁ । ଏଇଠିକି ଆସି ମୁଁ ମରିବି । ଭାଇନାକୁ ସବୁ ମିଶି ସାହାପକ୍ଷ ହେବ । ତମ କାନ୍ଧରେ ଗଲେ ମୋର ସଦ୍‌ଗତି ହେଇଯିବ ।’’

 

‘‘ଯାଉନୁ ! ମୁଁ ସେ ଡହରା ଟୋକାଙ୍କୁ ଜାଣିନି ? ତୋ’ ଆଗରେ ହିଁ କରିଦେଇ ଶେଷକୁ ନ ଆସିଲେ ମୁଁ କ’ଣ କରିବି କହିଲୁ ? ତୁ ଏଇଠି ରହିଯା ! ବାଇଧର ଚାହିଁଲେ କୋଡ଼ିଏ ଲୋକ ଆସି ଠିଆହୋଇଯିବେ । ଚାହିଁଲେ କୋକେଇ । ଚାହିଁଲେ କାଠ । ତୁ ମୋ ବୋଲ ମାନି ରହିଯା । ଏଇଠି ମଲେ ସମସ୍ତେ ପାଣିମୁନ୍ଦେ ଲେଖା ଦେବେ । ସେଇଠି କ’ଣ ଟା ପାଇବୁ ?’’

 

ବୋଉ ପାଟି ଫିଟେଇ କହିଲା, ‘‘ତମର ଏ ଭଉଣୀ ଖଣ୍ଡ କ’ଣ ଶୁଣିବା ଜନ୍ତୁ ? ମୁଁ ପରା ଆଜି ଦିନସାରା ବୁଝେଇ ବୁଝେଇ ହାରିଗଲିଣି । ତା’ର ଏକା ଲିଘାଂ ଲାଗିଚି, ସେ ସେଇ ଗାତକୁ ଫେରିଯିବ । ସେଇଠି ତା’ ବଡ଼ ଘଇତା ଘର ! ମଲୁ ନାଇଁ ଲୋ ରାଣ୍ଡ !’’ ନଣନ୍ଦ ଭାଉଜଙ୍କର ସବୁଦିନିଆ ଟାପରା !

 

ସାଉଁ ସାଉଁ ହସ ଭିତରେ ପୁଣି ଶୁଭିଲା, ‘‘ସେଇ ଘଇତାଘରକୁ ପରା ଯାଉଚି ! ଏଥର ଯିବି ଯେ ଆଉ ପେରିବିନାହିଁ । ବାପଘରେ କୋଳି ଖାଇ ମଞ୍ଜି ପୋତିଚି ବୋଲି ଆଉ ତୁ ଉଲୁଗୁଣା ଦେଇପାରିବୁ ନାହିଁ । ....ମୋର କେତେ ଅଳି-ଅର୍ଦଳି ଦିହକଯାକ ସହିଚୁ ମ’ ଭାଉଜ ! –ତୁ କ’ଣ ମୋ ଭାଉଜ ଖାଲି ? ତୁ ପରା ମୋ ବୋଉ, ମୋ ଖୁଡ଼ୀ, ମୋ ଦେଠେଇ, ମୋର ସହି, ସଙ୍ଗାତ ସବୁ ! –ଶୁଣ ! ମୁଁ କହିଲେ, ଭାଇନା ସିନା ବୁଝିବ ନାଇଁ, ତୁ ତ ବୁଝିଯିବୁ ! –ବାଇଧରକୁ କେମିତି ପାଣିରୁ ଛାଣିଲାପରି ବଢ଼େଇଚୁ କ’ଣ ମନେ ନାହିଁ ? ସେ ଏବେ ସୁଖରେ ଘରଦ୍ୱାର କଲା; ପୁଅ ମାଇପ ଧରି ଆନନ୍ଦରେ ରହିଲା । ତାକୁ ଏ ବୟସରେ କାହିଁକି ଚିନ୍ତା ମୁଣ୍ଡେଇଦେବା କହିଲୁ ? ମୋ ପିଲା ମୋ ପାଇଁ କାହିଁକି ଘାଣ୍ଟି ହେବ ? ସେ କାହିଁକି ତା’ ଫଳନ୍ତି ସମୟରେ ରଇ ଜଳିବା ଦେଖିବ-? –ପଦ୍ମବନ ପରି ତା’ ସଂସାରରେ ମୁଁ କାହିଁକି କଣ୍ଟାପରି ରହିବି ? .....ଆଉ ଆର କଥା ହେଲା ଯେ ସେଇ ନଈବାଲିରେ ଆମ ସାତପୁରୁଷ ହାଡ଼ ମିଶି ରହିଚି । ସେଇଠି ଦାହ ହେଇଗଲେ ଭଲ । ସେମାନେ ଆସି ପାଛୋଟି ନେବେ । ଗଲା; କଥା ଯୋଉଠି ଆରମ୍ଭ ହେଇଥିଲା, ସେଇଠି ସରିଯିବ-। ଯା, କ’ଣ ଗଣ୍ଡେ ଖାଇଦେଇ ବାହାରିପଡ଼ିଲୁ, ରେଳ ସମୟ ହେଇଗଲା । ତୁ ଟିକିଏ ବଳ ଦେଲେ ଭାଇନା ସାହସ କରିବ ! କିଛି ଚିନ୍ତା କରନା ! ମୁଁ ସବୁ ବତେଇଦେବି । ଜ୍ଞାନ ଥାଉ ଥାଉ ସବୁ ବତେଇଦେବି । କିଛି ଅସୁବିଧା ହେବନାହିଁ ।

 

ଅନ୍ଧାର ପିଣ୍ଡାରେ ମୁଁ ସେମିତି ଠିଆହୋଇଥାଏ । ବାହାରେ ଝିପିଝିପି ବର୍ଷା ଏଥିରେ ଅପିନାନୀ ବସିଥାଏ ରେଳରେ ଫେରିଯିବ । କେମିତି ଆଗ ଷ୍ଟେସନ ଯାଏଁ ଯିବ ସେ ବର୍ଷାରେ ? ରୋଗିଣା ମଣିଷ । ଓଦା ହୋଇଯିବ ନାହିଁ ? ତା’ ଆଖିରେ ସିନା ମୁଁ ଅଫିସର । ମୁଁ କି ଅଫିସର ତା କ’ଣ ମୁଁ ଜାଣିନାହିଁ ? ଅପିନାନୀ ମ’...ତୁ କି ବୁଝିବୁ ମୋ ଦୁଃଖ । ମୋର ଥାଆନ୍ତା କି ଗାଡ଼ି, ଘୋଡ଼ା, ନୌକର, ଚାକର, ଧନବଳ, ଜନବଳ ! ମୁଁ କଣ ଲୁଚି ଲୁଚି ଏମିତି ତୋ କଥା ଏଠି ଶୁଣୁଥାନ୍ତି ? ତୁ ଏମିତି ଡାକିହାକି ମରିବାକୁ ଯାଉଥାନ୍ତୁ, ଆଉ ମୁଁ ତତେ ଛାଡ଼ିଦେଇଥାନ୍ତି ?

 

ଅପିନାନୀ ବୋଧହୁଏ ଚାଲିଯାଉଥିଲା ଆଉ ଗୋଟିଏ କାରଣରୁ । ମୁଁ ତ ତା’ର ଜନ୍ମିତ ପୁଅ ନୁହେଁ । ହେଲେ ମଧ୍ୟ କୋଉ ଊଣା ସେଥିରୁ ? ବୋଉ ସିନା ଆମର ପାଞ୍ଚଟା ଭାଇଭଉଣୀଙ୍କୁ ଜନ୍ମକରିଛି; କିନ୍ତୁ ସମସ୍ତଙ୍କୁ ପାଳିଛି ଏଇ ଅପିନାନୀ । ଜନ୍ମ ହେଲାବେଳେ ଶୂଳ ଧରିଛି । ଇଚ୍ଛାରିଛି । ନାହି କାଟିଛି । ଇନ୍ତୁଡ଼ି ମୁଣ୍ଡା ଜାଳି ଆମକୁ ସେକିଛି । ...ବୋଉ ଥରେ ଥଟ୍ଟା କରି କହୁଥିଲା, ‘ସେଇଟା ଭଉଣୀ ହେଇଗଲା ବୋଲି ସିନା, ନହେଲେ ଆମ ରାଜାଙ୍କର ଦୁଇ ରାଣୀ; ମୋ ପିଲାଙ୍କର ଦୁଇ ମା’ । ...ମୁଁ କୁଆଡ଼େ ଭାରି କାନ୍ଦୁରା ଥିଲି । ଅପିନାନୀ ମୋ ତୁଣ୍ଡରେ ତା ଶୁଖିଲା ଦୁଧଭୁଣ୍ଡି ଗୁଞ୍ଜିଦେଇ ମୋତେ ଆୟତ୍ତ କରୁଥିଲା । ସବୁବେଳେ ମୋତେ କୋଡ଼ରେ ପୂରେଇ ଶୋଉଥିଲା । ମୋର ଡର ମାଡ଼ୁଥିଲା ଚାହିଁଦେବାକୁ । ମୁଁ ଶୋଇଚି ବୋଲି ଭାବି ବେଳେବେଳେ ମୋତେ କୁଣ୍ଢେଇଧରି ଖୁବ୍‌ କାନ୍ଦୁଥିଲା । ମୁଁ ଆଖି ବୁଜି ତା’ କାନ୍ଦଣା ଶୁଣୁଥିଲି । ମୋତେ ଡର ମାଡ଼ୁଥିଲା ଚାହିଁଦେବାକୁ । ମୁଁ ଜମ୍ମା ବୁଝିପାରୁନଥିଲି ଅପିନାନୀକୁ, ଆଉ ତା’ କାନ୍ଦଣାକୁ । ଏବେ ବି କୋଉ ବୁଝିଛି ?

 

...ସେ ବୋଧହୁଏ ଚାହିଁଥିଲା ଆମଭିତରୁ କେହି ଜଣେ ତାକୁ ବୋଉ ବୋଲି ଡାକୁ । ସେଥିପାଇଁ ମୋତେ ପୋଷ୍ୟପୁତ୍ର କରିବାକୁ କୁଆଡ଼େ ଥରେ କହିଥିଲା । ସେଥିପାଇଁ ଘରେ ଘୋର କଳି । ବୋଉ ଆମର ରାଗିଗଲେ ଚଣ୍ତୀ । ଉପ୍ରୋଧ ନରଖି ରକବକ କରି ଶୋଧିଦେଇଯାଏ । ହେତୁ ହେଲାଦିନୁ ଏଇଟା ଆମର ଦେହଘଷା ହୋଇଯାଇଥାଏ । ନଣନ୍ଦ ଭାଉଜ କଳି ଦିନଓଳିଏ କଥା ନୁହେଁ । ପଚାଶ ବର୍ଷର ପର୍ବ । ଅପିନାନୀର ସେଥିରେ ସବୁବେଳେ ଊଣା ପକ୍ଷ; ଅସହାୟ ପକ୍ଷ । ନନା ସବୁବେଳେ ବୋଉପଟିଆ ହୋଇ ଦି’ପଦ ଶୋଧିଦିଅନ୍ତି । ଅପିନାନୀ ମଧ୍ୟ ପାଟିକରି କ’ଣ ସବୁ କହେ । ନନାଙ୍କୁ ମାଇଗୁଲିଆ, ମାଇପିବୋଲା, ଅଧମ ବୋଲି ଗାଳିଦିଏ; କିନ୍ତୁ ବଡ଼ ଭାଗ ସମୟ ଖାଲି ହାଉଁ ହାଉଁ ହେଇ ପିଲାଙ୍କ ପରି ବୋବାଳି ଛାଡ଼ି କାନ୍ଦେ । ସାଇପଡ଼ିଶାକୁ ଶୁଭେ-। ସମସ୍ତେ ଜାଣନ୍ତି ତାଙ୍କର ବି ଦେହସହା ହୋଇଗଲାଣି । ଗାଁ ଝିଅ । ଶାଶୁଘରକୁ ଯାଇଚି ନା ନାହିଁ ବିଧବା ହୋଇଗଲା । ସେହିଦିନୁ ବାପଘର ଆଶ୍ରାରେ ରହିଗଲା ଦିହକଯାକ । ଭାଇ ସିନା; ଏକା ନାହି ଦି’ଖଣ୍ଡ । ଭାଉଜ ତ’ ପରଘର ଝିଅ । ସବୁବେଳେ ଅହନ୍ତା । ସବୁବେଳେ ଝିଙ୍ଗାସ ସହି ସହି ସେ ମାଟି କାମୁଡ଼ି ପଡ଼ିରହିଛି । କେବେହେଲେ ସେଇ ପିଣ୍ଡାତଳେ ପଡ଼ି ମରିଯିବ ।

 

ତା’ ଭାଇନା ତା’ ପଞ୍ଚପ୍ରାଣ । ସବୁବେଳେ ଅପିନାନୀ ଜଗି ଆସିଛି ରକ୍ତନଳୀକୁ ଜଗିଲାପରି । ମାଛ ବଢ଼ାହେଲାବେଳେ, ପିଠାପଣା ଖାଇବାବେଳେ, ଭାଇନା ପାଇଁ ବଡ଼ ଚେକା ପେଟମାଛ ଦି’ଖଣ୍ଡ, ଭଲ ଭଲ ଦେଖି ପିଠା ଦି’ପୁଞ୍ଜା ବାଢ଼ିଦେଇଛି । ସେଥିପାଇଁ ଝଡ଼ାବାଡ଼ିଆ କଳି-। ବୋଉ ରାଗି-ରାଗି କେତେଥର ତାକୁ ଶୋଧିଛି, ‘‘ଆଲୋ ନିଅଂଶୀ ରାଣ୍ଡ, କାହିଁକି ସେ ଭାଇନାଟିକୁ ସେମିତି ଆବୁଡ଼ି ବସିଚୁ ? ମନ ହଉଚି ଯଦି ବିଭାହେଇ ପଡ଼ୁନୁ ? –ତୋ’ରି ସେ ଭାଇ; ଆଉ କାହାରି କିଛି ନୁହଁ ? ଆମେ ସବୁ କ’ଣ ପର ? –ତୁ’ଇ ଉପରେ ପଡ଼ି ବାଢ଼ି ନଦେଲେ, ଆମେ ସବୁ ଶତ୍ରୁ ହେଇଚୁ, ତୋ ଭାଇକୁ ଓପାସେ ରଖିଦେବୁ ? –ନନା ବି ମାଛଥାଳିଆ ଫିଙ୍ଗିଦେଇ ତାକୁ ତୁହାଏ ଶୋଧିଦିଅନ୍ତି । ସେ କିନ୍ତୁ ସେଇଆ । ମରିଯିବ ସିନା; ଭାଇନାକୁ ତିଳେହେଲେ ତଳେ ଥୋଇଦେବ ନାହିଁ । ସେଥିପାଇଁ ଗୋଟାଏ ଅଣ୍ଡିରାଠୁ ବଳି ସେ କାମ କରେ । ଘରେ ଗୁହାଳ ଗୋବର, ପାଣିବୁହା, ରନ୍ଧାବଢ଼ା ସବୁ କରେ । ଏଡ଼େବଡ଼ ଘରକୁ ଗୁରୁବାରକୁ ଗୁରୁବାର ଲିପାପୋଛା କରି ନିର୍ମଳ କରେ । ଅମଳଦିନେ ଖଳାରେ ବସି ଧାନଯାକ ପୁଡ଼ା ବନ୍ଧେଇ ନେଇଆସେ । ରୁଆ ବେଉଷଣକୁ ଯାଏ ହିଡ଼ମୁଣ୍ଡାରେ ବସି ତଦାରଖ କରିବାକୁ । ନନାଙ୍କର କିମ୍ବା ବୋଉର ଭାଇ ନାହାନ୍ତି । ଅପିନାନୀ ଆମର ପିଉସୀ ଖାଲି ନୁହେଁ; ସେ ଆମ କକେଇ, ଦଦେଇ, ମାମୁ; ଦେଠେଈ, ଖୁଡ଼ୀ ଆଦି ଗୋଛାଏ ଆପଣାର ମଣିଷ । ସେ ଆମ ଘରର ମେରୁଖୁଣ୍ଟ । ସେ ଆମ ମୁରବି; କିନ୍ତୁ ହୀନକପାଳୀ ନିର୍ମାଖୀଟିଏ ! –ମଞ୍ଜଭିତରେ ନିହାତି ଏକୁଟିଆ ନିଆଶ୍ରୀ ଆତ୍ମାଟିଏ ।

 

ନନା ପୁଣି କହିଲେ, ‘‘ମୁଁ କହୁଚି ଅପି, ତୁ ଏଇନେ ମରୁନୁ ! ତୋ ଦିହ କେତେ ବାଟକୁ ଆସିଗଲାଣି । ପୁଅ ଯାହାଠଉ ଓଷୁଅ ଆଣୁଚି ସେ ଅମୃତହସ୍ତା । ସେ କ’ଣ କାଳି ରାୟଗୁରୁ ହେଇଚି କି ? ଛୁଇଁଦେଲେ ବର୍ଷକ ଆୟୁ ଦିନକେ ତୁଟିଯିବ ? ତାକୁ କହି ପୁଣି ଭଲ ଓଷୁଅ ଆଣିବା-। ଆଉ ଦଶ ପାଞ୍ଚ ବର୍ଷ, ଯାହା ତୋର ଥିବ, ସେତକ ଥାକିଯିବୁ !’’

 

ବୋଉ କହିଲା, ‘‘ମୁଁ ପରା ସେଇଆ କହୁଚି । ତା’ ମୁହଁଟା କେମିତି ତୋଫା ଦିଶୁଚି, ଦେଖୁନ ! –ରାଉରାଉ ଜଳୁଛି ଦର୍ପଣ ପରି !’’

 

ଅପିନାନୀ ଶୁଣି ନ ଶୁଣିଲା ପରି ରହିଗଲା କିଛି ସମୟ । ତା’ ଆଖି ବୋଧହୁଏ ଟିକିଏ ପଡ଼ିଗଲା । ଏମିତି କେତେଦିନ ହେବ ତାକୁ ଶୁନ୍‌ ମାରିନେଉଛି । ଏମିତି ବୋଧହୁଏ ଦିନେ ମାରିନେବ–କେଜାଣି !

 

‘‘ମୋର ଏଇଠୁ ଘୁଞ୍ଚିବାକୁ ତିଳେ ମନ ନାହିଁ । ଏଥିରୁ ଗୋଟେ ଗଳଗ୍ରହ ମୋ ବେକରେ ଓହଳିଚି ! ସେ ଯେମିତି କହୁଛି, ଯଦି ସତକୁ ସତ ସେମିତି ମରିଯାଏ, ମୁଁ ନିଜେ ନିଜଞ୍ଜାଳି ହେଇ ମରନ୍ତି ।’’

 

‘‘ତୁମ ଭାଇଭଉଣୀ ଦିହିଁଙ୍କୁ କାହିଁକି ଖାଲି ମରଣ-ବାଆ ଗୋଡ଼େଇଚି କେଜାଣି । କିଏ ମରିବ ନାହିଁ ଯେ ଏମିତି କୋକ ଦେଖେଇ ଡରଉଛ ? –ଦେଖିବ ରହିଥାଅ, ତୁମେ ଯୋଡାକଯାକ ବୁଢ଼ାକାଙ୍କ ପରି ବସିଥିବ । ମୁଁ ଖସିଯିବି ମଝିରୁ ।’’

 

ଅପମାନୀ ଚମକିଲା ପରି କହିଲା, ‘‘କ’ଣ ବେଳ ହେଇଗଲା ? –ଯିବା ପରା ! ମୋ ଅଣାୟତ୍ତରେ ମୋତେ ଏମିତି ଥରକୁ ଥର ଗହୀରକୁ ଭିଡ଼ିନେଉଛି । ସପନ ପରି କ’ଣ ଗୁଡ଼ାଏ ଦିଶିଯାଉଛି । ଏଇଲାଗେ ଗୋଟାଏ ପାଞ୍ଚହାତ ମଣିଷ ଦିଶିଲା । ଦୁଧ ପିଠଉ ପରି ଗୋରା । ଏଡ଼େ ଚନ୍ଦନ ଟୋପା ।’’

 

ବୋଉ ହସି ହସି କହିଲା, ‘‘ଆଉ ଗୁଡ଼ାଏ ଚତରେଇ ହଅନା, ବୁଝିଲୁ ! ମଲାଗଲାବେଳକୁ ତତେ ଖାଲି ସେଇ ଗୋବିନ୍ଦ ଦାସ ଦିଶୁଚି । ଏତେ ତତେ ଦେଖିପାରୁଥିଲା ଯଦି, ଅଳପେଇଷ ମରୁଥିଲା କାହିଁକି ? ତୋ କାଚ ସିନ୍ଦୂର ଛଡ଼େଇ ନେଲା ପିଲାଦିନୁ । ମତେ ହୀନିମାନି କରାଇଲା ଜୀବନସାରା !

 

ମୁଁ ଶୁଣିବା କଥା । ଗୋବିନ୍ଦ ଦାସ ପରି ସୁନ୍ଦର ମଣିଷ ଆଖପାଖ କୋଡ଼ିଏ ଖଣ୍ତ ଗାଁରେ ନଥିଲେ କି ଅପିନାନୀ ପରି ତକତକ ଚମ୍ପାଫୁଲିଆ ଗୋରୀ ଝିଅ ଖଣ୍ଡମଣ୍ଡଳରେ ନଥିଲେ । ବିଭାବେଦିରେ କୁଆଡ଼େ ଅପିନାନୀକୁ ଚାହିଁବା ଲୋକେ ଜଳକା ହୋଇଯାଇଥିଲେ । ଗୋଟିଏ ବୋଲି ଝିଅକୁ ଶଙ୍ଖରେ ପାଣି ପୂରେଇ ଟେକିଦେଲାବେଳେ କୁଆଡ଼େ ଶିକା ଉପରୁ ପାଣିକଖାରୁଟାଏ ଖସିପଡ଼ି ଦୁଲ୍‌କିନା ଫାଟିଯାଇଥିଲା । ସମସ୍ତଙ୍କ ମନକୁ ପାପ ଛୁଇଁଥିଲା । ସତକୁ ସତ ମାସ ଯୋଡାକ ଭିତରେ ବିପତ୍ତି ପଡ଼ିଗଲା । ଗୋବିନ୍ଦ ଦାସ, ଗୋରା ତକତକ ପାଞ୍ଚହାତ ମଣିଷ, ଯାହାଙ୍କ କପାଳରେ ଚନ୍ଦନ ଟୋପା ଚନ୍ଦ୍ରଉଦିଆ ପରି ଦିଶୁଥିଲା, ଅପିନାନୀର ବର, ଆମ ପିଉସା, ଗୋଟାଏ ଦିନ ଜରରେ ଚାଲିଗଲେ ।

 

ଖରାଦିନ ଦି’ପହରବେଳା, ହେଞ୍ଜେଡ଼ା ଟୋକାଙ୍କ ସାଙ୍ଗରେ ଖରାରେ ବାବନାଭୂତ ପରି ମୋର ବୁଲିବାର ଅଭ୍ୟାସକୁ ଭାଙ୍ଗିବା ସକାଶେ ଅପିନାନୀ ମୋତେ କୋଡ଼ରେ ପୂରେଇ ଗପ କହେ । –ଗାଁ କଥା, ଗୋବିନ୍ଦ ଦାସ କଥା, ଶଙ୍ଖଚିଲ କଥା, ବଉଳି ଗାଈ କଥା । ଗୋବିନ୍ଦ ଦାସ କଥା କହିଲାବେଳେ, ଥରକୁ ପ୍ରକାରେ କରି କହୁଥାଏ । କହେ...ଗୋବିନ୍ଦ ଦାସ ସାଇବ ପରି ଗୋରା । ...ତା’ ବୁକୁ ଦି’ହାତ ଓସାର । ....ତା’ ଦାନ୍ତ ମଲ୍ଲୀକଢ଼ ପରି । ତା’ କାଖମୂଳ ଚନ୍ଦନପରି ବାସେ । –ଆଉ ବେଳେ କହେ-ଅଳପେଇଷାର କଟାସ ପରି ଆଖି । ରୂଢ଼ ସାଲୁବାଲୁ ମୁହଁ । ଦିହସାରା ଭାଲୁପରି କଳା । ଖମ୍ବପରି ଗୋଟାଏ ଜଙ୍ଘ ମଡ଼େଇଦେଲେ ଅପିନାନୀର କୁଆଡ଼େ ନିଃଶ୍ୱାସ ରୁନ୍ଧି ହୋଇ ଯାଉଥିଲା । ଏ ସବୁ କହିଲାବେଳେ ମନକୁ ମନ ଅପିନାନୀ ଗୁଡ଼ାଏ ସାଉଁ ସାଉଁ କରି ହସୁଥାଏ । ମୋତେ ଜମ୍ମା ସୁଖ ଲାଗେନାହିଁ । ମୋ ଉପରେ ଅପିନାନୀ ଜଙ୍ଘ ମଡ଼େଇ ଦେଇଥାଏ । ମୋତେ ତା’ କୋଡ଼ ଭିତରେ ରୁନ୍ଧି ଦେଇଥାଏ । ଆଉରି ଆଉରି ଭିଡ଼ି ନେଉଥାଏ । ...ଏମିତି ଦିନେ ଖରାବେଳେ ମୁଁ ଆକ୍ତାମାକ୍ତା ହୋଇ ଉଧୁଲିଲି । ଚିଙ୍ଗୁଡ଼ି ପରି ହାତଗୋଡ଼ ଛାଟି ଛଟକିଲି । ଅସଂଖ୍ୟ ବିଧା ଗୋଇଠା ମାରି ତା’ ଝାଳ ସରସର ପେଟତଳୁ ଭିଡ଼ିହୋଇ ବାହାରିଆସିଲି । ମୋତେ ତା’ ଦେହ ଆଇଁଷିଆ ଗନ୍ଧେଇଲା । ବିଷପରି ଲାଗିଲା ତା’ କଥା । ମୋତେ ସେତେବେଳକୁ ପାଞ୍ଚବର୍ଷ ବୟସ । ସେଇଦିନୁ ଅପିନାନୀକୁ ଦେଖିଲେ ଡେଇଁଲି । ସେ ଗେଲ କରିବାକୁ ଡାକିଲେ ହାତ ଛିଞ୍ଚାଡ଼ି ପଳେଇଲି । ସେ କେତେ ସାକୁଲେଇ ହେଲା; କେତେ କାନ୍ଦିଲା । ମୁଁ କିନ୍ତୁ ଆଉ ତା’ ପାଖ ପଶିଲିନାହିଁ । ଏବେ ମଧ୍ୟ ଅପିନାନୀ ଦେହ ମୋତେ ଆଇଁଷିଆ ଗନ୍ଧାଏ । ମୋତେ ନପାଇ ଅପିନାନୀ ମୋ ସାନଭଉଣୀକୁ ଆଦରିଗଲା । ତାକୁ କୋଡ଼ରେ ପୂରେଇ ଶୋଇଲା । ଆଉ କିନ୍ତୁ ଗୋବିନ୍ଦ ଦାସ କଥା କହିଲାନାହିଁ; ବରଂ କହିଲା ଯେ ତାର ଗୋଟେ ଝିଅ ହୋଇଥିଲା । ମୋ ଭଉଣୀ ପରି । ପୁଅଟାଏ ହୋଇଥିଲା ମୋ’ରି ପରି । ଯୋଡାକଯାକ ଇନ୍ତୁଡ଼ିଶାଳରେ ମରିଗଲେ । ...ବୋଉ ଏକଥା ଶୁଣି ହସିଲା । କହିଲା, ସେ ଛୋପରି ସେମିତି କହେ । ସେଗୁଡାକ ସବୁ କଞ୍ଚା ମିଛ ।

 

ମୁଁ ସେଇ ଅନ୍ଧାରରେ ଦାଣ୍ଡପିଣ୍ଡାର ଅଧାକାନ୍ଥ ଉପରେ ବସିଥାଏ । ଅନ୍ଧାର ଟୋପା ଟୋପା ଖସୁଥାଏ ଆକାଶରୁ । ସାମ୍ନା ଝାଉଁଗଛରେ ପବନ ସାଉଁ ସାଉଁ ହେଉଥାଏ । ରାତି ନିର୍ଜନ ହୋଇଆସୁଥାଏ ।

 

ପୁଅକୁ ନେଇ ମୋ ସ୍ତ୍ରୀ ଯାଇଥାନ୍ତି ବାପଘରକୁ । ରାନ୍ଧୁଣିଆ ଟୋକା ବୋଧହୁଏ ରୋଷଘରେ ଢୁଳାଉଥାଏ । ବତିଗୁଡ଼ିକ ନିଶ୍ଚଳ ଜଳୁଥାନ୍ତି । ଦାଣ୍ଡଘରେ ଅତୀତ ସ୍ତବ୍‌ଧ ହୋଇ କାନେଇଥାଏ ପବନକୁ, ବର୍ଷାକୁ । ବର୍ଷା-ଅନ୍ଧାର ଭିତରେ କେହି ଜଣେ ଓଦା ସରସର ହୋଇ ଅପେକ୍ଷା କରିଥାଏ ଖୁବ୍‌ ନିକଟରେ, ଖୁବ୍‌ ନୀରବରେ !

 

ଅପିନାନୀ ବୋଉ କଥାକୁ କାନ ଦେଲାନାହିଁ ବୋଧହୁଏ । କହିଲା, ‘‘ତତେ ଚଳେଇବାକୁ ମୋର ମନ ନାହିଁ । ବୁଝିଲୁ ଭାଇନା, ମୁଁ ସବୁ ଜାଣିସାରିଲିଣି । ତତେ ଟିକିନିଖି ସବୁ କହିଦେବି । ଆଜି ହେଲା ଶନିବାର । ଆସିଲା ଶନିବାରକୁ ତୁ ଝାଡ଼ିଝୁଡ଼ି ହେଇ, ନିଜଞ୍ଜାଳି ହେଇ ବସିଥିବୁ । ସବୁ ସରିଯାଇଥିବ ।’’

 

‘‘ହଅଅ ! ଜନ୍ମ ମରଣ କଥା ତ’ କେହି କହିପାରିବେ ନାହିଁ । ତତେ ଖାଲି ଜଳଜଳ ଏମିତି ଦିଶିଯାଉଛି ? ତୋର ଆଉରି ହଟହଟା ଯୋଗ କ’ଣ ସରିଲାଣି ? ମହାପାତକୀ ତୁ ! –ବୁଝିଲୁ, ଜୀବନଯାକ ଦୁଃଖରେ ଘାଣ୍ଟି ହେଇ ହେଇ ଆସିଚୁ । ତତେ ଶେଷବେଳକୁ ନ ଘୋଷାରିଲେ ସେ କ’ଣ ଏମିତି ସହଜରେ ଛିଣ୍ଡେଇଦେବ ?’’

 

‘‘ହଁ, ଦବ ! ଏଥର ନିଶ୍ଚେ ଠୋ-କିନା ଛିଣ୍ଡେଇଦେବ ! ମୁଁ କ’ଣ ନାହିଁ କରୁଚି ମୁଁ ପାତକୀ ବୋଲି; ମାତ୍ର କିଏ ମତେ ଏ ମାୟାରେ ଫାନ୍ଦିଥିଲା । ଏଇ ତମେ ଦୁଇଜଣ ମୋ ପ୍ରାଣପଞ୍ଜୁରି ଭିତରେ ତମେ ଲକ୍ଷ୍ମୀନାରାୟଣ । ତମ ପିଲାଏ ମତେ ମାୟା ଲଗେଇ ରଖିଥିଲେ । ଲକ୍ଷେ ଥର ଡାକିଥିବି, ମରଣ ହେଇଯାଉ ବୋଲି । ହେଲେ, ପୋଡ଼ିଯାଉ କିନା ମୋ ଜନ୍ମ, ତମରିମାନଙ୍କ ପାଇଁ ମୁଁ କ’ଣ ସତେ ଚାହିଁଥିଲି ମରିଯିବାକୁ ? ନାଁ, ମତେ ତ ଲୋଭ ଗ୍ରାସିଥିଲା, ଏଇ ଗୁହମୂତରେ ଘାଣ୍ଟିହେଇ ଗାଳି-ଝିଙ୍ଗାସରେ ପଡ଼ିରହିବାକୁ ମନ ହଉଥିଲା । ଏଥର ଆଉ ସେ ସବୁ ନାଇଁ । ଚାରିଆଡ଼ୁ ବନ୍ଧନ ଛିଣ୍ଡିଗଲାଣି । ଏଥର ଏଇ ମଙ୍ଗଳବାରକୁ କଣ୍ଟ । ସେଇଦିନ ନ ମଲେ ମତେ କହିବୁ ।’’

 

‘‘ଜାଣିଶୁଣି ଯେବେ ମରୁଚୁ, ଆଉ ଦିନେ ଗଡ଼େଇ ଦଉନୁ । ବୁଧବାର ମଲେ ଏକାଦଶୀ ପାଇବୁ । ଏଇଟା ନିର୍ମଳା ଏକାଦଶୀ । ଭାଗ୍ୟରେ ଥିଲେ ମିଳେ ।’’

 

ବୋଉ ହସିଲା : ‘‘ଅଭିଲା ଆଉ କାହାକୁ କହନ୍ତି ? ଭଉଣୀକୁ ଭାଇ, କେହି କାହାକୁ ଊଣା ନୁହନ୍ତି । ହଇ ହେ, ତମ ଭଉଣୀ କ’ଣ ଘଇତାଘର ଯିବେ କି ? ଏମିତି ଦିନ, ବାର, ବେଳା ବୁଝି ଖଡ଼ଖଡ଼ି ସଜିଲ ହବ, ରାଣୀ ବିଜେହେବେ ?’’

 

ଅପିନାନୀ ହସିଲା ନାହିଁ । ସେମିତି ପରିଷ୍କାର କ୍ଷୀଣସ୍ୱରରେ କହିଲା, ‘‘ସେଇ ତ’ ବଡ଼ ଘଇତାଘର ! ତୋ ବେଳାରେ ତୁ’ କ’ଣ ନଯିବୁ କି ? ...ହଉ, ଭାଇନା; ତୁ ଯେମିତି କହିଲୁ ସେମିତି ହେବ । ମୁଁ ବୁଧବାର ଚାଲିଯିବି । ଏ ସବୁ ତିଥି ବାର ମାନିଲେ ଭଲ; ନହେଲେ ସେଥିରେ କିଛି ନାହିଁ । ....ଆଖି ବୁଜିଦେଲେ ତ ସୋମଦ୍ର ! –ସେଠି ତିଥି ନା ବାର ? ମୁଁ ସବୁ ଜାଣିଚି ! ମୁଁ କ’ଣ ମରିନାଇଁ କି ? କେତେ ଥର ମରିଚି । ଏଇନେ ତ ମରୁଚି ! ମୋର ଗୋଡ଼ ଦି’ଟା ଅଣ୍ଟାଠଉଁ ମରିଗଲେଣି । ...ସେଇଠୁ ଏ ମାଦଳା ଖଣ୍ଡ ନହେଲା ଆଉ ଦିନେ ଅଧେ ସୁକୁସୁକୁ ହବ ! ହେଲା, ସେଇ ବୁଧବାର ସ୍ଥିର ହେଲା !’’

 

ସବୁ କେମିତି ସ୍ତବ୍‌ଧ ହୋଇଗଲା । ବାହାରେ ବର୍ଷା ପବନ ମଧ୍ୟ ରୋଧି ହୋଇଗଲା । ମୁଁ ଅସୁସ୍ଥ ବୋଧକଲି । ସେଇଠୁ ଉଠିବାକୁ ଇଚ୍ଛାହେଲା ନାହିଁ । କୁଆଡ଼େ ଯିବାକୁ, କ’ଣ କାମ କରିବାକୁ ମନ ବଳିଲା ନାହିଁ । କ’ଣ ହବ ଔଷଧ ଅପିନାନୀର ? ଯାତ୍ରା ପାଇଁ କ’ଣ ଅବା ପ୍ରସ୍ତୁତ ହେବାର ଅର୍ଥ ?

 

...‘‘ମଙ୍ଗଳବାର ରାତିରେ ତ ପ୍ରଳୟ ! ତୁ, ଭାଇନା ଜମ୍ମା ଅନିଦ୍ରା ରହିବୁ ନାଇଁ । ତୋ ଦିହ ଦିହପରି ନୁହେଁ । ମତେ ସେ ଢେଙ୍କିଶାଳ ପାଖ ବଖରାରେ କବାଟ ଆଉଜେଇଦେବୁ । ....ସେଇ ରାତିରେ ସମସ୍ତେ ଏକାଠି ଆସିବେ ! ...ବୋଉ ଆସିବ । –ନାକ କାନ୍ଦୁରି, ସକସକି-ଏଡ଼େ ସୁନ୍ଦୂର ମୁଣ୍ଡୁଳା, ଏଡ଼େ ନୋଥ, ଚିତାକୁଟା ବୁକୁ ! ସେ କେତେ ଥର ଆସିଲାଣି ! ...ନନା ଆସିବେ । ଚାହିଁଦେଇ ଆଉ ପଳେଇଯିବେ ନାଇଁ ! କାନ୍ଧରେ ପାକଲା ଗାମୁଛା ପକେଇ, ଥନ୍ତଲପେଟ ଦେଖେଇ ନିର୍ମାୟା ପୁରୁଷ ଠିଆହେବେ । ମତେ ନିଶ୍ଚଳ ଚାହିଁ ଠିଆହେବେ ! ବିଧବା ହେଲାଦିନୁ ଝିଅର ଫୁଙ୍ଗୁଳା ହାତଗୋଡ଼କୁ, ତା’ ମେଲା କପାଳକୁ ସେ ଚାହିଁ ପାରୁ ନଥିଲେ ତ ! ସେଦିନ ଚାହିଁବେ ! ନିଶ୍ଚଳ ଠିଆହେବେ ! ....ଗୋବିନ୍ଦ ଦାସେ ଆସିବେ । ଲାଜ ଲାଜ ହେଇ ଚାହିଁବେ । ତୋ ବଡ଼ପୁଅ ଆସିବ । ଯେ ମତେ ଆଦରିଯାଇଥିଲା । ଏ ଅଲକ୍ଷଣୀ, ଆଣ୍ଠୁକୁଡ଼ୀ ଧାସରେ ଝାଉଁଳିଗଲା । ସେ ଆସି ଠିଆହବ ପାଟି ପାକୁ ପାକୁ କରିବ କଥା କହିବାକୁ ।’’

 

ବୋଉ ସୁକ୍‌ ସୁକ୍‌ କାନ୍ଦିପକେଇଲା । ନନା ସେମିତି ଥୋଡ଼ରେ ହାତ ରଖି ନୀରବ ରହିଲେ ।

 

ଅପିନାନୀ ସେମିତି ଗହୀରକୁ କହିଚାଲିଲା, ‘‘ରାତି ପାହିଲାବେଳକୁ ଯଦି ପାଟି ପଡ଼ିଯାଇଥିବ, ମେଲାକରି ଗଙ୍ଗାଜଳ ମନ୍ଦେ ଇଡ଼ିଦବ । ମୁଁ ଚାହିଁଥିବି । ମତେ ସେତେବେଳେ ଅସୁମାରି ଜଗତ ଦିଶୁଥିବ । ମୋ କାନକୁ ଶୁଭୁଥିବ ଅସୁମାରି କଥା । ...ଗଙ୍ଗାମାଟି ମୋ କୋଥଳିରେ ରଖିଚି । ତିଳକ କରେଇଦବୁ । ମୋ ଜପାମାଳି ବେକରେ ଗଳେଇଦବୁ । ସେଇ କୋଥଳିରୁ ଏକାସ୍କନ୍ଦ କାଢ଼ି ମୟୁରପକ୍ଷୀ ଚିହ୍ନଠଉଁ ଆଉ ଅଧ୍ୟାଏ ଗାଇଦବୁ । ମତେ ସବୁ ଶୁଭିବ ନାହିଁ । ସୋମୁଦ୍ର ମାଡ଼ିଆସିବ । ଗୋଟିଏ ହେଳା ଉଠିବ । ସେଇ ଟେକିନବ ଆରପାରି !’’

 

ଅପିନାନୀକୁ ପୁଣି ଥରେ ଶୂନ୍‌ ମାରିନେଲା । ସେ ଶୋଇଗଲା ଦୁଇ ମିନିଟ୍‌ ।

 

‘‘ହଇହେ, ୟେ କ’ଣ ସବୁ ଦେଖିଲାପରି କହିଲାଣି । କ’ଣ କରିବା ସେଇଠି ? –କେମିତି କ’ଣ ସବୁ ହବ ? –କିଏ କ୍ରିୟା ଧରିବ ? –କେମିତି ଶୁଦ୍ଧିଘର ହବ ? –ପଇସା କାହିଁ ?’’

 

ଶୁଦ୍ଧିଘର କ’ଣ ଏମିତି ବିଚାର ହୁଏ ? ଶୁଦ୍ଧିଘର ଆଉ ବିଭାଘର କ’ଣ ଏକା କଥା ? ମରିବା ବଞ୍ଚିବା କ’ଣ ଏକା କଥା ? –କେମିତି ? ...ମୋ ପାଦ ତଳିପା ସିର୍‌ ସିର୍‌ କରୁଥାଏ, ତଣ୍ଟିପାଖର ଗୁଳାଟାକୁ ଯେତେ ଢୋକିଲେ ସୁଦ୍ଧା ଖସୁ ନଥାଏ ତଳକୁ !

 

ଅପିନାନୀ ଗହୀର ପାଣିରୁ ଉପରକୁ ଭାସିଆସିଲା । ମଝିରେ ସେ ବୁଡ଼ିଯାଇଥିଲା ବୋଲି ତା’ର ଧାରଣା ବୋଧହୁଏ ହେଉନଥିଲା । କହିଲା, ‘‘ଖଣ୍ଡେ ନୂଆ ଲୁଗା ମୋ ଟଣଙ୍କ ଭିତରେ ଅଛି । ...ସେଇଟା କୋଉ ଖଣ୍ଡ କହିଲୁ ? ଗୋବିନ୍ଦ ଦାସର ପୁତୁରା ବିଭାହେଲା ବର୍ଷ ମତେ ଖୁଡ଼ୀ ମାନ୍ୟରେ ସଙ୍ଖୁଳି ନଥିଲା ? –କୋଡ଼ିଏ ବର୍ଷ ହେଇଯିବ ପରା ! –ସେଇ ସେ ଖଣ୍ଡ ଦେଇଥିଲା । ସେମିତି ଅର୍ଖ ନୂଆ ଥୁଆହେଇଚି । ସେଇଟାକୁ ମତେ ଗୁଡ଼େଇଦବ । ଆଉ ଗୋଟାଏ କନାବୁଜୁଳା ବନ୍ଧାହୋଇ ଥୁଆହେଇଚି । ସେଇଟା ହାତ ମାରିଲେ ଛିଣ୍ଡି ପଡ଼ୁଚି-ମୋ ବିଭାଘର ବଉଳପାଟ । ତାକୁ ସେମିତି ବିଣ୍ଡା କରି ମୋ ମୁଣ୍ଡତଳେ ଥୋଇଦବ । ଆଉ ଶିରିକାପଡ଼ା ଖଣ୍ଡେ ବେକରେ ପକେଇଦେଇ ନିର୍ମାଲ୍ୟ କଣିକାଟାଏ ପାଟିରେ ମାଡ଼ିଦବ । ସଇଲା ! ତା’ ଉତ୍ତାରୁ କୋକେଇ ଟେକି ନେଇଯିବ । ସେଇ ଯେ ପୁତୁରା ନୁହେଁ ? –ତାକୁ ମୁଁ କହିଚି । ସେଇ ମୋ କ୍ରିୟା ଧରିବ । ତା’ ପିଛା ତୁ ପଇସାଟିଏ ସାରିବୁ ନାଇଁ ।’’

 

ଅପିନାନୀର ଟ୍ରଙ୍କ, ତା’ କୋଥଳି ଆମେ ସବୁବେଳେ ଫିଟେଇଚୁ । ସେ ବାଘୁଣୀ ପରିକା ଝାମ୍ପିଆସି ହାତରୁ ଛଡ଼େଇ ନେଇଯାଇଛି । ଗାଲ ତୋଡ଼ିଦେଇ ପେଲିପକେଇଛି । ମୁଁ ତା’ ଗଙ୍ଗାତିଳକକୁ ଖଡ଼ି ବୋଲି ଭାବି ସବୁବେଳେ ନେଇ ଯାଉଥିଲି । ଭୂଇଁରେ, କାନ୍ଥରେ ଗିରା ଟାଣିବାରେ ସେଇଟା ଫାଲୁ ଫାଲୁ ସରି ଯାଉଥିଲା । କାହାକୁ କୁହାବୋଲା କରି ଅପିନାନୀ ପୁଣି ଖଣ୍ଡେ ଯୋଗାଡ଼କରି କୋଥଳିରେ ରଖିନେଉଥିଲା । ତା’ ସୂତାଲୁଗା ଚଷମା ମୁଣ୍ଡରେ ଗଳେଇ ଦେଖିଲେ ପାଦତଳ ପାତାଳକୁ ଅପସରିଗଲା ପରି ଦିଶୁଥିଲା । ...ଏ ସବୁ ପିଲାଦିନ କଥା । ତା’ପରେ ପାଠ ପଢ଼ିବା ଆଳରେ ଛାଡ଼ଛାଡ଼ ହୋଇଗଲି । ଅପିନାନୀ ଛାଇଟାଏ ପରି ଖାଲି ପହରି ଯାଉଥିଲା । ...ହେଇ, ଗାଁରୁ ଧାନ ଅମଳ କରି ଫେରିଛି । ...ହେଇ, ଗୁହାଳ ଛପର କରିବାକୁ ଲୋକ ନେଇ ଆସିଛି । ....ନହେଲା ବେଳକୁ ରୋଷଘରେ ପଶି ରନ୍ଧାବଢ଼ା କରୁଛି । ଛାଞ୍ଚୁଣୀ ଧରି ଘର ଗୋଟାଯାକ ଓଳେଇପକଉଛି । କାନ୍ଥରୁ, ଛାତରୁ ବୁଢ଼ିଆଣୀ ଜାଲ, ମେଞ୍ଚା ମେଞ୍ଚା ଅଳନ୍ଧୁ ଝାଡ଼ି ଦେଇ ନିର୍ମଳ କରିଦେଉଛି । ....ଖରାରେ ସିଝିଗଲେ ଅପିନାନୀ ମୁହଁ ରଙ୍ଗା ପଡ଼ିଯାଉଥିଲା । ସେ ଆମ ଘରେ ସବୁଠୁ ଗୋରା ତ ! ବୁଢ଼ୀକାଳରେ ଚମ ଲୋଚା ଲୋଚା ହୋଇଗଲା ସିନା, ଏବେ ସୁଦ୍ଧା ବାହୁଉପରେ ସେ ଯେଉଁ ନେଳିରଙ୍ଗର ଚିତା କୁଟେଇଛି, ରାଉରାଉ କରୁଛି ରାତିରେ !

 

ବୋଉ କହୁଥିଲା, କେମିତି ତା’ଦିନେ ଅପିନାନୀ ନିଆଁ ପରି ଝଟକୁଥିଲା । ପିଛୁଳି ପଡ଼ୁଥିଲା ଦେହ । ମୁହଁବାଟେ ବୟସ ଉତୁରି ପଡ଼ୁଥିଲା । ...ନେଳିନେଳି ଆଖି । କଳା ଭଅଁରପରି ଗୋଛିଯାଏ ଗୋଛାଏ ବାଳ । ଗଣ୍ଠିଟାଏ ପକାଉଥିଲେ ତାଳ ଫଳ ପରି ଦିଶୁଥିଲା । ଦେହରେ ଖାଲି ଧଡ଼ିମୁହଁ ନଥିବା ଧଳା କସ୍ତା । ହାତ ପାଦ ପଦ୍ମପାଖୁଡ଼ା ପରି, ଅଳତାପତ୍ର ପରି ନାଲି । ଆଙ୍ଗୁଠିଗୁଡାକ ଚମ୍ପାକଢ଼ ପରି । ତାକୁ ଭୟରେ ଦାଣ୍ଡକୁ କାଢ଼ିନଥିଲେ ତା’ ଭାଇନା ଭାଉଜ । ଥରେ ଚାଲିଗଲେ ଗାଁଯାକ ଅଣ୍ଡିରା, ମାଇକିନିଆ ତୁଛେଇ ହୋଇପଡ଼ୁଥିଲେ ରାସ୍ତାରେ । ସମସ୍ତଙ୍କ ଆଖି ଖୋସିହୋଇଯାଉଥିଲା । ସେଇ ରୂପ କୋଡ଼ିଏଖଣ୍ଡ ଗାଁକୁ କୋଡ଼ିଏ ବର୍ଷ କାଳ ମନ୍ଥିପକାଇଥିଲା । ଯାହା ତୁଣ୍ଡରେ ଶୁଣିବ ସେଇ କଥା, ଖାଲି ସେଇ କଥା ।

 

ଅପିନାନୀ ତା’ ନିଅଣ୍ଟିଆ କପାଳକୁ ନେଇ ଭାଇଘରେ ଆସି ଆଶ୍ରାନେଲା । ସେଇ ହାତରେ ଗୁହାଳ ଗୋବର ପୋଛିଲା । କୂଅରୁ ପାଣି କାଢ଼ି ଶାଗ ପଟାଳିରେ ମଡ଼େଇଲା । ଖରାଦିନେ କଖାରୁ ଗଛ ପାଳିଲା । କୌଣସି ପରିଶ୍ରମକୁ ସୀଉକାର ନକଲା ବୋଲି ନୁହେଁ । ଭାଇ ଭାଉଜକୁ ସେବାକରିଆସିଲା ପଚାଶ ବର୍ଷ । ଖାଲି ମାଇକିନିଆ ଜନ୍ମ ପାଇଥିଲା ବୋଲି ସିନା, ନ ହେଲେ କେଉଁ କଥାରେ ସେ ମରଦଠଉଁ ଊଣା ନଥିଲା ।

 

ଆଜି ସେଇ ଅପିନାନୀ ବାହାରିଛି ଗାଁକୁ ଫେରିଯିବ । ଗାଁରେ ସାତପୁରୁଷି ମାଟିରେ ମରିବାକୁ ଫେରିଯିବ । ଅପିନାନୀକୁ ଡର ମାଡ଼ୁନାହିଁ ? –ନନାଙ୍କୁ ବୋଉକୁ ଡରମାଡ଼ୁ ନାହିଁ ? –ଦୁଃଖ ଲାଗୁନାହିଁ ? କେଜାଣି !

 

ବୋଉ ବରଂ ଅଳ୍ପ ହସିଲା ପରି କହିଲା, ‘‘ଅଲାଜୁକୀ, ନିଜେ ସବୁ ଯୋଗାଡ଼ି ଆସିଚି ଘଇତାଘର ଯିବ ବୋଲି । ହେଲେ ଏ ଚତୁର୍ମାସ୍ୟାରେ କାହିଁକି ହମହମ ହେଲୁ ଗୋବିନ୍ଦ ଦାସ ପାଖକୁ ଯିବାକୁ ? ଝଡ଼ ବର୍ଷା ଲାଗିରହିଲେ, ତୋ ରଇ ଜଳିବ ଯେ ତୁ ଯିବୁ ?’’

 

‘‘ସତେ ତ, ଏ ଦୁର୍ଦିନରେ କି ହଟହଟା ନହେବ ମଣିଷ !’’ କହିଲେ ନନା ।

 

‘‘ନାଇମ’ ଭାଇନା ! ଆଉ ପୂର୍ବ ଭଳି ଅଛି କି ? ମୁଁ ଯାଇ ଦେଖିଆସିଚି ପରା ! ମଶାଣିରେ କି ସୁନ୍ଦର ସବୁ ପକ୍‌କା ଘର କରିଦେଲେଣି । ସିମିଟି ଉପରେ ରଇ ଜଳିବାକୁ ଜେଗା କରିଦେଇଛନ୍ତି । ଭାରି ଶୀତଳ ଜେଗା । ସେଠିକି ଯୋଉ ପବନ ପଡ଼ୁଛି, ଯାହାର ହେଲେ ମନ ହେଇଯିବ ମରିବାକୁ ।’’

 

‘‘ମଲୁ ଲୋ ମଶାଣିଚଣ୍ଡୀ ।’’ କହିଲା ବୋଉ ! ଅପିନାନୀକୁ ଆଉ କ’ଣ କହିବାର ଥିଲା-?

 

‘‘ତୁ ତା’ ହେଲେ କ’ଣ ସତକୁ ସତ ବାହାରିଲୁ ? –ସବୁ ଡୋର ଛିଡ଼େଇ ଦେଲୁ ?’’

 

‘‘ଯାଉନୁ; କୋଉ ଅଭିଲା କଥା କହୁଚୁ ବା ଭାଉଜ ! ସେ ଡୋର ତା’ର ନା’ ମୋର ? –ମୁଁ ମୋର ଖସିଯିବି । ଏ ପୋଚା ଦିହଖଣ୍ଡ ପଡ଼ିଥିବ ପୁରୁଣା କୋତରା ମେଞ୍ଚାଏ ଡୋର ପରି ।’’

 

‘‘ଏମିତି ଠୋ-ଠା ସବୁ କହିଦଉଚୁ । ତତେ କ’ଣ ଯମ-ଯାତନାକୁ ଡର ମାଡ଼ୁନାହିଁ ! ବାଟଘାଟ ନଥିବା ସେ ଅପନ୍ତରା ଭିତରେ କେମିତି ପଶିବୁ ? –ଯମ ଆଗକୁ କେମିତି ଯିବୁ ?’’

 

‘‘ଯାଉନୁ, ମୁଁ ସେ ରଇଜଳାକୁ ଡରିଚି ? –ସେ କ’ଣ ମତେ ଯାନ୍ତନା ଦବ ବା’ ? ମୁଁ କୋଉ ଯାନ୍ତନା ନ ଭୋଗିଚି ଯେ ଆଉ ବାକି ଅଛି ? ମୁଁ ନିଆଁରେ ଶୋଇଚି ! ସୋମୁଦ୍ରରେ ବୁଡ଼ିଚି-। କ୍ଷୁରଧାରରେ ଚାଲିଛି । ମୋ ଯାନ୍ତନା କଥା ଶୁଣିଲେ ଯମ ଅଳପେଇଷର ଚେତା ବୁଡ଼ିଯିବ-। ମୁଁ ତ ଜୀଇଁବାକୁ ଡରିନାହିଁ, ଏଇଲାଗେ କ’ଣ ମରିବାକୁ ଡରିବି ?’’

 

‘‘ଏମିତି ଉଜୁଟାଣ କଥା କହନା । ମରଣକୁ ନଜାଣି ମରଣକୁ ହୁବ କର୍‌ନା ! ଶାବଳ ପରି ଦାନ୍ତ, ହୁଳା ପରି ଆଖି, ବିକଟାଳ ରୂପ ଆସି ଦଉଡ଼ିରେ ବାନ୍ଧି ଟେକିନେବେ । ତାଙ୍କଠଉଁ ଉବୁରିବା ପାଇଁ କାହାର ଆୟତ୍ତ ଅଛି ?’’

 

‘‘ହଅଅ ! ସେଗୁଡାକୁ ମୁଁ ଦେଖିସାରିଚି ! ନିଇତି ରାତିରେ ସେଥିରୁ ପୁଞ୍ଜାଏ ପାଞ୍ଚଟା ଆସି ଖିଙ୍କାରି ହୁଅନ୍ତି । ମୁଁ ତାଙ୍କୁ କଟମଟ ଚାହିଁଦେଲେ ସବୁ ତରଳି ଯାଆନ୍ତି । କିଏ ଦିଶେ କେଦାର ତିଆଡ଼ୀ ପରି, ଆଉ କିଏ ବାଞ୍ଛା ପାଇକରା ପରି । ସବୁ ଦାନ୍ତ ନେଫେଡ଼ି ହାତ ମକଚି ନଙ୍ଗର-ପଙ୍ଗର ହୁଅନ୍ତି । ଭାଲୁପରି ରୁମ ସାଲୁବାଲୁ ନଙ୍ଗଳା ଅଣ୍ଡିରା ଗୁଡ଼ାଏ । ଥୁ’ କରି ମୁଁ ଲଣ୍ଡାଏ ଛେପ ପକାଇ ଦେଲେ ତେଲୁଣିପୋକ ପରି ସେମାନେ ହୀନିମାନ ଦେଇ ଉଭେଇଯାଆନ୍ତି । ଆଜି ବୋଲି ନୁହେଁ, ମୁଁ କାହିଁ କୋଉକାଳୁ ସବୁ ରାତିରେ ଏଇ ଯମଦୂତମାନଙ୍କ ସାଙ୍ଗେ ବଞ୍ଚିଆସିଚି; ଲଢ଼ି ଆସିଚି-। ମୋତେ କେତେଥର ସେମାନେ ମାରି ପକେଇଛନ୍ତି । ମୁଁ ତାଙ୍କୁ କେତେଥର ସୋରା-ସୋରା କରି ଭିଣିପକେଇଚି । ନିଦ ଭାଙ୍ଗିଲାବେଳକୁ ମରଣ ନାଇଁ । ମୁଁ ସେ ଅଲାଜୁକ, ଥୋବଡ଼, ରାଇଜଳାଙ୍କୁ ଜାଣିଚି ! ଗୋବିନ୍ଦ ଦାସ ମାଇପକୁ ସେମାନେ କ’ଣ କରି ପାଇଲେ କି !’’

 

ଅପିନାନୀର ଆତ୍ମାଭିମାନ, ତା’ରି କାଷ୍ଠା ସତୀପଣ, ତା’ ଦମ୍ଭ ଦେଖି ମୁଁ ଥ’ ହୋଇ ଚାହିଁରହିଲି । ମୋର ବିଶ୍ୱାସ ହୋଇଗଲା ଯେ ଅପିନାନୀ ଚାହିଁଲେ ଯମ ସାଙ୍ଗେ ଲଢ଼ିଯାଇପାରେ । ମରଣ ତା’ ପାଇଁ କି ଛାର ! ତାକୁ ସେ ପାଦରେ ମର୍ଦିଦେଇପାରେ । କାହାର ସତେ ସାଧ୍ୟ ଏ ନାଗୁଣୀ, ବାଘୁଣୀ, ଦର୍ପିନୀ ସତୀ ନାରୀକୁ ଘୋଷାରି ନେଇଯିବ ? ମୋ ବୁକୁ ରୁନ୍ଧି ହୋଇଗଲା ତାତିଲା ନିଃଶ୍ୱାସରେ । ଆଖି ନାକରୁ ଡବଡ଼ବ ପାଣି ନିଗିଡ଼ିଗଲା । ରୁମ ଠିଆ ହୋଇ ରହିଲା ଦେହସାରା ।

 

ବୋଉ ପୁଣି ହସିଲା । ‘‘ତୁଟା ଏଡ଼ିକି ସତୀ ଟି ! ଗୋବିନ୍ଦ ଦାସକୁ କାହିଁକି ଯମ ନେଇଗଲା, ଛଡ଼େଇ ଆଣିଲୁ ନାଇଁ ?’’

 

ଅପିନାନୀ ସେମିତି ସାଉଁ ସାଉଁ ହସିଲା । ‘‘କ’ଣ କହିବି ତତେ ମ’ ଭାଉଜ ! ତତେ ମିଛ, ମତେ ସତ ! ସେ କ’ଣ କୁଆଡ଼େ ଯାଇଚି କି ? ସେ ପରା ମୋ ଦିହକଯାକ ଏଇଠି ଏଇ ଘରେ ଲୁଚିଛି । ଲାଜକୁରା ମଣିଷଟା ! କେତେବେଳେ ଆଉ ମୁହଁ ଟେକି ମତେ ଚାହିଁଦେଇନାହିଁ । ଯେତେବେଳେ ଦେଖିବ ସେଇ ଧୋବ ସରସର ମୁହଁ ତଳକୁ ପୋତି ଆଡ଼ହେଇ ଯାଉଚି । ମୁଁ ପରା ରାଣ ପକେଇଚି, ଏଇଥର ଗୋବିନ୍ଦ ଦାସର ଲାଜ ଛଡ଼େଇବି ! ମାଇଗୁଲିଆ ଆସିବ; ମୋ ହାତ ଧରି ଡାକିବ, ତେବେଯାଇ ମୁଁ ଯିବି ନା ! –ଖାଲି ଏମିତି ପଳେଇବି ତା ପଛେପଛେ ?’’

 

‘‘ଆଲୋ, ଜଗନ୍ନାଥଙ୍କୁ ଡାକୁନୁ, ତୋ ବେଳ ଆଖର ଯଦି ଜାଣୁଚୁ ? ଏଥିରୁ ଗୁଡ଼େ ଛାଇ ପଛରେ କାହିଁକି ଧାଇଁଚୁ ? କି ଗୋବିନ୍ଦ ଦାସ, କିଏ କୋଉଠି ନାହାନ୍ତି । ସେ ସବୁ ତତେ ସେମିତି ଦିଶୁଛି ! ମନ ଓହରେଇ ଆଣ । ନାମ ଜପ କର । ତୋ ଭାଗ୍ୟ ତୋ ଜ୍ଞାନ ବୁଡ଼ୁନାଇଁ ! ଏମିତି ଜ୍ଞାନରେ ରହି ମରିବୁ ଯଦି, ହେମିତି କାହିଁକି ସପନ ଦେଖୁଚୁ ?’’ –ନନା ତିଆରିଲା ପରି ଏତକ କହିଦେଇ ଉଠିଗଲେ ଭିତର ପିଣ୍ଡାଆଡ଼େ । ଅପିନାନୀ ଏକାଲୟରେ ତା’ ଭାଇନାକୁ ଚାହିଁ ରହିଥାଏ ।

 

‘‘ଆରେ, ରଖିଥା, ବା’ ! –ମୁଁ ତୋ ଜଗନାଥିଆକୁ ଜାଣି ନାଇଁ ? ସେଇ ପରା ମୋ ଶତ୍ରୁ-! ଦିହକଯାକ ଅହନ୍ତା କରି ମୋ ସାଙ୍ଗେ ଲାଗିଚି ! ଯୁଆଡ଼େ ଦେଖିଲେ ଖତେଇ ହେଲା ପରି ତରାଟି ଚାହିଁଚି । ସମସ୍ତଙ୍କୁ ଛଡ଼େଇ ନେଇ ମୋ ସଂସାର ଉଚ୍ଛନ୍ନ କରିଚି ପରା ସେଇ ! ବାପ, ଭାଇ, ଭାଉଜ, ଘଇତା, ଗୋରୁଗାଈ, ଘର, ସବୁ ଆଡ଼ କରିଦେଇ ତା’ ଉପରେ ମଡ଼େଇ ହେଇ ପଡ଼ୁଚି ଫାଲୁଆମୁହାଁ ! ତାକୁ ମୁଁ ଠେଲିଲାଗିଚି । ଅଳନ୍ଧୁ ଝାଡ଼ିଲା ପରି ଝାଡ଼ି ଲାଗିଚି । ସେ ଲାଖିଯାଉଚି ମୋ କାନ୍ଥରେ ଚିତ୍ରପଟ ପରି । ମୁଁ ତାକୁ ପାରୁନାହିଁ ପରା ! ମୁଁ ତାକୁ ନେହୁରା ହେଇ ହାତ ପତେଇ ମାଗିଲି ଆଡ଼ ହେଇଯିବାକୁ; ମୋତେ ମୋ ସଂସାର ଫେରେଇ ଦେବାକୁ ! ସେ ମୋ ଆଞ୍ଜୁଳାରେ ପଶି ସେମିତି ମଟମଟ ଅନେଇଲା ! ମୋତେ ସେ ଛାଡ଼ିବ ନାଇଁ ମୁଁ ଜାଣେ ! ମୋତେ ଉଚ୍ଛନ୍ନ କରିବ, ତେବେଯାଇ ତା ମନ ମାନିବ ! ଏବେ ମତେ କ’ଣ ଡର ମାଡ଼ୁଚି ଜାଣିଚୁ ? –ଗୋବିନ୍ଦ ଦାସ ମୋ ହାତ ଧରି ଡାକିଲାବେଳେ ତ ମୋତେ ଅନେଇବ ! ସେତିକିବେଳେ ତା’ ଆଖିରେ ଯଦି ମଟକା ନ ପଡ଼େ ? –ଯଦି ତା’ ଧୋବ ସରସର ମୁହଁ କଳା ମଚମଚ ହେଇ ଥୋପିପଡ଼େ ? –ମୁଁ କ’ଣ କରିବି ଟି ?’’

 

ନନା ଭିତରୁ ଡାକିଲେ, ‘‘ଆରେ ସଜ ହେଇ ଯାଅ, ଯିବ ପରା ! ସେ ବାଇଧର ଟୋକା ଗଲା କୁଆଡ଼େ ?’’

 

ମୁଁ ବେକୁବ୍‌ ଭଳି ଆବାକାବା ହେଇ ଘରେ ପଶିଲି । ଅପିନାନୀ ମୁହଁକୁ ଚାହିଁ ପାରିଲିନାହିଁ । କାହା ମୁହଁକୁ ଚାହିଁ ପାରିଲିନାହିଁ । ଭିତର ପିଣ୍ତାରେ ସେମିତି ଚୁପ୍‌ ହୋଇ ଠିଆରହିଲି-। ମୋତେ କି ଜଣା, ଅପିନାନୀର ସେ ଯାତ୍ରା ପାଇଁ କ’ଣ ସଜ କରିବାକୁ ହେବ !!

Image

 

ଜାଈ କୁମ୍ଭାରୁଣୀ

 

ଜାଈ କୁମ୍ଭାରୁଣୀକୁ ଯେତେବେଳେ ଦେଖିଲେ ମା’ପରି ଦିଶେ । ଖାଲି ଏଇଠି ବୋଲି ନୁହେଁ, ଏ ଚୌଦଖଣ୍ତ ଗାଁରେ ଯାହାକୁ ପଚାରିଲେ ସେ ସେଇକଥା କହିବ । ଚିକ୍‌କଣ କଳାମୁଗୁନିରେ ନିର୍ମାଣିଲା ପରି ପାଞ୍ଚହତା ମର୍ଦାନୀ ଚେହେରା । ଗୋଟାଳ ଗୋଟାଳ ଖମ୍ବ ପରି ହାତଗୋଡ଼ । ଏଡ଼େ ବଡ଼ ଅଥାର ହାଣ୍ଡି ପରି ମୁହଁ । ନାକରେ କାନରେ ଦୁଇହଳ ବାଡ଼ିଆ ନୋଳି । ଆଉ କୋଉଠି କିଛି ନାହିଁ । ଅଳଙ୍କାର ମଣ୍ଡିଦେଲେ ନିଖୁଣ ଭାଙ୍ଗମାପର ସେ ପ୍ରକାଣ୍ଡ ନାରୀମୂର୍ତ୍ତି କ’ଣ ଦିଶନ୍ତା କେଜାଣି ! ରତ୍ନ ଓଢ଼ିଆଣି, କଟିରେ କିଙ୍କିଣି, ହୃଦେ ଚାପସରିମାଳ, ବାହୁଟି କଙ୍କଣ, ନୁପୂର, ହଳଦିବସନ୍ତ ପାଟରେ ତାକୁ ବୋଧେ ଚାହିଁ ସହନ୍ତାନାହିଁ । ଏମିତି ଖଣ୍ଡିଏ ମଳିଛିଆ କସ୍ତା ଶାଢ଼ି ତାକୁ ନିଅଣ୍ଟିଆ ହୁଏ । ତାର ପ୍ରାୟ ଫୁଙ୍ଗୁଳା ହାତ, ଗୋଡ଼, ବେକ, ବୁକୁରେ, ଆଉ ସେ ଥୋପିପଡ଼ୁଥିବା ଜକଜକ ଚିକ୍‌କଣ କଳା ମୁହଁରେ ନଇଁଆସିଥିବା ମେଘ ପରି ବିଶାଳ ପହ୍ନାବତୀ ଗାଈଟିଏ ସତେବା ଦିଶିଯାଏ । କୌଣସି ପୁରୁଷ ତା’ ପାଖରେ କୋଡ଼ପୋଛା ପୁଅ ପରି, ବାଛୁରୀଟିଏ ପରି ଅକୁଳାନ ଏବଂ ଆଚ୍ଛନ୍ନ ଦେଖାଯାଏ । ତାକୁ ଘୋଡ଼େଇଲା ପରି, ଆବୋରିଲା ପରି, ଉଭାରି ରହେ ସ୍ନିଗ୍‌ଧ କଳାଘୁମୁର ପାହାଡ଼ଟିଏ । ପୃଥିବୀଯାକର ମଣିଷ, ପଶୁ, ପକ୍ଷୀ, କୀଟ, ପତଙ୍ଗ ଯାବତୀୟ ପ୍ରାଣୀମାନଙ୍କର ସେଇ ବୋଧହୁଏ ମାତୃରୂପ । ଜାଈ କୁମ୍ଭାରୁଣୀ ମା’ ନ ହୋଇ ସତେ ଆଉ କ’ଣ ହୋଇପାରେ ?

 

କିନ୍ତୁ ଜାଈ କୁମ୍ଭାରୁଣୀ ଜନ୍ମରୁ ଅନ୍ଧୁଣୀ । ତା’ର ଗୋଟିଏ ହେଲେ ସନ୍ତାନ ନାହିଁ । ସେ ଜମ୍ମା ଫଳିନାହିଁ । ଏଡ଼େ ବଡ଼ ବୃଷାଳ ଗଛ ଯେ, ତା’ର ସ୍ୱର୍ଗେ ଲାଗେ ଡାଳ ତ ମଞ୍ଚେ ଲାଗେ ଡାଳ-ଅଥଚ କଷିଟିଏ ନାହିଁ କି ଫଳଟିଏ ନାହିଁ । ଗଭୀର ବିସ୍ମୟରେ ଚୌଦଖଣ୍ଡ ଗାଁଲୋକ ଏଇ କଥା ବାରମ୍ବାର ଆଲୋଚନା କରନ୍ତି; କିନ୍ତୁ ବୁଝିପାରନ୍ତି ନାହିଁ । ତାକୁ ଦେଖିଲେ, ତାର କଅଁଳ କଥା ଶୁଣିଲେ ମୋହିହେଲାପରି ସମସ୍ତେ ଅନେଇ ରହନ୍ତି, କାନେଇ ରହନ୍ତି ସତ୍ୟଯୁଗର କି ତ୍ରେତାଯୁଗର ସେ ଅପରୂପା ବିପୂଳା ନାରୀଟିକୁ-କିନ୍ତୁ ଜମ୍ମା ବୁଝିପାରନ୍ତି ନାହିଁ କେମିତି ତା ଆଖିଯୋଡ଼ିକି ଗଢ଼ିବାକୁ ବିଧାତା ପାସୋରିଗଲା । ସେ ପୂରିଲା ପୂରିଲା ଗାଲ, ସେ ଗଢ଼ିଲା ପରି ଓଠ, ସେ ଠିଆଠାଣି ନାକ, ରାଉରାଉ ଭ୍ରୂଲତା, ଜକଜକ କପାଳ ସାଙ୍ଗକୁ ଥୋଇଲା ପରି ପଦ୍ମପାଖୁଡ଼ା ଆଖି ହଳେ କ’ଣ ନ ଦିଶିଥାନ୍ତା ସେ ମୁହଁକୁ ! ଅଥଚ ସେଇ ଅଞ୍ଚଳକୁ ଅନେଇଲେ ଏବେ ଡର ମାଡ଼ୁଛି । ଆଖିଥିବା ଏପରି ସ୍ୱାଭାବିକ ଏବଂ ସାଧାରଣ, କିନ୍ତୁ ନଥିବା ଏଡ଼େ ଭୟଙ୍କର-! –ସତେବା ସମୁଦ୍ର ଶୁଖିଯାଇଛି-। –ଆକାଶରୁ ସବୁ ତାରା ଲିଭିଯାଇଛନ୍ତି । ଇସ୍‌, ଜାଈ କୁମ୍ଭାରୁଣୀ ଅନ୍ଧୁଣୀ ହେବାର କୌଣସି ଯୁକ୍ତି ନାହିଁ; ଅଥଚ କୌଣସି ଅପରିମେୟ କାରଣରୁ ସେ ସେମିତି ଅନ୍ଧୁଣୀଟିଏ । –ବିଜ୍ଞଲୋକେ କହିବାର ଶୁଣାଯାଏ ଯେ କୁଆଡ଼େ ସେ ଆଖି ପାଇବା ଯେପରି ଅସମ୍ଭବ, ଫଳ ଫଳିବା ମଧ୍ୟ ସେମିତି ଅସମ୍ଭବ । କାରଣ ବିଧାତାର ଇଚ୍ଛା ତା’ ନୁହେଁ ! କାହିଁକି ନୁହେଁ ? –କେଜାଣି ! ତଥାପି ଜାଈ କୁମ୍ଭାରୁଣୀକୁ ଦେଖିବାକୁ ଭଲଲାଗେ । ତାକୁ ଦେଖିଲେ ଭିତର କେମିତି ଉଲୁସିଯାଏ । ସବୁ ପୌରୁଷ ସ୍ତବ୍‌ଧ ଚକିତ ହୋଇ ହଳେ ଆଖିରେ ଆସି ଠୁଳ ହୋଇଯାଏ ତାକୁ କେବଳ ଅନେଇବାକୁ । କୂଳ ଛୁଉଁଥିବା ଭାଗ-ନଈ ପରି, ଅନାୟାସରେ ପଲାସିଯାଉଥିବା ସୁଲକ୍ଷଣୀ ମାତଙ୍ଗିନୀ ପରି ଜାଈ କୁମ୍ଭାରୁଣୀ । ତାକୁ ଚାହିଁ ରହିବା ହିଁ ଯଥେଷ୍ଟ-। ଚାହିଁ ପାରିବା ହିଁ ପୌରୁଷ ।

 

ସେଦିନ ସଞ୍ଜବେଳେ ଆମେ ସବୁ ପୋଖରୀକୂଳରେ ପବନ ଖାଉଥାଉ । ଶଙ୍କର ମଉସା ଆମ ଭିତରେ ଭାରି ପାକଳ ମଞ୍ଜର ମଣିଷ । ଆମେ ଯେଉଁ କେତେଜଣ ପାଠଶାଠ ପଢ଼ି ଦିଲ୍ଲୀ କଲିକତା ବୁଲିଆସିଥାଉ, ଥୋମଣା ଟେକି ତଳେଇ ଚାହୁଁଥାଉ ପୃଥିବୀକୁ, ଆମେ ମଧ୍ୟ ଶଙ୍କର ମଉସାଙ୍କ ଆଗରେ ଲଇଁ ଯାଉ । ସେ ଖୁବ୍‌ ଗମ୍ଭୀର ଅଥଚ ଅଦ୍ଭୁତ ଭାବରେ ସ୍ନେହୀ ଏବଂ କୃପାଳୁ ମଣିଷ । ଗଭୀର ଅନୁଭବରେ ସେ ଅନେକ କଥା ମିଞ୍ଜେଇଛନ୍ତି, ସଂସାରକୁ ଦେଖିଛନ୍ତି, ବୁଝିଛନ୍ତି । ବାରବର୍ଷ ହିମାଳୟରେ ଏକୁଟିଆ ଭ୍ରମିଛନ୍ତି । ଏବେ ମଧ୍ୟ ମନ ହେଲେ ଗାମୁଛା ଖଣ୍ଡେ କାନ୍ଧରୁ ଖସେଇ ଦେଇ ସେ ଏଇଠୁ ହଠାତ୍‌ ଉଠି ଚାଲିଯିବେ-ଏ ପ୍ରତ୍ୟୟ ପ୍ରାୟ ସମସ୍ତଙ୍କର ଅଛି । ତେଣୁ ଗାଁରେ ତାଙ୍କର ଭାରି ମର୍ଯ୍ୟାଦା ।

 

ପଥର ପାହାଚ ଉପରେ ଗୋଡ଼ ଲମ୍ବେଇ ସେ ବସିଥାନ୍ତି । ଚାହିଁଲେ ପାଦକୁ ପାଣି ଛୁଉଁଛି, ନ ଚାହିଁଲେ ନାହିଁ । ଆମେ ସବୁ ଯେ ଯାହାମନ୍ତେ ବସିଥାଉ ଏବଂ ଗପୁଥାଉ । ଜାଈ କୁମ୍ଭାରୁଣୀ ଉପରେ କଥା ପଡ଼ିଥାଏ । ସମସ୍ତଙ୍କ କଥା ଶଙ୍କର ମଉସା ମନ ଦେଇ ଶୁଣୁଥାନ୍ତି; କିନ୍ତୁ କିଛି କହୁନଥାନ୍ତି । ମଝିରେ ମଝିରେ ଅନ୍ୟମନସ୍କ ହେଲାପରି ଉପରକୁ କିଛି ସମୟ ଚାହୁଁଥାନ୍ତି ।

 

ଆମ ଭିତରୁ ଜଣେ କହିଲା, ‘‘ଏ ବିଷୟରେ ମଉସାଙ୍କ ମତ କ’ଣ ?’’

 

ସମସ୍ତେ ନୀରବରେ ଅପେକ୍ଷା କଲୁ । ପବନରେ ଛୋଟ ଛୋଟ ଢେଉଗୁଡ଼ିଏ ଉଠି ଆସି ପଥର ପାହାଚରେ କଳରବ କଲେ । ସଂଧ୍ୟା ଘନୀଭୂତ ହେଲା । ବେଳେବେଳେ ଆମକୁ ଏମିତି ଅନେକ ସମୟ ଅପେକ୍ଷା କରିବାକୁ ହୋଇଥାଏ । ଶଙ୍କର ମଉସା ମନ ନହେଲେ କିଛି କହନ୍ତି ନାହିଁ ।

 

ଆଉ ଜଣେ ସେ ସମଗ୍ର ଜିନିଷଟାକୁ ସହଜ କରିବାପାଇଁ କହିଲା-‘‘ଶଙ୍କର ମଉସା ତ ଅନେକ ଦିନରୁ ଜାଈ କୁମ୍ଭାରୁଣୀକୁ ଜାଣିଥିବେ । –ନା କଣ ମଉସା ?’’

 

‘‘ହଁ, ଜାଣେ !’’

 

ଭାବିଲୁ ବୋଧହୁଏ ଏଥର କଥା ଝରିଆସିବ; କିନ୍ତୁ ପୁଣି କେବଳ ସେଇ ଢେଉଗୁଡ଼ିକୁ ନୀରବ ରହି ଗଣିବାକୁ ଲାଗିଲୁ । ଏକଜିଦିଆ ଟୋକା ପୁଣି ଉଖାରି ଦେଲା, ‘‘କ’ଣ ଜାଣିଚନ୍ତି ପରା ମଉସା ! ଆମକୁ କହୁନାହାନ୍ତି !’’

 

‘‘ନା !’’

 

ଆମେ ଜାଣିଲୁ ଯେ କଥାଟା ସେଇଠି ଛିଣ୍ଡିଗଲା । ଶଙ୍କର ମଉସା ନାହିଁ କଲା ଉତ୍ତାରୁ ତାଙ୍କୁ କଥା କୁହାଇଦେବ, ଏମନ୍ତ ପାରିବାର କେହି ନାହିଁ । ଭାବିଥିଲୁ ସେ ଦିନ ଗୋଟାଏ ମୌକାରେ ସେ ଅଦ୍ଭୁତ ନାରୀଚରିତ୍ର ଉପରେ ମଉସା ଅତିଶୟ ଅଦ୍ଭୁତ କଥାମାନ କହିବେ । କାହିଁକି କେଜାଣି ସେ ପଦକରେ ସବୁ ଛିଣ୍ଡେଇଦେଲେ । ସେ ନିର୍ବିକାର, ସ୍ଥିର ହୋଇ ବସିଥାନ୍ତି । ଆମେ ସବୁ ଖୁସ୍‌ମୁସ୍‌ ହୋଇ ଗୋଟିଏ ଗୋଟିଏ ଉଠିଲୁ । କେହି କେହି ଅନ୍ୟ କଥା ପକେଇ ଗୁଜୁରୁଗାଜୁରୁ ହୋଇ ଟହଲିବା ପାଇଁ ବାହାରିଗଲେ । ଆଉଦିନେ ମଉସାଙ୍କ ମନ ହେଲେ ହୁଏତ କ’ଣ କହିବେ-ବା’ ନ କହିବେ ! ଏଭଳି ହାଲୁକା ଢଙ୍ଗରେ କଥାଟାକୁ ପାତନ ପବନରେ ପହରେଇ ଦେଇ ସମସ୍ତେ ମାଛିଅନ୍ଧାର ଭିତରକୁ ରାସ୍ତାଧରି ଓହ୍ଲେଇଗଲେ । ମୁଁ କେବଳ ଉପର ପାହାଚରେ ଏକୁଟିଆ ବସିରହିଲି । ଲିଭିଆସୁଥିବା ପୂର୍ବ ଦିଗନ୍ତରେ ଅର୍ଦ୍ଧ-ଆକାଶ ଯାଏଁ ଜାଈ କୁମ୍ଭାରୁଣୀ ଉଭାହୋଇ ରହିଲା ପରି ଦେଖାଗଲା । ଏତେ ବିପୁଳ ନାରୀତ୍ୱ; ଏତେ ଅସରନ୍ତି, କୂଳ ଭାଙ୍ଗି ଉଛୁଳି ପଡ଼ୁଥିବା ବାତ୍ସଲ୍ୟ ! –ଅଥଚ ସେ ଅନ୍ଧୁଣୀଟିଏ !–ଅପୁତ୍ରୀଟିଏ ! ସେ କେବଳ ମାଟିକୁ ମୁଠା ମୁଠା ଚକଟିବ, ତାକୁ ସାଉଁଳିବ, ଚିକଣେଇବ, ଖରା ଖୁଆଇବ, ପବନ ପିଆଇବ, ନିଆଁରେ ପୋଡ଼ି ଉଷୁମ କରିବ ! –ଘଡ଼ିଟିଏ ଉତାରିଲା ପରି ସେ ମଣିଷଟିଏ ଉତାରିପାରିଥାନ୍ତା ! –ମୋର ଅଜାଣତରେ ଲମ୍ବା ନିଃଶ୍ୱାସଟିଏ ବାହାରିଗଲା । ମୋ ଅଜାଣତରେ କେତେବେଳେ ତଳ ପାହାଚରୁ ଉଠିଆସି ଶଙ୍କର ମଉସା ମୋ ପାଖରେ ବସିଯାଇଥିଲେ ।

 

‘‘ସମସ୍ତଙ୍କ ଆଗରେ ସବୁକଥା କୁହାଯାଏ ନାହିଁ ।’’

 

ଏତିକିରେ ମୁଁ କୃତ୍ୟକୃତ୍ୟ ବୋଧକଲି । ମଉସାଙ୍କ ନିର୍ବାଚିତ ଶ୍ରୋତା ହେବା କିଛି କମ୍‌ ଯୋଗ୍ୟତା ନୁହେଁ । ମୋ ଭଳି ସେ ଅନ୍ଧାରିଆ ପୂର୍ବ ଦିଗନ୍ତକୁ ସ୍ଥିର ଦୃଷ୍ଟିରେ ଚାହିଁରହିଲେ । ତାଙ୍କୁ କ’ଣ ଦିଶିଲା କେଜାଣି ! –ସେ ତାଙ୍କ ଢଙ୍ଗରେ, ଖୁବ୍‌ ଧୀରେ ଅଥଚ ପ୍ରାଞ୍ଜଳ ଭାବରେ ମନକୁ ମନ କଥା ହେଲା ପରି କହିଲେ-

 

‘‘ଜାଈର ରୂପ ତ ଅଲୌକିକ; ହେଲେ ସେଇଟା ତାର ପରିଚୟ ନୁହେଁ । ସେ କୁଆଡ଼େ ଅପହଞ୍ଚ ପାହାଡ଼ ମୁଲକରୁ ଆସିଛି । କିଏ କହିବ ସେ ରାଜକନ୍ୟା ନୁହେଁ ବୋଲି ! ତାର ଢଙ୍ଗଢାଙ୍ଗ, ଚାଲିଚଳଣ, ତା ଠାଣି, ତା ଗଉରବ କହିଦେଉଛି ସେ ଅଭିଜାତ-ସମ୍ଭବା । ମୁଁ ଅନେକଙ୍କୁ ପଚାରିଛି; କେହି କହିପାରିନାହାନ୍ତି । ମୋର ମନେହେଲା ଯେ, ଛଦ୍ମବେଶରେ ସେ ଏମିତି ଏଠି ଭ୍ରମୁଛି । ମୁଣ୍ଡିଆ ତଳେ କୁଡ଼ିଆ କରି ରହିଛି । କେହି ସେଠିକି ଯାଇନାହାନ୍ତି । ସମସ୍ତେ ଖାଲି ଜାଣିଛନ୍ତି ଯେ ସେ ନିକାଞ୍ଚନ ଥାନରେ କୁମ୍ଭାରୁଣୀ ଘଟିକଳସୀ ନିର୍ମାଣୁଛି । ଦୋବାଟିଆ ପାଖରେ ଆଣି କୁଢ଼େଇଦେଲେ ଯେ ଯାହାର ସବୁ ବାଣ୍ଟି ନେଉଛନ୍ତି । ମାଇକିନିଆମାନେ ତାକୁ ଅସୁରୁଣୀ ଡାଙ୍କିନୀ ପୁତଖାଈ କହି ଡରିଲେଣି । ପିଲାଙ୍କୁ ଡରେଇଦେଲେଣି । କଞ୍ଚା ମାଉଁସ ଖାଇ ଖାଇ ସେ ହେମିତି ପର୍ବତ ପରି ହେଇଚି ବୋଲି ମଧ୍ୟ ଅପବାଦ କଲେଣି; କିନ୍ତୁ ତାକୁ ଦେଖିଲେ ବୁଝିବା ଲୋକ ବୁଝିଯିବ ଯେ ଏସବୁ ମିଛ ।’’

 

ମୁଁ ତାକୁ ଦେଖୁ ଦେଖୁ ଭାବିଥିଲି ଯେ ମା’ ହେବ ତ ଏମିତି ହେବ । କେଡ଼େ ଚିକ୍‌କଣ, କେଡ଼େ ନରମ, କେଡ଼େ ବିପୁଳାୟତନ ମା’ଟିଏ । ଆଃ, ମୋ ଭିତରେ କେମିତି ଗୋଟାଏ ପୁଲକ ଜାତହେଲା । ମୁଁ ଦେଖିଲି ଯେ ମୋ ଆଡ଼କୁ ମୁହଁ ବୁଲେଇ ଜାଈ କୁମ୍ଭାରୁଣୀ ଅଳ୍ପ ହସିଦେଲା ! ସେ ମୋ ମନକଥା ଜାଣିଲା କେମିତି ? –ମୁଁ ତା’ ରୂପକୁ, ତା’ ମୁହଁକୁ, ତା’ ମୁଣ୍ଡ ଉପରେ କୁଣ୍ଡିକାଞ୍ଚିର ପର୍ବତ ପରି ବୋଝକୁ ଚାହିଁରହିଥାଏ । ସେ କେତେବେଳେ ସେଇଠୁ ଘୁଞ୍ଚିଗଲା, ଜାଣିପାରିଲି ନାହିଁ । ମୋର ମନେହେଲା, ମୁଁ ସେତିକିରେ କିଣିହୋଇଗଲି ।’’

 

‘‘ଇଏ କେବକା କଥା ମଉସା ?’’

 

‘‘କିରେ, ବୁଦ୍ଧିଆ ଟୋକା ହୋଇ ଏମିତି କଣ ପଚାରୁଛୁ ? କୋଉ କାଳର ହେଲେ ମଧ୍ୟ କଥା ତ ସେଇଆ ! ମନେକର, କାଲିକାର । ଏଣିକି ଅସଲ କଥା ଆସୁଚି, ମଝିରେ ଏମିତି ଭଣ୍ଡୁର କରିବୁନାହିଁ ।’’

 

ଶାସିତ ଶିଶୁଟିଏ ପରି ମୁଁ ନିସ୍ତବ୍‌ଧ ହୋଇଗଲି । ଅନେଇଲି ମଉସାଙ୍କ ମୁହଁକୁ । ସେ ମୋ ଆଡ଼େ ଚାହୁଁ ନ ଥାନ୍ତି । ସେ ସେଇ ପୂର୍ବଦିଗଟାକୁ ଚାହିଁ ରହିଥାନ୍ତି । ସେ ସାରା ଅଞ୍ଚଳ ସେତେବେଳକୁ କିଟିକିଟି ଅନ୍ଧାର । ଆକାଶରେ ଅସଂଖ୍ୟ ତାରା । ପବନ ପଡ଼ିଥାଏ ଦକ୍ଷିଣା ।

 

.....‘‘ମୁଁ ସ୍ଥିରକଲି, ଜାଈ ପଛେ ପଛେ ତା ମୁଣ୍ଡିଆତଳ କୁଡ଼ିଆଯାଏଁ ଯିବି । ସେଇଠି ତା’ କୁମ୍ଭାରୁଣୀପଣ ଦେଖି ଆସିବି । ମନକୁ ପାପ ଛୁଉଁଥାଏ । ଡର ମାଡ଼ୁଥାଏ । ସେତିକିବେଳେ ଖାଲି ତା’ର ସେ ହସଟିକୁ ମନେପକେଇ ଦେଇ ପୁଣି ସ୍ଥିର ହୋଇଯାଉଥାଏ । –ଶେଷକୁ ତା’ ଅଜାଣତରେ ତା’ ପିଛା କରିବାକୁ ସ୍ଥିର କଲି । ମୋର କିନ୍ତୁ କେମିତି ମନେହେଲା ଯେ ସେ ସବୁ ଜାଣିପାରୁଚି । ମୁଁ ଏମିତି ଯିବି ବୋଲି ମଧ୍ୟ ସେ ଜାଣିଯାଇଛି । ....

 

‘‘ମୁଁ ଖଣ୍ଡେଦୂର ପଛରେ ରହି ଚାଲିଥାଏ । ଉଦୁଉଦିଆ ଦି’ପହର ସମୟ । ହଳ ଲେଉଟାଣି ତୋରାଣିପିଆ ବେଳ । ଜାଈ ତାର କୁଣ୍ଡି, କାଞ୍ଚି ବେତା ମୁଣ୍ତେଇ ତାଳଗଛ ପରି ଦିଶୁଥାଏ । ତା’ ଢଙ୍ଗରେ ସେ ଅତି ଧୀରେ ପଲାସି ଯାଉଥାଏ । ତା’ର ଖୋଜେକୁ ମୋର ଚାରି ପାହୁଣ୍ଡ ନଅଣ୍ଟ ଜଣାପଡ଼ୁଥାଏ । ମନେ ହେଉଥାଏ ସେ ଅତି ବେଗରେ ମୋ’ଠାରୁ ଦୂରେଇଯାଉଛି-। ...ଖରାରେ ଗଛପତ୍ର ଝଲମଲ ଦିଶୁଥାଏ । ବାଲି ଉପରେ ଦୂରରେ ପାଣି ଛଳଛଳ ଦିଶି ଲିଭିଯାଉଥାଏ ।

 

ମୁଁ ଦେଖିଲି ଯେ ଜାଈ ଥମିଗଲା । ମୁହଁ ପଛକୁ ବୁଲେଇ କାନ ଡେରିଲା । ପାଏ ବାଟରୁ କାଳେ ମୋ ନିଃଶ୍ୱାସ ବାରିବାକୁ ସେ ଚେଷ୍ଟାକଲା । ସେଇଠୁ ପୁଣି ଆଗଭଳି ଚାଲିଲା । ସତ କି ଭ୍ରମ ମୁଁ କହିପାରିବି ନାହିଁ; ମୋତେ ଲାଗିଲା ଯେ ତା’ ପାଦ ଆଉ ଭୂଇଁରେ ପଡ଼ୁନଥିଲା । କେମିତି ସେ ତାତିଲା ବାଲି ଉପରେ ପାରିହୋଇ ଯାଉଥିଲା ? ମୁଁ ପାରୁପର୍ଯ୍ୟନ୍ତ ଗୋଡ଼େଇଥାଏ ଅନେକ ପଛରେ, ମୋର ଝାଳ ଫିଟିଯାଉଥାଏ । ଜିଭ ଭିଡ଼ି ନେଉଥାଏ ଶୋଷରେ ।

 

‘‘ସେଇଠି ପହଞ୍ଚିଲାବେଳକୁ ମୁଣ୍ଡିଆର ବାଙ୍ଗୁରା ଛାଇଟିକୁ କୁଡ଼ିଆକୁ ଯୋଡ଼େଇ ସାରିଥାଏ । କୁଡ଼ିଆକୁ ଘେରି ବିଶାଳ ବିଶାଳ ଗଛ । ମୁଁ ଗୋଟିଏ ଗଛ ଆଢ଼ୁଆଳରେ ଛପିଗଲି । ଅନେଇଲି ଆଗକୁ ।

 

‘‘ଜାଈ ବୋଝଟାକୁ ଥୋଇଦେଲା । ଭିତରୁ ହାଣ୍ଡିଟିଏ ଟେକିଆଣି ସେଥିରେ ମୁହଁ ଲଗେଇଦେଲା । ସେଇଟା ପାଣି କି ତୋରାଣି ମୁଁ ଜାଣିପାରିଲିନାହିଁ ! ଓଃ, କି ଶୋଷ ତାକୁ ! ପିଇସାରି ସେ ସ୍ଥିର ଭଙ୍ଗୀରେ ଆଗକୁ ମୁହଁ ଟେକି ରହିଲା । ମୁଁ ତାକୁ ଅନେଇ ରହିଲି । କି ବିଶାଳ ନାରୀରୂପ ସେ; କିନ୍ତୁ କି ସୁନ୍ଦର ଚିକ୍‌କଣ କଳାଭଅଁର ମୂର୍ତ୍ତି । ମୋର ମନେହେଲା ସାଧାରଣ ଅଣ୍ଡିରାଟାଏ ପଡ଼ିଗଲେ ତାକୁ ସେ ବାହୁରେ ପୁରେଇ ପେଷିଦେଇପାରେ । ଚାହିଁଲେ ବାଘଟାକୁ ମାଡ଼ିବସି ମାରିଦେଇପାରେ । କି ଅଦ୍ଭୁତ ଶକ୍ତି ତା’ର ସେ ବାହୁରେ, ବୁକୁରେ ଏବଂ ସେ ବର୍ତ୍ତୁଳ ଜଙ୍ଘମାନଙ୍କରେ । ମୋ ବୁକୁ ବାଡ଼େଇ ହେଉଥାଏ । ଜାଈ ଆଣ୍ଠୁରେ ହାତ ଭରାଦେଇ ଉହୁଁକି ଠିଆହେଲା । କୁଡ଼ିଆ ଭିତରକୁ ନଇଁଲା ପରି ପଶିଗଲା ।

 

‘‘ମୁଁ ଆଉ ସେ ଯାଏଁ ଯିବାକୁ ସାହସ କଲିନାହିଁ । ଭଲ କଲି । ନହେଲେ ଅଖଡ଼ରେ ପ୍ରାଣ ବାହାରିଯାଇଥାନ୍ତା । ଶୁଣ, କହୁଛି କଣ ହେଲା ।’’

 

ଶଙ୍କର ମଉସା ଆହୁରି ନିବିଡ଼ଭାବରେ, ଅନୁଭବିଲା ପରି କହିଲେ-‘‘ମୁଁ ଅନେଇଥାଏ ସେ ଅଗଣାଟାକୁ । ଗଢ଼ାହୋଇ ଶୁଖୁଥିବା ଅସଂଖ୍ୟ ଛୋଟ ବଡ଼ ହାଣ୍ତି । ତା’ ପାଖକୁ ଥକାମାରି ରଖିଥିବା ମଣିଷେ ଉଞ୍ଚରେ ଚେକା ଚେକା କଞ୍ଚା ମାଟି । ଅଳ୍ପ ଖାଲ ଭିତରେ ରେଳଇଞ୍ଜିନ ଚକପରି ସେ ପ୍ରକାଣ୍ଡ କୁମ୍ଭାରଚକ । ଏଡ଼େ ବଡ଼ ଯନ୍ତ୍ର କୋଉଠି ଆଉ କିଏ ବୁଲେଇପାରେ ବୋଲି ମୋର ବିଶ୍ୱାସ ନାହିଁ । କେବଳ ସେଇ କିରାତିନୀ ତା’ର ସେ ଅଘା ଭୁଜଦଣ୍ଡରେ ତାକୁ ବୁଲେଇପାରେ । ସେ ପାହାଡ଼, ସେ ସବୁ ବୃଷାଳ ଗଛ, ଗଦା ଗଦା ହାଣ୍ଡି ମାଠିଆ ସବୁ ଯେମିତି ମୋତେ ଅକୁଳାନ ବୋଧ ହେଲେ ! ମୋ ମାପ, ମୋ ଆୟତ୍ତର ସେ କେହି ନୁହନ୍ତି । ମୁଁ ଭୁଇଁକୁ ଲାଗି ଠିଆହୋଇଥିବା ପାତି ବାମନଟିଏ ।’’

 

ଶଙ୍କର ମଉସା ସତକୁ ସତ କିନ୍ତୁ ସେମିତି ନୁହନ୍ତି । ଖୁବ୍‌ ଗୁଡ଼ାଏ ଉଞ୍ଚ ନହେଲେ ସୁଦ୍ଧା ପିଟଣାପରି ନିଦା ଚଉରସ ମଣିଷ । ସେ ତାଙ୍କ ଅନୁଭବରେ ସେତେବେଳେ ବୋଧହୁଏ ସାଙ୍କୁଡ଼ି ଯାଇଛନ୍ତି । ନହେଲେ ସଞ୍ଜ ଅନ୍ଧାରରେ କାହିଁକି ମୋତେ ମଧ୍ୟ ସେଇଭଳି ଲୋଚା ଦେଖାଯାଇଥାନ୍ତେ ?

 

‘‘ବୁଝିଲୁ ପୁଅ’’–ମଉସାଙ୍କ ସ୍ୱର ଆହୁରି ବାହାରିଆ-‘‘ଏତିକିବେଳେ ଜାଈ ସେ କୁଡ଼ିଆ ଭିତରୁ ନଇଁନଇଁ ବାହାରିଆସିଲା । ବୁକୁପାଖରେ କଣଟାଏ ଜାକିଧରିଥାଏ । ଅତି ଯତ୍ନରେ ଥନ ଉପରେ ମଡ଼େଇ ରଖିଥାଏ । ପିଣ୍ଡାରେ ଆଣି କାନ୍ଥ ଆଉଜା ଦେଇ ଯେତେବେଳେ ସେ ତାକୁ ଥୋଇଲା, ମୁଁ ଚମକି ପଡ଼ିଲି । ମୋତେ ଦିଶିଲା ଦାଉଦାଉ ଝଟକିଲା ପରି ଦୁଇଟା ଆଖି । ପୁରୁଷ ମୁହଁଟିଏ । ଅତି ସୁନ୍ଦର ଗଢ଼ିଲା ପରି ମୁହଁ । ବୁକୁଟା ଓସାର; ଝଟଝଟ ଗୋରା । ମୁହଁ ସେଇ ବୁକୁ ଉପରେ ଆସି ଥୋଇ ହୋଇଥାଏ । କିନ୍ତୁ ଆଉ କିଛି ନାହିଁ । ହାତ ଗୋଡ଼ ସରୁ ସରୁ ବଳିତାପରି, ଶୁଖିଲା ମୁରୁକୁଟିଆ ଡାଳ ପରି ଓହଳିପଡ଼ିଥାଏ । ନାଁକୁ ଖାଲି ହାତଗୋଡ଼ର ଚିହ୍ନମାତ୍ର । –ନିପଟ ଅଥର୍ବ ପଙ୍ଗୁଟିଏ ! ତା’ ଆଖି ଯୋଡାକରେ ସେ ଜୀଇଁଥାଏ । ଚାହାଣିରେ ସେ ବ୍ରହ୍ମାଣ୍ଡ କଳିଦେଉଥାଏ । ବିଜୁଳି ପରି ତା’ ଡୋଳା ବୁଲିଆସୁଥାଏ ଦଶଦିଗ । ଗଛ ପଛଆଡ଼େ କାଠହଣା ଚଢ଼େଇ ପରି ଥଣ୍ଟ କାଢ଼ି ମୁଁ ଠିଆହୋଇଥିବାବେଳେ ସେ ମୋତେ ଦେଖିଦେଇଥିବ ନିଶ୍ଚେ । ମୁଁ କିନ୍ତୁ ଆଢ଼ୁଆଳକୁ ଘୁଞ୍ଚିଗଲି ନିମେଷକରେ । ମୋତେ ଦେଖିଲା ସେ । ଶିମୁଳି ଗଛର ବାରହାତ ଗଣ୍ଡି ଭେଦି ତା ଦୃଷ୍ଟି ମୋ ଦେହରେ ବାଜୁଛି । ମୋ ପିଠି ଉଷୁମ ଲାଗୁଛି । ଝାଳେଇଯାଉଛି । ଗୋଟିଏ କେଉଁଠି ଅତର୍କିତ ହାବୁଡ଼ିଗଲାପରି ମୋତେ ଡର ଡର ମାଡ଼ୁଥାଏ । କାହିଁକି କେଜାଣି ମୁଁ ଜାଈକୁ ଏକୁଟିଆ ବୋଲି ଭାବୁଥିଲି । ଆଉ ମଧ୍ୟ କେହି ଏ ଯାଏଁ ଜାଣିନାହାନ୍ତି ଯେ ତା’ ସାଙ୍ଗରେ ସେଇଠି ଆଉ ଜଣେ ଅଛି ବୋଲି । ସେ ପୁରୁଷଟା କ’ଣ ତା ଗେରସ୍ତ ? ଏତେ ବଡ଼ ମାଇପିଟିକୁ ସେପରି ପଙ୍ଗୁ ପୁରୁଷଟିଏ ? –କି ଭାଗ୍ୟ ହୋ ! ମୋ ମନ କାହିଁକି କୋରିହୋଇଗଲା । ବିଚାରା ଜାଈ ପାଇଁ କେମିତି ଗୋଟାଏ କୋହ ଉଠିଲା ଭିତରୁ । କ’ଣ କରାଯାଏ ? –ବିଧାତା ବିଚାରକୁ ମଣିଷ କ’ଣ ଆନ କରିପାରେ ।

 

‘‘ମୁଁ ଗୋଟିଏ ଗଳି ଚାହିଁଦେଲି । ଜାଈ ତା’ ଛୋଟ କସ୍ତାଟିକୁ ଦେହ ବୁକୁରୁ ଖସେଇଆଣି ଅଣ୍ଟାରେ ଚଉରସ କରି ଗୁଡ଼ାଇଥାଏ । ତାର ଦୁଇହାତ ଓସାର ବୁକୁ ଉପରେ ଚକି ପୋଡ଼ ଖାଉଥିବା ଦୁଇଟି କ୍ଷୀରସିଝା ହାଣ୍ଡି ଉବୁଜେଇହେଲା ପରି ତା ଥନଭାର । ଜଙ୍ଘରୁ ଅଧେ ଘୋଡ଼େଇ ହୋଇଥାଏ; ବାକି ଅଧକ ଫୁଙ୍ଗୁଳା । ଫୁଙ୍ଗୁଳା ଡେଣା, ଫୁଙ୍ଗୁଳା ଗୋଡ଼ପେଣ୍ଡା । ମୁଁ ଖାଲି ଭାବୁଥାଏ ଯଦି ଏତେ ରୂପ ଅନୁପାତରେ ସେ ଖାଲି ଆକାରରେ ଅଧେ ହୋଇଥାନ୍ତା ! –କିମ୍ବା ତା’ଠୁ ଆଉ ମୁଠୁଣିଏ ଉଞ୍ଚଗୋରା ତକତକ ଅର୍ଘା ପୁରୁଷଟିଏ ତାକୁ ଆବୋରିଲା ପରି ଠିଆହୋଇଥାନ୍ତା !

 

‘‘ଏମିତି ଭାବୁଥାଏ । କଥା ଶୁଭିଲା, ‘ଶୁଣ୍ଢିପୁଅ ପାଇଁ ପିମ୍ପା ଗଢ଼ିବୁ ପରା ! ଏକାଥରକେ ଗଢ଼ି ଥୋଇଦେ । ତା’ ଉତ୍ତାରୁ ପଖାଳ ଖାଇବା । ଆଜି ତ ସହଳ ହେଇଚି !’

 

‘‘ସ୍ୱରରୁ ଜଣାଯାଉଥାଏ ଯେ ସେ ହିଁ ଜାଈର ମାଲିକ; ତା ଉପରେ ରାଜୁତି କରୁଥିବା ଖାଉନ୍ଦ । ଜାଈ ପୁଣି ଏ ଅଚଳ ଗରିଣ୍ଡାଟା ପାଖରେ ଏମିତି ଦାସୀ ପରି ଖଟୁଛି ? କାହିଁକି ? କେଉଁ ଗୌରବ ଭଲା ସେ ତା’ଠାରୁ ପାଉଛି ? ଏ ବିଫଳ ଘଇତାପଣକୁ ନେଇ କ’ଣ ତା’ଭଳି ନାରୀ ସନ୍ତୁଷ୍ଟ ରହିପାରେ ? ମୋର ମନହେଲା ପାଟି ଫିଟେଇ କହିଦେବାକୁ ଯେ କେତେବେଳୁ ଛାଇ ଲେଉଟିଗଲାଣି । ଜାଈ ଚୌଦଖଣ୍ଡ ଗାଁରେ କୁଣ୍ଡି, କାଞ୍ଚି ବିକି ବିକି ହାଲିଆ ହେଇ ଫେରିଛି । ବାଟରେ ଡହଡ଼ହ ଖରା; ଡହଡ଼ହ ବାଲି । ଶୋଷରେ ତା’ ଜିଭ ଭିଡ଼ିନେବାରୁ ସେ ହାଣ୍ତିଏ ପାଣି ଏକାନିଃଶ୍ୱାସକେ ପିଇପକେଇଲା, ମୁଁ ଦେଖିଛି । ବିଚାରୀ କଣ ପଖାଳପାଣି ମୁନ୍ଦାଏ ପିଇ ଟିକିଏ ବିଶ୍ରାମ କରନ୍ତାନାହିଁ ? ତୁ’ଟା ଗୋଟାଏ ଅଣପୁରୁଷିଆ ପଙ୍ଗୁ । –ତୁ କ’ଣ ଜାଣୁ ପରିଶ୍ରମ କଲେ କେମିତି ଲାଗେ ? କିନ୍ତୁ ଜାଈ ଖିଲ୍‌ ଖିଲ୍‌ ହସିଲା । କହିଲା, ‘ଶୁଣ୍ଢିପୁଅ କ’ଣ ଜାଣେ ? ଏବେ ତ ସମସ୍ତେ ଖାଲି ମାଗୁଛନ୍ତି ପିମ୍ପା ଦିଅ, ପିମ୍ପା ଦିଅ । ପିମ୍ପା ଗଢ଼ିଦେଲେ ସେଥିରେ ସେମାନେ ମଦ ଭର୍ତ୍ତିକରିବେ । ସମସ୍ତେ ପିଇବେ । ଗୀତ ବୋଲିବେ, ନାଚିବେ ।’ ଏତକ କହିଦେଇ, ପୁଅ, ସେ ତ ତାଳି ମାରି ନାଚିଲା ପିଲାଙ୍କପରି । ହସି ହସି ଲୋଟିଯାଉଥାଏ । ଦୁମ୍‌ଦୁମ୍‌ ଡେଉଁଥାଏ । ଭୂଇଁ ଦୁଲୁକୁଥାଏ । ଶିମୂଳିଗଛର ଚେର, ତା ମର୍ମ ଫଡ଼କୁଥାଏ । ଜାଈର ଜାନୁ, ଜଙ୍ଘ, ଥନ କମ୍ପୁଥାଏ ଥରଥର ହୋଇ । ମୋତେ ପୁଅ, ବାହାରପାଣି ଦେଖେଇଲା । ମୋ ଦେହ ଥରିଲା ଗୋଟାପଣେ । କି ସେ ଦୃଶ୍ୟ ! ପିଣ୍ଡା ଉପରୁ ସେ ଆଖିହଳକ ସବୁ ଦେଖୁଥାଏ, ଅଳ୍ପ ହସୁଥାଏ ନିଃଶବ୍ଦରେ ! କହିଲା, ‘ହେଲା, ହେଲା । ଏମିତି କାହିଁକି ଗୁଡ଼ାଏ ଉତୁରୁଛୁ ? ଯା’ ଚକ ପାଖକୁ ।’

 

‘‘ଜାଈ ବୋଲ ମାନି ଲାଜେଇଲା ପରି ଚକ ପାଖରେ ପହଞ୍ଚିଲା । ତା’ ପାଦ ଥାପିଲାବେଳେ ସେ ବାରିଦେଉଥିଲା ତା’ ଭୂମିକୁ । ପାଦରେ ସେ ଦେଖୁଥିଲା ଉଚ୍ଚ ନୀଚ, ବାଁ ଡାହାଣ ! ଚକ ପାଖରେ ଦୁଇ ଗୋଡ଼ ଓସାରି ସେ ଠିଆହେଲା, ଚକ ଶରଣ ପଶିଲା ତା’ ପାଦମୂଳେ । ଜାଈ ନଇଁପଡ଼ି ଅରଗୁଡ଼ିକୁ ଆଉଁସିଲାପରି ହାତ ମାରିଦେଲା । ମନ୍ତ୍ର ପଢ଼ି ଜୀବନ୍ୟାସ ଦେଲା ପ୍ରାୟ ମୋତେ ଲାଗିଲା । ତା’ ଉତ୍ତାରୁ ତ ପୁଅ ! ସେ ହାତ ଲମ୍ବେଇ ଦୂରରେ ଥିବା ଅରଟାକୁ ତା’ ପାଖକୁ ଓଟାରିଆଣିଲା । ଦୁଇ ହାତରେ, ବିଜୁଳିବେଗରେ, ମହାବିକ୍ରମରେ ଭିଡ଼ିଲା ସେ ଅରମାନଙ୍କୁ । ଚକ ବୁଲିଲା ରାଇଁ ରାଇଁ । ଜାଈର ବାଳଗଣ୍ଡାକ ମୁକୁଳିଗଲା । କାନ୍ଧ ପାଖରୁ ଅସଂଖ୍ୟ ହାତ ଚକ୍ରାକାର ବୁଲିଲାପରି ଦିଶିଲା । ଅଣ୍ଟାରୁ ଉପରକୁ ଗୋଟାଏ ବୃତ୍ତ ଛନ୍ଦରେ ଚକ ଉପରେ ଲପଲପ ହୋଇ ତଳ ଉପର ହେଲା । ଚକ ସାଙ୍ଗରେ, ତା’ ଅସଂଖ୍ୟ ବାହୁ ସାଙ୍ଗରେ ବୁଲିଲା ଏ ସସାଗରା ପୃଥ୍ୱୀ । ମୋ ମୁଣ୍ଡ ବୁଲେଇଦେବାରୁ ମୁଁ ଆଖି ବୁଜିଦେଲି । ଚକର ସାଇଁ ସାଇଁ ଶବ୍ଦ କାହିଁ କୋଉ ଭିତରୁ ପାହାଡ଼ ଗର୍ଭରୁ ଗୁମୁରିଲା । ଜାଈର ଜଠର ଭିତରେ ସେ ପ୍ରକାଣ୍ତ ଚକ ବୁଲୁଥିଲା କି ? ସେ ବାହୁବଳରେ ତାକୁ ତା’ ଗର୍ଭକୁ କ୍ଷେପିନେଇଗଲା କି ? ଚକର ଗାଉଁ ଗାଉଁ ଶବ୍ଦରେ ସବୁ ଦୁରୁଦୁରୁ କମ୍ପିଲା । ଗଛ ଭୂଇଁ ମୋ ହାଡ଼ପଞ୍ଜୁରି ନାଡ଼, ରକ୍ତ, ମାଂସ ଥରଥର ହେଲା । ମୁଁ ପୁଣି ଚାହିଁଲି । ଜାଈ ସେମିତି ଲଇଁରହିଥାଏ । ବେଗ ହେତୁରୁ ଏଡ଼େକ ଚକ ସ୍ଥିର ଚିତ୍ରଟିଏ ପରି ଦିଶୁଥାଏ । ତା’ ମଙ୍ଗ ଦିଶୁଥାଏ ଧୂଆଁଳିଆ । ମୋ ଆଖିରେ ପଲକ ପଡ଼ୁନଥାଏ । ମୋ ଅନ୍ତନାଡ଼ି ଦୁଲୁଦୁଲୁ ହେଉଥାଏ । ସେ ଭିତରେ ଚକଟାଏ ବୁଲୁଥାଏ । ଗଛ ଭିତରେ, ପାହାଡ଼ ଭିତରେ ସେମିତି ଅସଂଖ୍ୟ ଚକ ବୁଲିଲାପରି ଶବ୍ଦ ହଉଥାଏ ।

 

ପିଣ୍ଡାରୁ ଶୁଭିଲା-‘ହଉ ହେଲା, ଏଣିକି ମାଟି ମଡ଼େଇ ଦେ’ । ସେତିକିରେ ସେ ଗହଳି ଭିତରୁ ମାତ୍ର ଯୋଡ଼ିଏ ହାତ ଗୋଟେଇ ଆଣି ଟଳିଲାପରି ଠିଆହେଲା ଜାଈ । ଆଖି ନ ଥିବା ମୁହଁ ଉପରେ ଅଲରା ବାଳ ଅଜାଡ଼ି ହୋଇ ପଡ଼ିଥାଏ । ତା ବୁକୁ, ପେଟ ଉଠୁଥାଏ ଭାରି ନିଃଶ୍ୱାସରେ । ଝାଳ ଛିଡ଼ି ପଡ଼ୁଥାଏ ମୁହଁ ଉପରେ । ବେକ ବୁକୁ ଦେଇ ନିଗିଡ଼ି ଯାଉଥାଏ ଧାର ଧାର । ଜାଈ ଦାନ୍ତ ଦେଖେଇ ହସିଲା । ଅଦ୍ଭୁତ ଗେରସ୍ତ-ସୁଆଗରେ ଜୁଡ଼ୁବୁଡ଼ୁ ଲତପତ ମାଇପିଟିଏ ! ସେ ହସ, ପୁଅ, ମୁଁ କୋଉଠି ଦେଖିନାହିଁ ! କେମନ୍ତ ନିଜକୁ ସମର୍ପିଦେଲାପରି, ନିଆଁକୁ ହଁ, ପାଣିକୁ ହଁ କଲାପରି ସେ ହସ !! ପିଣ୍ଡାରେ ଥାଇ ସେ ତାକୁ ଶାସନ କରୁଥାଏ । ସେ ମଧ୍ୟ ନିଃଶବ୍ଦରେ କେମିତି ପ୍ରାଣ ଉଛୁଳିଲା ପରି ହସୁଥାଏ । ତା’ ଢଙ୍ଗ ଦେଖି ତ ମୁଁ ଅବାକ୍‌ ! ଆରେ ସେ କ’ଣ ଖାଲି ପଙ୍ଗୁ ପୁରୁଷଟିଏ ? ତା’ ହସ, ତା’ ଚାହାଣିରେ ସେ ଜାଈକୁ ଆବୋରି ରଖିଥାଏ । ଜାଈର ଅଙ୍ଗ ତା’ ଅଙ୍ଗ-! ଜାଈର କମ୍ପ ତା’ କମ୍ପ, ତା ହସ, ୟା ହସ ଗୋଟିଏ । ସେ ଆଖିହଳକ ଜାଈ ମୁହଁ ଉପରେ ଯୋଖିହୋଇ ଯାଉଥାଏ । ....କେମିତି ଗୋଟାଏ ଏକାକାର ହେଲାପରି ଲାଗିଲା । ଭାବିଲି ଗେରସ୍ତ ହେବ ତ ଏମିତି ହେବ ! ସେଇଠୁ ଦାଉଁକିନା ମନେପଡ଼ିଗଲା ଯେ ସେଇଟା ପଙ୍ଗୁଟାଏ ! ଜାଈ ଅନ୍ଧୁଣୀଟିଏ । ମୋ ଭିତରେ ପୁଣି ପୁରୁଣା ଦୁଃଖ ଛଟପଟ ହେଲା ।

 

‘‘ଜାଈ ସେଇଠି ଠିଆ ହୋଇ ହାତ ବଢ଼େଇଲା ମାଟି ଚେକାଉପରକୁ ! ହାତରେ ଛୁଇଁଗଲା, ବୁଝିଗଲା, ଶୋଇଥିବା ମାଟିପିଣ୍ତଗୁଡ଼ିକୁ ସଲ୍‌ ସଲ୍‌ କରି ସେମାନଙ୍କ ନିଦ ଭାଙ୍ଗି ଦେଲା । ଠାରିଲା ପରି ସେମାନଙ୍କୁ ଡାକିଲା ନାଁ କ’ଣ !

 

‘‘ଉପର ଚେକା କାଢ଼ିଦେ । ସେଇଟା ମଲାମାଟି । ସେଥିରୁ ପାଣି ନିଗିଡ଼ି ଯାଇଛି ।’ ...ତା’ ତଳ ଚେକାଟିକୁ ଜାଈ ଦୁଇ ହାତରେ ପିଲା ଖେଳେଇଲା ପରି ଡିଆଁଇଲା । ନଦ୍‌କିନା ପକେଇଦେଲା ଚକର ନାହି ଉପରେ । ଆଉରି ଗୋଟାଏ ଚେକା ସେମିତି ପକେଇଲା । ଯାଆଁଳା ମାଟିପିଣ୍ଡ ଯୋଡ଼ିକ ଚକ ଉପରେ ଘିରିଘିରି ବୁଲିଲେ । ପାଖ କୁଣ୍ଡରୁ ଆଞ୍ଜୁଳାଏ ପାଣି ନେଇ ଜାଈ ମାଟି ଉପରେ ଛପେଇଦେଲା । ହାତ ମଡ଼େଇବାରୁ ପଚ୍‌ପଚ୍‌ ଶବ୍ଦ ହେଲା । ଚିକ୍‌କଣ ଚିକିଟା ଅଠାଳିଆ ଶବ୍ଦ । ଜାଈ ଆଞ୍ଜୁଳା ପାଣି ପକେଇ ମାଟିପିଣ୍ଡଟିକୁ ସାଉଁଳି ଆଣୁଥାଏ । ପାଣି କାଦୁଅ ଚିଟ୍‌ଚିଟ୍‌ ଛିଟିକି ଆସୁଥାଏ ତା’ ଉପରକୁ । ପିଣ୍ଡା ଉପରୁ ଆଖିଯୋଡ଼ିକ ସ୍ଥିରହୋଇ ଅନେଇଥାନ୍ତି । ମଝିରେ ମଝିରେ ଖାଲି ହୁଙ୍କାରିଲା ପରି ଶବ୍ଦ ଶୁଭୁଥାଏ । ସେଇଟା ବୋଧହୁଏ ଜାଈ ଶୁଣିବାକୁ ଚାହୁଁଥାଏ । ଚକକୁ ବୁଲେଇ ଦେଇ ତା’ ନାହି ଉପରେ ପୁଣି ପାଣିହାତ ମଡ଼େଇ ଦେଉଥାଏ । ଦୁଇ ହାତରେ ମାଟିର ମଙ୍ଗକୁ ତୋଳି ଆଣୁଥାଏ । ପୁରୁଷ କମ୍ପୁଥାଏ; କହୁଥାଏ, ‘ମଝିରୁ ମାଟି ଟେକି ଆଣ ! ଆହୁରି ! ଆହୁରି !’ ଜାଈ ଶୁଣୁଥାଏ ପ୍ରତି ଲୋମକୂପରେ । ହାତରେ ଅନୁଭବ କରୁଥାଏ ମାଟିକୁ ଆଉ କଥାକୁ । ...‘ଇସ୍‌ ଗୋଡ଼ିଟାଏ !’ ସେ କହିଲାବେଳକୁ ଜାଈ ତା’ ହାତରେ ତାକୁ ଦେଖି ଫିଙ୍ଗି ସାରିଥାଏ । ପିଣ୍ଡାରୁ ସେ ଆଖିରେ ମାଟିକୁ ଛୁଉଁଥାଏ । ଜାଈ ତା’ ହାତରେ ମାଟିକୁ ଦେଖୁଥାଏ । ମାଟି ଲାଳିତ ହେଉଥାଏ ମଝିରେ । ଆଞ୍ଜୁଳା ଆଞ୍ଜୁଳା ପାଣିରେ ଚିକ୍‌କଣ ହୋଇ ଗଢ଼ିହେଉଥାଏ । ଦୁହେଁ ବିଭୋର ହୋଇ ଘଟ ଗଢ଼ୁଥାନ୍ତି । ମୋର ମନେହେଲା ଆଖିହଳକ ଅନ୍ଧୁଣୀର । ହାତ ହଳକ ପଙ୍ଗୁର । ସେ ଦୁଇଜଣ ଦୁଇ ନୁହନ୍ତି... ଏକ ।

 

‘‘ପିମ୍ପା ଗଢ଼ି ଉଠିଲା । ଆହୁରି ଚକ ବୁଲିଲା । କାଦୁଅରେ ଲଟପଟ ହେଲା ଜାଈ କୁମ୍ଭାରୁଣୀ । ଦୁଇ ପାପୁଲାରେ ଚିପିଲା ପରି, ଆଦରିଲା ପରି ସେ ଡାକି ଆଣିଲା ପିମ୍ପାର ମଙ୍ଗକୁ, ଉପରକୁ, ଆହୁରି ଉପରକୁ । ପେଟୁଆ ହୋଇ ଏଡ଼େ ବଡ଼ କୁମ୍ଭ ଠିଆହେଲା ଚକ ମଝିରେ । ଜକଜକ ଦିଶିଲା । ଜାଈ ଶେଷକୁ ତା’ ବେଢ଼ି ମୁହଁ ଗଢ଼ିଦେଲା । ପାଣିହାତରେ ଚିକଣେଇ ଦେଲା ପିମ୍ପାର ଅଙ୍ଗକୁ । ନାଳୁଆ ଚଟଚଟିଆ ଶବ୍ଦ ଆଉ ହେଲାନାହିଁ । ପିମ୍ପା ଭିଡ଼ିନେଲା ସବୁ ପାଣି । ପିମ୍ପା ଦେହ ମଣିଷ ଦେହ ପରି ଦିଶିଲା । ...ସେଇଠୁ ଏକ ବିଚିତ୍ର ଦୃଶ୍ୟ ଦେଖାଗଲା । ହାତ କାଢ଼ି ଜାଈ ଯେତେବେଳେ ଠିଆହୋଇଗଲା, ତା’ ଗୋଡ଼ ସେମିତି ଫରକଟେଇ ହୋଇ ରହିଥାଏ । ଚକ ସେମିତି ବୁଲୁଥାଏ । ମାତ୍ର ସେ ବିରାଟ ପିମ୍ପାଟା ଦିଶିଲା ଜାଈର ଓହଳି ରହିଥିବା ପେଟପରି । ଜାଈ ଦିଶୁଥାଏ ଗର୍ଭବତୀ ଆସନ୍ନପ୍ରସବା ! ସେଇ ପଙ୍ଗୁ ପୁରୁଷର ଇଚ୍ଛାରେ ସେ ଜନ୍ମଦେବ ଅସଂଖ୍ୟ ଘଟକୁ । ସବୁ ଘଟଗୁଡ଼ିକ ମେଲା-ସମସ୍ତଙ୍କ ମୁହଁ ଉପରକୁ । ସେମାନଙ୍କ ଗର୍ଭକୁ ଚାହିଁରହିଥିବ ପଙ୍ଗୁ-। ତା’ ଦୃଷ୍ଟି ଭରିରହିଥିବ ସେ ଘଟଗୁଡ଼ିକରେ ।

 

‘‘ବୁଝିଲୁ ପୁଅ ! ମୁଁ ଏମିତି ଅଭିଲା କଥାଗୁଡ଼ାଏ ଭାବିଗଲି । ମୋତେ ଲାଗିଲା ଯେ ପିମ୍ପା, ହାଣ୍ଡି, ମାଠିଆ, କୁଣ୍ଡି, କାଞ୍ଚି ସମସ୍ତେ ଜାଈର ଅସଂଖ୍ୟ ସନ୍ତାନ । କିଏ କହିଲା ଜାଈ ଫଳିନାହିଁ । ଜାଈ କୁମ୍ଭାରୁଣୀ ଭଳି ଆଉ କିଏ ଭଲା ଫଳିଛି ? ନହେଲେ କି ସେ ସେମିତି ଦିଶୁଥାନ୍ତା-ଯୁଆଡ଼ୁ ଦେଖିଲେ, ଯେବେ ଦେଖିଲେ ମା’ପରି ! ...ଆଉ ଶୁଣ୍‌ ! ମୁଁ ଭାବିଲି ଯେ ମୁଁ ନିଜେ ସେ ପରିବାରର ଜଣେ । ମୁଁ ବିଭୋର ହୋଇ ଭୁଲିଗଲି ବାକି ସବୁ ।

 

ମୋର ଚେତା ପଶିଲା ଯେତେବେଳେ, ପିଣ୍ଡାରୁ ଗୋଟାଏ ହେଣ୍ଟାଳ ପରି ଶବ୍ଦ ଶୁଭିଲା-। ମୁଁ ମୋ ଅଜାଣତରେ ଆଢ଼ୁଆଳରୁ ବାହାରି ଆସିଥିଲି । ବାଘୁଣୀ ପରି ଜାଈ କ୍ଷେପିଯାଇଥିଲା ପିଣ୍ଡାପାଖକୁ । ସେ ମୋ’ରି ଆଡ଼କୁ ଟେକି ଧରିଥିଲା ଗୋଟାଏ ତେଣ୍ଟା ! ବାବାରେ, ମୁଁ ତା’ର ସେ ରୂପ ଦେଖି ତାଟକା ! ସେ ବୋଧହୁଏ ବୁଝିଗଲା ଯେ କୌଣସି ବଣଜନ୍ତୁ ଆସିଗଲା । ସେ ତା’ ପଙ୍ଗୁ ଗେରସ୍ତକୁ ଆବୋରି ଠିଆହୋଇଥାଏ । କାଦୁଅ ସରସର, ଝାଳ ସରସର, ଅଧାନଙ୍ଗଳା, ମୁକ୍ତକେଶା ବିରାଟ କଳାଘୁମର ରୂପ ! ମୋ ମେରୁଦଣ୍ଡ ଠକ୍‌ ଠକ୍‌ ହୋଇ ଥରିଲା । ଯଦି ସେ ତେଣ୍ଟା ଛାଡ଼ିଦିଏ, ମୋତେ ନେଇ ମାଟି ସାଙ୍ଗରେ ଗୁନ୍ଥି ଦେବ !

 

ମୋ ତୁଣ୍ଡରୁ ଅକସ୍ମାତ୍‌ ବାହାରିଗଲା, ‘ମୋ ମା’ କିଲୋ !’ ଜାଈ ତଳେ ପକେଇ ଦେଲା ମୋ ଭାଇକୁ । ଚାରି ଖେପାରେ ଆସି ମୋତେ ଗୋଟେଇ ଧରିଲା । ‘କିଏ ? ସାଆନ୍ତ ପୁଅ ? ତେମେ କେମିତି ଏତେ ବାଟ ଆଇଲ ? ଆହା, ମୁଁ ମରିଯାଉଥେଟି !’ –ସେ ମୋତେ ତା’ ମାଟି ହାତରେ ମୁଣ୍ଡରୁ ଗୋଡ଼ଯାଏ ଆଉଁସିଗଲା । ମୁଁ ମାଟି ସଲବଲ ହୋଇ ଠିଆହୋଇ ରହିଲି । ଜାଈ ତା’ର ସେ ଥରଥର ଜୀଅନ୍ତା ହାତରେ ମୋତେ ଆଉଥରେ ଗଢ଼ିଦେଲା । ମୋତେ ଲାଗିଲା, ମୁଁ ତା’ ଚକ ଉପରେ ଗଢ଼ାହୋଇଥିବା ମାଟି ଘଟଟିଏ । ଉପର ଚିକ୍‌କଣ, ଭିତର ମେଲା । ମୋ ମୁହଁ ଉପରକୁ ! ମୁଁ ନିଶ୍ଚଳ ହୋଇଗଲି । ଜାଈର ଆଉଁସା ଖାଇ ନିଶ୍ଚିତ ହୋଇଗଲି । ମୋର ସବୁ ଅବୟବ କୁଆଡ଼େ ଲୁଚିଗଲାପରି ଲାଗିଲା । ମୁଁ ପାସୋରିଗଲି ମୋ ନାଁ, ମୋ ପରିଚୟ । ମୁଁ ଅପେକ୍ଷା କରି ରହିଲି ଘଟଟିଏ ପରି । ମୋତେ ଜାଈ କାଖେଇ ନେଇ ଯେଉଁଠି ଥୋଇବ, ମୁଁ ସେଇଠି ବସିଯିବି । ମୋର କ’ଣ ଥାଏ, ମୋ ଭିତରେ ସେ କ’ଣ ପୂରେଇବ-କ୍ଷୀର, କି ମଦ, କି ପାଣି ! ମୁଁ ହଲିଗଲେ ଖାଲି କଳକଳ ହେବି, ଡବଡ଼ବି ହେବି !

 

ଶଙ୍କର ମଉସା ନିଶ୍ଚଳ ହୋଇଗଲେ, ନୀରବ ହୋଇଗଲେ । ମୁଁ ଅପେକ୍ଷା କରିଥାଏ ଆଉ ଗୋଟିଏ ଘଟପରି ! ରାତି ଘନେଇ ଆସିଥାଏ । ଉଭୟେ ବୋଧହୁଏ ଚେତା ପାଇଲାପରି ଏକସାଙ୍ଗରେ ଦୀର୍ଘନିଃଶ୍ୱାସ ଛାଡ଼ିଲୁ । ମୁଁ ଟିକିଏ ଖୁଜ୍‌ବୁଜ୍‌ ହେଲି । ...କ’ଣ ମଉସାଙ୍କୁ ପଚାରିବି । ସେଇଠୁ କ’ଣ ହେଲା ବୋଲି ? –ସେ କୁମ୍ଭାରଶାଳରେ କେତେ ସମୟ ରହିଲେ, କେମିତି ଫେରିଲେ, କେତେବେଳେ ଫେରିଲେ ? –ଧେତ୍‌ ସେଥିରେ କ’ଣ ଥାଏ ! ...ପୁଣି ଖୁଜ୍‌ବୁଜ୍‌ ଲାଗିଲା । ପଚାରିଦେବି କି-‘ସେ ଜାଈ କୁମ୍ଭାରୁଣୀ ସତରେ କିଏ ? –ତା’ ଗେରସ୍ତ କିଏ ?’ –ଲାଭ କ’ଣ ?

 

ଶଙ୍କର ମଉସା ଗାମୁଛା ଝାଡ଼ି ଉଠି ସାରିଥିଲେ; ତୁନିପଡ଼ି ସାରିଥିଲେ । ତାଙ୍କୁ ଭଲା ଆଉ ଥରେ କିଏ କଥା କୁହାଇ ପାରିବ ?

 

ଅନ୍ଧାରରେ ଗାଁକୁ ବାଟ ବାରି ଫେରିଲାବେଳେ ମୋର ପ୍ରତ୍ୟୟ ହୋଇଯାଇଥିଲା, କାହିଁକି ଜାଈ କୁମ୍ଭାରୁଣୀ ଯେତେବେଳେ ଦେଖିଲେ ମା’ ପରି ଦିଶେ !

Image

 

Unknown

ତ୍ରିବାର ମିଥ୍ୟା

 

ଚାହୁଁ ଚାହୁଁ ଅନ୍ଧାର ଘୋଟିଆସିଲା । ଘୁ’ ଘୁ’ ମାଡ଼ିଆସିଲା ପାଣି ପବନ ବତାସ । କାଠ କୁଢ଼େଇଲା ପରି ଦୁରୁଦୁରୁ ବର୍ଷା ଛେଚୁଥାଏ । ପଚିଶ ହାତ ଦୂରର ପିଚୁ ରାସ୍ତା ଦିଶୁ ନ ଥାଏ ଜମା ! ମେଘ ଘୋଟିରହିଥାଏ ଦଶଦିଗ ! ବିଜୁଳି ଚଡ଼ଚଡ଼ି କାଚୁଥାଏ ରହି ରହି । ସେ ଖଣ୍ଡମଣ୍ତଳ ଦୁଲୁକୁଥାଏ, ହାଲୋଳମୟ ହେଇ ଚମକି ଯାଉଥାଏ ।

 

କାହିଁ କୋଉ କାଳର ଭଙ୍ଗା ଘରଟାଏ । କାହାର କେଜାଣି ? ସେ ଅପନ୍ତରାରେ କାହିଁକି ସେ ଘର ତୋଳା ହେଇଥିଲା କିଏ କହିବ ? ତା’ର ଭୁଶୁଡ଼ିପଡ଼ିଥିବା କାନ୍ଥ, ହାଁ କରି ରହିଥିବା ଦୁଆର, ଝରକା, ଖିଲାଣ ଉପରେ କଚାଡ଼ୁଥାଏ ବର୍ଷା । ମାତ୍ର ବଡ଼ ବଡ଼ ଗୋଟାଳ ଖମ୍ବ ଉପରେ ଗମ୍ବୁଜ ଭଳି ତୋରଣ ଆବୋରି ରଖିଥାଏ ଛୋଟିଆ ଖଣ୍ଡେ ଜାଗା । ସେଇଠି ନାଁକୁ ମାତ୍ର ଆଶ୍ରା ନେଇ ଯୋଡ଼ିଏ ଲୋକ ଖମ୍ବର ପିଢ଼ା ଉପରେ ନୀରବରେ ବସିଥାଆନ୍ତି । କାହାରି ମନରେ ସୁଖ ନ ଥିଲା ପରି ଖୁବ୍‌ ବିରସ ଏବଂ ଏକପ୍ରକାର ଭୟାର୍ତ୍ତ ମୁହଁ ଯୋଡ଼ିଏ ।

 

ଜଣେ ସେଥିରୁ ବୟସ୍କ । ମଇଳା ପଞ୍ଜାବି ଭିତରୁ ଚିରା ଗେଞ୍ଜି ବାରି ହେଉଥାଏ । ପିନ୍ଧଥିବା ଦରଓଦା ଧୋତିଟି ମଧ୍ୟ ସେହିପରି ଅପରିଚ୍ଛିନ୍ନ । ସେ ଲୁଗା ଟେକିନେଇଥାନ୍ତି ଆଣ୍ଠୁ ଉପରକୁ । ପେଣ୍ଡାଯାଏ ଟାଙ୍କୁରି ରହିଥିବା ବାଳଅଗରେ ଫେଣ ଲାଗିଲା ପରି ଟୋପି ଟୋପି ପାଣି-। ତାଙ୍କର ଆଖି ଯୋଡ଼ିକ କ୍ଲାନ୍ତ । ଥୋଡ଼ରେ ଦୁଇ ଦିନର କାଳିଆ କଦରା ରୁଢ଼ ! ବୁକୁ ପକେଟରେ ଖୋଳ ଲାଗିଥିବା ଚଷମା । ଧରାଯାଉ ଆଖପାଖ କୌଣସି ପ୍ରାଥମିକ ସ୍କୁଲର ସେ ଜଣେ ଶିକ୍ଷକ । ପ୍ରତିଦିନ ସେଇବାଟେ ଫେରନ୍ତି, ସେଦିନ ଛତା ନ ନେଇ ବାହାରି ଥିଲେ । ବର୍ଷାରେ ସେଇଠି ଲାଖିଯାଇଛନ୍ତି ।

 

ଆର ଜଣକ ଏକ-ବସ୍ତ୍ରୀ, ପାଇଟିଆଳ ମଣିଷଟିଏ । କଳା-ମଚମଚ ଦେହ, ଝାମ୍ପୁରା ମୁଣ୍ତ, ଟାକୁଆ ଗାଲ, ଚେମେଡ଼ିଆ ଟାଣୁଆ ଗୁଳା ଗୁଳା ହାତଗୋଡ଼ ! କେତେଦିନ ଶୋଇ ନ ଥିଲା ଭଳି ତା’ ମୁହଁ, ତା’ର ରଙ୍ଗିଲା ଆଖି । କାଠୁରିଆଟିଏ ହୁଏତ । ଏ ବର୍ଷାରେ କ’ଣ ଦୋକତା ଟିକିଏ କିଣି ହୁଏତ ଫେରୁଥିଲା । ଏଇ ପତରା ଜଙ୍ଗଲ ଦାଢ଼ରେ କୋଉଠି ତା’ର କୁଡ଼ିଆଟିଏ ଥିବ । ସେ ଏଇ ଅଚାନକ ପ୍ରଳୟ ବର୍ଷାରେ ଆଉ ଆଗେଇ ପାରିଲା ନାହିଁ । ଏଇଠି ଆଶ୍ରା ନେଇଗଲା !

 

ଛୋଟିଆ ସହରଟି ସେଇଠୁ ଖଣ୍ଡେ ଦୂର । ଲୋକେ କହନ୍ତି ଯେ ବଡ଼ ‘ଲାଲ୍‌ ସାହେବ’ କେହି ଜଣେ ସେ କୋଠା ତୋଳେଇଥିଲେ । ଘର କାମ ଅଧାରେ ରହିଗଲା । ତାଙ୍କ ସ୍ତ୍ରୀଙ୍କ ଅନାଚାର ତାଙ୍କ ଆଖିରେ ପଡ଼ିବାରୁ ସେ ତାଙ୍କୁ ଗୁଳି ଲାଛିଦେଲେ । ନିଜେ ଲାଛିହେଇ ମରିଗଲେ ! ସେଇଠି ଭୂତ ରହନ୍ତି ବୋଲି କେହି କେହି କହନ୍ତି । ଡକେଇତଙ୍କ ଚୋରାବତି ବେଳେବେଳେ ଦିଶିଯାଏ ରାତିରେ । ଦିନବେଳେ ବୁଲା ଗୋରୁ ସେଇଠି ଖରା କଟାନ୍ତି-ପାକୁଳି କରନ୍ତି ।

 

ସେ ଦୁହେଁ ଦୁଇଟି ଖମ୍ବକୁ ଆଉଜି ତା ତଳେ ପିଣ୍ଡି ଉପରେ ବସିଥାନ୍ତି । କଥାବାର୍ତ୍ତା ନାହିଁ-। ଏତିକିବେଳେ ସେ ବର୍ଷା ଭିତରୁ ଖପର ଖପର ଡେଇଁ କିଏ ଜଣେ ଧାଇଁଆସୁଥିବାର ଦେଖାଗଲା-। ଲୋକଟି ସେ ଭଙ୍ଗା କୋଠାର ସୀମା ନ ଛୁଇଁବା ପୂର୍ବରୁ ପାଣିରେ ଗୋଟାସାରା ଗାଧୋଇ ସାରିଥାଏ । ସେ କ’ଣ ବର୍ଷା ପରି ବର୍ଷା !!

 

ସେ ଆସି ଠିଆହେଲା । ତା’ ଦେହରୁ ଧାର ଧାର ପାଣି ନିଗିଡ଼ି ଯାଇ ତଳ ଓଦା ହୋଇଗଲା । ସେ ତା’ ଚିରା ଜାମାଟାକୁ ଦେହରୁ ଉତାରି ଚିପୁଡ଼ିଦେଲା । ଦେହ ମୁଣ୍ଡ ସେଥିରେ ପୋଛିପକେଇଲା ! ପିନ୍ଧିଥିବା ଅଧାପେଣ୍ଟ ଖଣ୍ଡକୁ ତା’ର କିନ୍ତୁ କିଛି ଉପାୟ ନ ଥିଲା । ସେଥିରୁ ଟପ୍‌ଟାପ୍‌ ପାଣି ନିଗିଡ଼ି ଯାଉଥାଏ ଅନେକ ବେଳ ପର୍ଯ୍ୟନ୍ତ ।

 

ସେ ଚାହିଁଲା ଏପାଖ ସେପାଖ । ନାକ ମୋଡ଼ିଲା । ମୁହଁ ମୋଡ଼ିଲା । ଭ୍ରୂଲତା କୁଞ୍ଚେଇଲା । ତା’ ମନକୁ ପାଇଲା ଭଳି ମଣିଷ ବୋଧହୁଏ ସେଠି ଦେଖିଲା ନାହିଁ, ସେ ନିଜେ ବୋଧହୁଏ ଫୁଲାଫାଙ୍କିଆ ଉଦ୍‌ବାସ୍ତୁ ମଣିଷଟିଏ । ଘରଦ୍ୱାର ନ ଥାଇ, ରାସ୍ତା ଉପରେ ବତିଖୁଣ୍ଟ ତଳେ ଦିନରାତି କଟାଏ । –ଆଜି ଏ ବସ୍ତି ତ, କାଲି ସେ ବସ୍ତି ପାଖରେ ନାକେଇ ରହେ । ସାରା ସହରର ଅଧେ ଲୋକଙ୍କ ଗତିବିଧି, ଆଚରଣ, ଗାଡ଼ିମାନଙ୍କର ରଙ୍ଗ, ନମ୍ବର ସବୁ ମନେରଖି ନିଜ ଗୋତ୍ରୀମାନଙ୍କୁ ଦେଖିଲେ ଗପିବା ବୋଧହୁଏ ତା’ର ଏକମାତ୍ର କାମ ! କିଛି ଧନ୍ଦା ନ ଥାଇ ସେ ବଞ୍ଚେ କେମିତି ? –ସେ କ’ଣ ମଝିରେ ମଝିରେ ଚୋରିକରେ ? କେଜାଣି ! କହିହେବ ନି !

 

କେହି ଜଣେ ବିଡ଼୍‌ ବିଡ଼୍‌ ହେଲା ପରି କ’ଣ ଶୁଭିଲା । ବୁଲି ଚାହିଁଲାବେଳକୁ ସେଇ ଦରବୁଢ଼ା ମାଷ୍ଟ୍ର ସେମିତି ମନକୁ କ’ଣ କହି ମୁଣ୍ଡ ଲାଡ଼ୁଛି ! ସେ ଚାହିଁଲା ଆର ଖମ୍ୱ ଆଡ଼େ ! ଫୁଙ୍ଗୁଳା ଦେହରେ ଏକବସ୍ତ୍ରୀ କାଠୁରିଆ ଏକାଲୟରେ ବର୍ଷାକୁ ଚାହିଁ ରହିଛି । ତା’ର କୌଣସି ଆଡ଼େ ନଜର ନାହିଁ । ସେ ଘୁଞ୍ଚିଲା । ସେ ଦରବୁଢ଼ା ମଣିଷଟି ପାଖକୁ ଯାଇ ଲଇଁପଢ଼ି ତା ମୁହଁକୁ ଚାହିଁ ଅଳ୍ପ ହସିଲା ।

 

କହିଲା-‘‘ହୁସ୍‌ !! –ନିଦରେ କାହାକୁ ଏମିତି ପାଠ ପଢ଼ଉଚ ? ଏଠି କେହି ନାହାନ୍ତି ।’’ ସେ ଶିକ୍ଷକ ଜଣକ ତାକୁ ପ୍ରାୟ ନ ଦେଖିଲା ଭଙ୍ଗୀରେ ସେମିତି ମୁଣ୍ଡ ଲାଡ଼ୁଥାନ୍ତି ଏବଂ କହୁଥାନ୍ତି ‘ଭୟଙ୍କର ! ଭୟଙ୍କର ! ମୁଁ ଆଉ ଏ ମଣିଷଜାତିଟାକୁ ବିଶ୍ୱାସ କରିପାରୁନାହିଁ ।’

 

‘ହେ, ହେ, ହେ’–ସେ ବଜାରୀ ଲୋକଟି ହସିଲା ଉଶ୍ୱାସରେ ଏବଂ ଥଟ୍ଟାରେ । କହିଲା, ‘‘ତା’କୁ ବିଶ୍ୱାସ ନ କଲେ, ଆଉ କାହାକୁ କରିବ ? ଗୋରୁଙ୍କୁ ? ନା ଛେଳିଙ୍କୁ ?’’

 

କାଠୁରିଆ ଥରେ ବୁଲିପଡ଼ି ଚାହିଁଲା ଏବଂ ଫଡ଼୍‌କିନା ମୁହଁ ବୁଲେଇ ନେଲା ବର୍ଷାଆଡ଼େ-!

 

ମାଷ୍ଟ୍ରେ ଏଥର ଶୁଭିଲାଭଳି ସ୍ୱରରେ କହିଲେ, ‘‘ଏ ମଣିଷଟା ଜାଣ ସବୁଠାରୁ ସାଙ୍ଘାତିକ ଜାନୁଆର-ମୁଁ ତା’କୁ ଜମା ବୁଝିପାରୁନାହିଁ ।’’

 

ବଜାରୀର ହସରୁ ଜଣାଯାଉଥିଲା ସତେ ବା ସେ କହୁଛି, ‘ଆଉ କୋଉ ଜାନୁଆରକୁ ତୁ ବୁଝିଲଣି ବେ ବୁଢ଼ା ? –ସେ କିନ୍ତୁ କିଛି ନ କହି ସେମିତି ଅପେକ୍ଷା କଲା ।

 

ସେ କିଛି ସମୟ ରହି ହଠାତ୍‌ କହିଲେ, ‘‘ତିନିଦିନ ତଳେ ଏଇ ତଳ ଜଙ୍ଗଲରେ ଗୋଟାଏ ଭେଣ୍ଡିଆ ମର୍ଦ୍ଦଟାକୁ ହତ୍ୟା କରାହେଇଛି !’’

 

କାଠୁରିଆ ଏଡ଼େଟାମାନ ଆଖିକରି ଏଆଡ଼ିକି ଚାହିଲା ଏବଂ ଆସ୍ତେ ଉଠି ଚାଲିଆସିଲା ପାଖକୁ ।

 

ବଜାରୀ କୌଣସି ପ୍ରକାର ବିଚଳିତ ହେଲାପରି ଜଣାଗଲାନାହଁ । ବରଂ ସେ ଥଟ୍ଟାଳିଆ ସ୍ୱରରେ କହିଲା, ‘‘ହୋଃ, ଗୋଟାଏ ନା ପୁଞ୍ଜାଏ ? –କିଓ, ଏଇ ସହରରେ ପରା ଦୈନିକ ସେଥିରୁ ଗୋଟାଏ ହଣା ହଉଚି ! ମରିବା, ମାରିବା, ଏବେ ଏଡ଼େ ସହଜ ଦେହଘଷା ହେଇଗଲାଣି ଯେ ସେଥିରୁ କିଛି ନ ହେଲେ ସୁଖ ଲାଗୁନାହିଁ ! ତମେ ବୁଢ଼ାବାବୁ ଭାରି ମଫସଲିଆ ଜଣାଯାଉଛି ।’’

 

‘‘ହଁ, ତା’ ଠିକ୍‌ । ମୋ ଘର ମଫସଲରେ, ମୋ ବାପ ଗୋସେଇଁବାପଙ୍କ ଗାଁରେ ! ତେବେ ଆଜିକାଲି ଯୁଗ ଯାହା ହେଲାଣି, ମୋ ବିଶ୍ୱାସ ସବୁଦିନ ତୁଟିଯାଉଛି ! ହତ୍ୟାଟା, ଏବେ ତୁମେ କହିଲାପରି, ଦୈନିକ ଘଟଣା....କିନ୍ତୁ ଏଇଟା ତା’ ନୁହେଁ !’’ ‘‘ସତେନା କ’ଣ ?’’ –ବଜାରୀ ମୁହଁରେ ସ୍କୁଲ ପିଲାଙ୍କ ଭଳି ଆଗ୍ରହ ଉତୁରିଆସିଲା । ସେ ସେଇଠି ତଳେ ବସିପଡ଼ି ଭାରି ରସରସିଆ ଢଙ୍ଗରେ କହିଲା, ‘‘କହୁନା-କେମିତି କ’ଣ ହେଲା !’’ ମେଘ ସେମିତି ଗାଜିଦେଉଥାଏ । ଆକାଶକୁ ଚାହିଁଦେଇ ସେ ନିଶ୍ଚିନ୍ତ ହୋଇ ବସିଗଲା ।

 

‘‘ତୁମେ ଜାଣିଚ ନା ନାହିଁ କେଜାଣି । ଏଇ ରାସ୍ତାରେ ଉତ୍ତରକୁ କୋଡ଼ିଏ ମାଇଲ୍‌ ଗଲେ ବାକୁ ଆଠଅଙ୍କି ମୋଡ଼ଣିଟାଏ ପଡ଼ିବ । ସେଇଠୁ ପନ୍ଦର ମାଇଲ ଗଲେ ଦେବୀଗଡ଼ । କିନ୍ତୁ ଏଠୁ ଆଉ ଟିକିଏ ଆଗକୁ ବାଁ ଆଡ଼େ ଗୋଟାଏ ଚୌଡ଼ା ଚଲା ରାସ୍ତା ଦିଶିବ । ସେଇଟା ସିଧାସଳଖ ବାହାରିବ ଯାଇ ଗଡ଼ପାଖରେ । ଏମିତି ଗଲେ ବାଟ ପାଞ୍ଚକୋଶ ଊଣା । ୟା’କୁ ଜଙ୍ଗଲ ମହକୁମାବାଲା ଅନେକ ଦିନ ତଳେ କରିଥିଲେ-କିନ୍ତୁ ସାରା ରାସ୍ତା ବଣ ! ବାଘଭାଲୁ ଭୟ ତ ନିଶ୍ଚୟ, ତା’ଠୁ ବେଶି ଭୟ ‘ଚନ୍ଦନା’ ଡକେଇତ ପାଇଁ !’’

 

ବସିବା ପାଖରୁ ଚକେ ଚମିକି ଘୁଞ୍ଚିଗଲା ବଜାରୀ, ‘‘ବାପ୍‌ରେ, ଚନ୍ଦନା-ଜୀଇଁତା ବାଘ ! ମୋ ବାପାଲୋ–ସେ ଗୋଟାଏ ଚଟକଣାରେ ଖଣ୍ଡାରେ ତା’କୁ ହାଣି ଗଡ଼ଗଡ଼ କରିବା ତା ମର୍ଜି ! –ଏଇଟା କ’ଣ ତାରି କାମ ନା କ’ଣ ?’’

 

‘‘ସେଇ ହତ୍ୟା ଅପରାଧରେ ଧରା ହେଇ ଆସିଛି ପରା ?’’

 

‘‘ହେଁ ! କହି ବଜାରୀ ଡ଼ିଆଁମାରି ଉଠିପଡ଼ିଲା । ‘‘ଅସମ୍ଭବ-ଆହେ ଯାଉନ’, ଆଉ କାହାକୁ ସେ ଗାଲୁ ମାରିବ ! ତେମେ ବାବୁ ସେ ଉଗ୍ରଷଣ୍ଢାକୁ ଦେଖିନା-ଦେଖିଲେ ଠିଆରେ ମୂତିପକେଇବ ! ତାକୁ କିଏ ପୁଅ ହେଲାଣି ଧରିଦେବ ! ହୁଃ ! ଚନ୍ଦନା ପୁଣି ଧରାହେଇ ଆସିଛି !!’’

 

ମାଷ୍ଟ୍ରେ ପୂର୍ବପରି କହିଲେ, ‘‘ସତ କଥା, ତା’କୁ ଧରି ରଖିବା ଯାହା, ଭେଣ୍ଡିଆ ସିଂହକୁ ବାନ୍ଧି ରଖିବା ତାହା । ତା’ ଗର୍ଜନରେ ଥାନା କମ୍ପୁଥାଏ, ସେ କହୁଥାଏ....’’

 

ଖପାଙ୍ଗ୍‍କିନା ବଜାରୀ ଆସି ନିଜ ଜାଗାରେ ବସିଗଲା ଶୁଣିବାକୁ । ସେ କହୁଥାଏ.....

 

‘‘ଆବେ ଚନ୍ଦନା କ’ଣ ସେମାନଙ୍କ ଭଳି ଡରୁଆ ନା ତୁମମାନଙ୍କ ଭଳି ଛେରୁଆ ଛୋଟଲୋକ ହେଇଚି । ମୋତେ ତମେ ଫାଶୀଦେବ, କଣ୍ଟାହୋଇ ଝଡ଼ିଗଲା ପରେ । ନ ହେଲେ, ଶଳେ ସେ ପୁରୁଣା କତାକଣ୍ଡ ମୋ ଭାରାରେ ଛିଣ୍ଡିଯିବ ବୋଲି ତମ ଡର.....ହା, ହା, ହା.....’’ ତା’ କୁହାଟରେ ସମସ୍ତେ ତାବ୍‌ଦା ହୋଇଯାଇଥାନ୍ତି । ସେ ଦାନ୍ତ କଡ଼ମଡ଼ କରି ଆଖି ତରାଟି ଚମକି ଗଲେ, ଥାନାବାବୁ ଲଗାତ୍‌ ଧଡ଼୍‌ପଡ଼୍‌ ହେଇ ଉଠିଯାଉଥାନ୍ତି । ସେ ହୋ’ ହୋ’ ହୋଇ ପୁଣି ହସୁଥାଏ-

 

‘‘ଆବେ ମୁଁ ନିଶାଖାଇ ମୋ ମଜାରେ ନଈପାଣିରେ ମୁହଁ ନଗେଇ ପିଉଥିଲି, ସେଇ ବାଲିରେ ଶୋଉଥିଲି । ତମେ ଶଳେ ମୋତେ ବାନ୍ଧି ପକେଇଲ ! ଅ, ଅ, ଅ,-ମୁଁ ଏ ନୁହା ଦି’ଖଣ୍ଡ ଆଉ ଏ ଦଉଡ଼ିଟିକୁ ଟିକି ଟିକି କରି ଛିଣ୍ଡେଇ ଦେବି ନି ! ନ ହେଲେ ତମର କିଏସବୁ ନାଞ୍ଚ ଖାଇ ହୁଗୁଳେଇ ଦେବିନି ! ତମ କାନ୍ଥ କଣାକରି, ତମ ତଣ୍ଟି କଣାକରି ମୁଁ କ’ଣ ଚାହିଁଲେ ବାହାରି ଯିବିନି-! ସେ କଥା ପଛେ, ଏବେ ଶୁଣ-ମୁଁ କ’ଣ କହୁଚି....ମନହେଲେ ଲେଖିପକା !

 

‘‘ମୁଁ ଗଣ୍ଡା ଗଣ୍ଡା ମଣିଷ ଏଇ ହାତରେ ମାରିଛି ! ମାଛ କାଟିଲା ପରି କାଟିଛି । ଏଠୁ ଗଲେ ଆଉରି କାଟିବି । ବେଶି କାଟିବି.....ମାତ୍ର ସେ ଲୋକଟାକୁ ମୁଁ ମାରିବାକୁ ଚାହିଁ ନଥିଲି ! ମୁଁ ଚାହିଁଥିଲି.....’’

 

ଚନ୍ଦନା ତଳକୁ ମୁହଁ ପୋତି ରହିଲା କିଛି ସମୟ......

 

ଭାରି ନରମ ଗଳାରେ କହିଲା । ତେବେ ବି ସିଂହ ଗର୍ଜିଲାପରି ଶୁଭୁଥାଏ....

 

‘‘ସେ ଟୋକା ତା’ର ସେ ମାଇପଟାକୁ ଧରି ଗୋଟେ ଫଟଫଟିଆରେ ଚାଲିଥାଏ ଗଡ଼ଆଡ଼ିକି । ଦି’ପହର ଛାଇ ଲେଉଟାଣି ବେଳ ହବ ! ମୁଁ ଗଛ ମୂଳଟାରେ ଶୋଇଥାଏ । ସେ ହାରାମି ଫଟଫଟିଆ ମୋ ନିଦ ଭାଙ୍ଗିଦେଲା ! –ମୁଁ ତାକୁ ପଛେ ଛେଚି ଛେଚି ଗୁଣ୍ଡ କରି ଦେଇଚି.... ମୋ ନିଦ ଭାଙ୍ଗିଯିବାରେ ମୁଁ ସେମିତି ଅନେଇଲି । ସେ ମୋ ସ୍ନାମା ଦେଇ ଚାଲିଗଲା-ଖରାଟା ପଡ଼ୁଥାଏ ଦୁଇଜଣଯାକ ଉପରେ ! ସେଇ ମାଇକିନା ମୁହଁଟା ଦର୍ପଣ ପରି ଚମକି ଗଲା । –ମୁଁ ଧଡ଼୍‌କିନା ଉଠି ବସିଲି, ଆଉ ଥରେ ଦେଖିବାକୁ ! ଆଉ ଥରେ ଦେଖି ଦେଇଥିଲେ ଛାଡ଼ିଦେଇଥାନ୍ତି-। ଥରଟେ ଦେଖି ମୋର ପିତ୍ତ ଚଢ଼ିଗଲା ! ଚଲା ରାସ୍ତାରୁ ଧୂଳି ଉଡ଼ୁଥାଏ, ଖାଲି ଢିପରେ ଛେଚିକରି ହେଇ ଫଟଫଟିଆ ଯାଉଥାଏ । ମୁଁ ଝପଟିଗଲି ପଛରୁ ! ଗୋଟେ ପଥର ପାଖରେ ସେ ଆସ୍ତେ ବଙ୍କାଉଥାଏ । ମୁଁ ଚଢ଼ିଗଲି ଖେପମାରି ସେ ପଥର ଉପରକୁ ! ସେ ଧଡ଼କିନା ବନ୍ଦ କରିଦେଲା । ସେମିତି ତା’ଉପରେ ବସି ସେ ମତେ ଅନେଇଲା । ମୁଁ ତା’ ମାଇପକୁ ଅନେଇଲି । ଇସ୍‌.....ମୋ ଭିତର ହେଣ୍ଟାହେଲା ! ଗବଗବ ହେଲା ! ତାକୁ ଖପ୍‌କିନା ଟେକି ନେଇ ପଳେଇବାକୁ ଇଚ୍ଛାହେଲା-! ମାତ୍ର ମୁଁ ତ ଚୋର ନୁହେଁ !’’

 

ଦୁଲକିନା ଗୋଟେ ନାତ ମାଇଲା ତଳେ, ଥାନା ଘର ଥରଥର କମ୍ପିଗଲା-‘‘ମୁଁ ଚନ୍ଦନା କେବେ ଚୋରି କରିନାହିଁ । ଶୁଣିଥ, ବେ ଶଳେ; ତମ ବୋପା କହିଲେ ସୁଦ୍ଧା ସତ ମଣିବ ନାହିଁ-’’

 

ତା’ ମନକୁ ସେ ଥମିଗଲା । କହିଲା-‘‘ମୁଁ କିଛି ନ କହି ସେ ମାଇପିଟାକୁ ଚାହଁ ଠିଆହୋଇଥାଏ । ନୂଆ ବିଭା ହେଇଥିବା ଟୋକୀ ଖଣ୍ଡେ ! ସେ ମୋ ଆଖି, ମୋ ରୂପ, ମୋ ଅଣ୍ଟାର ଭୁଜାଲି ଦେଖି ମୁହଁ ଆଡ଼େଇ ଚିର୍‌ଚିରେଇ ରଡ଼ି ଛାଡ଼ିଲା । ମୁଁ ତଥାପି ସେମିତି ଠିଆହୋଇ ଚାହିଁଥାଏ ।

 

ସେ ଟୋକା ଖପ୍‌କିନା ଓହ୍ଳେଇ ଆସିଲା ! ଭାରି ମଜବୁତ୍‌ ଟୋକା ! ଭଲ ପିନ୍ଧିଥାଏ, ଭଲ ବାସୁଥାଏ ! ସେ ଡାହାଣ ହାତରେ ଗୁପ୍ତିଟାଏ ଧରିଥାଏ । ମୋତେ ଆସି ବାଁ ହାତରେ ଧକାଏ ପକେଇଲା । ମୁଁ ଜମା ଘୁଞ୍ଚିଲି ନାହିଁ । ତାକୁ ଚାହିଁ ହେଁ ହେଁ ହସିପକେଇଲି । ସେ ତାଟକା ହେଇଗଲା ।

 

ମୁଁ ବୁକୁ ଉପରେ ବାହୁ ରଖି ମାଇକିନାକୁ ଦେଖୁଥାଏ ।

 

ସେ ଟୋକା କ’ଣ ସବୁ ପାଟି କରି ଶୋଧିଲା । ଗୁପ୍ତି ବାହାରି କରି ଟେକିଲା । ମୁଁ ତାକୁ କଣେଇ ଚାହିଁଥାଏ । ମୁଁ ମନ ସ୍ଥିରକରି ତା’ ବାଁ ଡେଣାକୁ ଖପ୍‌କିନା ଧରି ବୁଲିପଡ଼ିଲି ।

 

ସେ ଚଟକରି ଖସିଗଲା ! ମତେ ପୁଣି ଧକାଏ ପକେଇଲା । ପୁଣି କ’ଣ ଗାଳିଗୁଲଜ କରୁଥାଏ ଏଡ଼େ ପାଟିକରି ।

 

ମୁଁ ବାଟ ଉପରୁ ଘୁଞ୍ଚିଗଲି ବାଁ ଆଡ଼ିକି ! ତାକୁ ସେଇଠୁ କହିଲି, ‘‘ଟିକିଏ ଏଠିକି ଆସି ଶୁଣିଯିବୁ !’’ ମୁଁ ସତେ ଚାହୁଁ ନଥିଲି ସେ ମାଇକିନିଆଟି ଆଗରେ ସେ କଥା କହିବାକୁ ।

 

ସେ କ’ଣ ଭାବି ଆଗେଇ ଆସିଲା ! ପଛରୁ ତା’ ସ୍ତ୍ରୀ ପାଟିକଲା–‘‘ଯାଅନାଇଁ, ଜମ୍ମା ଯାଅ ନାଇଁ !’’

 

ସେ ବୁଲିପଡ଼ି ମର୍ଦାନି ଢଙ୍ଗରେ କହିଲା–‘‘ଆରେ ଚୁପ୍‌ ରହି ! ମୋର କିଏ କ’ଣ କରିବ, ମୁଁ ଏଇ ସଇତାନଟାକୁ ଦେଖିନେଉଛି ! ତୁ ସେଇଠି ଥା ।’’

 

ସେ ମୋ ପାଖକୁ ଆସିବାରୁ ମୁଁ ତା’ କାନ ପାଖରେ କହିଲି, ‘‘ମୁଁ ତୋ ମାଇପକୁ ନେବି-।’’ ତା’ ଖୁନ୍‌ ଗରମ କରିଦେଇ ମୁଁ ଚମକିଗଲି ଆଗକୁ । ସେ ଗୋଡ଼େଇଗଲା ମୋ ପଛେ ପଛେ ! ମୁଁ ସେଇଆ ଚାହୁଁଥିଲି । ଖୋଲା ଜାଗା ଦେଖି ମୁଁ ତା’ ସାଙ୍ଗେ ଭିଡ଼ିଗଲି । ତା’ ହାତରୁ ଛଡ଼େଇ ଫିଙ୍ଗିଦେଲି ସେ ଛୁରୀ ଖଣ୍ଡ । ସେ ରାଗରେ କମ୍ପୁଥାଏ, ଲଢ଼ୁଥାଏ ବାଘଟାଏ ପରି । ଆବେ ସେ ଟୋକା ଏମିତି ସେମିତି ଟୋକା ନୁହେଁ-ସେ ଏକା ଲଢ଼ିଲେ ତୁମ ଭିତରୁ ପୁଞ୍ଜାଏ ପକାନ୍ତ-ଆଃ ! କି ଲଢ଼େଇ ହେଲା ! ସେ ଆଉ ବେଶି ବେଳ ହେଲାନାହିଁ । ମୋ ପାଖରେ ଦଉଡ଼ି ଖଣ୍ଡେ ସଦାବେଳେ ରଖିଥାଏ । ମୁଁ ତାକୁ ଲେଉଟେଇ ତା’ ହାତ ପାଦ ଏକାଠି ମୁଦା କରି ବାନ୍ଧି ପକେଇଦେଲି । ତା’ ମୁହଁରେ ଲୁଗା ଖଣ୍ଡେ ଭିଡ଼ିଦେବାରୁ ସେ ଖାଲି ଗାଉଁ ଗାଉଁ ହେଲା-‘ହା, ହା, ହା....ହୋ, ହୋ....’

 

ଚିତ୍ର ପ୍ରତିମାପରି ବଜାରୀ ଅନେଇଥାଏ । ଆର ଲୋକଟି ସେଇ ଟିକିଏ ଜାଗାରେ ପଇଁତରା କାଟୁଥାଏ ।

 

ମାଷ୍ଟ୍ରେ କହିଲେ, ଚନ୍ଦନା କିଛି ସମୟ ବସିଗଲା ଗୁମ୍‌ ମାରି ! ତା’ ଉତ୍ତାରୁ ଉପରକୁ ଫଣା ତୋଳି କହିଲା–

 

‘‘ମୁଁ ବୁଲି ପଡ଼ିଲାବେଳକୁ ସେ ଟୋକୀ ଛୁରୀଟା ଗୋଟେଇ ଧରି ମୋ ପଛରେ ଲାଗିଗଲାଣି । ସେ ବି କିଛି କମ୍‌ ନୁହେଁ । ସେ ବାଘୁଣୀପରି ଗର୍ଜୁଥାଏ । ଝାମ୍ପି ପଡ଼ୁଥାଏ । ମୁଁ ଖସି ଯାଉଥାଏ । ଖେଳୁଥାଏ ତା’ ସାଙ୍ଗରେ । ସେ ଜାଣିପାରୁ ନଥାଏ । ସେ ପବନକୁ ଛୁରି ମାରି ମାରି, ଧାଇଁ ଧାଇଁ ହାଲିଆ ହୋଇଗଲା । ମୁଁ ତାକୁ ଧରିନେଲି । ସେ ମୋ ବାହୁ ଭିତରେ ଆଉ ହଲିପାରିଲାନାହିଁ । ଆସ୍ତେ ସେ ଛାଡ଼ିଦେଲା ନିଜକୁ ! ନରମ ହେଇଗଲା । ନତପତ ତୁଳା କଣ୍ଢେଇପରି । ମହ ମହ ବାସିଲା ତା’ ନାକ, ଓଠ, ମୁହଁ ! –ମୁଁ ତାକୁ ପିଇଗଲି ମନ ଇଚ୍ଛା ! ମୁଁ କେତେବେଳକୁ ବୁଝିଲି ଯେ ସେ ମୋତେ ଭିଡ଼ିଧରି ମୋତେ ପିଉଛି-ହାହା, ହା....ହିହି, ହି...’’

 

ଚନ୍ଦନା ପିଲାଙ୍କ ପରି ତଳେ ଦୁରୁ ଦୁରୁ ଗୋଡ଼ି ବାଡ଼େଇଲା ଖୁସିରେ ! ସେ ମୋ ବାହୁ ଭିତରୁ ମୁହଁ ବୁଲେଇ ଚାହିଁଲା । ଭୂଇଁରେ ମୁଦାହୋଇ ବନ୍ଧା ପଡ଼ିଥିବା ଟୋକା ଆଖିରୁ ନିଆଁ ଛିଟିକି ପଡ଼ୁଥାଏ । ସେ ଖୁରେଇ ହେଉଥାଏ । ଗାଉଁ ଗାଉଁ ହେଉଥାଏ । ସେ ଟୋକୀ ସେଇଆଡ଼େ ଚାହିଁ କହିଲା, ‘‘କିଛି ତ ଫଇସଲା ହୋଇ ପାରିଲାନାହିଁ–’’ ମୁଁ ଇସାରା ବୁଝିଗଲି । ତା’ର ଛୁରୀଟା ଧରି ସେ ଟୋକା ପାଖରେ ଠିଆହେଲି । ସେ ବୁଜିଦେଇ ଟାଣି ହେଇଗଲା । ମୁଁ ଦଉଡ଼ିଟା କାଟି ଦେଇ କହିଲି, ‘‘ନେ ତୋ ଛୁରୀ ।’’

 

ଘାଉଡ଼ା ବାଘ ପରି ସେ ମୋ ଉପରକୁ ଡେଇଁ ପଡ଼ିଲା ! ଆମ ଢେର ବେଳ ଲଢ଼ିଲୁ ! ଶେଷରେ ଗୋଟାଏ ଲଇରେ ଛନ୍ଦି ହୋଇ ସେ ଚିତ୍‌ମାତ୍‍ ପଡ଼ିଗଲା ! ସେ ପାଟି ମେଲା କୁରି ଆଖି ବୁଜି ପଡ଼ିଯାଇଥାଏ । ମୁଁ ଭୁଜାଲିଟାକୁ ଶେଷରେ ବସେଇଦେଲି ।

 

ଚନ୍ଦନା ତଳକୁ ଚାହିଁ ରହିଲା, କହିଲା, ମୁଁ ତାକୁ ମାରିବାକୁ ବାଧ୍ୟ ହେଲି । ମୁଁ ଲଢ଼ିଲି । ତାକୁ ଲଢ଼ିବାକୁ ସୁଯୋଗ ଦେଲି । ଆମ ଭିତରୁ ଜଣେ ନିଶ୍ଚେ ମରିଥାନ୍ତା, ସେ ମରିଗଲା ! ଗୋଟାଏ ମାଇକିନା ପାଇଁ ଆମେ ଲଢ଼ିଥିଲୁ: କିନ୍ତୁ ମୁଁ ବୁଲି ଚାହିଁଲା ବେଳକୁ ସେ ସେଇଠି ନଥିଲା । ସେ ବୋଧେ ମୋତେ ଚାଲ୍‌ ଖେଳି ଭୂତେଇ ଦେଲା । ଆମକୁ ଲଢ଼େଇ ଦେଇ ଖସିଗଲା । ସେ କେତେ ବାଟ ଏମିତି ଯାଇଥାନ୍ତା ! ମୁଁ ଚାହିଁଥିଲେ ତାକୁ ଧରି ପକାଇଥାନ୍ତି । ମୁଁ ଆଉ ଚାହିଁଲି ନାହିଁ-। ମୋର ମନ ହେଲାନାହିଁ ।

 

‘‘......ଧୀରେ ଧୀରେ ମୁଁ ରାସ୍ତା ଆଡ଼କୁ ଆସିଲି । ଗୋଡ଼ ଲମ୍ବେଇ ସେଇ ଗଛ ମୂଳେ କିଛି ସମୟ ବସି ସେ ଫଟଫଟିଆଟାକୁ ଚାହିଁଲି ! ତା’ ଉପରେ ମୋର ପ୍ରବଳ ରାଗ ହେଲା–ସେଇଠୁ ଉଠିଯାଇ ତାକୁ ଛେଚି ଛେଚି ଗୁଣ୍ଡ କରିଦେଲି ।’’

 

ତିନୋଟି ମଣିଷ ନିଶ୍ଚଳ ହୋଇ ଠିଆରହିଥାନ୍ତି । ମେଘ ଡାକୁଥାଏ । ବର୍ଷା ଛେଚୁଥାଏ । ମାଷ୍ଟ୍ରେ ପୁଣି ପିଣ୍ଡିଉପରେ ବସିପଡ଼ିଲେ ! ବର୍ଷାଭିତରକୁ ଚାହିଁ କହିଲେ, ‘‘କଥାଟା କିନ୍ତୁ ଏମିତି ଆଦୌ ନୁହେଁ !’’

 

ବଜାରୀ ହାତ ଯୋଡାକ ପଛକୁ ଫିଙ୍ଗି ଲେଡ଼ାମାରି ହାଁ କରି ଚାହିଁଲା, ‘‘ମାନେ, ଏମିତି ନୁହେଁ ତ ଆଉ କେମିତି ?’’

 

କାଠୁରିଆ ଭୁରୁ କୁଞ୍ଚେଇ ବୁଲି ଚାହିଁଲା । ଅଦ୍‌ଭୂତ ଢଙ୍ଗରେ ଟିକିଏ ହସିଦେଲା । ପାଖେଇ ଆସିଲା ଶୁଣିବାକୁ; କିନ୍ତୁ ସେ ଛନଛନ ହେଉଥାଏ । ଟାଣିଲାପରି ରହିଥାଏ । ଡରିଲା ପରି ଚାହୁଁଥାଏ ।

 

ମାଷ୍ଟ୍ରେ କହିଲେ, ଭୟଙ୍କର ଏ ମଣିଷ ଜନ୍ତୁ ! ତାକୁ ମୁଁ ଆଦୌ ବୁଝିପାରୁ ନାହିଁ–ଏଇ ଘଟଣାରୁ ସେ ଟୋକୀ ଆସିଥିଲା କାଲି ସେଇ ଥାନାକୁ । ତାକୁ ଜେରା କଲାବେଳେ ସେ ଭାଉଁ ଭାଉଁ କାନ୍ଦୁଥାଏ । ତା’ ବାଳ ମୁକୁଳା । ପାଗଳ ମଣିଷଙ୍କ ପରି ଆଖି ତରାଟି ସେ ବାଲୁ ବାଲୁ ଚାହୁଁଥାଏ । କହୁଥାଏ.....

 

‘‘ମୋତେ ମରିଯିବାକୁ ଦିଅ । ମୋତେ ମାରିଦିଅ ! ମୁଁ ମରିବି । ମୁଁ ପ୍ରାଣ ହାରିବାକୁ ପାଣିକୁ ଡେଇଁଲି, ମୁଣ୍ଡ ପିଟିଲି ପଥରରେ । ମଲି ନାହିଁ ! ....ଜମ୍ମା ମଲି ନାହିଁ...ମଲି ନାହିଁ !!’’ କିଛି କାଳ ଛେଚି କୋଡ଼ି ହୋଇ ସେ ବିକଳରେ କାନ୍ଦିଲା । ......ତା’ପରେ କହିଲା–

 

‘‘ଏ ମରଦଗୁଡ଼ା କୁକୁର ! ଏଗୁଡାକ ଦେହରେ ବଳ ଅଛି ବୋଲି ବଳାତ୍କାର କରୁଛନ୍ତି । ଏମାନଙ୍କ ହୃଦୟ ନାହିଁ, ବୁଦ୍ଧି ନାହିଁ ! ଏମାନେ ବିଚାର କରିପାରନ୍ତି ନାହିଁ ! ଏଗୁଡାକ ସମସ୍ତେ ଛୋଟଲୋକ, ସମସ୍ତେ ପଶୁ....

 

.....କ’ଣ ହେଲା ଏବେ ସେଦିନ ! ସେ ମୋ ସ୍ୱାମୀ । ମୋତେ ଚାରିଟାମାସ ତଳେ ପ୍ରେମକରି ବାହା ହୋଇଥିଲେ ! ବାପା ମା’ଙ୍କ ଇଚ୍ଛା ନଥାଉ ବାହାଘର ହେଲା ! କାରଣ ମୁଁ ତାଙ୍କ କଥାରେ ବିଶ୍ୱାସ କରିଥିଲି ! କେଡ଼େ ଆଦରରେ ଗେଲକରି ସେ କହିଥିଲେ ଯେ, ମୋତେ ପ୍ରାଣଠାରୁ ବଳି ଭଲପାଆନ୍ତି-ହୁଁ.... ମିଥାବାଦୀ, କା’ପୁରୁଷ, ବେମରଦିଆ ଲୋକ । ଦେବୀଗଡ଼ ମୋ ମାମୁଁ ଘର । ମଟରସାଇକେଲ ଚଞ୍ଚଳ ପହଞ୍ଚେଇଦେବେ ବୋଲି ବାହାରିପଡ଼ିଲେ ! ଏ ଜଙ୍ଗଲିଆ ରାସ୍ତାରେ ଡକେଇଚ ରହନ୍ତି ବୋଲି ମୁଁ ପାରୁପର୍ଯ୍ୟନ୍ତ ତାଗିଦା କଲି । ସେ ଖାଲି ଡେଣାଫୁଲେଇ ବାହାଦୁରୀ ଦେଖେଇଲେ !

 

ଆମେ ପଡ଼ିଗଲୁ ଚନ୍ଦନା ହାବୁଡ଼ରେ ! ସେ କୁଆଡ଼େ ନାମଜାଦା ଉକେଇଚି-ଛୋଟଲୋକ ନାଲାଏକ ଜନ୍ତୁ ସେଇଟା-ହି, ହିହି....,

 

ସେ ଖାଲି ପାଗଳୀ ପରି ହସିଲା । ଆଖିରୁ, ରାଗରେ ଲୁହ ଝରି ଯାଉଥାଏ । ସେ କାନ୍ଦୁଥାଏ କି ହସୁଥାଏ କହିଦେବି ନାହିଁ । ପ୍ରଳାପ କଲାପରି ଝାଙ୍କି ହେଉଥାଏ । ଦାନ୍ତ କଡ଼ମଡ଼ କରୁଥାଏ-

 

‘ତା’ ସାଙ୍ଗରେ ଆମେ ଲଢ଼ିଲୁ ! ସେ ଖୁବ୍‌ ଲଢ଼ିଲେ, ତାଙ୍କୁ ସେ ଛେଳିପରି ବାନ୍ଧି ପକେଇଲା । ମୁଁ ତାଙ୍କ ଆଖିଆଗରେ ପାରୁପର୍ଯ୍ୟନ୍ତ ଲଢ଼ିଲି । ପାଟିକଲି, ଛୁରୀଧରି ଲଢ଼ିଲି । ତାକୁ ଗୋଇଠା ମାରିଲି । ତା’ ଉପରେ ଛେପ ପକେଇଲି । ସେଇଟା ଜଙ୍ଗଲି ଜନ୍ତୁଟାଏ । ମୁଁ ଆଉ ପାରିଲିନାହିଁ; କେତେବେଳେ ମୁଁ ବେହୋସ ହୋଇ ପଡ଼ିଗଲି । ମୁଁ ଚେତା ପାଇଲା ବେଳକୁ ସେ ସେଇଠି ନାହିଁ-ମୁଁ ସେ ଗୁପ୍ତି ଛୁରୀ ଧରି ଚିତ୍କାର କରି କରି ତାକୁ ଡାକିଲି । ଦୌଡ଼ିଲି ଚାରିଆଡ଼େ । ସେଇଟା ଗୋଟାଏ ଅମଣିଷର ଡରକୁଳା ଜନ୍ତୁ !’’

 

‘‘ମୁଁ ମୋ ସ୍ୱାମୀଙ୍କ ଉପରେ ଆସି କାନ୍ଦି କାନ୍ଦି ଅଜାଡ଼ି ହେଇ ପଡ଼ିଲି; କାନ୍ଦିଲି ଅନେକ । ମୋତେ ହଠାତ୍‌ ଲାଗିଲା ମୁଁ ଗୋଟାଏ କାକର ସାପକୁ କୁଣ୍ଢେଇ ଧରିଚି । ମୁଁ ଘୁଞ୍ଚିଆସି ତାଙ୍କ ମୁହଁକୁ ଚାହିଁଲି । ସେ ମୋତେ ଜମ୍ମା ଚାହୁଁ ନ ଥାନ୍ତି ! ମୁଁ ପାଦ ଧରି ଅନେକ ମୁଣ୍ଡ ପିଟିଲି । ମୁଁ ଜାଣିଲି ସେ ମୋତେ ତ୍ୟାଗ କରିଦେଲେ ! ତାଙ୍କ ଆଖିରେ ମୋର ଆଉ ଇଜ୍ଜତ ନାହିଁ, ଚରିତ୍ର ନାହିଁ-। ମୁଁ କଳଙ୍କିନୀ ! ....ନାଲାଏକ, ଇଡ଼ିଅଟ୍‌, ମୁର୍ଖ, ବେକୁବ ଶାଲା କାୱାର୍ଡ଼ !! ମୁଁ ସେ ଗୁପ୍ତିଛୁରୀ ଗୋଟେଇ ଆଣି ଦଉଡ଼ି କାଟିଦେଲି । ନେହୁରା ହୋଇ କହିଲି ମୋର କିଛି ଦୋଷ ନାହିଁ, ମୋର ଆୟତ୍ତ ନାହିଁ, ମୋତେ ଦୟାକର । ମୋତେ ସେମିତି ଚାହିଁ ନାହିଁ । ମୋତେ ବରଂ, ବରଂ....ଏଇ ନିଅ ଛୁରୀ, ନିଜ ହାତରେ ହତ୍ୟାକର । ଇଜ୍ଜତ ରଖିବାକୁ ବହୁ ପୁରୁଷ ଏମିତି ହତ୍ୟା କରନ୍ତି ! –ତୁମେ ହତ୍ୟା କର ।’’

 

ଶୂନ୍ୟକୁ ଚାହିଁ ସେ ଦୀର୍ଘଶ୍ୱାସ ଛାଡ଼ିଲା–‘‘କିଛି ଫଳ ହେଲାନାହିଁ, ପଥର ତରଳିଲା ନାହିଁ-!’’ ସେ ପାପ ଆଖି ଯୋଡାକ ସେମିତି ଥଣ୍ଡାଳିଆ ଦୃଷ୍ଟିରେ ଚାହିଁରହିଲେ । ମୁଁ.....ମୁଁ ଲୋକଟାକୁ ତତ୍‌କ୍ଷଣାତ୍‌ ଭୟଙ୍କର ଘୃଣା କଲି । ମୁଁ ବାରମ୍ୱାର ଚିତ୍କାର କଲି, ‘‘ସେମିତି ଚାହିଁନାହିଁ.....ମୁଁ କହିଦେୁଛି ! ସେମିତି ଚାହିଁନାହିଁ.....’’ ମୋ ଅଜାଣତରେ ମୁଁ ପାହୁଣ୍ଡେ ପାହୁଣ୍ଡେ ଯାଉଥିଲି । ମୋ ହାତରେ ସେ ଦାଢ଼ୁଆ ଗୁପ୍ତି....ମୋ ଦେହ ଥରିଲା । ମୋତେ ଚତୁର୍ଦ୍ଦିଗ ଅନ୍ଧାର ଦିଶିଗଲା-। ମୋ ମୁଣ୍ଡ ଭିତରେ କ’ଣ ସବୁ ଫେଣ ଗଜ ଗଜ ହୋଇ ଉତୁରିଗଲା । ମୁଁ ଚେତାହାରି ସାମ୍ନାକୁ ପଡ଼ିଗଲି-। ....ସେଇ ଶେଷ.... ।

 

ହାଁ...ହାଁ...ହୋଇ ସେ ଗୁଡ଼ାଏ କାନ୍ଧିଲା । ପୁଣି ଠପ୍‍କରି ରହିଗଲା । ଏଡ଼େଟାମାନ ଆଖିକରି ଶୂନ୍ୟକୁ ଚାହିଁ କହିଲା–‘‘ମୁଁ ଆଖି ଫିଟେଇ ଚାହିଁଲା ବେଳକୁ ତାଙ୍କ ବୁକୁରେ ଗୁପ୍ତିଟା ସମ୍ପୂର୍ଣ୍ଣ ପଶି ଯାଉଛି ।’’ ସେ ମୁହଁ ଘୋଡ଼େଇ ଫୁଲି ଫୁଲି କାନ୍ଦିଲା ।

 

‘‘ଆଶ୍ଚର୍ଯ୍ୟ ! –ଏଥିରୁ ତା’ ହେଲେ କୋଉଟା ସତ !’’ ମେଘ ଦୁଲୁକିଲା-ବେଳେ ବଜାରୀ ବିଡ଼୍‌ ବିଡ଼୍‌ ହେଲାପରି ପଚାରିଲା । ହାତକୁ ହାତ ଘଷି ସେ ଚାହିଁଲା ମାଷ୍ଟ୍ରଙ୍କ ମୁହଁକୁ । ବୁଢ଼ା ବିଚରା କିଛି ବୁଝିପାରୁ ନ ଥିବାରୁ ତାକୁ ଆମୋଦ ଲାଗିଲା ! ଭାରି ବଢ଼ିଆ ଲାଗୁଛି କହି ସେ ଘେରାଏ ବୁଲିଗଲା । ବର୍ଷାକୁ ଚାହିଁ ତାଳି ମାରିଲା । ପାଟି ସୁଆଦକରି । କହିଲା, ‘‘ମୋତେ ଉଭୟ ସତପରି ଲାଗୁଛି !’’

 

‘‘ମାଷ୍ଟ୍ର ଜଣକ ସେମିତି ବିହ୍ୱଳ ହୋଇ ଚାହିଁଥାନ୍ତି ଅନ୍ୟମନସ୍କ ! ଅଳ୍ପ ବିଦ୍ରୂପ କଲାପରି କହିଲେ, ସତ କ’ଣ ? ମିଛ ପୁଣି କ’ଣ ? –ମଣିଷ ପାଇଁ ସତ୍ୟର ଆବଶ୍ୟକତା କ’ଣ ? ଆଜି ଶୁଣ, କ’ଣ ଘଟିଲା ।

 

‘‘ଥାନା ପାଖ ଲୋକେ ମୋ’ରି ଭଳି ଏ ବିଷୟର ଥଳକୂଳ ପାଉନାହାନ୍ତି । ଜଣକ ଘରେ ଗୁଣିଆଟିଏ ଅଛି । ସେ ମଲା ଲୋକଙ୍କୁ ଡାକିଲେ ସେମାନେ ଆସି ଜଣକ ଦେହରେ ପ୍ରବେଶ କରିଯିବେ ! ତାକୁ ପଚାରିଲେ ସବୁ ସତକଥା କହିଯିବେ !

 

‘‘ଆଚ୍ଛା ?’’

 

‘‘ଆଜି ସକାଳଓଳି ତିନିରଙ୍ଗର ମୁରୁଜରେ କୋଠି କାଟି ମନ୍ଦାରଫୁଲ ଥୋଇ ସେ ତାକୁ ଡାକିଲା । ଗୋଟାଏ ମାଇକିନିଆକୁ କାଳିସୀ ଲାଗେ । ତା’ରି ଭିତରେ ସେ ଟୋକା ପ୍ରବେଶକଲା ! ଗୁଡ଼ାଏ ସମୟ ଗାଉଁ ଗାଉଁ ଗର୍ଜିଲା । ତା’ପରେ ତା’ ଆଖି ଖୋସି ହୋଇଗଲା । ସେ ଥରିଲା । ଗୁଡ଼ାଏ ଝୁଣି ହେଲା ଆଉ ଚେତାହାରି ପଡ଼ିଗଲା ।

 

ଗୁଣିଆ ପଚାରିଲା–ଆସିଲୁ ?’’

 

ମଲା ମଣିଷର ସ୍ୱରଭଳି ଶୁଭିଲା–‘ହିଁ’ ।

 

ଗୁଣିଆ କହିଲା–‘‘ତୁ ଯାହା ଜାଣିଚୁ ସବୁ କହିଯା ।’’

 

ସମସ୍ତେ ସ୍ତବଧ୍‌ ହୋଇ ରହିଥାନ୍ତି । ପିଲାଏ କେତେବେଳୁ ଖସି ପଳେଇଥାନ୍ତି । ସେ ଥରେ ଫଡ଼୍‌ ଫଡ଼୍‌ ହାତଗୋଡ଼ ଛାଟିଲା । ତା’ପରେ କହିଲା–

 

‘‘ମୋତେ କେହି ମାରିନାହାନ୍ତି ! ମତେ କିଏ କାହିଁ ମରିଥାନ୍ତା–ମୁଁ ସହି ପାରିଲିନାହିଁ ! ସେ ମାଇକିନିଆ ପାଇଁ ପ୍ରାଣ ହାରିଦେଲି । ସେ ମୋତେ ଛାଡ଼ି ଚାଲିଯିବାରୁ ମୁଁ ସହିପାରିଲି ନାହିଁ....’’

 

‘‘କିରେ ତୁ ପରା ତା’ ସ୍ୱାମୀ । ସେ ତତେ କେମିତି ଛାଡ଼ିଗଲା !’’

 

ଆମେ ଗୋଟେ ଡକେଇତକୁ ଭେଟିଲୁ । .....ସେ ମୋ ମାଇପକୁ ନବାକୁ କହିଲା... । ମୁଁ ତା’ ସାଙ୍ଗରେ ଲଢ଼ିଲି.... । ମୁଁ ତାକୁ ପାରିଲିନାହିଁ । ସେ ମୋତେ ବାନ୍ଧି ପକେଇଲା । ......ସେ ମୋ’ଠୁ ବଳୁଆ ହେଲାରୁ ଏ ମାଇକିନିଆ ତାକୁ ଆଉଜିଗଲା ବୋଲି ମୁଁ ଭାବିଲି..... । ତାକୁ ମୁଁ ଆଉ ଦେଖିଲିନାହିଁ । ସେ ଡକେଇତ କ’ଣ ଭାବି ମୋ ଦଉଡ଼ି କାଟି ମୋତେ ମୁକୁଳେଇ ଦେଲା । ତା’ ଉତ୍ତାରୁ ଟହଟହ ହସି ଧାଇଁ ପଳେଇଲା । ମୁଁ ଗୋଡ଼େଇଯାଇ ଅଧ ବାଟରେ ଥମିଗଲି । ମୋତେ ଶୁଭିଲା ଦୁଇଜଣ ଧାଇଁ ଚାଲି ଯାଉଥାନ୍ତି ! ମୁଁ ସେ ମାଇକିନିଆକୁ ମୋ ରକ୍ତ-ନଳୀ କରିଥିଲି । ସେ ଶେଷକୁ ଆଉ ଜଣକୁ ମଦରି ଚାଳିଯିବ-ଏକଥା ମୁଁ ସହି ପାରିଲିନାହିଁ । ମାଇପଟାକୁ ସମ୍ଭାଳି ପାରିଲିନାହିଁ, ଧିକ୍‌ ମୋତେ । ଗୋଟାଏ ଡକେଇତକୁ ମାରି ଉଦ୍ଧାର ପାରିଲି ନାହିଁ । ଧିକ୍‌ ମୋତେ ! ମୋତେ କାନ୍ଦ ମାଡ଼ିଲା ଏମିତି ଧିକ୍‌କାରରେ । ଲୁହ ବୋହିଯିବା ଆଗରୁ ମୁଁ ନିଜ ଛୁରୀ ମୋ ଛାତିରେ ଭୁସିଦେଲି । ମୋ ଆଖିକୁ ଅନ୍ଧାର ମାଡ଼ିଯିବା ବେଳେ ମୋତେ ସେ ମାଇକିନିଆର ଲୁହ ସରସର ମୁହଁ ଦିଶିଗଲା । ମୁଁ ସେ ଦୋଚାରୁଣୀକୁ ଛେପ ପକାଇବାକୁ ବେଳ ପାରିଲାନାହିଁ-ଓଃ, ମୋତେ ଏ ଅନ୍ଧାରରୁ ମୁକୁଳାଅ ! ମୁଁ ରୁନ୍ଧିହେଇ ଯାଉଚି....ଓଃ.... ।’’ ସେ ଗର୍ଜିଲା ଭୀଷଣ ଯନ୍ତ୍ରଣାରେ ।

 

ଗୁଣିଆ ପାଣି ଚଳେ ତା’ ମୁହଁକୁ ଛାଟିଦେଇ କହିଲା, ‘‘ଯାଃ, ଯା ଚାଲି ଯା, ଯା ।’’

 

କାଳିସୀ ଲାଗିଥିବା ମାଇକିନିଆ ଜଡ଼ସଡ଼ ହେଇ ଉଠି ଖୁବ୍‌ ହାଲିଆ ହେଲାପରି ବେଲାଏ ପାଣି ପିଇ ସାଷ୍ଟମ ହେଲା । ଗୁଣିଆ ଚାହିଁଲା ଆମାମନଙ୍କ ମୁହଁକୁ ! କହିଲା, ‘‘ମଣିଷ ସିନା ମିଛ କହେ, ଭୂତପ୍ରେତ ମିଛ କହନ୍ତି ନାହିଁ । କ’ଣ ପ୍ରକୃତ ଘଟଣା ଶୁଣିଲେ ତ ସମସ୍ତେ !’’

 

ସେଠୁ ଚାଲିଆସି ମୁଁ ବିହ୍ୱଳ ହୋଇ ଚାହିଁ ରହିଛି ମଣିଷକୁ; ତାର ଜୀଅନ୍ତା ଆଉ ମରନ୍ତା ରୂପକୁ ! ତା’ର ଛନ୍ଦ-କପଟରେ ଲଟପଟ ହେଉଥିବା ସ୍ୱାର୍ଥକୁ ।

 

‘‘ତା’ ହେଲେ ତ ଏ ପ୍ରେତ କଥାଟା ହିଁ ଶେଷକଥା ନା କ’ଣ ?’’

 

ତା’ମନ ଚୈତନ ସେଇ ମାଷ୍ଟ୍ରଙ୍କ ଉପରେ । ଏଣୁ ତା’ ପଛରୁ ଯେତେବେଳେ ଶୁଭିଲା ‘ନା, ସେ ଚମିକି ଚାହିଁଲା । ମାଷ୍ଟ୍ରେ ମଧ୍ୟ ଚମିକି ଚାହିଁଲେ ।

 

ସେ ଏକବସ୍ତ୍ରୀ ଲୋକଟି ବର୍ଷାଆଡ଼େ ଚାହିଁରହିଥାଏ । ସେଇ କହିଲା ‘ନା’ ! –କେମିତି-? ସେ କ’ଣ ଆଉ କିଛି ଜାଣେ ?

 

ବଜାରୀ ଉଠିପଡ଼େ ସେ ଲୋକର ଆଖିକୁ ଅନେଇଲା-କହିଲା, ‘‘ଆହେ ଭାଇ ! ଏତ କ’ଣ ଆଉରି ଅଦ୍ଭୁତ ହେବାକୁ ବସିଲାଣି, ତୁମେ କ’ଣ ଆଉ ଜାଣିଛି କି ?’’

 

ସେ ଏକବସ୍ତ୍ରୀ ମଣିଷ ମାଷ୍ଟ୍ରଙ୍କୁ ଚାହିଁ ପଚାରିଲା-‘‘ଆଚ୍ଛା, ଥାନାରେ ଏକଥା କିଏ ଖବର ଦେଇଥିଲା ?’’

 

‘‘ଗୋଟାଏ କାଠୁରିଆ-ସେ କାଠ କାଟିବାକୁ ଯାଇ ପ୍ରଥମେ ସେ ଲୋକର ମୁର୍ଦାର ଦେଖି ଏକା ନିଃଶ୍ୱାସରେ ଦୌଡ଼ି ପଳେଇ ଆସିଥିଲା ଥାନାକୁ ।’’

 

‘‘ମୁଁ ସେଇ କାଠୁରିଆ.....’’

 

ଏ ଦୁହେଁ ତା’ ପାଖରୁ ପାଦେ ଲେଖା ଘୁଞ୍ଚିଗଲେ ।

 

‘‘ମୁଁ ସବୁକଥା ଥାନାରେ କହିନାହିଁ । ମୁଁ କିନ୍ତୁ ସବୁ ଦେଖିଛି !’’ ଏତିକି କହି ସେ ମୁହଁ ଫେରେଇ ଏମାନଙ୍କୁ ଚାହିଁଲା ! ‘‘ବାବା, କି ସେ ଭୟାର୍ତ୍ତ ଆଖି । ତାକୁ ବଜାରୀ ନେଇ ବସାଇଲା, ଟିକେ ସୁସ୍ଥକଲା । ତା’ପରେ ତାକୁ ଭରସା ଦେଲାପରି କଥା ଆଦାୟ କରିବାକୁ କହିଲା-‘‘ଜଣାଗଲା, ସତ ସବୁ ଏଇଠି । ସେ ନିଜେ ଆଖିରେ ଦେଖିଛି, ତା’ଠୁ ବଳି ଆଉ ସାକ୍ଷୀ କିଏ ଅଛି ? –ତା’ ହେଲେ ଭାଇ ଏସବୁ କୌଣସିଟା ସତ ନୁହେଁ !’’

 

‘‘ନା, କୌଣସିଟା ସତ ନୁହେଁ..... । ମୁଁ ପ୍ରଥମେ ମାଇକିନିଆଟିଏ କାନ୍ଦିବାର ଶୁଣିଲି ! ଆସ୍ତେ ପାଖେଇଲି ମୁଣ୍ଡିଆ ଉପରଆଡ଼ୁ ! ଗୋଟାଏ ହୁଡ଼ା ପଛରେ ଲଇବଣ । ସେଇଠୁ ମୁଁ ତଳକୁ ଚାହିଁଲି ! ଯାହା ଦେଖିଲି ମୁଁ ବିଶ୍ୱାସ କରିପାରିଲିନାହିଁ ।

 

ସେ ମାଇକିନା ବାୟାଣୀପରି ୟା’ ପାଖରୁ ତା’ ପାଖକୁ ଧାଉଁଛି, କେହି ତାକୁ ଆଶ୍ରା ଦଉନାହିଁ ! ତା’ ସ୍ୱାମୀ କହୁଛି, ‘‘ତୁ କିଏ ମୁଁ ଜାଣେ ନାହିଁ, ତୁ ଏ ମାଇକିନିଆକୁ ଥରେ ଧରି ସାରିଛୁ, ତୁ ତାକୁ ନେଇପାରୁ !’’

 

ଏପଟେ ଡକେଇତ ଖାଲି ଟହଟହ ହସୁଛି ! ମଝିରେ ଲୋଟିପଡ଼ି ସେ ମାଇକିନାଟି କାନ୍ଦୁଛି ଭାରି ନିଆଶ୍ରୀ ହୋଇ ! .....ଛି ଛି.....କି ଅସଂସାରୀ କଥା ! ମୁଁ ଖଲଖଲ ହଉଥାଏ । ହେଲେ ଡକେଇତକୁ ଦେଖି ମୋର ହାଲୁକ ଶୁଖି ଯାଉଥାଏ ।

 

ତା’ ସ୍ୱାମୀ ଆସି ସେ ମାଇକିନାଟା ଉପରେ ପାଦ ରଖି କହିଲା–‘‘ମୁଁ ଏଇଟା ପାଇଁ ମୋ ଜୀବନ ଉପରେ ଖେଳି ପାରିବିନାହିଁ । ତୁ ଚାହୁଁଛୁ ତ ନେଇ ଯା, ନହେଲେ ଯାହା ମନ ତା’ କର ।

 

ଡକେଇତ କହିଲା, ‘‘ଆରେ ମାଇକିନାଟାକୁ ଏମିତି କାହିଁକି ଜୋର୍‌ ଦେଖଉଚୁ, ସେ ତ ସହଜେ ଦୁର୍ବଳ !’’

 

ସେ ମାଇକିନା ସେଇଠୁ ଫାଉଁକିନା ସାପପରି ଲାଙ୍ଗୁଡ଼ିରେ ଠିଆ ହେଲା, ହସିଲା ଯେ-ଯାହାର ହେଲେ ମଞ୍ଜ ଥରିଯିବ ! କହିଲା, ‘‘ଛି ଛି, ମୋତେ ଦୁର୍ବଳ କହୁଛୁ, ତୋତେ ଲାଜ ନାହିଁ । ତୁମେ ଯୋଡ଼ାଯାକ ଅମରଦ । ତୁମର କଲିଜା ନାହିଁ । ଡରୁଆ....ପ୍ରାଣ ଭୟରେ ଲାଙ୍ଗୁଡ଼ ଲୁଚୋଉଚ-ତୁମେ ଯୋଡ଼ାଯାକ କୁକୁର । ମୁଁ ତୁମ ମୁହଁରେ ଛେପ ପକଉଚି–ତୁମେ ଲଢ଼ିବାକୁ ଡରୁଛ-। କି ମରଦ ତମେ । ଛି, ଥୁ ।’’

 

ଆଗେ ଚନ୍ଦନା ଫାଉଁକିନା କାଢ଼ିଲା ତା’ ଭୁଜାଲି । ତା’ ସ୍ୱାମୀ କାଢ଼ିଲା ଛୁରୀ । ସେମାନେ ଦୁହେଁ ଠକ୍‌ ଠକ୍‌ କରୁଥିବା ମୋତେ ଦିଶୁଥାଏ ! ନୁହେଁ ଶୁଖିଲାପତ୍ର ଉପରେ ଗୋଡ଼ ଖସି ପଡ଼ିଯାଉଥାନ୍ତି, ବିକଳରେ ପୁଣି ଉଠି ଲଢ଼ୁଥାନ୍ତି । ଗୋଟାଏ କଟା ଗଛର ଖୁଣ୍ଟା ପାଖରେ ସେ ମାଇକିନା କିଳିକିଳା ହସରେ ଲୋଟିପଡ଼ୁଥାଏ । ସେଇ ଗଛଟାକୁ ମୁଁ ନିଜେ କାଟିଛି, ମୁଁ ଜାଣେ-ସେ ଜାଗା ।

 

ସେ ଦୁହେଁ ବୁଲି ବୁଲି ଠିକ୍‌ ମୋ’ରି ସେ ହୁଡ଼ାତଳକୁ ଚାଲି ଆସିଲେ । ସେ ମରଦଟା ଲେଉଟି ପଡ଼ିଲା । ଡକେଇତ ତାକୁ ଆଉ ଟିକିଏ ସମୟ ଦେଲାନାହିଁ । ତା’ ହାତ ଥରୁଥାଏ । ଗୋଡ଼, ଦେହ, ମୁଣ୍ଡ ଠକ୍‌ ଠକ୍‌ ହୋଇ ଥରୁଥାଏ । ସେ ତା’ ବୁକୁରେ ବସେଇଦେଲା ଛୁରୀ ।

 

ମୁଁ ସେଇଠି ମୁହଁ ବୁଲେଇ ଆଣି ଟିପେଇ ଟିପେଇ ପାରି ହୋଇଗଲି । ଯେତେ ଜୋର୍‌ ପାରିଲି ଦୌଡ଼ିଲି । ଆସି କହିଲି ଥାନାରେ ।

 

ବଜାରୀ କଟମଟ ଚାହିଁଥାଏ କାଠୁରିଆ ମୁହଁକୁ । ସେ ଆଖି ଫେରେଇଦେବାରୁ ଅଳ୍ପ ହସିଦେଲା । ତଳକୁ ମୁହଁ ପୋତି କିଛି ସମୟ କ’ଣ ଭାବିଲା ।

 

ମାଷ୍ଟ୍ରେ କହିଲେ, ‘‘କି ବିକଟ ସ୍ୱାର୍ଥ ମଣିଷଟାକୁ ଜନ୍ତୁଠାରୁ ଆହୁରି ହୀନ କରିଦେଲା, ଏଡ଼େ ସ୍ୱାର୍ଥପର ଜୀବଟାଏ ବଞ୍ଚିବ କେମିତି ?’’

 

ବଜାରୀ ତା’ ଶକ୍ତିମତେ କଥାରେ ଜୋର୍‌ ଦେଇ ଉତ୍ତର ଦେଲା, ‘‘ସ୍ୱାର୍ଥପର ନହେଇ ଏଇଠି ବଞ୍ଚିବ କେମିତି ? ନିଜେ ନ ଲଢ଼ିଲେ ମୋ ପାଇଁ କିଏ ଲଢ଼ିବ ? କୌଣସି ପ୍ରକାରେ ବଞ୍ଚିବାକୁ ହେବ । ଏଠି ଖାଇବା ପିନ୍ଧିବା ପରା ସହଜ ନୁହେଁ !’’

 

ମାଷ୍ଟ୍ରଙ୍କ ବିହ୍ୱଳଭାବ ଆହୁରି ବଢ଼ିଗଲା । ଏ ଭୟଙ୍କର କଥାପାଇଁ ତାଙ୍କର ଉତ୍ତର କାହିଁ-? ପାଣିର ତେଜ ଟିକିଏ କମି ଆସିଥାଏ । ତଥାପି ବର୍ଷାଚାଲିଥାଏ ଝପ ଝପ । ତା’ହେଲେ ସଂସାର ଏଇଆ, ମଣିଷ ଏଇଆ, ୟା’କୌଣସି ଉଦ୍ଧାର ନାହିଁ !

 

ଏତିକିବେଳେ ଗୋଟିଏ କଅଁଳା ପିଲା କୁଣ୍ଟି ଆରପଟୁ କାନ୍ଦିଉଠିଲା । ତିନିହେଁ ଚମିକିପଡ଼ିଲେ ! ଏଠି, ଏ ଜାଗାରେ ଏମିତି ଛୋଟ ଛୁଆଟିଏ କାହୁଁ ଆସିଲା ? ମନେହେଲା ବର୍ଷାରେ ତିନ୍ତିଥିବା ସେ କୋଠା ସେମିତି କାନ୍ଦିଉଠିଲା । ହୋଇପାରେ ଏଇଠି ଶିଶୁହତ୍ୟା ହୋଇଯାଇଛି । ତା’ର ଆତ୍ମା ଏମିତି ବିଳପୁଛି । ମାଷ୍ଟ୍ରଙ୍କ ପିଠିରେ କୁଲା କୁଲା ଶୀତ ଅଜାଡ଼ି ହେଉଥାଏ; ବର୍ଷାବତାସୀ ଝାଙ୍କୁଥାଏ ପୂର୍ବଭଳି ।

 

ପ୍ରଥମେ ବଜାରୀ କୁଦାମାରି ଗଲା ଦେଖିବାକୁ । ତା’ର ଚାରିଦଉଡ଼ିକଟା ଜୀବନରେ ଅନେକ ସାହସ । ସେ ପିଲାଟି କିନ୍ତୁ ଆହୁରି ଜୋର୍‌ରେ କାନ୍ଦିଲା । ମାଷ୍ଟ୍ରେ ଧାଇଁଯାଇ ପହଞ୍ଚିଲେ । କାଠୁରିଆ ପହଞ୍ଚିଲା ତାଙ୍କ ପଛେ ପଛେ । ଦେଖିଲାବେଳକୁ ସତକୁ ସତ ପିଲାଟିଏ ଖଣ୍ଡିଏ କନା ଉପରେ ଶୋଇଛି ଗୋଟିଏ କୋଣରେ । ବଜାରୀ, ସେ ପିଲା ଉପରୁ ଦାମୀ କୋଟ୍‌ ଖଣ୍ଡେ ଆଉ ଭଲ ଲୁଗା ଖଣ୍ଡେ ଓଟାରି ନେଇ ଜାକିଧରିଛି ।

 

‘‘ହେ, ହେ, ଏତେ ନିଷ୍ଠୁର ହ’ନା, ଏତେ ସ୍ୱାର୍ଥପର ହ’ନା !’’ କହିଲା କାଠୁରିଆ । ମାଷ୍ଟ୍ରେ ସେ ରଡ଼ି ଛାଡ଼ୁଥିବା ପିଲାଟିକୁ କୋଳକୁ ଟେକିନେଲେ ।

 

କାଠୁରିଆ ବଜାରୀର ଡେଣା ଧରି ପ୍ରତିରୋଧ କଲା, ‘‘ଏମିତି କ’ଣ ସ୍ୱାର୍ଥପର ହୁଅନ୍ତି-?’’

 

ସେ ଦାନ୍ତ ଦେଖେଇ ଖିଙ୍କାରି ଆସିଲା । କହିଲା, ‘‘ଆବ୍‌ବେ ରଖିଥା ତୋ’ ଉପଦେଶ ! ମୁଁ ଯଦି ମୋ ପିଠି ଘୋଡ଼େଇବାକୁ ୟା’ଠୁ ଳୁଗା କାଢ଼ିନେଲି କ’ଣ ଭାସିଗଲା ? ମୁଁ ତ ତା’ ପ୍ରାଣ ନେଇନାହିଁ ! ଏ ବେଧପିଲାର ବାପ ମା’ଠୁ କ’ଣ ମୁଁ ବେଶି ନିଷ୍ଠୁର ! ସେମାନେ ତ ଏ ପାଗରେ ଗାଡ଼ିରେ ଆସି ଏ ଅପନ୍ତରାରେ ସେ ପିଲାଟାକୁ ପକେଇ ଦେଇଗଲେ, କିଏ ବାଟୋଇ ଗୋଟେଇ ନେଉ, ନହେଲେ ବିଲୁଆ କୁକୁର ଲୁଗା ଆଡ଼େଇ ତାକୁ ଚୋବେଇ ଖାଇଯାନ୍ତୁ । –ସେ ଶଳାକୁ ତୋ’ ଉପଦେଶ ଶୁଣେଇବୁ ଯା ।’’

 

ତା’ପରେ ଆହୁରି ହିଂସ୍ରଭଙ୍ଗୀରେ କାଠୁରିଆକୁ ଚାହିଁ କହିଲା, ‘‘ତୁ ଶଳାଟି କ’ଣ ଏବେ ସତ କହିଲୁ ? –ତୁ କ’ଣ ସେ ଲଢ଼େଇ ଦେଖି ପଳେଇଲୁ ? ତୁ କ’ଣ ଶେଷ ଯାଏ ସେ ମଲାମଣିଷ ପାଖକୁ ଯାଇନାହୁଁ ନା ତା’ ମୁଣାରୁ ଟଙ୍କା ଚୋରେଇନାହୁଁ ?’’

 

କାଠୁରିଆ ମୁହଁରୁ ପାଣି ମରିଗଲା । ମାଷ୍ଟ୍ରେ ସେ ଚିହିଁକୁ ଥିବା ପିଲାଟିକୁ ଧରି ହାଁ କରି ଅନେଇ ରହିଲେ ।

 

ବଜାରୀ ତା’ ମୁହଁରେ ଢୋ’ କିନା ଚଟକଣାଟିଏ ମାରି କହିଲା, ‘‘ଆଉ କିଛି କାହାର କହିବାର ଅଛି ? –ବର୍ଷା ଟିକିଏ ଛାଡ଼ିଛୁ ! ଏ ସଂସାରରେ ନିଜେ କେବଳ ନିଜପାଇଁ ଦାୟୀ । ମୁଁ ଚାଲିଲି ।’’

 

କାନ୍ଦୁରା ପିଲାଟାକୁ ଧରି କାଠ ମୂର୍ତ୍ତିଟାଏ ପରି ସେ ଶିକ୍ଷକଟି ଠିଆ ହୋଇ ରହିଥାନ୍ତି । ମଣିଷର ବିକଟ ରୂପ ଢେର୍‌ ସେ ଦେଖି ସାରିଥାନ୍ତି, ତୁଣ୍ଡରେ ପିଟୁ ନଥାଏ କଥା । କ’ଣ ଅବା କୁହାଯାଇପାରେ ?

 

କାଠୁରିଆ କିଛିସମୟ ତଳକୁ ଚାହିଁ ଠିଆହୋଇ ରହିଲା । ପିଲାଟା କାନ୍ଦୁଥାଏ । ସେ ମୁହଁଟେକି ହାତ ପ୍ରସାରି ତାଙ୍କୁ ସେ ପିଲାଟିକୁ ମାଗିଲା । ସେ ଫାଉଁକିନା ଭୟରେ, କ୍ରୋଧରେ କହି ପକେଇଲେ-‘‘କ’ଣ ୟା’ରି ମାଉଁସକୁ ତୋ’ର ଲୋଭ ହେଇଗଲା ?’’

 

କାଠୁରିଆ କିଛି କହିଲାନାହିଁ । ଡବ ଡବ ଆଖିରେ ତାଙ୍କୁ ଚାହିଁଲା । ମୁହଁ ଘୋଡ଼େଇ କାନ୍ଦି ପକେଇଲା । କହିଲା, ‘‘ମୋ ନିଜର ଛ’ଟି ପିଲା । ଆଉ ଜଣେ ମିଶି ଗଲେ ମଧ୍ୟ ସେଇ ଅଭାବରେ ସେମିତି ଚଳିଯାନ୍ତା: ମଣିଷ ପିଲାଟା ବଞ୍ଚିଯାନ୍ତା !’’

 

ତା’ର ଲୁହ ସରସର ମୁହଁଟାକୁ ଦେଖି ସେ ଶଙ୍କିଗଲେ । –ଓ ତା’ ହେଲେ ଏବେ ବି ଆକାଶରୁ ପାଣି ଝରୁଛି । ବନସ୍ତରେ ଏବେ ବି ଫୁଲ ଫୁଟୁଛି । କ୍ଷେତରେ ଫସଲ ଉଠୁଛି । ବାପଟିଏ, ମାଗୁଛି ଅବୋଧ ପିଲାଟିକୁ ପାଳିବାକୁ ! –ତାଙ୍କ ଭିତରେ ଓଲଟ ପାଲଟ ହେଇଗଲା ସବୁ ।

 

ସେ ତା’ ମୁଁ ପାଖରେ ପିଲାଟିକୁ ତୋଳି ଧରିଲେ । ପିଲାଟି ଚହିଁକି ଚିହିଁକି କାନ୍ଦୁଥାଏ । କାଠୁରିଆ ଭାରି ଅଭ୍ୟସ୍ତ ଢଙ୍ଗରେ ତାକୁ ବୁକୁରେ ଲଗେଇ ଧରିନେଲା । ପିଲାଟି କୁଁ କୁଁ ହେଇ ତୁନି ପଡ଼ିଗଲା ।

 

ଆକାଶରୁ ଭେଳା ଭେଳା ମେଘ ଆଡ଼େଇ ହେଇଯାଉଥାଏ । ତଳକୁ ମୁଣ୍ଡପୋତି ମାଷ୍ଟ୍ରେ କହୁଥାନ୍ତି ‘‘ମୋତେ କ୍ଷମାକର । କ୍ଷମାକର ! ମୁଁ କିଛି ବୁଝିନାହିଁ; ଏ ପାଖ ବୁଝିନାହିଁ କି ସେ ପାଖ ବୁଝିନାହିଁ । ମୋତେ କ୍ଷମା କର, କ୍ଷମାକର ।’’

Image

 

ଆଉ କ’ଣ ଅଛି ଡରିବାକୁ

 

‘‘ବୁଝିଲ, ଭାଇନା । ତୁମକୁ ଆଜି ଖୁବ୍‌ ବ୍ୟକ୍ତିଗତ ପ୍ରଶ୍ନଟିଏ ପଚାରିବ; କିଛି ଭାବିବ ନାହିଁ-। ଏଇ କେତେ ବର୍ଷ ହେଲା ବଡ଼ପୁଅ ସାଙ୍ଗରେ ତୁମର ସଂପର୍କ କ’ଣ ? –ମାନେ ଏଇ ଯେବେଠୁଁ ସେ କଲେଜରେ ପଢ଼ିଲାଣି ? ଯେବେଠୁଁ ସେ ତୁମ ଜାମା ଜୋତା ପିନ୍ଧି ଚାଲିଗଲେ, ଆଉ ବାପାଙ୍କର ପିନ୍ଧିଛି ବୋଲି ବାରି ହେଉନାହିଁ ?–ମୁଁ ତୁମଠୁ ଦି’ ଚାରି ବର୍ଷ ସାନ ହେବି ବୟସରେ; କିନ୍ତୁ ଆଉ କାହାଆଗରେ ମୋ ମନ ଭିତରର ଗୋଟାଏ ଗହନ ଅନୁଭବ ଫିଟେଇ କହି ପାରୁନାହିଁ-। –କାରଣ ଏତେ ମେଳ ଆଉ କାହା ସାଙ୍ଗରେ ପଡ଼ୁନାହିଁ । ମୋତେ ଏଇ କେତେ ଦିନ ହେଲା ଭାରି ଅଡ଼ୁଆ ଲାଗୁଛି । ବାବୁଲିର ପଟାଳିଆ ନିଶକୁ ଚାହିଁଥିଲେ, ଆଗଭଳି ଆଉ ପିଠି ଥାପୁଡ଼େଇ ଦେବାକୁ ନିଃସଙ୍କୋଚ ହାତ କାଢ଼ିପାରୁନାହିଁ । ଆଗଭଳି ତା’ ଆଖି, ତା’ ଭୁରୁ, ତା’ ଗାଲ ସବୁ ତା’ ବୋଉର ନକଲ ପରି ଦିଶୁଛି ସତ; କିନ୍ତୁ ତା’ ଦେହରେ ଆଉ ଗୋଟାଏ କ’ଣ ଫୁଟି ଦିଶୁଛି, ଯାହା ଏଥିପୂର୍ବେ ନ ଥିଲା । ମୁଁ ନିଜକୁ ନିଜେ ଖୁବ୍‌ ବୁଝେଇ ଲାଗିଛି; ଆରେ, ଏଇ ପରା ସେଦିନ ନଙ୍ଗଳା ହୋଇ ତୋ’ କାନ୍ଧରେ ବସୁଥିଲା; ଗୋଡ଼ ବାଡ଼େଇ କାନ୍ଦୁଥିଲା । ୟାକୁ ପରା କାଖେଇ ଧରି ଖରାଦିନ ସଂଜବେଳେ ତୁ ଶୁଆଉଥିଲୁ । –ଏଇ ସେଇ, ଏଇ ସେଇ । ଏଇଲାଗେ କଣ ଟିକିଏ ବିଗିଡ଼ି ଯାଇଛି ବୋଲି, ସେ କଣ ବାବୁଲି ନୁହେଁ ? ହେଲେ, ଭାଇନା ମୋର ଆଉ ହୁବ ପାଉ ନାହିଁ-। କ’ଣ ସବୁ ଭୁଷୁଡ଼ି, ଭାଙ୍ଗି ପଡ଼ିଲା ପରି ଲାଗୁଛି । ମୁଁ ଏବେ ଜୀବନରେ ଏମିତି ଗୋଟାଏ ମୋଡ଼ ପାଖରେ ଠିଆ ହୋଇଛି ଯେ, ସେଇଠୁ ମୁଁ ବୁଝିପାରୁ ନାହିଁ ନିଜକୁ, ସଂସାରକୁ ଏବଂ ଅନାଗତ ଭବିଷ୍ୟତକୁ ।’’

 

ଖୁବ୍‌ ନିସ୍ତବ୍‌ଧ ଅପରାହ୍ନ ସମୟ । ଡାକବଙ୍ଗଳାରେ ଦୈବାତ୍ ନୁରି ଭଟ୍ଟ ସାଙ୍ଗରେ ଦେଖା ହୋଇଗଲା । ପଚାଶ ବର୍ଷର ପୁରୁଣା ସାହି ସାଙ୍ଗ ହେଲେ ସେତେବେଳକୁ ତା’ ସାଙ୍ଗରେ ଦଶ ବାର ବର୍ଷ କାଳ ଦେଖା ହୋଇ ନ ଥିଲା । ସେ ଆଗ ଅପେକ୍ଷା ଅନେକ ଝଡ଼ିଯାଇଥାଏ । କୋରାପୁଟର ପୁରୁଣା ଗଛ ଆଉ ପାହାଡ଼ମାନଙ୍କ ନିକାଞ୍ଚନ ଗହଣରେ ସେ ଶୀର୍ଣ୍ଣ ହୋଇଯାଇଥାଏ ହୁଏତ ! ସେଇଠି ସେ ବୋଧହୁଏ ଚାଳିଶା ଚଷମା ପିନ୍ଧିଛି । ତା’ ମୁହଁ ଉପରେ ବୋଝେଇ ହୋଇ ଯାଇଛି ସରୁ ସରୁ ଗାର । ମୁଣ୍ଡରେ ଶୁଖିଲା ପାଳଧୁଆ ପତ୍ରପରି ପାତଳ ଟାଆଁସା ଧଳା ବାଳ । ମୋତେ ଦେଖି ସେ ଗହ ଗହ ହେଲା କିଛି କାଳ । ତା’ ଭିତର ଓଲଟ ପାଲଟ ହୋଇଗଲା । ସେ ଅନେକ କଥା ଗପିଗଲା । ସେଥିରୁ ବୁଝିଲି, ଯେ ତା’ ସ୍ତ୍ରୀ ଦେହ ଭଲ ରହୁନାହିଁ । ତା’ ନିଜର ରକ୍ତଚାପ ବଢ଼ିଯାଇଛି । ଖାଇଲେ ଜୀର୍ଣ୍ଣ ହେଉନାହିଁ । ରାତିରେ ନିଦ ହେଉନାହିଁ । ତା’ ଝିଅଟି ଭାରି ସୁନ୍ଦର ଭଲ ପଢ଼େ । ଘରର ସବୁ କାମ କରେ । ପୁଅର ଏ ବର୍ଷ ବି. ଏ । କିନ୍ତୁ ତାହାରି ପାଇଁ ନୁରିର ସବୁପ୍ରକାର ଦୁଶ୍ଚିନ୍ତା ।

 

ନୁରି ପୁଅ ବାବୁଲି ଆମ ବୁବୁଠଉଁ ପାଞ୍ଚ ଛ’ ବର୍ଷ ସାନ । ତାକୁ ମୁଁ ପିଲା ଦିନେ କେବଳ ଦେଖିଥିଲି । ଭାରି କଉତୁକିଆ ସୁନ୍ଦର ପିଲାଟିଏ ହେଇଥିଲା । ବେଳେବେଳେ ଅଝଟ ହୋଇ କାନ୍ଦୁଥିଲା; କିନ୍ତୁ ଭଲ ପାଠ ପଢ଼ୁଥିଲା ତ । ମୋତେ ଦେଖିଲେ ଗୁରୁଜନ ମାନ୍ୟରେ ହସି ହସି ଚମତ୍କାର ନମସ୍କାର ହେଉଥିଲା ତ । ତା’ ବାପ ତାକୁ କେତେପ୍ରକାର ପାଠ ଏକାଥରକେ ପଢ଼େଇଦେବାକୁ ଚାହୁଁଥିଲା । ସେ ଚାହୁଁଥିଲା କନ୍‌ଭେଣ୍ଟର ପଢ଼ି ବାବୁଲି ଚମତ୍କାର ଇଂରାଜୀରେ କଥା କହି ଶିଖୁ । ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ପଢ଼ି ଏକାଥରକେ ଶୁଦ୍ଧ, ଚରିତ୍ରବାନ୍, ଭଲ ମଣିଷ ହୋଇ ବାହାରୁ । ଏଣେ କେନ୍ଦ୍ରୀୟ ବିଦ୍ୟାଳୟରେ ହିନ୍ଦୀ କିଛି ମଧ୍ୟ ଶିଖିଯାଉ । ମୁଁ ମନାକରିଥିଲି ଏବଂ ନୁରି ମୋ କଥା ନ ଶୁଣିବାରୁ ତାକୁ ଶୋଧିଥିଲି । ସେ କିନ୍ତୁ ଲୋଭରେ ପୁଅଟିକୁ ସର୍ବୋତ୍ତମ ଶିକ୍ଷା ଦେବାକୁ ଯାଇ ବାରଚାଉଳିଆ କରି ପକେଇଲା । ବାବୁଲି ଏଥିପାଇଁ ଟିକିଏ ଡେରିରେ ସାଧାରଣ ସ୍କୁଲ ଧାରାକୁ ଆସିଲା; କିନ୍ତୁ ସେ ଭାରି ଚାଲାକ ଟୋକା । ଖୁବ୍‌ ସମଝଦାର୍‌ । ଖୁବ ସଚ୍ଚୋଟ ଟୋକା ବାବୁଲି । କ’ଣ ଏମିତି ହୋଇଗଲା ୟା ଭିତରେ ଯେ ତା ବାପ ଆସି ଏଭଳି ଭାଙ୍ଗିପଡ଼ିଛି ।

 

ମୁଁ ତାକୁ ହିମ୍ମତ ଯୋଗାଇବା ଢଙ୍ଗରେ କହିଲି, ‘‘ଶୁଣ ନୁରି । ପ୍ରାୟ କିଛି କାରଣ ନଥାଇ ଛାନିଆଁ ହୋଇଯିବା ତୋର ଅତି ପୁରୁଣା ଅଭ୍ୟାସ । ଆମେ ସବୁ ସ୍କୁଲରେ ପଢ଼ୁଥିଲାବେଳେ, ମନେ ଅଛିନା, କେମିତି କିଶୋରୀ ପଣ୍ଡା ତୁଚ୍ଛାରେ ବେଲିକାଢ଼ି ଆଖି ଖୋସିଦେଇ ସୁମଙ୍ଗ କରୁଥିଲାବେଳେ ତାକୁ ଦେଖି ତୁ’ ସତକୁ ସତ ଭୟରେ ମୂତି ପକେଇଥିଲୁ । ତୋର ଚେତା ବୁଡ଼ିଯିବାରୁ ଡାକ୍ତର ଡାକିବାକୁ ପଡ଼ିଥିଲା ।’’ ନୁରି ଲାଜେଇଲା ପରି ହସିଲା ।

 

‘‘ହସୁଛୁ କ’ଣ ? ରାସ୍ତା କଡ଼ରେ ଯାଦୁବାଲା ତା’ ଝିଅକୁ ଚାଦର ଘୋଡ଼େଇ ଦେଇ ଯେତେବେଳେ ଛୁରୀରେ ତା’ ମୁଣ୍ଡ କାଟି ହାତ କାଢ଼ି ଆଣିଲା, ଆଉ ତା’ ହାତରୁ ରକ୍ତ ଥୋପି ପଡ଼ିଲା, ତୋତେ ଝାଇଁ ମାରିଦେଇଥିଲା । ତୁଟା ଗୋଟାଏ ଏମିତି କଛାହଗୁରା ମଞ୍ଜପାତଳ ମଣିଷ-। ଆବେ, ତୁ ଏମିତି ସବୁ କଥାକୁ ଡରୁଛୁ କାହିଁକି ? –ପୁଣି, ବାବୁଲି ଭଳି ପିଲାକୁ ଡରୁଚୁ ? ପୁଅ ବଡ଼ ହେଇଗଲେ ଆଉ ପିଲାଳିଆ ସ୍ନେହ ସିନା ରହିବ ନାହିଁ; କିନ୍ତୁ ସ୍ନେହ ତ ରହିବ । ତୁ ସେଇଟା ବୋଧହୁଏ ବୁଝିପାରୁନାହୁଁ କିମ୍ବା ସହି ପାରୁନାହୁଁ ।’’

 

ନୁରି ମୁହୂର୍ତ୍ତେ ଗମ୍ଭୀରହୋଇ ତଳକୁ ଚାହିଁଲା ।

 

ମୁହଁ ଟେକି କେମିତି ଗୋଟାଏ ଉଦାସ ଭଙ୍ଗୀରେ କହିଲା, ‘‘ତୁମକୁ ସବୁକଥା ଫିଟେଇ ନ କହିଲେ ହୁଏତ, ତୁମେ ଏଇଆ ହିଁ ବୁଝିବ । ମୁଁ ତା’ହେଲେ କଥାଟା ଖୋଲାଖୋଲି କହିଦେଉଛି-। ଶୁଣିଲା ଉତ୍ତାରୁ ମୋତେ ବୁଦ୍ଧି ବତେଇବ ।

‘‘ବାବୁଲିଟାକୁ ମୁଁ କେତେ ଭଲପାଏ, ଆଉ କିଏ ସିନା ଜାଣିବନାହିଁ, ତୁମେ ତ ଜାଣିଛ । ଏଣୁ ତାକୁ କେବେହେଲେ ପଦେ ଟାଣକଥା ମୁଁ କହିପାରିନାହିଁ । ତା’ ମା’ ବରଂ ତାକୁ ଶାସନ କରିଆସିଛି । ମୋର ସବୁକାଳେ ବିଶ୍ୱାସ ରହିଆସିଛି ଯେ, ବାବୁଲି ମୋତେ ଖୁବ୍‌ ସମ୍ମାନ କରେ, ବୋଧହୁଏ କିଛିଟା ଡରେ ମଧ୍ୟ । ସେ କଲେଜକୁ ଆସିଲା ପରେ ତା’ ପାଇଁ ଥରକୁ ଥର ଜାମାଯୋଡ଼ି ତିଆରି କରିବାକୁ ଅନେକ ପଇସା ସରୁଥାଏ । ସେଥିପାଇଁ ଅନେକ ଅସୁବିଧା ହେଉଥିଲେ ବି ମୋତେ ଖୁସି ଲାଗୁଥାଏ । ବାବୁଲି କଲେଜରେ ପଢ଼ୁଛି । ଆମ ପିଲା, ଆଉ କାହାଠଉଁ ହୀନମାନ ନ ହେଉ, ଏଥିପାଇଁ ସବୁମନ୍ତେ ଚେଷ୍ଟା ଚାଲିଥାଏ । ପିଲା ଲୋକ ଟିକିଏ ମନହେଲେ ସିନେମା ଦେଖିବ, ସାଙ୍ଗ ସୁଖରେ ଚା’ ଜଳଖିଆ ଖାଇବ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାହୋଇଥାଏ । ସେ କିନ୍ତୁ କେମିତି ଚିଡ଼୍‌ଚିଡ଼୍ ହେଲା ପରି, ଫିଙ୍ଗିଲା ଫୋପାଡ଼ିଲା ପରି କଥା କହିବାର ମୋ କାନରେ ପଡ଼ୁଥାଏ । ବେଖାତିର କରି ମୋ ଆଗରେ ଦୁମ୍‌ଦୁମ୍‌ ଚାଲିଯିବାର, ଡାକିଲେ ନ ଶୁଣିବାର ମଧ୍ୟ ଥରେ ଦୁଇଥର ମୋ ଆଖିରେ ପଡ଼ୁଥାଏ । ମୁଁ ତାକୁ ମନକୁ ମନ ବୁଝେଇ ନେଉଥାଏ- ‘ଆରେ ଏମିତି ନ ହୋଇ ସେମିତି ହୋଇଥିବ, ୟା’ ନ ହୋଇ ତା’ ହୋଇଥିବ-।’ ତଥାପି ମୁଁ ଏ ବେତାଳିଆ କଥାଟାକୁ ଆଉ ଏଡ଼େଇ ପାରୁନଥାଏ... ।

‘‘ଦିନେ ମୁଁ ପିଣ୍ଡାରେ ବସି ଖିଅର ହେଉଛି, ପାଖ ବଖରାରୁ ବାବୁଲି ଆଉ ତା’ ମା’ର ତୁଣ୍ଡ ଶୁଭିଲା । କଥାର ସ୍ୱର କେମିତି ଟିକିଏ ତେଜା ତେଜା ଜଣାଗଲା । ମୋର କାନେଇବାକୁ ଇଚ୍ଛାହେଲା । –ବାବୁଲି ପ୍ରାୟ ଚିଡ଼ିଲାଭଳି କହୁଛି, କ’ଣ ହେଇଗଲା, ସେଇଠୁ ?’- ତା’ ମା’ କହୁଛି, ଆରେ ବାପାକୁ ପରା ଏଇଟା ଭଲ ଲାଗେନାହିଁ ।’- ବାବୁଲି, କହୁଛି ‘ନ ଲାଗୁ । ଏଠି କ’ଣ ବାପାକୁ ଯାହା ଭଲଲାଗେ ସେଇଆ ସବୁବେଳେ ହେଉଥିବ ? –ତାଙ୍କର ଇଚ୍ଛା ଅନୁସାରେ ସମସ୍ତେ ଚଳୁଥିବେ ? –କାହିଁକି ?’ –ମୋତେ ହଠାତ୍ ଦୁର୍ବଳ ବୋଧହେଲା । ମୋ ହାତ ନଇଁଗଲା, ଫେଣ ସାଲୁବାଲୁ ମୁହଁରେ ମୁଁ ଦର୍ପଣକୁ ଚାହିଁ ରହିଲି । ଛେପ ଢୋଳି କାନେଇଲି । ତେଣିକି କେବଳ ଗରଗର କଥା, ଦୁମ୍‌ ଦୁମ୍‌ ଚାଲି ଶୁଭିଲା । ସେଇଠୁ ଉଠିଯାଇ ଘଟଣା କ’ଣ ବୁଝିବାକୁ ମୋର ପ୍ରବୃତ୍ତି ହେଲାନାହିଁ । ମୁଁ ଅନୁଭବ କଲି ଯେ, ବାବୁଲି ଆଉ କୋଡ଼ପିଲା ନୁହେଁ । ସେ ଏଣିକି କ’ଣ କହୁଛି ଶୁଣିବାକୁ ହେବ । ଏକାନ୍ତରେ ତା’ ମା’କୁ ଡାକି କହିଦେଲି, ‘ବାବୁଲି ଯେମିତି କହୁଛି ସେମିତି କରୁନାହିଁ କାହିଁକି ?–ମୋ’ଠି କିଛି ଯାଏ ଆସେ ନାହିଁ ।’ ତା’ ମନ ଉଲ୍ଲାସ କରିବାକୁ ମୁଁ ଟିକିଏ ହସିଥିଲି; କିନ୍ତୁ ସେ କ’ଣ ଦେଖିଲା କେଜାଣି, ତଳକୁ ମୁହଁ ପୋତିପୋତି ଆର ବଖରାକୁ ଚାଲିଗଲା-

ନୁରି ନୀରବ ରହି ଚାହିଁରହିଲା କିଛି ସମୟ ।

‘‘ମୋ ଆଖି ଆଗରେ ଭାସିଉଠିଲା ଅସଂଖ୍ୟ ଚିତ୍ରପଟ । ଉଦାସ ଅପରାହ୍‌ଣ ଖରାରେ ନୀରବ ଧାନକ୍ଷେତ ପରି କିଆରି ସ୍ମୃତି । ନିଶ୍ଚଳ ପାଣିରେ ନିଶ୍ଚଳ ମେଘର ପ୍ରତିବିମ୍ବ ।’’ ....ଏଇ ପିଆଜିପୁଡ଼ାଟା ରଖିଲ । ତୁମ ମା’ ପୁଅଙ୍କ ଶ୍ରଦ୍ଧା ପରା । ବୁବୁକୁ କହିବ ଯେ ଏଇଟା ସେଇ ମାଡ୍ରାସ ହୋଟେଲ ଜିନିଷ; ଭାରି ବଢ଼ିଆ । ....‘ବୁବୁ ପରା ଟିକିଏ ଆଗରୁ ଆଣି ସନ୍ଦେଶ ରଖିସାରିଲାଣି ତୁମ ପାଇଁ । କେମିତି ସେ ମହୁକିଆ ମିଠାଗୁଡାକ ତୁମକୁ ସୁଖଲାଗେ କେଜାଣି ? ....ବୁବୁ ଖୁବ୍ ବୁଝିପାରେ । ପ୍ରଭୁ ତାକୁ ଦୀର୍ଘାୟୁ କରିଥାନ୍ତୁ ।’’

‘‘ସେଦିନ ଜନ୍ମାଷ୍ଟମୀ’’

ଚମକିଲା ପରି ବୁଜି ହୋଇଗଲା ସ୍ମୃତିପଟଳ । ମୋ ଉପରେ ଅଜାଡ଼ି ହୋଇପଡ଼ିଲେ ନୁରିଭଟ୍ଟ, ପୁରୁଣା ପଥରର ଡାକବଙ୍ଗଳା ଏବଂ ଅପରାହ୍ନ ଆକାଶର ଯେତେ ସବୁ ମେଘ । ମୁଁ ଆଖି ମିଟିକା ମାରି ଚାହିଁଲି, ନୁରିଭଟ୍ଟର ଶିରାଳ ଲୋମଶ ହାତଯୋଡ଼ିକୁ, ତା’ ସରୁବେକ, ହାଡ଼ୁଆ ମୁହଁ ଏବଂ ଚାଳିଶା ଚଷମା ଭିତରୁ ଢଳଢଳ ଦିଶୁଥିବା ଉଦାସ ଆଖିକୁ । ସେ କହୁଥାଏ–

‘‘ସେ ଦିନ ପିଠାପଣା ହୋଇଥାଏ । ବାବୁଲିର ଛୁଟି । ସେ ଘରେ ରହି ପାରିଥାନ୍ତା–ରହିଲାନାହିଁ । ସେ କୌଣସି ଛୁଟିଦିନ ଘରେ ରହୁନଥିଲା । ଦି’ପହରେ କ’ଣ ଗଣ୍ଡେ ଖାଇଦେଇ ସେ ତରବର ହୋଇ ଚାଲିଗଲା । ତା’ ମା’କୁ କୋଡ଼ିଏଟା ଟଙ୍କା ମାଗିବାରୁ ସେ ତାକୁ ଶୋଇବାଘରେ ମୋ ଅଜାଣତରେ ବଢ଼େଇ ଦେଇଥିଲା । ମୁଁ ପରେ ଜାଣିଲି । ସେ ଦିନ ତାକୁ ଅପେକ୍ଷା କରି କରି ରାତି ହୋଇଗଲା । ଦଶଟାବେଳକୁ ଗୋପଲୀଳା ପାଞ୍ଚ ଅଧ୍ୟାୟ ବୋଲା ସରିଗଲା । କୃଷ୍ଣ ଜନ୍ମବୃତ୍ତାନ୍ତ ମୋତେ ସବୁବେଳେ ବିଚଳିତ କରିଆସିଛି । ମୋତେ ସେଇ ଅନ୍ଧାର ରାତିରେ ଏକ-ବସ୍ତ୍ରିଆ ଦୁର୍ବଳ ବସୁଦେବଟି ଦିଶିଯାଏ । ବିଚାରା ମୋରି ଭଳି ମଣିଷଟିଏ ତ । କେମିତି ସପ୍ତଫେଣୀ ମେଘର କୁହାଟ, ଭରାନଈର ଘୁ ଘୁ ଗର୍ଜନ ଭିତରେ ସଦ୍ୟୋଜାତ ପୁଅଟିକୁ ଟୋକେଇରେ ମୁଣ୍ଡେଇ ସେ ଏକୁଟିଆ ବାହାରିଆସିଲା । କେଡ଼େ ବିକଟାଳ ସେ ରାତି । କେଡ଼େ ଦୁର୍ଗମ, ନିଛାଟିଆ ସେ ବାଟ–ଅଥଚ କି ପୁଅ ସେ । କାହା ପୁଅ ? କାହାକୁ ପାରିକରୁଥିଲା ବସୁଦେବ ସେ ରାତିରେ ମଥୁରାରୁ ଗୋପକୁ ?’’

ନୁରି ଭଟ୍ଟର ଆଖିରୁ ପଲକ ଲିଭିଗଲା । ଦୁର୍ବଳ ବାପଟିଏ ? କେଡ଼େ ବଡ଼ ଆଶା ସତେ ସେ ପୋଷି ରଖିଛି ତା’ ସ୍ୱପ୍ନଭିତରେ- କାହିଁ, ମୁଁ ତ କେବେ ଭାବିନାହିଁ ବସୁଦେବ ହେବାକୁ ! –ସେଥିରୁ କ’ଣ ମିଳିବ ? –ବୁବୁ ଏବେ ଅଫିସର । ତାର ଅନେକ ଟଙ୍କା ପ୍ରଭୁ ତାକୁ ଦୀର୍ଘାୟୁ କରିଥାନ୍ତୁ ।

ନୁରି ବୁକୁ ଉପରୁ ପାହାଡ଼ ପରି ଦୀର୍ଘଶ୍ୱାସଟାଏ ଓହ୍ଲେଇଗଲା ।

‘‘ଛାଡ଼ ।’’ –ତା’ର ସେ ଉଦାସ ହସଟିଏ ଭିତରେ କ’ଣ ଧରି ନ ପାରି ସେମିତି ଛାନିଦେଉଥିଲା ନୁରି ? ସେ ଚୌକିରୁ ଉଠିଯାଇ ବେହେରାକୁ ଡାକ ପକେଇଲା-

‘‘ଯମୁନା....ଆ...ହେଏ...ଏ–ଯମୁନା...ଆ’’

ବଙ୍ଗଳାକୁ ଘେରି ରହିଥିବା ଜଙ୍ଗଲ ଉପରେ ବୁଣିହୋଇଗଲା ସେ ଡାକ । ମୋତେ ସେ ନାଁଟା ଭାରି କଉତୁକିଆ ଲାଗିଲା । ସତେ ବା ନଈଦାଢ଼ରେ ଠିଆହୋଇ ଖଳଖଳ ବୋହିଯାଉଥିବା ବନ୍ୟାକୂଳ ସ୍ରୋତକୁ କେହି ଜଣେ ବଡ଼ ପାଟିରେ ଡାକୁଛି । ଅନ୍ଧାରରାତିରେ ବିଜୁଳି ଚମକୁଚି ରହି ରହି । ବର୍ଷା ବତାସୀରେ ଏକୁଟିଆ ମଣିଷର ସେ ନିରୋଳା ଡାକଟି ମିଳେଇ ଯାଉଛି । ମୁଁ ଟିକିଏ ହସିଦେଲି । ନୁରି ଭଟ୍ଟ ସଂକ୍ରମିତ କରିପାରେ । ନୁରି ଚାହିଁଥିଲେ କବିଟିଏ ହୋଇ ପାରିଥାନ୍ତା । କାହିଁକି ହେଲାନାହିଁ ?

ଡାକବଙ୍ଗଳାର ବୁଢ଼ା ବେହେରା ଯମୁନାକୁ ଦି’ କପ୍‌ ଚା’ ବରାଦ କରି ନୁରି ଫେରିଆସିଲା ତା’ ଚୌକି ଉପରକୁ । ମୁଁ ବୁଝିଗଲି ଯେ, ବାକି କଥା କହିବା ପୂର୍ବରୁ ସେ ସେଇଭଳି ମଧ୍ୟାନ୍ତରଟିଏ ଚାହୁଁଥିଲା ।

 

‘‘ରାତି ସେତେବେଳକୁ ବାରଟା ପାରିହୋଇ ସାରିଥାଏ । ମୋତେ ବଳେଇବାରୁ ମୁଁ କ୍ଷୀରିପୁରି କିଛି ଖାଇଦେଇ ଆରାମଚୌକିରେ ଢୋଳାଉଥାଏ । ଚମକିଲା ପରି ଚାଉଁ ଚାଉଁ ଲାଗୁଥାଏ । ତା’ ମା’ ନ ଖାଇ ଚାହିଁବସିଥାଏ ଦାଣ୍ଡଘରେ । ବାବୁଲି ପାଠ ପଢ଼ୁନାହିଁ । ସେ ଛତରା ପିଲାଙ୍କ ସାଙ୍ଗେ ମିଶୁଛି । ରାତିରେ ବିଳମ୍ବରେ ଫେରୁଛି । ମୁଁ ଦିନେ ପଚାରିଦେଲି । ସେ ଗୋଟାଏ କ’ଣ ଫୋଫା ଉତ୍ତର ଦେଇଦେଲା । ମୋଟଉପରେ ସୂଚନା ଦେଇଦେଲା, ଯେ ସେ ନିଜେ ତା’ କଥା ବୁଝିବ । ତା’ପାଇଁ ଆଉ କାହାରି ମୁଣ୍ଡଗଡ଼େଇବାର ପ୍ରୟୋଜନ ନାହିଁ । ମୁଁ ମଧ୍ୟ ଏକ ପ୍ରକାର କଥାଟାକୁ ବୁଝିଗଲି । ଭାବିଲି, ବୋଧହୁଏ ସେ ଭାବିଚିନ୍ତି କାର୍ଯ୍ୟ କରୁଥିବ । ସେ ତ ଆଉ ପିଲା ନୁହେଁ ।

 

‘‘ସେଇ ରାତିରେ ବାରଟା ପରେ କବାଟରେ ଥପ୍‌ ଥପ୍‌ ପାପୁଲି ବାଡ଼େଇବାର ଶବ୍ଦ ଶୁଭିଲା । ମୁଁ ଚେଇଁଗଲି; କିନ୍ତୁ ନ ଉଠି ଅପେକ୍ଷାକଲି । ....ବାବୁଲା ଫେରିଲା ନିଶ୍ଚୟ । ତା’ ସାଙ୍ଗରେ ଆଉ ଜଣେ କିଏ ହୁଏତ ଆସିଥିଲା । ସେଇ ବୋଧହୁଏ କହିଲା–ବାବୁଲି ଖାଇ ପିଇ ଆସିଛି ମାଉସି । ତାକୁ ନେଇ ଶୁଆଇ ଦିଅନ୍ତୁ । ମଉସାଙ୍କୁ ଉଠାନ୍ତୁନାହିଁ ।’

 

‘‘କବାଟ ପଡ଼ିଲା । ସେ ଆର ଜଣକ ଚାଲିଗଲା । ତା’ପରେ ସକ୍‌ସକ୍‌ କାନ୍ଦଣା ଶୁଭିଲା-। ବାବୁଲି ବୋଉ କାହିଁକି କାନ୍ଦିଲା ବୋଲି ମୁଁ ବୁଝିବାକୁ ଉଠିପଡ଼ୁଥିଲି, ବାବୁଲିର ପାଟି ଶୁଭିଲା । ମୁଁ ଚମକିଲାପରି ପୁଣି ଚୌକିରେ ପଡ଼ିଗଲି । ସେ ନିଶା ଖାଇ ଫେରିଥିଲା । ତା’ ପାଟି ଖନିମାରୁଥିଲା-। ଜନ୍ମାଷ୍ଟାମୀ ଉପାସରେ ପୁଅର ଫେରିବା ବାଟକୁ ଚାହିଁ ବସିଥିଲା ତା’ ମା’ । ତା’ର ଏଭଳି ଅବସ୍ଥା ଦେଖି ସମ୍ଭାଳି ପାରିଲାନାହିଁ, କାନ୍ଦିପକେଇଲା । ମୋ ବୁକୁ ଦାଉଁ ଦାଉଁ ହେଲା । ମୁଁ ଚୌକି ଉପରୁ ଖପ୍‌କିନା ଉଠି ଚିହିଁକି ଗଲି । କ’ଣ ଅଘଟଣ ଘଟିଯିବ ବୋଲି ବାବୁଲିକୁ ଆବୋରିଲା ପରି ତା’ ମା’ ମୋତେ ବାଟ ଜଗି ଠିଆହୋଇଗଲା । ମୁଁ ହାତ ଉଠେଇଥିଲି ବାବୁଲା ଉପରକୁ । ମୁଁ ସେ ଯାବତ୍ ତା’ ଦେହରେ ଟିପ ଲଗେଇ ନ ଥିଲି । ମୋ ତୁଣ୍ଡରୁ ଗୁଡ଼ାଏ ଗାଳି ଗୁଲଜ ବାହାରି ବାହାରୁ ନଥାଏ-। ବାବୁଲି ସେମିତି ନିଶ୍ଚଳ ଠିଆହୋଇଥାଏ ।

 

‘‘ମୋ ପାଟି ଶୁଣି ସାଇ ପଡ଼ିଶାରୁ ଲାଇଟ୍ ଲଗେଇ ଲୋକେ ଚାହିଁଲେ । ମୋର ହାତ ନଇଁଗଲା, ସ୍ୱର ନରମି ଗଲା । ମୁଁ ବି କାନ୍ଦି ପକେଇଲି । ବାବୁଲିକୁ ତା’ ପଢ଼ା ଘର ଖଟ ଉପରେ ଶୁଆଇ ଆସିଲାପରେ ତା’ ମା’ ମୋତେ ବାଟ କାଟି ଚାଲିଗଲା, ଓପାସରେ ନଖାଇ ରାତିସାରା କାନ୍ଦିବାକୁ । ମୁଁ ବି କିଛି ନ କହି ସେମିତି ସେ ଭିତର ପିଣ୍ଡାରେ ଚୌକି ଉପରେ ରାତି ବିତେଇଦେଲି-। ଘଡ଼ି ଘଡ଼ିକେ ନାନା ପ୍ରକାର ଦୁଃସ୍ୱପ୍ନ ମୋ ଉପରେ ମଡ଼େଇହୋଇ ପଡ଼ୁଥାଏ । ରାତି ସରୁ ନଥାଏ କି ଭୟ ସରୁନଥାଏ । ମୋର ବୟସ ପାରି ହୋଇଯାଉଥାଏ ବର୍ଷ ବର୍ଷ ।

 

‘‘ତା’ ଆରଦିନ ସକାଳ ଆଠଟା ସୁଦ୍ଧା ବାବୁଲା ଉଠିଲା । ଘରସାରା ଚୁପ୍‌ଚାପ୍‌ ରହିଥାଏ-। ସେ ମୁହଁ ଧୋଇ ଚା’ ପିଇଲା । ରାତିସାରା କାନ୍ଦି କାନ୍ଦି ତା’ ମା’ ଆଖି ମୁହଁ ଫୁଲି ଯାଇଥାଏ । ବାବୁଲା ବି ଦିଶୁଥାଏ ରୋଗିଣା । ତା ମୁଣ୍ଡ ବାଳ ନୁଖୁରା । ତା’ ଆଖି ତଳେ ଗହୀର କଳା ଦାଗ । ଓଠ ଶୁଖିଲା । ସେ ମୋତେ ଥରେ ଚାହିଁ ଦେଇ ଉଠୁଥିଲା ସେଇଠୁ ଚାଲିଯିବାକୁ । ମୁଁ ତାକୁ କହିଲି–‘‘ତୁ ଶେଷକୁ ଏମିତି ହେବୁ ବୋଲି, ମୁଁ ଜାଣି ନଥିଲି । ମୁଁ ଆଉ କାହା ଆଗରେ ମୁଣ୍ଡ ଟେକି ଠିଆହୋଇ ପାରିବିନାହିଁ । ମୁଁ କିନ୍ତୁ କେତେ କ’ଣ ଆଶା କରିଥିଲି । ବିବେକାନନ୍ଦ ବୋଲି ନାଁ ଦେଇଥିଲି, କାଳେ ସତକୁ ସତ ମୋ ଘରେ ମହାପୁରୁଷ ହୋଇ ତୁ ଜନ୍ମିଥିବୁ । ସବୁ ମାଟିରେ ମିଶିଗଲା ।’

 

‘‘ଭାବିଥିଲି ତାକୁ ଯେଚ୍ଛା ତା ଶୋଧିବି ବୋଲି; କିନ୍ତୁ ରାତିସାରା ତା’ ନାଁରେ ଦୁଃସ୍ୱପ୍ନ ଦେଖି ଦେଖି ମୋର କେବଳ ସେମିତି ରୋଦନ କରିବାକୁ ଇଚ୍ଛାହେଲା । ତା’ ମା’ ତଳକୁ ମୁହଁ ପୋତି ଭୂଇଁରେ ଆଖି ରଖିଥାଏ । ଝିଅ ଷ୍ଟୋର ଘର କବାଟ ଆଢ଼ୁଆଳରୁ ଚାହିଁଥାଏ ଆମ ସମସ୍ତଙ୍କୁ-। ତାକୁ କେମିତି ନୂଆ ନୂଆ ଲାଗୁଥାଏ । ମୁଁ ଥରେ ଉପରକୁ ତା’ ଆଡ଼େ ଚାହିଁ ଦେଲି । ତା ଆଖିରେ ଅସୁମାରି ଭୟ ।

 

‘‘ବାବୁଲା ମୁହଁ ଟେକି ସିଧା ସଳଖ ମୋ ମୁହଁକୁ ଚାହିଁଲା । ଖୁବ ସ୍ପଷ୍ଟ ଭାବରେ, ଜମା ଇତସ୍ତତଃ ନକରି କହିଲା, ‘‘ଆପଣଙ୍କୁ ମଧ୍ୟ ଆଜି କିଛି କହିବାକୁ ମୁଁ ସ୍ଥିର କରିଛି । ଦେଖନ୍ତୁ, ଆପଣ ନିଜକୁ ସବୁବେଳେ ସବୁ କଥାରେ ବିଚାରକ ବୋଲି ଭାବନ୍ତୁନାହିଁ; କାରଣ ସେଭଳି ହେଲେ ଆପଣ କେବଳ ନିଜକୁ ନିର୍ଭୁଲ୍‌ ଭାବି ବାକି ସମସ୍ତଙ୍କୁ ଭୁଲ୍ ବୋଲି ଧରିନେଉଛନ୍ତି । ମୁଁ ଆପଣଙ୍କୁ ଦୋଷ ଦେଉନାହିଁ । ଆପଣଙ୍କ ବୟସର ସବୁ ବାପ ପ୍ରାୟ ସମାନ । ଆପଣ ନିଜ ସମୟର ରୁଚି, ବିଶ୍ୱାସ, ଆଚରଣ, ମୂଲ୍ୟ ଆଦି ଏବେ ଆମ ଉପରେ ପ୍ରୟୋଗ କରିବାକୁ ଆମର ତ କିଛି କ୍ଷତି ହେଉନାହିଁ; କିନ୍ତୁ ଆପଣ ବିନା କାରଣରେ ଦୁଃଖ ଭୋଗୁଛନ୍ତି ।’

 

ମୁଁ ନୁରି ମୁହଁକୁ ବିସ୍ମିତ ହୋଇ ଅନେଇଲି । ‘‘ହଇରେ, ବାବୁଲି ଏମିତି କହିଲା,–ନା’ତୁ ଖାଲି ମନରୁ ଖଞ୍ଜି ଏମିତି କହିଦେଉଛୁ ? –ଏ ତ ଅତି ଆଶ୍ଚର୍ଯ୍ୟ କଥା । –ଭାରି ଗହନ କଥା ।’’

 

‘‘ତୁମେ ଭାଇନା, ଶୁଣୁନା । –ଏ ତ କିଛି ନୁହେଁ । ଆଉ ସବୁ କ’ଣ କହିଲା ଶୁଣ । ...କହିଲା, ‘କାଲି ଆମ ବନ୍ଧୁ ମହଲରେ ଗୋଟାଏ ପାର୍ଟି ଥିଲା । ସେଠି ମଦ ନପିଇ କଣ ପାଣି ପିଇଥାନ୍ତୁ ?’ ତା’ ମା’ ଆଖି ତରାଟି ଚାହିଁଲା, ଚିହିଁକି ଆସୁଥିଲା କଣ କହିଦେଇ ଯିବ ବୋଲି । ମୁଁ ବାରଣ କଲି । ବାବୁଲି ତା’ ମା ଆଡ଼େ ମୋ ଆଡ଼େ ଥରେ ଚାହିଁଲା । କିଛି ଯେପରି ଘଟିନାହିଁ, ସେଭଳି ଢଙ୍ଗରେ କହିଚାଲିଲା- ‘ତୋ’ ବାହାରେ ଖାଇବା ପିଇବା ତ ରୁଚି ଉପର କଥା । ସେଥିରେ ପାପ ପୁଣ୍ୟ, ନ୍ୟାୟ- ଅନ୍ୟାୟ ଯୋଡ଼ିବାର ପ୍ରୟୋଜନ କ’ଣ, ଯୁକ୍ତି ବା କଣ ? ମଦ ପିଇଦେଲେ ଜଣେ ମଦୁଆ ହୁଏନାହିଁ । ମଦୁଆର ଆଚରଣ ଯେ ଦେଖାଏ, ସେ ମଦ ଛୁଉଁନଥିଲେ ସୁଦ୍ଧା ମଦୁଆ-।’ ମୁଁ ଆଚମ୍ବିତ ହୋଇ ଚାହିଁଥାଏ । ତା’ ମା’ ମଧ୍ୟ ସେଇଭଳି ହତବାକ୍‌ । ନିଷ୍ପତ୍ତି ଶୁଣାଇଲା ପରି ବାବୁଲି କହିଲା, ‘ମୁଁ ମଦ ପିଇଛି ବୋଲି ଲଜ୍ଜିତ ହେବାର କାରଣ ନାହିଁ । ମୁଁ ଅନେକ ଦିନ ହେଲା ପିଉଛି ଏବଂ ପିଇବି ମଧ୍ୟ । ଏଥିରେ ଆପଣ ଏଭଳି ଉତ୍ତ୍ୟକ୍ତ ହୁଅନ୍ତୁନାହିଁ । ଅଯଥା ରକ୍ତଚାପ ବଢ଼ିଯିବ ।’’

 

ନୁରି ଭଟ୍ଟ ମୁହଁକୁ ମୁଁ ଆବାକାବା ହୋଇ ଚାହିଁରହିଥାଏ । ସେ ମୋ ଅବସ୍ଥା ଦେଖି ଫାଳେ ଓଠ ସନ୍ଧିରୁ ଉଦାସ ହସଟିଏ ନିଃଶବ୍ଦରେ ଭୂଇଁକୁ ଗଡ଼େଇଦେଲା । କହିଲା, ‘‘ମୁଁ ତ ଭାଇନା, ସେତେବେଳେ ହସିବ ନା’ କାନ୍ଦିବି ଜାଣିପାରିଲି ନାହିଁ । ବାବୁଲି, ହେଇ କାଲିକା ପିଲା । ସେ ପୁଣି ମୋ ମୁହଁ ଉପରେ ଏମିତି କଥା କହିପାରିଲା । –ମୋତେ ସ୍ୱପ୍ନଭଳି ଲାଗୁଥାଏ । ତା’ ମା ନାଗୁଣୀପରି ଫୁଫୁକାର କଲା, ‘କିରେ, ତୋ ମୁଣ୍ଡକୁ କ’ଣ ପିତ୍ତ ଚଢ଼ିଛି କି । କେଡ଼େ ସାହସରେ ମୁହଁ ବଢ଼ି ବଢ଼ି କଥା କହୁଛୁ । ମାରିବି ଚଟକଣା ଯେ ତୋ ଦାନ୍ତ ଝାଡ଼ିଦେବି । ବାଳୁଙ୍ଗା ଛତରା ହେଇ ଦିନରାତି ବୁଲୁଚୁ । ପାଠ ପଢ଼ା ତ’ ଚୁଲିରେ ଗଲା । ତୁ ପୁଣି କ’ଣ ମଦ ପିଇଲୁ । ହଇରେ ହେ ।’’ –ବାବୁଲି ତାକୁ ଯେମିତି ଢଙ୍ଗରେ ଚାହିଁରହିଲା, ସେଥିରେ ସେ ବଳେ ବାଉଳି ହେଇ ମୁହଁ ଘୋଡ଼େଇ ଭାଡ଼ୁ ଭାଡ଼ୁ କାନ୍ଦିଲା । ବାବୁଲି ଫଣା ଖେଳିଲାପରି ମୁଣ୍ଡ ଟେକି କହିଲା, ‘ମୁଁ ପାଠ ପଢ଼ୁନାହିଁ କି ଭବିଷ୍ୟତରେ ସେଭଳି ବେକୁବ୍‌ କାମ କରିବିନାହିଁ । ଶୁଆ ରଟିଲା ପରି ଗୁଡ଼ାଏ ଏଣୁ ତେଣୁ ରଟିବାର ଅର୍ଥ କିଛି ନାହିଁ । ବେମତଲବ୍‌ ସମୟ ବରବାଦ୍‌ କରିବା ବୋକାମି । ସେଭଳି ଯେଉଁ ବଳଦିଆ ଗଣ୍ଡେ ପରୀକ୍ଷା ଦେଇ ଚାକିରି କରନ୍ତି, ତାଙ୍କ ଭଳି ପୋଷା ଜନ୍ତୁ ମୁଁ ହେଇପାରିବି ନାହିଁ । ମାସ ପହିଲାକୁ ଆଞ୍ଜୁଳା ପତେଇ ଦରମା ନାଁରେ ଭିକ୍ଷାନେଇ ମୁଁ ଚଳିପାରିବି ନାହିଁ କିମ୍ବା ଅଣ୍ଟୁନାହିଁ ବୋଲି ସେଇ ବାହାନାରେ ଲୁଚି ଲୁଚି ଚୋରି କରିପାରିବି ନାହିଁ । ଆମେ ସେଭଳି ନୁଙ୍ଗୁରା ଆଚରଣକୁ ମଣିଷପଣିଆ ବୋଲି ବିଚାର କରୁ ନାଁ । ଆମର ନୀତି ଅଲଗା, ଏଣୁ ଆଚରଣ ମଧ୍ୟ ଅଲଗା ।’

 

‘‘ଠିଆ ହୋଇପଡ଼ି ଆଉ ଟିକିଏ ଚଢ଼ାଗଳାରେ କହିଲା, ‘ଆମକୁ କୌଣସି କାମ କରିବାକୁ କିମ୍ବା ନ କରିବାକୁ କେହି ବାଧ୍ୟ କରିପାରିବେ ନାହିଁ । ଆମେ ଆମ ଢଙ୍ଗରେ ବଞ୍ଚିବୁ । ସେଥିପାଇଁ ଯାହା ପ୍ରୟୋଜନ ତାହା ଆମେ ବଳାତ୍କାର ନେବୁ । କେହି ସେଥିରେ ବାଧା ଦେଇପାରିବେ ନାହିଁ ।’’

 

‘‘ଏତକ କହିଦେଇ ସେ ବୁଲିପଡ଼ି ଦୁମ୍‌ ଦୁମ୍‌ ଚାଲିଗଲା । ଆମେ ବାଧା ଦେଇପାରିଲୁ ନାହିଁ । ମୋର ପ୍ରାୟ ହୋସ୍ ନଥିଲା । ମୋ ଦେହସାରା ତାତି ଯାଇଥିଲା । କାନ ଭାଁ ଭାଁ ଡାକୁଥିଲା-। ମୋ ସ୍ତ୍ରୀ ସେତେବେଳେ ଚିରଚିରେଇଲା ପରି କ’ଣ ସବୁ ବାହୁନି ବାହୁନି ରଡ଼ୁଥିଲା ମୁଁ ବାରି ପାରୁନଥିଲି । ମୁଁ ସେ କୁଳାଙ୍ଗାରକୁ ସେଇ ମୁହୁର୍ତ୍ତରେ ଘରୁ ତଡ଼ିଦେବାକୁ ସଂକଳ୍ପ କଲି । ତା’ପରେ ମୋତେ ଦିଶିଗଲା ଯେ ସେ ସତକୁ ସତ ବାହାରିଯାଉଛି । ସେ ତା’ ସାଙ୍ଗମାନଙ୍କୁ ନେଇ ମୋଟର ସାଇକେଲର ଡକେଇତି କରୁଛି । ରାସ୍ତା ଉପରେ ମଣିଷମାରୁ କରୁଛି । ନିଶା ଖାଇ ଟଳି ଟଳି ହାତରେ ବେଡ଼ି ପିନ୍ଧ ସେ ଜେଲ୍ ଯାଉଛି- ତା’ପରେ ହତ୍ୟାପରାଧର ବିଚାର ହେଉଛି–ସେ ଝିପିଝିପି ବର୍ଷା, ଓଦା କଳା ଚଉକାଠରୁ ସାପ ପରି ଓହଳି ରହିଥିବା ଦଉଡ଼ି- ମୁଁ ଆଉ ଚିନ୍ତା କରିପାରିଲି ନାହିଁ । ଏବେ ମଧ୍ୟ ପାରୁନାହିଁ ।’’

 

ନୁରି ଖୁବ୍‌ ବିବ୍ରତ ଜଣାଯାଉଥିଲା, ଯେ କୌଣସି ଅନ୍ୟ ବାପଟିଏ ପରି । ମୁଁ ଚାହୁଁଥିଲି କ’ଣ ଦୁଇପଦ ଆଶ୍ୱାସନା ଶୁଣାଇବାକୁ । ଭାଷା ଯୁଟିଲାନାହିଁ । ମୁଁ ଏକ ରକମ ଘାବରେଇ ଯାଇଥିଲି । ଧର, ଯଦି ବୁବୁ ଏମିତି ହେଇଥାନ୍ତା–ପ୍ରଭୁ ନ କରନ୍ତୁ–ଆମେ କ’ଣ ସହି ପାରିଥାନ୍ତୁ ? ନ ସହି ବା ଅନ୍ୟ ଉପାୟ କ’ଣ ଅଛି ? ୟା’କୁ ସହିବା ଅପେକ୍ଷା ମରିଯିବା ବରଂ ଭଲ ଜଣାଯାଉଛି-। ଈଶ୍ୱର ବଡ଼ ଲୋକ, ବୁବୁ ଆମର ଶାନ୍ତ, ବୁବୁ ଭଦ୍ର, ବୁବୁ ମଦ ଛୁଏଁ ନାହିଁ; ସେ ସର୍ବ ଭାରତୀୟ ଚାକିରି କରେ । ନୁରି ବିଚରା ସତେ କେଡ଼େ ଭାଗ୍ୟହୀନ ।

 

ନୁରି ହଜିଲା ଆଖିରେ କିଛି ସମୟ ଚାହିଁଲା ।

 

କହିଲା, ‘‘ମୁଁ ସତ କହୁଛି ଭାଇନା, ମୁଁ ସେଦିନ ଚାହିଥିଲି ଛୁରୀମାରି ମରିଯିବାକୁ । ....ନତୁବା..ଛାଡ଼ । –ରାଗ ତ ବ୍ରହ୍ମ ଚଣ୍ଡାଳ । ମୁଁ କାହାକୁ କିଛି ନ କହି ପଦାକୁ ବାହାରିଗଲି । ଇଚ୍ଛା, କ’ଣ ବୋଇଲେ କ’ଣ କରିଦେବି । ବାବୁଲି ମୋ ମୁହଁ ଉପରେ ସେତକ କହିଦେଇ ପଳେଇଥାଏ । ମୁଁ ରାସ୍ତାରେ ଠିଆହେବା ପରେ ଇଚ୍ଛାହେଲା, ତାକୁ ତା’ ଆଡ଼୍‌ଡ଼ା ଉପରେ ତା’ ଲଫଙ୍ଗା ସାଙ୍ଗମାନଙ୍କ ଆଗରେ ଯାଇ ଧରିବି; ଯାହା ହେବାର ହେବ । ସେ ମୋତେ ଖାଇଯାଉ ବରଂ । ମହାବଳ ବାଘର ଦାଢ଼ି ଧରି ଥରେ ଝିଙ୍କି ନ ଦେଲେ, ସେ ଶିକ୍ଷା ପାଇବ ନାହିଁ ।’’

 

ଯମୁନା ଚା’ ଦୁଇକପ୍‌ ନେଇ ବୈଠକ ଘରକୁ ପଶି ଆସିଲା । କିଛି ସମୟ ଚିନା ମାଟିର ମୋଟାଳିଆ କପ୍‌ ଆଉ ପିଆଲା ଠୁଣ୍‌ଠାଣ୍ କଥାବାର୍ତ୍ତା ହେଲେ । ଦୁଇଟି ଅଧାଡ଼ିଆ ଅନ୍ୟମନସ୍କ ବାପ ଫୁଟନ୍ତା ଚା’ ସୋଡ଼କିବାର ଶବ୍ଦ ଶୁଭିଲା । କଳା ପିଠି ଦେଖେଇ ଅବାଞ୍ଛିତ ସ୍ମୃତି ଭଳି ଯମୁନା ତା’ ଖାଲି ପାଦକୁ ଚଟାଣରେ ଖସର ଖସର କରି ଦୂରେଇ ଗଲା । ମୁଁ ମନେ ମନେ କଥାଟାକୁ ନିଠେଇ ନିଠେଇ ପରୀକ୍ଷା କରୁଥିଲି । ...ମୁଁ ବୁବୁକୁ ଡରୁଛି ତ । କିଛି ଗୋଟାଏ କରିବା ପୂର୍ବରୁ ସେ କଣ ଭାବିବ, ସେ କ’ଣ କହିବ, ବିଚାର କରିବାକୁ ପଡ଼ୁଛି ତ । ତା’ ଇଚ୍ଛା ବିରୁଦ୍ଧରେ କିଛି କରିଦେବା ପାଇଁ ସାହସ ହେଉନାହିଁ ତ । –ଏଇ ତା’ ବିବାହ ସଂକ୍ରାନ୍ତରେ ଯେତେସବୁ ପ୍ରସ୍ତାବ ତାକୁ ନ ପଚାରି ତ କିଛି କରିହେଉନାହିଁ । ...ଧରାଯାଉ ବୁବୁ ତା’ ଉଚ୍ଚପାହ୍ୟା ଅଫିସରଙ୍କ ସାଙ୍ଗରେ ମିଶି ଘୁଷୁରି ମାଂସ ଏବଂ ମଦ ଖାଇଲା- କୌଣସି ନାରୀବନ୍ଧୁ ସାଙ୍ଗରେ ରାତି ବିତେଇଲା । –ମୁଁ ଜାଣେ ବୁବୁ ଏହା କଦାପି କରିବନାହିଁ’’- ମୋ ପୁଅକୁ ମୁଁ ଜାଣିନାହିଁ ?–କିନ୍ତୁ, ଧର ଯଦି ସେପରି କଲା, ସେ ବିଷୟରେ ତାକୁ ବୁଝେଇ ହେବ କି ? ବରଂ ଆଜିକାଲି ଏଭଳି ଅଫିସରିଆ କାଇଦା ଚାଲିଲାଣି ବୋଲି ନିଜକୁ ନିଜେ ବୁଝେଇନେବାକୁ ହେବ । ନନାଙ୍କ ଫଟୋ ପାଖରେ କରଯୋଡ଼ ହୋଇ କହିଦେବାକୁ ହେବ ଯେ, ବୁବୁଟା ପିଲାଲୋକ ? ଟୋକା ବୟସରେ ନ ବୁଝି କ’ଣ ଟିକିଏ କରିଦେଇଛି ବୋଲି, ସେ କ’ଣ ସବୁବେଳେ ଏମିତି ରହିଥିବ । ସେ ପରା ଆପଣଙ୍କ ରକ୍ତ ।

 

‘‘ବୁଝିଲ ଭାଇନା । ମୁଁ ସେମିତି ତମ୍‌ତମ୍‌ ହୋଇ ଯାଇ ପହଞ୍ଚିଲି କଲେଜ ପାଖ ଚା’ ଦୋକାନରେ । ଅତି ଅସନା ଏକବଖୁରି ଚାଳଘର । ଟେବୁଲ୍‌ ଚୌକି କଳା ଲଟଲଟିଆ । ମାଛି ଭଣଭଣ । ଗଜା ଟୋକାଙ୍କ ଆଡ଼୍‌ଡ଼ା । ମଝିରେ ଟିକିଏ ଆଢ଼ୁଆଳ କରିଦେଇ ତା’ ପଛରେ ଭାଙ୍ଗ ବଟା ହୁଏ । ସେଇଠି ବେଳ ଜାଣି ସେ ଦେଶୀ ମଦ, ରାଗଚଣା ବିକ୍ରୀ କରେ । ସିଗ୍ରେଟ୍‌ରେ ଗଞ୍ଜେଇ ଭର୍ତ୍ତିକରି ବିକ୍ରୀ କରେ । ଗୋଟାଏ କୋଣକୁ ପାନ ବିଡ଼ି ସାଥିରେ ‘ନିରୋଧ’ ମଧ୍ୟ ଖୋଲା ଖୋଲି ଥୋଇଥାଏ । ମୁଁ ସେଇଠି ହଠାତ୍ ପହଞ୍ଚି ଯିବାରୁ ସବୁ ଥମ୍ ପଡ଼ିଗଲା । ତା’ପରେ ‘ହୋ’ କିନା ପାଟିଟାଏ ହେଲା । ସତେ ବା ସେମାନେ ମୋତେ ସେଇ ହସରେ ଉଡ଼େଇ ଦେବାକୁ ଚାହୁଁଥିଲେ । ବାବୁଲା ତାଙ୍କ ଭିତରେ ନ ଥିଲା । ଥିଲେ, ସେ ବି ସେମିତି ହସିଥାନ୍ତା, କିମ୍ବା ଗମ୍ଭୀର ହୋଇ ଚିଡ଼ିଥାନ୍ତା । ଛାଡ଼ ସେଗୁଡାକ ସମସ୍ତେ ସେମିତି । ମୁଁ ମୁହଁ ଫେରେଇ ପଛ କରୁ କରୁ ନାନାପ୍ରକାର ସିଟି, ଅସଭ୍ୟ ଗାଳି ଅଜାଡ଼ିହୋଇ ପଡ଼ିଲା, ସେ ଅସନା କୋଚଟିଆ ଚା’ ଦୋକାନରୁ-। ସତେ ବା’ ଏ ଯୁଗ ନିଜେ ବୁଝି ପାରୁନାହିଁ ସେକେତେ ଅପରିଚ୍ଛନ୍ନ । –‘‘ହି, ହି, ହି, ହି’’- ‘‘ହୋ, ହୋ, ହୋ, ହୋ,’’ ‘‘ବେ ବୁଢ଼ା ଶଳା’’- ‘‘ହୋ, ମଉସା’’- ‘‘ଶଳା ନିରୋଧ କିଣି ଆଇଥିଲା ବେ ।’’ ମୁଁ ମୁଣ୍ଡ ପୋତି ଦୂରେଇ ଗଲି । ମୋର ଡରକୁଳା ସ୍ୱଭାବ ମୋ ହାଡ଼ ହୁଗାଳି ଦେଲା । ବୁଲିପଡ଼ି ସେମାନଙ୍କ ମୁକାବିଲା କରିପାରିଲିନାହିଁ । ଜାଣିଲି, ବାବୁଲା ଏଇଠି ସମୟ ବିତାଏ । ଜାଣିଲି ଯେ ସେତେବେଳେ ସେ ସେଇଠି ନ ଥିଲା ।

 

‘‘ଇସ୍ ! ସେ ସମଗ୍ର ଅଞ୍ଚଳ କେଡ଼େ ଭୟାବହ, କେଡ଼େ କରୁଣ । କାନ୍ଥ ବାଡ଼ରେ କି ନଗ୍ନ ଅଶ୍ଲୀଳତା । –ଏଠି ପୁଣି ପାଠପଢ଼ା ହୁଏ ? –କି ପାଠ ପଢ଼ା ହୁଏ ? ମୁଁ ଭୀଷଣ ରାଗିଗଲି । ଏ ଦୁଷ୍ଟ, ରୁଗ୍‌ଣ ଅନୁଷ୍ଠାନ ହିଁ ବାବୁଲାକୁ ଏମିତି କରିଦେଇଛି । ସେ ଯଦି ଏଇଠି ପାଠ ପଢ଼ିବାକୁ ଇଚ୍ଛା କରୁନାହିଁ, ସେଥିରେ ତା’ର ଦୋଷ କ’ଣ ? ଭାବିଲି ତାଙ୍କ ଦପ୍ତରରେ ପଶି ସେ ଅଲାଜୁକ, ଅପାରଗ ମାଷ୍ଟ୍ର ବୋଲାଉଥିବା ଜୋକରମାନଙ୍କୁ ମନଇଚ୍ଛା ଶୋଧିବି । ଦାବି କରିବି ମୋ ପୁଅ ପାଇଁ କ୍ଷତି ପୂରଣ । ଦୋ’ ଦୋ’ ପାଞ୍ଚ ହେଲି । ସାହସ କୁଳେଇଲା ନାହିଁ । ଦାନ୍ତ କାମୁଡ଼ି ଏକ ମୁହାଁ ଜୋର୍‌ରେ ଚାଲିଲି । ଥରେ ଦୁଇଥର ଝୁଣ୍ଟିଲି । ହାଲିଆ ହୋଇ ଯିବାକୁ ଦେହ ହାତ ଥରିଲା । ମୁଣ୍ଡରୁ ଝାଳ ନିଗିଡ଼ିଆସିଲା । ଅସୁସ୍ଥ ଲାଗିଲା । ସେଇଠି ଗୋଟିଏ ହେଲେ ଗଛ ନଥିଲା ତା’ ଛାଇ ତଳେ ଠିଆ ହୋଇଯିବାକୁ । ଅନେକ ପୁରୁଣା ଗଛର ଥୁଣ୍ଟା ଏଠି ସେଠି ଦିଶୁଥିଲା । ସେସବୁ ହଣା ହୋଇ କେଉଁ କାଳୁ ମରି ସାରିଥିଲେ । ମୋତେ ଶୋଷକଲା, ଆଖିକୁ ଅନ୍ଧାର ଦେଖାଗଲା । ବାନ୍ତି ମାଡ଼ିଲା । ଭାବିଲି ବୋଧହୁଏ ଖରାରେ ଚାଲିବାରୁ ସେପରି ଲାଗୁଥିବ । –ବାବୁଲା ଏମିତି ପ୍ରତିଦିନ ଖରାରେ ଏଇଠି ଚାଲୁଚି । କୌଣସି ପୁରୁଣା ଗଛର ଛାଇ ଏଠି ନାହିଁ । ଶୋଷ ମେଣ୍ଟାଇବାକୁ ପାଣି ମୁନ୍ଦେ ନାହିଁ । ମୁଁ କିନ୍ତୁ ସ୍ଥିର କରିସାରିଥିଲି ଯେ, ବାବୁଲାକୁ ତା’ ଆଡ଼୍‌ଡ଼ାରେ ଧରିବି । ଯାହା ହେବାର ହେବ ।’’

 

ନୁରି ସତ କହୁଥିଲା । ପୋଚା ଅଣ୍ଡା ପରି ଧଳା ଖୋଳପା ଭିତରେ ଏ ଅନୁଷ୍ଠାନ ସବୁ ସଢ଼ି ଗଲେଣି । ସେ ପରିସର ଭିତରେ ଆଉ ସୁନ୍ଦର, ସାର୍ଥକ କିଛି ଗଢ଼ି ହୋଇପାରିବ ନାହିଁ । ସେଇଠୁ ଉପାଦାନ ନେଇ ଅନ୍ୟ ଯେକୌଣସି କ୍ଷେତ୍ରରେ ମଧ୍ୟ ଆଉ କିଛି କରି ହେବନାହିଁ । ସାରାସମାଜ ଅଶାଳୀନ, ଅଭଦ୍ର, ଠକ, ଚୋର ବଦମାସ୍‌ଙ୍କ ଆଡ଼୍‌ଡ଼ାସ୍ଥଳୀ ହୋଇଗଲା । ...ତଥାପି ଏବେ ମଧ୍ୟ କୋଟିକେ ଗୋଟିଏ ଭଲ ମଣିଷ, ଭଲ ଶିକ୍ଷକ, ଭଲ ଛାତ୍ର ମିଳୁଛନ୍ତି ତ । ଭଲ ଅଫିସର ମଧ୍ୟ ଅଛନ୍ତି ତ । ଆମ ବୁବୁ କ’ଣ ଖରାପ ? ସେ ପୁଣି ସେହିପରି ଗୋଟାଏ ଘୋଡ଼ାଶାଳ ଭିତରେ ବର୍ଷ ବର୍ଷ ବିତେଇ ଯୋଗ୍ୟ ହୋଇ ବାହାରିଲା ନା ନାହିଁ ?

 

ମୁଁ କିଛି ନ କହି ଚା’ ପିଉଥାଏ । ନୁରି କିନ୍ତୁ ଶୋଷ କଲାପରି କେତେବେଳୁ ଦି’ ଢୋକରେ ପିଇ ସାରିଥାଏ ଏପଟ ସେପଟ ଚାହୁଁଥାଏ । ଡାକ ବଙ୍ଗଳାର ଉଭୟ ପାଖେ ସେଇ ଗୋଟିଏ ମାତ୍ର ନୁଆଁଣିଆ ଅପରାହ୍ନରେ ନୀରବତା । ନିସ୍ତେଜ ଖରାଟାଏ ଓହଳି ରହିଥାଏ ଆକାଶରୁ ଭୂମି ପର୍ଯ୍ୟନ୍ତ ଧୁଆଁ ପରି ।

 

...‘‘କିଛି ଦୂରରେ ବାବୁଲା ବୟସର ପିଲାଗୁଡ଼ିଏ ରାସ୍ତା ମଝିରେ କ’ଣ ସବୁ ଫିଙ୍ଗା ଫୋପଡ଼ା ହୋଇ ପାଟିକରି ଖେଳୁଥାନ୍ତି । ଦେଖିଲାବେଳକୁ ସେଗୁଡ଼ିକ ବହି । ଫିଙ୍ଗି ଦେଲାବେଳକୁ ପୃଷ୍ଠା ଗୁଡ଼ିକ ଫଡ଼୍‌ଫଡ଼୍ ଫିଟିଯାଉଥାଏ । ଉଡ଼ନ୍ତା ପକ୍ଷୀକୁ ଧରିଲା ପରି ଆଉ ଜଣେ ତାକୁ ଦୁଇ ହାତରେ ଧରି କାଦୁଅ ମେଞ୍ଚା ପରି ଚିପି ଦେଉଥାଏ ଏବଂ ପୁଣି ଫିଙ୍ଗି ଦେଉଥାଏ ଶୂନ୍ୟକୁ କିମ୍ବା ଧୂଳିକୁ । ଟଣା ଓଟରାରେ ବହିଗୁଡ଼ିକ ପତର ପତର ହୋଇ ବୁଣି ହୋଇଯାଉଥାନ୍ତି । ତାକୁ ଗୋଡ଼ରେ ଚକଟି, ଘୋଷାରି ସେମାନେ ଅତି ଉଲ୍ଲାସରେ ଖେଳୁଥାନ୍ତି । ଆରପାଖରୁ ସାଇକେଲ, ସ୍କୁଟର ଚଢ଼ି କେତେଜଣ ଆସି ପହଞ୍ଚିଲେ । ଅଳ୍ପ ହସିଲେ । ଅଳ୍ପ ଆଡ଼େଇ ହେଲାପରି କିଛି ନ କହି ପାରିହୋଇଗଲେ । ତାଙ୍କ ପଛରେ ପିଲା ପଲ କୁହାଟିଲେ ଅସଭ୍ୟ ଭାଷାରେ । ମାନ୍ୟ ହୁଡ଼ିଲେ । ସେଥିରୁ ମୁଁ ଜାଣିଲି ଯେ, ସେଗୁଡ଼ିକ ତାଙ୍କ ଅଧ୍ୟାପକ ।

 

‘‘ମୋ ମୁଣ୍ଡ ଆହୁରି ବୁଲେଇଦେଲା । ପ୍ରାୟ ଟଳିଳାପରି ଚାଲୁଥାଏ । ସହରର ଦୋକାନ ବଜାର ଆରମ୍ଭ ହୋଇଯାଇଥାଏ । ହଠାତ୍ ଜଣେ ଆସି ମୋତେ ବାଟ ଜଗି ଠିଆହେଲା । କହିଲା, ‘ତୁମେ ଏ ଅଞ୍ଚଳରେ କ’ଣ କରୁଚ ମଉସା ? ତୁମେ ଆଜି ଅଫିସ୍‌ ଯାଇନାହିଁ କି ?’’ ମୁଁ ତାକୁ ଅଚିହ୍ନା ଢଙ୍ଗରେ ଚାହିଁଲି । ସେ ମୋ ମୁହଁକୁ ଚାହିଁ ହସିଲା ଏବଂ କହିଲା, ‘ତୁମେ ବିବେକାନନ୍ଦର ବାପା ନୁହଁ କି ?’ –ମୁଁ ଆହୁରି କାବା ହୋଇ ଅନେଇଲି । ସେ ମୋ ହାତ ଧରି ଗୋଟିଏ ବରା ପିଆଜି ଦୋକାନ ଭିତରକୁ ନେଇଗଲା । ଭିତର ବଖରା ପଛଆଡ଼େ କାକର ଅନ୍ଧାର ଗୁମ୍ଫାଟାଏ : ମୋତେ କିଛି ଦିଶୁନଥାଏ । ମନ ହେଉନଥାଏ ସେ ଭିତରେ ପଶିବାକୁ; କିନ୍ତୁ ଛାଇରେ ଟିକିଏ ବସି ନ ପଡ଼ିଲେ ମୋର ହୋସ୍ ବୁଡ଼ିଯିବ ବୋଲି ଭୟ ହେଉଥାଏ । ମୋତେ ସେ ଟୋକା ବସିବାକୁ କହିଲା-। ହାତଧରି ଅଳ୍ପ ଘୁଞ୍ଚେଇ ନେଲା । ହାତରେ ଦରାଣ୍ଡି ମୁଁ ଗୋଟାଏ କାଠ ବେଞ୍ଚ ଉପରେ ବସିପଡ଼ିଲି-। ଆଖିବୁଜି ମୁଁ ବସିଥାଏ । ରାସ୍ତା ଉପରେ ଖଣ୍ଡେ ଦୁଇ ଖଣ୍ଡ ଗାଡ଼ି ହୋଇଗଲା । ଶବ୍ଦ ସବୁ ବହୁ ଦୂରରୁ ଆହୁରି ଦୂରକୁ ଲିଭି ଲିଭି ଗଲା ।

 

‘‘ମୋ ମୁହଁକୁ କାକର ପାଣି ଚଳେ ଛାଟି ଦେବାରୁ ମୁଁ ଚମକି ପଡ଼ିଲି । ସେ ପୁଣି ଗ୍ଲାସ୍‌ଟା ମୋତେ ଧରେଇ ଦେଇ କହିଲା, ‘ପିଇଦିଅ’ । ମୁଁ ଏକା ନିଃଶ୍ୱାସକେ ସେତକ ପିଇଦେଇ ଅନେଇଲି । ଅନ୍ଧାର ଭିତରେ ସେମାନେ ଚାରିଜଣ ଚୁପ୍‌ଚାପ୍‌ ବସିଥାନ୍ତି । ଏ ଜଣକ କେବଳ କଥା କହୁଥାଏ । ‘ଶୁଣ୍‌ ବେ, ମଉସାକା ବଚ୍ଚା ।’

 

ମୁଁ ଚା’ ଟାକୁ ଥୋଇ ପାରିଲି ନାହିଁ । ମୋ ହାତରୁ କପ୍‌ ଖସିପଡ଼ିଲା । ମୁଁ ବାଉଳା ହେଲାପରି ନୁରିକୁ ଚାହିଁଲି । ‘‘କିରେ, ଇଏ କ’ଣ ସବୁ ତୁ କହୁଛୁ ?’’

 

ନୁରି ସ୍ଥିର ଉଦାସ ଢଙ୍ଗରେ କହି ଚାଳିଲା, ‘‘ମୁଁ ବି ସେମିତି ଚମକିପଡ଼ି ସେ ବେଞ୍ଚଟାରେ ସଳଖି ହୋଇଗଲି । ସେ ଚାରୋଟି ନିଶ୍ଚଳ ପ୍ରତିମା ସ୍ପ୍ରିଙ୍ଗ-ଦିଆ କଣ୍ଢେଇ ପରି ସକ୍‌ସାକ୍‌ ଠିଆହୋଇପଡ଼ିଲେ । ପଟ୍‌କିନା ଅଣ୍ଟାରୁ ଚିକ୍ ଚିକ୍ ଛୁରୀଟାଏ କାଢ଼ି ମୋ ଆଡ଼କୁ ଦେଖେଇ ଜଣେ ଠିଆହେଲା । ତାଙ୍କ ନେତା ଗାରଡ଼େଇ ଚାହିଁ କହିଲା, ଏ ହଗୁରା ବୁଢ଼ାକୁ କାହିଁକି ସେସବୁ ଦେଖଉଚୁ ?

 

ଏ ଜାଗା ଅସନା କରିଦେବ ଶଳା । –ଦେଖ, ବୁଢ଼ା ଏଠି ଯଦି ଗୁହମୂତ କରିବୁ, ତତେ ଜିଭ ଲଗେଇ ସେତକ ଚଟେଇ ଦେବି । ମୁଁ ତତେ ଏଠିକି ଆଣିବା ମତଲବ୍ ହେଲା ଯେ ମୁଁ ଯାହା କହୁଚି, ତୁ ତୋ ସେ ବାଷ୍ଟର୍ଡ଼ ପୁଅ ବିବେକାନନ୍ଦ ଓରେଫ୍ ‘ଉଲ୍‍ଫୁ’କୁ କହିଦେବୁ । ....ଆମ ଧନ୍ଦାରେ ସେ ଭାଗୁଡ଼ି କରିଦେଲା । ଗୋଟାଏ ନୂଆ ଦଳ ଗଢ଼ି ଦେଲା । ସେଥିପାଇଁ ଆମର ଯେତେବେଳେ ମୁହାଁମୁହିଁ ମୁକାବିଲା ହବ ଦେଖାଯିବ । ଏବେ ତାକୁ କହିଦବୁ ସେ ଭାଗୁଡ଼ି ଗାର ଡେଇଁବ ନାହିଁ । ଆମ ମନ୍ତ୍ରୀ ଆମର, ସେ ସେଇ ସୀମାନା ମାଡ଼ିବ ନାହିଁ । ଆମ ଛୁରୀ ଉପରେ ସେ ଛୁରୀ ଚଳେଇବ ନାହିଁ । ଆମେ ଯେଉଁ ଶ୍ରମିକ ନେତା, ଇଉନିଅନ୍‌ ନେତା, ଅଫିସର, ଡାକ୍ତର, ପୋଲିସକୁ ପୋଷି ରଖିଚୁ, ସେମାନଙ୍କୁ ସେ କିଣିବାକୁ ଚେଷ୍ଟା କରିବନାହିଁ । ଆମ ମାଢ଼ୁଆଳି ଆମର, ତା ମାଢ଼ୁଆଳି ତା’ର । ଆମର କଲିକତା ଗାଡ଼ିରେ ସେ ହାତ ଲଗେଇବ ନାହିଁ । ଆମେ ତା ମାଡ୍ରାସ ଗାଡ଼ିର ମୂତିଯିବୁ ନାହିଁ । ଆମ ମାଲ, ଆମ ମାଇକିନା ଆମର । ସେଥିରେ ଯଦି ସେ ଲୋଭକରେ, ତାକୁ ସେଇଦିନ... । ଏତିକ କହି ସେ ଦାନ୍ତ କଡ଼ ମଡ଼ କରି ମୋ ବେକ ପାଖକୁ ଝୁଙ୍କି ପଡ଼ିଲା । –କଞ୍ଚାରେ ଖାଇଯିବ ଯେମିତି । ତା ମୁହଁରୁ ସେମିତି କଞ୍ଚା ଆଇଁଷ ଗନ୍ଧ ପିଟି ଦେଉଥାଏ । ମୋତେ ଆଉରି ବାନ୍ତି ମାଡ଼ିଲା । ମୁଁ ଭୟରେ କେବଳ ସମ୍ଭାଳି ନେଉଥାଏ । ସେ ମୋତେ ହାବୁକେଇଲା ପରି ଠିଆକରିଦେଇ କହିଲା, ‘ଏବେ ତୁ ଯୁଆଡ଼େ ମନ ସିଆଡେ ଯା । ଯଦି ଭୁଲରେ ଆମକଥା ଆଉ କାହା ଆଗରେ କହୁ...’ ସେ କେବଳ କଟମଟ ଚାହିଁଲା । ବାକ୍ୟର ବାକୀ ଅଂଶ ସେତିକିରେ ତା ଆଖିରେ ଡହକିଲା ପରି ମୁଁ ଦେଖିନେଲି- ‘ଆଉ, ଶୁଣ । ତୁ ଆଜି ତୋ’ ପୁଅକୁ ପାଇବୁନାହିଁ । ସେମାନେ ଆଜି ଗସ୍ତରେ ଯାଇଛନ୍ତି । ମନେ ରଖ୍, ଆମେ ଏ ସହରର ମାଲିକ । ବାକି ସବୁ ଖୋଳ-। ସେ ଶଳେ ଜୋକର, ଏକ୍ଟର- ଆମେ ଯେମିତି ନଚେଇବୁ, ସେମାନେ ସେମିତି ନାଚିବେ । ନ ନାଚିଲେ... କ୍ଲିଚ୍‌ କରି ତୋଟି ପାଖରୁ ସିଧା ଗାରଟାଏ ଟାଣି ଦେଲା ବାହାରେ ପବନ ଫାଳ ଫାଳ ହୋଇଗଲା । ଭିତରେ ରକ୍ତ ଭାଗ ଭାଗ ହୋଇଗଲା । ମୁଣ୍ଡ ଖସିପଡ଼ିଲା କାନ୍ଧ ଉପରୁ । ମୁଁ ଗୋଟାପଣେ ଥରୁଥାଏ । କିନ୍ତୁ ମୋତେ ଭିତରୁ କେମିତି ଗୋଟାଏ ଦମ୍ଭ ଲାଗୁଥାଏ । ଏମାନେ ଯେଡ଼େ ଦୁର୍ଦ୍ଦାନ୍ତ ହୁଅନ୍ତୁ ପଛେ, ବାବୁଲାକୁ ଡରୁଛନ୍ତି । ବାବୁଲା ୟାଙ୍କର ସମକକ୍ଷ, ୟାଙ୍କ ଉପରେ ଚାଖଣ୍ଡେ । ମୁଁ ବାବୁଲା ବାପ । ସେମାନେ କିଛି କରିପାରିବେ ନାହିଁ ।

 

ମୁଁ ଖରାକୁ ଚଢ଼ିଆସିଲି ଏବଂ ମୋତେ ବେଢ଼ିଗଲା ତାତିଲା ଝାଞ୍ଜି, ଦାଢ଼ୁଆ ଚିକ୍‌ଚିକ୍‌ ଖରା । ମୋ ମନରେ ବୋଝେଇ ହୋଇଗଲା ଅସଂଖ୍ୟ ଦୁଶ୍ଚିନ୍ତା । ମୁଁ ଆସ୍ତେ ଆସ୍ତେ ଘରମୁହାଁ ଫେରିଗଲି । ଘରେ ବାବୁଲା-ବୋଉ ନଖାଇ ନପିଇ ମେଞ୍ଚା ହୋଇ ପଡ଼ିଥାଏ । ତାକୁ ଡାକିଲି । ଝିଅକୁ ଡାକିଲି । ଖିଆପିଆ କରିବାକୁ କହିଲି । ବାବୁଲା ଡେରିରେ ଫେରିବ ବୋଲି ମଧ୍ୟ ଖୁବ୍‌ ସ୍ୱାଭାବିକ ଗଳାରେ କହିଲି । ମୋ ଭିତର ଭାଗ ଭାଗ ହୋଇଯାଉଥାଏ । ତା’ ମା’ର ଅଜସ୍ର ପ୍ରଶ୍ନ; କ୍ରୋଧ ଅଭିମାନ ତା ଭଉଣୀର, ଅବୁଝା ଡୋବା ଡୋବା ଆଖିରେ ଟଳମଳ ଲୁହ, ଦେଖି ନ ଦେଖିଲା ପରି, ଶୁଣି ନ ଶୁଣିଲା ପରି, ଗଣ୍ଡେ ଖାଇ ଦେଉ ଦେଉ ମୁଁ ସେଇ ଆରାମଚୌକିଟାରେ ଶୋଇଗଲି । କେମିତି ଶୋଇଗଲି ଏବେ ମନେ ପକେଇଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।

 

ମୁଁ ନୁରିକୁ ସେଇଠି ମୁହୂର୍ତ୍ତଟାଏ ସୁଦ୍ଧା ଶୋଇବାକୁ ନ ଦେଇ କହିଲି, ‘‘ଆରେ ବାବୁଲା କେତେବେଳେ ଫେରିଲା ? –କ’ଣ କହିଲା, କ’ଣ ହେଲା ଚଞ୍ଚଳ କହୁନୁ ?’’ ମୋତେ ଲାଗୁଥାଏ ଆମ ବୁବୁ କାହାକୁ କିଛି ନକହି ଚାଲିଯାଇଛି ଗସ୍ତରେ; କୁଆଡ଼େ ଯାଇଛି ଜଣାନାହିଁ । ଘୋର ବନସ୍ତ ଭିତରେ କୁଆଡ଼େ ପଶିଯାଇଛି । ରାତି ହୋଇଗଲାଣି । –ସେ ଆଉରି ଫେରିନାହିଁ ।

 

ନୁରି ସ୍ୱରରେ ମୋର ଏ ସମସ୍ତ ଉଦ୍‌ବେଗର କିଛି ହେଲେ ସ୍ପର୍ଶ ନଥିଲା । ସେ ଖୁବ୍‌ ଉଦାସ ଭଙ୍ଗୀରେ ଅଥଚ ସ୍ଥିର ସ୍ୱରରେ କହିଲା, ‘‘ସେଇ କଥା ପରା କହୁଛି, ଶୁଣ ।’’...ମୁଁ ବାବୁଲା ବିଷୟରେ ପ୍ରାୟ ସବୁ ସ୍ଥିର ଭାବରେ ଜାଣିସାରିଥିଲି; କିନ୍ତୁ ଚମକିଲାପରି ମଝିରେ ମଝିରେ ମୋ ଦେହରୁ ଝାଳଟାଏ ନିଗିଡ଼ି ଯାଉଥିଲା । ଏ କଥା କ’ଣ ପ୍ରକୃତରେ ସତ ? ସତେ କ’ଣ ବାବୁଲା ସେଇଆ ? ଏଇ ଅବିଶ୍ୱାସର ଇଙ୍ଗିତକୁ ସମ୍ଭାଳିଲା ଭଳି ମୋ ଛାତିରେ ଦମ୍ଭ ନଥିଲା । ମୋର ସବୁ ଆଶା ଭାଙ୍ଗିଗଲା ପରେ ପୁଣି ଥରେ ତାକୁ ଗଢ଼ି ତୋଳିବାକୁ ମୋର ସାହସ ନଥିଲା; ମୁଁ ସମୁଦ୍ରରେ ଭାସୁଥିବା କାଠଗଣ୍ଡିଟାଏ ପରି ଉଦାସୀନ ପଡ଼ି ରହିବାକୁ ଚାହୁଁଥିଲି ।

 

ବାବୁଲା ସେଦିନ ଫେରିଲାବେଳକୁ ଅନେକ ରାତି । ସେ ଆସ୍ତେ କବାଟ ବାଡ଼େଇବାରୁ ମୁଁ ଜାଣିଗଲି । ନିଜେ ଯାଇ ଫିଟେଇଦେଲି । ରାସ୍ତା ଲାଇଟ୍‌ରେ ବାବୁଲାର ଚେହେରା ପୂରା ଦିଶୁନଥାଏ । ତା’ ବଡ଼ ବଡ଼ ଆଖି, ଦୁଇ ଦିନର ନିଶ ଦାଢ଼ି କିନ୍ତୁ ବାରିହେଉଥାଏ । ଏଇ ତା’ହେଲେ ‘ଉଲ୍‌ଫ’ । ଅରଣା ଚାରି ଦଉଡ଼ିକଟା ଡକେଇତ । ମୁଁ ତା’ ଆଖି ଭିତରକୁ ଯୋଡ଼ାଏ ନିଃଶ୍ୱାସ ପର୍ଯ୍ୟନ୍ତ ଚାହିଁଲି । ସେ ମୋ ପଛେ ପଛେ ଆସି ଦାଣ୍ଡଘରେ ଆଲୁଅରେ ମୋତେ ସେମିତି ସଳଖ ଆଖିରେ ଚାହିଁଲା । କହିଲା, ‘ଦୁଇ ମିନିଟ୍‌ରେ ଆସୁଛି ।’ ପିଣ୍ଡା ଅନ୍ଧାରରେ ଠିଆହେଲା । ସିଗ୍ରେ୍‍ଟ କାଢ଼ି ଲାଇଟର୍‍ ଲଗେଇଲା । ମୋତେ ସବୁ ଶୁଭୁଥାଏ–ଆରେ, ଆଉ କ’ଣ ବାକି ରଖିଚୁ ଯେ ମୋ ଆଗରେ ସିଗ୍ରେଟ୍‌ଟାଏ ଫୁଙ୍କିବାକୁ ଏମିତି ଆକଟ ପଡ଼ିଛି । ଅଭିମାନରେ ମୋ ଆଖି ଛଳଛଳ ହୋଇଗଲା ।

 

ବାବୁଲା ଆସି ମୋ ସାମନା ଚୌକିରେ ବସିଲା । କହିଲା, ‘‘ଆଜି ଯାହା ଯାହା ହେଇଛି; ସବୁ ମୁଁ ଜାଣିଗଲିଣି । ତୁମେ ଏମିତି ଓଲୁଙ୍କ ଭଳି କାମ କରି ପାରିବନାହିଁ । ମୋତେ ଖୋଜିବା ଏଣିକି ଆଦୌ ପ୍ରୟୋଜନ ନାହିଁ । ମୁଁ ଯାହା କରୁଛି, ଅନେକ ଚିନ୍ତା ପରେ ବୁଝିବିଚାର କରୁଛି- ପ୍ରାୟ ବାଧ୍ୟ ହୋଇ କରୁଛି । ମୁଁ ବୁଝି ପାରୁଛି ଯେ ତୁମକୁ ଏ ସବୁ ଅଡ଼ୁଆ ଲାଗୁଥିବ । ତା’ର କାରଣ ହେଲା ଯେ ତୁମେ ଯେଉଁ ବିଶ୍ୱାସ ଆଉ ମୂଲ୍ୟବୋଧ ନେଇ ବଞ୍ଚିଆସିଛ, ତା’ ଆମ ପାଇଁ ଅବାନ୍ତର-। ଆମେ ତୁମଭଳି ପରସ୍ପରକୁ ସ୍ୱୀକାର କରି ସମ୍ମାନ ଦେଇ ପୃଥିବୀକୁ ଭାଗ ବାଣ୍ଟି ବଞ୍ଚିପାରିବୁନାହିଁ-। ଆମେ ସବୁ ନିଅଣ୍ଟିଆ ଯୁଗର ଅସଂଖ୍ୟ ମଣିଷ । ଆମେ ପରସ୍ପରକୁ ଅସ୍ୱୀକାର ନକଲେ, ନ ଠକିଲେ, ଛକାପଞ୍ଝାରେ ଅନ୍ୟକୁ ପରାସ୍ତ ନକଲେ ବଞ୍ଚିପାରିବୁନାହିଁ । ଏବେ ବଞ୍ଚିବା ଢଙ୍ଗଟା ହିଁ ସଂପୂର୍ଣ୍ଣ ବଦଳିଯାଇଛି–ତୁମେ ହଠାତ୍ ବୁଝିପାରିବ ନାହିଁ । ତୁମ ପାଇଁ ମନ୍ଦିର ଅଦାଲତ ଦପ୍ତର ଆଦି ଏବେବି ମୂଲ୍ୟବାନ୍‌ । ଆମ ପାଇଁ ସେଗୁଡ଼ାକ କାଗଜର ଛାଞ୍ଚ । ନଈଧାରରେ ପୁରୁଣା ଭଙ୍ଗା କବର ପରି ନିରର୍ଥକ ଗୁଡ଼ିଏ ଇଟାଘର । ସମଗ୍ର ଦେଶରେ ଏବେ ଆମରି ଶାସନ । ମୂଳରୁ ଚୂଳ ଯାଏଁ ମମେ ହିଁ ବିଛେଇହୋଇ ରହିଛୁ । ଉପରେ ଅଲଗା ଦିଶୁଥିଲେ ସୁଦ୍ଧା ଭିତରେ ଏମାନେ ସମସ୍ତେ ଆମର ଲୋକ । ଆଖିମାରିଦେଲେ ଆମେ ଚିହ୍ନି ଦେବୁ । ଏଠିସେଠି କାଁ-ଭାଁ ପୁରୁଣାକାଳିଆ ବେକୁବ୍ ଅଫିସର, ମାଷ୍ଟ୍ର, କିରାଣି ଅଛନ୍ତି–ସେଗୁଡ଼ାକୁ ଆମେ ମାଛି ପରି ଜ୍ଞାନ କରୁ-। ସେମାନେ ଏ ଯୁଗରେ ବଞ୍ଚିବା ପାଇଁ ଯୋଗ୍ୟ ନୁହନ୍ତି । ଧନ, ପ୍ରତିପତ୍ତି, ସୁଖ, ପଦମର୍ଯ୍ୟାଦା ସବୁ ଆମ ବିଦ୍ୟାରେ ସମ୍ଭବ; ତାଙ୍କ ବିଦ୍ୟାରେ ନୁହେଁ । ଛାଡ଼, ତୁମକୁ ଏ ସବୁ କହିବାର ଅର୍ଥ ହେଲା ଯେ ତୁମେ ଗୁଡ଼ାଏ ଏଥିରେ ଚିନ୍ତିତ ହେବାର କାରଣ ନାହିଁ । ତୁମ ଭିତରେ ଯାହା ଲୁଚିରହିଥିଲା ତାକୁ ଆମେ ଖୋଲାଖୋଲି ପ୍ରକାଶ କରିଦେଲୁ । ଆମର ସବୁ ଚିନ୍ତା ଆଉ ଚଳଣି କିଛି ନୂଆ କଥା ନୁହେଁ-। ତୁମ ରକ୍ତରେ ସେ ସବୁ ଥିଲା । ତୁମେ ତୁମ ସମୟର ମୂଲ୍ୟକୁ ନେଇ ଚଳିଗଲ । କ’ଣ ପାଇଲ ନପାଇଲ ତୁମକୁ ଜଣା; ଆମେ କିନ୍ତୁ ଆମ ସମୟକୁ ଚିହ୍ନିଛୁ । ସେଥିପାଇଁ ତୁମର ଚାପିରଖିଥିବା ସବୁ ଅଭିଳାଷକୁ ଆମେ ଆପଣେଇ ନେଇଛୁ । –ଏଇଟା ବି ଦିନେ ପୁରୁଣା ହୋଇଯିବ; ପୁଣି ତୁମର ମୂଲ୍ୟ ପ୍ରଚଳିତ ହୋଇଯିବ । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ମୁକାବିଲା ହେବ । ଆମେ ସହଜରେ ଛାଡ଼ିବୁନାହିଁ । ତୁମେ ବି ତ ସହଜରେ ଛାଡ଼ୁନାହିଁ ।’’

 

...ବାବୁଲା ଫଟ୍‌କିନା ଠିଆହୋଇପଡ଼ି କହିଲା–‘‘ବକ୍ତୃତା ଦେବା ମୋର ଅଭ୍ୟାସ ନୁହେଁ-। ମୁଁ ଚାଲିଲି । ଭାବିନିଅ ଏଇଟା ମୋର ବୃତ୍ତି । ଏଥିରେ ମାସକୁ ହାରାହାରି ଲକ୍ଷେ ଟଙ୍କା । ଆଜି ଗୋଟାଏ ପୁରୁଣାକାଳିଆ ଟୋକା ଅଫିସର ସଙ୍ଗେ ଟକ୍‌କର ହେବାର ଅଛି । ସେ ବଳଦିଆ ବେକୁବ୍‌କୁ ଆଜି ସଫାକରି ଦେବାକୁ ପଡ଼ିବ ।’’ ଏତିକି କହୁ କହୁ ସେ ଚାଲିଯିବାକୁ ବସିଲା । ନିଦରୁ ଉଠିଆସି ତା’ ମା’ କ’ଣ କହିବାକୁ ଯାଉଥିଲା । ସେ ହାତ ଟେକି ତାକୁ ଚୁପ୍ କରିଦେଲା–‘‘ତୋ ଝିଅ ବିଭାହେବ ନା ନାହିଁ ? ତୋ’ ପୁଅ କୋଠା କରିବ ନା ନାହିଁ ? ଗାଡ଼ି ଚଢ଼ିବ ନା ନାହିଁ ? ସେଥିପାଇଁ ପଇସା ରଖିଚୁ ?’’ –ମୋତେ କହିଲା, ‘ତୁମେ ସେମିତି ଆଉ ଓଲୁଙ୍କ ଭଳି ଏଠିସେଠି ମୁହଁ ଗଳେଇବନାହିଁ । ମୋର ସେସବୁ ପସନ୍ଦ ନୁହେଁ । ଚୁପ୍‌ଚାପ୍‌ ଘରେ କାହିଁକି ମୋର ସାହସ ହେଲାନାହିଁ ତାକୁ କିଛି କହିବାକୁ । ତା’ ମା’ ବି ଚୁପ୍‌ ଠିଆହୋଇ ଚାହିଁରହିଲା ।

 

ମୁଁ ସେତେବେଳେକୁ କାଠ । କିଏ ସେ ନୀତିବାଦୀ ଟୋକା ଅଫିସର ଯାହା ସହିତ ଏମାନଙ୍କର ମୁକାବିଲା ହେବ ? କେଉଁଠି ହେବ ? କେବେ ହେବ ? ମୁଁ କ’ଣ ବୁବୁକୁ ସତର୍କ କରି ଚିଠି ଦେଇପାରିବି ? ତାକୁ କ’ଣ କହିଦେବି ଯେ ଯୁଗର ନୀତି-ନିୟମ ବଦଳିଗଲାଣି–ଦେଖି ଚାହିଁ ଚଳିବୁ । ବୁବୁ କ’ଣ ସହଜ ଟୋକା, ଏମାନଙ୍କ ସହିତ ହାତ ମିଳାଇ ସାଲିସ୍‌ କରିବାକୁ ମୁଁ ତାକୁ ଆଜି କେମିତି କହିପାରିବି ? ମୋର ସେ ସାହସ କାହିଁ ?

 

ନୁରି ଭଟ୍ଟକୁ ମଧ୍ୟ କିଛି କହିବାକୁ ମୋର ସାହସ ନଥିଲା । ଯାହା ହେଲାଣି ଆମେ କିଏ ତାକୁ ରୋଧିବାକୁ ? କ’ଣ ବା ଆମେ ଜଗିବୁ–ପୁଅକୁ ନା ଯୁଗକୁ ? ଯାହା ଖସିବାର, ଖସିଗଲାଣି । ଯାହା ଭାଙ୍ଗିବାର, ଭାଙ୍ଗିଗଲାଣି । ସବୁ ଆଶଙ୍କା ଫଳିଗଲାଣି । ଆଉ କ’ଣ ଅଛି ? –ଏ ତଳ ବରଡ଼ାଗୁଡ଼ିକ ସବୁବେଳେ ତଳମୁହାଁ । ସେମାନେ ଖଡ଼ଖଡ଼ ହୋଇ ଉଦ୍‌ବେଗ କିମ୍ବା ଭୟ ପ୍ରକାଶ କଲେ କେତେ, ନକଲେ କେତେ । ସ୍ନେହ- ବିମୂଢ଼ ବାପ ଗୁଡ଼ିଏ ତ ଉପର ବରଡ଼ାକୁ ନସହି ଯିବେ କୁଆଡ଼େ, ଆଶୀର୍ବାଦ ନ କରି ଯିବେ କୁଆଡ଼େ ?

Image

 

ଯଯାତି

 

ରାୟଗୁରୁ ପରିବାରରେ ଏମିତି କାହିଁକି ଗଙ୍ଗଶିଉଳି ଫୁଲ ପରି ସମସ୍ତେ ଫୁଟୁ ଫୁଟୁ ଝଡ଼ିପଡ଼ନ୍ତି, ଆଜିକୁ ସାତପୁରୁଷ ହେଲା କେହି ଜାଣନ୍ତିନାହିଁ । ଅଭିଶପ୍ତ ଦେବତା, ବନ୍ଧର୍ବ ପରି ସେମାନଙ୍କ ରୂପ । ଢଳଢଳ ପଦ୍ମପାଖୁଡ଼ାପରି ସେମାନଙ୍କ ଆଖି । ଶାଣିତ ସୁବର୍ଣ୍ଣପରି ରଙ୍ଗ । ଅଥଚ ସବୁଗୁଡ଼ିକ ଅଳ୍ପାୟୁଷ । ଅଚଳାଚଳ ସମ୍ପତ୍ତି, ଯଶ, ମାନ, ବିଦ୍ୟାରେ ଝଟକୁଛନ୍ତି ଏ ଖଣ୍ଡମଣ୍ଡଳ; ଅଥଚ ସେସବୁ ଭୋଗିବାକୁ ସେମାନଙ୍କର ବେଳ ନାହିଁ । ଲୋକେ ସେଥିପାଇଁ ସେ ପରିବାରଟାକୁ ଯେତିକି ଖାତିର କରନ୍ତି, ତା’ ଅପେକ୍ଷା ଅଧିକ ତ୍ରସ୍ତ ହୋଇ ଅନେଇଁ ରହନ୍ତି ଦୂରରୁ-ଚାଳିଶି ବର୍ଷ ଘାଟୀ ଉପରେ କେମିତି ବଜ୍ର ପରି ଛିଡ଼ିପଡ଼ୁଛି କାଳଚକ୍ର ସେମାନଙ୍କ ମୁଣ୍ଡରେ । ସେଥିରୁ କେହି ହେଲେ ନିସ୍ତାର ପାଉନାହାନ୍ତି । ବହୁବିଧ ତନ୍ତ୍ର, ମନ୍ତ୍ର, ପ୍ରୟୋଗ, ଯାଗଯଜ୍ଞ, ଅନ୍ନଚ୍ଛତ୍ର, ଜଳାଶୟ, ମନ୍ଦିର ପ୍ରତିଷ୍ଠା, ଅପରାଜିତା, ରୁଦ୍ରାଭିଷେକ, ଲକ୍ଷ ଲକ୍ଷ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପରେ ସୁଦ୍ଧା କୌଣସି ଫଳ ଲାଭ ହେଲାନାହିଁ । ନିଷ୍କମ୍ପ ଦେବୀ-ଖର୍ପର ପରି ଦାଢ଼ ଟେକିହୋଇ ରହିଛି ଚାଳିଶ ବର୍ଷ ପାଖରେ । ତାକୁ ଡେଇଁଯିବ ଏପରି ସାଧ୍ୟ କାହାର ? –ଓଃ, କି ଅଭିଶାପ ଗ୍ରାସି ରହିଛି ଏ ପ୍ରତିଭାବନ୍ତ ପରିବାରଟାକୁ ।

 

ଏବେ ତିନିପୁରୁଷ ହେବ ସେମାନେ ଏ ଭାଗ୍ୟଲିପିକୁ ମାନି ନେଇଛନ୍ତି । ସ୍ଥିର କରିଛନ୍ତି ଯେ କେବଳ ସବୁଠାରୁ ବଡ଼ପୁଅ ହିଁ ବିଭାହେବ; ବାକି ସମସ୍ତେ ବାଡ଼ୁଅ ରହିବେ । କ’ଣ ପ୍ରୟୋଜନ ଅଛି ଗୁଡ଼ାଏ ଅଳ୍ପାୟୁଷଙ୍କ ସଂଖ୍ୟା ବଢ଼ାଇବାରେ ? କିନ୍ତୁ ବଂଶରକ୍ଷା ହେଉଥାଉ । ଯଦି କେବେ ଏ ଦୁର୍ଲଙ୍ଘ୍ୟ ଗାର ଘୁଞ୍ଚିଯାଇପାରେ । ସେ ପରିବାରରେ ତ ସୁବିଜ୍ଞ ପଣ୍ଡିତଙ୍କର ଅଭାବ ନାହିଁ । ଅନେକ ଲୋକ ଦୂରାଦୂରାନ୍ତରୁ ତାଙ୍କ ପାଖକୁ ଆସନ୍ତି କୌତୁହଳ ଏବଂ ଅବିଶ୍ୱାସ ନେଇ । ଆଲୋଚନା କରନ୍ତି । ଅଭିଶାପ ଖଣ୍ଡନ ପାଇଁ ରୁଦ୍ରଯାମଳ ସ୍ତୋତ୍ର ପାଠ କରିବାକୁ କହନ୍ତି । କିନ୍ତୁ ରାୟଗୁରୁ କିଛି ନ କହି ହସି ଦିଅନ୍ତି; ବରଂ ବେଳେବେଳେ ପରିହାସ କରି କହନ୍ତି, ‘‘ରାୟଗୁରୁ ପରିବାର ଏକପ୍ରକାର ଦେବତା ପରିବାର, କାରଣ ଏଠି କେହି ଜରାଗ୍ରସ୍ତ ହୁଅନ୍ତି ନାହିଁ । ଆଉ ସମସ୍ତଙ୍କ ପାଇଁ ସିନା ମୃତ୍ୟୁ ଏକ ଅଜ୍ଞାତ ଭୟ, କେଉଁଠି ଲୁଚିରହିଛି ଜଣା ପଡ଼ୁନାହିଁ–କିନ୍ତୁ ଆମ ପାଇଁ ତ ସେ ଅତି ସ୍ଥିର ପ୍ରାଞ୍ଜଳ-ଅଗ୍ନିରେଖାଟିଏ । ସେଥିପାଇଁ ଆମର ସଂକ୍ଷିପ୍ତ ଜୀବନକୁ ଆମେ ସଂଯତ, ନିୟନ୍ତ୍ରିତ କରିପାରୁଛୁ । ପ୍ରସ୍ତୁତ ହୋଇ ପାରୁଛୁ ବିନା ଦ୍ୱିଧା ସଂକୋଚର ପାରିହୋଇଯିବା ପାଇଁ ।’’ –ଆସିଥିବା ଲୋକେ ଏ ପରିହାସକୁ ଆଉ ପ୍ରକାରେ ବୁଝନ୍ତି । ଏତେ ଅସହାୟତା ଦେଖି ସେମାନେ ତଳକୁ ମୁହଁପୋତି ଚାଲିଯା’ନ୍ତି । ତାଙ୍କୁ ବିକଳ ଲାଗେ । ଆଖି ଛଳ ଛଳ ହୋଇଯାଏ ।

 

ଏବେ କିନ୍ତୁ ଦୁଇ ତିନି ବର୍ଷ ତଳେ ଗୋଟିଏ ଅଦ୍ଭୁତ ଘଟନା ଘଟିଛି । ବିଶ୍ୱନାଥ ରାୟଗୁରୁ ସପ୍ତମ ପୁରୁଷର ବଡ଼ପୁଅ । ତାଙ୍କର ଛ’ଭାଇ ସମସ୍ତେ ଅବିବାହିତ । କିଏ କେଉଁଠି ସବୁ ଭାରତସାରା ବିଭିନ୍ନ ମୂଲକରେ ବୁଲୁଛନ୍ତି । ସେମାନେ କିନ୍ତୁ ସମସ୍ତେ ଯଥାସମୟରେ ଘରବାହୁଡ଼ା ଫେରିଆସିବେ । ଯେମିତି ଦୁଇ ଦୁଇ ବର୍ଷ ଅନ୍ତରରେ ସେମାନେ ସଂସାରକୁ ଆସିଥିଲେ, ସେଇ କ୍ରମରେ ପ୍ରାୟ ସେମାନେ ବିଦାୟ ନେଇଯିବେ । ବିଶ୍ୱନାଥ ରାୟଗୁରୁଙ୍କୁ ଅଣଚାଳିଶ ପୂରିଆସିଲାଣି-। ଆଉ ବର୍ଷକ ପରେ ଆରମ୍ଭ ହୋଇଯିବ ସପ୍ତମ ପୁରୁଷର ମହାପ୍ରୟାଣ ପର୍ବ । ସେଥିପାଇଁ ସମସ୍ତେ ପ୍ରସ୍ତୁତ । ସେ କିନ୍ତୁ କ’ଣ ଗୋଟାଏ ଆଶା ରଖି ତାଙ୍କ ସବା ସାନପୁଅର ନାଁ ରଖିଛନ୍ତି ମୃତ୍ୟୁଞ୍ଜୟ । ପିଲାଟିକୁ ଏଇଲାଗେ ନଅ ବର୍ଷ । କିନ୍ତୁ ତିନି ବର୍ଷ ତଳେ ହଠାତ୍ ଦେଖାଗଲା ଯେ ତା’ର ମୁଣ୍ଡବାଳ ପାଚିଯାଉଛି । ସେ ଦୁର୍ବଳ ହୋଇଯାଉଛି । ଅନେକ ଡାକ୍ତର, କବିରାଜ, ହାକିମ ଆସି ପରୀକ୍ଷା ନିରୀକ୍ଷା କଲେ । ନାନାପ୍ରକାର ଚିକିତ୍ସା ସତ୍ତ୍ୱେ ପିଲାଟି ଶୀର୍ଣ୍ଣ ହୋଇଗଲା । ତା’ର ଥୋଡ଼ ଉପରେ ରୂଢ଼ ଉଠି ପାଚିଗଲା । କାନମୁଣ୍ଡା ଉପରୁ ମାଉଁସ ଝୁଣିହୋଇ ଖପୁଡ଼ିହାଡ଼ ବାରିହେଲା । ସାରା ଦେହ ଶିରାଳ ହାଡ଼ୁଆ ଦିଶିଲା । ରାୟଗୁରୁ ପରିବାରର ସେ ଅଦ୍ଭୁତ ଆଖି ଯୋଡ଼ିକ ପଶିଗଲେ କୋଟରରେ । ଧୁଡ଼ୁଧୁଡ଼ୁ ହୋଇ ହାଡ଼ରୁ ଚମ ଓହଳି ପଡ଼ିଲା । ସମସ୍ତେ ବିମୂଢ଼ ହୋଇ କେବଳ ଚାହିଁ ରହିଲେ, କେମିତି ବର୍ଷ ଚାରିଟାରେ ତାଙ୍କ ଆଗରେ ସାଢ଼େ ତିନିଫୁଟ ଉଞ୍ଚ ପାକଳ ବୁଢ଼ାଟିଏ ତାଙ୍କୁ ମିଟିମିଟି ଅନେଇଛି । ଆଶ୍ଚର୍ଯ୍ୟ । ଯେଉଁ ପରିବାରରେ ବୁଢ଼ା ହେବାର ଅନୁଭୂତି ନାହିଁ, ତା’ ପାଇଁ ସୁଯୋଗ ମଧ୍ୟ ନାହିଁ, ସେଇଠି ପୁଣି ଏମିତି ଅକାଳବୃଦ୍ଧଟିଏ ଜନ୍ମିବ–ଏହା ସମସ୍ତଙ୍କୁ ବିସ୍ମିତ କଲା । ସାତପୁରୁଷର ସଞ୍ଚିତ ଜରା ବୋଧହୁଏ ରୂପ-ପରିଗ୍ରହ କଲା । ଅକାଳମୃତ୍ୟୁ ତାକୁ ଏ ପରିବାରରେ ପଶିବାକୁ ଦେଉନଥିଲା । ଏବେ ସେ ମୃତ୍ୟୁକୁ ଲଙ୍ଘି ଆସିଲା । ବିଶ୍ୱନାଥ ରାୟଗୁରୁ ଜାଣି ନଥିଲେ ଯେ ତାଙ୍କ ସାନପୁଅ ମାଧ୍ୟମରେ ତାଙ୍କୁ ଏମିତି ପରିହାସ ସହିବାକୁ ହେବ ।

 

ବଡ଼ ବଡ଼ ଡାକ୍ତର ମତ ଦେଲେ ଯେ ତାହା ଏକ ଅତି ଅସାଧାରଣ ଉତ୍କଟ ରୋଗ । ରୋଗର ନାଁ ବାର୍ଦ୍ଧକ୍ୟ । ସେ ଥରେ ଗ୍ରାସ କଲେ ପ୍ରଖର ବେଗରେ ଜରା ମଡ଼େଇ ହୋଇ ପଡ଼େ । ବର୍ଷକରେ ସେ ଦଶବର୍ଷ ଗ୍ରାସ କରିଯାଏ । ଏଣୁ ମୃତ୍ୟଞ୍ଜୟର ପରମାୟୁ ଆଉ ବର୍ଷକରୁ ଅଧିକ ନୁହେଁ । ....କିନ୍ତୁ ଏସବୁ ସତ୍ତ୍ୱେ, ବଡ଼ ଆଶ୍ଚର୍ଯ୍ୟର କଥା ଯେ ଶରୀର ଜୀର୍ଣ୍ଣ ବିବର୍ଣ୍ଣ ହୋଇଯାଉଥିଲେ ମଧ୍ୟ ମନରେ ସେ ସେଇ ନଅ ବର୍ଷର ବାଳକଟିଏ । ସେମିତି ଖୁଜୁବୁଜିଆ, ଖେଳପ୍ରିୟ, ଅଝଟ ସାନପୁଅ । ସେ ତା’ ଚାରିଆଡ଼େ ସବୁଦିନେ ଏତେ ଜନଗହଳି ଦେଖି ଟିକିଏ ଦବିଯାଇଛି । ବୁଝିପାରୁନାହିଁ ତା’ର କାରଣ । କେମିତି ଗୋଟାଏ ଆତଙ୍କରେ ସେ ମା’ ପାଖରେ ଲେସି ହୋଇ ବସିରହିଛି । .....ମା’ ସବୁବେଳେ କାନ୍ଦୁଥିବା ସେ ଦେଖୁଛି, ବୁଝିପାରୁନାହିଁ । ଖେଳିବାକୁ ହଠାତ୍‌ ଉଠିପଡ଼ିଲା ବେଳେ ଆଣ୍ଠୁ ଲାଖିଯାଉଛି । ସେ ବିକଳ ହୋଇ କାନ୍ଦିପକାଉଛି । ସମସ୍ତେ ଚାଲିଗଲା ପରେ କେବଳ ମଳିନବସନା ମା’ଟିଏ ତାକୁ କୋଡ଼ରେ ପୁରେଇ ବସିରହନ୍ତି । ତା’ର ଧଳା ଟାଆଁସା ବାଳକୁ ଆଉଁଷି ଦେଇ, ବିହ୍ୱଳ ହୋଇ ଗୁଡ଼ାଏ ବାହୁନି ବାହୁନି କାନ୍ଦନ୍ତି । ପୁଅ ତାଙ୍କ ଆଖିରୁ ଲୁହ ପୋଛି ନିଜେ କାନ୍ଦି କାନ୍ଦି ଅଳି କରେ, ‘‘କାନ୍ଦନା ମା’ କାନ୍ଦନା ।’’ ଆଖିବୁଜି ସେ ଅନୁଭବ କରନ୍ତି ଯେ ପିଲାଦିନେ ତାଙ୍କ ଜେଜେବାପା ପିଣ୍ତା ଉପରୁ ତାଙ୍କୁ ପ୍ରବୋଧ କରୁଛନ୍ତି । ଅବିକଳି ସେମିତି ସ୍ୱର !! ସେ ମଟମଟ ଚାହିଁ ଦିଅନ୍ତି । ଭୟଙ୍କର ଦୁଃସ୍ୱପ୍ନ ପରି ସେ ଅନ୍ୟ ସତ୍ୟଟାକୁ ସହଜରେ ମାନି ନେଇପାରନ୍ତି ନାହିଁ । କେତେବେଳେ ଉତ୍ତାରୁ ଖେଳନା, ଚିତ୍ରବହି, ରଙ୍ଗ ତୁଳୀ ନେଇ ପୁଅକୁ ଖେଳାନ୍ତି । ସେ ହାତରେ ତୂଳୀଟାକୁ ସ୍ଥିର କରି ଧରିପାରେ ନାହିଁ । ତା’ ହାତ ଥରେ । ତା’ ମୁହଁ ଥରେ । ମା’ ବିକଳରେ କାନ୍ଦିପକାନ୍ତି । ତା’ ହାତ ଧରି ଚିତ୍ର କରିଦିଅନ୍ତି । ସେ କାଶିଲା ପରି ହସିଦିଏ । ତା’ର ସେ ରେଖାବହୁଳ ବୁଢ଼ା ମୁହଁରେ ଛୋଟ ପାକୁଆ ପାଟିଟିକୁ ଦେଖି ତାଙ୍କ ଅନ୍ତରାତ୍ମା ଦୋହଲିଯାଏ । ସେ ଶିହରିଉଠନ୍ତି ।

 

ବିଶ୍ୱନାଥ ରାୟଗୁରୁଙ୍କ ପୂର୍ବରୁ କେହି ପୁତ୍ରକଷ୍ଟ ଭୋଗି ନ ଥିଲେ । ତାଙ୍କୁ ସେଥିପାଇଁ ଆଉରି ଗୋଟାଏ ଚୋଟ ଖାଇବାକୁ ପଡୁଛି । ତାଙ୍କ ତଳ ଭାଇ ଗୁଜୁରାଟରୁ ଫେରିଆସିଲେଣି । ଏଇ ନୂଆ ବିପତ୍ତି କଥା ଶୁଣି ସେ ଚାଲିଆସିଛନ୍ତି । ମୃତ୍ୟୁଞ୍ଜୟକୁ ପ୍ରଥମେ ଦେଖିଦେଇ ସେ ସ୍ତମ୍ଭିତ ହୋଇଗଲେ । ତାଙ୍କ ପାଟିରୁ କଥା ବାହାରିଲାନାହିଁ । ଭାଇନାଙ୍କ ପାଖରେ ମୂକ ହୋଇ ବସିରହିଲେ କିଛି ସମୟ । ବିଶ୍ୱନାଥ ରାୟଗୁରୁ ଭାଇଙ୍କୁ ଦେଖି ବୁଝିଗଲେ । ବୀରେନ୍ଦ୍ର ସତକୁ ସତ ଇନ୍ଦ୍ରପରି ଦେଖିବାକୁ । ତାଙ୍କଠାରୁ ଆଉରି ଚକେ ଉଞ୍ଚ । ଓସାର ବୁକୁ । ଲମ୍ବା ଲମ୍ବା ଗୋଟାଳ ବାହୁ-। ସେ ହୀରା ମୁଦିଟା ତା ହାତକୁ କେମିତି ମାନୁଚି ସତେ ! ଆଖି ଝଟକୁଚି ହୀରାପରି । ଚାହିଁଥିଲେ ଚାହିଁ ରହିବାକୁ ମନ ହେବ । ସେ ଆସିଛି, ତା’ ପାଳି ବେଳକୁ ମୁଣ୍ଡ ପତେଇଦେବା ପାଇଁ-। .....ତାଙ୍କ ଭିତର ଗୁରାଣ୍ଡି ହୋଇଗଲା । ବିଦ୍ରୋହ କରିଉଠିଲା ଅନ୍ତରାତ୍ମା । ସେ ନିଜେ ବରଂ ପାଞ୍ଚଥର ଜନ୍ମି ଏମିତି ମରିଯାନ୍ତେ-ବୀରେନ୍ଦ୍ର ଏ ରୂପ, ଏଇ ବିକ୍ରମ ନେଇ ବଞ୍ଚିଯାଆନ୍ତା ଭଲା-

 

ମାମୁ ଆସି ପହଞ୍ଚିଲେ । ତାଙ୍କ ବୟସ ଷାଠିଏ ଉପରକୁ । ବିଶ୍ୱନାଥ ରାୟଗୁରୁଙ୍କ ମା’ ବହୁଦିନୁ ତଳ ଖୁଆଡ଼ରେ ଦିଅଁଘର ପାଖେ ରହୁଛନ୍ତି । କାନ୍ଦି କାନ୍ଦି ଆଖିକୁ ଭଲ ଦିଶୁନାହିଁ । ସେ ବିଧବା ହୋଇ କୋଡ଼ିଏ ବର୍ଷ ଧୈର୍ଯ୍ୟ ଧରି ରହିଛନ୍ତି । ଏଡ଼େ ବଡ଼ ଘରର ଯାବତୀୟ ଦାୟିତ୍ୱ ତୁଲାଉଛନ୍ତି । ବିଶ୍ୱନାଥ ତାଙ୍କୁ ନ ପଚାରି କିଛି କରନ୍ତି ନାହିଁ ।

 

ମାମୁଙ୍କୁ ନେଇ ସେ ତଳ ଖୁଆଡ଼କୁ ଗଲେ । ସେଇଠି ମା’, ଗୋସେଇଁମା’ଙ୍କ ପାଖେ, ଦିଅଁଙ୍କ ପିଣ୍ଡାରେ ବସିଲେ । ସାଙ୍ଗରେ ବୀରେନ୍ଦ୍ର ମଧ୍ୟ ଥାଆନ୍ତି । ଦୁଇ ପୁଅଙ୍କ ଆଡ଼କୁ ଥରଟିଏ ଚାହିଁଦେଇ ଭାଇନାଙ୍କୁ ଓଳଗି ହେଲେ । କହିଲେ ବସିବାକୁ । ମନରେ ହରଷ ନାହିଁ । ଖୁବ୍‌ ଉଦାସ ସ୍ୱର ।

 

ବିଶ୍ୱନାଥ ତାଙ୍କ ଗୁରୁଜନମାନଙ୍କୁ ଦେଖି କେମିତି ଟିକିଏ ଦମ୍ଭ ପାଇଲା ପରି ଅନୁଭବ କଲେ । ଏ ପ୍ରାଚୀନ ମଣିଷମାନେ କୋଡ଼ି କୋଡ଼ି ବର୍ଷ ରାୟଗୁରୁ ପରିବାରକୁ ତାର ସମ୍ପତ୍ତି, ବିପତ୍ତି, ଉଦୟ-ଅସ୍ତ ଭିତରେ ଧାରଣ କରି ଆସିଛନ୍ତି । ବିପତ୍ତିର ମେଘ ପୁଣି ଘୋଟିଆସୁଥିବାର ସେମାନେ ଅନୁଭବ କଲେଣି । ସେମାନଙ୍କର ପୁରୁଣା ଅଣ୍ଟା ନଇଁଗଲାଣି । ଆଉ ବୋଧହୁଏ ମାଡ଼ ସହିବାକୁ ସେମାନେ ସମର୍ଥ ନୁହନ୍ତି । –ତଥାପି ଏମାନେ ତ ସେଇ ପିତୃକୁଳ, ମାତୃକୁଳ, ଯେଉଁମାନେ ଅନ୍ୟ ସମସ୍ତଙ୍କ ଅପେକ୍ଷା ବେଶି ଉଦ୍‌ବିଗ୍ନ । ବିଶ୍ୱନାଥ ରାୟଗୁରୁ କେମିତି ଗୋଟାଏ ଭରସାରେ ଚାହିଁଲେ ସେ ତିନିଜଣଙ୍କୁ । ବେଶି କରୁଣ, ଏକପ୍ରକାର ଅକୁଳାନ ସର୍ବଂସ୍ୱହା ପରି ଦେଖାଗଲେ ଗୋସେଇଁମା’ । ସେ ତିନିପୁରୁଷର ଅବସାନ ଦେଖିଛନ୍ତି ଶ୍ୱଶୁର, ସ୍ୱାମୀ ଏବଂ ପୁଅ । ବିଧବା ହେଲାପରେ କିପରି ସେ ପାଞ୍ଚପୁଅର ମରଣ ଦେଖି ସମ୍ଭାଳିଲେ, କେମିତି ତାଙ୍କ ଆତ୍ମାପୁରୁଷ ବୁକୁ ବିଦାରି ବାହାରିଗଲା ନାହିଁ, ଏହା ହିଁ ଆଶ୍ଚର୍ଯ୍ୟ । ସେ କାନ୍ଦିବାପାଇଁ କେବେ ହୁଏତ ଇଚ୍ଛା କରିନାହାନ୍ତି । ଶୋକାଚ୍ଛନ୍ନ ଅବସ୍ଥାରେ କେବଳ ରକ୍ତ ପାଣି ହୋଇ, ଝରିଯାଇଛି । ମହାଭାରତ ଯୁଦ୍ଧର ରକ୍ତସ୍ନାନ ପରେ ଦ୍ୱାପର ଯୁଗର ଏ ଅବଶିଷ୍ଟ ଜନନୀଟି କାରୁଣ୍ୟକୁ ଶିଶୁଟିଏ ପରି ଲାଳନ କରୁଛି କେବଳ । ନିଜେ ଦିଶୁଛି ଧୂସର ଧରିତ୍ରୀ ପରି !

 

ମାମୁ ତଳକୁ ଚାହିଁ ବସିଥିଲେ । ଦୀର୍ଘ ନିଃଶ୍ୱାସଟିଏ ତା’ ମନକୁ ବାହାରିଗଲା ତାଙ୍କ ବୁକୁ ଭିତରୁ । କହିଲେ, ‘‘ବୁଝିଲ ବାପା ବିଶ୍ୱନାଥ ! ତୁମେ ତ ଆମ କୁଳଗୌରବ । ସବୁ ବିଦ୍ୟାରେ ପାରଙ୍ଗମ । ଅଳ୍ପ ବୟସରେ ଅଗାଧ ସାଗର ଲଙ୍ଘିଛ । ସବୁ ଆଗତ, ଅନାଗତ କଥା ବୁଝିସାରିଛ । ମୁଁ ଖାଲି ଗୋଟିଏ କଥା କହିବାକୁ ଆସିଲି । ସାନପୁଅ ମୃତ୍ୟୁଞ୍ଜୟ ବିଷୟ ଏ ଖଣ୍ଡମଣ୍ଡଳରେ ସମସ୍ତଙ୍କ ପ୍ରାଣ ଗୁରାଣ୍ଡି ଦଉଚି । ସେ ଦିବାରାତ୍ର ମୋ ଆଖିରେ ନାଚୁଥିଲା ତ । କାଲି ରାତିରେ ମୁଁ ତାକୁ ସ୍ୱପ୍ନ ଦେଖିଲି । ସେଇ ସ୍ୱପ୍ନ କଥା ବଡ଼ ଅଲୌକିକ । ମନେପଡ଼ିଲେ ମୋ ଦେହ ଶୀତକଣ୍ଟା ମାରିଯାଉଛି । ସେଇ କଥା ତୁମକୁ କହିଦେବି ବୋଲି ଆସିଚି । ତୁମେସବୁ ଜାଣିବା ଶୁଣିବା ପିଲା । ତୁମେ ତେଣିକି ସେଥିରୁ କ’ଣ ବୁଝିବା କଥା ବୁଝିବ ।’’

 

ମାମୁଙ୍କ କଥାରେ ସମସ୍ତଙ୍କର ମନ ଠୁଳ ହୋଇଗଲା । କ’ଣ ସେ ସ୍ୱପ୍ନ ହୋଇପାରେ ? ତାଙ୍କ ପରିବାରରେ ତ ଜୀବନ-ମରଣ ଅଲୌକିକ ବ୍ୟାପାର । ସେଥିରେ ସ୍ୱପ୍ନ କ’ଣ, ସତ୍ୟ କ’ଣ ? ସବୁ ସେମାନେ ଏକାପରି ଦେଖି ଶିଖିଲେଣି । ସମସ୍ତେ ମାମୁଁଙ୍କ ଆଡ଼େ ଚାହିଁ ଅପେକ୍ଷା କଲେ । ମାମୁଙ୍କ ମୁଣ୍ଡରେ ଏବେ ସୁଦ୍ଧା କେରାଏ କଳାବାଳ ଗାର କାଟିଲା ପରି ପଡ଼ିଛି । ମାମୁ କସ୍ତୁରୀ ଟୋପା ଉପରେ ଦେବୀସିନ୍ଦୂର ଲଗାନ୍ତି । ସବୁଦିନ ବଗଳା ଗୁଣନ୍ତି । ତାଙ୍କ ଆଖିପତା ଓହଳିଲା ପରି ଘୁମେଇଲା ପରି ଚେହେରା ।

 

ସେ ଆଖି ଟେକି ସମସ୍ତଙ୍କୁ ଚାହିଁଲେ । କହିଲେ, ‘‘ସେତେବେଳକୁ ପହିଲି କୁକୁଡ଼ା ଡାକି ନଥାଏ । ମୋ ନିଦ କାହିଁକି କେଜାଣି ଭାଙ୍ଗିଗଲା । ଥରେ ଭାଙ୍ଗିଲେ ତ ଆଉ ନିଦ ହଉ ନାହିଁ । ମୋ ଆଖି ମେଲା ଥାଏ । ମୁଁ ଜାଣ ଚାହିଁ ରହିଥାଏ । ଏତିକିବେଳେ ମୋତେ ଦିଶିଲା ଯେ ମୃତ୍ୟଞ୍ଜୟ ବାଡ଼ିଟିଏ ଧରି ଘର ଭିତରକୁ ପଶିଆସିଲା । ମୋ ଆଗରେ ଠିଆହୋଇ ମୋ ଆଖିକୁ ଚାହିଁଲା । କେମିତି ଗୋଟାଏ ଠାଇ ଠାଇ ଗଳାରେ କହିଲା, ‘ଏଇଥରେ ରାୟଗୁରୁବଂଶ ମୁକୁଳିଯିବ-। ମୁଁ ଆସିଛି ମୁକୁଳେଇବାକୁ । ମୁଁ ହିଁ ସେମାନଙ୍କ ଆୟୁପାନ କରିଥିଲେ । ସେମାନେ ଅଳ୍ପାୟୁଷ ହୋଇଗଲେ ସାତପୁରୁଷ । ମୁଁ ନିଜେ ଜନ୍ମଛି ସବୁଠାରୁ ଅଳ୍ପାୟୁ ହୋଇ । ରୋଗ, ଜରା, ମରଣ ମୁଁ ଭୋଗିବି ସମସ୍ତଙ୍କ ପାଇଁ । ତା’ପରେ ସେମାନେ ମୁକ୍ତ ହୋଇଯିବେ । ମୋତେ ସେମାନେ ଚିହ୍ନିପାରୁନାହାନ୍ତି । ମୁଁ ସେମାନଙ୍କ ପୂର୍ବ-ପୁରୁଷ । ମୁଁ ପ୍ରଥମ ରାୟଗୁରୁ । ମୋ ନା ପର୍ଶୁରାମ ନନ୍ଦ-!’

 

ସମସ୍ତେ ଚମକିପଡ଼ିଲେ ସେ ନାଁ ଶୁଣି । ରାୟଗୁରୁ ପରିବାର ସେ ପ୍ରଚଣ୍ଡ ପିତୃପୁରୁଷଙ୍କୁ ଚିହ୍ନନ୍ତି । ସେ ଥିଲେ ତନ୍ତ୍ର-ସିଦ୍ଧ ।

 

ମାମୁଁ କହିଲେ, ‘‘ମୁଁ ସେଇ ସ୍ୱପ୍ନରେ ତାଙ୍କୁ ନମସ୍କାର କଲି । ସେ ମୋତେ କେବଳ ଚାହିଁଲେ କିଛି ସମୟ । ତା’ପରେ କହିଲେ, ‘ମୋ କଥା ସେମାନଙ୍କୁ ଜଣାଇଦେବୁ ।’ –ଆସ୍ତେ ମଉଳିଗଲା ରୂପ । ସେ ଉଭେଇଗଲେ ସେଇଠୁ ମୋତେ ଦେଖାଗଲା ନାନା ବର୍ଣ୍ଣର ଆଲୁଅ । କେତେ ପ୍ରକାର ମଣ୍ଡଳ, ଯନ୍ତ୍ର, ଫୁଲ, ହୋମଧୂଆଁ । ନାନା ପ୍ରକାର ଶବ୍ଦ ଶୁଭିଲା । ମୋତେ ଡର ମାଡ଼ିବାରୁ ଆଖି ଫିଟିଗଲା । ମୁଁ ଆଖି ବୁଜିଥିଲି । ବୋଲି ଜାଣି ନ ଥିଲି । ମୋ ବୁକୁ ଦାଉଁ ଦାଉଁ ହେଉଥାଏ । ରାତି ତଥାପି ଥାଏ । ପହିଲି କୁକୁଡ଼ା ଡାକିଦେବାରୁ ମୁଁ ଶେଯ ଛାଡ଼ି ଉଠିପଡ଼ିଲି । ହାତ ଗୋଡ଼ ଧୋଇ ମାଳେ ଗାୟତ୍ରୀ ଜପିଲି ପିଣ୍ଡ ଥୟ କରିବାକୁ । ମୋର ମନେହେଉଛି ପୁଅ, ଏଇ କଥା ହିଁ ସତ । ସେଇ ପର୍ଶୁରାମ ରାୟଗୁରୁ ଆସି ତୁମମାନଙ୍କୁ ମହାକାଳଦଣ୍ଡରୁ ମୁକୁଳାଉଛନ୍ତି । ସେ ଚାଲିଗଲେ ତୁମେ ମୁକ୍ତ ହୋଇଯିବ ।’’

 

ବାରମ୍ବାର ବିଡ଼ମ୍ବିତ ହେଲା ପରେ ରାୟଗୁରୁମାନେ ଆଉ ସହଜରେ କୌଣସି ନୂତନ ଆଶାକୁ ନେଇ ହୋରି ଖେଳନ୍ତିନାହିଁ । ଏସବୁ ସତ ହୋଇପାରେ; କିନ୍ତୁ ଚାଳିଶ ବର୍ଷର କାଳଦଣ୍ଡ ଏହାଠାରୁ ଆହୁରି ସତ୍ୟ । ଦୁଇଭାଇ ସେଥିପାଇଁ ବିଶେଷ ବିଚଳିତ ଜଣାଗଲେ ନାହିଁ । ମା’ କିନ୍ତୁ ସମ୍ଭାଳି ପାରିଲେ ନାହିଁ । ଭାଇନାକୁ କହିଲେ, ‘ଏଡ଼େକ କଥା କ’ଣ କେବେ ସତ ହେବ ? ଏ ଅଭିଶାପ କ’ଣ କେବେ ଖଣ୍ଡନ ହବ ? କେଜାଣି ! ତୁମକୁ ସିନା ପ୍ରତେ ହେଉଛି ଭାଇନା ! ହେଲେ, ମୁଁ ଏ ଚର୍ମ ଆଖିରେ ନ ଦେଖିଲାଯାଏଁ ବିଶ୍ୱାସ କରିପାରିବି ନାହିଁ ।’

 

‘‘ଶୁଣ, ସୁଲକ୍ଷଣୀ ! ମୁଁ ଯାହା କହୁଛି ଅକ୍ଷରେ ଅକ୍ଷରେ ସତ ! କାଲିର ସ୍ୱପ୍ନ ସ୍ୱପ୍ନ ନୁହେଁ-। ମୁଁ ଆଜି ମନେପକାଉଛି ପର୍ଶୁରାମ ରାୟଗୁରୁଙ୍କ ବିଷୟ, ଯାହା ପିଲାଦିନେ ଶୁଣିଥିଲି । ସେ କଥା ସାଙ୍ଗରେ ଏ କଥା ଯୋଡ଼ିଲେ ଜଣାପଡୁଛି ସତ ବୋଲି ! ତୁ ଜାଣିଚୁ କେମିତି ପର୍ଶୁରାମ ରାୟଗୁରୁ ପ୍ରଥମେ ଏ ରାଜ୍ୟକୁ ଆସିଥିଲେ ? ସେ ଆସିଥିଲେ ଚକୁଳିଆ ପଣ୍ଡା ରୂପରେ, ଅତି ହୀନ ଭିକ୍ଷାଶୀ ବ୍ରାହ୍ମଣ ହୋଇ । ସାଙ୍ଗରେ ପାଞ୍ଚପୁଅ ଆଉ ସ୍ତ୍ରୀ-ଖାଇବାକୁ କିଛି ନଥିଲା । ଏମିତି ଗାଁରୁ ଗାଁକୁ ବୁଲି ଭିକ୍ଷାକରି ଚଳୁଥାନ୍ତି । ଏଇଠି ଏଇ ନଈରେ ପର୍ଶୁରାମଘାଟ ୟାଙ୍କର ସମୟରୁ ନାଁ ହେଲା-। ପ୍ରଥମ ଦିନ ଗଛମୂଳେ ରାତି ପାହିଗଲା । ସେଇଠି ମାଟି-ଝାଟିର କୁଡ଼ିଆ କରି କୁଟୁମ୍ବ ସମ୍ଭାଳିବା ପାଇଁ ପର୍ଶୁରାମ ଅକ୍ଳାନ୍ତ ଶ୍ରମ କରୁଥାନ୍ତି । ସେଦିନ ଅମାବାସ୍ୟା, ମଙ୍ଗଳବାର । ସକାଳୁ କାହା ପେଟରେ ଦାନା ପଡ଼ିନଥାଏ । ପିଲାମାନେ ଅନାବନା ଶାଗ ତୋଳି ଆଣିଥାନ୍ତି । ଶୁଖିଲା କାଠ ଗୋଟେଇ ଆଣିଥାନ୍ତି । ଖୁଦ୍‌ ଗଣ୍ଡେ ହେଲେ ସିଝେଇବାକୁ ଅପେକ୍ଷା ଥାଏ । ପର୍ଶୁରାମ ନନ୍ଦେ ସଞ୍ଜବେଳକୁ ସେଦିନ ରୋଜଗାର ଭିତରୁ ରକ୍ତଚନ୍ଦନ, ସିନ୍ଦୂର, ଗୁଗ୍‌ଗୁଳ, ଜଡ଼ାତେଲ, ମାଟିଦୀପ, ମନ୍ଦାର ଫୁଲ ଆଦି ପୂଜାସାମଗ୍ରୀ ଗାମୁଛାରେ ବାନ୍ଧି ଆସି ପହଞ୍ଚିଲେ । ଖାଇବାକୁ ଚାଉଳ ନ ପାଇଁ ସ୍ତ୍ରୀଙ୍କ କ୍ରୋଧ ବ୍ରହ୍ମରେ ଚଢ଼ିଗଲା । ସେ ଶୋଧିଦେଇଗଲେ ଯାହା ତୁଣ୍ଡରେ ଆସିଲା–‘କୋଉ ମା’ ଆସି ତୁମକୁ ପେଜ ମୁନ୍ଦାଏ ଭଲା ଦେଲାଣି ? ପିଠିକୁ କନା ଅଣ୍ଟୁ ନାହିଁ । ବାରଜାତିଆ ଶାଗ ଗଣ୍ଡେ ଖାଇବାକୁ ଖୁଦ ଅଣ୍ଟୁନାହିଁ । ଧିକ୍‌ ତୁମ ଅଲାଜୁକ ସାଧକପଣିଆ ! ଧିକ୍‌ ତୁମ ଲଙ୍ଗୁଳୀ ମଶାଣିଚଣ୍ଡୀକୁ ! ଏଥିରୁ ଗୁଡ଼େ ଜପି ଜପି ଦିହକ ବିତିଗଲା । କଡ଼ାକର କାମ ନାହିଁ ! ଫୋପାଡ଼ ସେ ଚୁଲି ପୋଥିକୁ ନଈରେ-। ଶାଗପଟାଳିଟିଏ କଲେ ଆଉରି ମୋ ପିଲେ ପୋଷି ହୁଅନ୍ତେ । ଫିଙ୍ଗ ସେ ପୂଜା ପତିଆରା; ନହେଲେ ମୁଁ ସେଥିରେ ନିଆଁ ଲଗେଇଦେବି ।’ –ପର୍ଶୁରାମ ନନ୍ଦେ ପୂଜା ଚାଉଳରୁ ଅଧେ ଜାଉ ଘାଣ୍ଟି ବାକୁ ଦେଇଦେଲେ । କ୍ରୋଧରେ ଆଖି ଫାଟିପଡ଼ୁଥାଏ । ବସିଲେ ପୂଜାରେ । ସେ ଖାଲି ଏଡ଼େ ପାଟିରେ ଗର୍ଜୁଥାନ୍ତି । ବଜ୍ରବାଟୁଳ ପରି ମନ୍ତ୍ରମାନ ଛିଟିକି ପଡୁଥାନ୍ତି ଶୁଖିଲା ନଈବାଲି ଉପରେ । ସେ ଖଣ୍ଡମଣ୍ଡଳ ଥରଥର ହୋଇ କମ୍ପୁଥାଏ । ଗାଁ ସାରା ସେଦିନ ସେ ଗର୍ଜନ ଶୁଣିଛନ୍ତି । କୁଡ଼ିଆ ଭିତରେ ପାଞ୍ଚପୁଅ, ସ୍ତ୍ରୀ ମେଞ୍ଚା ହୋଇ ଘାଲେଇ ଶୋଇଥାନ୍ତି । ପର୍ଶୁରାମ ବୋଲୁଥାନ୍ତି ଦେବୀ-ସ୍ତୋତ୍ର । ସେ ଆଭିଚାରିକ ମନ୍ତ୍ରପାଠ ଶୁଣିଲେ ଯାହାର ହେଲେ ନାଭିକମଳ ଠକ୍‌ ଠକ୍‌ ଡେଇଁବ । ଝାଳ ବୋହିଯିବ ମଝିଶିରା ହାଡ଼ଉପରୁ । ମୁଁ ଜାଣେ ସେ ଜିନିଷ କ’ଣ ! –ମନ୍ତ୍ରବଳରେ ସେ ଦେବୀକୁ ଘନ ଘନ ଆବାହନ କରୁଥାନ୍ତି । ଏମିତି ଅଦ୍ଭୁତ ମନ୍ତ୍ରପାଠ ତାଙ୍କ ସ୍ତ୍ରୀ ସୁଦ୍ଧା କେବେ ଶୁଣିନଥିଲେ । ସେ ଭୟରେ ଜଡ଼ସଡ଼ ହୋଇ ଘରର ଅନ୍ଧାର ପିଣ୍ଡା ଉପରୁ ଚାହିଁଲେ ନଈତୁଠ ମଶାଣିକୁ । ଝିଣାଗୁଣ୍ଡାରେ ନିଆଁ ଲାଗିଲାପରି ଫାଉଁକିନା ଜଳିଉଠିଲା ଅଗ୍ନିକୁଣ୍ତ । ପୁଣି ମୁଠାଏ କ’ଣ ତା’ ଉପରକୁ ପର୍ଶୁରାମ ଛାଟିଦେଲେ । ଆଗ ଅପେକ୍ଷା ଆହୁରି ତେଜରେ ଲୋହିତବର୍ଣ୍ଣ ନିଆଁ ଜଳିଉଠିଲା । ......‘ହେଁ, ଉଗ୍ର ଚଣ୍ଡିକେ ! –ହେ, ତ୍ର୍ୟମ୍ବକେ ! ହେ, ଧୁମ୍ରାକ୍ଷି ! ହେ କାଳଭୂଜଙ୍ଗ ମାଳିନୀ, ଜ୍ୱାଳାମୁଖୀ, ଯୋଗିନୀ, ଯୋଗାମାୟା ! ଆବିର୍ଭୁତା ହୁଅ ! ଦାରିଦ୍ର୍ୟ-ଦୁଃଖ ଦହନ କରିବାକୁ ହେ ଭ୍ରମରମାଳିନୀ, ତ୍ରିପୁରବିଜୟିନୀ, ପରମେଶ୍ୱରୀ, ସନ୍ତୁଷ୍ଟ ହୁଅ ! ବିମୋଚନ କର ଏ ଦୁଃସହ ଭାଗ୍ୟ-ସଂକଟ !’

 

‘‘ତାଙ୍କ ସ୍ତ୍ରୀ ପିଲାମାନେ ଲୁଚି ଲୁଚି ଶୁଣୁଥାନ୍ତି । ବାରମ୍ବାର ଚମକିଉଠୁଥିବା ଅଗ୍ନିଶିଖା ସ୍ଥିରହୋଇ ଜଳିଲା । ଲପଲପ ଶିଖାରୁ ସ୍ଫୁଲିଙ୍ଗ ଆକାଶକୁ ଚହଟି ତାରାମାନଙ୍କ ସହିତ ବିଲୀନ ହୋଇଗଲା । ସେ ଆହୁରି ଗହଗହ ନାଦରେ ଦେବୀଙ୍କୁ ଆବାହନ କରୁଥାନ୍ତି । ଆଣ୍ଠୁ ଉପରେ ଭାରାଦେଇ ସେ ବସିଥାନ୍ତି । ଅଞ୍ଜୁଳାରେ କ’ଣ ପାନକଲା ପରି ଦେଖାଯାଉଥାନ୍ତି । କିଛି ସମୟ ପରେ ସେ ସେଇଠୁ ଉଠିଲେ । ଗୋଟାଏ ହାତରେ ଶ୍ରୁବ । ସେଥିରେ ସେ ଆହୁତି ଟେକି ଧରିଥାନ୍ତି-। ଅନ୍ୟ ହାତରେ ଜଡ଼ାତେଲରେ ଦୀପ । ପିଣ୍ଡାକୁ ଆସି ସେ ଠିଆହେଲେ । ତାଙ୍କ ଆଖି ଡହକୁଥାଏ ନିଆଁ ରଡ଼ ପରି । ଦେହରୁ ଫୁଟି ବାହାରୁଥାଏ ଗୋଟାଏ ତାତିଲା ଡହଡହ ହିଙ୍ଗୁଳ ବର୍ଣ୍ଣ-। ତାଙ୍କ ସ୍ତ୍ରୀ ପିଲାମାନେ ଶଙ୍କିଗଲେ ।

 

‘‘ସେ ଡାକପକେଇଲେ, ‘ଆସ, ଦରିଦ୍ର, ଅକିଞ୍ଚନ, ଅପଦାର୍ଥ–ଏ କୁଡ଼ିଆରେ କିଏ ଅଛ ! ଆଜି ମା’ର କରୁଣା ବର୍ଷା ହେଉଛି । ପିଇଯାଅ ! ଧନ ଧାନ୍ୟ, ଗୋପ-ଲକ୍ଷ୍ମୀ, ବିଦ୍ୟା, ବୁଦ୍ଧି, କ୍ଷମତା, ଯଶ ସବୁ ଆଖିପିଛୁଳାକେ ମା’ ଦାନ କରିବେ ।’

 

‘‘ନିଦରୁ ଉଠିଆସି ଫୁଙ୍ଗୁଳା ଦେହରେ ଜାକିଜୁକି ହୋଇ ସେମାନେ ଧାଡ଼ି ବାନ୍ଧି ବସିଗଲେ । ପର୍ଶୁରାମ ତାଙ୍କୁ ହବିର୍ଭାଗ ଖାଇବାକୁ ଦେଲେ । ‘ଯାଅ, ଆଜିଠାରୁ ଏ ପରିବାରକୁ ଦାରିଦ୍ର୍ୟ ସ୍ପର୍ଶ କରିପାରିବ ନାହିଁ ।’

 

‘‘ପର୍ଶୁରାମ ପୁଣି ଫେରିଗଲେ ଶ୍ମଶାନକୁ । ପାହନ୍ତା ପହରକୁ ଆସି ଗାଧୁଆ-ପାଧୁଆ ସାରି ସକାଳ ଖରାରେ ନିଆଁ ପରି ଝଟକୁଥାନ୍ତି । ରଜାଘର ପିଆଦା ଆସି ଡାକିନେଇଗଲା । ସେଇଦିନ ସେ ହେଲେ ପର୍ଶୁରାମ ରାୟଗୁରୁ । ଅଯାଚିତ ଅଜାଡ଼ି ହେଲା ଧନ-ଦୌଲତ, ସମ୍ମାନ, ମର୍ଯ୍ୟାଦା, ଭୋଗବିଳାସର ସବୁ ପ୍ରକାର ଉପାଦାନ ।

 

‘‘ପଚିଶଟା ବର୍ଷ ଉତ୍ତାରୁ ବଡ଼ପୁଅ ଠୋ-କିନା ମରିଗଲା । ତା’ ପଛକୁ ତା’ ପଛ ପାଞ୍ଚଟିଯାକ ପୁଅ ମରିଗଲେ । ବୁଢ଼ା ରାୟଗୁରୁ ବ୍ୟଥିତ ହେଲେ । ଅନେକ ପୂଜା ପ୍ରତିକାର କଲେ; କିନ୍ତୁ ଯାହା ସେ ନିଜେ ଯାଚନା କରି ଦେବୀ ପ୍ରସାଦ ରୂପେ ଲାଭ କରିଥିଲେ, ତାକୁ ଅନ୍ୟଥା କରିବାପାଇଁ ତାଙ୍କର ସାମର୍ଥ୍ୟ ଅଣ୍ଟିଲା ନାହିଁ । ଦେବୀ-ଖର୍ପରକୁ ନିବାରଣ କରିବାକୁ ସାଧ୍ୟ କାହାର-? ସେ ସ୍ୱୟଂ ସପ୍ତପୁରୁଷଙ୍କ ଆୟୁପାନ କରି ଦେବୀଙ୍କୁ ପାରଣା ବାଢ଼ିଥିଲେ । ତାକୁ ପ୍ରତିଗ୍ରହ କରିବାକୁ ବଳ କାହିଁ ? ପଦମର୍ଯ୍ୟାଦା, ରାଜସମ୍ମାନ, ଭୋଗ-ଐଶ୍ୱର୍ଯ୍ୟରେ ଥାଇ ସୁଦ୍ଧା ପର୍ଶୁରାମ ରାୟଗୁରୁ ମନଦୁଃଖରେ ଦିନ କାଟିଛନ୍ତି । ତାଙ୍କ ଦେହାନ୍ତବେଳକୁ ବଡ଼ ନାତିକୁ ଚାଳିଶି ପାଖେଇ ଆସୁଥାଏ । ଚାରିଆଡ଼େ ତା’ର ଯଶ କୀର୍ତ୍ତି ବ୍ୟାପିଯାଇଥାଏ । ତା’ ପୁଅସବୁ ରାଜପୁତ୍ର ପରି ବଢ଼ିଆସୁଥାନ୍ତି । ବୁଢ଼ାଙ୍କର ସାହସ ହେଲାନାହିଁ, ନିଜ ଆଖିରେ ନାତିମାନଙ୍କର ବିଜୟ ଦେଖିବାକୁ । ସେ ଜାଣିଶୁଣି ଦେହ ଛାଡ଼ିଦେଲେ । ନାତିକୁ ପାଖକୁ ଡାକି କହିଲେ, ରାୟଗୁରୁ ପରିବାର ଉପରେ ଦେବୀ-କୃପା ବୃଷ୍ଟି ହେଉଛି । ମାତ୍ର ଭୋଗିବାକୁ ବେଳ ଅଣ୍ଟୁନାହିଁ । ସବୁ ମୋରି ଦୋଷ । ମୁଁ ତା’ର ପ୍ରାୟଶ୍ଚିତ୍ତ କରିବି । ନିଜେ ଆସି ଆୟୁ ପାଲଟ କରି ଦେଇଯିବି । ତୁମେ, ବାପା ଇଷ୍ଟଦେବୀଙ୍କୁ ସନ୍ତୁଷ୍ଟ ରଖିଥିବ । ପୂଜା, ଆରାଧନାରେ ତ୍ରୁଟି କରିବନାହିଁ । ମୁଁ ଆସିବି, ଅବଶ୍ୟ ଆସିବି ।’ ଏମିତି ଡାକିଡାକି, ହୁକୁମ ଦେଲା ପରି ପର୍ଶୁରାମ ରାୟଗୁରୁ ଯାଇଛନ୍ତି । ସାତପୁରୁଷ ପୂରିଗଲା ଉତ୍ତରୁ ସେ ଏଇ ରୂପରେ ଜନ୍ମିବା କଥା ଆମେ କାହିଁକି ଅବିଶ୍ୱାସ କରିବା ? ଏଇ ମୃତ୍ୟୁଞ୍ଜୟ ତୁମର ସେଇ ବଡ଼ବଡିଆ ପୂର୍ବପୁରୁଷ । ବୁଢ଼ା ନିଜେ ଆସିଛି ଆୟୁପାଲଟ କରିବାପାଇଁ । ତୁମର ରିଷ୍ଟ ଖଣ୍ଡନ ହେଲା ବୋଲି ଜାଣ ।’’

 

ଏତିକିବେଳେ କବାଟ ଫିଟେଇ ଅଗଣାକୁ ପଶିଆସିଲେ ବିଶ୍ୱନାଥଙ୍କ ସ୍ତ୍ରୀ । ୟା’ ଭିତରେ ସେ କଣ୍ଟା ହୋଇଗଲେଣି । କେଡ଼େ ଉଜ୍ଜ୍ୱଳ ମଣିଷ, କଳା ପଡ଼ିଗଲେଣି । ମୁଣ୍ଡ ନୁଖୁରା । ପିନ୍ଧା ଲୁଗାଖଣ୍ଡ କୋତରା ହୋଇଯାଇଛି । ସେ ମୃତ୍ୟୁଞ୍ଜୟର ହାତ ଧରି ଚଲେଇ ଆଣୁଛନ୍ତି । ସେ ଖଣ୍ଡେ ଧୋତି ବାହ୍ମୁଣିଆ ଢଙ୍ଗରେ ପିନ୍ଧିଛି । ଖଣ୍ଡେ ଗାମୁଛା ବେକରେ ପକେଇଛି । ରକ୍ତଚନ୍ଦନ କପାଳରେ ଲଗେଇଚି । ଖଣ୍ଡେ ବଙ୍କା ବାଡ଼ି ଧରି ଦେଖାଯାଉଚି ଅଶିଏ ବର୍ଷର ପାରୁ ବୁଢ଼ାଟିଏ ପରି ।

 

ମା’ସମସ୍ତଙ୍କୁ ଏକାଠି ଦେଖି କହିଲେ, ‘‘ଏକା ଲିଙ୍ଗା ଲଗେଇଲା ପରା ଯେ ଗୋସେଇଁବାପା ହେଇ ଖେଳିବ । ଏମିତି ବେଶ ହେବାକୁ ଜିଦ୍‌ଦି ଲଗେଇଲା ।’’

 

ଅଭିନୟ କରିବା ଠାଣିରେ ମୃତ୍ୟୁଞ୍ଜୟ ଗମ୍ଭୀର ହୋଇ ସମସ୍ତଙ୍କୁ କହିଲା-‘‘ମୁଁ ବଡ଼ ଜେଜେ !’’ ବାଡ଼ିଟିକୁ ତଳେ ଠୁକେଇଦେଇ ଚାହିଁଲା ସମସ୍ତଙ୍କୁ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ତାକୁ ଆବାକାବା ଅନେଇଥିବାର ଦେଖି ସେ ତରବର ହୋଇ ମା’ କାନିରେ ମୁହଁ ଘୋଡ଼େଇ ପକେଇଲା-। ଲାଜେଇଗଲା ପିଲାଟା ।

 

କିନ୍ତୁ ଯନ୍ତ୍ରଭଳି ମାମୁ, ବିଶ୍ୱନାଥ, ବୀରେନ୍ଦ୍ର, ସୁଲକ୍ଷଣା ଆସି ତା’ ଚାରିପଟେ ଆଣ୍ଠେଇପଡ଼ିଲେ । ତା’ର ସେ ହାଡ଼ ଗୁଜୁଗୁଜୁ ଚଢ଼େଇ ବୁକୁ, ରୁଢ଼ିଆ ଥୋଡ଼, ଧୋବ-ଫରଫର ମୁଣ୍ଡବାଳ ଦେଖି ତାଙ୍କର ପ୍ରତ୍ୟୟ ହୋଇଗଲା ଯେ ସେ ହିଁ ପର୍ଶୁରାମ ରାୟଗୁରୁ ।

 

ମାମୁ ହାତ ଯୋଡ଼ି କହିଲେ, ‘‘କିଏ ନାହିଁକଲା ତମେ ବଡ଼ଜେଜେ ବୋଲି । ତୁମେ ସିନା ଛଦ୍ମ କରିଚ । ଆମେ ଏବେ ଜାଣିଗଲୁଣି ତୁମେ ଆମପାଇଁ ଏଡ଼େବଡ଼ ଭାରା ବୋହିଛ ! ତୁମେ ଜାଣିଶୁଣି ତୁମ ବଂଶକୁ ବଞ୍ଚେଇବାକୁ ଆସିଛ ।’’

 

କାନି ଭିତରୁ ମୁହଁ କାଢ଼ି ମୃତ୍ୟୁଞ୍ଜୟ ଅନେଇଲା ଏମାନଙ୍କୁ । କିର୍‌କିର୍ ହେଇ ହସିଲା । କାଶ ଉଠିବାରୁ କାଶ ହସ ଏକାକାର ହୋଇଗଲା ।

 

ମା’ ପିଠି ଆଉଁଷି ଦେଇ କହିଲେ, ‘‘ହଉ ବାପା, ଖେଳ ସେତିକି ଥାଉ । ହାଲିଆ ହେଇଯିବୁ । ଚାଲ୍ ଆମେ ଫେରିଯିବା । କଳାଘୋଡ଼ା ଉପରେ ରଙ୍ଗମୁହାଁ କଣ୍ଡେଇ ଝୁଲୁଥିବ । ତୁ ବସିଲେ ସିନା ଘୋଡ଼ା ଚାଲିବ ।’’

 

ଏମିତି କ’ଣ ସେ କଥା କହୁଛନ୍ତି ? –କାହାକୁ ସେମିତି କହୁଛନ୍ତି ? ଏଠି ତ ଖେଳିବା ପିଲା କେହି ନାହିଁ !!

 

‘‘ଶୁଣ ଝିଅ !’’ କହିଲେ ମାମୁ; ‘‘ତୁ ଯାହାକୁ ପୁଅ ବୋଲି ଭାବିଛୁ, ସେ ପ୍ରକୃତରେ ରାୟଗୁରୁ ବଂଶର ଆଦିପୁରୁଷ । ସେ ନିଜେ ପର୍ଶୁରାମ ରାୟଗୁରୁ । ସେ ଆସିଛନ୍ତି ସମସ୍ତଙ୍କ ଉପରୁ କାଳଦଣ୍ଡ ଘୁଞ୍ଚେଇଦେବାକୁ । ସେଥିପାଇଁ ସେ ନିଜେ ଏମିତି ବୁଢ଼ା ହେଇ ରୋଗ-ଦୁଃଖ ଭୋଗୁଛନ୍ତି-। ସେ ଚଞ୍ଚଳ ଚାଲିଯିବେ ।’’

 

ପୁଅକୁ କୋଳ ଭିତରକୁ ସାଉଁଟି ନେଇ ସେ କାନ୍ଦ ଭିତରେ ଝିଙ୍ଗାସିଲେ, ‘‘ଆପଣ କାହିଁକି ଏଡ଼ିକି ଅଲକ୍ଷଣିଆ କଥା ତୁଣ୍ଡରେ ଧରୁଚନ୍ତି ! ମୋ ପିଲା ଆଉ କାହାକୁ ଭାର ହେଇଚି ? ତାକୁ ଡାଙ୍କିନୀ ପିଶାଚୁଣୀ କିଏ ଗୋଟାଏ ପଶି ରକ୍ତ ଶୋଷିଦେବାରୁ ସିନା ସେ ଶୁଖି ଶୁଖି ହାଡ଼ଖଣ୍ଡେ ରହିଲାଣି । ବଇଦ, ଗୁଣିଆ କଲେ ସେ କ’ଣ ଭଲ ହୋଇଯିବ ନାଇଁ ? ତମେ ସବୁ କାହିଁକି ଅଶୁଭ ମନାସୁଚ ? ରଖିଲାବାଲା ତାକୁ ରଖିବାକୁ ଚାହିଁଲେ ତୁମେ ଲକ୍ଷେ କହିଲେ ତା’ର କ’ଣ ହେଇଯିବ ?’’

 

ସେ ପାଟିକରି କହୁଥାନ୍ତି । କାନ୍ଦି କାନ୍ଦି ଭାଙ୍ଗିପଡ଼ୁଥାନ୍ତି-‘ମୁଁ ସମସ୍ତଙ୍କୁ ଜାଣେ । ସମସ୍ତେ ଆଡ଼ ହୋଇ ରହିଛ । କାହା ପ୍ରାଣକୁ ବାଧୁନାହିଁ । ମୋର ଦଶ ବର୍ଷର ଅଲିଅଳ ପୁଅ କାହିଁକି ଏମିତି ବିରୂପ ହେଇଯାଉଚି । ତୁମ ସୁଖ ତୁମର । ତୁମେ ତ କେବେ ଭାବିନାହଁ କାହିଁକି ଫୁଟିବା ଆଗରୁ କଢ଼ଟିଏ ଏମିତି ମଉଳିଯାଉଚି । ମୁଁ ଗର୍ଭରେ ଧରି ଜନ୍ମ ଦେଇଛି । ମୋ ଦୁଃଖ ମୋର । ମୁଁ ମୁଣ୍ଡେଇଚି ପାଷାଣ ବୋଝ । ସେଥିରେ ତୁମର କ’ଣ ଗଲା ? ତୁମେ କାହିଁକି ମନାସିବ ମୋ ପୁଅର ଅମଙ୍ଗଳ ? ଏ କୁଳରେ ଅକାଳମରଣ ଦେଖି ଦେଖି କ’ଣ ଆଉରି ମନ ପୂରିନାହିଁ ଯେ କୋଡ଼ପିଲାଟାକୁ ବଳି ଦେଇଦେବାକୁ ମସୁଧା କରୁଚ ?’

 

ଏ ଉଜାଣିରେ ସମସ୍ତେ ଉବେଇ-ଟୁବେଇ ହେଲେ । ମା’ର ପେଟ ଭିତରୁ ଗୁରାଣ୍ଡି ହୋଇ ଉଠୁଥିବା ସେ ନିଆଁ ଧୂଆଁ ପାଣିରେ ସମସ୍ତଙ୍କୁ ରୁନ୍ଧିହେଲାପରି ଲାଗିଲା । ସୁଲକ୍ଷଣା କିଛି ନ କହି ଠିଆହେଲେ । ତଳକୁ ମୁହଁପୋତି ଫେରିଗଲା ବେଳେ କହିଲେ, ‘‘ସେଇଆ !! –କୋଉ ସପନ କେବେ ସତ ହେଲାଣି ଭଲା ! ଏ କାହିଁକି ପର୍ଶୁରାମ ରାୟଗୁରୁ ହେବେ ? ସେ ବା କାହିଁକି ଆମକୁ ବିପତ୍ତିରୁ ଉଦ୍ଧାର କରିବେ ? କେହି ତ ଆମ ଗୁହାରି ଶୁଣିନାହାନ୍ତି । –‘ବିଶୁ’କୁ ଚାରିମାସ ହେବ ଅଣଚାଳିଶ ପୂରିଗଲା ! କିଏ ସେ ଦେବୀ, ମତେ ଭଲା ଖାଇଯାନ୍ତା । ତା’ ପେଟ ପୂରିଯାନ୍ତା, ମୋ ଦିହକ ସରିଯାନ୍ତା । –ମୁଁ ଆଉ କଲବଲ ସହନ୍ତି ନାହିଁ ।’’

 

ସେ ସେମିତି କ’ଣ ବାହୁନି ବାହୁନି ପିଣ୍ଡାକୁ ଉଠିଗଲେ । ଏ ଦୁଇଭାଇ ଉଠିଲେ । ବିଶ୍ୱନାଥ ମୃତ୍ୟୁଞ୍ଜୟକୁ ମୁଣ୍ଡ ଆଉଁଷି ଦେଇ ହାତ ଧରି ଦୁଆରଆଡ଼େ ବଳେଇନେଲେ । ବୀରେନ୍ଦ୍ର ପଛେ ପଛେ ଚାଲିଲେ ମୁଣ୍ଡ ପୋତିଦେଇ । ବାପ ପୁଅଙ୍କୁ ଚାହିଁ ରହିଲେ ବିଶ୍ୱନାଥଙ୍କ ସ୍ତ୍ରୀ । ଚାହିଁ ରହିଲେ ମାମୁ । ବିଶ୍ୱନାଥ କହୁଥାନ୍ତି–‘ସତ କଥା ! ବାପଟାଏ ବଞ୍ଚି କ’ଣ କରିବ ? ପୁଅ ସିନା ବଞ୍ଚିବ ତା’ର ସବୁ ଆୟୁଷ ନେଇ ।’ ବିଶ୍ୱନାଥ ସେ ଛୋଟ ଧଳାମୁଣ୍ଡଟି ଉପରେ ହାତମାରି ସବୁ ଆୟୁଷ ଦାନ କରିଦେଲା ପରି ଦିଶୁଥାନ୍ତି । ଦେଖୁଥିବା ଆଖି ସବୁ ଛଳଛଳ ହୋଇଗଲେ । ସେ କଥା କାନରେ ଶୁଣିଦେଇ ଥରିଉଠିଲେ ଆତ୍ମୀୟ-ପରିଜନ ।

 

ସେଦିନ ବିଶ୍ୱନାଥ ଅନେକ ସମୟ ପୁଅ ପାଖରେ ରହିଲେ । ଗୋଡ଼ରେ ବସେଇ ମା’ ତାକୁ ଭାତ ଖୁଆଇ ଦେଲାବେଳେ ସେ ନିଜ ଆଖିକୁ ବିଶ୍ୱାସ କରିପାରୁ ନ ଥାନ୍ତି । ତାକୁ ବାରମ୍ୱାର ସେ ଅପରିଚିତ ବୁଢ଼ାଟିକୁ ନିଜର ପୁଅ ବୋଲି ଯୁକ୍ତି କରିବାକୁ ପଡ଼ୁଥାଏ । ମନକୁ ବୁଝାଇବାକୁ ପଡ଼ୁଥାଏ ଯେ ବାର୍ଦ୍ଧକ୍ୟ ଗୋଟାଏ ରୋଗ । ଅତି ସାଂଘାତିକ ରୋଗ । ସେ ଆଉ ବେଶି କାଳ ବଞ୍ଚେଇବ ନାହିଁ ।

 

ତା’ ମା’ ଆଖିରୁ ଲୁହ ନିଗିଡ଼ିଯାଉଥାଏ ଧାର ଧାର । ସେ ମୁହଁ ତୋଳି ସ୍ୱାମୀକୁ ଚାହିଁପାରୁ ନ ଥାନ୍ତି । ଦେବପୁରୁଷ ପରି ଦିଶୁଥାନ୍ତି ବିଶ୍ୱନାଥ ରାୟଗୁରୁ । ଚାରିମାସ ହେବ ତାଙ୍କୁ ପୂରିଗଲାଣି ଅଣଚାଳିଶ ବର୍ଷ । –ସେ କ’ଣ ନିଜେ ଅହିଅଲକ୍ଷଣ ନେଇ ପୁଅ ଘଇତା ବସେଇ ମରିଯାଆନ୍ତେ ନାଇଁ ? କିଏ ସେ ଭାଗ୍ୟବିଧାତା କେଉଁଠି ବସିଚି ? ଏଡ଼ିକି ନିଷ୍ଠୁର ସେ । ଏକାଥରକେ ତାଙ୍କ କୋଳ ଶୂନ୍ୟ କରିଦେବ ! –ମଥାରୁ ସିନ୍ଦୂର ପୋଛିଦେବ !! କ’ଣ ପାଇବ ଭଲା ତାଙ୍କୁ ସେମିତି ସନ୍ତାପିବାରେ ? –ସେ ତାଙ୍କ ବାପଘର କଥା ତା’ରି ଭିତରେ ସୁମରୁଥାନ୍ତି । ମନେପଡ଼ିଯାଉଥାଏ ତାଙ୍କ କୁମାରୀ ଜୀବନ । –ରଜାରାଣୀ ଖେଳ !!

 

ମୃତ୍ୟୁଞ୍ଜୟ ଖାଉ ଖାଉ ଶୋଇଗଲା । ବୁଢ଼ାମାନେ ଯେମିତି ଶୁଅନ୍ତି । ବିଶ୍ୱନାଥ ପତ୍ନୀଙ୍କୁ ହାତ ଧରି ଆଣି ପାଖରେ ବସେଇଲେ । ଏଇ କେତେବର୍ଷ ହେଲା ସ୍ୱାମୀସୋହାଗ କ’ଣ ସେ ଭୁଲିଯାଇଥିଲେ । ଦୁଃଖରେ, ଅଭିମାନରେ, ବିଚିତ୍ର ସୁଖଦୁଃଖର ବ୍ୟଥାରେ ସେ କେବଳ ତୁହାକୁ ତୁହା କାନ୍ଦିଲେ । ଆସ୍ତେ ତାଙ୍କୁ ଉଷୁମ ନୀଡ଼ଟିଏ ପରି ଆବୋରି ରଖିଲେ ବିଶ୍ୱନାଥ । ସେଇ ତ ତାଙ୍କର ବାପା, ମା, ଭାଇ, ବନ୍ଧୁ, ସଖା ସବୁ ! –ସେଇ ତାଙ୍କର ଇହକାଳ ପରକାଳର ସମ୍ପଦ ।

 

ହଠାତ୍ ତାଙ୍କ ଘୁମ ଭାଙ୍ଗିଗଲା । ତାଙ୍କ ବୁକୁ ଧଡ଼ଧଡ଼ ହୋଇ କମ୍ପିଲା । ବିଶ୍ୱନାଥ କାହିଁକି ନୀରବ ରହି ତାଙ୍କୁ ଆଜି ଏତେ ଆଦର-ଗୌରବରେ ମଣ୍ଡି ଦେଉଛନ୍ତି ? –ସେ କ’ଣ ତାଙ୍କଠାରୁ ବିଦାୟ ନେଉଛନ୍ତି କି ? –ସେ କ’ଣ ପ୍ରସ୍ତୁତ ହେଉଛନ୍ତି ସେଇ ଶେଷକଥା ପାଇଁ ? –ସେ ମୁହଁ ତୋଳି ଡବଡ଼ବ ଆଖିରେ ତାଙ୍କୁ ଚାହିଁଲେ । ବିଶ୍ୱନାଥଙ୍କ ଆଖିରେ ଲୁହ । ସେ ବୁଝିଗଲେ ଏବଂ ତାଙ୍କୁ ଜାବୁଡ଼ି ଧରି ପିଲାଙ୍କ ପରି କଇଁକଇଁ ହୋଇ କାନ୍ଦି ଉଠିଲେ- ‘‘ନା ! ନା ! ତା’ କଦାପି ହୋଇପାରେନା !’’

 

ଅନେକ କନ୍ଦାକଟା ଭିତରେ ବିଶ୍ୱନାଥ ଶୂନ୍ୟକୁ ଚାହିଁ ରହିଥାନ୍ତି । ତାଙ୍କ ଗାଲରେ ଲୁହ ଶୁଖିଯାଇଥାଏ । ପୁଅ ଶୋଇଥାଏ ଅଠାଅଶୀ ବର୍ଷର ବୁଢ଼ାଟିଏ ପରି । ସେ ଆସ୍ତେ ଉଠିଲେ । ପତ୍ନୀଙ୍କ ଚିବୁକକୁ ଟେକିଦେଇ ତାଙ୍କୁ ଚାହିଁ ଅଳ୍ପ ହସିଦେଲେ । କହିଲେ, ‘‘ମୁଁ ତା’ହେଲେ ଯାଉଛି ।’’ ସେ ଚାଲିଗଲେ । ପଛରୁ ସେ ଦେଖାଯାଉଥିଲେ ଦେବପୁରୁଷ ପରି । –ସଜଫୁଟା ପଦ୍ମଟିଏ ପରି ।

 

ସେତେବେଳକୁ ଅନେକ ରାତି । ଅସରା ଅସରା ଲୁହରେ ଆକାଶ ଆଉ ପୃଥ୍ୱୀ ଜୁଡ଼ୁବୁଡ଼ୁ-। ଘରେ ଆଉ କେହି ନାହାନ୍ତି । ଖଟରେ ସେ ଯେଉଁ ବୁଢ଼ାଟି ବାଁ କଡ଼ ମାଡ଼ି ଶୋଇଚି, ସେ କିଏ ସତେ ! ତା’ ବେକ ଦୁହିଁ ହୋଇଯାଇଚି । ପିଠିର ପଖାହାଡ଼ ଟେକିହେଇ ରହିଚି । ମଝିଶିରା ହାଡ଼ର ପଗ ଗଣିହେଉଚି ମାଳି ପଗଡ଼ ପରି । ଇଏ କ’ଣ ମୋର ଦଶବର୍ଷର ପୁଅ ? –ମୋ ପୁଅ କାହିଁ ? ଯେ ଚମ୍ପାଫୁଲ ପରି ଗୋରା ତକତକ ଦିଶୁଥିଲା ? –ଆଖି ଦିଶୁଥିଲା ଦାଉଦାଉ ତରା ପରି-! ନେଳି ପେଣ୍ଟ ପିନ୍ଧି ଡେଇଁ, ହସି ହସି ଲୋଟିଯାଉଥିଲା ! –ସେ କାହିଁ ? –ମୋ ସବା ସାନପୁଅ, ମୋ ଗଣ୍ଠିଧନ, ମୋର ସବୁଠୁ ସୁନ୍ଦର ଅଲିଅଳ ପୁଅ କାହିଁ ?

 

-ସେ ବାତୁଳ ପରି ହାତରେ ବତିଟିଏ ଧରି ଘରସାରା ବୁଲୁଥାନ୍ତି । ବାରମ୍ୱାର ଫେରିଆସୁଥାନ୍ତି ଖଟପାଖକୁ ! –‘ନା, ଏ ତ ମୋ ପୁଅ ନୁହେଁ ! –ମୋ ପୁଅ ନାହିଁ !! ମୋ ପୁଅ ମରିଯାଇଚି । ସେଇ ଇଷ୍ଟଦେବୀ ତାକୁ ଖାଇଗଲା । ମୋ ସାନପୁଅକୁ ସେଇ ଖାଇଗଲା ! ବୁଢ଼ା ରାୟଗୁରୁ ତାକୁ ବଳି ଦେଇଦେଲା । ସେ ଭୂଇଁରେ ଲୋଟିପଡ଼ିଲେ କେତେବେଳେ, ଜାଣିପାରିଲେ ନାହିଁ ।

 

ତା’ ପରଦିନ ଡାକ୍ତର ଆସି କହିଲେ ଯେ ଅତିଶୟ ବାର୍ଦ୍ଧକ୍ୟ ହେତୁରୁ ମୃତ୍ୟୁଞ୍ଜୟର ସମସ୍ତ କ୍ରିୟା ଲୋପ ପାଇଗଲା । ତା’ର ମୃତ୍ୟୁ ଅତି ସ୍ୱାଭାବିକ ଏବଂ ପରିଣତ ବୁଢ଼ାଟିଏର ସାଧାରଣ ମୃତ୍ୟୁ ।

 

X X X

 

ବିଶ୍ୱନାଥଙ୍କୁ ଏବେ ପଇଁଚାଳିଶ ବର୍ଷ ଚାଲିଛି । ମାମୁ କହୁଥିଲେ ଯେ ପର୍ଶୁରାମ ରାୟଗୁରୁ ନିଜେ ଆସି ନିବାରଣ କରିନଥିଲେ, ମହାକାଳ ଦଣ୍ଡ ଘୁଞ୍ଚେଇବାକୁ କାହାରି ସାଧ୍ୟ ନ ଥିଲା-

 

ମୃତ୍ୟୁଞ୍ଜୟର ଶ୍ରାଦ୍ଧ ପ୍ରତିବର୍ଷ ଆଶ୍ୱିନ ମାସରେ ଦେବୀପୂଜାବେଳକୁ ପଡ଼େ । ରାୟଗୁରୁ ପରିବାରରେ ତାକୁ ପିତୃପୁରୁଷ ରୂପେ ସେମାନେ ଗ୍ରହଣ କରିସାରିଲେଣି । ସେଇଭଳି ବିଶ୍ୱନାଥ ତାକୁ ପିଣ୍ଡଦାନ କରନ୍ତି । ଏ ଅଞ୍ଚଳରେ ସମସ୍ତଙ୍କ ଘରେ ଏ କଥା କୁହାକହି ହୁଅନ୍ତି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗେ !!

Image